ଏହା ଏକ ଅପ୍ରିୟ ସତ ଯେ ମଦ୍ୟପାନ ଯୋଗୁଁ ବାର୍ଷିକ ହାରାହାରି ୨୦୦ରୁ ଅଧିକ ପ୍ରକାର ରୋଗ ଓ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପ୍ରାୟ ୩ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି। ଏହା ଛଡ଼ା ମଦ ନିଶାରୁ ଅପରାଧ ଓ ସାଂଘାତିକ ସାମାଜିକ ସମସ୍ୟାର ସୂତ୍ରପାତ ହେଉଛି। କିନ୍ତୁ, ମଦ୍ୟପମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି, ଯାହାକୁ କେନ୍ଦ୍ର କରି ସାରା ପୃଥିବୀରେ ଗଢ଼ି ଉଠିଛି ବିଶାଳ ମଦ ତିଆରି ଉଦ୍ୟୋଗ। ସେହି ଦୃଷ୍ଟିରୁ ଚଳଚ୍ଚିତ୍ର ବା ଧାରବାହିକମାନରେ ମଦ୍ୟପାନର ଦୃଶ୍ୟ ଦେଖିବା ବେଳେ ମନରେ ପ୍ରଶ୍ନ ଉଠିଥାଏ ଯେ ଏଗୁଡ଼ିକ ମଦ ନିର୍ମାଣକାରୀ ଉଦ୍ୟୋଗ ଦ୍ବାରା ପ୍ରୋତ୍ସାହିତ ‘ଛଦ୍ମ ବିଜ୍ଞାପନ’ ନୁହେଁ ତ? ତେଣୁ ଅନୁଧ୍ୟାନ କରାଯିବା ଉଚିତ ଯେ ଚଳଚ୍ଚିତ୍ରରେ ମଦ୍ୟପାନର ଦୃଶ୍ୟ କାହାଣୀର ସ୍ବାଭାବିକ ପ୍ରବାହ‌େର ଆସିଛି ନା ଅସଂଲଗ୍ନ ଭାବେ ସ୍ଥାନିତ ହୋଇଛି! ଏଭଳି ଅନୁଧ୍ୟାନରୁ କିଛି ଉତ୍ତର ଅବା ମିଳିପାରେ!

Advertisment

ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ମଦ ନିଶାଗ୍ରସ୍ତ ନାୟକ କଣ୍ଠରେ ଅତ୍ୟନ୍ତ ଲୋକପ୍ରିୟ ଓ ଅମର ଗୀତମାନ ଦିଆଯାଇଥାଏ। କେବଳ ସେତିକି ନୁହେଁ, ଚଳଚ୍ଚିତ୍ରରେ ମଦକୁ ମହିମାମଣ୍ଡିତ କରି ଅନେକ ଉଚ୍ଚକୋଟୀର କାବ୍ୟିକ ମୂଲ୍ୟ ଥିବା ଗୀତ ମଧ୍ୟ ରଚନା କରାଯାଇଛି; ଯେଉଁଗୁଡ଼ିକ ଅତ୍ୟନ୍ତ ଶ୍ରୁତିମଧୁର ସଂଗୀତ ଦ୍ବାରା ଆବଦ୍ଧ ହୋଇ ବର୍ଷ ବର୍ଷ ଧରି ଜନ ମୁଖରେ ଅନୁରଣିତ ହେଉଥିବା ଦେଖାଯାଏ।

ଆଜିକୁ ପଚାଶ ବର୍ଷ ତଳେ ଶକ୍ତି ସାମନ୍ତଙ୍କ ନିର୍ଦ୍ଦେଶିତ ‘ଅମାନୁଷ’ ସିନେମାରେ କିଶୋର କୁମାରଙ୍କ ଦ୍ବାରା ବୋଲାଯା‌ଇଥିବା ଗୀତ ‘ନା ପୁଛୋ କୋଇ ହମେ ଜହର କ୍ୟୁଁ ପି ଲିୟା; ଜହର ୟେ ପି ଲିୟା ତୋ ଥୋଡ଼ା ସା ଯୋ ଜି ଲିୟା’ ହେଉଛି ଏଭଳି ଏକ ଉଦାହରଣ ଯାହାକୁ ଏବେ ବି ଲୋକେ ଗୁଣୁଗୁଣାଇ ଥାଆନ୍ତି, ଯାହାର ଅର୍ଥାନ୍ତର ହେବ ‘ମୋତେ ପଚାରନା ଏ ବିଷ ମୁଁ କାହିଁକି ପିଉଛି; ୟାକୁ ପିଉଛି ବୋଲି ତ ଟିକିଏ ଜିଉଛି!’ ପାଠକେ, ଏଠି ଦେଖି ପାରିବେ ମଦକୁ ବିଷ ସହିତ ତୁଳନା କରାଯାଇଥିଲେ ବି ମଦ୍ୟପାନ ଲାଗି ଆକର୍ଷଣର କିଭଳି ଦାରୁଣ ଅଭିବ୍ୟକ୍ତି ସେଥିରେ ରହିଛି!

ସେମିତି ସପ୍ତମ ଦଶକରେ ମୁକ୍ତିଲାଭ କରିଥିବା ‘ଫାଇଭ ରାଇଫଲସ୍’ ନାମକ ସିନେମାର ଅତ୍ୟନ୍ତ ଲୋକପ୍ରିୟ ଗୀତ ‘ଝୁମ୍ ବରାବର ଝୁମ୍ ସରାବୀ’ କେବଳ ସେ ସମୟରେ ସର୍ବତ୍ର ଝଙ୍କୃତ ହେଉଥିଲା ତାହା ନୁହେଁ, ଏବେ ମଧ୍ୟ ସେହି ଗୀତଟିକୁ ଭିନ୍ନ ସ୍ବରରେ ଆବଦ୍ଧ କରାଯାଇ ଏକ ନୂଆ ସିନେମା ‘ଝୁମ୍ ବରାବର ଝୁମ୍’ର ଅଂଶବିଶେଷ କରାଯାଇଛି। ସେହିପରି ୧୯୬୫ରେ ମୁକ୍ତିଲାଭ କରିଥିବା ‘କାଜଲ୍’ ସିନେମାରେ ମହମ୍ମଦ ରଫି ଗାନ କରିଥିବା ଅବିସ୍ମରଣୀୟ ଗୀତ ‘ଛୁଁ ଲେନେ ଦୋ ନାଜୁକ୍ ହୋଠୋଁ କୋ’ ହେଉଛି ପ୍ରକୃତରେ ମଦର ସ୍ତୁତି ଗାନ ଯହିଁରେ କୁହାଯାଇଛି ଯେ ଭଲ ଜିନିଷକୁ ଖରାପ ଦୃଷ୍ଟିରେ ଦେଖିବା ଏ ଦୁନିଆର ଅଭ୍ୟାସ। ଏଭଳି ଉଦାହରଣ ଅସଂଖ୍ୟ। କେବଳ ସେତିକି ନୁହେଁ, କାମୋଦ୍ଦୀପକ ନୃତ୍ୟ ଓ ଗୀତ ସହିତ ମଦର ସଂଯୋଗ ମୁଖ୍ୟତଃ ହିନ୍ଦୀ ସିନେମାରେ ଦେଖିବାକୁ ମିଳେ, ଯାହା ଏବେ ପ୍ରାୟ ସବୁ ସିନେମାର ଅଂଶ ବିଶେଷ।

ଅନେକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥାଏ ଯେ ଦୁଃଖ ବା ହତାଶା ଜର୍ଜରିତ ନାୟକ ମଦ୍ୟପାନ କରିଥାଏ। ପ୍ରେମରେ ବିଫଳତା ହେତୁ ହେଉ ବା ବେକାରିଗ୍ରସ୍ତ ହୋଇଥିବା କାରଣରୁ ହେଉ ବା କର୍ମକ୍ଷେତ୍ରରେ ଅନ୍ୟାୟର ଶିକାର ହୋଇଥିବା ଯୋଗୁଁ ହେଉ ନାୟକ ମଦ୍ୟପାନ କରିଥାଏ। କିନ୍ତୁ ସେଥିରେ ଅତି ଚତୁରତାର ସହିତ ଦର୍ଶାଇ ଦିଆଯାଇଥାଏ ଯେ ନାୟକଟିର ଉତ୍ତମ ଚରିତ୍ର ସଂପନ୍ନ ହୋଇଥିବା ବେଳେ ପରିସ୍ଥିତିର ତାଡ଼ନା ଦ୍ବାରା ଜର୍ଜରିତ ହୋଇ ସୁରାପାନର ଆଶ୍ରୟ ନେଇଛି। ସୁତରାଂ, ଅନେକ ଯୁବକଙ୍କ ଲାଗି ନାୟକଟି ଆକର୍ଷଣୀୟ ହୋଇ ଉଠେ। ଯେଉଁ ଦର୍ଶକମାନେ ସମତୁଲ ସ୍ଥିତି ଦେଇ ଯାଉ ଥାଆନ୍ତି ସେମାନେ ନାୟକର ପ୍ରତିଫଳନ ନିଜ ଠାରେ ମଧ୍ୟ ଦେଖିବାକୁ ଚାହିଁ ଥାଆନ୍ତି।

ଯେଉଁ ପାଠକପାଠିକାମାନେ ନବମ ଦଶକରେ ମୁକ୍ତିଲାଭ କରିଥିବା ‘ଦାମିନୀ’ ଚଳଚ୍ଚିତ୍ର ଦେଖିଥିବେ, ତହିଁରେ ନିଶାଗ୍ରସ୍ତ ସନ୍ନି ଦେଓଲଙ୍କ ‘ଏଣ୍ଟ୍ରି ସିନ୍‌’ ବା ‘ପ୍ରବେଶ ଦୃଶ୍ୟ’କୁ ଭୁଲି ପାରି ନ ଥିବେ। ତହିଁରେ ଦର୍ଶାଯାଇଛି କିଭଳି ଜଣେ ନ୍ୟା‌ୟବନ୍ତ ଓକିଲ ନାନା ପ୍ରକାର ଅନ୍ୟାୟର ଶିକାର ହୋଇ ଅଭ୍ୟାସଗତ ମଦ୍ୟପରେ ପରିଣତ ହୋଇଥିବା ସତ୍ତ୍ବେ ନାୟିକାଙ୍କୁ ତାଙ୍କ ପଛରେ ଅନୁଧାବନ କରୁଥିବା ‌େଥାକେ ଗୁଣ୍ଡାଙ୍କ ହାତରୁ ରକ୍ଷା କରିଛି। କହିବା ବାହୁଲ୍ୟ ଯେ ସେହି ଦୃଶ୍ୟଟି ଏ ପର୍ଯ୍ୟନ୍ତ ଏକ ଅବିସ୍ମରଣୀୟ ଦୃଶ୍ୟ ଭାବେ ପରିଗଣିତ ହୋଇଥାଏ।

ଏଠି ପ୍ରଶ୍ନ ଉଠୁଛି ଯେ ମଦ୍ୟପାନର ଦୃଶ୍ୟକୁ ବାଦ୍‌ ଦେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇପାରିବ ନାହିଁ କି? ଆମ ଦେଶରେ ମଦର ସିଧାସଳଖ ବିଜ୍ଞାପନ ପ୍ରସାରଣକୁ ନି‌ଷେଧ କରାଯାଇଥିବାରୁ ମଦ ନିର୍ମାଣକାରୀ କଂପାନିଗୁଡ଼ିକ ଛଦ୍ମ ବିଜ୍ଞାପନ ଜରିଆରେ ନିଜ ଉଦ୍ୟୋଗଗୁଡ଼ିକର ନାମକୁ ଗରାଖଙ୍କ ମନରେ ଜୀବନ୍ତ ରଖିବାର ଉଦ୍ୟମ କରନ୍ତି। ଉଦାହରଣ ସ୍ବରୂପ ସେମାନେ ଉଚ୍ଚ ମାନର କାଚ ଗିଲାସର ବିଜ୍ଞାପନ କରନ୍ତି, ଯାହା ଉପରେ ସେହି କଂପାନିର ନାମ ଲେଖାଯାଇଥାଏ। ଅନେକ ମଦ ନିର୍ମାଣକାରୀ କଂପାନି ଚଳଚ୍ଚିତ୍ର ପ୍ରଯୋଜନାରେ ପୁଞ୍ଜି ନିବେଶ କରୁଥିବାରୁ ମଦ୍ୟପାନକୁ ପ୍ରୋତ୍ସାହନ ଦେଲା ଭଳି କାହାଣୀ ବା ଦୃଶ୍ୟ ବା ଗୀତ ଗୁରୁତ୍ବ ପାଇବାରେ ବିସ୍ମିତ ହେବାର କାରଣ ନାହିଁ। କିନ୍ତୁ ସମାଜର ହିତ ଦୃଷ୍ଟିରୁ ସେନ୍‌ସର୍‌ କର୍ତ୍ତୃପକ୍ଷ କେଉଁ ଗୀତ ବା ଦୃଶ୍ୟ କାହାଣୀ ସହିତ ସଂଲଗ୍ନ ନୁହେଁ, ତାହା ବିଚାର କରି ସିନେମାରୁ ବାଦ୍‌ ଦେବା ମଧ୍ୟ ବିଧେୟ।
ମୋ- ୮୦୧୮୧୭୨୩୦୧