ପ୍ରସିଦ୍ଧ ଇସଲାମୀୟ ବିଦ୍ବାନ ଏଡୱାର୍ଡ ସୈଦ ଥରେ କହିଥିଲେ ଯେ ଯୁଦ୍ଧ କାରଣରୁ ବା ଯୁଦ୍ଧରେ ପରାଜୟ ଘଟିଲେ ପଳାତକ ଆରବମାନେ ସେମାନଙ୍କ ପଡ଼ୋଶୀ ରାଷ୍ଟ୍ରରେ ଶରଣାର୍ଥୀ ଭାବେ ଆଶ୍ରୟ ପାଇଯାଇପାରନ୍ତି, ଅଥଚ ଶତ୍ରୁ ପରିବେଷ୍ଟିତ ଇସ୍ରାଏଲ୍ର ଇହୁଦୀମାନଙ୍କ ସକାଶେ ତାଙ୍କ ନିଜର ସେଇ ଗୋଟିଏ ରାଷ୍ଟ୍ରକୁ ଛାଡ଼ିଦେଲେ ମୁଣ୍ଡ ଗୁଂଜିବା ଲାଗି ସୂଚ୍ୟଗ୍ର ଭୂମି କେଉଁଠାରେ ହେଲେ ନାହିଁ। ଇସ୍ରାଏଲୀ ଇହୁଦୀମାନେ ତାହା ଭଲ ଭାବେ ହୃଦୟଙ୍ଗମ କରନ୍ତି ନିଶ୍ଚୟ, ସେଥି ଲାଗି ସେମାନଙ୍କ ସକାଶେ ପ୍ରତ୍ୟେକ ଯୁଦ୍ଧ ଅନ୍ତିିମ ଯୁଦ୍ଧ ତୁଲ୍ୟ ହୋଇଥାଏ।
ଗାଜା ଓ ଲେବାନନ ଉପରେ ଏକାକୀ ଅବିଶ୍ରାନ୍ତ ଆକ୍ରମଣ କରି ସେଗୁଡ଼ିକୁ ବିଦୀର୍ଣ୍ଣ କରି ପକାଉଥିବା ବେଳେ ଏବଂ ଇରାନ ଉପେର ଏକ ଭୟାବହ ଆକ୍ରମଣର ଧମକ ଦେଇ ସେଥିଲାଗି ପ୍ରସ୍ତୁତ ହେଉଥିବା ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଇସଲାମୀୟ ରାଷ୍ଟ୍ରଗୁଡ଼ିକ ସମ୍ମିଳିତ ଭାବେ ଇସ୍ରାଏଲ୍ ବିରୋଧରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନାହାନ୍ତି କାହିଁକି? କାଁଭାଁ ସାମନ୍ୟ ସମାଲୋଚନାର କ୍ଷୀଣ ସ୍ବରକୁ ବାଦ୍ ଦେଲେ ଅଧିକାଂଶ ଇସଲାମୀୟ ରାଷ୍ଟ୍ର ପ୍ରାୟତଃ ନିରବ କାହିଁକି? ରାଷ୍ଟ୍ର ଓ ପ୍ରାନ୍ତ ନିର୍ବିଶେଷରେ ପୃଥିବୀର ସମସ୍ତ ମୁସଲମାନ ଏକତ୍ର ହେବାର ଆରବୀୟ ପରିକଳ୍ପନା ‘ଉମ୍ମା’ କ’ଣ ଏକ ଦୁରନ୍ତ ସ୍ବପ୍ନର ସାମ୍ରାଜ୍ୟ ମାତ୍ର ହୋଇ ରହିଯିବ? ପ୍ରକାଶ ଥାଉ କି ସଂପ୍ରତି ପୃଥିବୀରେ ମୁସଲମାନଙ୍କ ସଂଖ୍ୟା ହେଉଛି ପ୍ରାୟ ୨୦୦ କୋଟି; ପୃଥିବୀ ଜନସଂଖ୍ୟାର ପ୍ରାୟ ଏକ-ଚତୁର୍ଥାଂଶ। ବିଶ୍ବ ଜି.ଡି.ପି.ର ୨୩% ହେଉଛି ଇସଲାମୀୟ ରାଷ୍ଟ୍ରଗୁଡ଼ିକର ଅବଦାନ, ଅର୍ଥାତ୍ ପ୍ରାୟ ଏକ-ଚତୁର୍ଥାଂଶ। ପୁଣି ଇସଲାମୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରହିଛି ଆଣବିକ ଅସ୍ତ୍ରଧାରୀ ରାଷ୍ଟ୍ର ପାକିସ୍ତାନ। ତଥାପି ବିଶ୍ବ ଜନସଂଖ୍ୟାର ମାତ୍ର ୨% ଇହୁଦୀ ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ମାତ୍ର ୨୨ ହଜାର ବର୍ଗକିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଅତ୍ୟନ୍ତ କ୍ଷୁଦ୍ର ରାଷ୍ଟ୍ର ଇସ୍ରାଏଲ୍ ଏଭଳି ଅପ୍ରତିରୋଧ୍ୟ ଭାବେ ଅପ୍ରତିହତ ହୋଇ ଉଠିଛି କିଭଳି? ଏଭଳି ସ୍ଥଳେ କେବଳ ଇରାନ ଏକ ନିଃସଙ୍ଗ ପଦାତିକ ଭଳି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିବା ବେଳେ ପଡ଼ୋଶୀ ଆରବ ରାଷ୍ଟ୍ରଗୁଡ଼ିକ ସମର୍ଥନ ଯୋଗାଉ ନାହାନ୍ତି କାହିଁକି? ଏ ସବୁ ପ୍ରଶ୍ନର ଉତ୍ତର ଖୋଜାଯିବା ଅତ୍ୟନ୍ତ ପ୍ରାସଙ୍ଗିକ।
ପ୍ରଥମ ପ୍ରଶ୍ନ ଧର୍ମ-ବିଶ୍ବାସ ଦୃଷ୍ଟିରୁ ଇସଲାମ ଏକତାର ପ୍ରକୃତ ସ୍ବରୂପଟି କ’ଣ? ଅନେକ ଯୁଗ ଧରି ସୁନ୍ନୀ ଓ ସିଆ ସଂପ୍ରଦାୟ ମଧ୍ୟରେ ଘଟି ଆସିଥିବା ସଂଘାତ ଓ ରକ୍ତପାତ ଅଥବା ବିଭିନ୍ନ ଇସଲାମୀୟ ଗୋଷ୍ଠୀ ଦ୍ବାରା ଅହମଦିଆ ବା ରୋହିଙ୍ଗ୍ୟା ବା କୁର୍ଦମାନେ ଭୋଗୁଥିବା ନିପୀଡ଼ନ ଓ ନିର୍ମୂଳନର ଉଦ୍ୟମ ତଥା ମତ ଓ ପନ୍ଥ ଆଧାରରେ ଆନ୍ତଃ ସାଂପ୍ରଦାୟିକ ବୈରୀ ଇସଲାମକୁ ବିଭାଜିତ କରି ରଖିଛି। ସେହିଭଳି ରାଜନୈତିକ ଓ ରଣନୈତିକ ଦୃଷ୍ଟିରୁ ଓ.ଆଇ.ସି. (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ କୋ-ଅପରେସନ୍), ଆରବ ଲିଗ୍ ଓ ଜି.ସି.ସି. (ଗଲ୍ଫ କୋ-ଅପରେସନ୍ କାଉନ୍ସିଲ୍) ଭଳି ଯେଉଁ ଇସଲାମୀୟ ରାଷ୍ଟ୍ର ସଂଗଠନଗୁଡ଼ିକ ଏ ପରିପ୍ରେକ୍ଷୀରେ ମୁଖର ହେବା କଥା, ସେମାନଙ୍କ ମଧ୍ୟରୁ ପ୍ରଥମ ଦୁଇଟି ପ୍ରଭାବଶୂନ୍ୟ ଓ ତୃତୀୟଟି ପ୍ରଭାବଶାଳୀ ହୋଇଥିଲେ ହେଁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରବଳ ସମର୍ଥକ ଭାବେ ପ୍ରାୟତଃ ନିରବ, କାରଣ ଇସ୍ରାଏଲ୍ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଏକ ବିଶେଷ ବନ୍ଧୁ ଏବଂ ଘଟଣା ଚକ୍ରରେ ସଂପ୍ରତି ସେମାନଙ୍କ ସହଯୋଗୀ! ପ୍ରକାଶ ଥାଉ କି ସାଉଦି ଆରବ ବା ସଂଯୁକ୍ତ ଆରବ ଏମିରେଟ୍ସ ବା କୁଏତ ବା ଜର୍ଡାନ ବା ଆବୁ ଧାବି କି ବାହରିନ; ଏ ସମସ୍ତ ରାଷ୍ଟ୍ରରେ ଆମେରିକାର ସାମରିକ ଘାଟିମାନ ବିଦ୍ୟମାନ, ଯେଉଁଠି ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ସହିତ ପ୍ରାୟ ୩୦,୦୦୦ ସରିକି ଆମେରିକୀୟ ସୈନିକ ନିରନ୍ତର ମୁତୟନ ହୋଇଥାଆନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ସେମାନଙ୍କ ସମର୍ଥନ ପ୍ରତିବଦଳରେ ସେମାନଙ୍କୁ ସୁରକ୍ଷା ସହିତ ବାଣିଜ୍ୟ ଓ ପ୍ରଯୁକ୍ତିଗତ ସହଯୋଗ ମିଳିଥାଏ। ଅଧିକାଂଶଙ୍କ ସ୍ମରଣରେ ଥିବ କିଭଳି ୧୯୯୦ ମସିହାରେ କୁଏତ୍ ଉପରେ ଇରାକର ଆକ୍ରମଣ ସମୟରେ ଆରବ ରାଷ୍ଟ୍ରଗୁଡ଼ିକର ଅନୁରୋଧ କ୍ରମେ ଯୁକ୍ତରାଷ୍ଟ୍ର ଆମେରିକା ଇରାକ ଉପରେ ଶ୍ବାସରୁଦ୍ଧ କଲା ଭଳି ବୋମା ବର୍ଷଣ କରି କୁଏତ୍କୁ ମୁକ୍ତ କରିଥିଲା। ସଦ୍ଦାମ ହୁସେନଙ୍କ ଶାସନ କାଳରେ ଇରାକ ଭଳି ସଂପ୍ରତି ଇରାନ ମଧ୍ୟ ତା’ର ଆମେରିକା ବିରୋଧୀ ମନୋଭାବ କାରଣରୁ ପଡ଼ୋଶୀ ଆରବ ରାଷ୍ଟ୍ରଙ୍କ ସମର୍ଥନ ପାଇ ନ ଥାଏ। ଉଲ୍ଲେଖଯୋଗ୍ୟ ଯେ ସଦ୍ୟ ସଂଘର୍ଷରେ ଆରବ ରାଷ୍ଟ୍ରଗୁଡ଼ିକ ଇରାନକୁ ସମର୍ଥନ କରିବା ତ ଦୂରର କଥା, ଇସ୍ରାଏଲ୍କୁ ସୁରକ୍ଷା ଦେବାର ପ୍ରୟାସ ମଧ୍ୟ କରିଛନ୍ତି, ଯାହାର ପ୍ରମାଣ ସ୍ବରୂପ ଇରାନ ଦ୍ବାରା ନିକ୍ଷେପିତ ବାଲାଷ୍ଟିକ୍ ମିସାଇଲ୍ଗୁଡ଼ିକ ମଧ୍ୟରୁ କେତକକୁ ଜର୍ଡାନ ଦ୍ବାରା ଅକାମି କରି ଦିଆଯାଇଥିଲା।
ଏହା ମଧ୍ୟ ସତ ଯେ ୧୯୪୮ ମସିହାରେ ଡେଭିଡ୍ ବେନ ଗୁରିଏନ୍ଙ୍କ ଦ୍ବାରା ସ୍ବତନ୍ତ୍ର ଇସ୍ରାଏଲ ରାଷ୍ଟ୍ର ଗଠନର ଘୋଷଣା ପରେ ଆରବ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲ୍ର ଚରମ ଶତ୍ରୁ ରୂପେ ଆବିର୍ଭୂତ ହୋଇ ‘ଆରବ ସ୍ବାର୍ଥ’ ରକ୍ଷା ସକାଶେ ଇସ୍ରାଏଲ୍ ବିରୋଧରେ ଏକାଧିକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ପରାଜିତ ହେବା ପରେ ପ୍ରଥମେ କ୍ୟାଂପ୍ ଡେଭିଡ୍ ରାଜିନାମା (୧୯୭୮ ମସିହାରେ) ଦ୍ବାରା ଇସ୍ରାଏଲ୍ ସହିତ ଇଜିପ୍ଟ ଓ ସିରିଆ ହାତ ମିଳାଇବା ପରେ ଆମେରିକାର ଆନୁକୂଲ୍ୟରେ ସଂପନ୍ନ କେତେକ ରାଜିନାମା ଓ ବିଶେଷ କରି ‘ଆବ୍ରାହାମ ଆକର୍ଡ’ (୨୦୨୦ ମସିହା) ଜରିଆରେ ପ୍ରାୟ ସମସ୍ତ ଆରବ ରାଷ୍ଟ୍ର ଇସ୍ରାଏଲ୍ର ସହଯୋଗୀରେ ପରିଣତ ହୋଇ ସାରିଛନ୍ତି ଏବଂ ତଦ୍ଦ୍ବାରା ବାଣିଜ୍ୟିକ ତଥା ପ୍ରାବିଧିକ କ୍ଷେତ୍ରରେ ଅତ୍ୟନ୍ତ ଉପକୃତ ହୋଇଛନ୍ତି ମଧ୍ୟ! ଇସ୍ରାଏଲୀ ପ୍ରଯୁକ୍ତିର ବ୍ୟବହାର କରି ଆରବ ରାଷ୍ଟ୍ରଗୁଡ଼ିକ ଶସ୍ତା ଓ ସହଜରେ ଖଣିଜ ତୈଳ ଉତ୍ତୋଳନ କରୁଛନ୍ତି ଏବଂ ଇସ୍ରାଏଲୀ ପ୍ରବିଧିର ପ୍ରୟୋଗ ବଳରେ ଆରବର ମରୁ ଅଞ୍ଚଳକୁ ସବୁଜିମାର ସ୍ବପ୍ନ ସଂଚାରିତ ହେଲାଣି। ଏ ସମ୍ବନ୍ଧରେ ଆଉ ଏକ ଉଦାହରଣ ଉପରେ ଦୃଷ୍ଟି ପକାଯାଉ। ଏହା ସୁବିଦିତ ଯେ ଖଣିଜ ତୈଳ ଦ୍ବାରା ସମୃଦ୍ଧ ଅମିତ ବିତ୍ତଶାଳୀ ଆରବ ରାଷ୍ଟ୍ରଗୁଡ଼ିକର ଚରମ ବିଡ଼ମ୍ବନା ହେଲା ଏଗୁଡ଼ିକ ଜଳ ବିବର୍ଜିତ, ଯେଉଁ ସ୍ଥିତିରେ ପୃଥିବୀର ସର୍ବାଧିକ ଜଳକ୍ଳିଷ୍ଟ ରାଷ୍ଟ୍ର ଜର୍ଡାନ ତା’ର ଚାହିଦା ପୂରଣ ସକାଶେ ଇସ୍ରାଏଲ୍ ଠାରୁ ମଧୁର ଜଳ ଆମଦାନି କରିଥାଏ। ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ୍ ସ୍ବୟଂ ପ୍ରାକୃତିକ ଭାବେ ମଧୁର ଜଳରୁ ବଞ୍ଚିତ ହୋଇଥିଲେ ହେଁ ଅଭିନବ ପ୍ରଯୁକ୍ତିର ପ୍ରୟୋଗ ଦ୍ବାରା ସମୁଦ୍ର ଜଳରୁ ଏତେ ପରିମାଣରେ ମଧୁର ଜଳ ଉତ୍ପାଦନ କରିବାରେ ସମର୍ଥ ହେଲାଣି ଯେ ତାହା ସଂପ୍ରତି ଏକ ଜଳ ବଳକା ରାଷ୍ଟ୍ର ରୂପେ ଉପସ୍ଥିତ ଏବଂ ଆରବ ରାଷ୍ଟ୍ରମାନଙ୍କ ଲାଗି ଏକ ଶୀତଳ ସାନ୍ତ୍ବନାରେ ପରିଣତ ହୋଇଛି। ସୁତରାଂ, ଆରବ ରାଷ୍ଟ୍ରଗୁଡ଼ିକ ସହସା ଇସ୍ରାଏଲ୍ ବିରୋଧୀ ହୋଇ ଉଠନ୍ତୁ ବୋଲି ଆଶା କରିବା ମଧ୍ୟ ନିରର୍ଥକ।
ଏକାଧିକ ଅରବ ରାଷ୍ଟ୍ର ଓ ଇସ୍ରାଏଲ୍ ମଧ୍ୟରେ ହୋଇଥିବା ଶେଷ ଯୁଦ୍ଧ ‘ୟମ କିପୁର’କୁ ଏକ କାଳ ବିଭାଜିକା ରୂପେ ଧରାଯାଇପାରେ, କାରଣ ତା’ ପରଠାରୁ ଆଉ ଆରବ-ଇସ୍ରାଏଲ୍ ଯୁଦ୍ଧ ଘଟି ନାହିଁ। କିନ୍ତୁ ବିଗତ ଗୋଟିଏ ଦଶନ୍ଧିରେ ମୁସଲମାନ ନରସଂହାରର ଏକ ହିସାବ ଉପରେ ଦୃଷ୍ଟି ନିକ୍ଷେପ କଲେ ଯେଉଁ ଚିତ୍ର ମିଳେ, ତାହା ଅନୁସାରେ ୟେମେନର ‘ହୁଥି’ ମିଲିସିଆ ବିରୋଧରେ ଆମେରିକାର ପୃଷ୍ଠପୋଷକତାରେ ସାଉଦି ଆରବ ଦ୍ବାରା ହୋଇଥିବା ଆକ୍ରମଣରେ ନିହତ ହୋଇଥିଲେ ୩ ଲକ୍ଷ ୭୭ ହଜାର ୟେମେନୀ ମୁସଲମାନ; ସିରିଆର ଗୃହଯୁଦ୍ଧ ଓ ସୁଦାନର ଗୃହଯୁଦ୍ଧରେ ପ୍ରାଣ ହରାଇଛନ୍ତିି ଯଥାକ୍ରମେ ୩ ଲକ୍ଷ ଓ ୪ ଲକ୍ଷରୁ ଅଧିକ ମୁସଲମାନ। ଆଇସିସ୍ ଭଳି ଆତଙ୍କବାଦୀ ସଂଗଠନର ନରସଂହାରକୁ ବିଚାରକୁ ନିଆ ନ ଗଲେ ମଧ୍ୟ ପରିସଂଖ୍ୟାନ ଅନୁସାରେ ଗଲା ଦଶ ବର୍ଷ ମଧ୍ୟରେ ପୃଥିବୀରେ ପ୍ରାୟ ୧ ନିୟୁତ ମୁସଲମାନ ଆପଣା ସଂପ୍ରଦାୟ ହାତରେ ପ୍ରାଣ ହରାଇଛନ୍ତି। ସୁତରାଂ, ମତ, ପନ୍ଥ, ଅନୁରକ୍ତି ଇତ୍ୟାଦି ଆଧାରରେ ଘଟିଥିବା ଏଭଳି ବିଭାଜନ ଯେ ଦୁର୍ଲଂଘ୍ୟ, ତାହା କହିବା ବାହୁଲ୍ୟ ମାତ୍ର।
ଏହା ସର୍ବସ୍ବୀକାର୍ଯ୍ୟ ଯେ ଇହୁଦୀ ବା ଜ୍ୟୁମାନଙ୍କ ପ୍ରଚଣ୍ଡ ବୁଦ୍ଧିମତ୍ତା ଓ ଧୀ-ଶକ୍ତି ସେମାନଙ୍କୁ ଅତ୍ୟନ୍ତ ବିଦ୍ବାନ ଓ ବିଭବଶାଳୀ କରି ଗଢ଼ି ତୋଳିଛି। ସୁତରାଂ, ଅତ୍ୟନ୍ତ ସ୍ବଳ୍ପ ସଂଖ୍ୟକ ହୋଇଥିବା ସତ୍ତ୍ବେ ସେମାନେ ପୃଥିବୀର ଅନ୍ୟତମ ସର୍ବାଧିକ ପ୍ରଭାବଶାଳୀ ସଂପ୍ରଦାୟରେ ପରିଣତ ହେବା ସହିତ ଅନେକ ଯୁଦ୍ଧରେ ଅପରାଜେୟ ରହିବାର କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି। ଏହି ସଂଦର୍ଭରେ ପ୍ରସିଦ୍ଧ ଇସଲାମୀୟ ବିଦ୍ବାନ ଏଡୱାର୍ଡ ସୈଦ ଥରେ କହିଥିଲେ ଯେ ଯୁଦ୍ଧ କାରଣରୁ ବା ଯୁଦ୍ଧରେ ପରାଜୟ ଘଟିଲେ ପଳାତକ ଆରବମାନେ ସେମାନଙ୍କ ପଡ଼ୋଶୀ ରାଷ୍ଟ୍ରରେ ଶରଣାର୍ଥୀ ଭାବେ ଆଶ୍ରୟ ପାଇଯାଇପାରନ୍ତି, ଅଥଚ ଶତ୍ରୁ ପରିବେଷ୍ଟିତ ଇସ୍ରାଏଲ୍ର ଇହୁଦୀମାନଙ୍କ ସକାଶେ ତାଙ୍କ ନିଜର ସେଇ ଗୋଟିଏ ରାଷ୍ଟ୍ରକୁ ଛାଡ଼ିଦେଲେ ମୁଣ୍ଡ ଗୁଂଜିବା ଲାଗି ସୂଚ୍ୟଗ୍ର ଭୂମି କେଉଁଠାରେ ହେଲେ ନାହିଁ। ଇସ୍ରାଏଲୀ ଇହୁଦୀମାନେ ତାହା ଭଲ ଭାବେ ହୃଦୟଙ୍ଗମ କରନ୍ତି ନିଶ୍ଚୟ, ସେଥି ଲାଗି ସେମାନଙ୍କ ସକାଶେ ପ୍ରତ୍ୟେକ ଯୁଦ୍ଧ ଅନ୍ତିିମ ଯୁଦ୍ଧ ତୁଲ୍ୟ ହୋଇଥାଏ। ସୁତରାଂ, ସେମାନଙ୍କ ଭୀଷଣତା ସମ୍ମୁଖରେ ସମ୍ମିଳିତ ଆରବ ରାଷ୍ଟ୍ର ପୂର୍ବରୁ ସଫଳ ହୋଇ ପାରିନାହାନ୍ତି; ହୁଏତ ଏବେ ମଧ୍ୟ ହୋଇ ପାରନ୍ତେ ନାହିଁ। କିନ୍ତୁ ସେ ପ୍ରଶ୍ନ ଉଠୁଛି କାହିଁକି? ଏବେ ତ ଇସ୍ରାଏଲ୍କୁ ଘେରି ରହିଛନ୍ତି କତିପୟ ମିତ୍ର ଭାବାପନ୍ନ ଆରବ ରାଷ୍ଟ୍ର!