ଆପଣମାନେ ଜାତୀୟ କିମ୍ବା ରାଜ୍ୟ ରାଜପଥ ଦେଇ ଗାଡ଼ିରେ ଯାତ୍ରା କଲାବେଳେ ରାସ୍ତାର ଦୁଇ ପଟେ ପରିବହନ ବିଭାଗ ଦ୍ବାରା ଲଗାଯାଇଥିବା ଅନେକ ପ୍ରକାରର ସାବଧାନ ଓ ସଚେତନ କଲା ଭଳି ବାର୍ତ୍ତାମାନ ଲେଖାଥିବା ଫଳକ ଦେଖିବାକୁ ପାଇବେ। ଏଗୁଡ଼ିକର ଉଦ୍ଦେଶ୍ୟ ହେଲା ଗାଡ଼ି ଚାଳକ, ଯାତ୍ରୀ ଓ ପଥଚାରୀମାନଙ୍କୁ ନିଜର ସୁରକ୍ଷା ତଥା ଯାତାୟାତର ନିୟମ ମାନି ଚଳିବା ଶିଖାଇବା ବା ସତର୍କ କରାଇବା। ସେହି ବାର୍ତ୍ତା ଭିତରେ ଗୋଟିଏ ହେଉଛି ‘ଇଫ୍‌ ମ୍ୟାରେଡ୍‌, ଡିଭର୍ସ ସ୍ପିଡ୍‌’ ଅର୍ଥାତ୍‌ ‘ଯଦି ଆପଣ ବିବାହିତ, ଦ୍ରୁତ ଗତିରୁ ବିଚ୍ଛେଦ ହୁଅନ୍ତୁ’। ଏମିତି ବହୁ ଆମୋଦଦାୟକ ତଥା ଉପାଦେୟ ସତର୍କ ସୂଚନା ଲେଖାଯାଇଥାଏ କିନ୍ତୁ ଆମେ ତା’ ଉପରେ ଗୁରୁତ୍ବ ଦେଉ କି?
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ‘ରୋଡ୍‌ ଆକ୍ସିଡେଣ୍ଟ ଇନ୍‌ ଇଣ୍ଡିଆ- ୨୦୨୨’ ରିପୋର୍ଟର ପରିସଂଖ୍ୟାନ କହେ ୨୦୨୨ରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା‌ ଲୋକଙ୍କ ମଧ୍ୟରେ ୧୮ରୁ ୪୫ ବର୍ଷର ୬୬.୫ ପ୍ରତିଶତ ଓ ୧୮ରୁ ୬୦ ବର୍ଷର ୮୩.୪ ପ୍ରତିଶତ ରୋଜଗାରକ୍ଷମ ଥିଲେ। ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ୭୬,୯୦୭ ଜଣ ପୁରୁଷ ଚାଳକ ଓ ୨,୯୨୦ ଜଣ ମହିଳା ଚାଳକ, ୪୧,୫୩୩ ଜଣ ପୁରୁଷ ଯାତ୍ରୀ ଓ ୧୪,୭୪୨ ଜଣ ମହିଳା ଯାତ୍ରୀ, ୨୬,୨୯୦ ପଥଚାରୀ ପୁରୁଷ ଓ ୬,୫୭୨ ପଥଚାରୀ ମହିଳା; ଏହିପରି ସମୁଦାୟ ୧,୪୫,୧୭୭ ପୁରୁଷ ଏବଂ ୨୩,୩୧୪ ମହିଳାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେଥିରେ ଅନେକ ସଦ୍ୟ ବିବାହିତା ଓ ଆସନ୍ନପ୍ରସବା ମଧ୍ୟ ଥିଲେ। ପୁଣି ଥିଲେ ଅଧିକାଂଶ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି, ଯେଉଁମାନେ ସଡ଼କରୁ ଆଉ ଘରକୁ ଫେରିଲେ ନାହିଁ। ସେହିଭଳି ଅସଂଖ୍ୟ ଲୋକ ସବୁଦିନ ପାଇଁ ପଙ୍ଗୁ ବା ଶଯ୍ୟାଶାୟୀ ହୋଇ ପରିବାର ଲାଗି ବୋଝ ପାଲଟିଛନ୍ତି।
୨୦୨୨ ମସିହାରେ ଭାରତରେ ପ୍ରାୟ ୪,୬୧,୩୧୨ଟି ସଡ଼କ ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି। ଏଥିରେ ୧,୬୮,୪୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧,୯୫,୬୭୪ ଜଣ ଗୁରୁତର ଓ ୨,୪୭,୬୯୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ୨୦୨୧ ମସିହାରେ ଏହି ମାମଲା ସଂଖ୍ୟା ଥିଲା ୪,୧୨,୪୩୨ ଏବଂ ସେଥିରେ ୧,୫୩,୯୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୮୪,୪୪୮ ଜଣ ଆହତ ହୋଇଥିଲେ। ରାଜ୍ୟ ରାଜପଥ, ଜିଲ୍ଲା ସଡ଼କ ପଥ ଓ ଗ୍ରାମାଞ୍ଚଳ ରାସ୍ତାରେ ମଧ୍ୟ ବହୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦେଶରେ ପ୍ରତିଦିନ ହାରାହାରି ୧,୨୬୪ଟି ଦୁର୍ଘଟଣା ଘଟୁଥିବା ବେଳେ ୪୬୨ ଜଣଙ୍କର ମୃତ୍ୟୁ ଘଟୁଛି। ପ୍ରତି ଘଣ୍ଟା ହିସାବରେ ଦୁର୍ଘଟଣା ସଂଖ୍ୟା ୫୩ ଓ ମୃତ୍ୟୁ ସଂଖ୍ୟା ୧୯। ଓଡ଼ିଶାରେ ୨୦୨୨ ମସିହାରେ ୧୧,୬୬୩ଟି ସଡ଼କ ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଥିବା ସ୍ଥଳେ ମୋଟ ୫,୪୬୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୦,୩୦୨ ଜଣ ଆହତ ହୋଇଥିଲେ। ଅର୍ଥାତ୍‌, ଓଡ଼ିଶାରେ ପ୍ରତିଦିନ ହାରାହାରି ୩୨ ଦୁର୍ଘଟଣା ଘଟୁଛି ଏବଂ ୧୫ ଜଣଙ୍କର ମୃତ୍ୟୁ ହେଉଛି। ତେଣୁ ସ୍ଥିତି କେଡ଼େ ଭୟଙ୍କର, ତାହା ଅନୁମାନସାପେକ୍ଷ।
ଦୁର୍ଘଟଣାର କାରଣମାନଙ୍କ ମଧ୍ୟରେ ବଡ଼ କଥାଟି ହେଉଛି ଦ୍ରୁତ ଓ ବେପରୁଆ ଗାଡ଼ି ଚାଳନା। ଏଥିଯୋଗୁଁ ୭୧.୩ ପ୍ରତିଶତ ଦୁର୍ଘଟଣା ଘଟୁଛି। ସମୁଦାୟ ଦୁର୍ଘଟଣାଜନିତ ମୃତ୍ୟୁର ୭୧.୨ ପ୍ରତିଶତ ଏବଂ ଆହତର ୭୨.୮ ପ୍ରତିଶତ ପାଇଁ ଦ୍ରୁତ ଓ ବେପରୁଆ ଗାଡ଼ି ଚାଳନା ଦାୟୀ। ସେଥିପାଇଁ ଚେତାବନୀ ଫଳକରେ ଲେଖାରହିଛି- ‘ସ୍ପିଡ୍‌ ଥ୍ରିଲ୍‌ସ, ବଟ୍‌ ଇଟ୍‌ କିଲ୍‌ସ’। ‘ଫାଷ୍ଟ୍‌ ଡ୍ରାଇଭ୍‌ ମେ ବି ୟୋର୍‌ ଲାଷ୍ଟ ଡ୍ରାଇଭ୍‌’। ‘ନର୍‌ମାଲ୍‌ ସ୍ପିଡ୍‌, ମିଟ୍‌ସ ଏଭ୍ରି ନିଡ୍‌’। ସେହିପରି ବିନା ସିଟ୍‌ ବେଲ୍‌ଟରେ ଗାଡ଼ି ଚାଳନା କରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୮,୩୮୪ ଚାଳକ ଓ ୮,୩୩୧ ଜଣ ଯାତ୍ରୀ (ମୋଟ ୧୬,୧୭୫)ଙ୍କର ମୃତ୍ୟୁ ହୋଇଛି ଏବଂ ୪୨,୩୦୩ ଜଣ ଆହତ ହୋଇଛନ୍ତି। ବିନା ହେଲ୍‌ମେଟ୍‌ରେ ୩୬,୬୯୨ ଚାଳକ, ୧୪,୩୩୭ ଜଣ ଯାତ୍ରୀ (ମୋଟ ୫୦,୦୨୯)ଙ୍କର ମୃତ୍ୟୁ ଘଟିଛି ଏବଂ ୧,୦୧,୮୯୧ ଜଣ ଆହତ ହୋଇଛନ୍ତି। ସେଥିପାଇଁ ଚେତାବନୀ ଥାଏ ‘ଆଭଏଡ୍‌ ଡେଥ୍‌, ୟୁଜ୍‌ ସିଟ୍‌ ବେଲ୍‌ଟ ଆଣ୍ଡ୍‌ ହେଲ୍‌ମେଟ୍‌’।
ଛୁଟିଦିନମାନଙ୍କରେ ଦୁର୍ଘଟଣା ସଂଖ୍ୟା ଅଧିକ। ସନ୍ଧ୍ୟା ୬ଟାରୁ ରାତି ୯ଟା ଭିତରେ ସର୍ବାଧିକ ୨୦.୪ ପ୍ରତିଶତ, ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୬ଟା ଭିତରେ ୧୭.୩ ପ୍ରତିଶତ ଓ ରାତି ୧୨ ଟାରୁ ସକାଳ ୬ଟା ଭିତରେ ସବୁଠାରୁ କମ୍‌ ଦୁର୍ଘଟଣା ଘଟେ। ଏଣୁ ସତର୍କ ଫଳକରେ ଲେଖାରହିଛି ‘ଡ୍ରାଇଭ୍‌ ୱିଥ୍‌ ରିଜନ୍‌, ଦିସ୍‌ ହଲିଡେ ସିଜନ୍‌’।
ଗାଡ଼ି ଚଳାଇବା ବେଳେ ମୋବାଇଲର ବ୍ୟବହାର ହେଉଛି ସବୁଠୁ ବଡ଼ ବିପଦର କାରଣ। ଏଣୁ ‘ଡୋଣ୍ଟ ଟେକ୍ସଟ୍‌ ଆଣ୍ଡ ଡ୍ରାଇଭ୍‌’ ବୋଲି ସତର୍କ ସୂଚନା ଲେଖାଯାଇଛି। ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ିଚାଳନା ରୋକିବାକୁ ଲେଖାଥାଏ ‘ଡୋଣ୍ଟ ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌’। ‘ଓବେ ଟ୍ରାଫିକ୍‌ ରୁଲ୍‌’ ଅର୍ଥାତ୍‌ ଟ୍ରାଫିକ୍‌ ନିୟମ ମାନି ଚଳିଲେ, ଅନେକ ଦୁର୍ଘଟଣାକୁ ଏଡ଼ାଇ ଦେଇହେବ। ଅନ୍ୟମନସ୍କ ଚାଳକମାନଙ୍କ ପାଇଁ ଏକ ଫଳକ ଲେଖା ରହିଛି- ‘ଷ୍ଟପ୍‌, ଲୁକ୍‌, ୱେଟ୍‌ ଆଣ୍ଡ୍‌ ପ୍ରୋସିଡ୍‌’, ଅର୍ଥାତ୍‌, ଅଟକି ଦେଖ, ଅପେକ୍ଷା କର ଆଉ ତା’ ପରେ ଆଗକୁ ବଢ଼।
ଆମେ ସମସ୍ତେ ମନେରଖିବା ଉଚିତ ଯେ ‘ଲାଇଫ୍‌ ହାଜ୍‌ ନୋ ରିସେଟ୍‌ ବଟନ’। ଜୀବନ ଥରେ ଗଲେ, ଆଉ ଫେରି ଆସେ ନାହିଁ। କଥା ହେଲା, ନିଜ ଭୁଲ୍‌ରୁ କେବଳ ଆମେ ଦଣ୍ଡ ପାଉନା, ଅନେକ ନିରୀହ ଲୋକେ ଅାମ ଭୁଲ୍‌ରୁ ଜୀବନ ଯାକ ଦଣ୍ଡ ପାଆନ୍ତି। ସତର୍କ ରହିଲେ, ସହଜରେ ଦୁର୍ଘଟଣାକୁ ଏଡ଼ାଇ ହୋଇଥାଏ। ତେଣୁ କୁହାଯାଇଛି ‘ଆଲର୍ଟ ଟୁଡେ, ଆଲିଭ୍‌ ଫର୍‌ ଟୁମୋରୋ’। ଆଜି ଜାଗ୍ରତ ରହିଲେ, କାଲିକୁ ବଞ୍ଚି ରହିବା। ଶେଷରେ ଏକ ମର୍ମସ୍ପର୍ଶୀ ସଡ଼କ ଫଳକର ଲେଖାଟିକୁ ସର୍ବଦା ମନେ ରଖିବା ଦରକାର- ‘ବେଟର ଲେଟ୍‌ ଦ୍ୟାନ୍‌ ନେଭର’। କେବେ ନ ପହଞ୍ଚିବା ଅପେକ୍ଷା ବିଳମ୍ବରେ ପହଞ୍ଚିବା ଭଲ।
ମୋ: ୯୪୩୭୨୦୨୮୧୨