ସନ୍ଦୀପ ସାହୁ
ଶୁକ୍ରବାର ଦିନ ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବାର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଙ୍କ ତୀବ୍ର ପ୍ରତିବାଦ ମଧ୍ୟରେ ପ୍ରସ୍ତାବିତ ‘‘ବିକଶିତ ଭାରତ: ରୋଜଗାର ଓ ଆଜୀବିକା ମିସନ (ଗ୍ରାମୀଣ)’’ - ସଂକ୍ଷେପରେ ‘‘ଭିବି: ଜି ରାମ ଜି’’ - ବିଧେୟକ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଗଲା। ୟୁପିଏ ସରକାରଙ୍କ ଅମଳରେ ୨୦୦୫ ମସିହାରେ ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ସଂକ୍ଷେପରେ ‘‘ନରେଗା’’) ବଦଳରେ ଲାଗୁ କରାଯାଉଥିବା ଏହି ନୂଆ ଆଇନଟିକୁ କେବଳ ବିରୋଧୀ ଦଳ ନୁହେଁ, ଦେଶର ଅନେକ ବୁଦ୍ଧିଜୀବୀ, ନାଗରିକ ସଂଗଠନ ଓ ଶ୍ରମିକଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ମଧ୍ୟ ବିରୋଧ କରୁଛନ୍ତି। ନୂଆ ଆଇନରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଏଥିରେ କୌଣସି ସନ୍ଦେହ ରହିବ ନାହିଁ ଯେ ଏଭଳି ବ୍ୟାପକ ବିରୋଧର ଏକ ବଳିଷ୍ଠ ଆଧାର ଅଛି।
Rs 93 crore sanction: ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଆର୍ଥିକ ଅନୁଦାନ
ନୂଆ ଆଇନର ସବୁଠାରୁ ଆପତ୍ତିଜନକ ଦିଗଟି ହେଉଛି ଏହା ଗ୍ରାମାଞ୍ଚଳର ଗରିବ ଲୋକଙ୍କର ଆଇନପ୍ରଦତ୍ତ ଅଧିକାରକୁ ଛଡ଼ାଇ ନେଇ ସେମାନଙ୍କୁ ଅନ୍ୟ ଅନେକ ସରକାରୀ ଯୋଜନା ପରି ‘‘ଲାଭାର୍ଥୀ’’ରେ ପରିଣତ କରୁଛି। ଉଲ୍ଲେଖଯୋଗ୍ୟ ଯେ ସଂବିଧାନର ଡିରେକ୍ଟିଭ ପ୍ରିନ୍ସିପଲ୍ସ ଅଫ୍ ଷ୍ଟେଟ୍ ପଲିସି (ରାଷ୍ଟ୍ରୀୟ ନୀତି ପାଇଁ ନିର୍ଦ୍ଦେଶାବଳୀ)ରେ ସନ୍ନିବେଶିତ କେନ୍ଦ୍ର ସରକାରଙ୍କ ଦ୍ବାରା କରଣୀୟ କାର୍ଯ୍ୟାବଳୀର ବିସ୍ତୃତ ସୂଚୀରେ ଅନ୍ୟତମ ହେଉଛି ଅନୁଚ୍ଛେଦ ୩୯(କ) ଓ ୪୧, ଯାହା ଦେଶର ପ୍ରତ୍ୟେକ ବ୍ୟକ୍ତିକୁ ଜୀବିକା ପାଇଁ ଆବଶ୍ୟକ ସାଧନ ଯୋଗାଇ ଦେବା ଓ ରୋଜଗାର ଅଧିକାର ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଏ। ସଂବିଧାନ ପ୍ରଣୀତ ହେବାର ଦୀର୍ଘ ୫୫ ବର୍ଷ ପରେ ସୀମିତ ଭାବରେ ହେଉ ପଛେ ‘‘ନରେଗା’’ ଆଇନ ଏହି ନିର୍ଦ୍ଦେଶ ପାଳନ କରିବାର ଚେଷ୍ଟା କରିଥିଲା। ନୂଆ ଆଇନଟି ସାଧାରଣ ନାଗରିକ ଠାରୁ ଏହି ବହୁମୂଲ୍ୟ ଅଧିକାର ଛଡ଼ାଇ ନେଇ ତାକୁ କେନ୍ଦ୍ର ସରକାରଙ୍କ ନିକଟରେ ଭିକ୍ଷାଥାଳ ଧରି ଠିଆ କରିଦେଇଛି।
‘‘ନରେଗା’’ରେ ଥିବା ବ୍ୟବସ୍ଥାରେ ଦେଶର ଯେ କୌଣସି ଅଞ୍ଚଳର ଜଣେ ନାଗରିକ ବର୍ଷର ଯେ କୌଣସି ସମୟରେ ସରକାରଙ୍କ ଠାରୁ କର୍ମନିଯୁକ୍ତି ଦାବି କରିପାରିବ ଓ ସରକାର ୧୫ ଦିନ ମଧ୍ୟରେ ସେହି ବ୍ୟକ୍ତିଙ୍କୁ ରୋଜଗାର ଯୋଗାଇ ଦେବାକୁ ବାଧ୍ୟ। ଏହି ଅବଧି ମଧ୍ୟରେ କର୍ମନିଯୁକ୍ତି ଯୋଗାଇ ଦେଇ ନ ପାରିଲେ ସରକାର ସେହି ବ୍ୟକ୍ତିଙ୍କୁ ‘‘ନରେଗା’’ରେ ନିର୍ଦ୍ଧାରିତ ମଜୁରି ଅନୁଯାୟୀ କ୍ଷତିପୂରଣ ଦେବାକୁ ବାଧ୍ୟ। ପୁରୁଣା ଆଇନରେ ନା ଥିଲା କୌଣସି ଯୋଗ୍ୟତାର ମାପକାଠି ନା କୌଣସି ଖର୍ଚ୍ଚ ସୀମା। ଜଣେ ବ୍ୟକ୍ତି ଯେତେବେଳେ ଓ ଯେତେଦିନ ପାଇଁ (ବର୍ଷକୁ ସର୍ବାଧିକ ୧୦୦ ଦିନ) ଚାହିଁବ, ସେତେବେଳେ ଓ ସେତିକି ଦିନ ପାଇଁ ରୋଜଗାର ଯୋଗାଇ ଦେବାକୁ ସରକାର ବାଧ୍ୟ। କିନ୍ତୁ ‘‘ଜି ରାମ ଜି’’ ଆଇନର ଧାରା ୫(୧) ଅନୁସାରେ ରାଜ୍ୟ ସରକାରମାନେ କେବଳ କେନ୍ଦ୍ର ସରକାରଙ୍କ ଦ୍ବାରା ବିଜ୍ଞପିତ ଗ୍ରାମୀଣ ଅଞ୍ଚଳରେ ହିଁ ଲୋକଙ୍କୁ ରୋଜଗାର ଯୋଗାଇ ଦେଇପାରିବେ। ଅର୍ଥାତ୍ କୌଣସି ଅଞ୍ଚଳ ଯଦି କେନ୍ଦ୍ର ସରକାରଙ୍କ ଦ୍ବାରା ବିଜ୍ଞପିତ ହୋଇ ନାହିଁ, ତେବେ ସେ ଅଞ୍ଚଳରେ ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ସରକାର ବାଧ୍ୟ ନୁହନ୍ତି। ‘‘ନରେଗା’’ର ଅସୀମିତ ବ୍ୟୟ ବ୍ୟବସ୍ଥାକୁ ଉଚ୍ଛେଦ କରି ନୂଆ ଆଇନର ଧାରା ୪(୫)ରେ ବ୍ୟବସ୍ଥା ରଖାଯାଇଛି ଯେ ପ୍ରତି ଆର୍ଥିକ ବର୍ଷରେ ରାଜ୍ୟମାନେ ଏହି ଯୋଜନାରେ ସର୍ବାଧିକ କେତେ ଅର୍ଥ ବ୍ୟୟ କରିପାରିବେ, କେନ୍ଦ୍ର ସରକାର ତା’ର ସୀମା ନିର୍ଦ୍ଧାରଣ କରିବେ। ନୂଆ ଆଇନର ଧାରା ୪(୬)ରେ ଆହୁରି ମଧ୍ୟ ବ୍ୟବସ୍ଥା ରଖାଯାଇଛି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସୀମା ବାହାରେ କରାଯାଇଥିବା ଖର୍ଚ୍ଚ ରାଜ୍ୟ ସରକାରମାନେ ବହନ କରିବେ। କେବଳ ସେତିକି ନୁହେଁ, ରାଜ୍ୟ ସରକାରମାନଙ୍କ ଦ୍ବାରା ପ୍ରଦତ୍ତ ଆଗତୁରା ରିପୋର୍ଟ ଆଧାରରେ ଚାଷବାସ ସମୟରେ ବର୍ଷକୁ ଦୁଇ ମାସ (୬୦ ଦିନ) ପାଇଁ ଏହି ଯୋଜନା ସ୍ଥଗିତ ରହିବ। ଅର୍ଥାତ୍ ଚାଷ ଋତୁରେ ଜଣଙ୍କର ଆବଶ୍ୟକତା ଥିଲେ ମଧ୍ୟ ସେ କର୍ମନିଯୁକ୍ତି ପାଇପାରିବ ନାହିଁ।
Horoscope 2025 December 20: ଜାଣନ୍ତୁ ଆଜିର ରାଶିଫଳ
ପୂର୍ବ ଆଇନରେ ବ୍ୟବସ୍ଥା ଥିଲା ଯେ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ କି କାର୍ଯ୍ୟ ହେବ, ତାହା ଗ୍ରାମସଭା ନିର୍ଦ୍ଧାରଣ କରିବ। କିନ୍ତୁ ନୂଆ ଆଇନର ଅନୁଚ୍ଛେଦ ୧ର ଧାରା ୬(୪) ଗ୍ରାମସଭା ଠାରୁ ଏହି କ୍ଷମତା ଛଡ଼ାଇ ନେଇଛି। ଏବେ କେଉଁ କାର୍ଯ୍ୟ ହାତକୁ ନିଆଯାଇ ପାରିବ, ସେ ନେଇ ରାଜ୍ୟ ସରକାର, ଜିଲ୍ଲା ଓ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ କେନ୍ଦ୍ର ସରକାର ‘‘ଦିଗ୍ଦର୍ଶନ’’ ଦେବେ। ଏଥିରେ ସନ୍ଦେହ ନାହିଁ ଯେ ଏହି ବିଲ୍ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ଯୋଜନା ପ୍ରଣୟନ ଓ ରୂପାୟନର ଅଧିକାର ପ୍ରଦାନ କରୁଥିବା ସଂବିଧାନର ୭୩ତମ ସଂଶୋଧନ ପଛରେ ଥିବା କ୍ଷମତାର ବିକେନ୍ଦ୍ରୀକରଣର ମୂଳ ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ପଣ୍ଡ କରିଦେବ। ମୋଟାମୋଟି ଭାବେ ଦେଖିଲେ ନୂଆ ଆଇନଟି ଏକ ଅଧିକାରସର୍ବସ୍ବ, ଚାହିଦାଭିତ୍ତିକ, ତୃଣମୂଳସ୍ତରୀୟ ଯୋଜନାକୁ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ମର୍ଜି ପାଖରେ ବନ୍ଧା ପକାଇ ଦେଉଛି।
କେନ୍ଦ୍ର ସରକାରଙ୍କ ‘‘ଦାଦାଗିରି’’ କେବଳ ଏତିକିରେ ସୀମିତ ରହିନାହିଁ। ‘‘ନରେଗା’’ରେ ଥିବା ବ୍ୟବସ୍ଥାରେ ଏହି ଯୋଜନାରେ ମଜୁରି ବାବଦକୁ ହେଉଥିବା ସମୁଦାୟ ଖର୍ଚ୍ଚ ଓ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ବାବଦକୁ ହେଉଥିବା ଖର୍ଚ୍ଚର ୭୫% କେନ୍ଦ୍ର ସରକାର ବହନ କରୁଥିଲେ। ବ୍ୟାବହାରିକ ଦୃଷ୍ଟିରୁ ଦେଖିଲେ ‘‘ନରେଗା’’ରେ ହେଉଥିବା ସମୁଦାୟ ଖର୍ଚ୍ଚ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୯୦:୧୦ ଅନୁପାତରେ ବହନ କରୁଥିଲେ। ଏବେ କିନ୍ତୁ କେବଳ ଉତ୍ତର-ପୂର୍ବ ରାଜ୍ୟ, ହିମାଳୟ ପାଦଦେଶରେ ଥିବା ଉତ୍ତରାଞ୍ଚଳ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ରାଜ୍ୟ ଏବଂ କେତୋଟି ନିର୍ଦ୍ଦିଷ୍ଟ କେନ୍ଦ୍ରଶାସିତ ଅଞ୍ଚଳ ବ୍ୟତୀତ ଅନ୍ୟ ସବୁ ରାଜ୍ୟଙ୍କୁ ମୋଟ ଖର୍ଚ୍ଚର ୪୦% ବହନ କରିବାକୁ ପଡ଼ିବ। କହିବା ବାହୁଲ୍ୟ ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାର ଭଳି ଗରିବ ଓ ଦାଦନପ୍ରବଣ ରାଜ୍ୟମାନଙ୍କ ଉପରେ ଏହା ଗୁରୁତର ଆର୍ଥିକ ବୋଝ ଲଦିଦେବ। ରାଜ୍ୟମାନେ ଏହି ବର୍ଦ୍ଧିତ ବୋଝ ସମ୍ଭାଳି ନ ପାରିଲେ ସେଠାକାର କର୍ମଜୀବୀ ଲୋକେ ସ୍ଥାନୀୟ ଅଞ୍ଚଳରେ ଆଉ କାମ ପାଇବେ ନାହିଁ ଏବଂ ଦାଦନ ସମସ୍ୟା ଆହୁରି ଗୁରୁତର ଆକାର ଧାରଣ କରିବ।
MDM: ମଧ୍ୟାହ୍ଣ ଭୋଜନ ହେଲା ପିଏମ୍ ପୋଷଣ, ସୁଧୁରିନି ଭିତ୍ତିଭୂମି
ନୂଆ ବିଲ୍ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ କେନ୍ଦ୍ର ସରକାର କହୁଛନ୍ତି ଯେ ‘‘ନରେଗା’’ରେ ବାର୍ଷିକ ମାତ୍ର ୧୦୦ ଦିନ ପାଇଁ କର୍ମନିଯୁକ୍ତି ଯୋଗାଇ ଦେବାର ବ୍ୟବସ୍ଥା ଥିଲାବେଳେ ନୂଆ ଆଇନରେ ଲୋକଙ୍କୁ ବାର୍ଷିକ ୧୨୫ ଦିନ ରୋଜଗାର ଯୋଗାଇ ଦିଆଯିବ। କିନ୍ତୁ ଗତ ପାଞ୍ଚ ବର୍ଷ ମଧ୍ୟରେ ‘‘ନରେଗା’’ରେ ଯୋଗାଇ ଦିଆଯାଇଥିବା ସମୁଦାୟ ରୋଜଗାର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ କେବଳ କୋଭିଡ୍ ବର୍ଷ (୨୦୨୦-୨୦୨୧ ଆର୍ଥିକ ବର୍ଷ)ରେ ମାତ୍ର ୯.୫% ପରିବାର (ପ୍ରାୟ ୭୨ ଲକ୍ଷ) ହିଁ ବର୍ଷକୁ ୧୦୦ ଦିନ କାମ ଲୋଡ଼ିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ମାତ୍ର ୭% ପରିବାର ଉପଲବ୍ଧ ସମୁଦାୟ ୧୦୦ ଦିନ କର୍ମନିଯୁକ୍ତିର ଉପଯୋଗ କରିଥିଲେ। ଏହି ପୃଷ୍ଠଭୂମିରେ ନୂଆ ଯୋଜନାରେ ବାର୍ଷିକ ୧୨୫ ଦିନ ରୋଜଗାର ଯୋଗାଇ ଦେବାର ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ନିରର୍ଥକ।
ସଂସଦରେ ବିଲ୍ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ସବୁଠାରୁ ଅଧିକ ଓ ତୀବ୍ର ଆପତ୍ତି ଉଠାଇଥିଲେ ନୂଆ ଯୋଜନାର ନାମକରଣକୁ ନେଇ। ସେମାନେ ଯୁକ୍ତି ବାଢ଼ିଥିଲେ ଯେ ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦେବା କେବଳ ଜାତିର ଜନକଙ୍କ ପ୍ରତି ଘୋର ଅପମାନ ନୁହେଁ; କ୍ଷମତାର ବିକେନ୍ଦ୍ରୀକରଣ, ତୃଣମୂଳସ୍ତରୀୟ ଯୋଜନା ଓ ଗ୍ରାମ ସଶକ୍ତୀକରଣ ପାଇଁ ସେ ଦେଖିଥିବା ସ୍ବପ୍ନ ଉପରେ ପ୍ରଚଣ୍ଡ କୁଠାରାଘାତ। ତା’ ସହିତ ଏହି ନୂଆ ନାମକରଣ ବିଜେପିର ରାମସର୍ବସ୍ବ ରାଜନୀତିର ଆଉ ଏକ ଉଦାହରଣ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା। ଲୋକସଭାରେ ବିଲ୍ ଉପରେ ଆଲୋଚନା ବେଳେ ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଜେପି ସରକାର ପ୍ରତି ବେଶ ଦରଦୀ ହୋଇ ପଡ଼ିଥିବା ତିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶୀ ଥରୂର ମଧ୍ୟ ୧୯୭୧ରେ ମୁକ୍ତିଲାଭ କରିଥିବା ଦେବାନନ୍ଦଙ୍କ ‘‘ହରେ ରାମ, ହରେ କୃଷ୍ଣ’’ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତର ମୁଖଡ଼ା ଉଦ୍ଧାର କରି ସରକାରଙ୍କୁ କହିଥିଲେ; ‘‘ରାମ କା ନାମ୍ ବଦନାମ ନା କରୋ।’’ କିନ୍ତୁ ବିଶିଷ୍ଟ ବୁଦ୍ଧିଜୀବୀ ଓ ସାମାଜିକ କର୍ମକର୍ତ୍ତା ଯୋଗେନ୍ଦ୍ର ଯାଦବଙ୍କ ମତରେ ନୂଆ ଯୋଜନାରୁ ଗାନ୍ଧୀଜୀଙ୍କ ନାମ ହଟାଇ ଦେବା ଯଥାର୍ଥ, କାରଣ ଏଥିରେ ଜାତିର ପିତାଙ୍କ ଆତ୍ମାକୁ ଉଚ୍ଛେଦ କରିଦିଆ ଯାଇଛି!
‘‘ନରେଗା’’ର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ବାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏହି ସମୟ ମଧ୍ୟରେ ଦେଶରେ ୪,୫୮୫ କୋଟି ‘‘ମ୍ୟାନ୍ ଡେ’’ (ଦୈନିକ ରୋଜଗାର) ସୃଷ୍ଟି କରାଯାଇ ପାରିଛି। ଏହାଦ୍ବାରା ଆହୁରି ମଧ୍ୟ ଗ୍ରାମାଞ୍ଚଳରେ ୯.୫ କୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ପାରିଛି। ଏହି ଆକଳନ ଅନୁଯାୟୀ ପ୍ରତି ବର୍ଷ ହାରାହାରି ୫ କୋଟିରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି। କୋଭିଡ୍ ସମୟରେ(୨୦୨୦-୨୧) ଏହି ଯୋଜନା କୋଟି କୋଟି ଲୋକଙ୍କୁ ଭୋକରେ ମୃତ୍ୟୁବରଣ କରିବାରୁ ରୋକିଥିଲା। ଏସବୁ ସତ୍ତ୍ୱେ ଏହି ଯୋଜନାକୁ ସମାଧି ଦେବା କେନ୍ଦ୍ର ସରକାରଙ୍କ ପାଇଁ କାହିଁକି ଏତେ ଜରୁରି ହୋଇ ପଡ଼ିଲା, ତାହାର ଉତ୍ତର ସରକାର ଦେଉ ନାହାନ୍ତି। କେହି କହୁ ନାହିଁ ଯେ ‘‘ନରେଗା’’ରେ ସବୁକିଛି ଠିକ୍ ଚାଲିଥିଲା ବା ଏଥିରେ ଦୁର୍ନୀତି ହେଉ ନ ଥିଲା। କିନ୍ତୁ ଏଥିପାଇଁ ଏଭଳି ଏକ ପ୍ରଗତିଶୀଳ, ଲୋକହିତକର ଯୋଜନାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେବା ଅଗାଡ଼ି ବାଛିବାକୁ ଯାଇ ଧାନକୁ ବି ଫୋପାଡ଼ି ଦେବା ଭଳି କଥା ନୁହେଁ କି? ଯୋଜନାରେ ଯଦି କିଛି ତ୍ରୁଟି ଥିଲା, ତେବେ ତାକୁ ନ ସୁଧାରି ସମୁଦାୟ ଯୋଜନାଟିକୁ ଅଳିଆଗଦାକୁ ଫୋପାଡ଼ି ଦେବା କେତେ ଦୂର ଯୁକ୍ତିଯୁକ୍ତ? ‘‘ଜି ରାମ ଜି’’ ଯୋଜନାରେ କୌଣସି ତ୍ରୁଟି ହେବ ନାହିଁ କି ବାଟମାରଣା ହେବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେବେ କି?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୨୨୮୧୨୨
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/20/fhfsfhshfsxbv-2025-12-20-00-12-25.jpg)