କୃଷକର ଆୟ ବୃଦ୍ଧି ପ୍ରସଙ୍ଗ

କରୋନାକାଳୀନ ଚିନ୍ତନ - ଶକ୍ତି ପ୍ରସାଦ ଦାସ

କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତର ଅର୍ଥନୀତି କଥା ବିଚାରକୁ ନେଲେ କୃଷିକ୍ଷେତ୍ର କଥା ବିଚାରକୁ ନେବାକୁ ହେବ, କାରଣ ଆଜି ବି ଭାରତରେ ଅଧାରୁ ଅଧିକ ପରିବାର କୃଷି ଉପରେ ନିର୍ଭରଶୀଳ। କରୋନା ଜନିତ ‘ଲକ୍‌ଡାଉନ୍‌’ ହେତୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଗାଁ ଲେଉଟାଣି ଓଡ଼ିିଶା ଗ୍ରାମାଞ୍ଚଳରେ ଏକ ସମ୍ପୂର୍ଣ୍ଣ ନୂଆ ଦୃଶ୍ୟପଟ ସୃଷ୍ଟି କଲାଣି। ଏହି ସବୁ ଅଞ୍ଚଳରେ ଅପେକ୍ଷାକୃତ ସ୍ବଳ୍ପ ଶିଳ୍ପ-ଅଭିବୃଦ୍ଧି ହେତୁ ସ˚ଖ୍ୟାଧିକ ଲୋକ କୃଷି କାର୍ଯ୍ୟକୁ ଆପଣାଇ ଥାଆନ୍ତି। କିନ୍ତୁ ବିଭିନ୍ନ ସମ୍ଭାବନା ସତ୍ତ୍ବେ କୃଷିରୁ ଆୟ ଅଧିକ ହେଉ ନ ଥିବାରୁ ସେମାନେ ଜୀବିକା ଅନ୍ବେଷଣରେ ବାହାରକୁ ଯାଇଥାଆନ୍ତି। ଆମର ଅନେକ ଅର୍ଥନୀତି ବିଶେଷଜ୍ଞଙ୍କ ମଧୢ ମତ ଯେ କୃଷି ଅଭିବୃଦ୍ଧି ଦାରିଦ୍ର୍ୟକୁ ଶୀଘ୍ର ହ୍ରାସ କରିପାରିବ ନାହିଁ। କିନ୍ତୁ ଟିକିଏ ନିରିଖେଇ ଦେଖିଲେ ଜାଣିହେବ ଯେ ଅଭିବୃଦ୍ଧିଗତ ସମସ୍ୟା ବାସ୍ତବରେ କୃଷିରେ ନାହିଁ, ରହିଛି ଆମ ବିଚାରରେ।

ଖ୍ୟାତିସ˚ପନ୍ନ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପୂର୍ବତନ ଉପାଧୢକ୍ଷ ମୋଣ୍ଟେକ୍‌ ସି˚ ଆଲୁଵାଲିଆ ତାଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘ବ୍ୟାକ୍‌ଷ୍ଟେଜ୍‌’ରେ ମଧୢ ଏହା ଦର୍ଶାଇଛନ୍ତି। ତାଙ୍କ ମତରେ ଖାଦ୍ୟ ସବ୍‌ସିଡି ଏବ˚ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଣାଳୀରେ ସ˚ସ୍କାର ନ ଆଣିଲେ ଅଭିବୃଦ୍ଧି ପାଇଁ ସମ୍ବଳ ଯୋଗାଡ଼ କରିବା କଷ୍ଟକର ହେବ। କିନ୍ତୁ ସରକାରୀ ନୀତି ଅନେକ ସମୟରେ ଅପରିଣାମଦର୍ଶୀ ହେଉଥିବାରୁ ଆମ କୃଷକମାନଙ୍କ ଆୟରେ ବୃଦ୍ଧି ହେଉନାହିଁ। ଉଦାହରଣ ଦେଇ ସେ କହନ୍ତି ଯେ କୃଷି ଅଭିବୃଦ୍ଧି ହାର ବାଜପେୟୀ ସରକାରଙ୍କ ଅବଧି (୧୯୯୮-୯୯ରୁ ୨୦୦୩-୦୪)ରେ ୨.୯%ରୁ ବୃଦ୍ଧି ପାଇ ଉପା-୨ ସରକାରଙ୍କ ଅବଧି (୨୦୦୯-୧୦ରୁ ୨୦୧୩-୧୪)ରେ ୪.୩%ରେ ପହଞ୍ଚିଥିଲା। ଏଥି ଯୋଗୁ ୨୦୦୪-୦୫ରୁ ୨୦୧୩-୧୪ ମଧୢରେ ୧୩୮ ନିୟୁତ ଲୋକଙ୍କ ଦାରିଦ୍ର୍ୟ ହ୍ରାସ ହୋଇଥିଲା। କିନ୍ତୁ ଦାରିଦ୍ର୍ୟ ଦୂରୀକରଣର ଏହି ସଫଳତାକୁ ଅଣଦେଖା କରି ସେତେବେଳର ଉପା ସରକାର ‘ଖାଦ୍ୟ ଅଧିକାର ଅଭିଯାନ’ ଅଧୀନରେ ଖାଦ୍ୟ ସବ୍‌ସିଡିକୁ ପ୍ରାଥମିକତା ଦେଲେ। କିନ୍ତୁ, ହିତାଧିକାରୀଙ୍କୁ କେବଳ ଚାଉଳ ଏବ˚ ଗହମ ଦେବା ପରିବର୍ତ୍ତେ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ କିଣିବାର ସୁଯୋଗ ଦେବାର ବ୍ୟବସ୍ଥା ରହିଲା ନାହିଁ। କିନ୍ତୁ ସେଭଳି ପ୍ରସ୍ତାବ ରହିଥିଲେ କୃଷି ଉତ୍ପାଦନରେ ବିବିଧତା ଦେଖିବାକୁ ମିଳିଥାଆନ୍ତା ଓ କୃଷକଙ୍କ ଲାଗି ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଥାଆନ୍ତା। ତା’ ଛଡ଼ା ବିଭିନ୍ନ ସମୟରେ କୃଷିଜାତ ଦ୍ରବ୍ୟର ରପ୍ତାନି ଉପରେ ନିଷେଧାଦେଶ ମଧୢ କୃଷକର ଆୟରେ ବାଧା ପହଞ୍ଚାଇଥାଏ ବୋଲି ମୋଣ୍ଟେକ୍‌ ମତ ଦେଇଛନ୍ତି। କିନ୍ତୁ, ସରକାର ସର୍ବଦା କୃଷକଙ୍କ ପରିବର୍ତ୍ତେ ଖାଉଟିଙ୍କ ପକ୍ଷ ନେଇ ଅନେକ ସମୟରେ କୃଷିଜ ରପ୍ତାନିକୁ ବନ୍ଦ କରି ଦେଉଥିବାରୁ କୃଷକମାନେ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି।

ଏବେ କରୋନା ଜନିତ ଅସାଧାରଣ ପରିସ୍ଥିତିରେ ଚାଷୀଙ୍କ ଆୟ ପ୍ରସଙ୍ଗକୁ ଫେରିବା। ସ˚ପ୍ରତି ପ୍ରବାସୀ ଶ୍ରମିକମାନଙ୍କ ରୋଜଗାର ପ୍ରାୟ ଶୂନ୍ୟ ହୋଇଯାଇଥିବାରୁ ଗ୍ରାମାଞ୍ଚଳରେ ମୁଣ୍ତପିଛା ଆୟ ହ୍ରାସ ପାଇଛି। ସେମିତି ସହରରେ ମଧୢ ଲୋକଙ୍କ ଆୟରେ ବିପୁଳ ହ୍ରାସ ଘଟିଛି। ଏହା ଲୋକଙ୍କ କ୍ରୟ ଶକ୍ତିକୁ ପ୍ରଭାବିତ କରିଛି। ତେଣୁ ବିଭିନ୍ନ ଦ୍ରବ୍ୟର ଚାହିଦାରେ ହ୍ରାସ ଘଟିଛି। କିନ୍ତୁ ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ତାହା ହେଲା ସରକାର ଲୋକଙ୍କ କ୍ରୟ ଶକ୍ତିରେ ବୃଦ୍ଧି ଘଟାଇ ଚାହିଦା ବଢ଼ାଇବା ପରିବର୍ତ୍ତେ ଯୋଗାଣ ପାର୍ଶ୍ବକୁ ଦୃଢ଼ କରିବା ଉପରେ ଧୢାନ ଦେଉଛନ୍ତି। କିନ୍ତୁ ଯଦି ଯୋଗାଣ ବଢ଼ିବା ସତ୍ତ୍ବେ ଚାହିଦା ନ ବଢ଼ିବ, ତେବେ ମୂଲ୍ୟ ହ୍ରାସ ଘଟିବ ଯାହା ଉତ୍ପାଦକକୁ କ୍ଷତିରେ ରହିବାକୁ ବାଧୢ କରିବ। କିନ୍ତୁ ଏହା ମଧୢ ଏକ ନିଷ୍ଠୁର ସତ୍ୟ ଯେ କରୋନାର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଚାହିଦାରେ ଦ୍ରୁତ ବୃଦ୍ଧି ଆସିବା ସମ୍ଭବ ନୁହେଁ। କିନ୍ତୁ, ଏହି ଘନଘଟା ମଧ୍ୟରେ କୃଷି କ୍ଷେତ୍ର (କୃଷକଙ୍କ ଆୟ) ଲାଗି ଆଶାର କ୍ଷୀଣ ରଶ୍ମି ରହିଛି। କାରଣ, ‘ଲକ୍‌ଡାଉନ୍‌’ ବେଳେ ଏହା ଦେଖାଯାଇଛି ଯେ ପରିବାରରେ ଖାଦ୍ୟ ଚାହିଦା କମିଥିଲେ ମଧୢ ତାହା ଅତି ନିମ୍ନ ସ୍ତରକୁ ଖସିି ନ ଥିଲା। ‘ଏନ୍‌ଏସ୍‌ଏସ୍‌ଓ’ ତଥ୍ୟରୁ ଜଣାପଡ଼େ ଯେ ସାଧାରଣ ଭାରତୀୟ ପରିବାରରେ ହାରାହାରି ଖର୍ଚ୍ଚର ପ୍ରାୟ ୪୫% ଖାଦ୍ୟ ବାବଦରେ ହୋଇଥାଏ। ପୁଣି ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରରେ ଏହା ପରିବାରର ବ୍ୟୟର ପ୍ରାୟ ୬୦%। ସୁତରା˚, ଜୀବନ ଧାରଣ ଲାଗି ସର୍ବାଧିକ ଆବଶ୍ୟକ ପଡୁଥିବା ଦ୍ରବ୍ୟ ଖାଦ୍ୟର ଚାହିଦା କ୍ଷେତ୍ରରେ ଏ କରୋନା କାଳରେ ତୁଳନାତ୍ମକ ଭାବେ ଅଧିକ ସୁଯୋଗ ରହିଛି। କିନ୍ତୁ ମୂଳ କଥା ହେଲା ଏ ପରିପ୍ରେକ୍ଷୀରେ ଖାଦ୍ୟ ଦ୍ରବ୍ୟର ବିପଣନର ସୁପରିଚାଳନା କରାଯିବା ଉଚିତ।

‘ଲକ୍‌ଡାଉନ୍‌’ ବେଳେ ଦେଖାଗଲା ଯେ ଦୋକାନବଜାର ତଥା ଗାଡ଼ିମଟର ଆଦି ବନ୍ଦ ରହିବା ଯୋଗୁଁ ସୃଷ୍ଟ ପରିସ୍ଥିତିରେ କୃଷକମାନେ ସେମାନଙ୍କ ଉତ୍ପାଦ ବଜାରରେ ପହଞ୍ଚାଇ ପାରିଲେ ନାହିଁ କି ବିକ୍ରି କରି ପାରିଲେ ନାହିଁ। ସେଥି ଲାଗି ସେମାନେ ବିପୁଳ କ୍ଷତି ସହିଲେ। ଏବେ ଲକ୍‌ଡାଉନ୍‌ ଆ˚ଶିକ କୋହଳ ହେବା ପରେ କ୍ଷୀର, ଅଣ୍ତା ଠାରୁ ଆରମ୍ଭ କରି ଫଳ ଓ ପନିପରିବା ଆଦିର ବିକ୍ରି ପୁଣି ଧୀରେ ଧୀରେ ବ୍ୟବସ୍ଥିତ ହେବାରେ ଲାଗିଲାଣି। ତେବେ କରୋନା ସତର୍କତାର ନିୟମକୁ ମାନି କୃଷିଜ ବିପଣନକୁ ବେଗଗାମୀ କରିବା ଲାଗି ଉଦ୍ୟମ କରାଯିବା ଆବଶ୍ୟକ। ଏବେ ଗ୍ରାମାଞ୍ଚଳରେ ପ୍ରବାସୀ ଶ୍ରମିକମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତିର ପରିଚାଳନା ଓ କୃଷିଜ ବିପଣନ କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ। ପ୍ରବାସୀ ଶ୍ରମିକମାନଙ୍କ ଭିତରୁ ଅନେକ କୁଶଳୀ କିମ୍ବା ଅର୍ଧ-କୁଶଳୀ ଓ ଅପେକ୍ଷାକୃତ ଶିକ୍ଷିତ ହୋଇଥିବାରୁ ସେମାନେ ଏହି ଦାୟିତ୍ବ ତୁଲାଇ ପାରିବେ। ଏବେ କୃଷି ବଜାରକୁ କୃଷି ଉତ୍ପାଦନ ବଜାର କମିଟି (ଏପିଏମସି)ର କବ୍‌ଜାରୁ ମୁକ୍ତ କରି ଚାଷୀମାନଙ୍କୁ ସିଧାସଳଖ ବୃହତ୍‌ କୃଷିଜ ବିକ୍ରୟକାରୀ କମ୍ପାନି, ପ୍ରକ୍ରିୟାକରଣ ଉଦ୍ୟୋଗ, ସ˚ଗଠିତ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀ ତଥା ଗ୍ରାହକମାନଙ୍କ ସହିତ ସିଧାସଳଖ ଯୋଡ଼ିବାର ସମୟ ଆସିଛି। ସେମାନଙ୍କୁ ବଜାର ଶୁଳ୍‌କରୁ ରିହାତି ଦେବା କଥା ଚିନ୍ତା କରିବାକୁ ହେବ। ସରକାରୀ ଗୋଦାମ ଓ ଶୀତଳ ଭଣ୍ତାରଗୁଡ଼ିକୁ କୃଷି-ବଜାର ଭାବରେ ବ୍ୟବହାର କରାଯାଇପାରେ। ଗ୍ରାମ୍ୟ-ହାଟଗୁଡ଼ିକୁ ସ˚ଗ୍ରହ-କେନ୍ଦ୍ର ହିସାବରେ ବ୍ୟବହାର କରାଯାଇପାରେ ଓ ସ୍ବୟ˚ ସହାୟକ ଗୋଷ୍ଠୀଗୁଡ଼ିକୁ ଏହି ସ˚ଗ୍ରହ-କେନ୍ଦ୍ର କାର୍ଯ୍ୟରେ ସ˚ଶ୍ଳିଷ୍ଟ କରାଯାଇପାରେ। ତେବେ ଏସବୁ କରିବା ପାଇଁ ‘ଏପିଏମ୍‌ସି’ ଅଧିନିୟମରେ ଆବଶ୍ୟକ ସ˚ଶୋଧନ ଆଣିବାର ଅଛି।

କରୋନା କାଳରେ ଚାଷ କାର୍ଯ୍ୟ ବା କୃଷି ଉତ୍ପାଦନ ବିଶେଷ ବାଧାପ୍ରାପ୍ତ ହେବାର ସମ୍ଭାବନା କମ୍‌। ଏକ ଭଲ ମୌସୁମୀ ପ୍ରବାହ ‘ବ˚ପର‌୍‌’ ଅମଳରେ ସହାୟକ ହୋଇପାରେ। କିନ୍ତୁ କରୋନାକାଳୀନ ସତର୍କତା ପାଳନ ଓ ‘ଲକ୍‌ଡାଉନ୍‌’ ବା ‘ସଟ୍‌ଡାଉନ’ ଭଳି ପଦକ୍ଷେପ କୃଷିଜ ବିପଣନରେ ବାଧା ପହଞ୍ଚାଇବାର ଆଶଙ୍କା ଅଧିକ। ତାର ସୁପରିଚାଳନା କରାଗଲେ ଏହି କରୋନା କାଳରେ ମଧୢ ଚାଷୀ ଭଲ ଦୁଇ ପଇସା ଉପାର୍ଜନ କରିପାରିବେ।

ଶ୍ରୀଜଗନ୍ନାଥ ବିହାର, ବରମୁଣ୍ତା, ଭୁବନେଶ୍ବର
ମୋ: ୯୪୩୭୧୬୪୬୧୧
[email protected]

ସମ୍ବନ୍ଧିତ ଖବର