ଡଲଫିନ ପ୍ରକଳ୍ପ ଓ ଓଡ଼ିଶା

ସ˚ଗ୍ରାମ କେଶରୀ ରାଉତ

ବ୍ୟାଘ୍ର ପ୍ରକଳ୍ପ ଓ ହାତୀ ପ୍ରକଳ୍ପ ପରେ ଡଲଫିନ ପ୍ରକଳ୍ପ କଥା ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ପରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ଉକ୍ତ ଜଳଚର ଜୀବମାନଙ୍କ ସୁରକ୍ଷା ପାଇଁ ଆଶା ସଞ୍ଚାର ହୋଇଛି। ଡଲଫିନ୍‌ ଶବ୍ଦର ମୂଳ ହେଉଛି ଗ୍ରୀକ୍‌। ଆମ ଓଡ଼ିଶାରେ ଏମାନଙ୍କୁ କେଉଁଠି ଶିଶୁମାର ତ କେଉଁଠି ଭୂଆଁସୁଣୀ ମାଛ ବା କେଉଁ ଅଞ୍ଚଳରେ ଖୋରା ମାଛ ବୋଲି କୁହନ୍ତି। ଗୋଟିଏ ଜାତିର ଡଲଫିନ୍‌ ମଧୁର ଜଳବାସୀ। ଏମାନେ ଗଙ୍ଗା ଶିଶୁମାର ବା ‘ଗେଜେଟିକ୍‌ ଡଲଫିନ୍‌’ ଭାବେ ପରିଚିତ। ଏମାନେ ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ନଦୀ ଓ ତାର ଶାଖା ନଦୀମାନଙ୍କରେ ଦେଖାଯାଆନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏମାନେ ସମ୍ପୂର୍ଣ୍ଣ ରୂପେ ଅନ୍ଧ। ଅନ୍ୟ ଜାତିର ଡଲଫିନ୍‌ ହେଲେ ଖାରିଆ ଜଳବାସୀ ଓଡ଼ିଶା‌େର ଦେଖା ଯାଉଥିବା ଇରାବଡ଼ି (ବ୍ରହ୍ମଦେଶର ଇରାବତୀ ନଦୀରୁ ଏମାନଙ୍କୁ ପ୍ରଥମ ରେକର୍ଡ କରାଯାଇଥିଲା) ଏମାନଙ୍କ ଭିତରେ ଗଣା। ଏମାନେ ନଦୀ ମୁହାଁଣର ଗଭୀର ଜଳ ଅଞ୍ଚଳରେ ଦେଖାଯାଆନ୍ତି। ଚିଲିକା, ବୈତରଣୀ ଓ ବ୍ରାହ୍ମଣୀ ନଦୀର ମୁହାଁଣର ଚାନ୍ଦବାଲି, ଭିତରକନିକା, ରାଜକନିକା ଠାରେ ବା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ମହାନଦୀ ମୁହାଁଣରେ ଏମାନେ ଦୃଷ୍ଟିଗୋଚର ହୁଅନ୍ତି। ଆଉ ଗୋଟିଏ ପ୍ରଜାତିର ଡଲଫିନ୍‌ର ନାମ ‘ବଟଲ ନୋଜ୍‌’ ବା ବୋତଲ ନାକିଆ। ଏମାନେ ପ୍ରାୟତଃ ସମୁଦ୍ର ଉପକୂଳରେ ଦେଖିବାକୁ ମିଳନ୍ତି। ଚାନ୍ଦବାଲିର କଲାମ ଦ୍ବୀପପୁଞ୍ଜ ଏକକୂଳା, ଗହୀରମଥା, ଅସ୍ତରଙ୍ଗ ଓ ପୁରୀର ଚିଲିକା ଉପକୂଳରେ ଏହା ଦେଖାଯାଆନ୍ତି। ଆଉ ଏକ ପ୍ରକାର ଡଲଫିନ୍‌ ହେଉଛନ୍ତି ‘ଫିନଲେସ୍‌ ପରପଏଜ’ ବା ଡେଣାହୀନ ଶିଶୁମାର। ପରପଏଜ ଶିଶୁମାର ଉଭୟ ମୁହାଁଣ ଓ ସମୁଦ୍ରରେ ଦେଖା ଯାଆନ୍ତି।

ଶିଶୁମାର ବା ଡଲଫିନ୍‌ ହେଉଛନ୍ତି ସ୍ତନ୍ୟପାୟୀ ଜଳଚର ପ୍ରାଣୀ। ଏମାନେ ଦଳବଦ୍ଧ ଭାବେ ଗେଣ୍ତା, ଛୋଟ କଇଁଛ, କଙ୍କଡ଼ା ଓ ମାଛ ଆଦି ଶିକାର କରି ଖାଇଥାଆନ୍ତି। ଯେଉଁ ଅଞ୍ଚଳରେ ଡଲଫିନ୍‌ ଖେଳେ, ସେହି ଅଞ୍ଚଳରେ ମାଛ ଅଧିକ ଅଛନ୍ତି ବୋଲି ମାଛ ଧରାଳିମାନେ ଜାଣନ୍ତି। ତେବେ, ଏମାନେ ଛୋଟ ଛୋଟ ଦଳରେ ଘୂରି ବୁଲନ୍ତି, ଏହି ଦଳମାନଙ୍କୁ ଇଂରେଜୀରେ କହନ୍ତି ‘ସ୍କୁଲ’। ଆମ ରାଜ୍ୟରେ ଦଶ ପ୍ରକାର ଡଲଫିନ୍‌ ଦେଖା ଯାଉଥିବା ରିପୋର୍ଟ କରାଯାଇଛି। ସେଗୁଡ଼ିକ ହେଲେ ଇରାବଡ଼ି ଡଲଫିନ୍‌, ରି‌େସାସ ଡଲଫିନ୍‌, ପାନ-ଟ୍ରପିକାଲ ସ୍ପଟେଡ୍‌ ଡଲଫିନ୍‌, ଷ୍ଟ୍ରାଇପ୍‌ଡ ଡଲଫିନ୍‌, ସ୍ପିନର ଡଲଫିନ୍‌, କମନ ଡଲଫିନ୍, କମନ ବଟଲ ନୋଜ୍‌ ଡଲଫିନ୍‌, ଇଣ୍ଡୋ ପାସିଫିକ୍ ହଂପ୍‌ବ୍ୟାକ୍‌ ଡଲଫିନ୍‌, ଇଣ୍ଡିଆନ୍‌ ଓସେନ ହଂପ୍ ବ୍ୟାକ୍‌ ଡଲଫିନ୍‌, ଗଙ୍ଗା ରିଭର ଡଲଫିନ୍‌। ଆମେ ଜାଣି ରଖିବା ଦରକାର ଯେ ଗଙ୍ଗା ଶିଶୁମାର ପାଇଁ ଆମ ଓଡ଼ିଶାର କୌଣସି ନଦନଦୀ ଅନୁକୂଳ ନୁହେଁ। ବର୍ଷାଦିନେ ଗଙ୍ଗା ନଦୀ‌େର ମଧୁର ଜଳ ପ୍ରବାହ ଅଧିକ ଥାଏ। ଫଳରେ ମୁହାଁଣ ଅଞ୍ଚଳରେ ସମୁଦ୍ର ଭିତରକୁ ୨୦ କିଲୋମିଟରରୁ ଅଧିକ ପର୍ଯ୍ୟନ୍ତ ତ ମଧୁର ଜଳ ପ୍ରବାହ ଜାରି ରହେ। ସେହି ସମୟରେ ଗଙ୍ଗା ଡଲଫିନ୍‌ମାନେ ବାଟବଣା ହୋଇ ସମୁଦ୍ର ଆଡ଼କୁ ମୁହାଁଇଥାନ୍ତି। ଫଳରେ ସମୁଦ୍ର ସ୍ରୋତରେ ଯାଉ ଯାଉ ଅନ୍ୟ ନଦୀ ମୁହାଣମାନଙ୍କୁ ପ୍ରବେଶ କରିଥାନ୍ତି। ଯାହା ଫଳରେ ଆମ ଓଡ଼ିଶାରେ ବୁଢ଼ାବଳଙ୍ଗ, ବୈତରଣୀ, ସୁବର୍ଣ୍ଣରେଖା ନଦୀମାନଙ୍କରେ ଏମାନେ ବେଳେବେଳେ ଦେଖା ଯାଆନ୍ତି। ନଦୀରେ ବର୍ଷା ଜଳର ପ୍ରବାହ କମିଗଲା ପରେ ଜଳର ଲବଣାଂଶ ବୃଦ୍ଧି ପାଇବାରୁ ସେମାନେ ମୃତ୍ୟୁବରଣ କରିଥାନ୍ତି। କିଛି ବର୍ଷ ପୂର୍ବେ ଏହି ଲେଖକ ଚାନ୍ଦବାଲି ନିକଟ ବୈତରଣୀ ନଦୀ କୂଳରେ ଗଙ୍ଗା ଡଲଫିନ୍‌ର ମୃତ ଶରୀର ଦେଖିବାକୁ ପାଇଥିଲା। ଡଲଫିନ୍‌ମାନେ ଜାଲରେ ପଡ଼ିଲେ ପିଲାଙ୍କ ଭଳି କାନ୍ଦନ୍ତି ବା ଏକ ପ୍ରକାର ସେହି ଭଳି ଶବ୍ଦ ଉତ୍ପନ୍ନ କରନ୍ତି। ଏମାନେ ଉତ୍ତାପ ସହ୍ୟ କରିପାରନ୍ତି ନାହିଁ। ଜଳରେ ଲବଣ ଅ˚ଶ ବୃଦ୍ଧି, ଖାଦ୍ୟର ଅଭାବ, ଜଳ ପ୍ରଦୂଷଣ ଇତ୍ୟାଦି ଭଳି କାରଣରୁ ସେମାନେ ସ୍ଥାନ ପରିବର୍ତ୍ତନ କରିଥାନ୍ତି।

ଏହି ସ୍ତନ୍ୟପାୟୀ ଜଳଚର ଜୀବଗୁଡ଼ିକ ବର୍ଷା ଦିନରେ ଗର୍ଭ ଧାରଣ କରନ୍ତି। ପ୍ରାୟ ୧୦ ମାସ ଗର୍ଭ ଧାରଣ କଲା ପରେ ଏପ୍ରିଲରୁ ଜୁଲାଇ ମଧୢରେ ଛୁଆ ଦେଇଥାନ୍ତି। ଡଲଫିନ୍‌କୁ ଏହାର ମା˚ସ ପାଇଁ ଶିକାର କରାଯାଇଥାଏ। ଏହାର ତେଲ ବିଭିନ୍ନ ପ୍ରକାର ଔଷଧ ତିଆରିରେ ଲାଗିଥାଏ। ଗୋଟିଏ ଡଲଫିନ୍‌ ଦଳ ବା ‘ସ୍କୁଲ’ରେ ସାମିଲ ପ୍ରାଣୀଗୁଡ଼ିକ ପରସ୍ପରକୁ ସାହାଯ୍ୟ କରିଥାନ୍ତି। ଏମାନେ ଦଳବଦ୍ଧ ହୋଇ ପ୍ରତିଯୋଗିତା କଲା ଭଳି ପହଁରନ୍ତି। ପର୍ଯ୍ୟଟକମାନଙ୍କୁ ଏମାନଙ୍କ ପହଁରା ଆକୃଷ୍ଟ କରିଥାଏ।

ଆମ ଓଡ଼ିଶାରେ ରେକର୍ଡ କରାଯାଇଥିବା ୧୦ ପ୍ରକାର ଡଲଫିନ୍‌ ମଧୢରୁ ୯ ପ୍ରକାର ଖାର ଜଳ ଡଲଫିନ୍‌ ପାଇଁ ଆମ ରାଜ୍ୟର ନଦନଦୀ ଓ ଉପକୂଳ ଉପଯୁକ୍ତ। ବିଶେଷ କରି ଚିଲିକା ଡଲଫିନ୍‌ ବା ଇରାବଡ଼ି ଡଲଫିନ୍‌ ପାଇଁ ଏହା ସର୍ବାତ୍କୃଷ୍ଟ। ଆମ ରାଜ୍ୟର ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ଚିଲିକା, ଦେବୀ, ନୂଆନଈ ମୁହାଣଗୁଡ଼ିକ ଡଲଫିନ୍‌ମାନଙ୍କ ପାଇଁ ଅନୁକୂଳ। ଡଲଫିନ୍‌ ବ˚ଶ ବର୍ତ୍ତମାନ ହ୍ରାସ ପାଇ ଏହାର ସ˚ଖ୍ୟା ୩୦୭ ମଧୢରେ ସୀମିତ ଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଡଲଫିନ୍‌ ପ୍ରକଳ୍ପର ଚିନ୍ତନ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ବିଶେଷ କରି ଚିଲିକା ଓ ଚାନ୍ଦବାଲି ପାଖରେ ପ୍ରବାହିତ ବୈତରଣୀ, ବ୍ରାହ୍ମଣୀ, ସାଳନ୍ଦୀ, ମନ୍ତେଇ ନଦୀ, ଇରାବଡ଼ି ଡଲଫିନ୍‌ର ବ˚ଶବୃଦ୍ଧି ପାଇଁ ଖୁବ୍‌ ଅନୁକୂଳ ବୋଲି କୁହାଯାଇପାରେ। ଆଜିକାଲି ନଦୀ ମୁହାଁଣଗୁଡ଼ିକ ବିଭିନ୍ନ ପ୍ରକାର ଜାଲ ଦ୍ବାରା ଅବରୁଦ୍ଧ ଅବସ୍ଥାରେ ରହିଛି। ସମୁଦ୍ର ଉପକୂଳ ଅତିମାତ୍ରରେ ବ୍ୟବସାୟୀ କରଣ ଦ୍ବାରା ଆକ୍ରାନ୍ତ। ସମୁଦ୍ର ଓ ନଦୀ ଜଳ ପ୍ରଦୂଷିତ। ବିଭିନ୍ନ ସ୍ଥାନରେ ବିଷ ପକାଇ ମାଛ ମରାଯାଉଛି। ପୁଣି ଏହା ସହିତ ଅଣ-ବୈଜ୍ଞାନିକ ଓ ପରିବେଶ ପ୍ରତିକୂଳ ପ୍ରଣାଳୀରେ ଚିଙ୍ଗୁଡ଼ି ଚାଷ କରାଯାଉଛି। ଅନେକ ସମୟରେ ଚାଷ ଜମିର ପାଣି ନଦୀରେ ମିଶୁଥିବାରୁ ରାସାୟନିକ ସାର ଓ କୀଟନାଶକ ଔଷଧ ମଧ୍ୟ ନଦୀ ଜଳକୁ ପ୍ରଦୂଷିତ କରୁଛି। ଏହା ସବୁ ମିଶିଯାଇ ଡଲଫିନ୍‌ଙ୍କ ବଂଶ ବୃଦ୍ଧିରେ ବାଧା ପକାଉଛି।

‘ଇଣ୍ଟରନେସନାଲ ୟୁନିଅନ ଫର କନ୍‌ଜରଭେସନ ଅଫ୍ ନେଚର’ ବା ‘ଆଇୟୁସିଏନ୍‌’ ଏ ସବୁ କାରଣକୁ ଅତି ବିପଜ୍ଜନକ ବୋଲି ସତର୍କ କରାଇଛି। ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଦ୍ବାରା ଏହାର ଖିଲାପକାରୀଙ୍କୁ ଜେଲ ଓ ଜରିମାନାର ବ୍ୟବସ୍ଥା ରହିଛି। ଏବେ ସମୟ ଆସିଛି ଏ ସବୁ ନିୟମର ନିଷ୍ଠାପୂର୍ବକ ଅନୁପାଳନ କରାଯାଉ। କେବଳ ସେତିକି ନୁହେଁ, ମଣିଷର ଏକ ସ୍ବାଭାବିକ ବନ୍ଧୁ ଭାବେ ଜଣାଶୁଣା ଏହି ପ୍ରାଣୀର ବଂଶ ବୃଦ୍ଧି ଲାଗି ଉଦ୍ୟମରେ ସ୍ଥାନୀୟ ଜନସାଧାରଣ ଓ ଡଲଫିନ୍‌ ପ୍ରେମୀ ସାମିଲ ହୁଅନ୍ତୁ।
ମୋ: ୯୪୩୭୮୧୮୨୩୩

ସମ୍ବନ୍ଧିତ ଖବର