ଇତିହାସ ଆଲୋଚନା: ଏସିଆର ଦୁଇ ପ୍ରାଚୀନ ସଭ୍ୟତା

ଅମିୟ ଭୂଷଣ ତ୍ରିପାଠୀ

ପୃଥିବୀର ପ୍ରାଚୀନ ସଭ୍ୟତାମାନଙ୍କ ମଧୢରେ ଏସିଆ ମହାଦେଶରେ ଚାରିଟି ଥିଲା। ମଧୢ ପ୍ରାଚ୍ୟ‌େର ବେବିଲୋନ, ଭାରତ, ସୁଦୂର ପ୍ରାଚ୍ୟରେ ଚୀନ୍‌ ଓ ଜାପାନ। ଯେହେତୁ ଭାରତ ବ୍ରିଟିସ୍‌ ଉପନିବେଶର ଅ˚ଶ ଥିଲା, ଆମର ଇତିହାସ ଅଧୢୟନ ଭାରତକୁ ଛାଡ଼ି ଦେଲେ ୟୁରୋପ-କୈନ୍ଦ୍ରିକ ଥିଲା। ଚୀନ ଓ ଜାପାନ ବିଷୟରେ ସାମାନ୍ୟ ଧାରଣା ଥିଲା। ଅତି ପ୍ରାଚୀନ କାଳରୁ ଚୀନ୍‌ ଐତିହାସିକ ତଥ୍ୟ ସ˚ଗ୍ରହ ଓ ଇତିହାସ ଲିଖନକୁ ଅଗ୍ରାଧିକାର ଦେଉଥିଲା, କିନ୍ତୁ ସେପରି ପରମ୍ପରା ଭାରତରେ ନ ଥିଲା; କିଛି ରାଜବ˚ଶ ସାମାନ୍ୟ ପ୍ରଚେଷ୍ଟା ଯାହା କରିଥିଲେ। କାଶ୍ମୀରର ରାଜତରଙ୍ଗିଣୀ ଏହାର ଏକ ଉଦାହରଣ। ଫଳରେ ଭାରତରେ ଇତିହାସ ଉପରେ ଲେଖା ମୋଗଲ ଯୁଗରେ ଆରମ୍ଭ ହେଲା। ବ୍ରିଟିସ୍‌ମାନେ ସମଗ୍ର ଭାରତ ଅଧିକାର କରି ଏହାର ଇତିହାସ ଲେଖିଲେ। ତା’ ପରେ ଭାରତୀୟ ଐତିହାସିକମାନେ ମଧୢ ଆସିଲେ। ସ୍ବାଧୀନତା ପ୍ରାପ୍ତି ପରେ ଐତିହାସିକମାନେ ଭାରତ ଇତିହାସ ଲେଖା ଜାରି ରଖିଲେ।

ଭାରତର ଇତିହାସ ଲିଖନ ବର୍ତ୍ତମାନ ଏକ ଅତି ଜଟିଳ ଓ କଠିନ ସମୟ ମଧୢରେ ଗତି କରୁଛି; ଯାହା ଆଗରୁ ନ ଥିଲା। ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀମାନେ ଭାରତର ଇତିହାସକୁ ବାମପନ୍ଥୀମାନଙ୍କ ଦ୍ବାରା ଲିଖିତ ବୋଲି ଅଭିଯୋଗ କରି ନୂତନ ଇତିହାସ ଲିଖନ ଉପରେ ଜୋର ଦେଉଛନ୍ତି। ଏ ଯେଉଁ ଅଭିଯାନ ଚାଲିଛି, ତାର ସାରା˚ଶ: ଭାରତ ହେଲା ଦେବଭୂମି, ବିଶ୍ବଗୁରୁ, ସମୟର ଆକଳନ ବାହାରେ, ସବୁ ସଭ୍ୟତାର ମୂଳ ଉତ୍ସ ଇତ୍ୟାଦି। ଏ ଭୂଖଣ୍ତରେ ମୌର୍ଯ୍ୟ ଯୁଗ ଥିଲା ସୁବର୍ଣ୍ଣ ଯୁଗ। ତା’ ପରେ ଏଠାରେ ହୋଇଛି ୧୦୦୦ ବର୍ଷ ପର୍ଯ୍ୟନ୍ତ ମୁସଲମାନ, ୨୦୦ ବର୍ଷରୁ ଅଧିକ ଇ˚ରେଜ ଶାସନ। ସ୍ବାଧୀନତା ପରେ ପ୍ରମୁଖ ଭାବେ କ˚ଗ୍ରେସ ଶାସନ। ବର୍ତ୍ତମାନ କୁହାଯାଉଛି ଯେ କ˚ଗ୍ରେସିଆ ନେତାଙ୍କ ଅପକର୍ମ, କୁଶାସନରେ ଦେଶର ଅଧୋଗତି ହେଲା। ତା’ ପରେ ବର୍ତ୍ତମାନ ପୁଣି ବିଜେପି ଅଧୀନରେ ଭାରତ ସୁବର୍ଣ୍ଣ ଯୁଗରେ ଉପନୀତ। ତେବେ ସେ ଯାହା ହେଉ ଏହି ପରିପ୍ରେକ୍ଷୀରେ ଏସିଆର ଏହି ଦୁଇ ପ୍ରାଚୀନ ସଭ୍ୟତା ବିଷୟରେ ଏକ ନିରାସକ୍ତ ଆଲୋଚନା କରାଯାଇପାରେ।

ମଧୢ ଯୁଗରେ ଏ ଦୁଇଟି ପ୍ରାଚୀନ ସଭ୍ୟତା ବିକାଶ ଓ ଅର୍ଥନୀତିରେ ଶୀର୍ଷ ସ୍ଥାନରେ ଥିଲେ। ମୋଗଲ ଯୁଗରେ ଭାରତର ଅର୍ଥନୀତି ପୃଥିବୀର ଅର୍ଥନୀତିର ପ୍ରାୟ ୨୫ ପ୍ରତିଶତ ଥିଲା। ଭାରତର ଧାପେ ଆଗରେ ଚୀନ ଥିଲା। ବ୍ରିଟିସ୍‌ ଉପନିବେଶ କାଳରେ ବି˚ଶ ଶତାବ୍ଦୀ ଆରମ୍ଭରେ ଭାରତର ଏହି ଅବଦାନ ୧ରୁ ୨ ପ୍ରତିଶତରେ ରହିଲା। ତୈମୁର, ଗଜନୀ ଓ ନାଦିର ଶାହ ଭାରତର ଲୁଣ୍ଠନକାରୀ ଭାବେ ନଜରକୁ ଆସନ୍ତି। କିନ୍ତୁ ଇ˚ରେଜମାନେ ଭାରତର ବସ୍ତ୍ରଶିଳ୍ପ ଲୋପ କରି ଇ˚ଲଣ୍ତ ନେଇଗଲେ। ଉତ୍ତର ଭାରତରେ ନୀଳ ଓ ଅଫିମ ଚାଷ କରି ନୀଳକୁ ଇ˚ଲଣ୍ତ ନେଲେ ଓ ଅଫିମ ଚୀନ୍‌ ପଠାଇଲେ। ଯାହା ଚୀନ୍‌ରେ କେବଳ ଇ˚ରେଜମାନଙ୍କୁ ନୁହେଁ, ଭାରତକୁ ମଧୢ ଅପ୍ରିୟ କଲା। ସେପରି ବିଭିନ୍ନ ୟୁରୋପୀୟ ଦେଶମାନଙ୍କ ଦ୍ବାରା ଶୋଷିତ ହୋଇ ଚୀନ୍‌ ମଧୢ ଅଭିବୃଦ୍ଧି ହରାଇଥିଲା। ୧୯୧୧ରେ ଚୀନ୍‌ ସାମ୍ରାଜ୍ୟର ପତନ ପରେ ସନୟାତ ସେନ ଓ ଚିୟାଙ୍ଗ କାଇସେକଙ୍କ ଦ୍ବାରା ଗଣତନ୍ତ୍ର ସ୍ଥାପିତ ହେଲା। ତେବେ, ୧୯୪୯ରେ ଚୀନ କମ୍ୟୁନିଷ୍ଟ ପାର୍ଟି ଦଖଲରେ ଆସି ମାଓ ସେତୁ˚ଙ୍କ ଏକଛତ୍ରବାଦୀ ଶାସନରେ ରହିଲା। ୧୯୫୦ରେ ଭାରତରେ ଗଣତନ୍ତ୍ର ସ୍ଥାପନ କାଳରେ ଏ ଦୁଇଟି ଦେଶ ପୃଥିବୀର ଗରିବ ଦେଶମାନଙ୍କ ମଧୢରେ ଅଗ୍ର ଭାଗରେ ଥିଲେ। ସତୁରି ଦଶକରେ ଚୀନ୍‌ରେ ମାଓଙ୍କ ପରେ ପରିସ୍ଥିତି ବଦଳିବା ଆରମ୍ଭ କଲା ଓ ଏହି ଦଶକର ଶେଷ ଭାଗରେ କମ୍ୟୁନିଷ୍ଟ ଚୀନ୍‌ ନିଜ ଅର୍ଥନୀତିକୁ ସରକାରୀ ନିୟନ୍ତ୍ରଣରୁ ଖୋଲିବାକୁ ଆରମ୍ଭ କଲା। ଆମେରିକା ସଙ୍ଗେ ଭାବ ଆଦାନ ପ୍ରଦାନ କଲା। ତେବେ ଏହି ଉଦାରୀକରଣ ଭାରତରେ ଆରମ୍ଭ ହେବାକୁ ଆହୁରି ୧୦ ବର୍ଷରୁ ଅଧିକ ସମୟ ଲାଗିଲା। ନବମ ଦଶକର ପ୍ରାରମ୍ଭରେ ମାତ୍ର ୪୦ ବର୍ଷର ସମୟ କାଳରେ ଚୀନ୍‌ ଯେଉଁ ବେଗରେ ଅଗ୍ରଗତି କରିଛି, ୩୦ ବର୍ଷରେ ଭାରତରେ ତାର ଚାରି ଭାଗରୁ ଭାଗେ ମଧୢ ହୋଇନାହିଁ। ଚୀନ୍‌ର ଅର୍ଥନୀତି ବର୍ତ୍ତମାନ ୧୫ ଟ୍ରିଲିୟନ ଡଲାର; ଯାହା ପୃଥିବୀରେ ଦ୍ବିତୀୟ ବୃହତ୍ତମ। ଏହାର ଅଭିବୃଦ୍ଧି ହାର ୧୦ ପ୍ରତିଶତ ପାଖାପାଖି। ଏହା ପୃଥିବୀରେ ବୃହତ୍ତମ ଉତ୍ପାଦନକାରୀ ରାଷ୍ଟ୍ର। ପୃଥିବୀର ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତିଙ୍କ ଦେଶ। ଚୀନ୍‌ର ଏହି ଅସାଧାରଣ ବିକାଶର ମୁଖ୍ୟ କାରଣମାନ ହେଲା, ଚୀନାବାସୀଙ୍କ ଶୃଙ୍ଖଳା ଜ୍ଞାନ, କର୍ତ୍ତବ୍ୟ ନିଷ୍ଠା, କାର୍ଯ୍ୟ ଦକ୍ଷତା ଓ ସାମାଜିକ ମୂଲ୍ୟବୋଧ, ଯାହା ତାଙ୍କ ଅବଚେତନାରେ ହଜାର ହଜାର ବର୍ଷ ହେଲା ଆଙ୍କି ହୋଇ ରହିଛି ଓ ଯାହାର ଉତ୍ସ ହେଲା କନ୍‌ଫୁସିଅସ୍‌ଙ୍କ ନୀତି ବାଣୀ, ବୌଦ୍ଧଧର୍ମ ଓ ତାଓଇଜମ୍‌ର ସାରା˚ଶ।

ଏବେ ଚୀନ୍‌ବାସୀଙ୍କ ସ୍ବାତନ୍ତ୍ର୍ୟ କଥା ଦେଖାଯାଉ। ନୃତତ୍ତ୍ବ ଶାସ୍ତ୍ରର ଜିନ୍‌ ଭିତ୍ତିକ ଗବେଷଣା ଅନୁସାରେ ପୃଥିବୀର ମାନବ ସମାଜକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଏ। ପ୍ରଥମ କକେସିଅଡ୍ ଯେଉଁମାନଙ୍କ ମୂଳ ବସତି ଥିଲା ମଧୢପ୍ରାଚ୍ୟ ଓ ସେଠାରୁ ସେମାନେ ଗଲେ ୟୁରୋପ ଓ ଭାରତ। ଦ୍ବିତୀୟରେ ମଙ୍ଗୋଲଏଡ୍‌, ଯାହାଙ୍କ ବସତି ଥିଲା ସୁଦୂର ପ୍ରାଚ୍ୟ ଓ ଦକ୍ଷିଣ ପୂର୍ବ ଏସିଆ ଏବ˚ ତୃତୀୟରେ ନିଗ୍ରୋଏଡ୍‌ ଯେଉଁମାନେ ଆଫ୍ରିକାର ଅଧିବାସୀ। ସମଗ୍ର ଚୀନ ମଙ୍ଗୋଲଏଡ୍‌ ଥିଲା ବେଳେ ଭାରତ ଥିଲା ଏକ ମିଶ୍ରିତ ଦେଶ। ମଧୢପ୍ରାଚ୍ୟରୁ ଆସିଥିବା ଆର୍ଯ୍ୟମାନେ ଉତ୍ତର ଭାରତରେ ବସତି ସ୍ଥାପନ କଲେ। ଉତ୍ତର ପୂର୍ବ ଭାରତ ଥିଲା ମଙ୍ଗୋଲଏଡ୍‌ମାନଙ୍କର ଏବ˚ ଦକ୍ଷିଣ ଭାରତ ନିଗ୍ରୋଏଡ୍‌ ଓ ଅଷ୍ଟ୍ରାଲଏଡ୍‌ (ଉପଶ୍ରେଣୀ)ଙ୍କ ବାସଭୂମି ଥିଲା। ତା’ପରେ ଦେଖିବା ଧର୍ମ। ଆମ ପୁରାଣର ଅସ˚ଖ୍ୟ ଦେବଦେବୀଙ୍କ ସାମଞ୍ଜସ୍ୟ ରହୁଛି ଗ୍ରୀକ୍‌ ଓ ରୋମାନ ପୁରାଣ ସହିତ। ଆମ ଧର୍ମରେ ବ୍ରହ୍ମାଣ୍ତ ସୃଷ୍ଟି ହେଲା। ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପରିଚାଳକ ଓ ଶିବ ପାପର ଧ୍ବ˚ସକାରୀ। କିନ୍ତୁ ଚୀନରେ ଏଭଳି ନାହିଁ। ବ୍ରହ୍ମାଣ୍ତ ଥିଲା, ପାନଗୁ ନାମକ ଏକ ଅତି ଉଚ୍ଚ ଶକ୍ତି ‘ସ୍ବର୍ଗଲୋକ ଓ ମର୍ତ୍ତ୍ୟ ଲୋକ’ ମଧୢରେ ସମନ୍ବୟ ରକ୍ଷା କରୁଥିଲେ। କିଛି ଶୃଙ୍ଖଳା ଥିଲା ଓ ଅନୁଶାସନ ଥିଲା। ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ କନ୍‌ଫୁସିଅସ୍‌ ତାଙ୍କ ଶିକ୍ଷା ଓ ବାଣୀ ମାଧୢମରେ ଏକ ନୀତିଗତ ପ୍ରଣାଳୀ ଓ ବ୍ୟବସ୍ଥା ପ୍ରତିଷ୍ଠା କଲେ। ଏହାକୁ କୁହାଯାଏ ଆନାଲେକ୍‌ଟ। ପରିବାରର ମହତ୍ତ୍ବ, ରାଜାଙ୍କ ପ୍ରଜାଙ୍କ ପ୍ରତି କର୍ତ୍ତବ୍ୟ, ପଡ଼ୋଶୀ ସଙ୍ଗେ ବ୍ୟବହାର, ମାନବିକ ମୂଲ୍ୟବୋଧ ଆଦି। କାଳକ୍ରମେ ଏହା ଧର୍ମୀୟ ସମ୍ମାନ ପାଇଲା। ସେପରି ବୌଦ୍ଧଧର୍ମ ଓ ତାଓବାଦ ଲୋକପ୍ରିୟ ହୋଇ ଏକ ସମୟରେ ପରସ୍ପର ବିରୋଧୀ ହେଲେ। ମୋଟ ଉପରେ ଚୀନ୍‌ରେ ଧର୍ମୀୟ ଚିନ୍ତନର ସାରା˚ଶ ହେଲା, ନିଷ୍ଠା ଓ ନୀତି ସହ କର୍ତ୍ତବ୍ୟ ସ˚ପାଦନ। ଏ ଚେତନା ହଜାର ହଜାର ବର୍ଷ ଚୀନ୍‌ବାସୀଙ୍କ ମାନସିକତାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଆସିଛି ଓ ସେମାନଙ୍କୁ କର୍ମତତ୍ପର ଓ କର୍ମଚଞ୍ଚଳ କରିଛି। ୧୯୪୯ରୁ କମ୍ୟୁନିଷ୍ଟ ଦଳ କ୍ଷମତାକୁ ଆସିଲା ପରେ ଧର୍ମର ଗୁରୁତ୍ବ କମିଛି। ୨୦୧୫ ସୁଦ୍ଧା ଚୀନରେ ୭୦% ନାସ୍ତିକ ଥିଲା ବେଳେ ୧୫% ବୌଦ୍ଧ, ୮% ତାଓବାଦୀ ଓ ୨% ଖ୍ରୀଷ୍ଟିଆନ ଓ ଅନ୍ୟାନ୍ୟ ଧର୍ମର ଥିଲେ।
ପୃଥିବୀର ପ୍ରାଚୀନତମ ଧର୍ମଗ୍ରନ୍ଥ ବେଦ ଭାରତରେ ଲେଖା ହୋଇଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ସ˚ହିତା ଓ ପୁରାଣମାନର ଆବିର୍ଭାବ ଘଟି ସନାତମ ଧର୍ମକୁ ଜଟିଳ କରି ଦେଇଛନ୍ତି। ଚୀନ୍‌ରେ କନ୍‌ଫୁସିଅସ୍‌ ଓ ତାଓଧର୍ମର ଶିକ୍ଷା ଛଡ଼ା ବିଭିନ୍ନ ପ୍ରଜ୍ଞା ପୁରୁଷଙ୍କ ଅନ୍ୟାନ୍ୟ ରଚନା ରହିଛି। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଚୀନ ୟୁରୋପ ଠାରୁ ବହୁତ ଆଗରେ ଥିଲା। ପୃଥିବୀର ୧୦ଟି ପ୍ରସିଦ୍ଧ ଉଦ୍ଭାବନ ଚୀନ୍‌ରେ ହୋଇଥିଲା। ୫୦୦୦ ବର୍ଷ ପୂର୍ବେ ସିଲକ ପ୍ରଥମେ ଚୀନ୍‌ରେ ବ୍ୟବହୃତ ହୋଇଥିଲା। ଖ୍ରୀଷ୍ଟାବ୍ଦ ୧୦୪୪ରେ ବାରୁଦ ତିଆରି ହେଲା (ଯାହା ଭାରତକୁ ଆସିଲା ମୋଗଲମାନଙ୍କ ସମୟରେ), ପ୍ରଥମ ଶତାବ୍ଦୀ‌ କାଗଜ ତିଆରି ହେଲା ଓ ତା’ର ଶହେ ବର୍ଷ ଆଗରୁ କମ୍ପାସ ବା ଦିଗ ନିରୂପଣ ଯନ୍ତ୍ର ଆବିଷ୍କାର ହେଲା। ସେ ସମୟରେ ଭୂମିକମ୍ପର ଆକଳନ ଯନ୍ତ୍ର ସେସ୍‌ମୋଗ୍ରାଫ ମଧୢ ଉଦ୍ଭାବିତ ହେଲା। ଚକ ଥାଇ ଗାଡ଼ି ତିଆରି ହେଲା ଓ ବେଲୁନରେ ଉଡ଼ିବା ମଧୢ ସମ୍ଭବ ହେଲା। ପ୍ରସିଦ୍ଧ ପରିବ୍ରାଜକ ହୁଏନସା˚ ହର୍ଷବର୍ଦ୍ଧନଙ୍କ ରାଜତ୍ବ କାଳରେ ଭାରତ ଆସି ବହୁତ ସ୍ଥାନ ବୁଲିଥିଲେ ଓ ଟିପ୍‌ପଣୀ ଲେଖିଥିଲେ। ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ରେ ଇତିହାସର ଅଧୢୟନ ଓ ଲିଖନକୁ ଏକ ରାଜକୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରାଯାଉଥିଲା।

ରାଜନୀତି ଓ ପ୍ରଶାସନ କ୍ଷେତ୍ର ଉପରେ ଆଲୋଚନା କଲେ ଚୀନ୍‌ର ମୂଳଦୁଆ କିପରି ଦୃଢ଼ ଥିଲା ଜଣାପଡ଼େ। ଚୀନ୍‌ କେବେ ବିଦେଶୀମାନଙ୍କ ଦ୍ବାରା କବଳିତ ଓ ଶାସିତ ହୋଇନଥିଲା। ଏକମାତ୍ର ବ୍ୟତିକ୍ରମ ଥିଲା ଖ୍ରୀଷ୍ଟାବ୍ଦ ୧୨୭୯ରୁ ୧୩୬୫ ଯେତେବେଳେ ମଙ୍ଗୋଲମାନେ ଚୀନ୍‌ ଅଧିକାର କରି ୟୁଆନ ବ˚ଶ ସ୍ଥାପନ କଲେ ଓ ଚେଙ୍ଗିଜ ଖାଁଙ୍କ ନାତି କୁବଲାଇ ଖାଁ ସମ୍ରାଟ ହେଲେ। ସେମାନେ ମୁସଲମାନ ନ ଥିଲେ। ଥିଲେ ବୌଦ୍ଧଧର୍ମାବଲମ୍ବୀ। ଚୀନ ରାଜବ˚ଶର ଆରମ୍ଭ ୫ଟି ପୌରାଣିକ ଶାସକମାନଙ୍କ ଠାରୁ ଆରମ୍ଭ ହୋଇଥିଲା ଓ ଏହା ବ˚ଶାନୁଗତିକ ନ ଥିଲା। ଜୁଙ୍ଗାଡ଼ି, ଜୁଆନଜୁ, ୟାଜ ଓ ୟୁ ପରେ ୟୁ ତାଙ୍କ ପୁତ୍ର ଜିଆଙ୍କୁ ଉତ୍ତରାଧିକାରୀ କଲେ। ଖ୍ରୀଷ୍ଟପୂର୍ବ ୨୦୭୦ରୁ ୨୫୬ ପର୍ଯ୍ୟନ୍ତ ୩ଟି ରାଜବ˚ଶ ଶାସନ କଲେ। ଖ୍ରୀଷ୍ଟପୂର୍ବ ୨୫୦ରେ ଜେନ ବ˚ଶ ଆସି ଖ୍ରୀଷ୍ଟପୂର୍ବ ୨୩୪ରେ ସେହି ବ˚ଶର ଟେଙ୍ଗ ନିଜକୁ ପ୍ରଥମ ସମ୍ରାଟ ରୂପେ ଘୋଷଣା କଲେ। ଖ୍ରୀଷ୍ଟପୂର୍ବ ୨୧୦ରୁ ଖ୍ରୀଷ୍ଟାବ୍ଦ ୧୮୯ ପର୍ଯ୍ୟନ୍ତ ହାନ ସାମ୍ରାଜ୍ୟ ରହିଲା। ତା’ପରେ ପ୍ରାୟ ୪୦୦ ବର୍ଷ ଚୀନର ଶାସକମାନେ ଅନ୍ତର୍ଦ୍ବନ୍ଦ୍ବ, ଯୁଦ୍ଧ ଓ ଷଡ଼୍‌ଯନ୍ତ୍ରରେ ଲିପ୍ତ ରହିଲେ। ଏ ସମୟରେ ତାଓ ଓ ବୌଦ୍ଧଧର୍ମ ମୁଣ୍ତ ଟେକିଲା ଓ ପରସ୍ପର ବିରୋଧୀ ହେଲେ। ୬୧୮ରୁ ୯୦୭ ପର୍ଯ୍ୟନ୍ତ ଟାଙ୍ଗ ସାମ୍ରାଜ୍ୟ ସୁବର୍ଣ୍ଣ ଯୁଗ ଥିଲା। ୯୬୦ରୁ ୧୨୭୯ ପର୍ଯ୍ୟନ୍ତ ସଙ୍ଗ, ୧୩୬୮ରୁ ୧୬୪୪ ପର୍ଯ୍ୟନ୍ତ ମିଙ୍ଗ ଓ ୧୬୪୪ରୁ ୧୯୧୧ ପର୍ଯ୍ୟନ୍ତ ଶେଷ ସାମ୍ରାଜ୍ୟ ଥିଲା କିଙ୍ଗ। ତା’ପରେ ୧୯୪୯ ପର୍ଯ୍ୟନ୍ତ ଗଣତନ୍ତ୍ର ଓ ୧୯୫୦ରୁ କମ୍ୟୁନିଷ୍ଟ ଶାସନ।

ଏ ସମୟରେ ଭାରତର ପରିସ୍ଥିତି ଦେଖିଲେ ଖ୍ରୀ.ପୂ. ୩୨୧ରୁ ୧୮୪ ପର୍ଯ୍ୟନ୍ତ ମୌର୍ଯ୍ୟ ସାମ୍ରାଜ୍ୟ, ତା’ପରେ ପ୍ରଥମ ଶତାବ୍ଦୀରେ କୁଶାଈ, ଖ୍ରୀଷ୍ଟାବ୍ଦ ୨୪୦ରୁ ୫୫୪ ପର୍ଯ୍ୟନ୍ତ ଗୁପ୍ତ ସାମ୍ରାଜ୍ୟ, ଷଷ୍ଠ ଶତାବ୍ଦୀରେ ହର୍ଷବର୍ଦ୍ଧନ ଯାହାଙ୍କ ଆଧିପତ୍ୟ ଉତ୍ତର ଭାରତରେ ଥିଲା। ଦକ୍ଷିଣରେ ଚାଲୁକ୍ୟ ଓ ଚୋଳବ˚ଶ ଥିଲେ। ୧୦୨୪ରେ ଗଜନୀର ମହାମୁଦ ସୋମନାଥ ଆକ୍ରମଣ କଲେ। ୧୧୭୧ରେ ଘୋରୀ ଶାସକ ଆସିଲେ। ୧୨୯୦ରେ ଆଲ୍ଲାଉଦ୍ଦିନ ଖିଲିଜି ଭାରତ ଆକ୍ରମଣ କଲେ। ଦାସବ˚ଶ ଓ ତୋଗଲକ ବ˚ଶ ଓ ଲୋଧି ବ˚ଶ ମଧୢ ଭାରତ ଶାସନ କଲେ ଓ ୧୫୨୬ରେ ଆସିଲେ ମୋଗଲ ଶାସକ ବାବର। ପ୍ରଶ୍ନ ଉଠେ ଫରଗନାରୁ ବାବର, ଯାହାଙ୍କ ମା’ କୁବଲାଇ ଖାଁଙ୍କ ବ˚ଶଜ ଥିଲେ, କାହିଁକି ପୂର୍ବାଭିମୁଖୀ ହୋଇ ଚୀନ୍‌ ଗଲେ ନାହିଁ ବର˚ ପଶ୍ଚିମାଭିମୁଖୀ ହୋଇ ଇରାନ, ଆଫଗାନିସ୍ତାନ ଦେଇ ଭାରତ ଆସି ମୋଗଲ ସାମ୍ରାଜ୍ୟ ସ୍ଥାପନ କଲେ? ବୋଧହୁଏ, ସେ ଜାଣିଥିଲେ ଯେ ଭାରତ ବିଜୟ ସହଜସାଧୢ ହେବ।
ଚୀନ ବିରୋଧରେ ସ୍ଲୋଗାନ ଓ ଅପବାଦ ସତ୍ତ୍ବେ ଚୀନର ଇତିହାସ ଓ ଅତୀତ ଯେ ଗୌରବମୟ ଥିଲା ଏହା ସ୍ବୀକାର କରିବାକୁ ହେବ।
୯୮-A, ସୂର୍ଯ୍ୟନଗର
[email protected]

ସମ୍ବନ୍ଧିତ ଖବର