କିଛି ଦିନ ଆଗରୁ ସ୍କୁଲର ବାର୍ଷିକ ପରୀକ୍ଷା ସରି ଯାଇଥିଲା। ଯଥା ସମୟରେ ସେଦିନ ଫଳାଫଳ ବି ବାହାରି ଗଲା। ସତ୍ୟେନ୍ଦୁର ଝିଅ ଘରକୁ ଆସିଲା। ତେବେ ବିଗତ ବର୍ଷମାନଙ୍କ ପରି ଘରେ ପାଦ ଦେଉ ଦେଉ ଚିଲ୍ଲେଇ ଉଠି କହିଲାନି: ଏଥରର ପରୀକ୍ଷାରେ ମୁଁ ଅମୁକକୁ ଟପି ଯାଇଛି, ସମୁକକୁ ପଛରେ ପକାଇ ଦେଇଛି, ଢମୁକ ତ ମୋଠୁ ଏତେ କମ୍ ମାର୍କ ପାଇଛି ଇତ୍ୟାଦି ଇତ୍ୟାଦି।
ବରଂ ସତ୍ୟେନ୍ଦୁ ଦେଖିଲା ଝିଅର ଚନ୍ଦ୍ର ଉଦିଆ ମୁହଁରେ ଚେନାଏ ସରସତା ମଖା ହୋଇ କେମିତି ଛାଏଁ ଝଲସୁଛି!
ଝିଅ ଚୁପଚାପ ଆସିଲା। ଧୀର ସ୍ୱରରେ କହିଲା, ‘ବାପା, ଗତ ପରୀକ୍ଷାରେ ମୁଁ ପାଇଥିବା ମାର୍କ ଠୁ ଢେର୍ ବେଶୀ ପାଇଛି ଏଥର!’ ତା’ ପରେ କାର୍ଡ ଦେଖାଇ ନିରବରେ ଠିଆ ହେଲା।
ସତ୍ୟେନ୍ଦୁ ଝିଅର କଥା ଶୁଣି ଓ ତା’ ହାବଭାବ ଦେଖି ପହିଲେ ତରକିଲା, କିନ୍ତୁ ପର ମୁହୂର୍ତ୍ତରେ ଠିକ୍ ଜାଣିଗଲା ଯେ ସେ କହିଥିବା କଥା ହିଁ ଝିଅ ତାକୁ ଶୁଣାଇଛି। କାରଣ ତା’ର ମନେ ପଡ଼ିଯାଉଥିଲା ସେ ବରାବର କହୁଥିବା କଥା ଯେ ସବୁ କ୍ଷେତ୍ରରେ ନିଜକୁ ହିଁ ନିଜର ପ୍ରତିଦ୍ୱନ୍ଦ୍ବୀ ଭାବେ ଗ୍ରହଣ କରି ପରିଶ୍ରମ କଲେ ନିଜେ ପୂର୍ବାପେକ୍ଷା ଅଧିକ ମାର୍ଜିତ ଓ ଅଧିକ ଉନ୍ନତ ହୋଇ ଅଧିକ ସଫଳତା ପାଇପାରିବ। ଝିଅ ବୋଧହୁଏ ତାହା ମନେ ପକାଉଛି।
ମୁହୂର୍ତ୍ତେ ନିରବ ରହି ଓ କିଞ୍ଚିତ ଗମ୍ଭୀରତାର ସହିତ ଝିଅ ପୁଣି କହିଲା, ‘ବାପା, ଇଂଲିସରେ ଆଗ ଅପେକ୍ଷା ଭଲ ମାର୍କ ପାଇଛି ସିନା, ମୋ ଆଶାନୁରୂପ ମାର୍କ ପାଇ ପାରିଲିନି। ସବୁ ମୋ ନିଜର ଅବହେଳା କାରଣରୁ ହିଁ ହୋଇଛି! ଇଂଲିସରେ ମୋର ସବୁବେଳେ ଭଲ ହେଉଥିବାରୁ ପରୀକ୍ଷା ପୂର୍ବ ଦିନ ହିଁ ତାହା ରିଭିଜନ କଲି। ତାହା ଯଥେଷ୍ଟ ହେଲା ନାହିଁ।’
ସତ୍ୟେନ୍ଦୁ ଝିଅକୁ କିଛି କହି ବୁଝାଇବାକୁ ଆରମ୍ଭ କରୁଥିବା ବେଳେ ଝିଅ ଏକରକମ ଘୋଷଣା କରିବା ଭଳି କହି ଉଠିଲା: ନା ବାପା, ଆଉ ନୁହେଁ। ଏଣିକି ଆପଣଙ୍କ କହିବା ଭଳି ହିଁ ପଢ଼ିବି।
ସତ୍ୟେନ୍ଦୁ ପଚାରିଲା: ମାନେ?
ଝିଅ କହିଲା- ବହିର ମଲାଟ ଛାଡ଼ି ପ୍ରତି ପୃଷ୍ଠାର ପାଠ ପ୍ରଥମେ ଭଲ ଭାବେ ପଢ଼ି ବୁଝିବା ପରେ ପାଠ ଶେଷରେ ଥିବା ପ୍ରଶ୍ନଙ୍କ ଉତ୍ତର ପରୀକ୍ଷା ହଲରେ ଲେଖୁଛି ବୋଲି ଭାବି ଥରକୁ ଥର ଲେଖି ଅଭ୍ୟାସ କରିବି।
ଏବେ ସତ୍ୟେନ୍ଦୁ ତହିଁରେ ଯୋଡ଼ିଲା: ଆଉ ମୋ ପିଲାଦିନ ସାଙ୍ଗ ବାବୁରାଓ ଆମ ବେଳେ କରୁଥିବା ପରି ପ୍ରତି କ୍ଲାସରେ ଶିକ୍ଷକମାନେ ପଢ଼ାଉଥିବା ପାଠ ଶୁଣି ଓ ନୋଟ କରି ଆଣି ପ୍ରତି ଦିନ ଘରେ ନିଶ୍ଚିତ ପଢ଼ିବୁ .. ଏଇଆ ତ’ ମାଆ?
ଝିଅ ଏହା ଶୁଣି ସମଝଦାର ଭଙ୍ଗୀରେ ହସହସ ହୋଇ ତା’ ମୁଣ୍ଡ ଟୁଙ୍ଗାରିଲା।
ସତ୍ୟେନ୍ଦୁ ବୁଝିଗଲା ଯେ ପାଠ, ପରୀକ୍ଷା ଓ ପ୍ରତିଯୋଗିତା ଆଦି ନାନା ବିଷୟରେ ବକବକ ହୋଇ ତା’ ଝିଅକୁ ସେ ଯାହା ସବୁ ବୁଝାଇ ଆସିଛି, ଝିଅ ସେ ସବୁ ମନେ ରଖିଛି; ସେ କ୍ଷଣି ମୁଣ୍ଡ ଟୁଙ୍ଗାରି ପର କ୍ଷଣେ ଭୁଲି ଯାଇନି। ପୁଣି ଠିକଣା ଭାବରେ ଆପଣାଉଛି।
ସତ୍ୟେନ୍ଦୁ ଛଳଛଳ ହୋଇଗଲା। କହିଲା , ‘ମାଆ ମୋର, ବହୁତ ଭଲ। ଏମିତି ପଢ଼ି ଚାଲିବୁ ତ’ ଜୀବନରେ ଯାହା ହେବାକୁ ଚାହୁଁଛୁ ନିଶ୍ଚିତ ହେବୁ।’
ଝିଅ କିନ୍ତୁ ତା’ କଥା ଶୁଣୁଶୁଣୁ ଗମ୍ଭୀର ହୋଇଗଲା। କହିଲା: ନା, ବାପା, ପାଠ ପଢ଼ି ଜ୍ଞାନ ଲାଭ କରିବା ହିଁ ମୁଖ୍ୟ। କିଏ ଭବିଷ୍ୟତରେ କ’ଣ ହେବ ତାହା ଅଲଗା କଥା। ଏ କଥା ବି ସେଦିନ ଆପଣ ମୋତେ କହିଥିଲେ।
ଏହା ଶୁଣି ରୀତିମତ ଚମକିବାର ପାଳି ଥିଲା ସତ୍ୟେନ୍ଦୁର। ତେବେ ଝିଅ ତାକୁ ଆଉ ବେଶୀ ଚମକିବାକୁ ନ ଦେଇ କହି ଉଠିଲା- ସେ ଦିନ ଆପଣଙ୍କ ବ୍ୟାଙ୍କର ଗୋଟେ ଇଂଲିସ ଡକ୍ୟୁମେଣ୍ଟକୁ ଆପଣ ଓଡ଼ିଆରେ ପ୍ରସ୍ତୁତ କରୁଥିବା ବେଳେ ମୁଁ ପଚାରିବାରୁ କହି ନ ଥିଲେ ସେ ଡକୁମେଣ୍ଟ ଇଂଲିସରେ ପ୍ରସ୍ତୁତ କରିଥିବା ବ୍ୟାଙ୍କର ଚିଫ୍ ମ୍ୟାନେଜର ସାର୍ କମର୍ସ କି ମ୍ୟାନେଜମେଣ୍ଟ ଷ୍ଟୁଡେଣ୍ଟ ନୁହନ୍ତି; ବରଂ ‘ଏଗ୍ରିକଲଚର ଟେକ୍ନୋଲୋଜି’ରେ ଗୋଲ୍ଡ ମେଡାଲିଷ୍ଟ ବୋଲି? ଆଉ ଆପଣ ନିଜେ ବି ତ ଅଧ୍ୟାପକ ହେବାର ଲକ୍ଷ୍ୟ ନେଇ ଇଂଲିସ ପଢ଼ିଥିଲେ! ହେଲେ, ଚାକିରି କରିଛନ୍ତି ବ୍ୟାଙ୍କରେ! ଲେଖାଲେଖି କରୁଛନ୍ତି ଓଡ଼ିଆରେ!
ସେତ୍ୟନ୍ଦୁ ଝିଅକୁ କୋଳେଇ ନେଲା। ସେମାନେ ଦୁହେଁ ବୁଝିଥିଲେ ଜୀବନରେ ପାଠ ସହ ନିଜ ନିଜର ଆଗ୍ରହ ଓ ରୁଚିଙ୍କୁ ନେଇ ବଢ଼ିବା ମଧ୍ୟ କେତେ ଜରୁରୀ!
ସେତ୍ୟନ୍ଦୁ ଜାଣିଥିଲା ଝିଅ ଭାବୁଥିବ ତା’ ନାନୀର ସାଙ୍ଗ ସୁଇଟି ଦିଦିଙ୍କ କଥା। ଦିଦି ତାଙ୍କ ଜମାନାରେ ସ୍କୁଲର ବେଷ୍ଟ୍ ଷ୍ଟୁଡେଣ୍ଟ୍ ଥିଲେ। ଆଙ୍କରିଂ ଓ ଡିବେଟିଂରେ ସେ ଥିଲେ ଟପ୍। ତେବେ ଘର ଲୋକଙ୍କ ଚାପରେ ପଡ଼ି ଦାନ୍ତ ଡାକ୍ତର ହେଲେ ସିନା ସେ କାମରେ ଶାନ୍ତି ପାଇଲେ ନାହିଁ। ଏଇନେ ନିଜର ସୁନ୍ଦର କଣ୍ଠ ସ୍ବର ଓ କଥାର ଛଟା ପାଇଁ ଗୋଟେ ନାମଜାଦା ଏଫ୍ଏମ୍ ରେଡିଓର ଜଣେ ବେଶ୍ ପପୁଲାର୍ ରେଡିଓ ଜକି!
ଏଇ ଭିତରେ ସତ୍ୟେନ୍ଦୁ ଅନ୍ୟମନସ୍କ ହୋଇ ଉଠିଥିଲା। ଝିଅ ସେଠାରୁ କେତେ ବେଳୁ ଚାଲିଯାଇଥିଲା। ସତ୍ୟେନ୍ଦୁ ଭାବୁଥିଲା ଜୀବନର ଭଳିକି ଭଳି ପରୀକ୍ଷାମାନଙ୍କୁ ସାମନା କଲା ବେଳେ ସେ ଅବସନ୍ନ ହୋଇଯାଉଛି କାହିଁକି? ସେ ଭାବୁଥିଲା ଯେ ଝିଅକୁ ଉପଦେଶ ଦେବା ଏକ ସହଜିଆ ବ୍ୟାପାର। କିନ୍ତୁ କାମରେ ତାକୁ ମାନିବା ଭାରି କଷ୍ଟକର।
ମୋ: ୯୪୩୭୯୦୯୭୭୫