ଦୃଷ୍ଟିପାତ, କରୋନା ଓ ମାନସିକ ରୋଗ

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଏକ ଗବେଷକ ଦଳ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ଆମେରିକାର ୬୨,୦୦୦ ଜଣ ରୋଗୀଙ୍କର ତଥ୍ୟ ଉପରେ ଅଧ୍ୟୟନ କରି କୋଭିଡ୍ ସଂକ୍ରମଣ ଓ ମାନସିକ ରୋଗ ମଧ୍ୟରେ ଏକ ଚିନ୍ତାଜନକ ଯୋଗସୂତ୍ରର ଆବିଷ୍କାର କରିଛନ୍ତି। ଗବେଷଣାଲବ୍‌ଧ ତଥ୍ୟ ଅନୁଯାୟୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇ ସାରିବାର ତିନି ମାସ ମଧ୍ୟରେ ପ୍ରତି ପାଞ୍ଚ ଜଣରେ ଜଣେ ରୋଗୀ ଉଦ୍‍ବେଗ, ଅବସାଦ ଓ ନିଦ୍ରାହୀନତା ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆହୁରି ମଧ୍ୟ ଜଣାପଡ଼ିଛି ଯେ ଯେଉଁମାନେ ପୂର୍ବରୁ ମାନସିକ ରୋଗରେ ପୀଡ଼ିତ ସେମାନେ କୋଭିଡ୍ ଆକ୍ରାନ୍ତ ହେବାର ଆଶଙ୍କା ସାଧାରଣ ଲୋକଙ୍କ ତୁଳନାରେ ୬୫% ଅଧିକ। ଏଭଳି ଅପ୍ରତ୍ୟାଶିତ ଆବିଷ୍କାର ପରେ ସଂକ୍ରାମକ ରୋଗ ବିଶେଷଜ୍ଞମାେନ ମାନସିକ ରୋଗୀମାନଙ୍କୁ ବିପଦପୂର୍ଣ୍ଣ ବର୍ଗ ଅନ୍ତର୍ଭୁକ୍ତ କରିବା ପାଇଁ ଉପଦେଶ ଦେଇଛନ୍ତି।

ତେବେ କେବଳ ଯେ କୋଭିଡ୍ ମାନସିକ ରୋଗ ସୃଷ୍ଟି କରୁଛି ତାହା ସୁନିଶ୍ଚିତ କରିବା ପାଇଁ ଅଧିକ ଗବେଷଣା ଲୋଡ଼ା। କାରଣ କୋଭିଡ୍ ମହାମାରୀ କାରଣରୁ ଅନେକ ଲୋକ ଚାକିରି ହରାଇ ଆର୍ଥିକ ସଂକଟର ମଧ୍ୟ ସମ୍ମୁଖୀନ ହେଉଛନ୍ତି ଯାହା ମାନସିକ ରୋଗ ସୃଷ୍ଟି କରୁଥାଇପାରେ। ମସ୍ତିଷ୍କ ଓ ସ୍ନାୟୁତନ୍ତ୍ର ଉପରେ କୋଭିଡ୍‍ର ପ୍ରଭାବ ସଂକ୍ରାନ୍ତରେ ଅଧିକ ଗବେଷଣା ଚାଲୁ ରହିଛି। ଜୁଲାଇରେ ୟୁନାଇଟେଡ୍ କିଙ୍ଗ୍‍ଡମ୍‍ରେ ୪୦ ଜଣ କୋଭିଡ୍ ଆକ୍ରାନ୍ତଙ୍କ ଠାରେ ମସ୍ତିଷ୍କ ପ୍ରଦାହରୁ ଆରମ୍ଭ କରି ସ୍ନାୟବିକ କ୍ଷତ ଭଳି ରୋଗ ଦେଖାଦେଇଥିଲା। କୋଭିଡ୍ ଏକ ନୂଆ ରୋଗ ହୋଇଥିବାରୁ ଏହାର ଦୀର୍ଘକାଳୀନ ପ୍ରଭାବ ଜାଣିବା ପାଇଁ ଗବେଷକଙ୍କୁ ଠୋସ୍ ତଥ୍ୟ ପାଇଁ ଅପେକ୍ଷା କରିବାକୁ ପଡୁଛି।

ସମ୍ବନ୍ଧିତ ଖବର