ନା ଗ୍ଳାନି, ନା ଗୌରବ

ମାଡ୍ରାସ୍ ହାଇକୋର୍ଟ ନିକଟରେ ଏକ ଉଦାହରଣ-ସୃଷ୍ଟିକାରୀ ରାୟ ପ୍ରଦାନ କରି ଦେଶରେ ସମଲିଙ୍ଗୀ ବ୍ୟକ୍ତିମାନଙ୍କର ରୂପାନ୍ତର ଚିକିତ୍ସା ନିଷେଧ କରାଯିବା ପାଇଁ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ଏଥିରେ ବ୍ୟାପୃତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛନ୍ତି। ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ କରିବାରେ ଦେଶର ପ୍ରଥମ ରାଜ୍ୟ ରୂପେ ଆବିର୍ଭୂତ ହେବା ପାଇଁ ତାମିଲନାଡୁ ଏବେ ପ୍ରସ୍ତୁତ ହେଉଛି। ମଦୁରାଇର ଦୁଇଜଣ ସମଲିଙ୍ଗୀ ସ୍ବଭାବର ଯୁବତୀ ସେମାନଙ୍କର ପରିବାର ଦ୍ବୟର ଇଚ୍ଛା ବିରୋଧରେ ଏକତ୍ରବାସ କରିବା ପାଇଁ ନିଜ ସହର ଛାଡ଼ି ଚେନ୍ନାଇକୁ ପଳାୟନ କରିବା ପରେ ସେମାନଙ୍କୁ ନିଖୋଜ ବ୍ୟକ୍ତି ରୂପେ ଚିତ୍ରିତ କରି ପୁଲିସ୍‌ରେ ଏତଲା ଦିଆଯିବା ପରେ ଯୁବତୀ ଦ୍ବୟ ସୁରକ୍ଷା ପ୍ରାର୍ଥନା କରି ହାଇକୋର୍ଟଙ୍କ ଶରଣ ପଶିଥିଲେ। ସେମାନଙ୍କ ପ୍ରାର୍ଥନାର ବିଚାର କରି ଜଷ୍ଟିସ୍ ଏନ୍ ଆନନ୍ଦ ଭେଙ୍କଟେଶ ବିଗତ ସୋମବାର ଦିନ ଉପରୋକ୍ତ ରାୟ ଦେବା ସଙ୍ଗେ ସଙ୍ଗେ ଯେଉଁ ଆତ୍ମ-ସ୍ବୀକାରୋକ୍ତି ମଧ୍ୟ ପ୍ରଦାନ କରିଛନ୍ତି, ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।

ମାନ୍ୟବର ବିଚାରପତି କହିଛନ୍ତି ଯେ ସଂଖ୍ୟାଗରିଷ୍ଠ ସାଧାରଣ ଲୋକମାନଙ୍କ ଭଳି ସେ ନିଜେ ମଧ୍ୟ ସମଲିଙ୍ଗୀତ୍ବକୁ ପୂରାପୂରି ବୁଝି ପାରି ନାହାନ୍ତି; କିନ୍ତୁ ଏଭଳି ଅଜ୍ଞତା ସେମାନଙ୍କ ପ୍ରତି କୌଣସି ପ୍ରକାରର ବାଛବିଚାରକୁ ଯଥାର୍ଥ ସାବ୍ୟସ୍ତ କରିପାରିବ ନାହିଁ। ରୂପାନ୍ତର ଚିକିତ୍ସା ହେଉଛି ଏଭଳି ବିଭିନ୍ନ ବାଛବିଚାର ମଧ୍ୟରୁ ଅନ୍ୟତମ। ଚୁମ୍ବକରେ କହିବାକୁ ଗଲେ ସମଲିଙ୍ଗୀଙ୍କର ଶୁଭେଚ୍ଛୁମାନେ ସେମାନଙ୍କ ସ୍ବଭାବରେ ପରିବର୍ତ୍ତନ ଘଟାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ବିଦ୍ୟୁତ୍ ଆଘାତରୁ ଆରମ୍ଭ କରି ଜଡ଼ିବୁଟି ସେବନ ପର୍ଯ୍ୟନ୍ତ ବିଭିନ୍ନ ତଥାକଥିତ ଚିକିତ୍ସା ସହ୍ୟ କରିବା ପାଇଁ ବାଧ୍ୟ କରିଥାନ୍ତି। ୨୦୧୮ରୁ ଭାରତରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ତାଲିକାରୁ ବାଦ୍ ଦିଆଯିବା ପରେ ମଧ୍ୟ ବୃହତ୍ତର ସମାଜ ଏହାକୁ ତଥାପି ଏକ ବିକୃତି ରୂପେ ବିଚାର କରୁଥିବାରୁ ରୂପାନ୍ତର ଚିକିତ୍ସା ଭଳି ଏକ କ୍ରୂର ପ୍ରଥା ଏଭଳି ବଳବତ୍ତର ହୋଇ ରହିବା ଦେଖାଯାଉଛି।

ଅବଶ୍ୟ ସମଲିଙ୍ଗୀମାନଙ୍କ ପ୍ରତି ଏଭଳି ବିରୋଧାତ୍ମକ ଆଭିମୁଖ୍ୟ କେବଳ ଯେ ଭାରତରେ ଦେଖାଯାଇଥାଏ, ତାହା ନୁହେଁ। ଏବେ ବି ଅନେକ ଦେଶ ଅଛନ୍ତି ଯେଉଁଠି ସେମାନଙ୍କ ପ୍ରତି ବିରୋଧ ଭାରତ ଅପେକ୍ଷା ବହୁ ଅଧିକ ହିଂସ୍ର ରୂପ ନେଇଥାଏ। ଏଇ ମାତ୍ର ନିକଟ ଅତୀତରେ ହିଁ କେତେକ ପାଶ୍ଚାତ୍ୟ ଦେଶରେ ସେଭଳି ଆଭିମୁଖ୍ୟରେ ଆମୂଳଚୂଳ ପରିବର୍ତ୍ତନ ଘଟି ସମଲିଙ୍ଗୀତ୍ବ ଏକ ‘ଗର୍ବ’ର ବିଷୟରେ ପରିଣତ ହୋଇଛି, ଯେଉଁଥିପାଇଁ ସେମାନଙ୍କର ସମାବେଶର ନାମ ଦିଆଯାଉଛି- ‘ପ୍ରାଇଡ୍’ (ଗର୍ବ)। କିନ୍ତୁ ଦିନ ଥିଲା ଯେତେବେଳେ ବିଂଶ ଶତାବ୍ଦୀର ଶ୍ରେଷ୍ଠତମ ଦାର୍ଶନିକ ରୂପେ ବିବେଚିତ ଲୁଡ୍‌ୱିଗ୍ ୱିଟ୍‌ଗେନ୍‌ଷ୍ଟାଇନ୍‌ଙ୍କ ଭଳି ଜଣେ ଅସାଧାରଣ ମନୀଷୀ ନିଜର ଲୁକ୍କାୟିତ ସମଲିଙ୍ଗୀ ସ୍ବଭାବ ଯୋଗୁଁ ଗର୍ବିତ ହେବା ପରିବର୍ତ୍ତେ ଏପରି ଗ୍ଳାନିବୋଧର ଶିକାର ହୋଇଥିଲେ ଯେ ସେ ଉଦ୍‌ଭ୍ରାନ୍ତ ଭଳି ପ୍ରଥମ ବିଶ୍ବଯୁଦ୍ଧରେ ସୈନିକ ରୂପେ ଯୋଗ ଦେବାରୁ ଆରମ୍ଭ କରି, କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ତ୍ୟାଗ କରି ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ପର୍ଯ୍ୟନ୍ତ ଅସ୍ଥିର ଚିତ୍ତ ଅବସ୍ଥାରେ ନିଜର ଜୀବନ ବିତାଇ ଦେଇଥିଲେ।

ସମଲିଙ୍ଗୀତ୍ବ ପ୍ରକୃତରେ ତା’ହେଲେ ଏକ ଗର୍ବ ନା ଗ୍ଳାନି? ଏ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ କୌଣସି ଉଦ୍ୟମ ବିବର୍ତ୍ତନବାଦ ଦିଗରେ ମୁହାଁଇବା ସ୍ବାଭାବିକ। ଏହି ଡାର୍‌ୱିନୀୟ ତତ୍ତ୍ବ ଅନୁସାରେ ଯଦି ‘ପ୍ରାକୃତିକ ଚୟନ’ ନିୟମ ହିଁ ପ୍ରତ୍ୟେକ ପ୍ରାଣୀ ଭଳି ମନୁଷ୍ୟକୁ ତା’ର ବର୍ତ୍ତମାନର ରୂପ ପ୍ରଦାନ କରିଛି, ତା’ହେଲେ ସେଇ ‘ପ୍ରାକୃତିକ ଚୟନ’ କ’ଣ କେତେକ ମନୁଷ୍ୟଙ୍କ ଠାରେ ସମଲିଙ୍ଗୀ ସ୍ବଭାବ ରୋପଣ କରିଛି? ଯାହା ବିଜ୍ଞାନ ଦ୍ବାରା ସାବ୍ୟସ୍ତ, ତାହା ହେଲା ‘ପ୍ରାକୃତିକ ଚୟନ’ କେବଳ ଗୋଟିଏ ମାତ୍ର ଉଦ୍ଦେଶ୍ୟ ସାଧନରେ ବ୍ରତୀ ଥାଏ: ସମ୍ପୃକ୍ତ ପ୍ରାଣୀର ଜିନ୍‌କୁ ପର ପିଢ଼ିକୁ ସଫଳ ଭାବରେ ହସ୍ତାନ୍ତରିତ କରିବା। ସୂଚାଇବା ଅନାବଶ୍ୟକ, ବିଷମ-ଲିଙ୍ଗୀ ଯୌନକ୍ରିୟା ମାଧ୍ୟମରେ ‘ପ୍ରାକୃତିକ ଚୟନ’ର ଏହି ଉଦ୍ଦେଶ୍ୟ ସାଧିତ ହୋଇପାରେ, କିନ୍ତୁ ସମଲିଙ୍ଗୀ ଯୌନକ୍ରିୟା ମାଧ୍ୟମରେ ଏହା ସମ୍ପୂର୍ଣ୍ଣ ଅସମ୍ଭବ। ତା’ହେଲେ ‘ପ୍ରାକୃତିକ ଚୟନ’ କେତେକଙ୍କ ଠାରେ ସମଲିଙ୍ଗୀ ପ୍ରବୃତ୍ତି ସ୍ଥାପନ କରିଛି କାହିଁକି?

ସମାଜ-ଜୈବ ବିଜ୍ଞାନ (ସୋସିଓ ବାୟୋଲୋଜି)ର ଆଦ୍ୟ କାଳରେ କେତେକ ବିବର୍ତ୍ତନବାଦୀ ବିଶ୍ବାସ କରୁଥିଲେ ଯେ ଏହାର ଉତ୍ତର ନିହିତ ଅଛି ‘ଜ୍ଞାତି-ଚୟନ’ (‘କିନ୍-ସିଲେକ୍‌ସନ୍’)ରେ। ସେମାନଙ୍କ ବିଚାରରେ ସମଲିଙ୍ଗୀମାନେ ହେଉଛନ୍ତି ପିମ୍ପୁଡ଼ି ବା ମହୁମାଛି ସମାଜରେ ଥିବା କ୍ଳୀବ ସଦସ୍ୟମାନଙ୍କ ଭଳି। ସେମାନେ ନିଜ ଜିନ୍‌କୁ ପର ପିଢ଼ିକୁ ହସ୍ତାନ୍ତରିତ କରିବା ଉଦ୍ୟମରେ ନିଜର ଶକ୍ତି ଖର୍ଚ୍ଚ ନ କରି ପରୋକ୍ଷରେ ଅନୁରୂପ ଜିନ୍ ହସ୍ତାନ୍ତରରେ ସହାୟତା କରିଥାନ୍ତି; ନିଜର ପୁଅଝିଅଙ୍କ ସ୍ଥାନରେ ପୁତୁରା, ଝିଆରୀ, ଭଣଜା, ଭାଣିଜୀ ତଥା ଭାଇ, ଭଉଣୀଙ୍କ ଲାଳନ ପାଳନରେ ନିଜର ଶକ୍ତି ଓ ସମ୍ବଳ ନିୟୋଜିତ କରିଥାନ୍ତି।

ଯୁକ୍ତି ଦୃଷ୍ଟିରୁ ଏହା ବିଶ୍ବାସଯୋଗ୍ୟ ମନେ ହେଉଥିଲେ ହେଁ, ଏହା ବାସ୍ତବତା ସହିତ ମେଳ ଖାଇ ନ ଥାଏ। ପ୍ରଥମ କଥା, କେତେ ଜଣ ସମଲିଙ୍ଗୀ ପ୍ରାକୃତିକ ଚୟନର ଏହି ପରୋକ୍ଷ ଉଦ୍ଦେଶ୍ୟ ସାଧନ ପାଇଁ କୁଟୁମ୍ବର ଏହି ସବୁ ଅନୁରୂପ ଜିନ୍-ବହନକାରୀ ସଦସ୍ୟମାନଙ୍କ ସହିତ ସେଇଭଳି ସମୟ ବିତାଇବା ଦେଖା ଯାଇଥାଏ, ଯେମିତି ପିତାମାତାମାନେ ନିଜର ପୁଅଝିଅଙ୍କ ସହିତ ବିତାଇଥାନ୍ତି? ଦ୍ବିତୀୟରେ, ବିଷମ-ଲିଙ୍ଗୀ ପାର୍ଟନର୍‌ମାନେ ଯେଉଁ ଭଳି ପରସ୍ପର ସହିତ ସର୍ବାଧିକ ସମ୍ଭବ ସମୟ ବିତାଇବାକୁ ସର୍ବଦା ବ୍ୟଗ୍ରତା ପ୍ରଦର୍ଶନ କରିଥାନ୍ତି, ସମଲିଙ୍ଗୀ ପାର୍ଟନର୍‌ମାନେ ମଧ୍ୟ ସେଇଭଳି ସାନ୍ନିଧ୍ୟ-ବ୍ୟଗ୍ରତା ପ୍ରଦର୍ଶନ କରିଥାନ୍ତି। ସମଲିଙ୍ଗୀମାନେ ଅନୁଭବ କରୁଥିବା ଏତାଦୃଶ ସାନ୍ନିଧ୍ୟ-ସୁଖ ପଛରେ କେଉଁ ବିବର୍ତ୍ତନୀୟ ଯୁକ୍ତି ନିହିତ ଅଛି? ଏମାନଙ୍କୁ କ୍ଳୀବ ପିମ୍ପୁଡ଼ିମାନଙ୍କ ସହିତ ତୁଳନା କରିବା ମଧ୍ୟ ଭ୍ରମାତ୍ମକ; କାରଣ କ୍ଳୀବ ପିମ୍ପୁଡ଼ି ବା ମହୁମାଛିମାନଙ୍କ ମଧ୍ୟରେ କୌଣସି ଯୌନ ସମ୍ପର୍କ ଦେଖା ଯାଇ ନଥାଏ, ଯେମିତି ସମଲିଙ୍ଗୀ ମନୁଷ୍ୟମାନଙ୍କ ମଧ୍ୟରେ ଦେଖାଯାଇଥାଏ। ଏଣୁ ‘ଜ୍ଞାତି-ଚୟନ’ ତତ୍ତ୍ବ ଦ୍ବାରା ସମଲିଙ୍ଗୀତ୍ବ ପଛରେ ‘ପ୍ରାକୃତିକ ଚୟନ’ର ହାତ ଥିବା କଥା ପ୍ରମାଣିତ ହୋଇ ନ ଥାଏ।

ଅନେକ ତେଣୁ ସମ-ଲିଙ୍ଗୀ ସମ୍ପର୍କକୁ ଏକ ଅପ୍ରାକୃତିକ ଅବସ୍ଥା ରୂପେ ବିଚାର କରିଥାନ୍ତି। କିନ୍ତୁ ପୁଣି ପ୍ରଶ୍ନ ଉଠେ, ଯାହା ବି ଅପ୍ରାକୃତିକ ମନେ ହୋଇଥାଏ, ସେଥି ପ୍ରତି ଅବିଚାରିତ ଭାବରେ ବିରୋଧ ପ୍ରକଟ କରିବା ଉଚିତ କି? ଜଣେ ପୁରୁଷ ଯଦି ଶଯ୍ୟାରେ ତା’ର ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ସହ ଆବିଷ୍କାର କରେ, ତା’ ବିଚାରରେ ଏହା ଅପ୍ରାକୃତିକ ଏବଂ ସେ କ୍ରୋଧିତ ହୋଇ ପର ପୁରୁଷକୁ ଆକ୍ରମଣ କରିବା ସମ୍ପୂର୍ଣ୍ଣ ପ୍ରାକୃତିକ ମନେ ହୋଇଥାଏ। ଯଦି କୁକୁରଟିଏ ଚାରିଗୋଡ଼ରେ ନ ଚାଲି ଦୁଇଟି ଗୋଡ଼ରେ ଚାଲିବା ଦେଖାଯାଏ, ତାହା ଅପ୍ରାକୃତିକ; କିନ୍ତୁ ତାହା କାହା ଠାରେ କ୍ରୋଧ ସୃଷ୍ଟି କରିବ କି? ଏଥିରୁ ସ୍ପଷ୍ଟ ଯେ କାର୍ଯ୍ୟର ଫଳାଫଳ କୌଣସି ଅପ୍ରାକୃତିକ କାର୍ଯ୍ୟ ପ୍ରତି ଆମର ପ୍ରତିକ୍ରିୟାକୁ ରୂପ ଦେଇଥାଏ। ସେ ଦୃଷ୍ଟିରୁ ଦେଖିଲେ ଦୁଇଜଣ ସାବାଳକ ଯଦି ସହମତିରେ ପରସ୍ପର ସହିତ ସମଲିଙ୍ଗୀ ସମ୍ପର୍କ ସ୍ଥାପନ କରନ୍ତି ଏବଂ ସେଥିଯୋଗୁଁ କୌଣସି ତୃତୀୟ ପକ୍ଷ ଯଦି କ୍ଷତିଗ୍ରସ୍ତ ନ ହୁଅନ୍ତି, ଏଭଳି ସମ୍ପର୍କକୁ ଅପ୍ରାକୃତିକ କହି ବିରୋଧ କରିବା କିମ୍ବା ସେମାନଙ୍କୁ ରୂପାନ୍ତର ଚିକିତ୍ସାର ନିଶାଣ କରିବା ଯଥାର୍ଥ ମନେହୁଏ ନାହିଁ।

ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ କାହାରିକୁ ଜଣାନାହିଁ ଜିନ୍ ବା ପରିବେଶ ସମଲିଙ୍ଗୀତ୍ବକୁ କିଭଳି ପ୍ରଭାବିତ କରିଥାଏ। ଜଷ୍ଟିସ୍ ଭେଙ୍କଟେଶ ସ୍ବୀକାର କରିଥିବା ଭଳି ଏ ସମ୍ବନ୍ଧରେ ଆମେ ସମସ୍ତେ ଅଜ୍ଞ। ବୋଧହୁଏ ଆମେ ଯାହା ଏଠାରେ ଅନୁସରଣ କରିବା ଉଚିତ, ତାହା ହେଉଛି ଏକ ସମ୍ପୂର୍ଣ୍ଣ ଭିନ୍ନ ପରିପ୍ରେକ୍ଷୀରେ ୱିଟ୍‌ଗେନ୍‌ଷ୍ଟାଇନ୍ ତାଙ୍କର ଯୁଗାନ୍ତକାରୀ ପୁସ୍ତିକା, ‘ଟ୍ରାକ୍ଟାଟସ୍ ଲଜିକୋ ଫିଲସଫିକସ୍’ ଶେଷରେ ଦେଇଥିବା ଉପଦେଶ: ‘‘ହ୍ବେଆର୍ ଅଫ୍ ୱାନ୍ କ୍ୟାନ୍‌ନଟ୍ ସ୍ପିକ୍, ଦେଆର୍ ଅଫ୍ ୱାନ୍ ମଷ୍ଟ୍ ବି ସାଇଲେଣ୍ଟ୍’’ (‘‘ଯେହେତୁ ଆମେ କହିପାରିବା ନାହିଁ, ସେ ହେତୁ ଆମକୁ ଚୁପ୍ ରହିବାକୁ ହେବ’’)। ତେବେ ସମଲିଙ୍ଗୀତ୍ବ ସମ୍ପର୍କରେ ଆମେ ନିଶ୍ଚିତ ରୂପେ ଏତିକି କହିପାରିବା: ଏହା ଗ୍ଳାନି ନୁହେଁ କିମ୍ବା ଗୌରବ ମଧ୍ୟ ନୁହେଁ।

ସମ୍ବନ୍ଧିତ ଖବର