ଷାଠିଏ ବର୍ଷରେ ଡ. ଦିଲ୍ଲୀପ ଶ୍ରୀଚନ୍ଦନ : ଗୟାବନ୍ଧରୁ ମିଳିତ ଜାତିସଂଘ ଯାଏ ଯାତ୍ରାପଥ

ବନୋଜ ତ୍ରିପାଠୀ

ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଜଣେ ପ୍ରାଧ୍ୟାପକ, ରାଜନେତା, ପରିବେଶବିତ୍‌, ସମାଜ ସଂସ୍କାରକ, ସାହିତ୍ୟିକ, ସଂସ୍କୃତିପ୍ରେମୀ ଓ କ୍ରୀଡ଼ା ସଂଗଠକ ଭାବେ ଦେଶ ବିଦେଶରେ ବେଶ ପରିଚିତ। ଖୋର୍ଦ୍ଧା ଜିଲ୍ଲା ଗୟାବନ୍ଧ ଗ୍ରାମର ୧୨୫ ଜଣିଆ ଏକାନ୍ନବର୍ତ୍ତୀ ଶ୍ରୀଚନ୍ଦନ ପରିବାରର ତତ୍କାଳୀନ ମୁଖିଆ ପିତା ସ୍ବର୍ଗତ ବିଦ୍ୟାଧର ଶ୍ରୀଚନ୍ଦନ ଓ ମାତା ସ୍ବର୍ଗତ କନକ ମଂଜରୀ ଶ୍ରୀଚନ୍ଦନଙ୍କର ସେ ତୃତୀୟ ପୁତ୍ର। ୧୯୬୦ ମସିହା ମେ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ଡକ୍ଟର ଶ୍ରୀଚନ୍ଦନ ଖୋର୍ଦ୍ଧା ଜିଲ୍ଲା କାଇପଦର ଶ୍ରୀଜଗନ୍ନାଥ କଲେଜରେ ୧୯୮୪ ମସିହାରେ ଅଧ୍ୟାପକ ଭାବେ ଯୋଗ ଦେଇ ପରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ୧୯୯୮ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ବର୍ତ୍ତମାନର ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ‌ସୌମ୍ୟରଂଜନ ପଟ୍ଟନାୟକଙ୍କ ଆହ୍ବାନରେ ସକ୍ରିୟ ରାଜନୀତିରେ ଯୋଗ ଦେଇ ଉପନିର୍ବାଚନରେ ଜାତୀୟ କଂଗ୍ରେସ ପକ୍ଷରୁ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଜନତାଦଳର ପ୍ରାର୍ଥୀ ରଣାନ୍ନବ ଦେବଙ୍କଠାରୁ ୧୦ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ବିଶେଷତଃ ରାଜନୀତି ସହ ସାହିତ୍ୟ ରଚନାରେ ବେଶୀ ରୁଚି ରଖିଥିବା ଡଃ ଶ୍ରୀଚନ୍ଦନ କୁହନ୍ତି ରାଜନୀତି ମୋ ପାଇଁ ଏକ ସ୍ବଳ୍ପକାଳୀନ ସାହିତ୍ୟ ଓ ସାହିତ୍ୟ ମୋ ପାଇଁ ଏକ ଦୀର୍ଘକାଳୀନ ରାଜନୀତି। ଡକ୍ଟର ଶ୍ରୀଚନ୍ଦନଙ୍କର ବିଧାନସଭା କବିତା, କୃଷକ ପୁଅ ପ୍ରଣାମ ନିଅ, ଖୋର୍ଦ୍ଧା ମାଟି, ମୁକ୍ତିମନ୍ତ୍ର, ମାଟିମୋହ, ଶ୍ରାବଣ ପାରିନି ଧୋଇ ରକତର ଦାଗ ଏ ମାଟିରୁ, ତୁମେ ଭାରି ମନେ ପଡ଼, ଋତୁର ନାଁ ପ୍ରେମ, ତୁମ ଅପେକ୍ଷାରେ ଚିରକାଳ, ଗଛ ଆଦି ଏପରି ୧୫ରୁ ଅଧିକ କବିତା ପୁସ୍ତକ, ସରୁ ନ ଥିବା ସ୍ବପ୍ନ ସୂର୍ଯ୍ୟାସ୍ତ ପୂର୍ବରୁ, ସଲ୍ଲଜ ସକାଳ, ମିଛ ଆଲୁଅର ମଣିଷ, ଭଂଗା ଘରେ ଚକାଜହ୍ନ ସହ ୮ ଗୋଟି ଉପନ୍ୟାସ, ଛେଳି ଗୋଠ ଝିଅ, ମାଟିର ମହକ, ସୁନେଲି ସ୍ବପ୍ନ ଆଦି ୫ ଗୋଟି ଗଳ୍ପ ସଂକଳନ, ପ୍ରଳୟ ପୂର୍ବରୁ, ଗଛ ଗାଥା ତଥା ଗବେଷଣା ସଂଦର୍ଭ ଓଡ଼ିଆ ସାହିତ୍ୟର ବିକାଶରେ ରଣପୁର ଗଡ଼ଜାତର ଅବଦାନ ପ୍ରବନ୍ଧ ପୁସ୍ତକ, ଗୀତିକବିତା, ଗୀତଗଜରା, ସଂଜ ସଳିତା, ନାଟକ ଗଛ, ଅରଣ୍ୟ କାହାଣୀ, ସୂର୍ଯ୍ୟାସ୍ତ ପୂର୍ବରୁ ଆଦି ପ୍ରକାଶ ପାଇଥିବା ବେଳେ ଗଛ ପତ୍ରିକାର ସମ୍ପାଦକ ଭାବେ ‌ସେ କାର୍ଯ୍ୟ କରିବା ସହ ବନୋଜ ତ୍ରିପାଠୀଙ୍କ ସମ୍ପାଦିତ ପକ୍ଷୀଘର ପତ୍ରିକାର ମୁଖ୍ୟ ସମ୍ପାଦକ ଅଛନ୍ତି। ସେହିପରି ସେ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଓ ପଞ୍ଚ ପାଇକ ମହାରଥୀ ବିଶ୍ବକୁ ଓଡ଼ିଆ ଜାତିର ମାର୍ଗଦର୍ଶନ, ଆମେ ପାଇକ, ଆମେ କୃଷକ, ଆମେ ସୈନିକ ସିନେମା ବୃତ୍ତଚିତ୍ର, ତୁମରି ଓଠରେ ହସଟିଏ, ଜନ୍ମଭୂମି, ସବୁଜବାର୍ତ୍ତା, ହ‌ମେ ହିନ୍ଦୁସ୍ତାନୀ, ଖବରଦାର, ଜଂଗଲି ବ୍ୟାଣ୍ଡ ଆଦି ଆନିମେସନ ଫିଲ୍ମ ଆଇଇଡିଏମ୍‌ଟି ସହଯୋଗରେ କରିଛନ୍ତି ଓ ତାଙ୍କ ଦ୍ବାରା ପ୍ରସ୍ତୁତ ମିଟି ମାଁ କା ପ୍ୟାର, ପେଡ଼ ‌ଔର ବବ୍‌ଲୁ ଆଦି ଆର୍ଟ ଫିଲ୍ମ ଦେଶବିଦେଶରେ ବିଭିନ୍ନ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ବେଶ ପ୍ରଂଶସିତ ହୋଇଛି।

ଏତଦ୍‌ ବ୍ୟତୀ୍ତ ତାଙ୍କ ଦ୍ବାରା ଲିଖିତ ଗୀତକୁ ନେଇ ମାଟିର ମହକ, ଦାରୁ ଦିଅଁ, ଋତୁର ନାଁ ପ୍ରେମ, ସେଇ ମୋ ଖୋରଧା ମାଟି, କୃଷକ ପୁଅ ପ୍ରଣାମ ନିଅ, କେତେ ମିଠା ମୋ ଗାଁର ଜହ୍ନରାତି, ଚଇତି ପବନ ଓ ଢେଉ ଢେଉକା ପାହାଡ଼ ଆଦି ଅଡିଓ ସିଡି ପ୍ରକାଶ ପାଇଛି।

ସେହିପରି ଚଇତାଳିର ଚୁମା, ଗୋଲାପ ବଣ ଓ ଜହ୍ନରାତି, ତୁମ ଓଠ ମହୁ ଓ କୋଇଲିର କୁହୁ, ଜଗା ତତେ ଲାଗିଲା ଜଂଗଲ, ସେଇ ମୋ ଖୋରଧା ମାଟି ଆଦି ୧୫ଟିରୁ ଅଧିକ ଆଲବମ୍‌ କରିଛନ୍ତି।

ତଦ୍‌ଭିନ୍ନ ଡ. ଶ୍ରୀଚନ୍ଦନ ଚଳଚ୍ଚିତ୍ର ମେଗା ଧାରାବାହିକ ‘ଏହି ଆଖି ହେଲା ସାକ୍ଷୀ’, ମାୟା, ଭୁଲି ହୁଏନା ଆଦିର ସଫଳ ଅଭିନୟ କରିବା ସହିତ ଛାତ୍ର ଜୀବନରୁ ଅଦ୍ୟାବଧି ବିଭିନ୍ନ ନାଟକ ରଚନା କରିବା, ଅଭିନୟ କରିବା ସହିତ ଅନେକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ସେ ଛାତ୍ର ଓ ଯୁବକ ସମୟରେ ଜଣେ ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଥିଲେ ଓ ବର୍ତ୍ତମାନ ସୁଦ୍ଧା ଫୁଟବଲ ପ୍ରତିଯୋଗିତାମାନ ଆୟୋଜନ କରୁଛନ୍ତି।

ଡ. ଶ୍ରୀଚନ୍ଦଙ୍କ ପ୍ରଚେଷ୍ଟାରେ ଖୋର୍ଦ୍ଧା ମହୋତ୍ସବ, ତାପଙ୍ଗ ମହୋତ୍ସବ, ଗଡ଼ମାଣତୀର ମହୋତ୍ସବ, ଚିଲିକା ମହୋତ୍ସବ, ଟାଙ୍ଗୀ ମହୋତ୍ସବ, ଭୁବନେଶ୍ବର ମହୋତ୍ସବ, ସମରକଳା ମହୋତ୍ସବ, ଲୋକନୃତ୍ୟ ମହୋତ୍ସବ ଆଦି ଆୟୋଜିତ ହୋଇଛି। ସେହିପରି ସମାଜ ସେବା କ୍ଷେତ୍ରରେ ବିଶେଷତଃ ବୃକ୍ଷରୋପଣ ପାଇଁ ତାଙ୍କରି ଆନ୍ତରିକତା ସେ ପ୍ରଦର୍ଶନ କରିଛନ୍ତି।

ସେ ପିକ୍‌କ ଅନୁଷ୍ଠାନର ଅଧ୍ୟକ୍ଷ ଥିଲେ ଓ ବର୍ତ୍ତମାନ ପ୍ରେରଣାର ସଭାପତି, ୟଙ୍ଗ ଓଡ଼ିଶା ଫାଉଣ୍ଡେସର ସଭାପତି, ପାଇକ ଏକାଡେମୀର ସଭାପତି, ଜାତୀୟ ସମରକଳା ଓ ସଂସ୍କୃତି ପରିଷଦର ସାଧାରଣ ସମ୍ପାଦକ, ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍‌ ଆର୍ମିର କମାଣ୍ଡର ଇନ୍‌ ଚିଫ୍‌, ଗ୍ଲୋବାଲ ଇଣ୍ଟେଲେକ୍‌ଚୁଆଲ ଫୋରମର ଚେୟାର ପର୍ସନ, ଉଇ ଫର ଗ୍ରୀନ୍‌ ୱାର୍ଲ୍ଡର ଅଧ୍ୟକ୍ଷ, ଇଣ୍ଟର ନ୍ୟାସନାଲ ଫାମିଲି ଫର ଗ୍ରୀନ୍‌ ଗ୍ଲୋବ ପରି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ସଭାପତି, ଆବାହକ ଓ ପ୍ରତିଷ୍ଠାତା।

ସେହିପରି ଡ. ଶ୍ରୀଚନ୍ଦନ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀତ୍ବ ପାଇଁ ବି ଶ୍ବଗଛ ପୁରୁଷ, ଗ୍ରୀନ୍‌ ମ୍ୟାନ ଅଫ୍ ଗ୍ଲୋବ, ଭାରତ ଗଛ ପୁରୁଷ, ଗାଁ ଗଛ ପୁରୁଷ, ଗଛ ମଣିଷ, ଗଛ ସାର୍‌ ଆଦି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ପାଇଥିବା ବେଳେ, ମହୋତ୍ସବ ସମ୍ରାଟ, ମହୋତ୍ସବ ଜନକ, ସଂସ୍କୃତି ପୁରୁଷ, ସଂସ୍କୃତି ଦୂତ ଓ ସାହିତ୍ୟ ସାଧନ ପାଇଁ ରାଜଧାନୀ ପୁସ୍ତକ ମେଳା ସମ୍ମାନ, ପଠାଣୀ ସାମନ୍ତ ସାହିତ୍ୟ ସମ୍ମାନ, ମନ୍ଦାକିନୀ ସାହିତ୍ୟ ସମ୍ମାନ ଆଦି ୫୦ରୁ ଊର୍ଦ୍ଧ୍ବ ଅନୁଷ୍ଠାନ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି।

ଡ. ଶ୍ରୀଚନ୍ଦନଙ୍କର ଜୀବନ ଯାତ୍ରାର ଆଉ ଏକ ବିଶେଷ ସଫଳତା ହେଉଛି ଅକ୍ଟୋବର ୨ ତାରିଖରେ ସୁଇଜରଲାଣ୍ଡର ଜେନେଭାଠାରେ ଅନୁଷ୍ଠିତ ହେଉଥିବା ମିଳିତ ଜାତିସଂଘରେ ଯୋଗଦେବା ପାଇଁ ସେ ନିମନ୍ତ୍ରିତ ହୋଇଛି। ତାଙ୍କର ସୁଦୀର୍ଘ ନିରାମୟ ଜୀବନ ପାଇଁ ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ପାଦକ, ପକ୍ଷୀଘର
ମୋ: ୯୪୩୭୨୮୭୮୦୬

ସମ୍ବନ୍ଧିତ ଖବର