ପୃଥିବୀର ସର୍ବାଧିକ ମୂଲ୍ୟବାନ କମ୍ପାନି ଆମେରିକାର ‘ଆପ୍ଲ’ର ବ୍ରାଣ୍ତ୍ ଛବି ବା ଲୋଗୋ ରୂପେ ସେ ଆପ୍ଲ ଫଳ (ସେଓ)କୁ କାହିଁକି ବାଛିଲେ ବୋଲି କେହି ଜଣେ ଏହାର ସହ-ସ୍ଥାପୟିତା ସ୍ବର୍ଗତ ଷ୍ଟିଭ୍ ଜବ୍ସଙ୍କୁ ପଚାରିବାରୁ ସେ ଉତ୍ତର ଦେଇଥିଲେ: ‘‘ଯେହେତୁ ଏହା ହେଉଛି ସର୍ଜନାର ଫଳ।’’ ସୁପରିଚିତ ବାଇବ୍ଲ କାହାଣୀ ଅନୁସାରେ ନୈସର୍ଗିକ ଉଦ୍ୟାନ ବା ‘ଗାର୍ଡନ ଅଫ୍ ଇଡେନ୍’ରେ ଏକ ନିଷିଦ୍ଧ ଫଳ ଛିଣ୍ତାଇ ଖାଇବାର ଦଣ୍ତ ସ୍ବରୂପ ଆଦି ଦମ୍ପତି ଇଭ୍ ଓ ଆଡାମ୍ ସେଠାରୁ ବିତାଡ଼ିତ ହୋଇ ପୃଥିବୀ ପୃଷ୍ଠରେ ନିପତିତ ହେଲେ, ଯାହା ହେଉଛି ଧରାପୃଷ୍ଠରେ ମନୁଷ୍ୟ ସୃଷ୍ଟିର ମୂଳ। କ୍ରମେ ଦ୍ବାଦଶ ଶତାବ୍ଦୀ ବେଳକୁ ଏହି ନିଷିଦ୍ଧ ଫଳ ‘ଆପ୍ଲ’ ଥିଲା ବୋଲି ଇଉରୋପୀୟ ଲୋକ ସ˚ସ୍କୃତିରେ ଏକ ଦୃଢ଼ ଧାରଣା ଆସ୍ଥାନ ଜମାଇ ସାରିଥିଲା।
ବୋଧହୁଏ ଆପ୍ଲର ମନୁଷ୍ୟର ଏହି ମୌଳିକ ବା ସର୍ବପ୍ରଥମ ପାପ ସହିତ ରହିଥିବା ସମ୍ପର୍କକୁ ଧୢାନରେ ରଖି ଆପ୍ଲର ଯେଉଁ ଚିତ୍ରକୁ କମ୍ପାନିର ଲୋଗୋ ରୂପେ ଅଙ୍କନ କରାଯାଇଛି, ତାହା ଏକ ନିଖୁଣ ଫଳର ନହୋଇ, ଆଡାମ୍ ବା ଇଭ୍ କେହି ଜଣେ କାମୁଡ଼ି ଖଣ୍ତେ ନେଇ ଯାଇଥିବା ଏକ ଖଣ୍ତିଆ ଆପ୍ଲର ଚିତ୍ର ହୋଇଛି। ଆଉ ବୋଧହୁଏ ଏହି ଖୁଣଯୁକ୍ତ ଚେହେରାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ପୃଥିବୀ ସାରା ଗ୍ରାହକମାନଙ୍କର ଈର୍ଷାର ବସ୍ତୁ ‘ଆଇଫୋନ୍’ର ଏହି ନିର୍ମାତା ଏହାର କର୍ମସ୍ଥଳୀମାନଙ୍କରେ ବିଭିନ୍ନ ଅନୈତିକ ଆଚରଣ ଅବଲମ୍ବନ ଅଭିଯୋଗର ସମ୍ମୁଖୀନ ହୋଇ ଆସିଛି। ‘ଆପ୍ଲ’ର ଏହି ଖୁଣର ସଦ୍ୟତମ ପରିପ୍ରକାଶ ଘଟିବା ଦେଖାଯାଇଛି ଭାରତର ଟେକ୍ନୋଲୋଜି ରାଜଧାନୀ ରୂପେ ପ୍ରସିଦ୍ଧି ଲାଭ କରିଥିବା ବାଙ୍ଗାଲୋର୍ରେ, ଯେତେବେଳେ ଡିସେମ୍ବର ୧୨ ତାରିଖ ରାତିରେ ସେଠାରେ ‘ଆଇଫୋନ୍’ର ଠିକା ନିର୍ମାଣକାରୀ ତାଇଵାନିଜ୍ କମ୍ପାନି ‘ଵିଷ୍ଟ୍ରନ୍’ର କାରଖାନାରୁ ରାତି ସିଫ୍ଟ କାମ ସାରି ବାହାରୁଥିବା ପ୍ରାୟ ୨୦୦୦ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରି ବ୍ୟାପକ ହି˚ସାକାଣ୍ତ ଘଟାଇଥିଲେ। ସେମାନେ ବରିଷ୍ଠ କର୍ମକର୍ତ୍ତାମାନଙ୍କର କାର୍ଯ୍ୟାଳୟରେ ପ୍ରବେଶ କରି ଭଙ୍ଗାରୁଜା କରିବା ସହିତ ହଜାର ହଜାର ଦାମିକା ଆଇଫୋନ୍ ଓ ଲ୍ୟାପ୍ଟପ୍ ମାନ ଲୁଟ୍ କରି ନେଇ ପଳାଇଥିଲେ। ସମୁଦାୟ କ୍ଷୟକ୍ଷତିର ମୂଲ୍ୟ ପ୍ରାୟ ସାତ ନିୟୁତ ଡଲାର୍ ହେବ ବୋଲି ଏକ ଆକଳନରୁ ପ୍ରକାଶ।
ବାଙ୍ଗାଲୋର୍ର ନରସାପୁରାସ୍ଥିତ ଏହି କାରଖାନାର କର୍ମଚାରୀମାନେ ମାସ ମାସ ଧରି ସେମାନଙ୍କର ଚୁକ୍ତିବଦ୍ଧ ପ୍ରାପ୍ୟ ପାଉନଥିବାରୁ ଏବ˚ ଅନ୍ୟାନ୍ୟ ନିଯୁକ୍ତି ନିୟମ ଉଲ୍ଲ˚ଘନ ହୋଇ ଚାଲିଥିବାରୁ ତାହାର ପ୍ରତିବାଦରେ ଏହି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡ଼ିଛି। ଉଦାହରଣ ସ୍ବରୂପ ଇ˚ଜିନିଅରିଙ୍ଗ୍ ସ୍ନାତକମାନଙ୍କୁ ମାସିକ ୨୧,୦୦୦ ଟଙ୍କା ଲେଖାଏଁ ପାରିଶ୍ରମିକ ଦିଆଯିବ ବୋଲି ଚୁକ୍ତି ହୋଇଥିଲେ ହେଁ, ସେମାନଙ୍କୁ ୧୬,୦୦୦ ଟଙ୍କା ଦିଆ ଯାଉଥିବା ଜଣାପଡ଼ିଛି। କାରଖାନାରେ ଯେତେବେଳେ ଅକ୍ଟୋବର ଠାରୁ ଦୈନିକ ଆଠ ଘଣ୍ଟା ସିଫ୍ଟ ସ୍ଥାନରେ ବାର ଘଣ୍ଟା ସିଫ୍ଟ ପ୍ରବର୍ତ୍ତନ କରାଗଲା ସେଇ ଅନୁଯାୟୀ କର୍ମଚାରୀମାନଙ୍କର ପାରିଶ୍ରମିକ ତଥା ଓଭର୍ଟାଇମ୍ ପାଉଣାରେ ବୃଦ୍ଧି କରାଯାଇ ନଥିଲା ବୋଲି ଏକ ସରକାରୀ ଅନୁସନ୍ଧାନରୁ ଜଣା ପଡ଼ିଛି। ଉପସ୍ଥାନ ଦରଜ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଦୁଇ ମାସ ଧରି କର୍ମଚାରୀଙ୍କର କାର୍ଯ୍ୟରେ ଉପସ୍ଥିତି ନିର୍ଭୁଲ ଭାବରେ ରେକର୍ଡ କରାଯାଉ ନଥିଲା, ଯାହା କର୍ମଚାରୀମାନଙ୍କୁ ଅସୁବିଧାରେ ପକାଉଥିଲା। ଠିକା କର୍ମଚାରୀମାନଙ୍କୁ ପ୍ରଚଳିତ ହାରରୁ କମ୍ ପାରିଶ୍ରମିକ ଦିଆଯିବା ସହିତ ନିୟମ ଉଲ୍ଲ˚ଘନ କରି ମହିଳା କର୍ମଚାରୀମାନଙ୍କୁ ଓଭର୍ଟାଇମ୍ କାର୍ଯ୍ୟରେ ଲଗାଇବା ପର୍ଯ୍ୟନ୍ତ ‘ଆପ୍ଲ’ର ଏହି ଠିକା ନିର୍ମାତା ଯେଉଁ ସବୁ ବିଭିନ୍ନ ଅନିୟମିତତା ତା’ର କାର୍ଯ୍ୟ ଶୈଳୀରେ ଅନ୍ତର୍ଭୁକ୍ତ କରିଥିଲା, ସେ ସମ୍ବନ୍ଧରେ ସେ କର୍ଣ୍ଣାଟକ ରାଜ୍ୟ ସରକାରଙ୍କର ସମ୍ପୃକ୍ତ ଶ୍ରମ ବିଭାଗକୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖିଥିଲା।
ନରସାପୁରା ‘ଵିଷ୍ଟ୍ରନ୍’ କାରଖାନାରେ ଘଟିଥିବା ଏ ଭଳି ଦଙ୍ଗାଗୋଳ ଦୁର୍ଭାଗ୍ୟଜନକ ଓ ଭାରତର ଭାବମୂର୍ତ୍ତିରେ ଦାଗ ଲଗାଇଥିଲେ ହେଁ, ‘ଆପ୍ଲ’ ତା’ର ବିଭିନ୍ନ ଠିକା କାରଖାନାମାନଙ୍କରେ ଶ୍ରମିକମାନଙ୍କ ପ୍ରତି ପ୍ରଦର୍ଶନ କରୁଥିବା ଏ ଭଳି ଶୋଷଣମୂଳକ ଆଚରଣର ଇତିହାସ ହେଉଛି ବେଶ୍ ଲମ୍ବା। ‘ଆପ୍ଲ’ର ଆଇଫୋନ୍, ଲ୍ୟାପ୍ଟପ୍ ଆଦି ଏକ ପ୍ରମୁଖ ତଥା ସର୍ବବୃହତ୍ ନିର୍ମାତା ଠିକା କମ୍ପାନି ହେଉଛି ତାଇଵାନ୍ର ‘ଫକ୍ସକନ୍’। ଏହି କମ୍ପାନିର ଅଧିକା˚ଶ କାରଖାନା ମୂଳ ଭୂଖଣ୍ତ ଚୀନ୍ରେ ଅବସ୍ଥିତ। ‘ଆପ୍ଲ’ ତା’ର ବିଭିନ୍ନ ମୂଲ୍ୟବାନ୍ ପଦାର୍ଥମାନ ନିର୍ମାଣ କାର୍ଯ୍ୟ ଏହି କମ୍ପାନିକୁ ପ୍ରଦାନ କରିବା ପଛରେ ରହିଥିବା ଅନ୍ୟତମ କାରଣ ହେଉଛି- ଖୁବ୍ କମ୍ ଉତ୍ପାଦନ ଖର୍ଚ୍ଚ। ‘ଫକ୍ସକନ୍’ ହେଉ କି ‘ଵିଷ୍ଟ୍ରନ୍’ ହେଉ କି ‘ପେଗାଟ୍ରନ୍’ ହେଉ, ଏ ସମସ୍ତ ଠିକା କମ୍ପାନିମାନେ ଉତ୍ପାଦନ ଖର୍ଚ୍ଚ ନୀଚା ରଖିପାରୁ ଥିବାରୁ, ଏ ସମସ୍ତ ଉଚ୍ଚମୂଲ୍ୟଯୁକ୍ତ ‘ଆପ୍ଲ’ ପଦାର୍ଥମାନଙ୍କରୁ ମିଳୁଥିବା ଲାଭ ବହୁତ ମୋଟା ହୋଇଥାଏ। ଏଥିପାଇଁ ଏ କମ୍ପାନିମାନେ ଯେଉଁ ଅନ୍ୟତମ କୌଶଳ ଅବଲମ୍ବନ କରିଥାନ୍ତି, ତାହା ହେଲା ନିୟୁତ ନିୟୁତ ସ˚ଖ୍ୟାରେ ସାମୟିକ ଓ ଅସ୍ଥାୟୀ କର୍ମଚାରୀମାନଙ୍କୁ ନିଯୁକ୍ତ କରିବା।
ଏହି ଅଣବିଧିବଦ୍ଧ କର୍ମଚାରୀମାନଙ୍କୁ ବିଧିବଦ୍ଧ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଠାରୁ ବହୁତ କମ୍ ପାରିଶ୍ରମିକ ଦିଆଯାଇଥାଏ ଏବ˚ ଅନ୍ୟାନ୍ୟ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଇଥାଏ। ସେମାନଙ୍କୁ ଅସୁସ୍ଥତା ଜନିତ ଅନୁପସ୍ଥିତି ସମୟରେ ଦରମା ଦିଆଯାଏ ନାହିଁ, ପେନ୍ସନ ଦିଆଯାଏ ନାହିଁ କିମ୍ବା ତତୁଲ୍ୟ କୌଣସି ବ୍ୟବସ୍ଥା କରାଯାଏ ନାହିଁ। ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ବୀମା କିମ୍ବା ଦୁର୍ଘଟଣା ବୀମା କିମ୍ବା ଜୀବନ ବୀମା ଭଳି କୌଣସି ନିରାପତ୍ତା ବ୍ୟବସ୍ଥା କମ୍ପାନି ତରଫରୁ କରାଯାଏ ନାହିଁ, ସେମାନଙ୍କୁ ସହଜରେ ଛଟେଇ କରିଦିଆଯାଇ ପାରେ। ‘ଆପ୍ଲ’ ଯଦି ତା’ର ପଦାର୍ଥମାନ ଆମେରିକାରେ ଅବସ୍ଥିତ କୌଣସି କାରଖାନାରେ ନିର୍ମାଣ କରୁଥାନ୍ତା, ତେବେ ସେଠାରେ ଏପରି ଶ୍ରମିକ ଶୋଷଣ ସମ୍ଭବ ହୁଅନ୍ତା ନାହିଁ। ତେଣୁ ଉତ୍ପାଦନ ଖର୍ଚ୍ଚ ବହୁ ଉଚ୍ଚା ହୁଅନ୍ତା। ଚୀନା ସରକାର ଯେ ‘ଆପ୍ଲ’ର ଏଭଳି ଅନୈତିକ ଶ୍ରମନୀତି ସମ୍ବନ୍ଧରେ ଅବଗତ ନୁହଁନ୍ତି, ଏପରି ନୁହେଁ। ଛ’ବର୍ଷ ତଳେ ସେଠାରେ କେତେକ ‘ଆପ୍ଲ’ ଠିକା କମ୍ପାନିମାନଙ୍କ କାରଖାନାମାନଙ୍କରେ ଶ୍ରମିକମାନେ ଶୋଷଣ ସହ୍ୟ କରି ନପାରି ଆତ୍ମହତ୍ୟା କରିବା ଖବର ପ୍ରକାଶ ପାଇଥିଲା। ପୃଥିବୀର କାରଖାନାେର ପରିଣତ ହୋଇ ଲାଭ ଅର୍ଜନ କରୁଥିବା ଚୀନ୍ର ସରକାର କିନ୍ତୁ ‘ଆପ୍ଲ’ ପ୍ରତି କୌଣସି କଠୋର ଆଭିମୁଖ୍ୟ ଗ୍ରହଣ କରି ନଥିଲେ ଏବ˚ ‘ଆପ୍ଲ’ ସାମୟିକ ଭାବରେ ସେହି ଠିକା ନିର୍ମାତାମାନଙ୍କୁୁ ନୂତନ କାମ ପାଇଁ ଅର୍ଡର ଦେବା ବନ୍ଦ କରିଦେବା ପରେ ପୁଣି ଯଥା ପୂର୍ବ କାର୍ଯ୍ୟ ଚାଲିଥିଲା।
ବାଙ୍ଗାଲୋର୍ ଘଟଣାରେ କିନ୍ତୁ ‘ଆପ୍ଲ’ ସେଥିରେ ବ୍ୟତିକ୍ରମ ଘଟାଇ ‘ଵିଷ୍ଟ୍ରନ୍’ ପ୍ରତି ଅତ୍ୟନ୍ତ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରି ତା’ର ସର୍ବୋଚ୍ଚ ଅଧିକାରୀମାନଙ୍କୁ କର୍ମଚ୍ୟୁତ କରିବାକୁ ବାଧୢ କରିବା ସହିତ, ତାକୁ ନୂଆ କାମ ଦେବା ବନ୍ଦ କରି ଦେଇଛି। ‘ଵିଷ୍ଟ୍ରନ୍’ର କାର୍ଯ୍ୟଧାରାରେ ସୁଧାର ନଆସିଲେ ‘ଆପ୍ଲ’ ତା’ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାର ଧମକ ଦେଇଛି। ଭାରତର ଗଣତନ୍ତ୍ର ଓ ମୁକ୍ତ ସମାଜରେ ‘ଆପ୍ଲ’ ଚୀନ୍ରେ ଅନୁସୃତ ଆଚରଣ ପ୍ରଦର୍ଶନ କରି ଯେ ତିଷ୍ଠି ପାରିବ ନାହିଁ, ତାହା ଏହି ଆମେରିକୀୟ କମ୍ପାନି ଭଲ ରୂପେ ବୁଝିଛି। ଏଠାରେ ଖଣ୍ତିଆ ଆପ୍ଲ ଚଳିବ ନାହିଁ।