ଗାନ୍ଧୀଜୀଙ୍କ ସ୍ୱପ୍ନର ଭାରତ

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

‘ଇଣ୍ଡିଆ ଅଫ୍ ମାଇଁ ଡ୍ରିମସ୍’ ନାଁରେ ଗାନ୍ଧୀଜୀଙ୍କର ଏକ ପୁସ୍ତକ ଅଛି। ଏ ପୁସ୍ତକର ସଂକଳନ କରିଛନ୍ତି ଅର୍‌. କେ. ପ୍ରଭୁ। ସ୍ୱାଧୀନ ଭାରତର ସ୍ୱରୂପ ଓ ଲକ୍ଷ୍ୟ କ’ଣ ଓ କେମିତି ହେବା ଉଚିତ, ଏଥିନେଇ ଗାନ୍ଧୀଜୀ ତାଙ୍କର ବିଭିନ୍ନ ଭାଷଣ, ପ୍ରବନ୍ଧରେ ଦେଇଥିବା ପ୍ରସ୍ତାବ ଏଥିରେ ସଂକଳିତ ହୋଇ ରହିଛି। ପୁସ୍ତକଟି ପଞ୍ଚସ୍ତରି ଅଧ୍ୟାୟର। ସ୍ୱାଧୀନ ଭାରତରେ ଗଣତନ୍ତ୍ର, ଅର୍ଥନୀତି, ବିବାହ ବ୍ୟବସ୍ଥା, କୁଟୀର ଶିଳ୍ପ, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ମୌଳିକ ଶିକ୍ଷା ପରି ଅନେକ ସାମାଜିକ ତଥା ଅର୍ଥନୈତିକ ବ୍ୟବସ୍ଥାର ଚିତ୍ର ନେଇ ଏ ପୁସ୍ତକ ଗାନ୍ଧୀଙ୍କର ଏକ ଅଭିନବ ଦସ୍ତାବିଜ। ପ୍ରକୃତରେ ଏହା ଗାନ୍ଧୀଜୀଙ୍କର ସ୍ବପ୍ନର ଭାରତର ଚିତ୍ର, ଯାହା ହାସଲ କରିହେବ। ଏହା କଳ୍ପନାର ଭାରତ, ୟୁଟୋପିଆ ନୁହେଁ।

‘ଇଣ୍ଡିଆ ଅଫ୍ ମାଇଁ ଡ୍ରିମସ୍’ ପୁସ୍ତକ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରକାଶ ପାଇଥିଲା। ଏହାର ମୁଖବନ୍ଧ ଲେଖିଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଏଥିରେ ଡକ୍ଟର ପ୍ରସାଦ ଲେଖିଛନ୍ତି, “ସ୍ୱାଧୀନତା ସଂଗ୍ରାମରେ ଯେଉଁ ଅସ୍ତ୍ର ବ୍ୟବହାର କରି ଆମେ ସ୍ୱାଧୀନତା ପାଇଛେ, ତାହା ବେଶ୍ ଅନନ୍ୟ। ଏହା ଅହିଂସାର ଅସ୍ତ୍ର। ସ୍ୱାଧୀନତା ପରେ ଯେଉଁ ସୁଯୋଗ ଆସିବ ତାହା ଆମ ପାଇଁ ସୁଖଦ ହେବ। କିନ୍ତୁ ସ୍ୱାଧୀନତାର ବିଜୟ ଉତ୍ସବ ପାଳନ ଭିତରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିବା ମହାତ୍ମା ଗାନ୍ଧୀ ଏବଂ ତାଙ୍କ ବିଚାରକୁ ଯେପରି ଏ ଜାତି ଭୁଲି ନଯାଏ, ଦେଖିବା କଥା।”
୧୯୪୭ ଅଗଷ୍ଟ ପନ୍ଦର ତାରିଖରେ ଦିଲ୍ଲୀରେ ଗାନ୍ଧୀଙ୍କ ପୁସ୍ତକ ଉନ୍ମୋଚନ ଏବଂ ଭାରତକୁ କ୍ଷମତା ହସ୍ତାନ୍ତର ଉତ୍ସବ ପାଳନ ବେଳେ ଗାନ୍ଧୀ କିନ୍ତୁ ଦିଲ୍ଲୀରେ ନଥିଲେ। ଗାନ୍ଧୀ ସେଦିନ ଥିଲେ କଲିକତାର ବେଲିଆଘାଟ ଅଞ୍ଚଳରେ ଥିବା ଝୁମ୍ପୁଡ଼ି ବସ୍ତିର ଏକ ଅଧା ଭଙ୍ଗା ଘରେ। ବସ୍ତିରେ ଏ ଭଙ୍ଗା ଘର ଥିଲା ଜଣେ ମୁସଲିମ ମହିଳାଙ୍କର। ତିନି ବଖରିଆ ଘର। ଏହାର ନାଁ ଥିଲା ‘ହାଇଦର ମାନସନ’। ଭାରତ ବିଭାଜନ ଓ ସାମ୍ପ୍ରଦାୟିକ ହିଂସାରେ ମ୍ରିୟମାଣ ହୋଇପଡ଼ିଥିବା ଗାନ୍ଧୀ ‘ହାଇଦର ମାନସନ’ରେ ସେଦିନ ଉପବାସରେ ଥିଲେ। ଚରଖାରେ ସୂତା କାଟୁଥିଲେ। ଗୀତା ପଢୁଥିଲେ। କୌଣସି ସାମ୍ବାଦିକଙ୍କୁ କିଛି ମନ୍ତବ୍ୟ ଦେଉ ନଥିଲେ। ସାମ୍ବାଦିକମାନେ କିନ୍ତୁ ବାରମ୍ବାର ଅନୁରୋଧ କରୁଥିଲେ, “ବାପୁ, ଆପଣ ଆଜି କିଛି କହିଲେ ହିଁ ଏ ଖବର ସାରା ପୃଥିବୀ ଜାଣିବ।” ସୂତା କାଟିବା ଭିତରେ ଗାନ୍ଧୀଜୀ ଏହାର ଉତ୍ତର ଦେଇଥିଲେ, “ମୁଁ ଇଂରେଜୀ ଜାଣିଛି ବୋଲି ତୁମେ ଭୁଲିଯାଅ। ମୁଁ ଆଜି କୌଣସି ଲୋଭରେ ନାହିଁ।”

୧୯୪୨ ମସିହାରୁ ପ୍ରତି ବର୍ଷ ଅଗଷ୍ଟ ପନ୍ଦର ତାରିଖରେ ଗାନ୍ଧୀଜୀ ଉପବାସ କରୁଥିଲେ। ସୂତା କାଟୁଥିଲେ। ଗୀତାର ସବୁ ଅଧ୍ୟାୟ ପଢୁଥିଲେ। ଏ ଉପବାସ ଗାନ୍ଧୀଜୀ ତାଙ୍କ ପୁତ୍ର ପ୍ରତିମ ମହାଦେବ ଦେଶାଇଙ୍କ ସ୍ମୃତିରେ କରୁଥିଲେ। ଭାରତଛାଡ଼ ଆନ୍ଦୋଳନରେ ବନ୍ଦୀ ହୋଇ ଆଗା ଖାଁ ପାଲେସରେ ଥିବା ବେଳେ ୧୯୪୨ ମସିହା ଅଗଷ୍ଟ ୧୫ ତାରିଖରେ ମହାଦେବ ଦେଶାଇ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ଭାରତଛାଡ଼ ଆନ୍ଦୋଳନର ପ୍ରଥମ ସହିଦ ଥିଲେ ମହାଦେବ ଦେଶାଇ।
୧୯୪୭ ଅଗଷ୍ଟ ପନ୍ଦର ତାରିଖରେ କଲିକତାର ସ୍ଥିତି ଟିକିଏ ବଦଳି ଯାଇଥିଲା। ଦଙ୍ଗା କମିଥିଲା। ହିନ୍ଦୁ ମୁସଲିମମାନେ ପରସ୍ପରକୁ ଆଲିଙ୍ଗନ କରି ସ୍ୱାଧୀନତାର ଶୁଭେଚ୍ଛା ଜଣାଇଥିଲେ। ବର୍ଷା ସତ୍ତ୍ବେ ବି ଖୁସିର ପରିବେଶ ଥିଲା ସବୁଠି।

ପନ୍ଦର ତାରିଖ ଅପରାହ୍‌ଣରେ ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ରାଜଗୋପାଳାଚାରୀ ‘ହାଇଦର ମାନସନ’ ଆସିଥିଲେ। ରାଜାଜୀ ସେବେ ବଙ୍ଗଳାର ନୂଆ ରାଜ୍ୟପାଳ ଥିଲେ। ରାଜାଜୀଙ୍କ ସହ କଥା ହେଲାବେଳେ ଉପାସ ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ଗାନ୍ଧୀଜୀ ଟିକିଏ ଆଶ୍ୱସ୍ତ ଲାଗିଲେ। ରାଜାଜୀ ବେଳେବେଳେ ଗାନ୍ଧୀଙ୍କୁ ମଜା କଥା କହୁଥିଲେ। କାରଣ ହୋଇପାରେ, ଗାନ୍ଧୀ ଓ ରାଜଗୋପାଳାଚାରୀ ସମସାମୟିକ ଥିଲେ ଏବଂ ପରସ୍ପରଙ୍କ ସମୁଦି ବି ଥିଲେ। ଗାନ୍ଧୀଙ୍କ ସାନପୁଅ ଦେବଦାସଙ୍କ ସହ ରାଜଗୋପାଳାଚାରୀଙ୍କ ଝିଅ ଲକ୍ଷ୍ମୀଙ୍କର ବିବାହ ହୋଇଥିଲା। ରାଜାଜୀ ଦିଲ୍ଲୀରେ କ୍ଷମତା ହସ୍ତାନ୍ତର ଖବରର ବର୍ଣ୍ଣନା ଗାନ୍ଧୀଙ୍କୁ ଦେଇଥିଲେ।

୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଗୁରୁବାର ମଧ୍ୟରାତ୍ରିରେ ସମ୍ବିଧାନ ପ୍ରଣୟନ ସଭାର ଜରୁରୀ ବୈଠକ ବସିଥିଲା। ରାତି ଠିକ୍ ୧୨ଟାରେ ସମ୍ବିଧାନ ପ୍ରଣୟନ ସଭାର ଜଣେ ସଦସ୍ୟ ଶଙ୍ଖ ବଜେଇଥିଲେ। ଏଇ ମୁହୂର୍ତ୍ତରେ ସ୍ୱାଧୀନ ଭାରତର ଶାସନ କ୍ଷମତା ସମ୍ବିଧାନ ପ୍ରଣୟନ ସଭା ଗ୍ରହଣ କଲା ଏବଂ ଲର୍ଡ ମାଉଣ୍ଟବ୍ୟାଟେନ ଭାଇସରାୟ ବଦଳରେ ଗଭର୍ଣ୍ଣର ଜେନେରାଲ ହେଲେ ବୋଲି ସମ୍ବିଧାନ ସଭାର ସଭାପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଘୋଷଣା କରିଥିଲେ।

ସଭାରେ ପ୍ରାରମ୍ଭିକ ଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ। ନେହରୁଙ୍କ ଏ ଭାଷଣ ଖୁବ୍‌ ପ୍ରଭାବଶାଳୀ ଥିଲା। ନେହରୁ ତାଙ୍କ ବକ୍ତବ୍ୟରେ କହିଥିଲେ, “ଯେତେବେଳେ ପୃଥିବୀ ଶୋଇଛି, ଭାରତ ସେତେବେଳେ ସ୍ୱାଧୀନ ହୋଇ ଜୀବନ୍ତ ହୋଇଉଠିଛି। ଗୋଟିଏ ସମୟ ଆସେ, ଏବଂ ଏ ସମୟ କ୍ବଚିତ୍ ଆସେ, ଯେତେବେଳେ ଆମେ ପୁରୁଣାରୁ ନୂଆକୁ ପାଦ ବଢ଼ାଉ ଏବଂ ଗୋଟିଏ ସମୟ ଆସେ, ଯେତେବେଳେ ବର୍ଷବର୍ଷ ଧରି ଶୋଷିତ ହୋଇ ପଡ଼ିଥିବା ଏକ ଜାତିର ଆତ୍ମା କଥା କୁହେ। ଭାରତ ତଥା ମାନବ ଜାତିର ସେବା ପାଇଁ ନିଜକୁ ସମର୍ପି ଦେବାର ଏଇଟା ହିଁ ପ୍ରକୃଷ୍ଟ ସମୟ। ଆମ ପାଇଁ ବର୍ଷ ବର୍ଷ ପୂର୍ବେ ଭାରତ ସହ ଆମର ଅନୁବନ୍ଧନ ଥିଲା। ନିୟତି ସହ ସଂକଳ୍ପ କରିଥିଲୁ। ଭାରତ ପରି ଏକ ସ୍ୱାଧୀନ ରାଷ୍ଟ୍ର ପୃଥିବୀରେ ଆଜି ତା’ର ଉପଯୁକ୍ତ ସ୍ଥାନ ପାଇଛି।’’

ପଞ୍ଚସ୍ତରି ବର୍ଷ ତଳେ ଗାନ୍ଧୀ ଆଦର୍ଶରେ ଭାରତଟିଏ ତିଆରି ହେବ ବୋଲି ଅନେକଙ୍କର ଆଶା ଥିଲା। “ଇଣ୍ଡିଆ ଅଫ୍ ମାଇଁ ଡ୍ରିମ୍‌ସ” ପୁସ୍ତକ ଲୋକାର୍ପଣରେ ଏହାର ପ୍ରତିଶ୍ରୁତି ବି ମିଳିଥିଲା। ମୃତ୍ୟୁର ଅଳ୍ପ କିଛି ଦିନ ପୂର୍ବରୁ ୧୯୪୮ ମସିହା ଜାନୁଆରି ୧୮ ତାରିଖ ‘ହରିଜନ’ ପତ୍ରିକାରେ ଗାନ୍ଧୀଜୀ ତାଙ୍କ ସ୍ୱପ୍ନର ଭାରତର ଚିତ୍ର ସଂକ୍ଷେପରେ ଦେଇ ଦେଇଥିଲେ- “ମୁଁ ନିଶ୍ଚିତ, ଭାରତ ଜାତିଶୂନ୍ୟ ଓ ଶ୍ରେଣୀଶୂନ୍ୟ ହେବ। ଜାତି ଆଉ ସମ୍ପ୍ରଦାୟ ବିବାଦରେ ଏ ସମାଜ ବାଣ୍ଟି ହୋଇ ନଥିବ। ସମସ୍ତଙ୍କର ସମାନ ଅଧିକାର ଥିବ। ରୋଜଗାର ପାଇଁ ସମାନ ସୁଯୋଗ ମିଳୁଥିବ। ପରିବେଶ ପ୍ରତି ଧ୍ୟାନ ଥିବ। ସ୍ବଦେଶୀ ପ୍ରତି ତ୍ୟାଗଭାବ ଥିବ। ଇଏ ମୋ ସ୍ୱପ୍ନର ଭାରତ।”

ଗାନ୍ଧୀ କହୁଥିଲେ ଆର୍ଥିକ ଏବଂ ନୈତିକ ସ୍ୱାଧୀନତା ନ ମିଳିବା ପର୍ଯ୍ୟନ୍ତ କୌଣସି ରାଜନୈତିକ ସ୍ୱାଧୀନତାର ପୂର୍ଣ୍ଣତା ଆସି ନଥାଏ।
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର