ସାମ୍ବାଦିକତା ଓ ରାଜନୀତି ମଧ୍ୟରେ କ୍ଷୀର ନୀର ସମ୍ପର୍କ। ତେଣୁ ସାମ୍ବାଦିକ ବୃତ୍ତିରେ ଥିବା ଅନେକ ଲୋକ ପରବର୍ତ୍ତୀ ସମୟରେ ରାଜନେତା ପାଲଟିଯିବା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। ଅନେକଙ୍କ ମତରେ ଏହା ଏକ ଅତ୍ୟନ୍ତ ସ୍ବାଭାବିକ ପ୍ରକ୍ରିୟା। ଏ ପ୍ରକ୍ରିୟା କାଳକ୍ରମେ ଏକ ପ୍ରଥାରେ ପରିଣତ ହୋଇଛି। ଦେଶ ସ୍ବାଧୀନ ହେବା ପୂର୍ବରୁ ଆରମ୍ଭ ହୋଇଥିବା ଏ ପରମ୍ପରା ସ୍ବାଧୀନତୋତ୍ତର କାଳରେ ମଧ୍ୟ ବଳବତ୍ତର ରହିଛି। ଆମ ରାଜ୍ୟରେ ମଧ୍ୟ ସାମ୍ବାଦିକ ରାଜନେତା ପାଲଟି ଯିବାର ଅନେକ ଉଦାହରଣ ରହିଛି। କିନ୍ତୁ ଏକଥା ସ୍ବୀକାର କରିବାକୁ ହେବ ଯେ ଗତ ଏକ ଦଶନ୍ଧି ମଧ୍ୟରେ ଏ ପ୍ରକ୍ରିୟା ଆଶାତୀତ ଭାବେ ତ୍ୱରାନ୍ୱିତ ହୋଇଛି।
ସାମ୍ବାଦିକତା ଛାଡ଼ି ରାଜନୀତିରେ ପ୍ରବେଶ କରୁଥିବା ବ୍ୟକ୍ତିମାନଙ୍କୁ ମୁଖ୍ୟତଃ ତିନିଟି ବର୍ଗରେ ବିଭକ୍ତ କରାଯାଇପାରେ। ପ୍ରଥମ: ମୂଲ୍ୟବୋଧଭିତ୍ତିକ ରାଜନୀତିରେ ବିଶ୍ୱାସ ରଖୁଥିବା, ପ୍ରକୃତରେ ସମାଜରେ କିଛି ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖିଥିବା ଓ ଲୋକଙ୍କ ପାଇଁ କିଛି କାମ କରିବା ପାଇଁ ଚାହୁଁଥିବା ବ୍ୟକ୍ତି। ଦ୍ବିତୀୟ: ରାଜନୀତିରେ ପ୍ରବେଶ କରିବାର କୌଣସି ଯୋଜନା ନ ଥାଇ କେବଳ କୌଣସି ରାଜନୈତିକ ଦଳ ବା ତାହାର ନେତାଙ୍କ ଲୋଭନୀୟ ‘ଅଫର୍’ରେ ଲାଳାୟିତ ହୋଇ ରାଜନୀତିରେ ପ୍ରବେଶ କରୁଥିବା ବ୍ୟକ୍ତି। ତୃତୀୟ: କ୍ଷମତା ଓ ରାଜନୈତିକ ପ୍ରତିପତ୍ତି ହାସଲ କରିବା (ଓ ପ୍ରଚୁର ଅର୍ଥ ଉପାର୍ଜନ କରିବା)ର ଲକ୍ଷ୍ୟ ରଖୁଥିବା ବ୍ୟକ୍ତି।
ସ୍ୱାଧୀନତା ପୂର୍ବରୁ ସାମ୍ବାଦିକତାରୁ ରାଜନୀତିକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ପ୍ରଥମ ବର୍ଗର ଲୋକ ହିଁ ଅଧିକ ଥିଲେ। କିନ୍ତୁ କାଳକ୍ରମେ ସେଭଳି ଲୋକଙ୍କ ସଂଖ୍ୟା କମି କମି ଚାଲିଲା ତଥା ଦ୍ବିତୀୟ ଓ ତୃତୀୟ ବର୍ଗର ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଲା। ଅବଶ୍ୟ ଏକଥା ସତ ଯେ ଏବେ ମଧ୍ୟ କିଛି ସାମ୍ବାଦିକ ପ୍ରକୃତରେ ‘ଲୋକଙ୍କ ସେବା’ କରିବାର ମହତ୍ ଉଦ୍ଦେଶ୍ୟ ରଖି ରାଜନୀତିରେ ପ୍ରବେଶ କରୁଛନ୍ତି। କିନ୍ତୁ ବର୍ତ୍ତମାନର ପଙ୍କିଳ ଓ କ୍ଷମତାସର୍ବସ୍ବ ରାଜନୀତିରେ ପାଦ ଦେଲା ପରେ ସେମାନଙ୍କର ମୋହଭଙ୍ଗ ହେଉଛି। ଯେଉଁମାନେ ପ୍ରଚଳିତ ଧାରାରେ ନିଜକୁ ସାମିଲ କରିପାରୁ ନାହାନ୍ତି, ନିଜ ସ୍ୱାଭିମାନକୁ ଦଳୀୟ ନେତୃତ୍ୱ ପାଖରେ ବନ୍ଧା ପକେଇ ପାରୁ ନାହାନ୍ତି, ସେମାନେ ନିଜ ଦଳ ପାଇଁ ଖୁବ୍ ଶୀଘ୍ର ଅଲୋଡ଼ା, ଅପାଙ୍‌କ୍ତେୟ ହୋଇ ପଡୁଛନ୍ତି ବା ରାଜନୀତିରୁ ବିଦାୟ ନେବାପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। କିନ୍ତୁ ଅଧିକାଂଶ ନିଜ ଆଦର୍ଶ ପରିହାର କରି କ୍ଷମତା ରାଜନୀତିର ନୀତି ବିବର୍ଜିତ ଧାରାରେ ନିଜକୁ ଭସାଇ ଦେବାକୁ ପସନ୍ଦ କରୁଛନ୍ତି।
ବିଗତ କିଛି ବର୍ଷ ଭିତରେ ରାଜନୀତିକୁ ଆସିଥିବା ସାମ୍ବାଦିକଙ୍କ ମଧ୍ୟରେ ଯେ ଦ୍ବିତୀୟ ଓ ତୃତୀୟ ବର୍ଗର ଲୋକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ, ଏଥିରେ ବିତର୍କର କୌଣସି ଅବକାଶ ନାହିଁ। ଅବଶ୍ୟ ରାଜନୈତିକ ଅଭିଳାଷ ରଖିବା ଦୋଷାବହ ନୁହେଁ। କିନ୍ତୁ ପ୍ରଶ୍ନ ଉଠୁଚି ଯେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ଗୋଟିଏ ରାଜନୈତିକ ଦଳ ବା ତାହାର ଜଣେ ନେତା ଜଣେ ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କୁ ନିଜ ଦଳରେ ଯୋଗଦାନ କରିବା ପାଇଁ ଆମନ୍ତ୍ରଣ କରେ? ସଂପୃକ୍ତ ବ୍ୟକ୍ତି ଜଣେ ନିର୍ଭୀକ, ନୀତିନିଷ୍ଠ, ଆଦର୍ଶବାଦୀ ସାମ୍ବାଦିକ ବୋଲି? ନା ସେ ଦଳ ବା ନେତାଙ୍କର ରାଜନୈତିକ ସ୍ବାର୍ଥସିଦ୍ଧିରେ ସହାୟକ ହୋଇ ପାରିବ ବୋଲି? କ୍ଷମତାକୁ ଭ୍ରୂକ୍ଷେପ କରେନାହିଁ ବୋଲି ନା ନିଜର ରାଜନୈତିକ ଅଭିଳାଷ ଚରିତାର୍ଥ କରିବାକୁ କ୍ଷମତା ଆଗରେ ଲାଙ୍ଗୁଡ଼ ହଲାଇବା ପାଇଁ ପ୍ରସ୍ତୁତ ବୋଲି? ‘ଲୋକଙ୍କର ସେବା’ କରିବା ପାଇଁ ନା ଦଳ/ନେତାଙ୍କର ସେବା କରିବା ପାଇଁ? ଏ ସବୁ ପ୍ରଶ୍ନର ଉତ୍ତର ଦେବା ବୋଧହୁଏ ନିଷ୍ପ୍ରୟୋଜନ।
ଏ ପ୍ରଶ୍ନ ସହିତ ଜଡ଼ିତ ରହିଛି ଆଉ ଗୋଟିଏ ପ୍ରଶ୍ନ। ଗୋଟିଏ ରାଜନୈତିକ ଦଳ ବା ଜଣେ ନେତା ଜଣେ କର୍ତ୍ତବ୍ୟରତ ସାମ୍ବାଦିକକୁ ରାଜନୀତି ମଇଦାନକୁ (ପ୍ରକାରାନ୍ତରେ କହିଲେ ନିଜ ଦଳକୁ) ଆମନ୍ତ୍ରଣ କରିବା ଓ ସଂପୃକ୍ତ ସାମ୍ବାଦିକ ଏ ପ୍ରସ୍ତାବ ଗ୍ରହଣ କରିବାର ସମୁଦାୟ ପ୍ରକ୍ରିୟାଟି କେତେ ଦିନରେ ସମ୍ପନ୍ନ ହୁଏ? ଆଜି ପ୍ରସ୍ତାବ ଆସିଲା ଓ ଆଜି ହିଁ ସାମ୍ବାଦିକ ସେ ପ୍ରସ୍ତାବ ଗ୍ରହଣ କରିନେଲା, ତାହା ତ କେବେ ସମ୍ଭବ ନୁହେଁ। ସଂପୃକ୍ତ ସାମ୍ବାଦିକଙ୍କୁ ଦୀର୍ଘ ଦିନ ଧରି ଲକ୍ଷ୍ୟ କଲାପରେ, ଦଳକୁ ଆସିଲେ ସେ ଦଳ ପାଇଁ ‘ଉପଯୋଗୀ’ ହେବ ବୋଲି ସ୍ଥିରନିଶ୍ଚିତ ହେବା ପରେ ହିଁ ତାକୁ ଦଳ/ନେତା ନିମନ୍ତ୍ରଣ କରନ୍ତି। ରାଜନୀତିରେ ପ୍ରବେଶ କରିବାରେ ଅହେତୁକ ଓ ମାତ୍ରାଧିକ ଆଗ୍ରହ ନ ଥିଲେ ସଂପୃକ୍ତ ସାମ୍ବାଦିକ ମଧ୍ୟ ପ୍ରସ୍ତାବର ଭଲ ମନ୍ଦ, ଆଗ ପଛ ବିଚାର କରି ନିଷ୍ପତ୍ତି ନେବାରେ ସମୟ ନିଏ। ବେଳେବେଳେ ଦଳ ବା ନେତା ସଂପୃକ୍ତ ସାମ୍ବାଦିକଙ୍କୁ କୌଣସି ଲୋଭନୀୟ ‘ପୁରସ୍କାର’ର ଥୋପ ଦେଖାଇ ତାହା ପାଇବା ପାଇଁ ତାଙ୍କ ଆନୁଗତ୍ୟର ପ୍ରମାଣ ମାଗନ୍ତି। ଏବଂ ପ୍ରମାଣ ଦେଲେ ହିଁ ମିଠେଇ ମିଳେ। ଦଳ/ନେତା ତରଫରୁ ଆମନ୍ତ୍ରଣ ମିଳିବା ଓ ସଂପୃକ୍ତ ସାମ୍ବାଦିକ ସେ ପ୍ରସ୍ତାବ ଗ୍ରହଣ କରିବା ଭିତରେ ଯେଉଁ ସମୟ ଲାଗେ, ସେଇ ସମୟ ତକ ସାମ୍ବାଦିକ ଜଣକ କାହା ପାଇଁ କାମ କରୁଥାଏ? ନିଜ ସଂସ୍ଥା ପାଇଁ ନା ସଂପୃକ୍ତ ଦଳ/ନେତା ପାଇଁ? ଯଦି ଦଳ/ନେତା ପାଇଁ କାମ କରୁଥାଏ, ତେବେ ଏହା ନିଜ ସଂସ୍ଥା ସହ, ନିଜ ବୃତ୍ତି ସହ ବିଶ୍ୱାସଘାତକତା ନୁହେଁ କି?
ଅବଶ୍ୟ କ୍ଷମତାର ଘୋଡ଼ା ଦୌଡ଼ରେ ଯୋଗଦାନ କରୁଥିବା ସବୁ ସାମ୍ବାଦିକ-ରାଜନେତାଙ୍କୁ ଆଶାନୁରୂପ ସଫଳତା ମିଳୁନାହିଁ। ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ସମସ୍ତେ ସାମ୍ବାଦିକରୁ ମୁଖ୍ୟମନ୍ତ୍ରୀ ବନି ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ତ ଦୂରର କଥା; ଅନେକେ ମନ୍ତ୍ରୀ କି ସାଂସଦ/ବିଧାୟକଟିଏ ମଧ୍ୟ ହୋଇପାରୁ ନାହାନ୍ତି। କିଛି ଦଳୀୟ ପ୍ରବକ୍ତା ଭାବରେ ଟିଭି ପରଦାରେ ନିଜ ଛବି ଦେଖି, ନିଜ କଣ୍ଠ ଶୁଣି ଆତ୍ମସନ୍ତୋଷ ଲାଭ କରୁଛନ୍ତି। କିନ୍ତୁ ମନରେ ଯେତେ ରୋଷ, ଅସନ୍ତୋଷ ଓ ନିରାଶା ଥିଲେ ମଧ୍ୟ ସେମାନେ ରାଜନୀତି ଛାଡ଼ି ପାରୁନାହାନ୍ତି। ଭବିଷ୍ୟତରେ ସଫଳତା ମିଳିବାର ଆଶା ଓ ଲୋକ ପ୍ରତିନିଧି ବୋଲାଇବାର ଲାଳସା ସେମାନଙ୍କୁ ରାଜନୀତିରେ ରହିବାକୁ ବାଧ୍ୟ କରୁଛି। ଗୋଟିଏ ଦଳରେ ସଫଳତା ନ ମିଳିଲେ ସେମାନେ ଅନ୍ୟ ଦଳକୁ ଲମ୍ଫ ପ୍ରଦାନ କରୁଛନ୍ତି। କିଛି ଏମିତି ବି ଅଛନ୍ତି, ଯେଉଁମାନେ ବିଭିନ୍ନ ଦଳ ବୁଲି ନିରାଶ ହେଲା ପରେ ମଧ୍ୟ, ମୋହଭଙ୍ଗ ହେଲାପରେ ମଧ୍ୟ ରାଜନୀତି ଛାଡ଼ି ପାରୁନାହାନ୍ତି କାରଣ ସେମାନଙ୍କ ପାଖରେ ବିକଳ୍ପ ନାହିଁ। ପୂର୍ବ ବୃତ୍ତିକୁ ଫେରିବା ମଧ୍ୟ ସମ୍ଭବ ହେଉନାହିଁ କାରଣ ସାମ୍ବାଦିକତାରୁ ରାଜନୀତିକୁ ଯିବା ବାଟଟି ଯେତେ ସହଜ, ରାଜନୀତିରୁ ସାମ୍ବାଦିକତାକୁ ଫେରିବା ରାସ୍ତାଟି ସେତେ ସହଜ ନୁହେଁ। ଥରେ ଦେହରେ ରାଜନେତାର ଠପ୍ପା ଲାଗିଗଲେ ସାମ୍ବାଦିକ ଭାବରେ ଜଣେ ବ୍ୟକ୍ତି ନିଜର ବିଶ୍ୱସନୀୟତା ହରାଇ ବସେ ଓ ବିଶ୍ୱସନୀୟତା ବିନା ଆତ୍ମସମ୍ମାନର ସହ କାମ କରିବା ସମ୍ଭବ ହୁଏ ନାହିଁ।
ଉପରବର୍ଣ୍ଣିତ ତିନିଟି ବର୍ଗ ବ୍ୟତୀତ ଆଉ ଏକ ଗୋଷ୍ଠୀର ବ୍ୟକ୍ତି ମଧ୍ୟ ଅଛନ୍ତି, ଯେଉଁମାନେ ସାମ୍ବାଦିକତାକୁ ରାଜନୀତିରେ ପ୍ରବେଶ କରିବା ପାଇଁ ଏକ ଶିଡ଼ି ଭାବେ ବ୍ୟବହାର କରନ୍ତି। ଏମାନଙ୍କର ସାମ୍ବାଦିକତା ସହ କୌଣସି ମତଲବ ନ ଥାଏ। ଏମାନେ ବୃତ୍ତିକୁ କେବଳ ଏଇଥିପାଇଁ ଆସନ୍ତି ଯେ ସାମ୍ବାଦିକ ହେଲେ ରାଜନେତାଙ୍କର ନିକଟତର ହେବାର, ସେମାନଙ୍କ ସହ ସମ୍ପର୍କ ଯୋଡ଼ିବାର ଓ ନିଜ ରାଜନୈତିକ ଯାତ୍ରା ପାଇଁ ବାଟଟିଏ ଖୋଜିବାର ସୁଯୋଗ ମିଳିଯାଏ। ଏମାନେ ପ୍ରଥମେ ନିଜେ ବୃତ୍ତି ଓ ନିଜେ କାମ କରୁଥିବା ସଂସ୍ଥା ସହ ବିଶ୍ୱାସଘାତକତା କରି ଏକ ନିର୍ଦ୍ଦିଷ୍ଟ ଦଳ ବା ନେତାଙ୍କ ରାଜନୈତିକ ସ୍ୱାର୍ଥସିଦ୍ଧି ପାଇଁ ହାତବାରିସି ସାଜନ୍ତି ଓ ପରେ ନିଜ ‘ସେବା’ର ପାରିଶ୍ରମିକ ଭାବେ ଦଳୀୟ ଟିକେଟ ବା ପଦଟିଏ ହାସଲ କରି ନିଅନ୍ତି।
ନେତାମାନେ ସାମ୍ବାଦିକଙ୍କୁ ନିଜ ଦଳରେ ସାମିଲ କରିବାରେ ଆଗ୍ରହୀ ହୁଅନ୍ତି ଏଇଥିପାଇଁ ଯେ ସାମ୍ବାଦିକଟିଏ ବୃତ୍ତିରେ ରହି ଭାବର ଆଦାନ ପ୍ରଦାନ (କମ୍ୟୁନିକେସନ ସ୍କିଲ୍‌)ରେ ବିଶେଷ ଦକ୍ଷତା ହାସଲ କରିଥାଏ। ଏହି ଦକ୍ଷତାକୁ ଦଳମାନେ ନିଜ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ, ଗଣମାଧ୍ୟମକୁ ଓ ତା’ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରିବାରେ ବ୍ୟବହାର କରନ୍ତି। ସେଇଥିପାଇଁ ରାଜନୀତିରେ ପ୍ରବେଶ କରୁଥିବା ଅନେକ ସାମ୍ବାଦିକ ଦଳର ଗଣମାଧ୍ୟମ ପ୍ରକୋଷ୍ଠ (ମିଡିଆ ସେଲ)ରେ କାମ ଆରମ୍ଭ କରନ୍ତି। କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ରାଜନୈତିକ ଦଳମାନଙ୍କରେ ସାମ୍ବାଦିକଙ୍କ ଚାହିଦା ହଠାତ୍ ବଢ଼ି ଯିବାର ଏକ ପ୍ରମୁଖ କାରଣ ହେଲା ସାମାଜିକ ଗଣମାଧ୍ୟମର ଅଭ୍ୟୁଦୟ ଓ ରାଜନୀତିରେ ଏହାର କ୍ରମବର୍ଦ୍ଧମାନ ପ୍ରଭାବ। ବୃତ୍ତିଗତ କାରଣରୁ ସାଧାରଣ ମଣିଷ ତୁଳନାରେ ସାମ୍ବାଦିକଟିଏ ଯୋଗାଯୋଗର ବିଭିନ୍ନ ଆଧୁନିକ ମାଧ୍ୟମର ବ୍ୟବହାରରେ ଅଧିକ ଦକ୍ଷ। ତେଣୁ ଏସବୁ ମାଧ୍ୟମର ସଫଳ ବ୍ୟବହାର କରି ଦଳର ରାଜନୈତିକ ଉଦ୍ଦେଶ୍ୟ ସାଧନରେ ସେ ଅଧିକ ଉପଯୋଗୀ ସାବ୍ୟସ୍ତ ହୁଏ।
ଏ ତ ଗଲା ଦଳମାନଙ୍କ କଥା। କିନ୍ତୁ ଆଜିର ଦିନରେ ସାମ୍ବାଦିକଟିଏ ରାଜନୈତିକ ଦଳରେ ଯୋଗଦାନ କରେ କାହିଁକି? ସଂପୃକ୍ତ ସାମ୍ବାଦିକ ଅନ୍ୟ ଯାହା ସଫେଇ ଦେଉ ପଛେ, ଏଥିରେ ସନ୍ଦେହ ନାହିଁ ଯେ କ୍ଷମତାର ମୋହ ହିଁ ସେମାନଙ୍କୁ ରାଜନୀତିକୁ ଟାଣି ଆଣେ। ଲକ୍ଷ୍ୟ କରିବାର କଥା ଯେ ନିକଟ ଅତୀତରେ ରାଜନୀତି ମଇଦାନକୁ ଓହ୍ଲାଇଥିବା ଅଧିକାଂଶ ସାମ୍ବାଦିକ କ୍ଷମତାସୀନ ବିଜୁ ଜନତା ଦଳ ମୁହାଁ। ସେମାନେ ଭାରତୀୟ ଜନତା ପାର୍ଟି ବା କଂଗ୍ରେସ ଆଡ଼କୁ ଆଡ଼ ଆଖିରେ ଚାହୁଁ ନାହାନ୍ତି କାରଣ ସେମାନେ ଭଲଭାବେ ଜାଣିଛନ୍ତି ଯେ ନିକଟ ଭବିଷ୍ୟତରେ (ଅନ୍ତତଃ ନବୀନ ପଟ୍ଟନାୟକ ଦଳର ମଙ୍ଗ ଧରିଥିବା ଯାଏଁ) ଏ ଦୁଇ ଦଳ ମଧ୍ୟରୁ କେହି କ୍ଷମତା ହାସଲ କରିବାର ସମ୍ଭାବନା କ୍ଷୀଣ। ତେଣୁ ବିଜେଡିରେ ମିଶିଲେ ହିଁ ଯେଉଁ ଆଶା ଓ ଉଦ୍ଦେଶ୍ୟ (ଭଲ ହେଉ ବା ଖରାପ) ନେଇ ସେମାନେ ରାଜନୀତିକୁ ଆସିଛନ୍ତି ତାହା ପୂରଣ ହୋଇପାରିବ। ତେଣୁ ସେମାନେ ବିଜେଡିରେ ଯୋଗଦାନ କରି ଉଭୟ ମୁଖ୍ୟ ସ୍ରୋତର ଓ ସାମାଜିକ ଗଣମାଧ୍ୟମରେ ଦଳ ଓ ନେତାଙ୍କର ପ୍ରଚାର କରିବାରେ; ଦଳ, ନେତା ବା ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିବାରେ, ବିରୋଧୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିବାରେ ଓ ସର୍ବୋପରି ଭୋଟରଙ୍କୁ ପ୍ରଭାବିତ କରିବାରେ ନିୟୋଜିତ।
ସାମ୍ବାଦିକତାରୁ ରାଜନୀତିକୁ ଆସିବାର ଏ ପ୍ରକ୍ରିୟା ଯେ ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ ହେବାକୁ ଯାଉଛି, ଏହା ଏବେଠାରୁ ଜଳଜଳ ଦେଖାଯାଉଛି। ସମୟ ଆସିଛି ଏକ ମୁକ୍ତ, ଅବାଧ ଓ ନିରପେକ୍ଷ ଗଣମାଧ୍ୟମ - ଓ ପ୍ରକାରାନ୍ତରେ ଗଣତନ୍ତ୍ର - ରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ଏ ପ୍ରଶ୍ନର ଉତ୍ତର ଖୋଜିବା ଦରକାର: ସାମ୍ବାଦିକତା ବୃତ୍ତିରେ ଦକ୍ଷତା ଓ ଅଭିଜ୍ଞତା ଲାଭ କରିଥିବା ଅଧିକାଂଶ ଲୋକ ଯଦି ରାଜନୀତି ମୁହାଁ ହେବେ, ତେବେ ଏ ମହାନ୍ ବୃତ୍ତି ବଞ୍ଚି ରହିବ କେମିତି?
ମୋ: ୯୯୩୭୨୨୮୧୨୨