ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଆକର୍ଷଣ ଦୁର୍ବାର ଓ ଏହାର ପ୍ରଭାବ ସୁଦୂରପ୍ରସାରୀ। କୌଣସି ସ୍ମାର୍ଟଫୋନ ବ୍ୟବହାରକାରୀ ଟ୍ୱିଟର (ଏବେ ‘ଏକ୍‌ସ’) , ଫେସ୍‌ବୁକ୍, ୟୁଟ୍ୟୁବ୍, ହ୍ୱାଟ୍‌ସଆପ୍ ଓ ଇନ୍‌ଷ୍ଟାଗ୍ରାମ ପରି ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚର ଆକର୍ଷଣରୁ ନିଜକୁ ବଞ୍ଚାଇ ରଖିବା ଏକ ଦୁରୂହ ବ୍ୟାପାର। ସବୁ ବୟସ ଓ ବର୍ଗର ମଣିଷ ଏବେ ଏହାର ମାୟାରେ ବାୟା। ଏହାର ଅଜସ୍ର ସମ୍ଭାବନାରେ ଆକର୍ଷିତ ହୋଇ ପ୍ରତିଦିନ ଏଥିରେ ଶହ ଶହ ନୂଆ ଲୋକ ଯୋଡ଼ି ହେଉଛନ୍ତି। ତେବେ, କଥା ହେଲା ସାମାଜିକ ଗଣମାଧ୍ୟମର ଆକର୍ଷଣ ଦୁର୍ଲଙ୍ଘ୍ୟ ହୋଇଥିଲେ ମଧ୍ୟ ସମସ୍ତେ ଏକା କାରଣ ପାଇଁ ଏଥିରେ ନିଜକୁ ସାମିଲ କରନ୍ତି ନାହିଁ। ସମୟ କାଟିବା ଠାରୁ ଆରମ୍ଭ କରି ଜ୍ଞାନ ବର୍ଦ୍ଧନ କରିବା ବା ବିତରଣ କରିବା ଅଥବା ନିଜ ବନ୍ଧୁବର୍ଗଙ୍କ ସହ ଯୋଗାଯୋଗ ରଖିବା ବା ନୂଆ ବନ୍ଧୁ ଅନ୍ୱେଷଣ କରିବା କିମ୍ବା କୌଣସି ପ୍ରସଙ୍ଗରେ ନିଜ ମତ ରଖିବା ପର୍ଯ୍ୟନ୍ତ ବିଭିନ୍ନ କାରଣ ଲାଗି ଏହାର ଉପଯୋଗ କରାଯାଇଥାଏ। କରୋନା କାଳରେ ଜଣାପଡ଼ିଲା ଯେ ଏହାର ଉପଯୋଗ କିଭଳି ବ୍ୟାପକ ହୋଇପାରେ! ଶିକ୍ଷାନୁଷ୍ଠାନମାନେ ଏହାକୁ ଶିକ୍ଷାଦାନ କରିବାର ଓ ଛାତ୍ରଛାତ୍ରୀମାନେ ଶିକ୍ଷା ଆହରଣ କରିବାର ଏକ ବିକଳ୍ପ ମାଧ୍ୟମ ଭାବେ ବ୍ୟବହାର କଲେ। ଡାକ୍ତରମାନେ ରୋଗୀଙ୍କୁ ରୋଗ ସମ୍ବନ୍ଧୀୟ ପରାମର୍ଶ ଦେବା ପାଇଁ ଓ ସରକାର ଏହାକୁ ଲୋକଙ୍କ ପାଖରେ କରୋନା ସମ୍ପର୍କିତ ବିଭିନ୍ନ ସୂଚନା ପହଞ୍ଚାଇବା ପାଇଁ ଏହାର ଉପଯୋଗ କଲେ। ତେବେ, ସାମାଜିକ ଗଣମାଧ୍ୟମର ପ୍ରଚାର ଓ ପ୍ରସାର ଆଗାମୀ ଦିନରେ ଯେ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମର ପ୍ରସାର ସହ ତାଳ ଦେଇ ମଣିଷ ସମାଜ ଉପରେ ଏହାର ଗଭୀର ଓ ଦୀର୍ଘକାଳୀନ ପ୍ରଭାବକୁ ନେଇ ସାରା ବିଶ୍ୱରେ ଆଲୋଚନା ଓ ବିତର୍କ ମଧ୍ୟ ଜାରି ରହିଛି।

Advertisment

କହିବା ବାହୁଲ୍ୟ ଯେ ସାମାଜିକ ଗଣମାଧ୍ୟମ ବିରୋଧରେ ଅଭିଯୋଗର ସୂଚି ବେଶ ଦୀର୍ଘ। ଏହା କର୍ମକୋଢ଼ି ମାନଙ୍କର ଆଡ୍‌ଡା; ଆତ୍ମ ପ୍ରଚାରର ଏକ ନିର୍ଲଜ ଇସ୍ତାହାର; ଘୃଣା, ବିଦ୍ୱେଷ, ଅସୂୟା, ଅସହିଷ୍ଣୁତା ଓ ଚରିତ୍ରହନନର ପୁତିଗନ୍ଧମୟ ନର୍ଦ୍ଦମା; ହିଂସା, ବିଦ୍ୱେଷ ଓ ଦଙ୍ଗା ରାଜନୈତିକ ଲଢ଼େଇର ଆଖଡ଼ା ଘର; ମିଛ ଖବର ପ୍ରସାରଣର ମଞ୍ଚ; ଆତଙ୍କବାଦୀ ମାନଙ୍କର ଚରାଭୁଇଁ- ଏହିପରି କେତେ କ’ଣ। ମନସ୍ତତ୍ତ୍ୱବିତ୍‌ମାନେ କହିଲେଣି ମଣିଷର ଶରୀର ଓ ମନ ଉପରେ ଏହାର ଦୀର୍ଘମିଆଦୀ ପ୍ରଭାବ ପଡୁଚି। ଡାକ୍ତରମାନେ ଚେତାବନୀ ଦେଲେଣି ସାମାଜିକ ଗଣମାଧ୍ୟମ ପ୍ରତି ମାତ୍ରାଧିକ ଅନୁରକ୍ତି ବିଭିନ୍ନ ରୋଗର କାରଣ ସାଜିପାରେ। ଅର୍ଥନୀତିଜ୍ଞମାନେ କହୁଛନ୍ତି ମଣିଷର ଉତ୍ପାଦକତା ଉପରେ ଏହାର ଗୁରୁତର କୁପ୍ରଭାବ ପଡୁଚି। ସମାଜ ବିଜ୍ଞାନୀଙ୍କ ମତରେ ଏହା ମଣିଷକୁ ଅଧିକ କ୍ରୋଧୀ, ଅସହିଷ୍ଣୁ ଓ ଅସୂୟାଗ୍ରସ୍ତ କରୁଛି ଏବଂ ଏକ ଅସୁସ୍ଥ ସାମାଜିକ ବାତାବରଣ ସୃଷ୍ଟି କରୁଛି।

ଭାରତରେ ସାମାଜିକ ଗଣମାଧ୍ୟମର ସବୁଠାରୁ ମାରାତ୍ମକ କୁପ୍ରଭାବ କିଶୋର ଓ ଯୁବ ସମାଜ ଉପରେ ପଡୁଛି। ଅନେକ କୋମଳମତି ଶିଶୁ, କିଶୋର/କିଶୋରୀ ଓ ଯୁବକ/ଯୁବତୀ ଏହାର ମାୟାଜାଲରେ ଏମିତି ଛନ୍ଦି ହୋଇ ପଡୁଛନ୍ତି ଯେ ବେଳେବେଳେ ନିଜ ଜୀବନ ହାରି ଦେଉଛନ୍ତି। ‘ସେଲ୍‌ଫି’ ଓ ‘ରିଲ୍‌’ର ନିଶା ଯୁବ ସମାଜକୁ ଏମିତି ଘାରିଛି ଯେ ଏତଦ୍ ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ସାରା ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜୀବନ ନ ହାରିଲେ ମଧ୍ୟ ଅନେକେ ସାମାଜିକ ଗଣମାଧ୍ୟମର ନାଗଫାଶରେ ବାନ୍ଧି ହୋଇ ନିଜ ଶୈଶବ, କୈଶୋର ଓ ଯୌବନ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ପିଲାଏ ଘରୁ ବାହାରୁ ନାହାନ୍ତି; ଦିନ ରାତି ଫୋନ, ଟ୍ୟାବ୍‌ ଓ ଲାପ୍‌ଟପ୍‌ରେ ମଜ୍ଜି ରହୁଛନ୍ତି। ସେଇଠି ଭେଟୁଛନ୍ତି ସାଙ୍ଗସାଥୀଙ୍କୁ, ସେଇଠି ଖେଳୁଛନ୍ତି, ସେଇଠି ଖୋଜୁଛନ୍ତି ମନୋରଞ୍ଜନର ଖୋରାକ। ଏସବୁ ସେମାନଙ୍କର ବୌଦ୍ଧିକ ବିକାଶକୁ ବ୍ୟାହତ କରିବା ସହିତ ଯୁବାବସ୍ଥାର ସାଧାରଣ ସାମୂହିକ ଆନନ୍ଦରୁ ସେମାନଙ୍କୁ ବଞ୍ଚିତ କରୁଛି। କୋମଳ ବୟସରେ ଯୌନତାର ନିଷିଦ୍ଧ ଇଲାକାକୁ ଅବାଧ ପ୍ରବେଶ ମିଳି ଯାଉଥିବାରୁ ଅନେକେ ବିପଥଗାମୀ ହୋଇ ଯାଉଛନ୍ତି।
ଏଥିରେ ସନ୍ଦେହ ନାହିଁ ଯେ ଏ ସମସ୍ତ ଅଭିଯୋଗରେ ସତ୍ୟତା ଅଛି। ଏସବୁ ସତ୍ତ୍ବେ ମଣିଷ ସମାଜ ଉପରେ ସାମାଜିକ ଗଣମାଧ୍ୟମର ସକାରାତ୍ମକ ପ୍ରଭାବକୁ ମଧ୍ୟ ନଜରଅନ୍ଦାଜ କରାଯାଇ ପାରିବ ନାହିଁ। ପୂର୍ବରୁ ପ୍ରଚଳିତ ‘ପତ୍ର ବନ୍ଧୁ’ ପ୍ରଥାର ଏହା ଏକ ପରିବର୍ଦ୍ଧିତ ଓ ବିଶ୍ବବ୍ୟାପୀ ସଂସ୍କରଣ। ଏହାର ବ୍ୟବହାର କରି ଆପଣ ଘରେ ବସି ରାଜ୍ୟ, ଦେଶ ଓ ପୃଥିବୀର ଯେ କୌଣସି କୋଣରେ ଥିବା ଜଣେ ବ୍ୟକ୍ତିଙ୍କ ସହ ‘ବନ୍ଧୁତା’ ସ୍ଥାପନ କରି ପାରିବେ; ତାଙ୍କ ସହ ଭାବର ଆଦାନ ପ୍ରଦାନ କରି ପାରିବେ। ବହୁ ଦିନରୁ ଯୋଗାଯୋଗ ଛିନ୍ନ ହୋଇ ସାରିଥିବା ନିଜର ସ୍କୁଲ, କଲେଜ ବେଳର ପୁରୁଣା ବନ୍ଧୁଙ୍କୁ ଏଠି ଖୋଜି ପାଇବେ ଓ ତାଙ୍କ ସହ ସମ୍ପର୍କ ଓ ଯୋଗାଯୋଗ ପୁନଃ ସ୍ଥାପନ କରି ପାରିବେ। ନିଜ ବିଷୟରେ ନିଜ ପରିଜନଙ୍କୁ ଜଣାଇ ପାରିବେ; ସେମାନଙ୍କ ଠାରୁ ତାଙ୍କ ହାଲ୍‌ ବିଷୟରେ ଜାଣି ପାରିବେ। ଏହାର ବ୍ୟବହାର କରି ଆପଣ ଦୁର୍ଦ୍ଦିନରେ ପଡ଼ିଥିବା କିମ୍ବା ଦୁର୍ଘଟଣା ବା କୌଣସି ଗୁରୁତର ବ୍ୟାଧିର ଶିକାର ହୋଇଥିବା ଆପଣଙ୍କର କୌଣସି ବନ୍ଧୁ ବା ପରିଜନଙ୍କ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଡ଼ କରିପାରିବେ।
ଅବସର ସମୟ କାଟିବା ପାଇଁ ସାମାଜିକ ଗଣମାଧ୍ୟମ ଠାରୁ ଅଧିକ ଶସ୍ତା ଏବଂ ସହଜଲବ୍ଧ ମାଧ୍ୟମ ବୋଧହୁଏ ଆଉ କିଛି ନାହିଁ। ଧରନ୍ତୁ ଆପଣ ବସ୍ ଷ୍ଟାଣ୍ଡରେ ବସକୁ, ରେଳ ଷ୍ଟେସନରେ ଟ୍ରେନକୁ ବା ବିମାନ ବନ୍ଦରରେ ବିମାନ ଛାଡ଼ିବା ସମୟକୁ ଅପେକ୍ଷା କରିଛନ୍ତି। ସେଠି ଆପଣଙ୍କର ପରିଚିତ କେହି ନାହାନ୍ତି ଯାହାଙ୍କ ସହ କଥାବାର୍ତ୍ତା ହୋଇ ଆପଣ ଅପେକ୍ଷା କରୁଥିବା ସମୟ ତକ କାଟି ପାରିବେ। ଏଭଳି ସମୟରେ ଆପଣଙ୍କ ପକେଟ୍‌ରେ ଯଦି ସ୍ମାର୍ଟଫୋନଟିଏ ଅଛି ତେବେ ଆପଣ ସେଥିରେ ମନୋନିବେଶ କରିପାରିବେ; ସମୟ କେମିତି କଟିଯିବ ଆପଣ ଜାଣି ପାରିବେ ନାହିଁ।
ସାମାଜିକ ଗଣମାଧ୍ୟମର ପ୍ରସାର ଆମ ଜୀବନକୁ ଖୁବ୍ ସହଜ ଓ ସରଳ କରି ଦେଇଛି। ହ୍ୱାଟସ୍‌ଆପ୍‌ର ବ୍ୟବହାର କରି ଆପଣ ଘରେ ବସି ଗ୍ୟାସ ସିଲିଣ୍ଡର ବରାଦ କରିବା ଠାରୁ ଆରମ୍ଭ କରି ପୌର ସଂସ୍ଥାରେ ନିଜର ଅଭିଯୋଗ ଦାଖଲ କରି ପାରିବେ। ସହରାଞ୍ଚଳରେ ବାହାଘର, ବ୍ରତଘରରେ ଲୋକଙ୍କ ଘରକୁ ଯାଇ ନିମନ୍ତ୍ରଣ କରିବାର ପ୍ରଥା ଏବେ ପ୍ରାୟ ଲୋପ ପାଇବାକୁ ବସିଲାଣି। ନିମନ୍ତ୍ରଣ କରିବା କାମଟି ଏବେ ଘରେ ବସି ହ୍ୱାଟ୍‌ସଆପ୍‌ ଜରିଆରେ ହୋଇଯାଇ ପାରୁଛି। ଟ୍ୱିଟର, ଫେସ୍‌ବୁକ୍ ଓ ୟୁଟ୍ୟୁବ୍ ପରି ମାଧ୍ୟମର ବ୍ୟବହାର କରି ଆପଣ କେବଳ ଯେ ନିଜ କଥା, କଳା ବା କୌଶଳ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚାଇ ପାରିବେ ତା’ ନୁହେଁ, ସେଥିରୁ ବେଶ ଅର୍ଥ ମଧ୍ୟ ଉପାର୍ଜନ କରି ପାରିବେ। ୟୁଟ୍ୟୁବ୍ ଜରିଆରେ ନିଜ ଅଞ୍ଚଳର ବ୍ୟଞ୍ଜନକୁ ସାରା ବିଶ୍ୱରେ ପହଞ୍ଚାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ସମ୍ବଲପୁରର ଅଳ୍ପଶିକ୍ଷିତ ଆଦିବାସୀ ଯୁବକ ଇସାକ୍ ମୁଣ୍ଡା ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ।
ଏ ତ ଗଲା ସାମାଜିକ ଗଣମାଧ୍ୟମର ବ୍ୟକ୍ତିଗତ ଫାଇଦା। ସାମୂହିକ ଜୀବନରେ ମଧ୍ୟ ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ କ୍ଷେତ୍ର। ରକ୍ତଦାନଠାରୁ ଆରମ୍ଭ କରି ଗୁରୁତର ବ୍ୟାଧିର ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ ପର୍ଯ୍ୟନ୍ତ, ବନ୍ଧୁ ମିଳନର ଆୟୋଜନ ଠାରୁ ଆରମ୍ଭ କରି ସମୂହ ସ୍ବାର୍ଥ ପାଇଁ କୌଣସି ସଂଗଠନ ପ୍ରତିଷ୍ଠା ପର୍ଯ୍ୟନ୍ତ ଅନେକ ସାମୂହିକ କାର୍ଯ୍ୟରେ ସାମାଜିକ ଗଣମାଧ୍ୟମର ଏବେ ବହୁଳ ବ୍ୟବହାର ହେଉଛି।
ବର୍ତ୍ତମାନ ସମୟରେ ଯେତେବେଳେ କି ମୁଖ୍ୟସ୍ରୋତର ଗଣମାଧ୍ୟମର ବିଶ୍ୱସନୀୟତା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି, ସେତେବେଳେ ଠିକ୍ ଖବର ଜାଣିବା ପାଇଁ ଅନେକେ ସାମାଜିକ ଗଣମାଧ୍ୟମ ଉପରେ ହିଁ ଭରସା କରୁଛନ୍ତି। ରାଜନୈତିକ ଓ ବ୍ୟାବସାୟିକ ପ୍ରଭାବରେ ରୁନ୍ଧି ହୋଇ ଅଣନିଃଶ୍ବାସୀ ହୋଇ ପଡ଼ିଥିବା, ପ୍ରଭାବଶାଳୀ ନେତା, ଦଳ ଓ ଗୋଷ୍ଠୀଙ୍କର କ୍ରୀଡ଼ନକ ସାଜିଥିବା ମୁଖ୍ୟସ୍ରୋତର ଗଣମାଧ୍ୟମରେ ଯେଉଁ ଖବର ଆଦୌ ସ୍ଥାନ ପାଏ ନାହିଁ, ତାହା ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଶିରୋନାମା ପାଲଟେ। ଦିନ ଥିଲା ଯେତେବେଳେ ଖବର ଉପରେ ସାମ୍ବାଦିକଙ୍କର ଏକଚାଟିଆ ଅଧିକାର ଥିଲା। ଏବେ କିନ୍ତୁ ସ୍ମାର୍ଟଫୋନ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ସାମ୍ବାଦିକ। ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଯେ କୌଣସି ଲୋକ ଫଟୋ ବା ଭିଡିଓ ସହ ଖବର ପରିବେଷଣ କରି ପାରିବ। ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ବା ପ୍ରଚାରିତ ଖବର ଏଭଳି ହଇଚଇ ସୃଷ୍ଟି କରେ ଯେ ସେପର୍ଯ୍ୟନ୍ତ ସେ ଖବର ଉପରେ କଳା ପରଦା ଘୋଡ଼ାଇ ଦେଇଥିବା ମୁଖ୍ୟସ୍ରୋତର ଗଣମାଧ୍ୟମ ସେ ଖବରକୁ ପ୍ରକାଶିତ, ପ୍ରସାରିତ କରିବାକୁ ବାଧ୍ୟ ହୁଏ। ଅବଶ୍ୟ ଏକଥା ସତ ଯେ ଯେଉଁ ସାମାଜିକ ଗଣମାଧ୍ୟମ ଅବାଧ ଓ ନିରପେକ୍ଷ ଖବର ପରିବେଷଣ କରେ, ସେଇ ଗଣମାଧ୍ୟମ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ ଓ ବିଦ୍ୱେଷ ସୃଷ୍ଟିକାରୀ ଖବରର ମଧ୍ୟ ଗନ୍ତାଘର।
ସାମାଜିକ ଗଣମାଧ୍ୟମର ସବୁ କୁପ୍ରଭାବ ସତ୍ତ୍ୱେ ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ବର୍ତ୍ତମାନ ପରିସ୍ଥିତିରେ ଏକ ଉଦ୍ଭଟ, ଅବାସ୍ତବ ପରିକଳ୍ପନା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହାର ବ୍ୟବହାର କଲାବେଳେ ନିଜ ବୁଦ୍ଧି, ବିଚାର ଓ ବିବେକ ପ୍ରୟୋଗ କରିବା ଦରକାର। ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ସାମାଜିକ ଗଣମାଧ୍ୟମ ଆମ କବଳରେ ରହିବ; ଆମେ ତା’ ଅକ୍ତିଆରରେ ନୁହେଁ। ସର୍ବୋପରି ଆମକୁ ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହ ଆମ ଯୁବପିଢ଼ିକୁ ଏହାର କ୍ଷତିକାରକ ଦିଗଗୁଡ଼ିକ ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କୁ ଏସବୁରୁ ସୁରକ୍ଷା ଯୋଗାଇ ଦେବାକୁ ପଡ଼ିବ।
ମୋ: ୯୯୩୭୨୨୮୧୨୨