ଅଭିରାମ ବିଶ୍ବାଳ

ସିଏ ଛଅଟି ଭାଷାରେ କଥାବାର୍ତ୍ତା ହୋଇ ପାରୁଥିଲେ ଓ ଲେଖି ପାରୁଥିଲେ, ବୁଝୁଥିଲେ ଆଠଟି ଭାଷା; ହେଲେ ନାଟକ କରୁଥିଲେ ନିଜ ମାତୃଭାଷା ମଣିପୁରୀରେ। ଯେଉଁ ପ୍ରଖ୍ୟାତ ନାଟ୍ୟ ଶିକ୍ଷା, ତାଲିମ ଓ ପ୍ରଚାର ପ୍ରସାର ଅନୁଷ୍ଠାନ ନୂଆଦିଲ୍ଲୀର ନେସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନ୍.ଏସ୍.ଡି.)ର ସିଏ ଏକଦା ଛାତ୍ର ଥିଲେ ଏବଂ ପରବର୍ତ୍ତୀ ସମୟରେ ଯାହାର ନିର୍ଦ୍ଦେଶକ ଓ ଚେୟାରମ୍ୟାନ ହୋଇପାରିଥିଲେ ସେଇ ରତନ ଥିୟାମ ନିଜ ରାଜ୍ୟ ମଣିପୁରରେ ୧୯୭୬ ମସିହା ଏପ୍ରିଲ ମାସରେ ‘କୋରସ୍ ରିପୋଟେରି ଥିଏଟର୍’ ପ୍ରତିଷ୍ଠା କରି ପାଞ୍ଚ ଦଶନ୍ଧି ଧରି ନିଜକୁ ନିୟୋଜିତ କରିଥିଲେ ସ୍ରଷ୍ଟା, ଶିଳ୍ପୀ, କର୍ମୀ ଓ ନିର୍ଦ୍ଦେଶକ ଭାବେ ରଙ୍ଗମଞ୍ଚ କ୍ଷେତ୍ରରେ। ତାଙ୍କ ଭଳି ଦୃଷ୍ଟାନ୍ତ ପ୍ରମାଣ କରେ ଯେ ଯିଏ ଯେତେ ସାଂସ୍କୃତିକ ଚେରମୂଳ ସଂଯୁକ୍ତ, ସିଏ ସେତେ ଶାଖାପ୍ରଶାଖାମୟ, ଡେଣା ଖଚିତ, ଉଡ଼ାଣ ସକ୍ଷମ ଓ ସର୍ବଜନୀନ। ନିଜେ ରତନ ବିଶ୍ବାସ କରୁଥିଲେ ସ୍ଥାନୀୟ ଓ ଆଞ୍ଚଳିକ ଅସ୍ମିତାର ଜାତୀୟ ତଥା ନିଖିଳ ଚରିତ୍ରରେ। ଉତ୍ତର ପୂର୍ବ ଯେ ମୁଖ୍ୟ ସ୍ରୋତର ନୁହେଁ, ତାହା ‌ସିଏ ଅସ୍ବୀକାର କରୁଥିଲେ। ଆହୁରି କହୁଥିଲେ- କୌଣସି ଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ କାହିଁକି ଗଲ୍‌ ବ୍ଲାଡର୍ ବା ପିତ୍ତାଶୟ ଥଳି ବୋଲି ବିବେଚନା କରାଯିବ? ସେମିତି ହେଲେ କ୍ଷତି ସଭିଁଙ୍କର- ଦେଶର, ଅଞ୍ଚଳର ଓ ଲୋକଙ୍କର।
ଗୁଣଚେନ୍‌ବି ଜଣେ କୁନି ମଣିପୁରୀ ଝିଅ। ଦୀର୍ଘ କାଳ ଅସୁସ୍ଥ ଥିବା ରତନ ଥିୟାମ ଜୀବନର ଶେଷ ପର୍ଯ୍ୟାୟରେ ଶଯ୍ୟାଶାୟୀ ଥିବା ଅବସ୍ଥାରେ ସେ କୁନି ଝିଅ ତାଙ୍କୁ ଗାଇ ଶୁଣାଇଥିଲେ ରବୀନ୍ଦ୍ରନାଥ ଠାକୁରଙ୍କ ଏଇ ଗୀତ- ‘‘ଓରେ ଗୃହୋବାସୀ, ଖୋଲ୍ ଦ୍ବାର୍, ଖୋଲ୍’’। ଯେଉଁ ଗୀତ ବସନ୍ତ ଋତୁର ସଂକେତ ଦେବା ସାଙ୍ଗକୁ କହୁଥିଲା- ହେ ଗୃହବାସୀ, ଦୁଆର ଖୋଲ। ବାହାରକୁ ଆସ। ଦେଖ ପଳାଶ ଫୁଲ, ଅଶୋକ ବୃକ୍ଷ, ପ୍ରଜାପତି, ମହୁମାଛି ଓ ବାଦଲ ଢଙ୍କା ଆକାଶର ଶୋଭାରାଜି। ଥିୟାମ କିନ୍ତୁ ଚାଲିଗଲେ। ସେତେବେଳକୁ ତାଙ୍କୁ ବୟସ ହୋଇଥାଏ ୭୭ (୧୯୪୮ ଜାନୁଆରି ୨୦ - ୨୦୨୫ ଜୁଲାଇ ୨୩)। ଗୁରୁଦେବଙ୍କ କୃତି ଜୀବଦ୍ଦଶାରେ ରତନଙ୍କୁ ବେଶ୍‌ ଅନୁପ୍ରାଣିତ କରିଥିଲା। ରବୀନ୍ଦ୍ରନାଥ ରଚିତ ‘‘ରକ୍ତକବରୀ’’ ନାଟକ ସମ୍ମାନରେ ଏକ ଚମତ୍କାର ରେଖାଚିତ୍ର ଆଙ୍କିଥିଲେ ଥିୟାମ। ୧୯୨୩-୨୪ରେ ଲେଖା ହୋଇଥିଲା ସେ ନାଟକ, ଯେତେବେଳେ ଗୁରୁଦେବ ଉତ୍ତର ପୂର୍ବର ଶିଲଂରେ ଅବସ୍ଥାନ କରୁଥିଲେ। ତାହା ଥିଲା ଏକ ପ୍ରତିବାଦ ନାଟକ, ଯେଉଁଥିରେ ଅତ୍ୟାଚାରୀ ରାଜା ପ୍ରଜାମାନଙ୍କୁ ଏତେ ଶୋଷଣ କରୁଥିଲେ ଯେ ସେମାନଙ୍କୁ ସିଏ ସୁନା ଖଣିରେ ଗଧ ଖଟଣି ଖଟାଇବାକୁ ବାଧ୍ୟ କରୁଥିଲେ। ୧୯୧୦ ମସିହାରେ ରବୀନ୍ଦ୍ରନାଥ ସୃଷ୍ଟ ‘ରାଜା’ ନାଟକ ଥିୟାମଙ୍କ ହାତରେ ନୂଆ ରୂପ ନେଇଥିଲା- ଯେ ରାଣୀ କେମିତି ଅନ୍ଧାରର ମୁକାବିଲା କରନ୍ତି। ମୂଳ ନାଟକ‌ର କଥାବସ୍ତୁ ଅନୁସାର ଜଣେ ମହାନୁଭବ ରାଜା ନିଜ ଚେହେରାକୁ ଏମିତି ନାପସନ୍ଦ କରୁଥିଲେ ଯେ ସିଏ ସବୁବେଳେ ରହୁଥିଲେ ଏକ ଅନ୍ଧାରୁଆ ପ୍ରକୋଷ୍ଠରେ। ଅତି ଭଲ ବଙ୍ଗଳା ଜାଣିଥିଲେ ରତନ। ନବଦ୍ବୀପରେ ତାଙ୍କର ଜନ୍ମ ହୋଇଥିଲା ଯେଉଁଠିକି ଏକ ପରିବେଷଣ ଗସ୍ତରେ ଯାଇଥିଲେ ତାଙ୍କ ନୃତ୍ୟ ଗୁରୁ ପିତା ଓ ନୃତ୍ୟାଙ୍ଗନା ମାତା।
୧୯୮୪ ମସିହା ଅକ୍‌ଟୋବର ଶେଷ ସପ୍ତାହର କଥା। ଦିଲ୍ଲୀରୁ ରାଉରକେଲା ଆସୁଥାଏ। ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ପରିଚିତ କେତେ ଜଣ ଉତ୍ତରପୂର୍ବ ଭାରତୀୟ ବନ୍ଧୁ କହିଲେ- ଠିକ୍ ସମୟରେ ତମେ ଓଡ଼ିଶା ଯାଉଛ। ଅନ୍ୟ ଭାରତୀୟ ଭାଷାର ନାଟକ ତ ଆମେ ଦେଖୁଥାଏଁ। କିନ୍ତୁ ସମୟ କାଢ଼ି ଓ ଭୁବନେଶ୍ବର ଯାଇ ରତନ ଥିୟାମଙ୍କ ‘ଚକ୍ରବ୍ୟୂହ’ ନାଟକ ନିଶ୍ଚୟ ଦେଖିବାକୁ ଚେଷ୍ଟା କରିବ। ସେତେବେଳକୁ ରତନ ଭୁବନେଶ୍ବର ଆସିଥାନ୍ତି ଯେଉଁଠିକି ତାଙ୍କ ‘ଚକ୍ରବ୍ୟୂହ’ ପ୍ରଦର୍ଶିତ ହେବାର ଥିଲା ସଂଗୀତ ନାଟକ ଏକାଡେମୀ ପ୍ରାୟୋଜିତ ପୂର୍ବ-ଭାରତ ନାଟକ ମହୋତ୍ସବରେ ଅକ୍‌ଟୋବର ୩୧ ତାରିଖ ଦିନ। ହେଲେ, ସେ ପ୍ରଦର୍ଶନ ସମ୍ଭବ ହେଲାନି କି ଏଇ ଲେଖକଙ୍କର ଦିଲ୍ଲୀରୁ ଓଡ଼ିଶା ଆସିବା ଓ ଭୁବନେଶ୍ବରରେ ସେ ନାଟକ ଦେଖିବା ଅଭିଳାଷ ଫଳବତୀ ହୋଇପାରିଲାନି। କାରଣ ଥିଲା ଇନ୍ଦିରା ଗାନ୍ଧୀଙ୍କ ନିଧନ ଓ ପରବର୍ତ୍ତୀ ବ୍ୟାପକ ଦଙ୍ଗା ଯୋଗୁଁ ଦେଶ ସାରା ସମସ୍ତ କାର୍ଯ୍ୟକ୍ରମ ଓ ସବୁ ଟ୍ରେନ୍ ବାତିଲ ହୋଇଯିବା। ଅକ୍‌ଟୋବର ୩୦ ତାରିଖରେ ଇନ୍ଦିରା ଗାନ୍ଧୀ ଭୁବନେଶ୍ବର ଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଉଥିଲା ବେଳେ ରତନ ଓ ପ୍ରଥିତଯଶା ବିଦ୍ବାନ ଶମିକ ବନ୍ଦୋପାଧ୍ୟାୟ ଏବେକାର ଇନ୍ଦିରା ଗାନ୍ଧୀ ପାର୍କର ଅନତି ଦୂରରେ ଏକ ରେସ୍ତୋରଁାରେ ବସି ‘ଚକ୍ରବ୍ୟୂହ’ର କେତେକ ଇଂଲିସ ଉପଶୀର୍ଷକ ଚୂଡ଼ାନ୍ତ କରୁଥାନ୍ତି ଏବଂ ମାଇକ୍ ଶବ୍ଦ ବାଟେ ଭାସି ଆସୁଥିବା ଭାଷଣର କିଛି କିଛି ଅଂଶ ଶୁଣୁଥାନ୍ତି। ମୂଳ କାର୍ଯ୍ୟସୂଚି ମୁତାବକ ଭୁବନେଶ୍ବରରେ ପ୍ରଦର୍ଶିତ ହେବାକୁ ଥିବା ନାଟକ ଭିତରୁ କେତୋଟି ବଛା ହୋଇଥାନ୍ତେ ପରବର୍ତ୍ତୀ ସମୟରେ ଦିଲ୍ଲୀଠାରେ ହେବାକୁ ଥିବା ଯୁବ ନିର୍ଦ୍ଦେଶକଙ୍କ ନାଟକ ଉତ୍ସବ ସକାଶେ। କାର୍ଯ୍ୟକ୍ରମ ବାତିଲ ହେଲେ କ’ଣ ହେବ, ପ୍ରାକ୍ ପ୍ରଦର୍ଶନ ରିହର୍‌ସଲ ଦେଖି ବିଚାରକ ବନ୍ଦୋପାଧ୍ୟାୟ ଏତେ ଅଭିଭୂତ ହୋଇଯାଇଥିଲେ ଯେ ସିଏ ଥିୟାମଙ୍କ ନାଟକକୁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ବାଛିଥିଲେ। ତାଙ୍କ ମତରେ ଥିୟାମ ଥିଲେ ‘ରଙ୍ଗମଞ୍ଚର କବି’। ଏବେକାର ମଣିପୁରର ରାଜନୀତିକ ପରିସ୍ଥିତି, କୁକି-ମୈତେଇ ଲଢ଼ାଲଢ଼ି ଏବଂ ସେ ସବୁର ଐତିହାସିକ ପୃଷ୍ଠଭୂମି ମିଶେଇ ଅନୁଶୀଳନ କଲେ ଲାଗିବ ୧୯୮୪ର ‘ଚକ୍ରବ୍ୟୂହ’ର ସନ୍ଦେଶ ସଂପ୍ରତି ଅଧିକ ମହତ୍ତ୍ବପୂର୍ଣ୍ଣ। ନାଟକର ଶେଷକୁ ଅଭିମନ୍ୟୁ କହିଛନ୍ତି- ମୁଁ ସହିଦ ‌ନା ବଳିର ବୋଦା!
କେବଳ ‘ଚକ୍ରବ୍ୟୂହ’ ଓ ‘ରାଜା’ ପ୍ରସ୍ତୁତି ତଥା ନିର୍ଦ୍ଦେଶନାରେ ସୀମିତ ନ ଥିଲା ରତନଙ୍କ ରଙ୍ଗମଞ୍ଚୀୟ କଳାକୃତି। ତାଙ୍କ ମଣିପୁରୀତ୍ରୟୀ କହିଲେ ବୁଝାଏ ୱାହୋଡକ୍ (ପ୍ରାକ୍‌ଭାଷ), ହେ ନୁଂଗ୍‌ସିବି ପୃଥିବୀ (ହେ ମୋର ଅତି ପ୍ରିୟ ଧରିତ୍ରୀ) ଓ ଚିଂଗ୍‌ଲୋନ୍ ମାପନ୍ ତଂପାକ୍ ଆମା (ନଅଟି ପାହାଡ଼କୁ ଗୋଟିଏ ଉପତ୍ୟକା) ଯେଉଁଥିରେ ମଣିପୁରୀ ସଂସ୍କୃତି, ଅତିକଥା, କିଂବଦନ୍ତି ଓ ଧର୍ମଧାରଣା ଜୈବିକ ସୂତ୍ରରେ ଗର୍ଭିତ। ସେମିତି ରତନଙ୍କ ମହାଭାରତତ୍ରୟୀରେ ସାମିଲ ‘ଚକ୍ରବ୍ୟୂହ’ ସାଙ୍ଗକୁ ଉରୁଭଙ୍ଗମ୍ ଓ କରଣଭାରମ୍, ଯେଉଁଥିରେ ମହାଭାରତର ଅଭିନବ ତଥା ଅତ୍ୟାଧୁନିକ ବଖାଣ କରାଯାଇଛି, ଯେମିତି କରିଛନ୍ତି ନିଜ ନିଜ ବାଗରେ ରଙ୍ଗମଞ୍ଚର କଲମ୍ବସ୍ ବିବେଚିତ ପିଟର୍ ବ୍ରୁକ୍ ଓ ଜ୍ଞାନପୀଠ ‌ବିଜୟିନୀ ମହାଶ୍ବେତା ଦେବୀ। ତାଙ୍କର ଆଉ କେତେକ ବହୁଚର୍ଚ୍ଚିତ ନାଟକ ହେଲା ଋତୁସଂହାରମ୍ (କାଳିଦାସଙ୍କ ମୂଳ କୃତି ଆଧାରିତ), ଇମ୍ଫାଲ୍ ଇମ୍ଫାଲ୍, ଉତ୍ତର ପ୍ରିୟଦର୍ଶୀ (ସଚ୍ଚିଦାନନ୍ଦ ହୀରାନନ୍ଦ ବାତ୍ସ୍ୟାୟନ ଓରଫ୍ ଅଜ୍ଞେୟଙ୍କ ସୃଷ୍ଟି କୈନ୍ଦ୍ରିକ), ଅନ୍ଧଯୁଗ (ଧର୍ମବୀର ଭାରତୀଙ୍କ ଲେଖାକୁ ନେଇ), ଅଶିବାଗୀ ଇଶାଇ (ଇବ୍‌ସେନ୍‌ଙ୍କ ‘‘ହୋଏନ୍ ଉଇ ଡେଡ୍ ଆଓକେନ୍’’ ଛାୟାରେ), ଲେଙ୍ଗ୍‌ସୋନେଇ (ଆନ୍ତିଜୋନ୍ ଚରିତ୍ର ସମ୍ବଳିତ), ମାକ୍‌ବେଥ୍‌ ଏବଂ ଲୈରେମ୍ବିଗୀ ଇଶାଇ (ଅପସରାଙ୍କ ଗୀତ)। ଶେଷୋକ୍ତ ନାଟକଟି ଥିଲା ପର୍ଯ୍ୟାବରଣୀୟ ବିଭୀଷିକାକୁ ନେଇ।
ରତନ ଥିୟାମଙ୍କ ନାଟକ ଯିଏ ଦେଖିଚି, ସିଏ ଅଭିଭୂତ ହେବା ହିଁ ଥୟ। ସିଏ ଭାରତୀୟ ରଙ୍ଗମଞ୍ଚ ଜଗତର ଜଣେ ଅଦ୍ବିତୀୟ ବିସ୍ମୟ ଯାହାଙ୍କ କୃତିରେ କବିତା, ଦର୍ଶନ, ନନ୍ଦନ, ନୃତ୍ୟ, ଗୀତ, ସଂଗୀତ, ଅଭିନୟ, ସଂଳାପ, ସାରବତ୍ତା, ନିରବତା, ବେଶଭୂଷା, ମଞ୍ଚସଜା, ଆଲୋକ, ଛାୟା, ଦୃଶ୍ୟ ସଂରଚନା, ବୈଷ୍ଣବୀୟ ରାସଲୀଳା, ମଣିପୁରୀ ସମର କଳା, ପରମ୍ପରା, ଆଧୁନିକତା, ମହାଭାରତ, କାଳିଦାସ, ସେକ୍‌ସପିଅର, ନାଟ୍ୟଶାସ୍ତ୍ର, ଭାରତୀୟ ପୁରାଣ, ପୋଲାଣ୍ଡର ଜର୍ଜି ଗ୍ରୋଟୋସ୍କି, ଜାପାନର ତାଦାସି ସୁଜୁକି, ନରୱେର ଇବ୍‌ସେନ, ଜର୍ମାନର ବ୍ରେଖ୍‌ତ, ଗ୍ରୀକ୍ ଟ୍ରାଜେଡି, ଜାପାନୀ ଶାସ୍ତ୍ରୀୟତା ଗୀତିନାଟ୍ୟ ନୋହରେ ସ୍ଥାନୀୟତା ଓ ମହାଭାରତୀୟତାର ଅଦ୍ଭୁତ ସମ୍ମିଳିତ ପରିପ୍ରକାଶ ଘଟିଥାଏ। ତାଙ୍କୁ ଯଥାର୍ଥରେ ‘ଥିଏଟର୍ ଅଫ୍‌ ରୁଟ୍‌ସ’ ଆନ୍ଦୋଳନର ଅନ୍ୟତମ ଅଗ୍ରଦୂତ ବୋଲି କୁହାଯାଏ, ‌େଯମିତି ଧରାଯାଏ ହବିବ ତନୱିର, ବି. ଭି. କରନ୍ଥ, କେ. ଏନ. ପାନ୍ନିକର, ଜବର ପଟେଲ ଓ ବଂଶୀ କାଭଲ୍‌ଙ୍କୁ। ତାଙ୍କ ଉପରେ କବିତା ଯୋଶୀ ଓ ମାଳତୀ ରାଓ ନିର୍ଦ୍ଦେଶିତ ଏକ ଚମତ୍କାର ବୃତ୍ତଚିତ୍ର ହେଲା- ‘‘ସମ୍ ରୁଟ୍‌ସ ଗ୍ରୋ ଅପ୍‌ୱାର୍ଡସ’’ ଓ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରମାଣିକ ଛବି ହେଲା ପପିୟା ରାୟଙ୍କ ରତନ। ଥିୟାମ କହନ୍ତି- ଜଣେ କଳାକର୍ମୀ କେବେ ଚୁପ୍ ରହିପାରିବେନି କି ତାଙ୍କୁ ଚୁପ୍ କରାଯାଇ ପାରିବନି। ତାଙ୍କ ଅଭିବ୍ୟକ୍ତି ନିର୍ଦ୍ଧାରିତ ହୁଏ ସମୟର ଦାବି ଓ ଇତିହାସର ଚକ୍ର ଦ୍ବାରା। ଆଇଡିଆ ମୁଣ୍ଡରେ ଜୁଟି ପିଠିରେ ଲାତ ମାରିଲେ ଯେଉଁ ନାଟକ ବାହାରେ, ସେଥିରେ ବାସ୍ତବତାର କଙ୍କାଳ ଓ ଖପୁରି ସାଙ୍ଗକୁ କଳ୍ପନାର ଭୂଷଣ ଆଉ ସଂପଦ ଫୁଟି ବାହାରେ। ନାଟକରେ ଖାଲି କଳା ପକ୍ଷ ନୁହେଁ, ସତ୍ୟ ପକ୍ଷ ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ। ମନୋରଞ୍ଜନରେ ଅଟକି ଯିବା ନାଟକର ଧର୍ମ ନୁହେଁ; ଚିତ୍ତ ପ୍ରସାରଣ ତା’ର ଧାତୁଗୁଣ। ଅନ୍ଧାର ଘୋଟିଛି ବୋଲି କ’ଣ ଗୀତ ଗାଇବା ବି ବନ୍ଦ ହୋଇଯିବ! ଗାଇ ହେବ ତ ଅନ୍ଧାର ବାବଦରେ, ବିରୋଧରେ!
ଆଦ୍ୟ ଯୌବନରେ ରତନ ସାହିତ୍ୟ, ସଂପାଦନା, ଚିତ୍ରକଳା, ସ୍ଥାପତ୍ୟ ଓ ଡିଜାଇନ ଭଳି ଗୁରୁତ୍ବପୂର୍ଣ୍ଣ କୋମଳ କ୍ଷେତ୍ରରେ ବେଶ୍ ସକ୍ରିୟ ଥିଲେ। ଏକଦା ସିଏ ଭାବିଥିଲେ ଚେ ଗ୍ବାଭେରାଙ୍କୁ ଭେଟିବେ ଓ କ୍ୟୁବା ଯାଇ ବିପ୍ଳବରେ ପ୍ରଶିକ୍ଷଣ ଲାଭ କରି ଫେରିଆସି ସେ ଅନୁଭବର କ୍ଷେତ୍ର ପ୍ରୟୋଗ କରିବେ। ଏନ୍.ଏସ୍.ଡି.ରେ ତାଙ୍କ ବ୍ୟାଚ୍‌ର ଥିଲେ ପରବର୍ତ୍ତୀ ସମୟରେ ‘ଗାନ୍ଧୀ’ ଚଳଚ୍ଚିତ୍ରର କସ୍ତୁରବା ଖ୍ୟାତିସଂପନ୍ନା ରୋହିଣୀ ହାତଙ୍ଗଡ଼ି, ଯିଏ ରତନଙ୍କ ବାବଦରେ କହନ୍ତି- ଥିୟାମ ଥିଲେ ପରିଶ୍ରମୀ, କୌତୂହଳୀ ଏବଂ ଉଭୟ ଶବ୍ଦ ଓ ଗତି କ୍ଷେତ୍ରରେ ବେଶ୍ ପରୀକ୍ଷାନିରୀକ୍ଷା ପ୍ରିୟ। ତାଙ୍କ ଉପର ବ୍ୟାଚ୍‌ର ଥିଲେ ନସିରୁଦ୍ଦିନ ଶାହ ଏବଂ ଓମ ପୁରୀ; ତଳ ବ୍ୟାଚ୍‌ର ପ୍ରସନ୍ନା ଓ ରାଜ୍ ବବର। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ଏକଦା ଉଭୟ ପ୍ରଫେସର ଓ ନିର୍ଦ୍ଦେଶିକା ଥିବା ଅନୁରାଧା କାପୁରଙ୍କ ମତରେ- ରତନ ଥିୟାମଙ୍କ ରଙ୍ଗମଞ୍ଚକୁ ଅବଦାନ ଭାଷାତୀତ; କିନ୍ତୁ ଯାହା ସ୍ମୃତିରେ ରହିଯାଏ ତାହା ହେଲା ରଙ୍ଗମଞ୍ଚ କଳା ପ୍ରତି ତାଙ୍କ ଅନୁରାଗ ଓ ସେଥିରୁ ଉତ୍ପନ୍ନ ଗହନ ସୌନ୍ଦର୍ଯ୍ୟ। ‘ଚକ୍ରବ୍ୟୂହ’ ମାନେ ଦୃଶ୍ୟର ଯାଦୁ।
ଲେଖିକା, ରଙ୍ଗମଞ୍ଚ ନିର୍ଦ୍ଦେଶିକା ଓ ଏନ୍.ଏସ୍.ଡି.ର ପ୍ରାକ୍ତନ ଅଧ୍ୟକ୍ଷା ଏବଂ ଇବ୍ରାହିମ୍ ଆଲ୍‌କାଜୀଙ୍କ ଝିଅ ଆମାଲ ଆଲାନା ନିକଟରେ ରତନଙ୍କ ପ୍ରତି ନିଜର ଏକ ପ୍ରଭାବଶାଳୀ ଶ୍ରଦ୍ଧାଞ୍ଜଳିରେ ଏଇଆ ବ୍ୟକ୍ତ କରିଛନ୍ତି- ଦିଲ୍ଲୀଠାରେ ଭାରତ ରଙ୍ଗ ମହୋତ୍ସବର ଆଉ ଏକ ସଂସ୍କରଣରେ ଥିୟାମଙ୍କ ଟ୍ରୁପ ପରିବେଷଣ ସାରିଲା ପରେ ମଞ୍ଚକୁ ଆମନ୍ତ୍ରଣ କରାଯାଇଥିଲା ରତନଙ୍କ ଗୁରୁ ଓ ରତନଙ୍କ ସମୟର ଏନ୍.ଏସ୍.ଡି. ନିର୍ଦ୍ଦେଶକ ଇବ୍ରାହିମ୍ ଅାଲ୍‌କାଜୀଙ୍କୁ। ସିଏ ରତନଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣେଇବା ଆଗରୁ ନିଜ ଗୁରୁଙ୍କ ଗୋଡ଼ ତଳେ ଲମ୍ବ ହୋଇ ପଡ଼ିଯାଇଥିଲେ ଖୋଦ ଥିୟାମ। ଶ୍ରୋତା-ଦର୍ଶକଙ୍କ କରତାଳିରେ କମ୍ପି ଉଠିଥିଲା ପ୍ରେକ୍ଷାଳୟ। ସମସ୍ତଙ୍କୁ ଟିକେ ନିରବତା ରକ୍ଷା କରିବାକୁ ଅନୁରୋଧ ଜଣାଇ ଆଲ୍‌କାଜୀ କହିଥିଲେ- ଜଣେ ଶିକ୍ଷକର ଜୀବନରେ ଅନ୍ୟତମ ପରମ ତୃପ୍ତିଦାୟକ ମୁହୂର୍ତ୍ତ ହେଲା ନିଜ ଛାତ୍ରଛାତ୍ରୀ ତାଙ୍କୁ ଟପିଯିବା। ପୁଣି ଥରେ କରତାଳିରେ କମ୍ପି ଉଠିଥିଲା ବାତାବରଣ ଯେମିତି ସବୁ ରତନ ପ୍ରଦର୍ଶନ ପରେ ସର୍ବଦା ଘଟିଥାଏ।
ଅନେକ ମହାପ୍ରତିଭା ଥାଆନ୍ତି, ଯାହାଙ୍କୁ ଆମେ ମନେପକାଉ ସେମାନେ ଚାଲିଗଲା ପରେ; କିନ୍ତୁ ରତନ ଥିୟାମମାନେ ଏମିତିଆ ବ୍ୟକ୍ତିତ୍ବ ଯାହାଙ୍କୁ କେହି ଭୁଲିପାରିବେନି। ସିଏ ଥିଲେ ବିବିଧତା ଭିତରେ ଏକତାର ଜୀବନ୍ତ ପ୍ରତୀକ ଓ ପ୍ରତିନିଧି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୦୭୦୭୯