ହିମାଂଶୁ ଶେଖର ମହାପାତ୍ର

Advertisment

ପିଲାଦିନର ଗୋଟିଏ ଘଟଣାରୁ ଆରମ୍ଭ କରୁଛି। ପ୍ରାଥମିକ ଶ୍ରେଣୀରେ ଯେତେବେଳେ ପଢ଼ାବହି ସହ ପରିଚୟ ହେଲା ଏକ ନିର୍ଦ୍ଦିଷ୍ଟ ବିଷୟର ବହି ଆମ ମନରେ ପ୍ରଚୁର ଉତ୍ସାହ, ଆଗ୍ରହ ଓ ଉଦ୍ଦୀପନା ସୃଷ୍ଟି କରୁଥିଲା। ତାହା ଥିଲା ସାହିତ୍ୟ ବହି। ଅଙ୍କ ବହି ମଧ୍ୟ ତା’ର ଉପସ୍ଥିତି ଓ ପ୍ରାଧାନ୍ୟ ଜାହିର କରୁଥିଲା। କିନ୍ତୁ ସାହିତ୍ୟ ବହିକୁ ଆମେ ଭଲ ପାଉଥିବାବେଳେ ଅଙ୍କ ବହିକୁ ଡରୁଥିଲୁ। ଠିକ୍ ଯେମିତି ଆମେ ମା’କୁ ଭଲ ପାଉଥିଲୁ ଓ ବାପାଙ୍କୁ ଡରୁଥିଲୁ। ଏମିତି ନୁହେଁ ଯେ ମା’ ଆମକୁ ଆକଟ କରୁ ନ ଥିଲେ, କିନ୍ତୁ ଯେମିତି କଥାରେ କହନ୍ତି ‘ମା’ ମାଡ଼ କୂଆପାଡ଼, ବାପା ମାଡ଼ ରାଜ୍ୟ ଛାଡ଼’।
ଏହି ଭଲପାଇବା ଓ ଡରିବାକୁ ନେଇ ଯେଉଁ ପ୍ରଥମ ଗୀତଟି ଶୁଣିଥିଲି ତାହା ଥିଲା ମୋର ସାହିତ୍ୟ - ଯଦିଓ ତାହା ସାହିତ୍ୟ ବୋଲି ସେତେବେଳେ ଜାଣି ନ ଥିଲି - ସହ ପ୍ରଥମ ପରିଚୟ। ଗୀତଟି ଶୁଣିଥିଲି ମୋ ଆଈମା’ଙ୍କ ପାଖରୁ, ଯାହା ଗୁଞ୍ଜରିତ ହୋଇଥିଲା ମୋର ବିଦ୍ୟାଳୟ ଜୀବନସାରା। ଗୀତଟି ମୋର ସ୍ମୃତିପଟରେ ସାଇତା ହୋଇ ଆଜି ପର୍ଯ୍ୟନ୍ତ ତାଜା ଅଛି:
ପଢ଼ିବି ନାଇଁ
ମୁଁ ଖେଳିବି ଖେଳ
ଖେଳ ପଡ଼ିଆରେ
ଲାଗିଲେ ଶୋଷ ପିଇବି ପାଣି
ବାଡ଼ି ଗଡ଼ିଆରେ
ଲାଗିଲେ ଭୋକ ମାରିବି ମଉଜ
ମୁଢ଼ି ନଡ଼ିଆରେ
ରାଗିଲେ ବାପା ପୋଡ଼ିବି ଘର
ନିଅଁା ବଡ଼ିଆରେ।
ତେଣୁ ସାହିତ୍ୟ ବିଷୟରେ ମୋର ପ୍ରଥମ ନିଷ୍କର୍ଷ ‌େହଲା ଆମେ ସାହିତ୍ୟକୁ ଭଲପାଉ କାରଣ କେବଳ ଏହି ପାଠରେ ଉପରୋକ୍ତ ଗୀତରେ ବର୍ଣ୍ଣିତ ‘ଖେଚଡ଼ାମି’ ଓ ‘ବଦମାସି’ ଏକ ପ୍ରକାର ସାମାଜିକ ସ୍ବୀକୃତି ଲାଭ କରିଛି। ପରେ ଯେ‌େତବେଳେ ମାଖାଇଲ୍ ବାଖ୍‌ତିନ୍ ନାମକ ରୁଷୀୟ ସମାଲୋଚକଙ୍କ କଥା ପଢ଼ିଲି ସେତେବେଳେ ଜାଣିଲି ବାଖ୍‌ତିନ୍‌ଙ୍କ ‘କାର୍ଣ୍ଣିଭାଲାଇଜେସନ୍’ ଧାରଣା (ଯାହାର ଓଡ଼ିଆ ପରିଭାଷା ଉତ୍ସବମୁଖରତା ବା ଖେଳପ୍ରିୟତା ହୋଇପାରେ) ଏହି ସାମାଜିକ ସ୍ବୀକୃତିପ୍ରାପ୍ତ ‘ଖେଚଡ଼ାମି’ ହିଁ।
ମଜାର କଥା ହେଲା ତତ୍ତ୍ବର ବିନା ସାହାରାରେ ଜୀବନ ହିଁ - ମାନେ ଆମ ପରିବାର, ବିଦ୍ୟାଳୟ, ବଜାରଘାଟ, ପରିବେଶ, ପ୍ରକୃତି ସହ ଏକ ଘନିଷ୍ଠ ଦିଆନିଆ - ଆମକୁ ଶିଖାଇଥିଲା ସାହିତ୍ୟକୁ ଭଲପାଇବା। ଏବେବି ମନେ ଅଛି ତୃତୀୟ-ଚତୁର୍ଥ ଶ୍ରେଣୀରେ ଆମର ହସ୍ତଗତ ହୋଇଥିବା ଚିତ୍ରବିଚିତ୍ର ନୀଳ ମଲାଟ୍ ଥିବା ସୁଦୃଶ୍ୟ ବହି ଯାହା ଉପରେ ଲେଖାଥିଲା ‘ସାହିତ୍ୟ’। ବହିଟିକୁ ଦେଖି ମନ ପୂରିଯାଉଥିଲା। ସ୍ବତଃସ୍ଫୂର୍ତ୍ତ ଭାବରେ ଓ ବିନା ସହାୟତାରେ ପଢ଼ିବାକୁ ଇଚ୍ଛା ହେଉଥିଲା।
କ’ଣ ଥିଲା ସେ ବହି ଭିତରେ? ପୃଷ୍ଠା ଗଡ଼ାଇଲେ ଦିଶି ଯାଉଥିଲା କିଛି କବିତା ଓ କାହାଣୀ। କବିତାଗୁଡ଼ିକ ଆମେ ଗାଉଥିବା ବା ଶୁଣୁଥିବା ଗୀତ ଭଳି ଲାଗୁଥିଲେ। କାହାଣୀ ସବୁ ମିଛିମିଛିକା ହେଲେ ମଧ୍ୟ ସତିସତିକା ଲାଗୁଥିଲେ। ଏ ସବୁର ଚେର ଲମ୍ବିଥିଲା ପ୍ରାଥମିକ ଶ୍ରେଣୀ ବା ବିଦ୍ୟାଳୟ ପୂର୍ବବର୍ତ୍ତୀ ଆଈମା’-କାହାଣୀ ଓ ମା’-ଗୀତ ପରିପୁଷ୍ଟ ଆମର ଶୈଶବକୁ। ଏଠାରେ ସୂଚାଇଦେବା ଉଚିତ ହେବ ଯେ ଷାଠିଏ ବର୍ଷ ତଳର ଏହି ଶୈଶବ ଗୁଣାତ୍ମକ ଭାବରେ ଆଜିକାର ସହରୀକୃତ, ପ୍ରକୃତି ବିବର୍ଜିତ, ପ୍ରଯୁକ୍ତିବିଦ୍ୟା-କବଳିତ ଓ ସମସ୍ୟା ଜର୍ଜର ସମୟଠାରୁ ଭିନ୍ନ।
ତେଣୁ ସାହିତ୍ୟର ସଂଜ୍ଞା ଓ ସ୍ବରୂପ ଜାଣିବାକୁ ହେଲେ ପ୍ରଥମେ ସାହିତ୍ୟ କୁହାଯାଉଥିବା ଏହି କଥା ଓ କବିତାମାନଙ୍କର ‌ସମ୍ମୋହନକାରୀ ଗୁଣରୁ ହିଁ ଆରମ୍ଭ କରିବାକୁ ହେବ। ‘ସମ୍ବାଦ’ର ଏହି ପୃଷ୍ଠାରେ ପ୍ରକାଶିତ ଏକ ମଧ୍ୟଲେଖରେ ଜଣେ ମତ ଦେଇଛନ୍ତି ଯେ ସାହିତ୍ୟର ଏହି ଯାଦୁକାରୀ ଶକ୍ତି ଏକ ଏକାଗ୍ର ଓ ‘ଏକନିଷ୍ଠ ଅକ୍ଷର କର୍ମ’ର ଫଳଶ୍ରୁତି। ହୋଇପାରେ। କିନ୍ତୁ ଏକକ ବ୍ୟକ୍ତିସତ୍ତା ଅପେକ୍ଷା ସାମୂହିକ ସ୍ବର ଅଧିକ ପ୍ରତିଫଳିତ। ପୁଣି ପଣ୍ଡିତମାନଙ୍କ କହିବା ଭଳି ଏ କାମରେ ଓଜନିଆ ଗୁରୁଗମ୍ଭୀର ଭାବ ଅପେକ୍ଷା ମଜାଳିଆ ହାଲୁକାପଣ ବେଶୀ ଥିବା ଭଳି ମନେ ହୁଏ। ଦୀର୍ଘ ସମୟ ଧରି ସାହିତ୍ୟ - ଅବଶ୍ୟ ମୋ କ୍ଷେତ୍ରରେ ଇଂରେଜୀ ବା ପାଶ୍ଚାତ୍ୟ ସାହିତ୍ୟ, ଯଦିଓ ସାହିତ୍ୟରେ ବାଡ଼ବତା ଗ୍ରହଣୀୟ ନୁହେଁ - ପଢ଼ିବା ଓ ପଢ଼ାଇବା ଅବସରରେ ସାହିତ୍ୟର ବହୁବିଧ ବର୍ଣ୍ଣନା ମୋ ଦୃଷ୍ଟି ପଥାରୂଢ଼ ହୋଇଛି। ସେ ସବୁକୁ ଉଦ୍ଧାର କରି ଏହି ଲେଖାକୁ ଭାରାକ୍ରାନ୍ତ କରିବାକୁ ଚାହୁ ନାହିଁ। କିନ୍ତୁ ଚିନୁଆ ଆଚିବିଙ୍କ ଉପନ୍ୟାସ ‘ଥିଙ୍ଗସ୍ ଫଲ୍‌ସ ଏପାର୍ଟ’ (ଯାହା ଗଣେଶ୍ବର ମିଶ୍ର ଓଡ଼ିଆରେ ‘ଭାଙ୍ଗି ଯାଉଥିବା ଅତୀତ’ ନାମରେ ଅନୁବାଦ କରିଛନ୍ତି)ରେ ଇବୋ ଜନଜାତିର ନିତିଦିନିଆ ଜୀବନ ବିଷୟରେ ଦେଇଥିବା ଏକ ଟିପ୍ପଣୀ ଉଲ୍ଲେଖ ନ କରି ରହିପାରୁନାହିଁ। 
ତାହା ଏହିପରି: ‘ଇବୋ ସମାଜରେ ଆଳାପ ଆଲୋଚନାକୁ ଏକ କଳାର ମାନ୍ୟତା ଦିଆ‌ଯାଏ ଏବଂ ଢଗଢମାଳି, ଲୋକକଥା ଓ ରୂଢ଼ିର ବ୍ୟବହାର ଆଳାପକୁ ସ୍ବାଦିଷ୍ଠ କରେ।’ ଏଠାରେ ଲକ୍ଷଣୀୟ ଯେ ଇବୋ ଜନଜାତି ସଂପ୍ରଦାୟରେ କବିତା ବା କାହାଣୀ ‘ଭାଷିକ କଳା’ ହେଲେ ମଧ୍ୟ ‘ବ୍ୟକ୍ତି-ସ୍ରଷ୍ଟା ସୃଷ୍ଟ’ ନୁହେଁ। ଏବଂ ଏହା ‘ଲିଖିତ’ ନ ହୋଇ ‘ମୌଖିକ’। ଏଭଳି ପାରମ୍ପରିକ, ଗଣଭିତ୍ତିକ ଓ ପ୍ରକୃତି ସହ ଆତ୍ମୀୟତା ଥିବା ସମାଜରେ ସମସ୍ତେ ଜଣେ ଜଣେ କବି ବା ଗାଳ୍ପିକ। ଅର୍ଥାତ୍ କବି ବା ଗାଳ୍ପିକ ଭାବରେ କାହାରି ପୃଥକ୍‌ ଓ ସ୍ବତନ୍ତ୍ର ସତ୍ତା ନ ଥାଏ।
ବହୁଧା ବିଭକ୍ତ ଆଧୁନିକ ସମାଜରେ ମଧ୍ୟ ଜନଜାତି ସମାଜର ଏହି ଅବିଭାଜ୍ୟ ଗୁଣ ସ୍ଥଳେ ସ୍ଥଳେ ବିଦ୍ୟମାନ। ଯେମିତି ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ଫକୀରମୋହନ ସେନାପତି କହିଥିଲେ, ‘ଦୁନିଆରେ କେଉଁ ଲୋକଟା କବି ନୁହେଁ ଅବଧାନେ? ଆମେ ସମସ୍ତେ ଦେଖିଲୁ ଯୁବତୀ ନାରୀଟିଏ କଳସ ଧରି ଛନ୍ଦାୟିତ ଗତିରେ ଯିବାର ଦୃଶ୍ୟ। ଜୟଦେବ ତାହାକୁ ଟିପି ପକାଇଲେ ଓ କବି ବୋଲାଇଲେ।’ ସେଇ ଫକୀରମୋହନଙ୍କ ଆତ୍ମଜୀବନୀରୁ ଆଉ ଏକ ଦୃଷ୍ଟାନ୍ତ ନିଆଯାଇପାରେ। ଏକ କିଶୋରୀ ହେଡ୍‌ମାଷ୍ଟ୍ରଙ୍କ ପାଖକୁ ଯିବାକୁ ଅମଙ୍ଗ ହୁଅନ୍ତେ ଅବଧାନ ଲେଖିଲେ, ‘ଲଜ୍ଜାବତୀ ନ୍ୟଛନ୍ତି ତତ୍ର ଗନ୍ତୁମ୍।’ ଅବଧାନେ କବି ହୋଇଗଲେ।
ତେବେ ସାହିତ୍ୟର ଅନ୍ୟ ଗୁଣବତ୍ତା‌- ଯଥା ତୀକ୍ଷ୍‌ଣ ଜୀବନାନୁଭୂତି, ଗଭୀର ଅବବୋଧ, ବାଗର୍ଥ-ମାନଙ୍କର ଯେଉଁ ଅବଧାରଣା କରାଯାଇଛି ସେ ବିଷୟରେ କ’ଣ କହିବା? ଆଚିବିଙ୍କ ‘ଥିଙ୍ଗସ୍ ଫଲ୍‌ସ ଏପାର୍ଟ’ ହେଉ ବା ଫକୀରମୋହନଙ୍କ ‘ରେବତୀ’ ହେଉ, କୃତିଟି ଲେଖକର ସ୍ବକୀୟ ପ୍ରତିଭାର ଆଲୋକରେ ଯେ ଆଲୋକିତ ଏ କଥା ସମସ୍ତେ କହିବେ। କଥାଟା ଏକଦମ୍ ଠିକ୍ ମଧ୍ୟ। କିନ୍ତୁ ମନେ ରଖିବାକୁ ହେବ ‌ଏସବୁ ସାହିତ୍ୟ କୃତି ଯେଉଁ ସମାଜ ଓ କାଳଖଣ୍ଡର ପ୍ରତିନିଧିତ୍ବ କରନ୍ତି ତାହା ଛାପା ପୁଞ୍ଜିବାଦ ଯୁଗର। ଏ ସମାଜ ଗଣର ନୁହେଁ, ଜଣର। ଏ ସମାଜ ବ୍ୟକ୍ତିଗତ ମାଲିକାନାର, ସମୂହର ନୁହେଁ। ତେଣୁ ସ୍ବାଭାବିକ ଭାବରେ ଏହି କାଳଖଣ୍ଡରେ ସାହିତ୍ୟର ସଂଜ୍ଞା ଓ ସ୍ବରୂପ ବଦଳିଯାଇଛି। ବର୍ତ୍ତମାନ ସାହିତ୍ୟ କହିଲେ ଆମେ ବୁଝୁଛୁ କାଗଜ ଉପରେ କଲମର - ବା ଆଜିକାର ପରିଭାଷାରେ ଲାପ୍‌ଟପ୍‌ର ପରଦା ଉପରେ ଆଙ୍ଗୁଠି ଚାଳିତ କି-ବୋର୍ଡର - ଯାଦୁକରୀ କରାମତି। କିନ୍ତୁ ପ୍ରକୃତ ପକ୍ଷରେ ଆଚିବି ହୁଅନ୍ତୁ କି ଫକୀରମୋହନ ହୁଅନ୍ତୁ କି ଦସ୍ତୋଭସ୍କି ହୁଅନ୍ତୁ, କେହିହେଲେ ସାଧାରଣ ପାଠକର ବୁଦ୍ଧିମତାର ପରିସର ବାହାରେ ନାହାନ୍ତି। ଡବ୍ଲ୍ୟୁ.ବି. ୟେଟସ୍‌ଙ୍କ ବିଷୟରେ ଡବ୍ଲ୍ୟୁ.ଏଚ୍. ଅଡେନ୍ ତାଙ୍କ ଶୋକମୁଖର କବିତାରେ କହିଥିବା ଭଳି, ‘ଏକ ମୃତ ମଣିଷର ଭାଷା ଜଣେ ଜୀବନ୍ତ ପାଠକର ଅସ୍ଥିମଜ୍ଜାଗତ ହୋଇ ପୁନରୁଜ୍ଜୀବିତ ହୁଏ।’ 
ଅବଶ୍ୟ ଏକଥା ସତ ଯେ ଆମ ସମୟରେ କାୟା ବିସ୍ତାର କରିଥିବା ବ୍ୟକ୍ତିବାଦର ଦୁରୁହ ପ୍ରଭାବ ଫଳରେ ସାହିତ୍ୟକୁ ‘ବ୍ୟକ୍ତି-ସ୍ରଷ୍ଟା ସୃଷ୍ଟ’ ଧାରଣାରୁ ପୃଥକ୍‌ କରିବା ସମ୍ଭବ ହେଉନାହିଁ। ଗଣ-ସୃଷ୍ଟ ସାହିତ୍ୟ କିନ୍ତୁ ଜନମାନସରେ ଓ ଜନଜାତି ଜୀବନରେ ଏବେବି ବଞ୍ଚିଛି। ଏ ସନ୍ଦର୍ଭରେ ସ୍ବତଃ ମନକୁ ଆସେ ଗୋପୀନାଥ ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ପରଜା’ରେ ସ୍ଥାନିତ କେତେକ ଲୋକଗୀତ ଯାହା ମଧ୍ୟରେ ପ୍ରେମ ‌ସଂପର୍କିତ ନିମ୍ନୋକ୍ତ ଦୁଇ ଧାଡ଼ି ବେଶ୍ ମନଛୁଅଁା:
ଇତି ଦେଖିଲେ ସିତି ନାଇଁ
ସେ ‌ଟାକା ଦିଲେ ମିଲେ ନାହିଁ।
ଯଦିଓ ଏହି ଦୁଇ ଧାଡ଼ି ପ୍ରେମର ମାଧୁର୍ଯ୍ୟ ଓ ଏହାର ଅବ୍ୟକ୍ତତାକୁ ବଖାଣନ୍ତି, ପ୍ରକାରାନ୍ତରେ ଓ ପ୍ରତୀକାତ୍ମକ ଭାବରେ ଏମାନେ କବିତା ତଥା ସାହିତ୍ୟର ଆତ୍ମାକୁ ମଧ୍ୟ ଇଙ୍ଗିତ କରନ୍ତି। ଏ ଗୀତର ରଚୟିତା କିଏ? ଏ ପ୍ରଶ୍ନର ଉତ୍ତର ଖୋଜିବା ନିରର୍ଥକ।
ଶେଷ କଥାକୁ ଆସିବି। ବିଗତ ଶତାବ୍ଦୀ‌ର ଷଷ୍ଠ-ସପ୍ତମ ଦଶକରେ ‘ଥିଓରି’ ବା ତତ୍ତ୍ବ ନାମକ ଏକ ଅନୁଶୀଳନଧର୍ମୀ ବିମର୍ଷର ଆତ୍ମପ୍ରକାଶ ଘଟିଥିଲା। ସମଗ୍ର ସମାଜ-ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନରେ ଜ୍ଞାନର ବିଭାଗୀକରଣ ଓ ପୃଥକୀକରଣକୁ ନେଇ ଏହି ବିମର୍ଷ ମୌଳିକ ପ୍ରଶ୍ନମାନ ପଚାରିଥିଲା। ସାହିତ୍ୟ ଓ ସାହିତ୍ୟ ସମାଲୋଚନା ଏଥିରୁ ବାଦ୍ ପଡ଼ି ନ ଥିଲା। ପ୍ରତିଭା - ଅର୍ଥାତ୍ ସ୍ବୟଂଭୂ ପ୍ରତିଭା - ବ୍ୟକ୍ତିସତ୍ତା, ସ୍ବତଃସ୍ଫୂର୍ତ୍ତତା ଆଦି ସାହିତ୍ୟ ଚର୍ଚ୍ଚାର ବଦ୍ଧମୂଳ ଧାରଣାଗୁଡ଼ିକ କିପରି ଏକ ଉଦାରବାଦୀ ସମାଜ ବ୍ୟବସ୍ଥାର ପ୍ରତିଫଳନ ଓ ସମର୍ଥନ, ଏହି ବିମର୍ଷ ଆମକୁ ଅବଗତ କରାଇଥିଲା। ସାହିତ୍ୟ ଯେ ବ୍ୟକ୍ତିଗତ ଅନୁଭୂତି ନୁହେଁ ବରଂ ଏକ ଅବଚେତନ ସ୍ତରର କାମନା ଓ ବାସନାର ଚରାଭୂଇଁ- ଏକଥା ଥିଓରି ବା ତତ୍ତ୍ବର ଏକ ଯୁଗାନ୍ତକାରୀ ଆବିଷ୍କାର ଥିଲା। ଅନ୍ୟ ଭାଷାରେ କହିଲେ ‘ଜଣ’ ଭିତରେ ‘ଅନ୍ୟଜଣ’ର ଉପସ୍ଥିତି ହିଁ ସାହିତ୍ୟ ଚର୍ଚ୍ଚାର ମୋଡ଼ ବଦଳାଇ ଦେଇଥିଲା। ଯେଉଁ ଧାରା ଅାଜି ବି ବଳବତ୍ତର ରହିଛି।
ତା’ହେଲେ ଆନନ୍ଦ କ’ଣ ନିରୁତା ବା ବିଶୁଦ୍ଧ ନୁହେଁ? ଏହା ଏକ ସରଳ ପ୍ରଶ୍ନ ନୁହେଁ, ଯାହାର ଉତ୍ତର ‘ହଁ’ ବା ‘ନଁା’ରେ ଦେଇ ହେବ। କେବଳ ଏତିକି କହିହେବ ସ୍ଥିତାବସ୍ଥା ଓ ସମକାଳକୁ ପ୍ରଶ୍ନାକୂଳ କରୁଥିବା ସାହିତ୍ୟର ଆନନ୍ଦ ନିଆରା। ବୋଧହୁଏ ଏହି ‘ଆନନ୍ଦ’ର ଝଲକ ହିଁ ମୋ ଶୈଶବର ପ୍ରଥମ ଗୀତ- ‘ପଢ଼ିବି ନାହିଁ ମୁଁ ଖେଳିବି ଖେଳ’-ରେ ପ୍ରଥମେ ଦେଖିଥିଲି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୪୦୪୪୩୧