ବହୁ କାଳରୁ ଆମ ଭାଷାରେ ଢଗଟିଏ ପ୍ରଚଳିତ ଅଛି; ଯାହା ହେଲା- ‘ପାଖରେ ଶୁଏ, କାନରେ କୁହେ, ତା’ କଥା କି ଅନ୍ୟଥା ହୁଏ?’ ଏହି ଢଗର ଅର୍ଥ ଊଣା ଅଧିକେ ସମସ୍ତେ ବୁଝନ୍ତି, ଯାହା ହେଲା ରାତିରେ ଏକ ସାଙ୍ଗରେ ଶୟନ କରୁଥିବା ବେଳେ ପତ୍ନୀର କାନକୁହା କଥାରେ ସ୍ବାମୀ ପୂରାପୂରି ଭଳିଯାଏ। ସେଥି ଲାଗି ପତ୍ନୀର କଥା କେବେ ହେଲେ ଅନ୍ୟଥା ହୁଏନାହିଁ। କିନ୍ତୁ ଏହାର ଗୂଢ଼ ଅର୍ଥ ଆଉ ପ୍ରକାରେ। ତାହା ହେଲା କେବଳ ପତ୍ନୀ ନୁହେଁ, ଯେଉଁ ଲୋକ ଠିକଣା ଭାବେ କାନରେ କହି ଜାଣେ ସେ ମଧ୍ୟ ‘କାନକୁହା’ ଶୁଣୁଥିବା ଲୋକକୁ ଅନାୟାସରେ ବଶୀଭୂତ କରିପାରେ। ଏହି କାରଣରୁ ଯୁଗେ ଯୁଗେ କାନକୁହାମାନେ ମହା ପାରିବାର ବା ମହା ଯୋଗାଡ଼ୀ ବୋଲି ସାବ୍ୟସ୍ତ ହୋଇ ଆସିଛନ୍ତି।
ରାଜରାଜୁଡ଼ା ଅମଳରେ କାନକୁହାମନଙ୍କ ଖୁବ୍ ପତିଆରା ଏପରି କି ପ୍ରାଦୁର୍ଭାବ ମଧ୍ୟ ଥିଲା। ଏ ନେଇ ଗପଟିଏ ଅଛି। ଜଣେ ଲୋକ ଉପରେ ଖୁସି ହୋଇ ରାଜା କହିଲେ- ‘କ’ଣ ଚାହୁଁଛ କୁହ। ଯାହା ମାଗିବ, ତାହା ମିଳିବ।’ ଲୋକଟି ଥିଲା ମହା ଧୂର୍ତ୍ତ। ସେ କହିଲା- ‘ମଣିମା, ମୋର କିଛି ଲୋଡ଼ା ନାହିଁ। କେବଳ ଏତିକି ଇଚ୍ଛା ପୂରଣ େହଉ ଯେ ଭରା ରାଜ-ଦରବାରରେ ମଣିମାଙ୍କ କାନରେ ଯେମିତି ମୁଁ ବେଳେ ବେଳେ ଫୁଙ୍କି ପାରେ। ଏବଂ ମୁଁ କ’ଣ କରୁଛି, ତାହା ଯେମିତି ମଣିମା କାହାକୁ ନ ଜଣାନ୍ତି!’ ଏମିତି ଅଜବ ଅଥଚ ନିରୀହ ପ୍ରସ୍ତାବରେ ରାଜା ଅଗତ୍ୟା ରାଜି ହୋଇଗଲେ। ଏଣିକି ପ୍ରତି ଦିନ ସେହି ବ୍ୟକ୍ତି ଥରେ ବା ଦୁଇ ଥର ଯାଇ ରାଜାଙ୍କ କାନରେ ଆସ୍ତେ କରି ଫୁଙ୍କି ଦିଏ ଏବଂ କାନ ସଲସଲ ହେବାରୁ ରାଜା ଅନେକ ସମୟରେ ହସି ମଧ୍ୟ ଦିଅନ୍ତି। ବାସ୍, ଏତିକିେର ଲୋକଟିର ଭାଗ୍ୟ ବଦଳି ଗଲା। ସମସ୍ତେ ଭାବିଲେ ଯେ ୟେ ହେଉଛି ରାଜାଙ୍କ ଖାସ ଲୋକ। ଏଣିକି ୟା’କୁ ସନ୍ତୁଷ୍ଟ କରିବାକୁ ହେବ। ଏମିତି ଭାବେ ରାଜାଙ୍କ କାନରେ ଫୁଙ୍କିଫୁଙ୍କି ଲୋକଟି ରାଜ୍ୟର ଜଣେ ଧନୀ ଓ ପ୍ରଭାବଶାଳୀ ଲୋକରେ ପରିଣତ ହୋଇଗଲା।
ଏହା ଏକ ଗପ। କିନ୍ତୁ, ଏହା ମଧ୍ୟ ସତ ଯେ ଯୁଗେଯୁଗେ ସର୍ବତ୍ର କାନକୁହାମାନେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ବେଢ଼ି ରହିଥାଆନ୍ତି, ଯେଉଁମାନଙ୍କ କାନକୁହା କଥା ଶୁଣିବାର ପ୍ରଲୋଭନକୁ ଏଡ଼ାଇଯିବା ସମ୍ଭବ ହୋଇ ନ ଥାଏ। ତେବେ, ଯାହା ବିଚିତ୍ର ଲାଗେ, ତାହା ହେଲା ଅଧିକାଂଶ ସମୟରେ କାନକୁହା ଶୁଣୁଥିବା ଲୋକମାନେ ଖୁବ୍ ବିଚକ୍ଷଣ, ବୁଦ୍ଧିମାନ ଏବଂ ଉଚ୍ଚ ବିଚାର ସଂପନ୍ନ ମଧ୍ୟ ହୋଇଥାଆନ୍ତି। ତେଣୁ ଏହା ପ୍ରମାଣିତ ଯେ ସଫଳ କାନକୁହାମାନଙ୍କ ଦ୍ବାରା ଅତି ବିଚକ୍ଷଣ ଲୋକେ ମଧ୍ୟ ବ୍ୟବହୃତ ହୋଇ ପାରନ୍ତି! ସାଧାରଣତଃ କାନକୁହାମାନେ ତୋଷାମଦ ବା ଚାଟୁକାରିତାକୁ ଏକ ଆୟୁଧ ଭାବେ ବ୍ୟବହାର କରନ୍ତି। ଜଣେ ଲୋକ ଯାହା ଶୁଣିବାକୁ ଚାହେଁ, କାନକୁହାମାନେ ତାହା ହିଁ କହନ୍ତି ଏବଂ ତା’ ଜରିଆରେ ଅନ୍ତରଙ୍ଗତା ବୃଦ୍ଧି କରନ୍ତି। କିନ୍ତୁ ଅଡୁଆ କଥାଟି ହେଲା ନିଜ ସ୍ବାର୍ଥ ସାଧନ କରିବା ଲାଗି ଏହି କାନକୁହାମାନେ ମିଛ ଚୁଗୁଲି କରି ନିଜ ପ୍ରତିପକ୍ଷ ବା ଶତ୍ରୁମାନଙ୍କ ଉପରେ ପ୍ରତିଶୋଧ ନିଅନ୍ତି। ଆପଣ ଯେ କୌଣସି ଦପ୍ତରକୁ ଯାଆନ୍ତୁ, ଏଭଳି ଉଦାହରଣମାନ ଦେଖିବାକୁ ପାଇବେ। କାନକୁହାମାନଙ୍କୁ ଲୋକେ ଚାମଚା ବୋଲି ମଧ୍ୟ ଡାକନ୍ତି। ସବୁ ପ୍ରଭାବଶାଳୀ, କ୍ଷମତାଶାଳୀ, ଧନବାନ ଏବଂ ଯଶୋବନ୍ତ ଲୋକଙ୍କ ନିକଟରେ ଥୋକେ ଚାମଚାଙ୍କୁ ଦେଖିବାକୁ ମିଳେ। ଏହି କାନକୁହାମାନେ ମୁଖ୍ୟତଃ ପାଖ ଲୋକ ଭାବେ ଜଣାଶୁଣା। ଅନେକ ଲୋକ ସେଥି ଲାଗି କାନକୁହାମାନଙ୍କୁ ତୁଷ୍ଟ କରି ନିଜ କାମ ହାସଲ କରି ନେବାକୁ ଚାହିଁଥାଆନ୍ତି। ସେଥି ଲାଗି କୁହାଯାଇଥାଏ ଯେ ମହାଦେବଙ୍କ ଦର୍ଶନ ନ ମିଳିଲେ ନାହିଁ, ବୃଷଭଙ୍କ ଦର୍ଶନ ମିଳିଲା। ବୃଷଭ ତୁଷ୍ଟ ହେଲେ ମହାଦେବ ବି ସନ୍ତୁଷ୍ଟ ହେବେ। କିନ୍ତୁ ଅନେକ ସମୟରେ କାନକୁହାମାନେ ଅତି ଧୂର୍ତ୍ତ ଠକ ମଧ୍ୟ ହୋଇଥାଆନ୍ତି, ଯେଉଁମାନେ କୌଣସି କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଟଙ୍କା ବା ଉପଢ଼ୌକନ ଆଦି ତ ନେଇଯାଆନ୍ତି, କିନ୍ତୁ କାମ କରନ୍ତି ନାହିଁ। ଆମ ସରକାରୀ ତନ୍ତ୍ରରେ କାମ କରୁଥିବା ଲୋକେ ଏହାର ଭୁରିଭୁରି ପ୍ରମାଣ ପାଇଥିବେ। ତେଣୁ ବିଜ୍ଞ ଜନେ କହନ୍ତି ଯେ କାନକୁହାମାନଙ୍କ ଜାଲରେ ପଡ଼ିବା ପୂର୍ବରୁ ଦୁଇ ଥର ଚିନ୍ତା କର।
କାନକୁହାମାନଙ୍କ କଥା ପଡ଼ିଲେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ଗ୍ରିକ୍ ଦାର୍ଶନିକ ସକ୍ରେଟିସଙ୍କ କଥାଟି ମନେ ପଡ଼େ। ତାଙ୍କ ପାଖରେ ଥରେ ଜଣେ କାନକୁହା ଜୁଟିଲା। ସକ୍ରେଟିସଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ କିଭଳି ସକ୍ରେଟିସଙ୍କ ନାମରେ ଅପପ୍ରଚାର କରୁଛନ୍ତି, ସେ କଥା କାନକୁହା ଜଣକ ତାଙ୍କୁ ଜଣାଇବାକୁ ଇଚ୍ଛା କରି ଆସିଥିଲା। ତା’ର ଉଦ୍ଦେଶ୍ୟ ଥିଲା ଏଭଳି କରି ସେ ସକ୍ରେଟିସଙ୍କ ପ୍ରିୟପାତ୍ର ହେବ। ସକ୍ରେଟିସ ତା’ କଥା ଶୁଣିବା ପୂର୍ବରୁ ତିନିଟି ପ୍ରଶ୍ନ ପଚାରିଲେ; ଯେଉଁଗୁଡ଼ିକ ହେଲା: ସେଇ କଥାଟି ସକ୍ରେଟିସଙ୍କ ପାଇଁ କାମରେ ଆସିବ କି? ଦ୍ବିତୀୟରେ ସେହି କଥାକୁ ସକ୍ରେଟିସକୁ ଜଣାଇ ଲୋକଟି କିଛି ଫାଇଦା ପାଇବ କି? ତୃତୀୟରେ, ଏହା ଦ୍ବାରା ସମାଜର କିଛି କଳ୍ୟାଣ ହେବ କି? ଏହି ତିନିଟି ଯାକ ପ୍ରଶ୍ନର ଉତ୍ତର ଥିଲା ନାସ୍ତିବାଚକ। ତେଣୁ ସକ୍ରେଟିସ ସେହି କାନକୁହାର କଥା ଶୁଣିଲେ ନାହିଁ। ମୁଁ ଭାବୁଛି ଯେ କାନକୁହାଙ୍କ କଥା ଶୁଣି ଯେଉଁ ଲୋକମାନେ ଅନ୍ୟମାନଙ୍କ ବିଷୟରେ ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣାମାନ ପୋଷଣ କରୁଛନ୍ତି, ସେମାନେ ସକ୍ରେଟିସଙ୍କ ବିଚାରକୁ ହେଜି କାନକୁହାମାନଙ୍କ ଠାରୁ ଦୂରେଇ ରହନ୍ତୁ।
ମୋ: ୯୪୩୭୧୮୫୧୭୫