ପାଣି ପିଇବାର ସଂକଳ୍ପ

ଅଣାକାର

ସାଧାରଣତଃ ବର୍ଷର ପ୍ରଥମ ଦିନ ଅନେକ ଲୋକ କିଛି ସ˚କଳ୍ପ ନିଅନ୍ତି ଏବଂ ତାକୁ ସେମାନେ ପାଳନ କରିବାକୁ ଅଙ୍ଗୀକାରବଦ୍ଧ ଥାଆନ୍ତି ବୋଲି ଜଣାନ୍ତି। ସେମିତି ୨୦୨୦ ଜାନୁଆରି ପହିଲା ଦିନ କିଛି ଲୋକ ଟ୍ବିଟର ଜରିଆରେ ଜଣାଇଲେ ଯେ ଏଣିକି ସେମାନେ ଅଧିକ ପାଣି ପିଇବାର ସଂକଳ୍ପ ଗ୍ରହଣ କରିଛନ୍ତି। ଏଥିରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ। କାରଣ ଏବେ ଅଧିକରୁ ଅଧିକ ସଂଖ୍ୟାର ଲୋକେ ଅଧିକରୁ ଅଧିକ ପାଣି ପିଇବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି। ଏହାର ପ୍ରଭାବ ବଜାର ଉପରେ ମଧ୍ୟ ପଡ଼ିଛି। ତେଣୁ ବିଭିନ୍ନ ପ୍ରକାର ହାଇଡ୍ରୋ-ଫ୍ଲାସ୍କ୍‌ର ବିକ୍ରି ବଢ଼ି ଚାଲିଥିବା ଦେଖାଯାଉଛି। ଲୋକେ ଏଭଳି ଫ୍ଲାସ୍କ୍‌ ନିଜର ପ୍ରିୟ ଲୋକଙ୍କୁ ଉପହାର ଦେଇ ସନ୍ଦେଶ ପହଞ୍ଚାଉଛନ୍ତି ଯେ ‘ଅଧିକ ପାଣି ପିଅ’।

ବଜାରରେ ଯାବତୀୟ ସ୍ବାଦ ଓ ରଙ୍ଗରେ ବିଭିନ୍ନ ପ୍ରକାର ପାନୀୟ ଉପଲବ୍‌ଧ ଥିଲେ ସୁଦ୍ଧା ରଙ୍ଗହୀନ ଓ ସ୍ବାଦହୀନ ପାଣିର ସ୍ଥାନ ଅପୂରଣୀୟ। ତୃଷାର୍ତ୍ତକୁ ଯେତେ ସୁବାସିତ ଓ ସୁସ୍ବାଦୁ ପାନୀୟ ମିଳୁ ପଛକେ ତୃଷା ନିବାରଣ ଲାଗି ସେ କେବଳ ଲୋଡ଼ିବ ନିର୍ମଳ ଜଳ। ପୁଣି ମନେ ରଖିବାକୁ ହେବ ଯେ ପାଣି ହେଉଛି ଶାରୀରିକ ସୁସ୍ଥତା ଲାଗି ଉପଲବ୍‌ଧ ସବୁଠାରୁ ଶସ୍ତା ଦ୍ରବ୍ୟ। ଶରୀରର ତିନି ଭାଗ ଜଳ ହୋଇଥିବାରୁ ଡାକ୍ତରମାନେ କହନ୍ତି ଯଥେଷ୍ଟ ପାଣି ପିଇ ଶରୀରକୁ ଜଳସେଚିତ କରି ରଖ। ଏବେ ପୁଣି ଉଷୁମ ପାଣି ପିଇବା ସବୁଠାରୁ ହିତକର ବୋଲି ମତ ଶୁଣିବାକୁ ମିଳୁଛି। ତେବେ ଏହା କେତେ ଠିକ୍‌, ତାହା ଅନୁସନ୍ଧାନ ସାପେକ୍ଷ।

ଗଲା ବର୍ଷ ନଭେମ୍ବରରେ ଆମ ରାଜ୍ୟର ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ିରେ ପାଣି ଘଣ୍ଟା ବାଜିବାର ବ୍ୟବସ୍ଥା କରାଯାଇଛି। ଏଥିରେ ସ୍କୁଲ ଚାଲୁଥିବା ବେଳେ ପ୍ରତ୍ୟେକ ଦିନ ତିନି ଥର ପାଣି ବେଲ୍‌ ବାଜିବ। ଏହା ବାଜିଲେ ପ୍ରତ୍ୟେକ ପିଲା ଜଳ ପାନ କରିବେ। ଏ ପ୍ରସଙ୍ଗରେ ଅନେକ ପଚାରନ୍ତି ଯେ ଜଣେ କେତେ ପାଣି ପିଇବା ଉଚିତ? ଏହାର ଉତ୍ତର ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଲୋକ ପ୍ରତିଦିନ ଅନ୍ତତଃ ଅଢ଼େଇ ଲିଟରରୁ ତିନି ଲିଟର ପାଣି ପିଇବା ଉଚିତ। ତେବେ ଏ ସମ୍ବନ୍ଧରେ ଗୁରୁ ଜ୍ଞାନଟି ହେଲା ଶୋଷ ଲାଗିଲା ମାତ୍ରକେ ପାଣି ପିଅ। କାରଣ ଶୋଷ ଲାଗିବାର ଅର୍ଥ ହେଉଛି ଶରୀର ଆଲାର୍ମ ଘଣ୍ଟି ବଜାଇଲାଣି। କିନ୍ତୁ ସବୁଥିରେ ମାତ୍ରାଧିକତା ଖରାପ ଭଳି ଅତ୍ୟଧିକ ଜଳପାନ ମଧ୍ୟ ବର୍ଜନୀୟ। ମାତ୍ରାଧିକ ଜଳପାନ ଦ୍ବାରା ପରଶ୍ରା ବାଟେ ସୋଡ଼ିଅମ ନାମକ ଏକ ‘ଇଲେକ୍ଟ୍ରୋଲାଇଟ୍’ ଶରୀରରୁ ବାହାରି ଯାଇ ବେ‌େଳବେଳେ ଶରୀରକୁ ଅସୁସ୍ଥ କରି ପକାଏ। ତେଣୁ ୨୦୨୦ରେ ଆମେ ଆଶା ରଖିବା ଯେ ଅଧିକ ଜଳ ପାନ କରିବାକୁ ସଂକଳ୍ପବଦ୍ଧ ଲୋକେ ଏହି ଭଲ ଅଭ୍ୟାସଟିକୁ କାଏମ ରଖନ୍ତୁ, କିନ୍ତୁ ଅତ୍ୟଧିକ ପାଣି ଗ୍ରହଣରୁ ଦୂରେଇ ରହନ୍ତୁ।

ମୋ: ୯୪୩୭୦୨୬୬୫୧

ସମ୍ବନ୍ଧିତ ଖବର