ଏବେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିବ ମୁଖ୍ୟ ବିଚାରପତିଙ୍କ ପରବର୍ତ୍ତୀ ରାୟଗୁଡ଼ିକ ଉପରେ। ସାଂପ୍ରତିକ ବିବାଦ ପରିପ୍ରେକ୍ଷୀରେ ନିଜ ଭାବମୂର୍ତ୍ତିକୁ ଆଉ ଅଧିକ ମଳିନ ହେବାକୁ ନ ଦେଇ ଯଦି ଚାପଗ୍ରସ୍ତ ମୁଖ୍ୟ ବିଚାରପତି କେବଳ ସରକାର ବିିରୋଧୀ ରାୟମାନ ଦିଅନ୍ତି, ତେବେ ତାହା ମଧ୍ୟ ଯଥାର୍ଥ ହେବ ନାହିଁ। କିନ୍ତୁ ଚାପଗ୍ରସ୍ତ ହେଲେ ସ୍ଥିରତା ରକ୍ଷା କରି ଯଥାର୍ଥ ରାୟ ପ୍ରଦାନ କରିବା ମଧ୍ୟ ଅତ୍ୟନ୍ତ କଷ୍ଟପ୍ରଦ ହୋଇଥାଏ!
ନିକଟରେ ଯେଉଁ ଏକ ଭିଡିଓ ବହୁଳ ପ୍ରସାରିତ ହୋଇ ତୀବ୍ର ଆଲୋଡ଼ନ ଓ ଚର୍ଚ୍ଚା ସୃଷ୍ଟି କରିଛି, ତହିଁରେ ଦେଖିବାକୁ ମିଳିଥାଏ କିଭଳି ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ହୋଇ ଚନ୍ଦ୍ରଚୂଡ଼ ପରିବାର ସହିତ ମିଳିତ ଗଣେଶ ବନ୍ଦନାରେ ନିମଜ୍ଜିତ! ଯଦିଓ ଏହା ସ୍ପଷ୍ଟ ହୋଇପାରୁନାହିଁ ଯେ ମୁଖ୍ୟ ବିଚାରପତିଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିଥିଲେ ନା ସେ ସ୍ବତଃପ୍ରବୃତ୍ତ ଭାବେ ସେଠାକୁ ଯାଇଥିଲେ; ତଥାପି ଏଥିରେ ଦ୍ବିରୁକ୍ତି ନାହିଁ ଯେ କାର୍ଯ୍ୟନିର୍ବାହୀ (ସରକାର) ଓ ବିଚାରବିଭାଗର ଦୁଇ ମୁଖ୍ୟଙ୍କ ମଧ୍ୟରେ ମଧୁର ସଂପର୍କର ଏଭଳି ଆଭାସ ଦ୍ବାରା ଆମ ବିଚାର ବ୍ୟବସ୍ଥାର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି ଏବଂ ସର୍ବୋଚ୍ଚ ଅଦାଲତଙ୍କ ନିରପେକ୍ଷତା, ସ୍ବାଧୀନତା ଓ ନୈତିକ ଅବିଭାଜ୍ୟତା ସନ୍ଦେହସଂକୁଳ ହୋଇ ଉଠିଛି।
ସ୍ବାଭାବିକ ଭାବେ ଅଧିକାଂଶ ପୂର୍ବତନ ବିଚାରପତି, ବରିଷ୍ଠ ଓକିଲ ଓ ବୁଦ୍ଧିଜୀବୀମାନେ ଉପରୋକ୍ତ ଘଟଣାର ସମାଲୋଚନା କରି ବିଚାରପତିମାନଙ୍କ ସକାଶେ ପ୍ରଯୁଜ୍ୟ ଆଦର୍ଶ ଆଚରଣ ବିଧିର ଉଲ୍ଲେଖ କରିବାରେ ଲାଗିଛନ୍ତି। ଏଭଳି ଆଲୋଚନା କାଳରେ ‘ରିଷ୍ଟେଟ୍ମେଣ୍ଟ ଅଫ୍ ଭାଲ୍ୟୁଜ୍ ଅଫ୍ ଜୁଡିସିଆଲ୍ ଲାଇଫ୍’ ଶୀର୍ଷକ ବହନକାରୀ ଦସ୍ତାବିଜଟି ବିଶେଷ ଭାବେ ପ୍ରଣିଧାନଯୋଗ୍ୟ ହୋଇଥାଏ, ଯାହାକୁ ୧୯୯୭ ମସିହାରେ ସର୍ବୋଚ୍ଚ ଅଦାଲତରେ କାର୍ଯ୍ୟରତ ସମସ୍ତ ବିଚାରପତି ମିଳିତ ଭାବେ ପ୍ରସ୍ତୁତ କରିଥିଲେ। ତହିଁରେ ସନ୍ନିହିତ ମୋଟ ୧୬ଟି ବିନ୍ଦୁରୁ ପ୍ରମୁଖ ତିନିଟିକୁ ସଂପ୍ରତି ଦର୍ଶାଯାଉଛି, ଯେଉଁଗୁଡ଼ିକ ହେଲେ ଏହିଭଳି: ଉଚ୍ଚ ଅଦାଲତଗୁଡ଼ିକର ଶୀର୍ଷ ପଦାଧିକାରୀମାନଙ୍କ ଆଚରଣ ବିଚାର ବ୍ୟବସ୍ଥାର ନିରପେକ୍ଷତାକୁ ସଂପୂର୍ଣ୍ଣ ବିଶ୍ବାସଭାଜନୀୟ କରାଇବା ଆବଶ୍ୟକ ଏବଂ ଦାପ୍ତରିକ ବା ବ୍ୟକ୍ତିଗତ କାରଣରୁ କୌଣସି ବିଚାରପତିଙ୍କ ଦ୍ବାରା ପ୍ରଦର୍ଶିତ କୌଣସି ଆଚରଣ ଯେମିତି ଏହାକୁ କ୍ଷୁଣ୍ଣ ନ କରେ! ଦ୍ବିତୀୟରେ ପଦର ଗରିମା ଆବଶ୍ୟକ କରୁଥିବା ଭଳି ଅନାସକ୍ତ ଦୂରତ୍ବ ବିଚାରପତିମାନେ ସର୍ବଦା ଅବଲମ୍ବନ କରିବା ଆବଶ୍ୟକ। ତୃତୀୟତଃ, ସେମାନେ ଯେ ନିରନ୍ତର ଜନସାଧାରଣଙ୍କ ତୀକ୍ଷ୍ଣ ଦୃଷ୍ଟିରେ ଥାଆନ୍ତି, ସେ ନେଇ ସଚେତନ ରହି ଏଭଳି କୌଣସି କାର୍ଯ୍ୟ କରିବା ଅନୁଚିତ ଯାହା ସେମାନଙ୍କ ପଦ ମର୍ଯ୍ୟାଦାରେ ସ୍ଖଳନ ଘଟାଇବ। ଏହି ଦୃଷ୍ଟିରୁ ଶଂସିତ ଭିଡିଓଟି ମୁଖ୍ୟ ବିଚାରପତିଙ୍କ ସକାଶେ ଆଦର୍ଶସ୍ଥାନୀୟ ନୁହେଁ ବୋଲି ମତ ପ୍ରକାଶ ପାଉଛି। ବୁଝାଇ କହିବା ଅନାବଶ୍ୟକ ଯେ ସରକାରୀ କାର୍ଯ୍ୟକଳାପ ଦ୍ବାରା ଅନେକ ସମୟରେ ବ୍ୟକ୍ତି ସ୍ବାଧୀନତାର ଦାରୁଣ ହନନ ହେଉଥିବାରୁ ବା ସରକାରଙ୍କ ଦ୍ବାରା ପ୍ରଣୀତ କେତେକ ଆଇନ ଦ୍ବାରା ସଂବିଧାନର ଉଲ୍ଲଂଘନ ହେଉଥିବାରୁ ଅଥବା କ୍ଷମତାସୀନ ରାଜନୈତିକ ଦଳର ସଂକୀର୍ଣ୍ଣ ଦଳୀୟ ବିଚାର ସରକାରଙ୍କ ଅଭିବ୍ୟକ୍ତି ରୂପେ ପ୍ରକାଶିତ ହୋଇ ବିଭ୍ରାଟ ସୃଷ୍ଟି କରୁଥିବାରୁ, ବିଚାର ବିଭାଗ ସର୍ବଦା ଏକ ନିଷ୍ପକ୍ଷ ନିୟାମକ ଓ ତ୍ରାଣକର୍ତ୍ତା ରୂପେ ଉପସ୍ଥିତ ଥାଉ ବୋଲି ସାଧାରଣ ନାଗରିକମାନେ ଆଶା କରି ଥାଆନ୍ତି। ଏଭଳି ସ୍ଥଳେ ଏହି ଭିଡିଓଟି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କୁ ସନ୍ଦେହର ପରିସରକୁ ଘେନି ଆଣିବା ସହିତ ମୁଖ୍ୟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନୈତିକ ଅବିଭାଜ୍ୟତାକୁ ମଧ୍ୟ ପ୍ରଶ୍ନସଂକୁଳ କରି ପକାଇଛି! ଏହି ପ୍ରଶ୍ନର ଧୂମ ପଟଳକୁ ପରିଷ୍କାର କରିବା ତାଙ୍କ ଲାଗି ଏକ ବିଶାଳ ଆହ୍ବାନ ହେବ!
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୪ ମସିହାରେ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ରୂପେ ଶପଥ ନେଇଥିବା କେ. ଏମ୍. େଭଙ୍କଟଚେଲାୟାଙ୍କୁ ପାରଂପରିକ ନୈଶଭୋଜିରେ ଅପ୍ୟାୟିତ କଲାବେଳେ ସେତେବେଳର ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ କଥା ଛଳରେ ଅଗତ୍ୟା କହି ପକାଇଥିେଲ ଯେ ‘ଏଣିକି ସରକାର ଓ ବିଚାର ବିଭାଗର ସଂପର୍କ ସୌହାର୍ଦ୍ୟମୂଳକ ହେବ’। ଏଥିରେ ଭେଙ୍କଟଚେଲାୟାଙ୍କ ତୀକ୍ଷ୍ଣ ପ୍ରତ୍ୟୁତ୍ତର ଥିଲା, ‘ନା, ସୌହାର୍ଦ୍ୟମୂଳକ ହେବ ନାହିଁ!’ ତାଙ୍କ ସ୍ମୃତି-ଚରିତରେ ଏହାର ବ୍ୟାଖ୍ୟାନ କରି ଜଷ୍ଟିସ ଭେଙ୍କଟଚେଲାୟା ଲେଖିଛନ୍ତି ଯେ ଏହି ଉତ୍ତରରେ ସହସା ଅପ୍ରସ୍ତୁତ ପ୍ରଧାନମନ୍ତ୍ରୀ ତାଙ୍କ ଅନନୁକରଣୀୟ ପ୍ରତ୍ୟୁତ୍ପନ୍ନମତିତାର ପରିଚୟ ଦେଇ କହିଥିଲେ: ‘ଠିକ୍ ଅଛି, ସୌହାର୍ଦ୍ୟପୂର୍ଣ୍ଣ ଓ ଯଥୋଚିତ ମଧ୍ୟ।’ ଅବଶ୍ୟ, କତିପୟ ଉଚ୍ଚାଭିଳାଷୀ ବିଚାରପତି ପ୍ରଧାନମନ୍ତ୍ରୀଙ୍କ ପ୍ରଶସ୍ତି ଗାନ କରି ବା ସ୍ପର୍ଶକତାର ମାମଲାଗୁଡ଼ିକାରେ ସରକାରଙ୍କ ପକ୍ଷପାତୀ ରାୟ ପ୍ରଦାନ କରି ବିଭିନ୍ନ ସମୟରେ ରାଜ-ଆଶୀର୍ବାଦ ଲାଭ କରିଛନ୍ତି; ଯେମିତି କି ପଣ୍ଡିତ ଜୱାହରଲାଲ ନେହରୁଙ୍କ ବୈଦେଶିକ ନୀତିର ଗୁଣକୀର୍ତ୍ତନ କରି ରାଷ୍ଟ୍ରଦୂତ ଓ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀ ହୋଇଥିବା ମହାରାଷ୍ଟ୍ର ଉଚ୍ଚ ଅଦାଲତର ମୁଖ୍ୟ ବିଚାରପତି ଏମ୍. ସି. ଚଗଲା ବା ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରି ଜାତିସଂଘର କମିଟିଗୁଡ଼ିକୁ ସରକାରଙ୍କ ପକ୍ଷରୁ ବାରମ୍ବାର ମନୋନୀତ ହୋଇଥିବା ଜଷ୍ଟିସ ପି. ଏନ୍. ଭଗୱତୀ ଅଥବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ତବ ଗାନ କରି ଅବସର ପରେ ଜାତୀୟ ମାନବ ଅଧିକାର କମିସନର ଅଧ୍ୟକ୍ଷ ପଦାସୀନ ହୋଇଥିବା ଜଷ୍ଟିସ ଅରୁଣ ମିଶ୍ର ଇତ୍ୟାଦି। ସେମିତି ଏକାଧିକ ମାମଲାରେ ସରକାରଙ୍କ ସପକ୍ଷରେ ରାୟ ଦେଇଥିବା ସୁପ୍ରିମ୍ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗଗୋଇ ବିଜେପି ପକ୍ଷରୁ ରାଜ୍ୟସଭାର ସାଂସଦ ହୋଇ ପାରିଥିଲେ। ସୁତରାଂ, ପ୍ରଶ୍ନ ଉଠିଥାଏ ଯେ ଆସନ୍ତା ନଭେମ୍ବର ମାସରେ ଅବସର ଗ୍ରହଣ କରିବାକୁ ଯାଉଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ସେଭଳି କୌଣସି ମହତ୍ତ୍ବାକାଂକ୍ଷା ପୋଷଣ କରିଥାଇ ପାରନ୍ତି କି? କିନ୍ତୁ, ଏଣେ ସାଂପ୍ରତିକ ରାଜନୈତିକ ଧ୍ରୁବୀକରଣ ହେତୁ ଏହି ପ୍ରସଙ୍ଗ ମଧ୍ୟ ବିଭାଜିତ ପ୍ରତିକ୍ରିୟା ସୃଷ୍ଟି କଲାଣି; ଯେମିତି କି ପ୍ରଧାନମନ୍ତ୍ରୀଙ୍କ ସପକ୍ଷବାଦୀମାନେ ଏଥିରେ କୌଣସି ଗର୍ହିତ ବିଚ୍ୟୁତି ଦେଖି ନ ଥାଆନ୍ତି; କାରଣ ବିଭିନ୍ନ ଅବସରରେ ବା ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଏକତ୍ର ହୁଅନ୍ତି, ଯେଉଁଠି କିଂଚିତ ଅନୌପଚାରିକ ବାର୍ତ୍ତାଳାପର ଅବକାଶ ମଧ୍ୟ ସୃଷ୍ଟି ହୋଇଥାଏ, ଯାହାର ଅର୍ଥ ନୁହେଁ ଯେ ବିଚାରପତିଙ୍କୁ ପ୍ରଲୁବ୍ଧ କରିବାର ଉଦ୍ୟମ ତହିଁରେ ନିହିତ ଥାଏ! କେବଳ ସେତିକି ନୁହେଁ, ୨୦୦୯ ମସିହାର ଦୃଷ୍ଟାନ୍ତ ଦେଖାଇ ସେମାନେ କହିଥାଆନ୍ତି ଯେ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦ୍ବାରା ଆୟୋଜିତ ଇଫତାର ପାର୍ଟିରେ ତତ୍କାଳୀନ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି କେ. ଜି. ବାଳକୃଷ୍ଣନଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ପ୍ରଶ୍ନ ହେଲା, ଗୋଟିଏ ବିଚ୍ୟୁତିର ଉଦାହରଣ ଦେଇ ଆଉ ଏକ ବିଚ୍ୟୁତିକୁ ସୁଧାରି ହୋଇଥାଏ କି?
ଏ କ୍ଷେତ୍ରରେ ଯାହା ଅଧିକାଂଶଙ୍କୁ ଚକିତ ଏପରିକି ମୁହ୍ୟମାନ କରିଛି, ତାହା ହେଲା ଅତ୍ୟନ୍ତ ବିଚାରବନ୍ତ ଭାବେ ସୁପରିଚିତ ଚନ୍ଦ୍ରଚୂଡ଼ଙ୍କ ଦ୍ବାରା ହୋଇଥିବା ଏଭଳି ବିଚାର ବିଭ୍ରାଟ! କେବଳ ସେତିକି ନୁହେଁ, ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠମାନଙ୍କରୁ ନିସୃତ କେତେକ ବିଚାର (ଇଲେକ୍ଟୋରାଲ୍ ବଣ୍ଡ୍ ଦୁର୍ନୀତି ଭଳି) ଏହି ମୋଦୀ ସରକାରଙ୍କୁ ଅପଦସ୍ଥ ମଧ୍ୟ କରିଛି। ସୁତରାଂ, ଉଭୟଙ୍କ ଅନ୍ତରଙ୍ଗତାକୁ ପ୍ରାଂଜଳ କଲା ଭଳି ଅଭୂତପୂର୍ବ ଭିଡିଓଟି ପ୍ରସାରିତ କରାଗଲା କାହିଁକି? ଅନେକ ବୁଦ୍ଧିଜୀବୀ କହିଥାଆନ୍ତି ଯେ ଏଭଳି ଏକ ଘଟଣା ଏକ ନିତାନ୍ତ ଘରୋଇ ବ୍ୟାପାର ହୋଇ ରହିବା ଉଚିତ ହୋଇଥାଆନ୍ତା; ପ୍ରଧାନମନ୍ତ୍ରୀଙ୍କ ‘ଏକ୍ସ’ ହାଣ୍ଡଲରୁ ଏହାର ପ୍ରସାରଣ କରାଗଲା କାହିଁକି? ଏହା ପଛରେ ଉଦ୍ଦେଶ୍ୟ କ’ଣ? କିନ୍ତୁ, ଏକ ଅତି ସାଧାରଣ ବୁଦ୍ଧି ପ୍ରୟୋଗ କଲେ ବୁଝି ହୁଏ ଯେ ଏଭଳି ଏକ ଘଟଣା ଯଦି କୌଣସି ଗୋପନ ମୋବାଇଲ କ୍ୟାମେରାର ଦୃଷ୍ଟିପଥରେ ଆସି ଅଚାନକ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥାଆନ୍ତା, ତେବେ ନିଶ୍ଚିତ ଭାବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ବିତର୍କର ଝଡ଼ ଏକ ଅତ୍ୟନ୍ତ ଅସମ୍ଭାଳ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଥାଆନ୍ତା! ଏବଂ ପୂର୍ବର ଅଭିଜ୍ଞତା କହିଥାଏ ଯେ ସେଭଳି ଘଟିବାର ସମ୍ଭାବନା ମଧ୍ୟ ଖୁବ୍ ଅଧିକ ରହନ୍ତା। ତେଣୁ ଏ କ୍ଷେତ୍ରରେ ଅନ୍ତତଃ ଗୋପନୀୟ ହୋଇ କିଛି ନାହିଁ! ଦ୍ବିତୀୟ କଥା ହେଲା, ଏହି ଘଟଣା ପରେ ସୁପ୍ରିମ୍ କୋର୍ଟରୁ ଆସିଥିବା ପ୍ରଥମ ଗୁରୁତ୍ବପୂର୍ଣ୍ଣ ରାୟରେ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ମଂଜୁର ହୋଇଛି, ଯାହା ସରକାରଙ୍କୁ ଅସ୍ବସ୍ତିରେ ପକାଇଥିବ। କିନ୍ତୁ, ଭିଡିଓଟି ଦେଖି ସୁପ୍ରିମ୍ କୋର୍ଟର ନୈତିକ ଅବିଭାଜ୍ୟତା ନେଇ ସନ୍ଦିହାନ ହୋଇ ଉଠିଥିବା ଅନେକଙ୍କୁ ଏହା ଆଶ୍ବସ୍ତ ମଧ୍ୟ କରିଥିବ। ଏବେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିବ ମୁଖ୍ୟ ବିଚାରପତିଙ୍କ ପରବର୍ତ୍ତୀ ରାୟଗୁଡ଼ିକ ଉପରେ। ସାଂପ୍ରତିକ ବିବାଦ ପରିପ୍ରେକ୍ଷୀରେ ନିଜ ଭାବମୂର୍ତ୍ତିକୁ ଆଉ ଅଧିକ ମଳିନ ହେବାକୁ ନ ଦେଇ ଯଦି ଚାପଗ୍ରସ୍ତ ମୁଖ୍ୟ ବିଚାରପତି କେବଳ ସରକାର ବିିରୋଧୀ ରାୟମାନ ଦିଅନ୍ତି, ତେବେ ତାହା ମଧ୍ୟ ଯଥାର୍ଥ ହେବ ନାହିଁ। କିନ୍ତୁ ଚାପଗ୍ରସ୍ତ ହେଲେ ସ୍ଥିରତା ରକ୍ଷା କରି ଯଥାର୍ଥ ରାୟ ପ୍ରଦାନ କରିବା ମଧ୍ୟ ଅତ୍ୟନ୍ତ କଷ୍ଟପ୍ରଦ ହୋଇଥାଏ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)