ସନ୍ଧ୍ୟା ଉପନୀତ। କୁରୁକ୍ଷେତ୍ରର ମହାଶ୍ମଶାନରେ ମର୍ମଭେଦୀ କ୍ରନ୍ଦନର ରୋଳ। ସୁଧନ୍ବା ଓ ଧୌମ୍ୟ ଯୁଦ୍ଧ ପତିତ ବୀରମାନଙ୍କ ମୃତ ଶରୀରର ସତ୍କାର କରିବାରେ ବ୍ୟସ୍ତ। ଚତୁର୍ଦିଗରେ କେବଳ ଶବ ଆଉ ଶବ! ପାଣ୍ଡବ ଜନନୀ କୁନ୍ତୀଙ୍କ ଲୋତକାର୍ଦ୍ର ଚକ୍ଷୁ ପହଁରିଗଲା ବିଶାଳ କୁରୁକ୍ଷେତ୍ରର ମହାଶ୍ମଶାନ ଉପରେ। କିନ୍ତୁ, ହଠାତ୍‌ ତାଙ୍କ ଦୃଷ୍ଟି ଅଟକିଗଲା ତିନି ଜଣ ନାରୀଙ୍କ ଉପରେ। କିଏ ଏମାନେ? ଟିକିଏ ଦୂରରେ ଆଡ଼ଛଡ଼ା ହୋ‌ଇ କ୍ରନ୍ଦନ ଓ ବିଳାପରତା ଏମାନେ କିଏ? ନା କୌରବ ରମଣୀ ନା ପାଣ୍ଡବ ରମଣୀ, କେହି ହେଲେ ସେମାନଙ୍କୁ ଡାକି ନେଉ ନାହାନ୍ତି ଗଙ୍ଗା ସ୍ନାନ ଲାଗି! ସେମାନେ ଯେମିତି ସଂପୂର୍ଣ୍ଣ ଅପାଙ୍‌କ୍ତେୟ। କିଏ ଏମାନେ?
ଗୋଟିଏ ରିକ୍ତ ମୃତ ଶରୀରକୁ ଅନାଇ ତୁହାକୁ ତୁହା ଅଶ୍ରୁ ବିସର୍ଜନ କରି ଚାଲିଥିଲେ ସେମାନେ? ମହାଭାରତ ଯୁଦ୍ଧର ସପ୍ତଦଶ ଦିବସ। ସେହି ଘଟଣାଟି ଘଟିଯାଇଥିଲା, ଯାହା କୁନ୍ତୀଙ୍କୁ ଅନ୍ତତଃ ଚିନ୍ତାଶୂନ୍ୟ କରନ୍ତା, ଦେବରାଜ ଇନ୍ଦ୍ର ଆଉ ବିବ୍ରତ ହୁଅନ୍ତେ ନାହିଁ। ତୃତୀୟ ପାଣ୍ଡବ ଅର୍ଜୁନ ଜୀବିତ ଏବଂ ତାଙ୍କ ଜୀବନ ଏବେ ସଂପୂର୍ଣ୍ଣ ସୁରକ୍ଷିତ! ଏଣେ ଅର୍ଜୁନଙ୍କ ନାରାଚ ଆଘାତରେ ଭୂମିରେ ଲୋଟି ଯାଇଛି କର୍ଣ୍ଣଙ୍କ ପ୍ରାଣହୀନ ଶରୀର! ସସାଗରାଧରା‌ରେ ସେ ଥିଲେ ଏକମାତ୍ର ବୀର ଯିଏ ତୃତୀୟ ପାଣ୍ଡବ ଅର୍ଜୁନଙ୍କୁ ଯୁଦ୍ଧରେ ଅସହାୟ କରି ପକାନ୍ତା! କିନ୍ତୁ ସେ ଆଜି ମହାନିଦ୍ରାରେ। ଅର୍ଜୁନଙ୍କ ଜୀବନ ପ୍ରତି ଆଉ କୌଣସି ଭୟ ନାହିଁ।
ବୀର କର୍ଣ୍ଣଙ୍କ ପ୍ରାଣହୀନ ଶରୀରକୁ ଲକ୍ଷ୍ୟ କରି ପରସ୍ପରକୁ ଜାବୁଡ଼ି ଧରି କାନ୍ଦୁଥିବା ଏହି ତିନି ନାରୀ ତେବେ କ’ଣ କର୍ଣ୍ଣର ଜୀବନସଙ୍ଗିନୀ? ଶିହରି ଉଠିଲେ କୁନ୍ତୀ! ନିଜ ଜ୍ୟେ‌ଷ୍ଠ ପୁତ୍ରର ପରିଚୟକୁ ଗୋପନ ରଖିବାକୁ ଯାଇ କି ଅନ୍ୟାୟ କରି ଦେଇନାହାନ୍ତି ସେ?
ବୀର କର୍ଣ୍ଣ ଯେ ଜ୍ୟେଷ୍ଠ କୌନ୍ତେୟ, ସେ ସୂର୍ଯ୍ୟ ପୁତ୍ର! ବିଧିର କି ବିଡ଼ମ୍ବନା! ଏଭଳି କୁଳୀନ ସୁପୁରୁଷର ପରିଚୟ ସୁତପୁତ୍ର ଏବଂ ତା’ର ସହଧର୍ମିଣୀଗଣ ଅସ୍ପୃଶ୍ୟ!
ନିଜକୁ ଧିକ୍କାରିଲେ କୁନ୍ତୀ!
ଅଦୂରରେ ବୁକୁ ବିଦୀର୍ଣ୍ଣ କଲା ଭଳି ବିଳା‌ପ କରୁଥିଲେ ସେହି ତିନି ରମଣୀ। ସେମାନଙ୍କ ବେଦନା ଅବର୍ଣ୍ଣନୀୟ! ସ୍ବାମୀ ଓ ଆଠ ଜଣ ପୁତ୍ରଙ୍କୁ ସେହି ଯୁଦ୍ଧରେ ହରାଇ ସାରିଛନ୍ତି ସେମାନେ। ଅଥଚ ସେମାନେ ଆଜି ଅଲୋଡ଼ା! ଧୈର୍ଯ୍ୟ ଓ କୋହ ସମ୍ଭାଳି ପାରିଲେ ନାହିଁ କୁନ୍ତୀ। କୁରୁକ୍ଷେତ୍ରର ମହାଶ୍ମଶାନରେ ସତେ ଯେମିତି ଭୂଚଳନଟିଏ ଘଟି ସାରିଥିଲା! କର୍ଣ୍ଣର ପତ୍ନୀ ଅଥଚ ପରିଚୟ ହେଲା ସାରଥି ପରିବାରର ପୁତ୍ରବଧୂ! ସେଥି ଲାଗି ସେମାନେ ମର୍ଯ୍ୟାଦାବନ୍ତ ଶେଷକୃତ୍ୟ ଲାଗି ଅଯୋଗ୍ୟ!
କୁନ୍ତୀ ହୃଦୟଙ୍ଗମ କରୁଥିଲେ, ଆଜୀବନ ଗୋପନ ରଖି ଆସିଥିବା ସେହି ନିଷ୍ଠୁର ସତ୍ୟଟି କିଭଳି ଏକ ପିଶାଚ ଭଳି ତାଙ୍କୁ ଅନୁସରଣ କରୁଛି! ସେହି ପିଶାଚ କବଳରୁ ମୁକ୍ତି ଲୋଡ଼ା, ହେଉ ପଛକେ ଅତ୍ୟନ୍ତ କଷ୍ଟପ୍ରଦ ସେହି ସତ୍ୟର ସ୍ବୀକାର!
ସନ୍ତାନମାନଙ୍କ ନିକଟକୁ ଧୀର ପଦବ୍ରଜରେ ଗଲେ କୁନ୍ତୀ। ଚାପା ଓ ବେଦନାପ୍ଳୁତ ଅଥଚ ନିଥର କଣ୍ଠରେ ଯାହା ସେ କହିଦେଲେ ସେଥିରେ ସତେ ଯେମିତି ସହସା ବଜ୍ରପାତଟିଏ ଘଟିଗଲା। କିନ୍ତୁ ପାଣ୍ଡବ ପୁତ୍ରମାନେ ମଧ୍ୟ ସ୍ଥିତପ୍ରଜ୍ଞ।
ସେମାନେ ଶୁଣୁଥିଲେ ଯାହା ମାତା କୁନ୍ତୀ କହିଯାଉଛନ୍ତି: ଏହି ଯେଉଁ ତିନି ରମଣୀଙ୍କୁ ତୁମେମାନେ ଦେଖୁଛ, ଯେଉଁମାନେ ସେମାନଙ୍କ ପରମ ଶୋକ କାଳରେ ସୁଦ୍ଧା ଅସ୍ପୃଶ୍ୟ ତୁଲ୍ୟ ନିଃସଙ୍ଗତା ଭୋଗ କରି ଚାଲିଛନ୍ତି, ସେମାନେ ଆଉ କେହି ନୁହନ୍ତି, ତୁମମାନଙ୍କ ଜ୍ୟେଷ୍ଠ ଭ୍ରାତା କର୍ଣ୍ଣର ପତ୍ନୀ। କିନ୍ତୁ ବିଧିର କି କ୍ରୂର ପରିହାସ, ସୁତ ପୁତ୍ରର ପତ୍ନୀ ବୋଲି ଗଙ୍ଗା ସ୍ନାନ ଲାଗି ସେମାନେ ଅଯୋଗ୍ୟ! ମୁଁ ଚାହେଁ, ତୁମେମାନେ ସେମାନଙ୍କୁ ଗଙ୍ଗା ସ୍ନାନ ଲାଗି ଘେନିଯାଅ। ମନେ ରଖ, ଯାହାଙ୍କୁ ତୁମେ ରାଧେୟ ବୋଲି କହି ଘୃଣା କରି ଆସିଥିଲ, ସେ ହେଉଛି ଜ୍ୟେଷ୍ଠ କୌନ୍ତେୟ!
ଚମକି ପଡ଼ିଲେ ଧର୍ମରାଜ ଯୁଧିଷ୍ଠିର। ପାଣ୍ଡବ ଭ୍ରାତାମାନେ ତଟସ୍ଥ। ଏଭଳି ରହସ୍ୟ ଉନ୍ମୋଚିତ ହେବା ବେଳରେ ଅନେକ କିଛି ପଚାରିବାକୁ ଇଚ୍ଛା କରୁଥିଲେ ସେମାନେ; କିନ୍ତୁ କେବେ ହେଲେ ସେମାନେ ଯେ ମାତାଙ୍କୁ କୌଣସି ପ୍ରଶ୍ନ କରି ନାହାନ୍ତି? କେବଳ ମାତାଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ଚାଲିଛନ୍ତି। ପାଣ୍ଡବ ପଞ୍ଚ ଭ୍ରାତାଙ୍କ ଚକ୍ଷୁ ଅଶ୍ରୁ ସଜଳ ହୋଇ ଉଠିଲା। ମୃତ୍ୟୁ ପରେ ହେଉ ପଛକେ ଜ୍ୟେଷ୍ଠ କୌନ୍ତେୟଙ୍କ ପରିଚୟ ଉଜ୍ଜ୍ବଳ ହୋଇ ଉଠୁଛି।
କୁନ୍ତୀ ଓ ପାଣ୍ଡବ ଭ୍ରାତାଗଣ ସେହି ତିନି କ୍ରନ୍ଦନରତା ନାରୀଙ୍କ ସମ୍ମୁଖରେ ଯୋଡ଼ ହସ୍ତରେ ଛିଡ଼ା ହେଲେ। ଅପ୍ରତିଭ ହୋଇ ଉଠିଲେ ସେମାନେ! କିନ୍ତୁ ୟେ କ’ଣ? ମହାରାଣୀ କୁନ୍ତୀ ଓ ପାଣ୍ଡବ ପାଞ୍ଚ ଭାଇ ଯେ କ୍ଷମା ଯାଚନା କରୁଛନ୍ତି! ଅପରିଚିତ ସୁତ କୁଳର ପୁତ୍ରବଧୂମାନେ ହଠାତ୍‌ ଶଙ୍କି ଉଠୁଥିବା ବେଳେ ମା’ କୁନ୍ତୀଙ୍କ ନିବିଡ଼ ଆଶ୍ଳେଷ ସେମାନଙ୍କୁ ଜଡ଼ାଇ ଧରିଲା। ବିଳାପ ତା’ର ସପ୍ତକ ଛୁଇଁଲା। ଯେତେବେଳେ ସ୍ଥିର ହେଲେ ସମସ୍ତେ, ପାଣ୍ଡବ ପାଞ୍ଚ ଭ୍ରାତା ସେମାନଙ୍କୁ ଗଙ୍ଗା ସ୍ନାନ କରିବାକୁ ବାଟୋଇ ନେଲେ।
କୁନ୍ତୀଙ୍କ ମନେ ପଡ଼ି ଯାଉଥିଲା ସେହି ଦିନର କଥା, ଯେଉଁ ଦିନ ଏକ କାଷ୍ଠ ପେଟିକାରେ ନବଜାତ ପୁତ୍ର କର୍ଣ୍ଣକୁ ରଖି ସେ ନଦୀରେ ଭସାଇ ଦେଇଥିଲେ। ଭାଗ୍ୟଚକ୍ର ସଂପୂର୍ଣ୍ଣ ଥରଟିଏ ଘୂରି ଯାଇଥିଲା। କୁନ୍ତୀଙ୍କ ଛାତି ଉପରୁ ବୋଝଟିଏ ମଧ୍ୟ ହଟି ଯାଉଥିଲା ଯେମିତି! ସେହି କ୍ଷଣି ପୃଥିବୀ ସମକ୍ଷରେ ଛଅ ଭ୍ରାତାଙ୍କ ଜନନୀ ରୂପେ ଛିଡ଼ା ହୋଇଥିଲେ ମାତା କୁନ୍ତୀ!
ମୋ: ୯୭୭୭୨୦୫୬୮୪