ଆଦ୍ୟ ଶୈଶବ: ରାଜ୍ୟରେ ନୂତନ ଶିକ୍ଷାନୀତିର ରୂପାୟନ, ଶିକ୍ଷାୟତନର ପୁନର୍ବିନ୍ୟାସ ଆବଶ୍ୟକ

ଅର୍ଦ୍ଧେନ୍ଦୁ ଶେଖର ଷଡ଼ଂଗୀ

ଦେଶରେ ଶିକ୍ଷାର ବିକାଶ ପାଇଁ ସମୟ ସମୟରେ ଜାତୀୟ ଶିକ୍ଷାନୀତି ମାନ ପ୍ରଣୀତ ହୋଇଛି। ଏହି ଶିକ୍ଷାନୀତିଗୁଡ଼ିକ ଦେଶରେ ଶିକ୍ଷା ଏବଂ ଶିକ୍ଷାଦାନର ମୋଟ ସ୍ବରୂପ କିପରି ହେବ, ଏହା ନିର୍ଦ୍ଧାରଣ କରିଥା’ନ୍ତି। ନୂତନ ରୂପରେଖର ଶିକ୍ଷା ଏବଂ ଶିକ୍ଷାଦାନ ପଦ୍ଧତିର ପ୍ରଚଳନ ପାଇଁ ନୂତନ ପ୍ରକାରର ଶିକ୍ଷାନୁଷ୍ଠାନମାନ ସ୍ଥାପନ କରିବା କିମ୍ବା ଉପସ୍ଥିତ ଶିକ୍ଷାନୁଷ୍ଠାନମାନଙ୍କର ପୁନର୍ବିନ୍ୟାସ କରିବା ଆବଶ୍ୟକ ହୋଇଥାଏ; ଏବଂ ରାଜ୍ୟମାନେ ନିଜର ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା କରିଥା’ନ୍ତି।

ଜାତୀୟ ଶିକ୍ଷାନୀତି ୨୦୨୦ ଦେଶର ଶିକ୍ଷା କ୍ଷେତ୍ରରେ ଅନେକ ଗୁଡ଼ିଏ ସଂସ୍କାରର ଆବଶ୍ୟକତା ଉପଲବ୍‌ଧି କରି ସେଥିପାଇଁ ଉପଯୁକ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିଛି। ଏଥି ମଧ୍ୟରୁ ବୋଧହୁଏ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହେଲା ଆଦ୍ୟ ଶୈଶବରେ ଅାନୁଷ୍ଠାନିକ ଭିତ୍ତିରେ ଶିଶୁର ଯତ୍ନ ଏବଂ ଶିକ୍ଷା। ପ୍ରଚଳିତ ବ୍ୟବସ୍ଥାରେ ଶିଶୁର ୬ ବର୍ଷ ବୟସ ହେଲା ପରେ ହିଁ ଶିକ୍ଷାରମ୍ଭ ହେଉଛି। ସେଯାଏଁ ଗ୍ରାମାଞ୍ଚଳରେ ବା ସହରର ବସ୍ତି ଅଞ୍ଚଳମାନଙ୍କରେ ରହୁଥିବା ଶିଶୁମାନେ ଅଙ୍ଗନବାଡ଼ିକୁ ଯାଇ ଖେଳିବା, ଭଦ୍ର ବ୍ୟବହାର, ପରିଷ୍କାର ପରିଚ୍ଛନ୍ନତା ଆଦି ଶିଖୁଛନ୍ତି। ଶିଶୁଟିର ଭାଷା ଜ୍ଞାନ ବା ସଂଖ୍ୟା ଜ୍ଞାନର ବିକାଶ ହେଲା ପରି ସେ ସେପରି କିଛି ବିଶେଷ ଶିକ୍ଷା ପାଇପାରୁନାହିଁ, ଯଦିଓ ଗଣିବା, ଅକ୍ଷର ଚିହ୍ନିବା ପରି କିଛି ପାଠପଢ଼ା ଅଙ୍ଗନବାଡ଼ି ଦିଦି ତାଙ୍କର ସୀମିତ ସାମର୍ଥ୍ୟ ମଧ୍ୟରେ କରାଇଥା’ନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଲା ଯେ ଗ୍ରାମାଞ୍ଚଳ‌ର ସ୍ବଚ୍ଛଳ ପରିବାରମାନେ ତାଙ୍କର ଶିଶୁମାନଙ୍କୁ ଅଙ୍ଗନବାଡ଼ିକୁ ପଠାଇବାକୁ ଆଗ୍ରହୀ ନ ଥିବାରୁ, ସେପରି ପରିବାରର ଶିଶୁମାନେ ଆଦ୍ୟ ଶୈଶବରେ ଏହି କିଞ୍ଚିତ ଶିକ୍ଷାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ସହରାଞ୍ଚଳରେ ‘ପ୍ଲେ-ସ୍କୁଲ’ମାନ ଖୋଲିଥିଲେ ମଧ୍ୟ ଅଧିକ ଖର୍ଚ୍ଚ ଦୃଷ୍ଟିରୁ ବା ନେବା ଆଣିବାର ଅସୁବିଧା ଦୃଷ୍ଟିରୁ ଅଭିଭାବକମାନେ ପିଲାମାନଙ୍କୁ ଆଦ୍ୟ ଶୈଶବରେ ସେପରି ସ୍କୁଲମାନଙ୍କରେ ଭର୍ତ୍ତି ନ କରି ଏକା ବେଳକେ ପାଞ୍ଚ ଛଅ ବର୍ଷ ହେଲେ ସ୍କୁଲକୁ ପଠାଉଛନ୍ତି।

ନୂତନ ଶିକ୍ଷାନୀତି ଦୁଇଟି ବିଷୟ ଉପରେ ଗଭୀର ରୂପେ ସଚେତନ। ପ୍ରଥମଟି ହେଲା ଯେ ଶିଶୁର ମସ୍ତିଷ୍କ ଅଭିବୃଦ୍ଧିର ୮୫% ଛଅ ବର୍ଷ ବୟସ ପୂର୍ବରୁ ହିଁ ହୋଇ ସାରିଥାଏ; ଏଣୁ ଏହି ସମୟରେ ମସ୍ତିଷ୍କର ଏବଂ ଅଭିଜ୍ଞାନ ଶକ୍ତିର ପରିପୂର୍ଣ୍ଣ ବିକାଶ ପାଇଁ ପ୍ରତ୍ୟେକ ଶିଶୁ ଉପଯୁକ୍ତ ପ୍ରଶିକ୍ଷଣ ପାଇବା ଆବଶ୍ୟକ। ଦ୍ବିତୀୟଟି ହେଲା ଯେ ବିଭିନ୍ନ ସର୍ଭେ ମାନଙ୍କରୁ ଜଣାପଡ଼େ ଯେ ଆମ ଦେଶର ସ୍କୁଲ ଛାତ୍ରମାନେ ପଠନ ଲିଖନ ତଥା ସରଳ ଯୋଗ ବିୟୋଗ ଆଦି ଗାଣିତିକ କର୍ମଣରେ ଅତି ଦୁର୍ବଳ। ମୌଳିକ ପଠନ ଲିଖନ ଏବଂ ଗାଣିତିକ କର୍ମଣରେ ଦକ୍ଷତା ଉଚ୍ଚ ଶ୍ରେଶୀମାନଙ୍କରେ ଏବଂ ଭବିଷ୍ୟତ୍‌ରେ ସମସ୍ତ ଶିକ୍ଷାଲାଭ କରିବା ପାଇଁ ଅପରିହାର୍ଯ୍ୟ ଏବଂ ମୂଳଦୁଆ ସଦୃଶ। ଏଣୁ ଆଦ୍ୟ ଶୈଶବରୁ ହିଁ ଏହି ମୌଳିକ ଗଣତି ଏବଂ ପଠନ ଲିଖନରେ ଶିକ୍ଷା ଆରମ୍ଭ କରିବା ଓ ଦ୍ବିତୀୟ ‌େଶ୍ରଣୀ ଶେଷ ହେଲା ବେଳକୁ ପ୍ରତ୍ୟେକ ଶିଶୁ ଏଥିରେ ଆବଶ୍ୟକୀୟ ଦକ୍ଷତା ଅର୍ଜନ କରିସାରିଥିବା ନୂତନ ଶିକ୍ଷାନୀତିର ଲକ୍ଷ୍ୟ। ନୂତନ ଶିକ୍ଷାନୀତି ଯଥେଷ୍ଟ ସଚେତନ ଯେ ଏହି ଲକ୍ଷ୍ୟ ହାସଲରେ ସଫଳତା ଉପରେ ହିଁ ନୀତିର ଅନ୍ୟ ସମସ୍ତ ଦିଗରେ ସଫଳତା ନିର୍ଭର କରିବ।

ଏହି ଦୃଷ୍ଟିରୁ ଶିଶୁର ୬ ବର୍ଷ ବୟସ ହେଲା ଯାଏଁ ଅପେକ୍ଷା ନ କରି ୩ ବର୍ଷ ବୟସରୁ ହିଁ ଶିଶୁର ଯତ୍ନ ନେବା ସହିତ ଶିକ୍ଷାରମ୍ଭ କରିବା ଉପରେ ନୂତନ ଶିକ୍ଷାନୀତି ଗୁରୁତ୍ବ ଦେଇଛି। ତେବେ ଏହି ପ୍ରାରମ୍ଭିକ ଶିକ୍ଷା, ଯାହାକୁ ଆଦ୍ୟ ଶୈଶବର ଯତ୍ନ ଏବଂ ଶିକ୍ଷା ବୋଲି ନାମିତ କରାଯାଇଛି, ମୁଖ୍ୟତଃ ଖେଳ ଏବଂ ଶିଶୁସୁଲଭ କାର୍ଯ୍ୟକଳାପ ଉପରେ ପର୍ଯ୍ୟବସିତ ହେବ। ଅକ୍ଷର ପରିଚୟ, ମୌଳିକ ଭାଷା ଜ୍ଞାନ, ସଂଖ୍ୟା ଜ୍ଞାନ ଓ ଗଣନ, ରଙ୍ଗ ଏବଂ ବସ୍ତୁର ଆକୃତି ପରିଚୟ, ସଙ୍ଗୀତର ତାଳ, ନାଚ ଜରିଆରେ ଅଙ୍ଗ ଚାଳନା ଓ ସନ୍ତୁଳନ ଆଦି ଏହି ଶିକ୍ଷାର ଲକ୍ଷ୍ୟ ହେବ। ଶିଶୁର ବ୍ୟକ୍ତିତ୍ବର ବିକାଶ ସହିତ ମୌଳିକ ଭାଷା ଜ୍ଞାନ ଓ ସଂଖ୍ୟା ଜ୍ଞାନର ମୂଳଦୁଆ ଏହିଠାରୁ ହିଁ ପଡ଼ିବ।

ଏଥିପାଇଁ ଆବଶ୍ୟକ ଆନୁଷ୍ଠାନିକ ବ୍ୟବସ୍ଥା କ’ଣ ହେବ, ନୂତନ ଶିକ୍ଷାନୀତିରେ ତାହା ମଧ୍ୟ ସ୍ପଷ୍ଟ କରାଯାଇଛି। ଆଦ୍ୟ ଶୈଶବର ଯତ୍ନ ଏବଂ ଶିକ୍ଷାଦାନ ନିମ୍ନ ଲିଖିତ ଚାରି ପ୍ରକାରର ଆନୁଷ୍ଠାନିକ ବ୍ୟବସ୍ଥା ମଧ୍ୟରୁ ଯେ କୌଣସିଟିରେ କରାଯାଇ ପାରିବ। ସେ ଚାରିଟି ବ୍ୟବସ୍ଥା ହେଲା ପୃଥକ୍ ଭାବେ ଅବସ୍ଥିତ ଅଙ୍ଗନବାଡ଼ି ମାଧ୍ୟମରେ ବା ପ୍ରାଥମିକ ବିଦ୍ୟାଳୟ ସହିତ ଏକତ୍ର ଅବସ୍ଥିତ ଅଙ୍ଗନବାଡ଼ି ମାଧ୍ୟମରେ ଅଥବା ପୃଥକ୍ ପ୍ରାରମ୍ଭିକ ବିଦ୍ୟାଳୟ ମାଧ୍ୟମରେ, ଯେଉଁଠାରେ ୩ ବର୍ଷ ପାଇଁ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିଆଯିବ କିମ୍ବା ଉପସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ସଂଲଗ୍ନ ପ୍ରାରମ୍ଭିକ ବିଦ୍ୟାଳୟ/ଶ୍ରେଣୀ ମାଧ୍ୟମରେ। ଯେଉଁ ପରିସ୍ଥିତିରେ ଉପର ବର୍ଣ୍ଣିତ ଚାରି ପ୍ରକାରର ଅନୁଷ୍ଠାନ ମଧ୍ୟରୁ ଯେଉଁଟି ଉପଯୁକ୍ତ ହେବ, ସେଠାରେ ସେ ପ୍ରକାର ବ୍ୟବସ୍ଥା କରାଯାଇ ପାରିବ।

ଏହି ସବୁ ଅନୁଷ୍ଠାନ ମାନଙ୍କରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାଦାନ ପଦ୍ଧତିରେ ପ୍ରଶିକ୍ଷିତ ଶିକ୍ଷାକର୍ମୀ/ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ। ଏତଦ୍‌ବ୍ୟତୀତ ଶିଶୁଟି ୫ ବର୍ଷର ହେଲା ମାତ୍ରେ, ପ୍ରାଥମିକ ବିଦ୍ୟାଳୟ ଯିବା ପୂର୍ବରୁ ଗୋଟିଏ ‘ବାଳ-ବାଟିକା’ (ଶିଶୁ ଶ୍ରେଣୀ)ରେ ବସିବ, ଯେଉଁଠାରେ କି ଶିକ୍ଷାଦାନ ଖେଳ ଓ କାର୍ଯ୍ୟକଳାପ ଉପରେ ପର୍ଯ୍ୟବସିତ ହୋଇଥିଲେ ମଧ୍ୟ ଧୀରେ ଧୀରେ ମୌଳିକ ଭାଷା ଜ୍ଞାନ ଓ ସଂଖ୍ୟା ଜ୍ଞାନ ଉପରେ ଅଧିକ ଗୁରୁ୍ତ୍ବ ଦିଆଯିବ। ଆହୁରି ବି ଅଙ୍ଗନବାଡ଼ିର କୋମଳମତି ଶିଶୁମାନେ ସମୟାନୁସାରେ ନିକଟବର୍ତ୍ତୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ତାଙ୍କ ଠାରୁ ବଡ଼ ପିଲାମାନଙ୍କ ସହିତ ମିଶିବା, ଶିକ୍ଷକମାନଙ୍କୁ ଭେଟିବା ଏବଂ ବିଦ୍ୟାଳୟ ପରିବେଶ ସହିତ ପରିଚିତ ‌େ‌ହବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପଡ଼ିବ। ଏଣୁ ନୂତନ ଶିକ୍ଷାନୀତିର ପରିକଳ୍ପନା ଅନୁଯାୟୀ ଆଦ୍ୟ ଶୈଶବ ଶିକ୍ଷାର ସୁବ୍ୟବସ୍ଥା କରିବାକୁ ହେଲେ ନିମ୍ନ ପ୍ରକାରର ଭିତ୍ତିଭୂମିର ବିକାଶ ଏବଂ ସଂଯୋଜନା ଏକାନ୍ତ ଆବଶ୍ୟକ।

ଆମ ରାଜ୍ୟରେ ପ୍ରାୟ ୬୩,୭୦୦ଟି ଅଙ୍ଗନବାଡ଼ି ଏବଂ ୧୦,୪୦୦ଟି ମିନି ଅଙ୍ଗନବାଡ଼ି, ଏପରି ପ୍ରାୟ ୭୪,୧୦୦ଟି ଶିଶୁ ଯତ୍ନ କେନ୍ଦ୍ର ଅଛି। ଏଗୁଡ଼ିକ ସବୁ ଗ୍ରାମାଞ୍ଚଳରେ ବା ସହରମାନଙ୍କର ବସ୍ତି ଅଞ୍ଚଳରେ ରହିଛି। ନୂତନ ଶିକ୍ଷାନୀତିର ପରିକଳ୍ପିତ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାଦାନ ପାଇଁ ଏଥି ମଧ୍ୟରୁ କେଉଁ କେନ୍ଦ୍ରମାନଙ୍କରେ ଭିତ୍ତିଭୂମି ପର୍ଯ୍ୟାପ୍ତ ଏବଂ କେଉଁଠାରେ ଭିତ୍ତିଭୂମି ଯଥେଷ୍ଟ ନୁହେଁ; ଏହାର ଗୋଟିଏ ସର୍ଭେ ହେବା ଦରକାର ଏବଂ ଯେଉଁଠାରେ ଆବଶ୍ୟକ, ଭିତ୍ତିଭୂମିର ସଂପ୍ରସାରଣ କାର୍ଯ୍ୟକୁ ପ୍ରାଥମିକତା ଦେଇ ଶେଷ କରିବା ଦରକାର।

ଦ୍ବିତୀୟରେ ସବୁ ପରିବାର ତାଙ୍କର ଶିଶୁମାନଙ୍କୁ ଅଙ୍ଗନବାଡ଼ିକୁ ପଠାଇ ନଥା’ନ୍ତି, କାରଣ ବର୍ତ୍ତମାନ ଅଙ୍ଗନବାଡ଼ିରେ ଯେଉଁ ସେବାମାନ ଯୋଗାଇ ଦିଆଯାଇଥାଏ, ଏହି ପରିବାରମାନଙ୍କର ସେଥି ପ୍ରତି ଆଗ୍ରହ ନ ଥାଏ। ଏହି ପ୍ରକାର ପରିବାରମାନଙ୍କର ଶିଶୁମାନଙ୍କର ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ପାଇଁ କ’ଣ ବ୍ୟବସ୍ଥା ହେବ? ଏହି ପରିବାରମାନେ ତାଙ୍କର ଶିଶୁମାନଙ୍କୁ ଅଙ୍ଗନବାଡ଼ିକୁ ପଠାଇବାକୁ ବାଧ୍ୟ କରାଯିବ ନା ସେପରି ଶିଶୁମାନଙ୍କ ପାଇଁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ସଂଲଗ୍ନ ପ୍ରାରମ୍ଭିକ ଶ୍ରେଣୀମାନ ବା ପୃଥକ୍ ପ୍ରାରମ୍ଭିକ ବିଦ୍ୟାଳୟମାନ ସ୍ଥାପନ କରାଯିବ? ଏ ବିଷୟରେ ରାଜ୍ୟ ସ୍ତରରେ ଚିନ୍ତନ ଓ ନିଷ୍ପତ୍ତି ଆବଶ୍ୟକ ଏବଂ ଯାହା ବି ନିଷ୍ପତ୍ତି ହେଉ ତାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ନିର୍ମାଣ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଶେଷ କରିବା ଦରକାର। ଏ ପ୍ରକାର ସମସ୍ୟା ସହରାଞ୍ଚଳରେ ମଧ୍ୟ ଥାଇପାରେ ଏବଂ ଏହାର ସୁସମାଧାନ ପାଇଁ କ’ଣ ବ୍ୟବସ୍ଥା କରାଯାଇପାରିବ, ସେ ବିଷୟରେ ମଧ୍ୟ ଚିନ୍ତନ, ନିଷ୍ପତ୍ତି ଓ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

ତୃତୀୟରେ ନୂତନ ଶିକ୍ଷାନୀତି‌ର ପରିକଳ୍ପନା ଅନୁଯାୟୀ ଅଙ୍ଗନବାଡ଼ିରେ ଥିବା ଯେଉଁ ଶିଶୁମାନେ ୫/୬ ବର୍ଷର ହୋଇସାରିଥିବେ, ସେମାନଙ୍କ ପାଇଁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଗୋଟିଏ ବାଳ-ବାଟିକା (ଶିଶୁ ଶ୍ରେଣୀ) ରହିବା ଦରକାର ଏବଂ ଏଥିପାଇଁ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଅଧିକା ଗୋଟିଏ ଶ୍ରେଣୀଗୃହ ଯୋଗ କରିବା ଆବଶ୍ୟକ ପଡ଼ିବ। ଆମ ରାଜ୍ୟରେ ପ୍ରାୟ ୩୩,୩୦୦ଟି ପ୍ରାଥମିକ ଶ୍ରେଣୀ ଥିବା ବିଭିନ୍ନ ପ୍ରକାରର ସରକାରୀ ବିଦ୍ୟାଳୟ ରହିଛି। (ପରିସଂଖ୍ୟାନ ଭୁଲ୍ ଥିଲେ, କ୍ଷମା ଦେବେ। ତେବେ, ସମସ୍ୟାଟି ଏକା ହିଁ ରହିବ।) ଏଥି ମଧ୍ୟରୁ କେଉଁ ବିଦ୍ୟାଳୟରେ ଅଧିକା ଶ୍ରେଣୀଗୃହ ନିର୍ମାଣ ଜରୁରୀ, ତାହା ସରଜମିନରେ ଅନୁଧ୍ୟାନ କରି ଆବଶ୍ୟକ ନିର୍ମାଣ କାର୍ଯ୍ୟ ହେବା ଦରକାର।
ଶେଷରେ, ନୂତନ ଶିକ୍ଷାନୀତିର ପରିକଳ୍ପନା ଅନୁଯାୟୀ ଅଙ୍ଗନବାଡ଼ିର ଶିଶୁମାନେ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବଡ଼ ପିଲାମାନଙ୍କ ଏବଂ ଶିକ୍ଷକମାନଙ୍କ ସହିତ ମିଶିବେ। ସେଥିପାଇଁ ୭୪,୧୦୦ଟି ଅଙ୍ଗନବାଡ଼ିକୁ ୩୩,୩୦୦ଟି ପ୍ରାଥମିକ ବିଦ୍ୟାଳୟ ସହିତ ଯୋଡ଼ିବାକୁ ପଡ଼ିବ, ଯଦ୍ଦ୍ବାରା କେଉଁ ଅଙ୍ଗନବାଡ଼ିର ଶିଶୁମାନେ ପ୍ରେରଣା ପାଇଁ କେଉଁ ପ୍ରାଥମିକ ବିଦ୍ୟାଳୟକୁ ଯିବେ ତାହା ନିଶ୍ଚିତ ହେବ। ଏହି କାର୍ଯ୍ୟ ମଧ୍ୟ ସରଜମିନରେ ଅଙ୍ଗନବାଡ଼ିରୁ ବିଦ୍ୟାଳୟର ଦୂରତ୍ବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ବିଚାରକୁ ନେଇ ସ୍ଥିର କରିବାକୁ ପଡ଼ିବ। ଏହି କାର୍ଯ୍ୟ ମଧ୍ୟ ଶିକ୍ଷାନୀତିର ରୂପାୟନ ଆରମ୍ଭ ହେଲା ପୂର୍ବରୁ ହୋଇ ସାରିଥିବା ଉଚିତ।

ମୋଟ ଉପରେ ରାଜ୍ୟରେ ନୂତନ ଶିକ୍ଷାନୀତିର ଆଦ୍ୟ ଶୈଶବ ଅଂଶର ରୂପାୟନ ପାଇଁ ଅନେକଗୁଡ଼ିଏ ପ୍ରାରମ୍ଭିକ କାର୍ଯ୍ୟ ପୂର୍ବରୁ ହୋଇସାରିଥିବା ଦରକାର। ପାଠ୍ୟକ୍ରମ ପ୍ରକରଣ, ପାଠ୍ୟପୁସ୍ତକ ପ୍ରସ୍ତୁତି, ଶିକ୍ଷାକର୍ମୀ ନିଯୁକ୍ତି, ଶିକ୍ଷାକର୍ମୀଙ୍କର ପ୍ରଶିକ୍ଷଣ ଇତ୍ୟାଦି ଅନେକ କାର୍ଯ୍ୟ ଏହାର ଅନ୍ତର୍ଭୁକ୍ତ। ‌େତବେ ଆମେ ଏଠାରେ ସେ ବିଷୟରେ ଆଲୋଚନା କରୁନାହୁଁ, କାରଣ ଏହି ସବୁ କାର୍ଯ୍ୟ ସମ୍ପାଦନ ପାଇଁ ଶିକ୍ଷା ମନ୍ତ୍ରାଳୟ ଏନ୍.ସି.ଆର୍‌.ଟି. ଇତ୍ୟାଦି ସଂସ୍ଥାମାନଙ୍କୁ ଦାୟିତ୍ବ ଦେଇଛନ୍ତି ଏବଂ ସେମାନେ ଏହା ନିଜେ କରିବେ ବା ରାଜ୍ୟମାନଙ୍କୁ ଏଥିରେ ସାହାଯ୍ୟ କରିବେ। ଏହି ସନ୍ଦର୍ଭରେ ଆମେ କେବଳ ଏହି ଶିକ୍ଷାନୀତିର ସଫଳ ରୂପାୟନ ପାଇଁ ଯେଉଁ ସର୍ବନିମ୍ନ ଭିତ୍ତିଭୂମି ଆବଶ୍ୟକ, ତାହାର ବିକାଶ କିପରି ଠିକ୍ ସମୟରେ ଏବଂ ସମନ୍ବିତ ଭାବରେ ହୋଇପାରିବ, ସେ ବିଷୟରେ ଚିନ୍ତା ପ୍ରକଟ କରୁଛୁ। କାରଣ ଏହା ରାଜ୍ୟର ଦାୟିତ୍ବ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ହିଁ ସମ୍ପାଦିତ ହେବ।

ଏ ବିଷୟରେ ସରକାରୀ ସ୍ତରରେ କ’ଣ ଚିନ୍ତନ ହେଉଛି, କ’ଣ ନିଷ୍ପତ୍ତି ହୋଇଛି ବା ହେବାକୁ ଯାଉଛି; ତାହା ନାଗରିକମାନେ ଜାଣିବାକୁ ନିଶ୍ଚିତ ରୂପେ ଆଗ୍ରହୀ ହେବେ, କାରଣ ଶିଶୁଟିର ଶିକ୍ଷା ପ୍ରତ୍ୟେକ ପିତାମାତାଙ୍କର ଚିନ୍ତାର ବିଷୟ ଏବଂ ଦାୟିତ୍ବ। ଶିକ୍ଷା ବିଭାଗ କ’ଣ ଯୋଜନା କରୁଛନ୍ତି ବା କ’ଣ ନିଷ୍ପତ୍ତି ନେଉଛନ୍ତି ଯଦି ବିଭାଗର ୱେବ୍‌ସାଇଟ୍ ମାଧ୍ୟମରେ ଜନସାଧାରଣଙ୍କର ଅବଗତି ନିମନ୍ତେ ପ୍ରକାଶ କରନ୍ତେ, ତା’ହେଲେ ଗୋଟିଏ ସାର୍ବଜନୀନ ଚିନ୍ତନ ସମ୍ଭବ ହୋଇପାରନ୍ତା ଏବଂ ସରକାର ମଧ୍ୟ ଅଭିଭାବକ, ଶିକ୍ଷକ ଓ ଶିକ୍ଷାବିତ୍‌ମାନଙ୍କର ମତାମତ ଓ ପରାମର୍ଶ ପାଇପାରନ୍ତେ। ନୂତନ ଶିକ୍ଷାନୀତି କିପରି କାର୍ଯ୍ୟକାରୀ ହେବ, ଆମ ରାଜ୍ୟର ଭବିଷ୍ୟତ୍‌ ନାଗରିକମାନଙ୍କର ଜୀବନ ଉପରେ ତାହାର ଗଭୀର ପ୍ରଭାବ ପଡ଼ିବ। ତେଣୁ ଏହାର ସଫଳ ରୂପାୟନ ଆମ ସମସ୍ତଙ୍କର ଦାୟିତ୍ବ।
ମୋ- ୮୯୧୭୫୭୯୦୭୫

ସମ୍ବନ୍ଧିତ ଖବର