ଗତ ସେପ୍‌ଟେମ୍ବର ୧୪ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବରର ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାଗଦତ୍ତାଙ୍କ ପ୍ରତି ପୁଲିସ ବର୍ବରତାର ଯେଉଁ ଗୁରୁତର ଅଭିଯୋଗ ଉଠିଛି, ତାହା ଯେ ସାମଗ୍ରିକ ଭାବେ ରାଜ୍ୟ ପୁଲିସକୁ କାଠଗଡ଼ାରେ ଠିଆ କରିଛି, ଏଥିରେ ସନ୍ଦେହ ନାହିଁ। ଉକ୍ତ ଘଟଣାରେ କିଏ ସତ କହୁଛି - ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ନା ପୁଲିସ - ତାହା ତ କ୍ରାଇମ୍‌ବ୍ରାଞ୍ଚ ଓ ନ୍ୟାୟିକ ତଦନ୍ତରୁ ସ୍ପଷ୍ଟ ହେବ। କିନ୍ତୁ ସର୍ବସାଧାରଣରେ ଏ ଘଟଣା ସମ୍ପର୍କରେ ବିଭିନ୍ନ ମହଲ ଓ ବ୍ୟକ୍ତିବିଶେଷଙ୍କ ପ୍ରତିକ୍ରିୟାକୁ ଅନୁଧ୍ୟାନ କଲେ ଯେଉଁ ଗୋଟିଏ କଥା ଦିବାଲୋକ ପରି ସ୍ପଷ୍ଟ, ତାହା ହେଲା ନାରୀ ସଶକ୍ତୀକରଣର ସମସ୍ତ ନାରାବାଜି ସତ୍ତ୍ୱେ ନାରୀ ସମ୍ପର୍କରେ ଆମ ପୁରୁଷପ୍ରଧାନ ସମାଜର ମଧ୍ୟଯୁଗୀୟ ମାନସିକତାରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। 
ପୁଲିସ ବିରୋଧରେ ପୀଡ଼ିତା ଯେଉଁ ଅଭିଯୋଗ ସବୁ ଆଣିଛନ୍ତି ସେସବୁ ଯେ ନିରାଧାର ନୁହେଁ, ତାହାର ଯଥେଷ୍ଟ ପ୍ରମାଣ ତାଙ୍କ ଶରୀରରେ ଓ ସେ ଚିକିତ୍ସିତ ହେଉଥିବା ‘‘ଏମ୍‌ସ’’ ଦ୍ବାରା ଜାରି ଡାକ୍ତରୀ ରିପୋର୍ଟରେ ରହିଛି। ଏହାରି ଆଧାରରେ ହିଁ ମାନ୍ୟବର ହାଇକୋର୍ଟ ପୀଡ଼ିତାଙ୍କୁ ତୁରନ୍ତ ଜାମିନ ଦେଇଛନ୍ତି ଓ ‘ଏମ୍‌ସ’ରେ ତାଙ୍କ ଚିକିତ୍ସା ପାଇଁ ଆଦେଶ ଦେଇଛନ୍ତି। କିନ୍ତୁ ଦେଖାଯାଉଛି ଯେ ଅନେକ ଲୋକ ପୁଲିସର ବିଶ୍ୱସନୀୟତାକୁ ପ୍ରଶ୍ନ କରିବା ବଦଳରେ ସଂପୃକ୍ତ ମହିଳାଙ୍କୁ ପ୍ରଶ୍ନ ବାଣରେ ଜର୍ଜର କରୁଛନ୍ତି। ‘‘ସେ ରାତି ଗୋଟାଏରେ ରାସ୍ତାରେ ଯାଉଥିଲା କାହିଁକି?’’ କିମ୍ବା ‘‘ରାତି ଅଧରେ କୋଉ ଭଦ୍ରଲୋକ ଘର ଝିଅ ବାର୍‌ରେ ଏମିତି ଦେହ ଦେଖେଇ ଉଦ୍ଦଣ୍ଡ ନାଚ ନାଚେ?’’ ବା ‘‘ସେ କାହିଁକି ପ୍ରଚୁର ମଦ ପିଇ ରୋଡ୍ ରୋମିଓଙ୍କ ସହ ଯୁକ୍ତି କରୁଥିଲା?’’ ଅଥବା “ସେ କାହିଁକି ବହୁତ ହିନ୍ଦୀ, ଇଂରେଜୀ ଝାଡୁଥିଲା?’’ କିମ୍ବା ‘‘ଥାନାରେ କାହିଁକି ସେ ଦାଦାଗିରି କରୁଥିଲା?’’ ଇତ୍ୟାଦି! କହିବା ବାହୁଲ୍ୟ, ଏ ସମସ୍ତ ପ୍ରଶ୍ନ ଓ ମନ୍ତବ୍ୟ ପୁଲିସ ପକ୍ଷରୁ ନିଜ ବିରାଦରିକୁ ବଞ୍ଚାଇବା ପାଇଁ ଜାଣିଶୁଣି ସାମାଜିକ ଗଣମାଧ୍ୟମରେ ଛଡ଼ା ଯାଇଥିବା ଘଟଣା ଦିନ ରାତି ଦୃଶ୍ୟର କିଛି ସଂପାଦିତ ଭିଡିଓ, ଯାହା ଆଧାରରେ ଉପରୋକ୍ତ ପ୍ରତିକ୍ରିୟାମାନ ପ୍ରକାଶ ପାଉଛି। ଏବଂ କିଛି ଲୋକ ପୁଲିସର ଆତ୍ମ ନିୟୋଜିତ, ଅବୈତନିକ ଦଲାଲ୍ ସାଜି ଏଭଳି ଭିଡିଓକୁ ପ୍ରଚାର, ପ୍ରସାର କରିବାରେ ଓ ପୀଡ଼ିତାକୁ ସର୍ବସାଧାରଣରେ ନିନ୍ଦିତ, ଲାଞ୍ଛିତ କରିବା ପାଇଁ ଲାଗି ପଡ଼ିଛନ୍ତି।
ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ମହିଳାଙ୍କୁ ଆଦୌ ଚିହ୍ନି ନ ଥିବା, ଜୀବନରେ କେବେ ତାଙ୍କୁ ଟିଭି ପରଦା ଭିନ୍ନ ଅନ୍ୟ କେଉଁଠାରେ ଦେଖି ନ ଥିବା କି ତାଙ୍କ ସହ କଥା ହୋଇ ନ ଥିବା ଓ ଘଟଣା ସହ କୌଣସି ସମ୍ପର୍କ ନ ଥିବା ଲୋକମାନେ ଶାରୀରିକ ଓ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ନାରୀ ପ୍ରତି ସମ୍ବେଦନଶୀଳ, ସହାନୁଭୂତିଶୀଳ ହେବା ବଦଳରେ ତା’ର ଚରିତ୍ର ହନନ କରିବା ପାଇଁ ଏତେ ବ୍ୟଗ୍ର କାହିଁକି? ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ପୂର୍ବରୁ ତାଙ୍କୁ କେବଳ କାଠଗଡ଼ାରେ ଠିଆ କରିବାକୁ ନୁହେଁ, ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ପ୍ରତି ଦଣ୍ଡବିଧାନ କରିବା ପାଇଁ ଏତେ ତତ୍ପର କାହିଁକି? କଥା କଥାରେ ପୁଲିସର ସପ୍ତପୁରୁଷ ଉଝାଳୁଥିବା ଲୋକମାନେ ଏ ଘଟଣାରେ ପୁଲିସ ବର୍ବରତାର ଆପାତ ପ୍ରମାଣଯୋଗ୍ୟ ତଥ୍ୟକୁ ନଜରଅନ୍ଦାଜ କରି ପୁଲିସକୁ ଦୋଷମୁକ୍ତ ସାବ୍ୟସ୍ତ କରିବା ପାଇଁ ଉଦ୍ୟମରତ କାହିଁକି? 
ଏ ସମସ୍ତ ପ୍ରଶ୍ନର ଉତ୍ତର ଗୋଟିଏ। ଆମ ପୁରୁଷକୈନ୍ଦ୍ରିକ ସମାଜ ଏ ପର୍ଯ୍ୟନ୍ତ ନିଜ ଅଧିକାର ପାଇଁ ଲଢ଼ିବାରେ ବିଶ୍ୱାସ ରଖୁଥିବା ଜଣେ ଶିକ୍ଷିତା, ସ୍ବାଧୀନଚେତା, ଆତ୍ମବିଶ୍ୱାସୀ ନାରୀକୁ ଗ୍ରହଣ କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ନୁହେଁ। ପୀଡ଼ିତାଙ୍କ ଚରିତ୍ର ସଂହାରକୁ ନିଜର ବ୍ରତ କରିଥିବା ଏହି ଘୃଣ୍ୟ ମାନସିକତା ବହନ କରୁଥିବା ଲୋକଙ୍କ ବିଚାରରେ ଘଟଣା ଦିନ ରାତିରେ ପୀଡ଼ିତ ମହିଳାଙ୍କ ଆଚରଣ ଉଦ୍ଧତ ଓ ଉଚ୍ଛୃଙ୍ଖଳ ଥିଲା। 
ଯଦି କିଛି ଅସାମାଜିକ ଲୋକ ତାଙ୍କୁ ଦୁର୍ବ୍ୟବହାର କଲେ ତେବେ ମହିଳା ଜଣକ ତାଙ୍କ ସହ ‘ପଙ୍ଗା’ ନେବା ଦରକାର ନ ଥିଲା। ‘‘ଆପେ ବଞ୍ଚିଲେ ବାପର ନଁା’’ ନ୍ୟାୟରେ ଅସାମାଜିକ ଯୁବକଙ୍କ ସହ ଯୁକ୍ତି ତର୍କ ନ କରି, କିଛି ନ କହି କାନ, ମୁଣ୍ଡ ଆଉଁସି ଘରକୁ ଚାଲି ଆସିବା ଉଚିତ ଥିଲା। ଯଦି ବି ବଚସା ହେଲା, ତେବେ ସେ ବିଷୟରେ ଅଭିଯୋଗ କରିବା ପାଇଁ ଥାନାକୁ ଯିବା ଉଚିତ ନ ଥିଲା। ଏବଂ ସର୍ବୋପରି ଥାନାରେ ମହିଳା ଅଫିସରଙ୍କୁ ‘‘ଆଇନ ପାଠ ପଢ଼ାଇବା’’ ଆଦୌ ଉଚିତ ନ ଥିଲା। 
ଚରମ ବିଡ଼ମ୍ବନାର ବିଷୟ ହେଉଛି ଏଭଳି ଚିନ୍ତାଧାରା କେବଳ ପୁରୁଷଙ୍କ ଭିତରେ ସୀମିତ ହୋଇ ରହିନାହିଁ। ଅଧିକାଂଶ ନାରୀ ମଧ୍ୟ ଏହି ରୁଗ୍‌ଣ ମାନସିକତାର ଶିକାର। ଠିକ୍ ଏହି ପ୍ରକାର ମାନସିକତା ଦେଖିବାକୁ ମିଳିଥିଲା ୧୯୯୯ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ। ଅନ୍ୟ ବହୁ ମହିଳାଙ୍କ ପରି ସେତେବେଳର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଧ୍ୟ ଅଞ୍ଜନାଙ୍କ ପ୍ରତି ସମବେଦନା ପ୍ରକାଶ କରିବା ଓ ତାଙ୍କ ପାଇଁ ନ୍ୟାୟ ଦାବି କରିବା ବଦଳରେ ଓଲଟା ତାଙ୍କ ଚରିତ୍ର ସଂହାର କରିବାର ଚେଷ୍ଟା କରିଥିଲେ। ଠିକ୍ ଭରତପୁର ଥାନା ଘଟଣାର ପୀଡ଼ିତାଙ୍କ ପରି ତାଙ୍କ ସମ୍ପର୍କରେ ବି ପ୍ରଶ୍ନ ଉଠିଥିଲା; ‘‘ସେ ରାତି ଅଧରେ ନିଜ ପୁରୁଷ ବନ୍ଧୁଙ୍କ ସହ ଏଭଳି ନିକାଞ୍ଚନ ଜାଗାକୁ ଯାଇଥିଲେ କାହିଁକି?’’ ସତେ ଯେପରି ଏଭଳି ‘‘ନିକାଞ୍ଚନ ଜାଗା’’କୁ ଗଲେ ଜଣେ ନାରୀ ଗଣଦୁଷ୍କର୍ମ ହେବାକୁ ବାଧ୍ୟ ଓ ଏଥିରେ ଆଶ୍ଚର୍ଯ୍ୟ ବା ବ୍ୟଥିତ ହେବାର କିଛି ନାହିଁ! ଏବଂ ଏଭଳି ଜଣେ ମହିଳାଙ୍କୁ ‘‘ନିକାଞ୍ଚନ ଜାଗା’’ରେ ଏକା ବା ନିଜ ପୁରୁଷ ବନ୍ଧୁଙ୍କ ସହ ପାଇଲେ ତାଙ୍କୁ ଦୁଷ୍କର୍ମ ବା ଗଣଦୁଷ୍କର୍ମ କରିବା ପୁରୁଷମାନଙ୍କର ଜନ୍ମସିଦ୍ଧ ଅଧିକାର!
କ୍ଷୋଭର ବିଷୟ ହେଉଛି, ଇତିମଧ୍ୟରେ ଚଉଠ ଶତାବ୍ଦୀ ବିତି ଯାଇଥିଲେ ମଧ୍ୟ ନାରୀ ସମ୍ପର୍କରେ ସମାଜର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ। ଜଣେ ଯଦି ବଳାତ୍କାର ବା ଗଣବଳାତ୍କାରର ଶିକାର ହେଲା, ତେବେ ଦୋଷ ବଳାତ୍କାର କରିଥିବା ବ୍ୟକ୍ତି ବା ବ୍ୟକ୍ତିମାନଙ୍କର ନୁହେଁ, ଦୁଷ୍କର୍ମର ଶିକାର ହୋଇଥିବା ସଂପୃକ୍ତ ମହିଳାଙ୍କର, ତାଙ୍କ ଉଚ୍ଛୃଙ୍ଖଳ ଆଚରଣର, ତାଙ୍କ ଯୌନୋଦ୍ଦୀପକ ପରିଧାନର- ଏଭଳି କୁତ୍ସିତ ଚିନ୍ତାଧାରା ଯେ ଆମ ସମାଜରେ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି, ଏହାଠାରୁ ଅଧିକ ଲଜ୍ଜାଜନକ ଆଉ କ’ଣ ବା ହୋଇପାରେ? 
ଅନେକେ ଯୁକ୍ତି କରନ୍ତି ଯେ ସମାଜର ଏଭଳି ମାନସିକତା ପାଇଁ ଶିକ୍ଷା ଓ ସଚେତନତାର ଅଭାବ ଦାୟୀ। କିନ୍ତୁ ଏଭଳି ଯୁକ୍ତିର ଯେ କୌଣସି ଆଧାର ନାହିଁ, ତାହା ଅତୀତରେ ଅନେକ ଘଟଣାରେ ବାରମ୍ବାର ପ୍ରମାଣିତ ହୋଇଛି। ଭରତପୁର ଥାନା ଘଟଣାରେ ମଧ୍ୟ ପୀଡ଼ିତ ମହିଳାଙ୍କ ଚରିତ୍ର ହନନରେ ଅଗ୍ରଣୀ ଭୂମିକା ନେଇଥିବା ଅଧିକାଂଶ ବ୍ୟକ୍ତି ଉଚ୍ଚ ଶିକ୍ଷିତ ଏବଂ ସେହି ଦୃଷ୍ଟିରୁ ‘‘ସଚେତନ’’ ମଧ୍ୟ। ସତ କଥା ହେଲା ଆନୁଷ୍ଠାନିକ ଶିକ୍ଷା ସହ ଏହାର କୌଣସି ସମ୍ପର୍କ ନାହିଁ। ରାଜ୍ୟ ଓ ଦେଶର ଶୀର୍ଷ ବିଶ୍ବବିଦ୍ୟାଳୟରୁ ଡିଗ୍ରି ପାଇଥିବା ଅନେକ ବ୍ୟକ୍ତି ମଧ୍ୟ ନାରୀଙ୍କ ସମ୍ପର୍କରେ ଅତ୍ୟନ୍ତ ରୁଢ଼ିବାଦୀ, ରକ୍ଷଣଶୀଳ, ମଧ୍ୟଯୁଗୀୟ ଧାରଣାରୁ ନିଜକୁ ମୁକ୍ତ କରିପାରି ନାହାନ୍ତି। ଏମାନଙ୍କ ଦୃଷ୍ଟିରେ ଅତ୍ୟାଧୁନିକ ବେଶଭୂଷା ଧାରଣ କରିଥିବା, ମଦ୍ୟପାନ କରୁଥିବା ନାରୀ ନିଃସନ୍ଦେହରେ ଚରିତ୍ରହୀନା, ବାରାଙ୍ଗନା। ଏହି ପ୍ରସଙ୍ଗରେ ସ୍ମରଣ କରାଯାଇପାରେ ଯେ ‘‘ମି ଟୁ’’ ଆନ୍ଦୋଳନ ଚରମ ସୀମାରେ ଥିଲା ବେଳେ ରାଜ୍ୟର ଏକ ପୁରାତନ ଓ ଐତିହ୍ୟ ସଂପନ୍ନ ସମ୍ବାଦପତ୍ରରେ ‘‘ମି ଟୁ ମହାମାରୀ’’ ଶୀର୍ଷକରେ ଏକ ଅତ୍ୟନ୍ତ ଅରୁଚିକର ଓ ଘୋର ନାରୀ ବିରୋଧୀ ସମ୍ପାଦକୀୟ ପ୍ରକାଶିତ ହୋଇଥିଲା, ଯେଉଁଥିରେ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣୁଥିବା ନାରୀଙ୍କୁ ‘‘ବାରାଙ୍ଗନା’’ ବୋଲି ଅଭିହିତ କରାଯାଇଥିଲା। ଏହାକୁ ନେଇ ତୀବ୍ର ପ୍ରତିରୋଧ ହେବା ପରେ ସମ୍ପୃକ୍ତ ଖବରକାଗଜ ଦୁଃଖ ପ୍ରକାଶ କଲା ସତ, କିନ୍ତୁ ସମ୍ପାଦକ ମହାଶୟଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିଲା ନାହିଁ। କିଛି ମାସ ପରେ ପୁଣି ଏକ ସମ୍ପାଦକୀୟରେ ସେ ନିଜ କୁତ୍ସିତ ନାରୀ ବିରୋଧୀ ମାନସିକତାର ପରିଚୟ ଦେଲେ। 
ପ୍ରକୃତ କଥା ହେଲା ଆମ ସମାଜରେ ଏବେ ବି ନାରୀର ଏକ ନିର୍ଦ୍ଦିଷ୍ଟ ଛବି ଅଛି। ଝିଅଟିଏ ମାନେ ସର୍ବାଙ୍ଗ ଘୋଡ଼େଇଘାଡ଼େଇ ହୋଇ ରହିବ; ନିଜ ପିତା ବା ଭାଇ ବ୍ୟତୀତ ଅନ୍ୟ କାହା ସହ ବାହାରକୁ ଯିବନାହିଁ; କେହି ତା’ ସହ ଅସଦାଚରଣ କଲେ ମଧ୍ୟ ସେ ପ୍ରତିବାଦ କି ଯୁକ୍ତିତର୍କ କରିବ ନାହିଁ, ଚୁପ୍‌ଚାପ୍ ଚାଲି ଆସିବ ଏବଂ ଦୁଷ୍କର୍ମର ଶିକାର ହେଲେ ଥାନାରେ ଅଭିଯୋଗ ନ କରି କର୍ମକୁ ଆଦରି ରହିବ, ଘର କୋଣରେ ଗୁମୁରି ଗୁମୁରି କାନ୍ଦିବ। ଏଥିରେ ସାମାନ୍ୟତମ ବ୍ୟତିକ୍ରମ ହେଲେ ନାରୀକୁ ତୁରନ୍ତ ଉଦ୍ଧତ, ଉଚ୍ଛୃଙ୍ଖଳ ଆଖ୍ୟା ମିଳିଯିବ। ଆଉ ନାରୀଟିଏ ଯଦି ମଦ ପିଇଲା, ତେବେ ତ କଥା ସରିଲା। ପୁରୁଷଟିଏ ମଦ ପିଇ ରାସ୍ତାରେ ଗଡୁ କି ନାଳରେ ପଡୁ, ତା’ର ଚରିତ୍ର ତଦ୍ଦ୍ବାରା ଆକ୍ରାନ୍ତ ହୁଏ ନାହିଁ। କିନ୍ତୁ ନାରୀ ମଦ ପିଇଲେ ଲୋକଚକ୍ଷୁରେ ସେ ଅବିଳମ୍ବେ ସ୍ଖଳିତଚରିତ୍ରା ପାଲଟିଯିବ।
ଅନେକ ବର୍ଷ ତଳେ ବିବିସିର ଜଣେ ମହିଳା ସହକର୍ମୀଙ୍କ ସହ କାଶୀପୁରର ବିବାଦୀୟ ଆଲୁମିନିଅମ୍ କାରଖାନା ସମ୍ପର୍କରେ ରିପୋଟିଂ କରିବାକୁ ଯାଇଥିଲା ବେଳେ କମ୍ପାନି ଦ୍ବାରା ନିୟୋଜିତ କିଛି ସ୍ଥାନୀୟ ଅସାମାଜିକ ଯୁବକ ଆମକୁ ବେଢ଼ିଗଲେ ଓ ଆମକୁ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲେ। ସ୍ଥାନୀୟ ରିପୋର୍ଟର ହିସାବରେ ମୁଁ ହିଁ ସ୍ଥିତିର ମୁକାବିଲା କରିବା ଉଚିତ ଥିଲା। କିନ୍ତୁ ମୁଁ କିଛି କହିବା/କରିବା ପୂର୍ବରୁ ମହିଳା ସହକର୍ମୀ ଜଣକ ଅପୂର୍ବ ସାହସର ପରିଚୟ ଦେଇ ଓଲଟା ସେମାନଙ୍କୁ ପ୍ରଶ୍ନବାଣରେ ଏମିତି ଘାଇଲା କରି ପକାଇଲେ ଯେ ସେମାନେ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ ହେଲେ। ସହକର୍ମୀ ଜଣକ ଯେଭଳି ସାହସର ସହ ପରିସ୍ଥିତିର ମୁକାବିଲା କଲେ, ତାହା ବାସ୍ତବିକ ପ୍ରଶଂସା‌େଯାଗ୍ୟ ଥିଲା। ତେବେ ଆମେ ଏଭଳି ଜଣେ ମହିଳାଙ୍କୁ କ’ଣ କହିବା? ଉଗ୍ର? ଉଦ୍ଧତ? ଉଚ୍ଛୃଙ୍ଖଳ? ନା ପ୍ରବଳ ଆତ୍ମବିଶ୍ୱାସୀ, ନିର୍ଭୟ ନୂଆ ଯୁଗର ନୂଆ ମହିଳା? 
ମୋ: ୯୯୩୭୨୨୮୧୨୨