ଦେଓମାଳି ବି ଆମର

ପ୍ରଭାତ ଦାଶ

ନିକଟରେ ବିଧାନସଭାର ମୌସୁମୀ ଅଧିବେଶନରେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଅଶ୍ବିନୀ ପାତ୍ର ବିବୃତି ରଖି କହିଲେ ଯେ ଦେଓମାଳି ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ଖାତାରେ ନାହିଁ; ଏପରିକି ଏହା ଜଙ୍ଗଲ ବିଭାଗ ଏବଂ ଓଡ଼ିଶା ସରକାରଙ୍କର ରାଜସ୍ବ ବିଭାଗ ଖାତାରେ ମଧ୍ୟ ନାହିଁ। ଯେତେବେଳେ ସମଗ୍ର ଓଡ଼ିଶାବାସୀ ମାନ୍ୟବର ମନ୍ତ୍ରୀଙ୍କର ଏହି କଥା ଶୁଣିଲେ, ହତବାକ୍‌ ହୋଇଗଲେ ଏବଂ ମନ୍ତ୍ରୀଙ୍କ ବକ୍ତବ୍ୟ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କଲା, ଯାହା ଥିଲା ଅତି ସ୍ବାଭାବିକ। କାରଣ ସମସ୍ତେ ଭଲ ଭାବେ ଜାଣନ୍ତି ଯେ ଆବହମାନ କାଳରୁ, କେବଳ ଅଳ୍ପ ବ୍ରିଟିସ ସମୟକୁ ବାଦଦେଲେ, ଦେଓମାଳି ଏବଂ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ହୋଇ ରହି ଆସିଛି। ଅବଶ୍ୟ ଦେଓମାଳି ଏବଂ କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରର କୁଦୃଷ୍ଟି ରହିଛି ଏବଂ ଆନ୍ଧ୍ର ଦୀର୍ଘ କାଳ ଧରି ଏହି ଅଞ୍ଚଳଗୁଡ଼ିକୁ ନିଜ କବଜାକୁ ଆଣିବା ପାଇଁ ଅଶେଷ ଚେଷ୍ଟା କରିଚାଲିଛି। ବର୍ତ୍ତମାନ ଓଡ଼ିଶାବାସୀଙ୍କ ସମ୍ମୁଖରେ ଏକ ବିରାଟ ପ୍ରଶ୍ନ। ତାହା ହେଲା ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀଙ୍କ ଉତ୍ତର କେବଳ ଏକ ତଥ୍ୟଗତ ତ୍ରୁଟି ଥିଲା ନା ଆଉ କିଛି! ବର୍ତ୍ତମାନ ସେ ବିଷୟରେ ଆଲୋଚନା ହେବା ଉଚିତ।

ଦେଓମାଳି ପର୍ବତ ଚନ୍ଦ୍ରଗିରି ଏବଂ ପଟାଙ୍ଗୀ ପର୍ବତ ଶୃଙ୍ଖଳା ତଥା ପୂର୍ବ ଘାଟ ପର୍ବତମାଳାର ଏକ ଅଂଶ। ଦେଓମାଳି ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏବଂ କୋରାପୁଟ ସହର ଠାରୁ ଅତି ଅଳ୍ପ ଦୂରତା ଭିତରେ ହିଁ ଏହା ଅଛି। ଦେଓମାଳି ପର୍ବତର ଉଚ୍ଚତା ସମୁଦ୍ର ପତ୍ତନ ଠାରୁ ୧୬୭୨ ମିଟର ବା ୫୫୦୦ ଫୁଟ। ଏହା ଓଡ଼ିଶାର ସବୁଠାରୁ ଉଚ୍ଚତମ ଶୃଙ୍ଗ। ଯଦିଓ ଦେଓମାଳି ଏକ ପର୍ବତ ଶୃଙ୍ଗ, ଏହାର ଉପର ଅଂଶ ତୀଖ ନୁହେଁ, ବରଂ ଚଟକା ବା ପ୍ରାୟ ଏକ ସମତଳ ଭୂମି ପରି। ଦେଓମାଳି ପର୍ବତ କଠିନ ପଥରରେ ଗଢ଼ା ନୁହେଁ। ଏହାର ଉପର ଅଂଶ ପ୍ରାୟ ମୋରମ ଏବଂ ମାଟି ଭଳି ନରମ ଏବଂ ବ୍ୟବହାର ଉପଯୋଗୀ।

ଦେଓମାଳି ଯାହାକି ସେମିଳିଗୁଡ଼ା ତହସିଲ ଅନ୍ତର୍ଗତ ଉପରକାଣ୍ଟି ରାଜସ୍ବ ଗ୍ରାମ ଭିତର ବନ୍ୟ ବିଭାଗ ଅଞ୍ଚଳରେ ଅବସ୍ଥିତ, ତାହାର ଉପର ଅଂଶରେ ଓଡ଼ିଶା ସରକାରଙ୍କର ପ୍ରାୟ ୪ଟି ପରିଦର୍ଶନ ମିନାର ବା ‘ୱାଚ୍‌ ଟାୱାର୍‌’ ରହିଛି। ପୁଣି ଏହି ପର୍ବତ କେବଳ ଏକ ସାଧାରଣ ପର୍ବତ ଶୃଙ୍ଗ ମାତ୍ର ନୁହେଁ, ଏହାର ଗର୍ଭରେ ରହିଛି ଅମାପ ଖଣିଜ ସମ୍ପଦ। ଦେଓମାଳି ପର୍ବତ ଗର୍ଭରେ ବକ୍‌ସାଇଟ ଭରି ରହିଥିବା ବିଷୟ ଅନୁମାନ କରାଯାଏ। ତା’ ଛଡ଼ା ଆଉ କେତେକ ପ୍ରକାରର ଦୁର୍ମୂଲ୍ୟ ଖଣିଜ ପଥର ଏହାର ଅଭ୍ୟନ୍ତରରେ ଥିବା ବିଷୟ ବିଶେଷଜ୍ଞମାନେ କହିଥାଆନ୍ତି। ତେଣୁ ଏହି ଖଣିଜ ପଦାର୍ଥ ଏବଂ ଦୁର୍ମୂଲ୍ୟ ସଂପଦ ପାଇଁ ଆନ୍ଧ୍ରର ଲୋଲୁପ ଦୃଷ୍ଟି ଏହା ଉପରେ ପଡ଼ିଛି। ଆନ୍ଧ୍ର କୌଣସିମତେ ଏହାକୁ ହାତେଇବା ପାଇଁ ଚାହେଁ।

ଦୁଇ ମାସ ତଳେ ଆନ୍ଧ୍ରର ଅନେକ ଅଫିସର ଏବଂ କର୍ମଚାରୀ ଦେଓମାଳିକୁ ଆସି ଏଠାରେ ବହୁ ସମୟ ଅତିବାହିତ କରି ଚାଲି ଯାଇଥିଲେ। କୁହାଯାଉଛି ଯେ ଯେତେବେଳେ ସେମାନଙ୍କୁ ଦେଓମାଳିକୁ ଆସିବାର କାରଣ ପଚରା ଯାଇଥିଲା, ସେତେବେଳେ ସେମାନେ କୁଆଡ଼େ କହିଥିଲେ ଯେ ସେମାନେ ଦେଓମାଳିକୁ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଛନ୍ତି। କିନ୍ତୁ ଏତେ ସଂଖ୍ୟାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ କର୍ମଚାରୀ ଏତେ ଦୂର ପଥ ଅତିକ୍ରମ କରି ଯେ କେବଳ ଦେଓମାଳିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥିବେ ତାହା ବିଶ୍ବାସଯୋଗ୍ୟ ହୋଇ ନ ଥାଏ। ଏହା ପଛରେ ଅନ୍ୟ କୌଣସି ଅଭିସନ୍ଧି ଥିବାର ସନ୍ଦେହ ପ୍ରକାଶ ପାଇବା ଅମୂଳକ ନୁହେଁ।

ପ୍ରାୟ ବର୍ଷକ ପୂର୍ବର ଘଟଣା। ଓଡ଼ିଶାର କେତେକ ସମାଜସେବୀ କୋଟିଆ ଏବଂ ଦେଓମାଳି ଅଞ୍ଚଳକୁ ପରିଦର୍ଶନ କରି ସେ ଅଞ୍ଚଳର ଲୋକମାନଙ୍କୁ ଓଡ଼ିଶାର ସଂସ୍କୃତି ଏବଂ ଭାଷାର ଉପାଦେୟତା ବିଷୟରେ ବୁଝାଇବାକୁ ଯାଇଥିଲେ। ଏହି ସମ୍ବାଦ ଆନ୍ଧ୍ର ସରକାରଙ୍କ ନିକଟରେ ପହଞ୍ଚିବା ମାତ୍ରେ ଆନ୍ଧ୍ର ସରକାରଙ୍କର ଜଣେ ମନ୍ତ୍ରୀ କୁଆଡ଼େ ଖୋଲାଖୋଲି ଧମକ ଦେଇ କହିଥିଲେ ଯେ ଓଡ଼ିଶାର କୌଣସି ବ୍ୟକ୍ତି ଯଦି କୋଟିଆ କିମ୍ବା ଦେଓମାଳି ଅଞ୍ଚଳକୁ ଆସନ୍ତି ତେବେ ତାଙ୍କୁ ଗୁଳି କରି ଦିଆଯିବ। ଓଡ଼ିଶାର ସୀମା ଭିତରେ ଓଡ଼ିଆ ଲୋକଙ୍କୁ ଗୁଳି କରି ଦିଆଯିବାର ଧମକ ପଛରେ ଥିବା ଆସ୍ପର୍ଦ୍ଧା ବିଷୟ ଚିନ୍ତା କଲେ ବିସ୍ମିତ ହେବାକୁ ପଡ଼େ।

ଏହି ଧମକ ପାଇବା ପରେ ଉକ୍ତ ସମାଜସେବୀମାନେ କୋରାପୁଟ ପୁଲିସ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏହି ସମସ୍ତ ବିଷୟ ସେତେବେଳେ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା। ମାତ୍ର ଓଡ଼ିଶା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଅନ୍ୟ ପକ୍ଷରେ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ସୀମା ଭିତରେ ପ୍ରବେଶ କରି ବାଜା ବଜେଇ ନାଚି ନାଚି ଚତୁର୍ଦିଗ ବୁଲିଲେ ଏବଂ ଲୋକାମାନଙ୍କୁ ଡାକି ସଭା କଲେ। କୋଟିଆ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ଦେବା ସହିତ ଭବିଷ୍ୟତ୍‌ରେ ଅଧିକ ସାହାଯ୍ୟ ଦେବା କଥା ଘୋଷଣା କଲେ। ମାତ୍ର ଅତି ପରିତାପର ବିଷୟ ଓଡ଼ିଶାର କୌଣସି ମନ୍ତ୍ରୀ ଅଥବା ଓଡ଼ିଶା ସରକାର ଆନୁଷ୍ଠାନିକ ଭାବେ ହେଉ ବା ଅନୌପଚାରିକ ଭାବେ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ପଦେ ହେଲେ ପ୍ରତିକ୍ରିୟା ରଖିଲେ ନାହିଁ; ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେବା ତ ଦୂରର କଥା। ବର୍ତ୍ତମାନ କେତେକ ମହଲରେ ପ୍ରଶ୍ନ ଉଠୁଛି ଯେ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ପ୍ରତି ଅହେତୁକ ଭାବେ ଦରଦଶୀଳ ହୋଇ ଉଠିଛନ୍ତି କି? ଓଡ଼ିଶାର ମନ୍ତ୍ରୀ କହୁଛନ୍ତି ଯେ ଆନ୍ଧ୍ର ମନ୍ତ୍ରୀ କୋଟିଆ ଆସିଥିବା ଖବର ଓଡ଼ିଶା ସରକାରଙ୍କ ପାଖରେ ନାହିଁ। ଏହା କିନ୍ତୁ ବିଶ୍ବାସଯୋଗ୍ୟ ହୋଇ ନ ଥାଏ।

ଆନ୍ଧ୍ର ମନ୍ତ୍ରୀଙ୍କର ଓଡ଼ିଶାର ସମାଜସେବୀଙ୍କ ପ୍ରତି ଧମକର କିଛି ମାସ ପରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନ ରେଡ୍‌ଡୀ ଭୁବନେଶ୍ବର ଆସିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କୁ ଅତି ଆଦର ଏବଂ ସମ୍ମାନର ସହିତ ସଂପୂର୍ଣ୍ଣ ଆତିଥେୟତା ପ୍ରଦାନ କଲେ। ଜଗନ ରେଡ୍‌ଡୀ ମହୋଦୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଅତିବାହିତ କଲେ। କିନ୍ତୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶା କାହିଁକି ଆସିଥିଲେ ତାହା ରହସ୍ୟମୟ ହୋଇ ରହିଗଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ଉପର ବର୍ଣ୍ଣିତ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ ଓ ଦାଦାଗିରି ବାବଦରେ ଆମ ମୁଖ୍ୟମନ୍ତ୍ରୀ ଅବଗତ କରାଇଲେ କି? ଓଡ଼ିଶାର ଲୋକଙ୍କ ସ୍ବାର୍ଥ କଅଣ ନବୀନ ବାବୁଙ୍କ ସ୍ବାର୍ଥ ନୁହେଁ କି? ଯଦି ଆମର ମାନନୀୟ ମୁଖ୍ୟମନ୍ତ୍ରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ବିଷୟରେ ଆଲୋଚନା କରିଛନ୍ତି ତେବେ ଏ ସଂପର୍କରେ ପ୍ରାଂଜଳ ତଥ୍ୟ ପ୍ରକାଶ କରାଯିବା ଉଚିତ।

ବର୍ତ୍ତମାନ ଦେଓମାଳି ଏବଂ କୋଟିଆ ଅଞ୍ଚଳ ଅସୁରକ୍ଷିତ ବୋଲି କହିଲେ ଭୁଲ୍‌ ହେବନାହିଁ। ଗୋଟିଏ ପଟେ ଆନ୍ଧ୍ରର ରାଜନୈତିକ ଚାଲ ଏବଂ ଏହି ସବୁ ଅଞ୍ଚଳ ଦଖଲ କରିବା ଲାଗି ଜିଦ୍‌ ସମକ୍ଷରେ ଓଡ଼ିଶା ସରକାରଙ୍କ ଆଚରଣ ଅତ୍ୟନ୍ତ ନିର୍ଲିପ୍ତ ଭଳି ଲାଗେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀଙ୍କର ବୟାନ ଖୁବ୍‌ ଉଦ୍‌ବେଗଜନକ। କାରଣ ଏହି ବକ୍ତବ୍ୟ ରାଜ୍ୟ ବିଧାନସଭାରେ ଜଣେ ଦାୟିତ୍ବସଂପନ୍ନ ମନ୍ତ୍ରୀଙ୍କ ମୁଖରୁ ନିସୃତ ହେବା ପରୋକ୍ଷରେ ଆନ୍ଧ୍ର ସରକାରଙ୍କ ଅହେତୁକ ଦାବି ଉପରେ ଏକ ମୋହର ଏବଂ ଏହା ଆମ ରାଜ୍ୟର ଦାବିକୁ ସ୍ବାଭାବିକ ଭାବେ ଦୁର୍ବଳ କରିବ। ଗୋଟିଏ ପଟେ ଓଡ଼ିଶା ସରକାରଙ୍କ ଉଦାସୀନତା ବିପକ୍ଷରେ ଆନ୍ଧ୍ର ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଯେ ପରିଶେଷରେ ଆନ୍ଧ୍ରକୁ ତାର ଅଭିସନ୍ଧି ପୂରଣରେ ସାହାଯ୍ୟ କରିବ, ଏଭଳି ଆଶଙ୍କା ପ୍ରକାଶ ପାଇଲାଣି। ସୁତରାଂ, ଆମ ସରକାର ଏ ଦିଗରେ ଖୁବ୍‌ ତତ୍ପର ହେବା ସହିତ କୌଣସିମ‌େତ କୋଟିଆ ବା ଦେଓମାଳିକୁ ହାତଛଡ଼ା କରନ୍ତୁ ନାହିଁ। ଯଦି ବିଧାନସଭାରେ ମନ୍ତ୍ରୀ ମହୋଦୟଙ୍କ ବୟା‌ନ ଠିକ୍‌ ତେବେ ସେ ଦିଗରେ ତଦନ୍ତ କରାଯାଇ ଦେଓମାଳିକୁ ଓଡ଼ିଶା ଖାତାରେ ଅନ୍ତର୍ଭୁକ୍ତ କରାଯାଉ।
ମୋ- ୯୪୩୭୦୧୩୪୬୬

ସମ୍ବନ୍ଧିତ ଖବର