ସତ୍ୟ ପାଇଁ ସତ୍ୟ ପାଠ

ସୁଭାଷ ପଟ୍ଟନାୟକ

ପିଲାଦିନେ ପ୍ରାଥମିକ ସ୍କୁଲ୍‌ରେ ପାଠପଢ଼ା ଆରମ୍ଭ ହେବା ଆଗରୁ ପ୍ରାର୍ଥନା ହୁଏ। ଆମେ ସବୁ ସମବେତ କଣ୍ଠରେ ଗାଉଥିଲୁ- ‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’। ସ୍କୁଲ୍‌ ବଦଳିବା ସହିତ ପ୍ରାର୍ଥନା ସିନା ବଦଳିଗଲା, ସେଇ ଏକା କଥା ରହିଲା- ‘ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମତେ…’। ପ୍ରାର୍ଥନା ଗାଇ ସାରି କ୍ଳାସ୍‌ ଆରମ୍ଭ ହେବାମାତ୍ରେ ପ୍ରାର୍ଥନାର ସଂକଳ୍ପ ଓଲଟି ଯାଉଥିଲା। ‘ଘରପାଠ କାହିଁକି କରିନାହଁ’ର ଚଟାପଟ ଉତ୍ତର ଥିଲା, ‘ମୋ ପେଟ କାଲି କାଟୁଥିଲା’ ବା ‘ଅନୁପସ୍ଥିତ କାହିଁକି ରହିଥିଲ?’ ଉତ୍ତର- ‘ମୋ ମା’ ବେମାର ପଡ଼ିଛନ୍ତି’ … ଇତ୍ୟାଦି ଇତ୍ୟାଦି। ଘରେ, ବାହାରେ, ସବୁଠାରେ, ସମସ୍ତେ ସେଇ ଗୋଟିଏ କଥା ଗୁଣୁଗୁଣୁ ହୋଇ କାନରେ ଭର୍ତ୍ତି କରୁଥିଲେ- ସତ କହିବ, ସତ୍ ପଥରେ ରହିବ, ମିଛ କହିବା ପାପ ଇତ୍ୟାଦି। କେହି ଠିକରେ ବୁଝାଉ ନଥିଲେ ସତ କ’ଣ, ସତ କାହିଁକି କହିବ ଓ ମିଛ କହିଲେ କ’ଣ କ୍ଷତି ହେବ! ପଚାରିଲେ କେବଳ ଗୋଳମାଳିଆ ଉତ୍ତର ମିଳୁଥିଲା, ଯାହା ଏ ପର୍ଯ୍ୟନ୍ତ ଚାଲିଆସିଛି। ବୁଢ଼ା ହେଲା ପରେ ଆମେ ଆମ ପିଲାଙ୍କୁ, ନାତିନାତୁଣୀଙ୍କୁ ସେଇ ଗୋଟିଏ କଥା କହିଚାଲିଛୁ, ସତ କହିବ, ସତ୍ ପଥରେ ରହିବ। କେବେ ବୁଝାଇ ନାହୁଁ ଏ ସତଟା କ’ଣ। ଫଳରେ ଅନେକ ଚତୁର ଲୋକ ମିଛର ଶିଡ଼ି ଚଢ଼ି ଉପରକୁ ଉଠିଗଲା ବେଳେ ଆମେ ଶିଡ଼ି ତଳେ ସତକୁ ଅଣ୍ଡାଳି ହେଉଛୁ।

ଆମ ଧର୍ମ ଦର୍ଶନ ମଧ୍ୟ ସେଇଆ। ସତ୍ୟରୁ ଆରମ୍ଭ, ସତ୍ୟରେ ଶେଷ। ଆମ ସୃଷ୍ଟିର ନିୟନ୍ତା ସ୍ବୟଂ ବିଷ୍ଣୁ ହେଉଛନ୍ତି ‘ସତ୍ୟନାରାୟଣ’। ଉପନିଷଦରେ ଆମକୁ ଅସତ୍ୟରୁ ସତ୍ୟ ଆଡ଼କୁ, ଅନ୍ଧକାରରୁ ଆଲୋକ ଆଡ଼କୁ ଏବଂ ମୃତ୍ୟୁ ଜଗତ୍‌ରୁ ଅମୃତମୟ ହେବାକୁ ସଂକଳ୍ପିତ କରାଯାଇଛି। ତଥାପି ଆମକୁ କେହି ବି ସତ୍ୟ ଅସତ୍ୟର ଦ୍ବନ୍ଦ୍ବ ବୁଝାଇ ଦେଇ ନାହାନ୍ତି। ଆମ ଜାତିର ସନ୍ତକ ଅଶୋକ ସ୍ତମ୍ଭ ତଳେ ଲେଖି ଦିଆଯାଇଛି, ‘ସତ୍ୟମେବ ଜୟତେ’; ସତ୍ୟର ଜୟ ହେଉ। କିନ୍ତୁ ସତ୍ୟର ଜୟ ପରାଜୟ ବିଷୟରେ ଆମେ କିଛିବି ବୁଝୁନା। ସ୍କୁଲ୍‌ରେ ମିଛ, ବାପାଙ୍କୁ ମିଛ, ମାଆଙ୍କୁ ମିଛ, ପତ୍ନୀଙ୍କୁ ମିଛ, ସମସ୍ତଙ୍କୁ ମିଛ କହିକହି ବୟସ ବଢ଼ିଚାଲିଛି ସିନା, ସତ୍ୟର ସନ୍ଧାନ ହୋଇପାରିନି। ଅଫିସ୍‌ରେ ଚିଠିଟେ ଲେଖିଲେ ‘ପ୍ରିୟ ମହାଶୟ’ରୁ ଆରମ୍ଭ। କିରେ ବାବୁ, ଅଜଣା ଲୋକ ଜଣେ ତୁମର ପ୍ରିୟ ହେଲେ କେମିତି? ଚିଠି ଶେଷରେ ‘ଆପଣଙ୍କର ବିଶ୍ବସ୍ତ’। କି କଥା? ସେଇ ଅଜଣା ବ୍ୟକ୍ତିଙ୍କର ଆପଣ ବିଶ୍ବସ୍ତ! ସିଏ ବା କାହିଁକି ଆପଣଙ୍କୁ ବିଶ୍ବସ୍ତ ବୋଲି ଭାବିବେ?

ମିଛ ନ କହି ସବୁ ବେଳେ ସତ କହିବା ଓ ସର୍ବଦା ସତ୍ ପଥରେ ରହିବା ଏକା କଥା ନୁହେଁ। ମହାଭାରତର ଯୁଧିଷ୍ଠିରଙ୍କୁ ଦେଖନ୍ତୁ। ସବୁବେଳେ ସତ କହୁଥିଲେ କ’ଣ ହେବ, ଅସତ୍ ପଥରେ ରହି ପତ୍ନୀଙ୍କୁ ପଶାଖେଳରେ ବାଜି ଲଗେଇ ଦେଲେ। ଶେଷରେ ପୁଣି ମିଛ କହିବାକୁ ପଡ଼ିଲା ନା ନାହିଁ! ‘ଅଶ୍ବତ୍‌ଥାମା ହତୋ ଇତି ନରୋବା କୁଞ୍ଜରୋବା’। ଭାଗବତକାର କହିଲେ ‘କୃଷ୍ଣସ୍ତୁ ଭଗବାନ ସ୍ବୟଂ’। କେତେ ବଡ଼ ବଡ଼ କଥା ନ କହିଛନ୍ତି ଶ୍ରୀକୃଷ୍ଣ! ଗୀତାରେ କହିଲେ, ‘ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ’। ମିଥ୍ୟାର ଅସ୍ତିତ୍ବ ନାହିଁ ଏବଂ ସତ୍ୟ କେବେ ବିଲୁପ୍ତ ହୁଏନା। କିନ୍ତୁ ସବୁଯାକ କୂଟ ବୁଦ୍ଧି ତାଙ୍କରି ପାଖରେ ଠୁଳ। ଭାବନ୍ତୁ ତ, ମିଛ ନ ଥିଲେ ସତ ଆସିବ କେଉଁଠୁ? ମିଛ ଅଛି ବୋଲି ସିନା ସତର ମହତ୍ତ୍ବ ବୁଝାପଡୁଛି, ଅନ୍ଧାର ନ ଥିଲେ ଆଲୋକର କିଛି ଅର୍ଥ ନ ଥିବା ପରି। ସମସ୍ତେ କୁହନ୍ତି ଯେ ଗୋଟିଏ ସତ୍ୟଯୁଗ ଥିଲା। ସମସ୍ତେ ସତ୍ ମାର୍ଗରେ ରହୁଥିଲେ। ସତ କହୁଥିଲେ। ଏଇଟା ସମ୍ଭବ କି? ତା’ହେଲେ ‘ସତ୍ୟ’ ଶବ୍ଦଟି ହିଁ ନଥା’ନ୍ତା। ମିଥ୍ୟା ଥିଲା ବୋଲି ସିନା ସେ ଯୁଗର ମହତ୍ତ୍ବ ବୁଝି ହେଲା ଆଉ ଆମେ ତାକୁ ସତ୍ୟଯୁଗ କହିଲେ। ବୃହଦାରଣ୍ୟକ ଉପନିଷଦରେ ଋଷି ଯାଜ୍ଞବଳ୍‌କ୍ୟ ସତ୍ୟର ପ୍ରକୃତ ଅର୍ଥ ବୁଝାଇଛନ୍ତି। ସତ୍ୟ ହେଉଛି ‘ସ’, ‘ତି’ ଏବଂ ‘ୟମ୍’। ସବୁ ମିଶି ସତ୍ୟମ୍। ‘ସ’ ଏବଂ ‘ୟମ୍’ ହେଉଛନ୍ତି ସତ୍ୟ ଓ ସତ୍ ପଥ। ଏମାନଙ୍କ ମଝିରେ ରହିଛି ‘ତି’। ‘ତି’ ହେଉଛି ଅସତ୍ୟ। ଅସତ୍ୟ ଦୁଇ ପଟେ ସତ୍ୟକୁ ଧରି ରଖିଛି। ଏଥର ବୁଝା ପଡ଼ିଲାନା, ସତ୍ୟ ପାଖରେ ହିଁ ଅସତ୍ୟର ସ୍ଥାନ। ନ ହେଲେ ସତ୍ୟର ଅସ୍ତିତ୍ବ ଲୋପ ପାଇଯିବା ଥୟ।

କୁହାଯାଏ ସତ୍ୟ ଦୁଇ ପ୍ରକାର। ଚିରନ୍ତନ ବା ସର୍ବକାଳୀନ ସତ୍ୟ ଏବଂ ଆପେକ୍ଷିକ ସତ୍ୟ। ଚିରନ୍ତନ ସତ୍ୟ କ’ଣ? ପରଂବ୍ରହ୍ମ ଭଗବାନ ହେଲେ ଚିରନ୍ତନ ସତ୍ୟ। ଏଇ କଥାଟି କେମିତି ବୁଝିବା? ସତ୍ୟ କଥା ଆଲୋଚନା ହେବା ମାତ୍ରେ ପ୍ରମାଣ ଖୋଜାପଡୁଛି। ପ୍ରମାଣ ଦେଖାଇ ନ ପାରିଲେ ସତ୍ୟକୁ ମିଥ୍ୟାର ଆଖ୍ୟା ଦିଆଯାଉଛି। ନିର୍ଦୋଷ ଫାଶୀ ପାଇ ଯାଉଛି। ବିନା ପ୍ରମାଣରେ ଏ ଚିରନ୍ତନ ସତ୍ୟକୁ ଆମେ ମାନିବୁ କେମିତି? ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି- ଏଇଟିକୁ ଗୋଟିଏ ଅବିମିଶ୍ର ସତ୍ୟ ବୋଲି କୁହାଯାଏ। ମହାକାଶକୁ ଯାଇ ଦେଖନ୍ତୁ ତ, ସେଠି ନା ଦିଗ ଅଛି ନା ଦିଗ୍‌ବଳୟ। ଏ ଚିରନ୍ତନ ସତ୍ୟଟି ମହାକାଶରେ ମିଛ ପ୍ରମାଣିତ ହେଲା କି ନାହିଁ!

ଏବେ ଦେଖିବା ଆପେକ୍ଷିକ ବା ସାପେକ୍ଷ ସତ୍ୟ କ’ଣ। ଯୁକ୍ତି ଏବଂ ତଥ୍ୟ ଦ୍ବାରା ପ୍ରମାଣିତ ହୋଇପାରୁଥିବା କଥାକୁ ସତ୍ୟ କୁହାଯାଏ। କୌଣସି ଏକ ପ୍ରସ୍ତାବିତ ବିଷୟକୁ ବୈଧ ପ୍ରମାଣିତ କରିବା ନିମନ୍ତେ ମନୁଷ୍ୟ ଯେଉଁ ଭାବନା ବା ଚିନ୍ତନକୁ ବ୍ୟବହାର କରିଥାଏ, ସେଇ ଚିନ୍ତନଟି ହେଉଛି ସତ୍ୟର ପ୍ରକୃତ ସଂଜ୍ଞା। ଚିନ୍ତନଟିର ଗ୍ରହଣଯୋଗ୍ୟତା ରହିଲେ ତାହା ସତ, ନ ରହିଲେ ମିଛ। ଏଇ ଚିନ୍ତନ ଗୁଡ଼ିକ ହେଲା ‘ପ୍ରମାଣ’। କୁହାଯାଏ ସତ୍ୟ କେବେ ଲୁଚି ରହେନା। ଏ ଉପପାଦ୍ୟଟି ଆଉ ଠିକ୍ ଲାଗୁନି। ସତ୍ୟ ଉପରେ ମିଥ୍ୟାର ଏମିତି ମୋଟା ଚାଦର ଘୋଡ଼ାଇ ଦିଆଯାଉଛି ଯେ, ସତ ପଚି ଶଢ଼ି ମାଟିରେ ମିଶିଯାଉଛି। ସତକୁ ସାମନାକୁ ଆଣିବାକୁ ହେଲେ ଖୋଦ ସତକୁ ନୁହେଁ, ମିଛକୁ ହିଁ ଖୋଳତାଡ଼ କରିବାକୁ ପଡ଼େ। ମନୁଷ୍ୟ କେବେ ବି ସତକୁ ସାମନା କରିପାରେନା, କାରଣ ସତ୍ୟ ହେଉଛି ବାସ୍ତବତା। ସେଥିପାଇଁ ସତ୍ୟର କଟୁତା ଓ ମନୁଷ୍ୟର ଇଚ୍ଛାନୁରୂପ ଧାରଣା ଗୁଡ଼ିକ ମଧ୍ୟରେ ଥିବା ବୈଷମ୍ୟ ଯୋଗୁଁ ସେ ସର୍ବଦା ସତ୍ୟକୁ ସାମନା କରିବାକୁ ପଛଘୁଞ୍ଚା ଦିଏ ଓ ଏହାକୁ ଲୁଚାଇବାକୁ ମିଥ୍ୟାର ଆଶ୍ରୟ ନିଏ।

ଆମେ ବଞ୍ଚିରହିଥିବା ପୃଥିବୀରେ ଜୀବନକୁ ସହଜ କରିବା ପାଇଁ ସତ୍ୟ ଓ ମିଥ୍ୟାର ସୃଷ୍ଟି। ସତ୍ୟ ଓ ମିଥ୍ୟା ବ୍ୟକ୍ତିଗତ ଜ୍ଞାନ ଓ ସିଦ୍ଧାନ୍ତ ଉପରେ ନିର୍ଭରଶୀଳ। ଅନ୍ୟ ପାଇଁ ଯାହା ସତ୍ୟ, ମୋ ପାଇଁ ତାହା ମିଥ୍ୟା ହୋଇପାରେ। ମନୁଷ୍ୟର ବିଶ୍ବାସ ହିଁ ମିଥ୍ୟାକୁ ପ୍ରସାରିତ କରେ; ଫଳତଃ ସତ୍ୟ ଲୁଚି ରହେ। ପ୍ରଥମେ ମିଛକୁ ଗ୍ରହଣ କରି ବିଶ୍ଳେଷଣ କଲେ ହିଁ ସତ୍ୟ ସାମନାକୁ ଆସେ। ସତ୍ୟର ବିଶ୍ଳେଷଣ ଅସମ୍ଭବ। ଏକ ଗରିଷ୍ଠ ଭାଗ ଲୋକ ଗୋଟିଏ ମିଛ କଥାକୁ ବାରମ୍ବାର କହିଲେ ସେଇଟା ସତ ବୋଲି ପରିଶେଷରେ ଧରିନିଆଯାଏ, ଯେମିତିକି ତିନି ତୁଣ୍ଡରେ ଛେଳି କୁକୁର। ସମ୍ପୂର୍ଣ୍ଣ ସତ୍ୟ ବୋଲି କିଛି ନାହିଁ। ଯାହାକୁ ଆମେ ସତ ବୋଲି କହୁଛେ, ସେ ସବୁ ଅର୍ଧ ବା ଆଂଶିକ ସତ୍ୟ। ଦିନେ ବିଜ୍ଞାନ କହୁଥିଲା ପୃଥିବୀ ଚଟକାଳିଆ। ଏହା ସତ ବୋଲି ସମସ୍ତେ ଭାବି ନେଇଥିଲେ। ପରେ ଜଣାପଡ଼ିଲା ପୃଥିବୀ ଗୋଲାକାର। ସତ୍ୟ ଏଠାରେ ବଦଳିଗଲା। କାଲି ପୁଣି ଆଉ କିଛି ସାମନାକୁ ଆସିଲେ ଆଜିର ସତ କାଲିକୁ ମିଛ ହୋଇଯିବ।ଆପଣ ଯାହା ବିଶ୍ବାସ କରନ୍ତି ତାହା ଆପଣଙ୍କ ପାଇଁ ସତ। ମୋ ପାଇଁ ମୋ ବିଶ୍ବାସ ହିଁ ସତ୍ୟ। ଥରେ ଏକ ବିଶ୍ବାସକୁ ସତ ବୋଲି ଭାବିନେଲେ ଆଉ ପ୍ରମାଣର ଆବଶ୍ୟକତା ନ ଥାଏ। ଆମେ ସମସ୍ତେ ଜାଣୁ, ସତ କହିବାଟା କେବଳ ଏକ ନୈତିକ ପସନ୍ଦ, ଏଥିପାଇଁ କିଛି ବାଧ୍ୟ କାରଣ ନାହିଁ। କୌଣସି କଥାର ସତ୍ୟତା ନ ଜାଣି ମଧ୍ୟ ଖୁସିରେ ବଞ୍ଚି ହେବ। କବିତାଟି ଶୁଣିଥିବେ- ‘ଜୀନ୍ଦେଗୀ ଖ୍ବାବ ହୈ, ଖ୍ବାବ ମୈ ଝୁଠ କ୍ୟା ଭଲା ସଚ ହୈ କ୍ୟା’? ହୋଇପାରେ ଆମ ଜୀବନଟା ଏକ ସ୍ବପ୍ନର ଦୁନିଆ, ଆଉ ସ୍ବପ୍ନରେ ମିଛ କ’ଣ, ସତ ବା କ’ଣ!
ଏସ୍-୧/୯୨, ନୀଳାଦ୍ରି ବିହାର
ଭୁବନେଶ୍ୱର-୭୫୧୦୨୧
[email protected]

ସମ୍ବନ୍ଧିତ ଖବର