ସ୍ବାସ୍ଥ୍ୟ ସ˚ଦର୍ଭ, କର୍କଟ ରୋଗ ଓ ଭାରତୀୟ ମହିଳା

ଡାକ୍ତର କାନ୍ତୀ ନାୟକ

ଭାରତରେ ଏବେ କର୍କଟ ରୋଗର ବ୍ୟାପକତା ଚିକିତ୍ସା କ୍ଷେତ୍ରରେ ଏକ ନୂଆ ମୁଣ୍ତବିନ୍ଧା ଭାବେ ଦେଖାଦେଇଛି। ଇଣ୍ତିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ୨୦୨୦ ବେଳକୁ ୧୭ ଲକ୍ଷ ନୂଆ କର୍କଟ ରୋଗୀ ପୁରୁଣା ରୋଗୀଙ୍କ ସ˚ଖ୍ୟା ସହିତ ଯୋଡ଼ି ହୋଇଯାଇଥିବେ ଏବ˚ ଏଥିରେ ମୃତକଙ୍କ ସ˚ଖ୍ୟା ବର୍ଷକୁ ୮ ଲକ୍ଷରେ ପହଞ୍ଚିଥିବ। ପୁଣି ଯାହା ଆହୁରି ଅଧିକ ପ୍ରଣିଧାନଯୋଗ୍ୟ ତାହା ହେଲା ଆମ ଦେଶରେ ମହିଳା କର୍କଟ ରୋଗୀଙ୍କ ସ˚ଖ୍ୟା ପୁରୁଷମାନଙ୍କ ତୁଳନାରେ ଅଧିକ। ପୃଥିବୀରେ ଯେଉଁ ଧାରା ସର୍ବତ୍ର ପରିଦୃଷ୍ଟ ହୁଏ, ତାହା ହେଲା କର୍କଟ ରୋଗଗ୍ରସ୍ତଙ୍କ ଭିତରେ ପୁରୁଷ ବହୁଳତା। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ଏକ ଆକଳନରୁ ଜଣାପଡ଼ିଛି ଯେ ବିଶ୍ବ ସ୍ତରରେ କର୍କଟ ରୋଗାକ୍ରାନ୍ତ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସ˚ଖ୍ୟା ପ୍ରାୟ ୨୫ ପ୍ରତିଶତ ଅଧିକ। କିନ୍ତୁ ଭାରତରେ ସ୍ଥିତି ତାର ଓଲଟା। ଆମ ଦେଶରେ ମହିଳାମାନେ ମୁଖ୍ୟତଃ ଜରାୟୁ, ଗ୍ରୀବା, ସ୍ତନ ଏବ˚ ଫୁସ୍‌ଫୁସ୍‌ କର୍କଟରେ ଅଧିକ ଆକ୍ରାନ୍ତ ହୋଇଥାଆନ୍ତି। ‘ଆଇସିଏମ୍‌ଆର’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଆମ ଦେଶରେ ପ୍ରତି ୮ ମିନିଟ୍‌ରେ ଜଣେ ମହିଳା ଜରାୟୁ କର୍କଟ ରୋଗରେ ପ୍ରାଣ ହରାଉଥିବା ବେଳେ ସ୍ତନ କର୍କଟ ବୋଲି ଚିହ୍ନିତ ହେଉଥିବା ପ୍ରତି ଦୁଇ ଜଣ ମହିଳାଙ୍କ ଭିତରୁ ଜଣେ ପ୍ରାଣ ହରାନ୍ତି।

ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ୧୫ ବର୍ଷରୁ ଅଧିକ ଅନ୍ୟୂନ ୪୩% ଜନସାଧାରଣ ତମାଖୁ, ଗୁଟ୍‌ଖା ପରି ସାମଗ୍ରୀ ସହ ଅଭ୍ୟସ୍ତ ଏବ˚ ସବୁଠାରୁ ଅଧିକ ବିଡ଼ମ୍ବନା ହେଉଛି ଏମାନଙ୍କ ମଧୢରୁ ୩୫%ରୁ ଅଧିକ ହେଉଛନ୍ତି ମହିଳା। ମାଲକାନାଗିରି ଜିଲ୍ଲାରେ ସର୍ବାଧିକ ୫୮% ଲୋକ ତମାଖୁ ଓ ଗୁଟ୍‌ଖା ସହ ଅଭ୍ୟସ୍ତ। ଅନୁରୂପ ଭାବରେ ବଲାଙ୍ଗୀର, ବରଗଡ଼, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଅ˚ଚଳରେ ୧୫ ବର୍ଷରୁ ଅଧିକ ୪୦% ଯୁବକଯୁବତୀ ତମାଖୁ ଓ ଗୁଟ୍‌ଖା ସେବନ କରୁଛନ୍ତି ବୋଲିି ସୂଚନା ମିଳିଛି। ପରିବେଶ ପ୍ରଦୂଷଣ ହିଁ କ୍ୟାନସର ରୋଗର ମୁଖ୍ୟ କାରଣ (୯୦ରୁ ୯୫%)। ପାଞ୍ଚରୁ ୧୦% କର୍କଟ ରୋଗ ବାପାମାଆଙ୍କ ପାଖରୁ ପିଲାମାନଙ୍କୁ ଆସିଥାଏ। ଧୂମପାନ (୨୫-୩୦%), ଅତ୍ୟଧିକ ଖାଦ୍ୟ ଖାଇବା ଓ ମୋଟା ହେବା (୩୦-୩୫%), ସ˚କ୍ରମଣ (୧୫-୨୦%), ଆଣବିକ ବିକିରଣ (୧୦%), ମଦ୍ୟପାନ (୧୦%), ଶାରୀରିକ ପରିଶ୍ରମ ନ କରିବା ଇତ୍ୟାଦି କ୍ୟାନସର ରୋଗର ମୁଖ୍ୟ କାରଣ। ଧୂମପାନ ଫୁସ୍‌ଫୁସ୍‌ କ୍ୟାନସରର ମୁଖ୍ୟ କାରଣ (୯୦%)। ଏହା ବାଦ୍‌ ସ୍ବରଯନ୍ତ୍ର କ୍ୟାନସର, ପାକସ୍ଥଳୀ କ୍ୟାନସର, ପରିସ୍ରାଥଳି କ୍ୟାନସର, ବୃକ୍କ୍‌ କ୍ୟାନସର, ଖାଦ୍ୟନଳୀ କ୍ୟାନସର ଓ ଅଗ୍ନ୍ୟାଶୟ କ୍ୟାନସର ମଧୢ ଧୂମପାନ ଯୋଗୁଁ ହୋଇଥାଏ। ଧୂମପାନରେ ୫୦ ପ୍ରକାରର ଉପାଦାନ ଅଛି ଯାହା କ୍ୟାନସର ସୃଷ୍ଟିର କାରଣ। ଏହା ଭିତରୁ ନାଇଟ୍ରୋସାମିନ୍‌ ଓ ପଲିସାଇକ୍ଲିକ୍‌ ଏରୋମାଟିକ୍‌ ହାଇଡ୍ରୋକାର୍ବନ ମୁଖ୍ୟ। ମଦ୍ୟପାନ କ୍ୟାନସର ରୋଗର ଅନ୍ୟ ଏକ କାରଣ। ମୁଖ୍ୟତଃ ଏହା ଯକୃତ କ୍ୟାନସର ଓ ଖାଦ୍ୟନଳୀ କ୍ୟାନସର କରିଥାଏ। କଳକାରଖାନା ମାନଙ୍କରେ କାମ କରୁଥିବା ସହସ୍ରାଧିକ ବ୍ୟକ୍ତି କ୍ୟାନସର ରୋଗରେ ଆକ୍ରାନ୍ତ ହୁଅନ୍ତି (୨-୨୦%)। ପ୍ରତିବର୍ଷ ଦୁଇ ଲକ୍ଷ ବ୍ୟକ୍ତି କଳକାରଖାନା ପ୍ରଦୂଷଣ ଯୋଗୁଁ କର୍ମସ୍ଥଳୀରେ କ୍ୟାନସର ରୋଗରେ ଆକ୍ରାନ୍ତ ହୁଅନ୍ତି। ଏଜ୍‌ବେଷ୍ଟସ୍‌ ତନ୍ତୁ ବା ଧୂମ ସେବନ ଦ୍ବାରା ଫୁସ୍‌ଫୁସ୍‌ କ୍ୟାନସର ହୁଏ ଓ ଟୋବେନ୍‌ଜିନ୍‌ ଦ୍ବାରା ରକ୍ତ କ୍ୟାନସର ହୁଏ।

ମହିଳାମାନଙ୍କର ହ୍ୟୁମାନ୍‌ ପେପିଲୋମା ଭୂତାଣୁ ଜନନେନ୍ଦ୍ରିୟ କ୍ୟାନସରର କାରଣ। ଏବଷ୍ଟିନ୍‌ ବାର ଭୂତାଣୁ ଲିମ୍ଫୋମା ଓ ନାକ ଏବଂ ଖାଦ୍ୟନଳୀ କ୍ୟାନସର କରେ। ହେପାଟାଇଟିସ୍‌ ବି ଭୂତାଣୁ ଲିଭର କ୍ୟାନସରର ମୁଖ୍ୟ କାରଣ। ହେପାଟାଇଟିସ୍‌ ସି ମଧୢ ଯକୃତ କ୍ୟାନସର କରେ। ହାର୍ପିସ୍‌ ଭୂତାଣୁ – କାପୋସି ସାର୍କୋମାର କାରଣ। ହେଲିକୋ ବ୍ୟାକ୍‌ଟର ପାଇଲୋରି ଜୀବାଣୁ ପାକସ୍ଥଳୀ କ୍ୟାନସର କରେ। ସିଷ୍ଟୋସୋମା ଓ ଯକୃତ ଫ୍ଲୁକ୍‌ ଯଥାକ୍ରମେ ପରିସ୍ରା ଥଳି କ୍ୟାନସର ଓ କୋଲାଞ୍ଜିଓକାର୍ସିନୋମା କରନ୍ତି। ଆଣବିକ ବିକିରଣ (୧୦%) ମଧୢ କ୍ୟାନସର ରୋଗର ଅନ୍ୟ ଏକ କାରଣ।
ପ୍ରଶ୍ନ ପଚରାଯାଇଥାଏ ଯେ କର୍କଟ ରୋଗର ପ୍ରାଥମିକ ଲକ୍ଷଣ କ’ଣ? ବହୁଦିନ ଧରି ଶରୀରର ଯେ କୌଣସି ସ୍ଥାନରେ କିମ୍ବା ପାଟିରେ ଘା’ ନ ଶୁଖିବା, ଖାଦ୍ୟ ଖାଇବାରେ କ୍ରମାଗତ ଯନ୍ତ୍ରଣା ଅନୁଭବ କରିବା, ସ୍ବର ବସିଯିବା, କ୍ଷୁଧା ନହେବା, ବଦହଜମ ଓ ତରଳ ଲାଳରକ୍ତ ଝାଡ଼ା ଲାଗି ରହିବା, ସ୍ତନରେ ମା˚ସପିଣ୍ତୁଳା ବା ଘା’ ହେବା, ଅନିୟମିତ ଭାବେ ଜରାୟୁରୁ ରକ୍ତସ୍ରାବ ହେବା, ଦେହରେ ଯେ କୌଣସି ସ୍ଥାନରେ ମା˚ସପିଣ୍ତୁଳା ବା କଳାଜାଇ ବୃଦ୍ଧି ପାଇବା ଇତ୍ୟାଦି କର୍କଟ ରୋଗର ପ୍ରାଥମିକ ଲକ୍ଷଣ। ଆମ ଦେଶରେ ଯେମିତି ଅଧିକ ସ˚ଖ୍ୟକ ମହିଳା କର୍କଟରେ ଆକ୍ରାନ୍ତ ହୁଅନ୍ତି, ସେମିତି ସେମାନଙ୍କ ଆରୋଗ୍ୟ ଲାଭ କରିବାର ସ˚ଖ୍ୟା ମଧୢ ତୁଳନାତ୍ମକ ଭାବେ ପୁରୁଷମାନଙ୍କ ଠାରୁ କମ୍‌। ଏହାର ଯେଉଁ ଦୁଇଟି କାରଣ ଦର୍ଶାଯାଉଛି ତାହା ପରସ୍ପରର ବିରୋଧୀ ଜଣାପଡୁଥିଲେ ବି ବାସ୍ତବ ଓ ପ୍ରାସଙ୍ଗିକ। ପ୍ରଥମ କାରଣଟି ହେଲା ଭାରତୀୟ ପରିବାରରେ କୌଣସି ରୋଗର ନିଦାନ ଓ ଚିକିତ୍ସା ଲାଗି ମହିଳାମାନଙ୍କୁ ଡାକ୍ତରମାନଙ୍କ ପାଖକୁ ନିଆଯିବାରେ ବିଳମ୍ବ। ଅନେକ କ୍ଷେତ୍ରରେ ଏହା କର୍କଟ ଭଳି ରୋଗ ନିରୂପିତ ହେବାରେ ଡେରି କରାଇଥାଏ। ଦ୍ବିତୀୟ କାରଣଟି ହେଲା ସନ୍ତାନ ଜନ୍ମ ଲାଗି ଏପରିକି ଭ୍ରୂଣର ଲିଙ୍ଗ ନିରୂପଣ ଲାଗି ମହିଳାମାନେ ଅଧିକରୁ ଅଧିକ ସ˚ଖ୍ୟାରେ ଅଲଟ୍ରା ସାଉଣ୍ତ କରାଇଥାଆନ୍ତି। ଅନେକ ସମୟରେ କର୍କଟ ରୋଗ ଏଥିରୁ ଦୈବାତ୍‌ ଧରାପଡ଼ିଯାଏ। ଏଭଳି ମାମଲାରେ ରୋଗୀଙ୍କ ଭଲ ହେବାର ସମ୍ଭାବନା ଅଧିକ ଥାଏ। ଏହି କାରଣରୁ ଆମ ଦେଶରେ ୪୫ ବର୍ଷ ବୟସରୁ ୫୦ ବର୍ଷ ବୟସ ଭିତରେ ଅଧିକରୁ ଅଧିକ ସ˚ଖ୍ୟକ ମହିଳାମାନଙ୍କ ଠାରେ କର୍କଟ ରୋଗ ନିରୂପିତ ହେଉଥିବା ଦେଖାଯାଉଛି।

ତେବେ ପ୍ରଶ୍ନ ହେଲା ଅଧିକରୁ ଅଧିକ ସ˚ଖ୍ୟକ ମହିଳା କର୍କଟ ଦ୍ବାରା ଆକ୍ରାନ୍ତ ହେଉଛନ୍ତି କାହିଁକି? ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ବାହାର କରାଯାଇପାରି ନାହିଁ। ଜୀବନ ଶୈଳୀରେ ଅବ୍ୟବସ୍ଥା, ଉଚ୍ଚ ସ୍ନେହସାର ଜାତୀୟ ଖାଦ୍ୟ ତଥା ପ୍ରଦୂଷଣ ଭାରତରେ କର୍କଟ ରୋଗ ବଢ଼ିବା ପଛରେ ଥିବା ପ୍ରମୁଖ କାରଣ। ଉଭୟ ମହିଳା ଓ ପୁରୁଷମାନଙ୍କ ଲାଗି ଏହା ସମାନ ଭାବେ ଲାଗୁ। କିନ୍ତୁ ରୋଗ ନିରୂପଣରେ ମହିଳାମାନଙ୍କ ସ˚ଖ୍ୟା ପୁରୁଷମାନଙ୍କ ଠାରୁ ଅଧିକ ବୋଲି ଗବେଷକମାନଙ୍କ ମତ।
ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଅର୍ବାନ ସିଏଚ୍‌ସି, ସିଡ଼ିଏ, କଟକ
ମୋ : ୯୪୩୭୬୬୬୪୫୩

ସମ୍ବନ୍ଧିତ ଖବର