ଯୋଗେନ୍ଦ୍ର ଯାଦବ

Advertisment

ଯାହା ଆଶା କରାଯାଉଥିଲା ତାହା ଘଟିଲା। ଦିଲ୍ଲୀରୁ ଏକ ସ୍ବେଚ୍ଛାଚାରୀ ନିର୍ଦ୍ଦେଶ ଜାରି କରାଗଲା। ଯେବେ ଏହି ନିର୍ଦ୍ଦେଶ ବିହାର ମାଟିରେ ପହଞ୍ଚିଲା, ସେତେବେଳେ ଅରାଜକତା ବ୍ୟାପିଗଲା। ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ, ତେଣୁ ଏବେ ଏହାକୁ ଘୋଡ଼ାଇବା ପାଇଁ ଉଦ୍ୟମ ହେଉଛି। ସକାଳେ ଖବରକାଗଜରେ ନିର୍ବାଚନ ଆୟୋଗଙ୍କ ବିଜ୍ଞାପନ ପ୍ରକାଶିତ ହେଉଛି। ସନ୍ଧ୍ୟାରେ ନିର୍ବାଚନ ଆୟୋଗ ଏହାକୁ ଖଣ୍ଡନ କରୁଛନ୍ତି। ବିହାରର କୋଣ ଅନୁକୋଣରୁ ଆସୁଥିବା ଖବର ବିଚଳିତ କରିଦେବା ଭଳି। ବାସ୍ତବ ପରିସ୍ଥିତିକୁ ସୁଧାରିବା ପରିବର୍ତ୍ତେ ନିର୍ବାଚନ ଆୟୋଗ ସମ୍ବାଦଦାତାମାନଙ୍କୁ ଦାୟୀ କରୁଛନ୍ତି। ଅବିଶ୍ୱସନୀୟ ସଂଖ୍ୟା ବାହାରକୁ ଆସିବାରେ ଲାଗିଛି। କୋଡ଼ିଏ ବର୍ଷ ପୂର୍ବେ ଦେଶର ସବୁଠାରୁ ବିଶ୍ୱସ୍ତ ସଂସ୍ଥା ଭାବରେ ବିବେଚିତ ହେଉଥିବା ସଂସ୍ଥା ଆଜି ହାସ୍ୟାସ୍ପଦ ପାଲଟିଛି। ତେଣୁ ନିର୍ବାଚନ ଆୟୋଗରେ ବସିଥିବା ତ୍ରିମୂର୍ତ୍ତିଙ୍କୁ କିଛି ସିଧାସଳଖ ଏବଂ କଠିନ ପ୍ରଶ୍ନ ପଚାରିବା ଦରକାର।
ନୂତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ଘୋଷଣା କରିଥିଲେ କି, ନିର୍ବାଚନ ଆୟୋଗ ବିଚାର ବିମର୍ଶରେ ବିଶ୍ୱାସ କରନ୍ତି। ବଡ଼ ଧୁମଧାମରେ ​​ଘୋଷଣା କରାଯାଇଥିଲା ଯେ ନିର୍ବାଚନ ଆୟୋଗ ଦୁଇ ମାସ ଭିତରେ ଦଳଗୁଡ଼ିକ ସହିତ ଚାରି ହଜାରରୁ ଅଧିକ ବୈଠକ କରିଛନ୍ତି। ଆପଣ ସମଗ୍ର ଦେଶରେ ଭୋଟର ତାଲିକାର ‘ବିଶେଷ ଗଭୀର ପୁନରୀକ୍ଷଣ’ କରିବାକୁ ଯାଉଛନ୍ତି ବୋଲି କୌଣସି ବି ବୈଠକରେ ସୂଚନା ଦେଇଛନ୍ତି କି? ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ଦେଶର ଏବଂ ବିଶେଷ କରି ବିହାରର ଦଳଗୁଡ଼ିକ ସହିତ ପରାମର୍ଶ କରିବା ଉଚିତ ନଥିଲା କି?
୨୦୦୩ ମସିହା ପରେ ନିର୍ବାଚନ ଆୟୋଗ ‘ଗଭୀର ପୁନରୀକ୍ଷଣ’ ଅର୍ଥାତ୍ ଭୋଟର ତାଲିକାକୁ ନୂତନ ଭାବରେ ପ୍ରସ୍ତୁତ କରିବା ପ୍ରକ୍ରିୟାକୁ ବନ୍ଦ କରିଦେଇଥିଲେ। ସେହି ନିଷ୍ପତ୍ତିକୁ ବଦଳାଇବାର କ’ଣ କାରଣ ଆପଣଙ୍କ ପାଖରେ ଅଛି? ‘ଗଭୀର ପୁନରୀକ୍ଷଣ’(ସହରୀକରଣ, ପ୍ରବାସନ, ଡୁପ୍ଲିକେଟ୍ ଭୋଟ୍ ଇତ୍ୟାଦି) ପାଇଁ ଆପଣ ଯେଉଁ ସମସ୍ତ କାରଣର ତାଲିକା କରିଛନ୍ତି, ତାହା ବର୍ତ୍ତମାନର ଭୋଟର ତାଲିକାର ସ୍ୱତନ୍ତ୍ର ଏବଂ ଗଭୀର ସଂଶୋଧନ ଦ୍ୱାରା କାହିଁକି ସମାଧାନ କରାଯାଇପାରିବ ନାହିଁ? ପୁରୁଣା ତାଲିକାକୁ ପ୍ରତ୍ୟାଖ୍ୟାନ କରି ଏଥିପାଇଁ ଏକ ନୂତନ ତାଲିକା ପ୍ରସ୍ତୁତ କରିବାର ଆବଶ୍ୟକତା କ’ଣ? ଏହି ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ ଆୟୋଗ ଏହାର ଲାଭକ୍ଷତି ମୂଲ୍ୟାଙ୍କନ କରିଥିଲେ କି? ନିର୍ବାଚନ ଆୟୋଗ କୌଣସି ଆଭ୍ୟନ୍ତରୀଣ ପରାମର୍ଶ କରିଥିଲେ କି? ସେହି ଫାଇଲ୍ ସାର୍ବଜନୀନ କରାଯାଇପାରିବ କି?
ଆପଣ ୨୦୦୩ ଭୋଟର ତାଲିକାକୁ ପୁନରୀକ୍ଷଣର ଆଧାର କରିଛନ୍ତି। ପରବର୍ତ୍ତୀ ତାଲିକା ପରି, ସେହି ତାଲିକା ମଧ୍ୟ ପୁରୁଣା ତାଲିକାକୁ ସଂଶୋଧନ କରି ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ଭୋଟରଙ୍କଠାରୁ କୌଣସି ପ୍ରମାଣପତ୍ର ମଧ୍ୟ ଲୋଡ଼ାଯାଇ ନଥିଲା। ତେବେ ୨୦୦୩କୁ ପ୍ରାମାଣିକ ବୋଲି ବିବେଚନା କରିବା ଏବଂ ପରବର୍ତ୍ତୀ ତାଲିକାଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବାର ଆଧାର କ’ଣ? ୨୦୦୩ ପରେ ହୋଇଥିବା ସମସ୍ତ ନିର୍ବାଚନ କ’ଣ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାରେ କରାଯାଇଥିଲା ବୋଲି ନିର୍ବାଚନ ଆୟୋଗ ବିଶ୍ୱାସ କରନ୍ତି?
ଯେଉଁ ଭୋଟରମାନଙ୍କର ନାମ ୨୦୦୩ ତାଲିକାରେ ନଥିଲା, ସେମାନଙ୍କ ଠାରୁ ଆପଣ ୧୧ଟି ଡକ୍ୟୁମେଣ୍ଟ ମଧ୍ୟରୁ କୌଣସି ଗୋଟିଏ ମାଗିଛନ୍ତି। ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଖରେ ଏହି ଡକ୍ୟୁମେଣ୍ଟ ମଧ୍ୟରୁ କୌଣସି ନା କୌଣସି ନିହାତି ରହିବା ଜରୁରି ବୋଲି କ’ଣ ନିର୍ବାଚନ ଆୟୋଗ ଭରସା କରନ୍ତି? ବିହାରର କେତେ ପ୍ରତିଶତ ଲୋକଙ୍କ ପାଖରେ ଏହି ୧୧ଟି ଡକ୍ୟୁମେଣ୍ଟ ଅଛି, ତାହା  ନିର୍ବାଚନ ଆୟୋଗ କ’ଣ ଯାଞ୍ଚ କରିଥିଲେ? ଯଦି କରିଥିବେ, ତେବେ ନିର୍ବାଚନ ଆୟୋଗ ଏହି ସଂଖ୍ୟାକୁ ସାର୍ବଜନୀନ କାହିଁକି କରୁନାହାନ୍ତି? କିମ୍ବା ବିହାରରେ ଅଧା ଲୋକଙ୍କ ପାଖରେ ମଧ୍ୟ ଏପରି ଡକ୍ୟୁମେଣ୍ଟ ନାହିଁ ବୋଲି ସରକାରୀ ସଂଖ୍ୟା ଦର୍ଶାଇ ଯେଉଁମାନେ ପ୍ରମାଣିତ କରିଛନ୍ତି, ସେମାନଙ୍କୁ ନିର୍ବାଚନ ଆୟୋଗ କାହିଁକି ଜବାବ ଦେଉ ନାହାନ୍ତି?
ସାଧାରଣ ଲୋକଙ୍କ ପାଖରେ ଥିବା ଆଧାର, ରାସନ କାର୍ଡ ଓ ମନରେଗା ଜବ୍‌ କାର୍ଡ ଭଳି ଡକ୍ୟୁମେଣ୍ଟକୁ ନିର୍ବାଚନ ଆୟୋଗ କାହିଁକି ଗ୍ରହଣ କରୁନାହାନ୍ତି? ଏହି ସବୁ ଡକ୍ୟୁମେଣ୍ଟ ଏବଂ ତଥାକଥିତ ବୈଧ ୧୧ଟି ଡକ୍ୟୁମେଣ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି? ଯଦି ଆଧାର କାର୍ଡ ଦେଖାଇ ମିଳିଥିବା ବାସସ୍ଥାନ ପ୍ରମାଣପତ୍ର ବୈଧ, ତେବେ ଆଧାର କାର୍ଡ କାହିଁକି ବୈଧ ନୁହେଁ? ନିର୍ବାଚନ ଆୟୋଗ ନିଜେ ଜାରି କରିଥିବା ଫଟୋ ପରିଚୟପତ୍ର କାହିଁକି ଗ୍ରହଣ କରୁନାହାନ୍ତି? 
ଆପଣ ପ୍ରଥମେ ବିହାରରେ ଏହି ନିର୍ଦ୍ଦେଶ କାହିଁକି ଲାଗୁ କଲେ ଏବଂ ତାହା ମଧ୍ୟ ନିର୍ବାଚନର ମାତ୍ର ଚାରି ମାସ ପୂର୍ବରୁ? ନିର୍ବାଚନ ଆୟୋଗ କ’ଣ ଡିସେମ୍ବର ମାସରେ ବିହାରର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସାରି ନ ଥିଲେ? ସେହି ଭୋଟର ତାଲିକା ବାବଦରେ କୌଣସି ଦଳ ପକ୍ଷରୁ କୌଣସି ବଡ଼ ଧରଣର ଜାଲିଆତି ହୋଇଥିବା ଅଭିଯୋଗ ଆସିଥିଲା କି? ମହାରାଷ୍ଟ୍ର ପରି ବିହାରରେ ଭୋଟରଙ୍କ ସଂଖ୍ୟାରେ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ହୋଇଥିଲା କି? ବିହାର ନିର୍ବାଚନ ପୂର୍ବରୁ କୌଣସି ଦଳ କିମ୍ବା ସଂଗଠନ ଉକ୍ତ ତାଲିକାକୁ ଖାରଜ କରିବାକୁ ଦାବି କରିଥିଲେ ​​କି?
ନୋଟିସର ମାତ୍ର ୧୨ ଘଣ୍ଟା ଭିତରେ ଏତେ ବଡ଼ ନିର୍ଦ୍ଦେଶକୁ କାହିଁକି କାର୍ଯ୍ୟକାରୀ କରାଯାଇଥିଲା? ଆପଣ ସନ୍ଧ୍ୟାରେ ଦିଲ୍ଲୀରୁ ନିର୍ଦ୍ଦେଶ ଜାରି କରିବେ ଏବଂ ପରଦିନ ସକାଳେ ବିହାରର ୯୭ ହଜାର ବୁଥ୍‌ରେ ଫର୍ମ ବଣ୍ଟନ ଆରମ୍ଭ ହେବ ବୋଲି ଆପଣ କିପରି ଭାବିପାରିଲେ? ଏଥି ସହିତ ଆଠ କୋଟି ଫର୍ମ ଛାପିବାକୁ କେତେ ଦିନ ଲାଗିବ, ତାହା କ’ଣ ନିର୍ବାଚନ ଆୟୋଗ ଜାଣି ନଥିଲେ? ୯୭,୦୦୦ରୁ ୨୦,୦୦୦ ବୁଥ୍‌ରେ ବୁଥ୍‌ସ୍ତରୀୟ ଅଧିକାରୀ ପଦ ଖାଲି ପଡ଼ିଛି (ଏବଂ ଦୁଇ ସପ୍ତାହ ପରେ ମଧ୍ୟ ତାହା ଖାଲି ପଡ଼ିଛି) ବୋଲି ନିର୍ବାଚନ ଆୟୋଗ କ’ଣ ଜାଣି ନଥିଲେ? 
ଏତେ ବିଶାଳ ଓ ଜଟିଳ ପ୍ରକ୍ରିୟା ପାଇଁ କେବଳ ଗୋଟିଏ ମାସ କାହିଁକି ଦିଆଯାଇଥିଲା? ଆଜି ପର୍ଯ୍ୟନ୍ତ ଏପରି କୋଟି କୋଟି ଲୋକଙ୍କ ସହ ଜଡ଼ିତ ଏଭଳି କାମ କେବେ ଗୋଟିଏ ମାସରେ ସଂପନ୍ନ ହୋଇଛି କି? ଯେତେବେଳେ ବିହାରରେ ଲୋକମାନଙ୍କ ଦ୍ବାରା କୌଣସି ଫର୍ମ ପୂରଣ ନକରି, ସେମାନଙ୍କୁ କୌଣସି କାଗଜପତ୍ର ନ ମାଗି ଜାତି ସର୍ବେକ୍ଷଣ କାମ ସାରିବାକୁ ପାଞ୍ଚ ମାସ ଲାଗିଗଲା, ତେବେ ଏବେ ଗୋଟିଏ ମାସରେ ଏହି ଚମତ୍କାର କଥା କେମିତି ଘଟିବ? ବିହାରରେ ଏବେ ମୌସୁମୀ ଓ ବନ୍ୟାର ମାସ ବୋଲି ଆପଣ କ’ଣ ଜାଣି ନଥିଲେ? ଆପଣ କେଉଁ ଦୁନିଆରେ ରହୁଛନ୍ତି?
ମନେ କରାଯାଉ, ଆପଣ ତରବର ହୋଇ କିମ୍ବା କିଛି ଚାପ ଯୋଗୁଁ ଏକ ଭୁଲ୍‌ ନିଷ୍ପତ୍ତି ନେଇଯାଇଛନ୍ତି। ତେବେ ଆପଣ ଏବେ ନିଜର ତ୍ରୁଟିକୁ କାହିଁକି ସ୍ବୀକାର କରୁନାହାନ୍ତି? ଆପଣ ପ୍ରତିଦିନ ନୂଆ ବାହାନା କାହିଁକି କରୁଛନ୍ତି? ଆପଣ ଜାଣନ୍ତି ଯେ ଡୁପ୍ଲିକେଟ୍ ଭୋଟରଙ୍କୁ ବାହାର କରିବାର ଏହି ପୁନରୀକ୍ଷଣ ସହିତ କୌଣସି ସମ୍ପର୍କ ନାହିଁ। ତେବେ ଆପଣ ଏପରି ଦୁର୍ବଳ ଯୁକ୍ତି କାହିଁକି କରୁଛନ୍ତି? ୨୦୨୫ ମସିହା ପାଇଁ ବିହାରର ନୂତନ ଭୋଟର ତାଲିକାରେ ଅବୈଧ ବିଦେଶୀଙ୍କ ବିଷୟରେ ଆପଣ କେତେ ଅଭିଯୋଗ ପାଇଛନ୍ତି? ଯଦି ଆପଣ ଏହା ପାଇନାହାନ୍ତି, ତେବେ ଆପଣ ଏଥିପାଇଁ କାହିଁକି ବାହାନା କରୁଛନ୍ତି?
ଆପଣ ଜାଣନ୍ତି ଯେ ୨୦୦୩ରେ ବିହାରରେ ଯେଉଁ ୪.୯୬ କୋଟି ଭୋଟର ଥିଲେ, ସେମାନଙ୍କ ମଧ୍ୟରୁ ପ୍ରାୟ ଦେଢ଼ କୋଟି ଲୋକ ମରିଯାଇଛନ୍ତି କିମ୍ବା ବିହାର ଛାଡ଼ି ଚାଲିଯାଇଛନ୍ତି। ତେବେ ଆପଣ କାହିଁକି ବାରମ୍ବାର କହୁଛନ୍ତି କି ୪.୯୬ କୋଟି ଲୋକଙ୍କୁ ପ୍ରମାଣ ଦେଖାଇବାକୁ ପଡ଼ିବ ନାହିଁ? ମିଛ କହିବା କ’ଣ ଆପଣଙ୍କୁ ଶୋଭା ପାଉଛି?
ଗତ ଗୋଟିଏ ସପ୍ତାହ ଧରି, ଆପଣ ପ୍ରତିଦିନ ଅଦ୍ଭୁତ ସଂଖ୍ୟା ପ୍ରକାଶ କରୁଛନ୍ତି, ଯାହାକୁ ଦେଖି ଲୋକମାନେ ହସୁଛନ୍ତି। ବିହାରର ଅଧା ଲୋକଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଫର୍ମ ମିଳିନାହିଁ ଏବଂ ଆପଣଙ୍କ ସଂଖ୍ୟା କହୁଛି ଯେ ଏପର୍ଯ୍ୟନ୍ତ ୩୬ ପ୍ରତିଶତ ଲୋକ ଫର୍ମ ପୂରଣ କରି ଦାଖଲ କରିଛନ୍ତି! ଯଦି ଏହା ସତ୍ୟ, ତେବେ ଆପଣ ସେମାନଙ୍କ ନାମ କାହିଁକି ସାର୍ବଜନୀନ କରୁନାହାନ୍ତି? ନଚେତ ଆପଣ କାହା ଆଖିରେ ଧୂଳି ପକାଉଛନ୍ତି? ତେବେ ଜଣେ ସଚ୍ଚା ବିହାରୀ ଶୈଳୀରେ ମୁଁ ପଚାରିବାକୁ ଚାହେ: କି ବାବୁ, ଜନତାଙ୍କୁ ମୂର୍ଖ ଭାବୁଛ?
(ମତାମତ ଲେଖକଙ୍କ ନିଜସ୍ବ)
ରାଷ୍ଟ୍ରୀୟ ସଂଯୋଜକ, 
ଭାରତ ଯୋଡ଼ୋ ଅଭିଯାନ