ଏଥିରେ ଦ୍ବିରୁକ୍ତି ନାହିଁ ଯେ ସନ୍ତାନ ଲାଳନପାଳନ ଭଳି କାର୍ଯ୍ୟଟି ଅତିଶୟ ଧୈର୍ଯ୍ୟ, ସମୟ ଓ ସମର୍ପିତ ଭାବ ଲୋଡ଼ିଥାଏ, ଯାହା ଅଗତ୍ୟା ବହୁ ସନ୍ତାନର ଜନକଜନନୀ ‘ପ୍ରୋନାଟାଲିଷ୍ଟ’ମାନେ ଦେଇପାରନ୍ତି ନାହିଁ। ସୁତରାଂ, ସେମାନଙ୍କ ଧୈର୍ଯ୍ୟହୀନତା ପ୍ରସୂତ କ୍ରୋଧ ବା ଅକାରଣ ରୋଷର ଶିକାର ସନ୍ତାନମାନେ ଅନେକ ସମୟରେ ବିଦ୍ରୋହୀ ହୋଇ ଉଠନ୍ତି ଏବଂ ସେମାନଙ୍କ ମୁହଁରୁ ‘ଆଣ୍ଟିନାଟାଲିଷ୍ଟ’ସୁଲଭ ପ୍ରଶ୍ନ ନିର୍ଗତ ହୋଇଥାଏ: ‘ଆମକୁ ଜନ୍ମ କାହିଁକି ଦେଲ?’ ପ୍ରକାଶ ଥାଉ କି ଇତିମଧ୍ୟରେ ତାଙ୍କ ପୂର୍ବ ପତ୍ନୀ ଜଷ୍ଟିନ୍ ୱିଲ୍‌ସନ୍‌ଙ୍କ ଗର୍ଭରୁ ଜାତ ସନ୍ତାନମାନେ ତାଙ୍କ ଜୈବିକ-ପିତାଙ୍କ ସହିତ କୌଣସି ସଂପର୍କ ରଖିବାକୁ ଚାହାନ୍ତି ନାହିଁ ବୋଲି ସ୍ପଷ୍ଟ କରି ସାରିଲେଣି।

Advertisment

ବିଭିନ୍ନ କାର୍ଯ୍ୟ ଓ କାରଣ ହେତୁ ସମ୍ବାଦପତ୍ରମାନଙ୍କର ଶିରୋନାମାରେ ମୁହୁର୍ମୁହୁଃ ଦୃଶ୍ୟମାନ ହେଉଥିବା ପୃଥିବୀର ଅନ୍ୟତମ ସର୍ବାଧିକ ଧନିକ ଏଲନ ମସ୍କ ପୁନର୍ବାର ଚର୍ଚ୍ଚାର କେନ୍ଦ୍ରରେ; କାରଣ ସେ ଦ୍ବାଦଶତମ ସନ୍ତାନର ଜନକ ହୋଇଛନ୍ତି ବୋଲି ନିକଟରେ ପ୍ରକାଶ କରିଛନ୍ତି। ଏହି ଖବର ସହିତ ଆଉ ଯାହା କୌତୂହଳୋଦ୍ଦୀପକ ଚାଞ୍ଚଲ୍ୟ ଓ ଅନେକ ତର୍କ-ବିତର୍କ ସୃଷ୍ଟି କରିଛି, ତାହା ହେଲା ଏ ସଂଦର୍ଭରେ ମସ୍କଙ୍କ ମତ ଓ ଦର୍ଶନ, ଯାହାକୁ ଇଂରେଜୀରେ ‘ପ୍ରୋନାଟାଲିଜମ୍‌’ ବୋଲି କୁହାଯାଇଥାଏ, ଯାହାର ଅର୍ଥ ଅଧିକରୁ ଅଧିକ ସଂଖ୍ୟକ ସନ୍ତାନ ଉତ୍ପାଦନକୁ ସମର୍ଥନ ଜ୍ଞାପନ। ଶୁଣିବାକୁ ମିଳେ ଯେ ଏହି ଦର୍ଶନର ପ୍ରସାର ଘଟାଇବା ଲାଗି କୁଆଡ଼େ ବିଧିବଦ୍ଧ ଭାବେ ଏଲନ ମସ୍କ ଫାଉଣ୍ଡେସନ୍‌ ପକ୍ଷରୁ ବିପୁଳ ଅର୍ଥ ବ୍ୟୟ କରାଯାଉଛି! ସଂପ୍ରତି ପୃଥିବୀର ଜନସଂଖ୍ୟା ପହଞ୍ଚିଛି ପ୍ରାୟ ୮୦୦ କୋଟିରେ ଏବଂ ଅନେକ ରାଷ୍ଟ୍ରଙ୍କ ଦାରିଦ୍ର୍ୟ ଓ ଅନଗ୍ରସରତାର ପ୍ରମୁଖ କାରଣ ରୂପେ ଜନବହୁଳତାକୁ ହିଁ ଦର୍ଶାଯାଇଥାଏ। ଏଭଳି ସ୍ଥଳେ ମସ୍କଙ୍କ ଦର୍ଶନର ଉଦ୍ଦେଶ୍ୟ, ଯଥାର୍ଥତା ଓ ପ୍ରଭାବ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ‌ହୋଇଥାଏ।
ପାଠକପାଠିକାମାନଙ୍କ କୌତୂହଳ ପ୍ରଶମନ କରିବା ଲାଗି ସୂଚାଇ ଦିଆଯାଇପାରେ ଯେ ମସ୍କଙ୍କ ଏହି ଡଜନେ ସରିକି ସନ୍ତାନ ତିନି ଜଣ ମହିଳାଙ୍କ ଗର୍ଭରୁ ଭୂମିଷ୍ଠ, ଯେଉଁମାନଙ୍କ ମଧ୍ୟରୁ ନ୍ୟୁରାଲିଂକ୍‌ସର ନିର୍ଦ୍ଦେଶିକା ସିଭନ୍‌ ଜିଲିସ୍‌ ୪ଟି, କାନାଡୀୟ ପପ୍‌ ଗାୟିକା ଗ୍ରାଇମ୍‌ସ ୩ଟି ଏବଂ ପତ୍ନୀ ଜଷ୍ଟନ୍ ୱିଲସନ୍‌ ୫ଟି ସନ୍ତାନର ଜନନୀ; ଏବଂ ଏହି କ୍ରମରେ ସଦ୍ୟଜାତଟି ଅବତରଣ କରିଛି ସିଭନ୍‌ ଜିଲିସ୍‌ଙ୍କ ଠାରୁ। ପ୍ରକା‌ଶ ଥାଉ କି ସପ୍ତମ ଦଶକରେ ଫ୍ରାନ୍‌ସରେ ‘ନାଟାଲିଜମ୍‌’ ଭଳି ଅଭିବ୍ୟକ୍ତିର ଆଦ୍ୟ ବ୍ୟବହାର ଦେଖିବାକୁ ମିଳିଥାଏ, ଯାହାର ଅର୍ଥ ଥିଲା ଅଧିକ ସନ୍ତାନ ଉତ୍ପାଦନ। ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ୍ତାନ ଜନ୍ମ ହାରରେ କ୍ରମ-ହ୍ରାସମାଣ ସ୍ଥିତିକୁ ଲକ୍ଷ୍ୟ କରି ଉଦ୍‌ବିଗ୍ନ ‘ପ୍ରୋନାଟାଲିଷ୍ଟ’ (ନାଟାଲିଜମ୍‌ର ସମର୍ଥକ)ମାନେ ଆଶଙ୍କା ପ୍ରକଟ କଲେ ଯେ ଏହି ଧାରା ଅବ୍ୟାହତ ରହିଲେ ଅନେକ ସଂସ୍କୃତି ଓ ସଭ୍ୟତା କ୍ରମେ ନିଶ୍ଚିହ୍ନ ହୋଇଯିବ। ସଂପ୍ରତି ଶିକ୍ଷା ଓ ପ୍ରଯୁକ୍ତି ସ୍ତରରେ ବିକାଶ, ନାରୀ ସ୍ବାଧୀନତା ଓ ଜାଗରଣ ଏବଂ ଗର୍ଭ ନିରୋଧକର ସୁଲଭତା କାରଣରୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଜନସଂଖ୍ୟା ବୃଦ୍ଧିର ହାର ନିମ୍ନମୁଖୀ ହେଲାଣି; ଏପରିକି ଦକ୍ଷିଣ କୋରିିଆ ଭଳି ଦେଶରେ ମହିଳାଙ୍କ ପ୍ରଜନନ କ୍ଷମତା ବା ‘ଟି.ଏଫ୍‌.ଆର.’ ଆସି ପହଞ୍ଚିଲାଣି ଅତ୍ୟନ୍ତ ନୀଚା ୦.୬୭ରେ, ଅର୍ଥାତ୍‌ ଶହେ ଜଣ ମହିଳା ମାତ୍ର ୬୭ ଜଣ ସନ୍ତାନଙ୍କୁ ଜନ୍ମ ଦେଉଛନ୍ତି। ‘ଲାନ୍‌ସେଟ୍‌’ର ଅନୁଶୀଳନ କହିଲାଣି ଯେ ୨୦୬୪ ମସିହା ବେଳକୁ ପୃଥିବୀର ଜନସଂଖ୍ୟା ସର୍ବୋଚ୍ଚ ଶିଖରରୁ ଅବରୋହଣ ଆରମ୍ଭ କରିବ। କହିବା ଅନାବଶ୍ୟକ ଯେ ଏଭଳି ତଥ୍ୟ ‘ପ୍ରୋନାଟାଲିଷ୍ଟ’ମାନଙ୍କୁ, ସେମାନଙ୍କ ଦର୍ଶନର ଯୌକ୍ତିକତା ପ୍ରତିପାଦନ କରିବାକୁ, ବଳ ଯୋଗାଇଥାଏ ଏବଂ ସେମାନଙ୍କୁ ଦିଗ ସୂଚାଇବା ଲାଗି ଏଲନ ମସ୍କ ଓ ତାଙ୍କ ଭଳି ପ୍ରଭାବଶାଳୀମାନେ ଧ୍ରୁବ ତାରା ତୁଲ୍ୟ ବିଦ୍ୟମାନ। ଏଥିରେ ମଧ୍ୟ ଦ୍ବିଧା ନାହିଁ ଯେ ଭାରତ ଭଳି ଏକ ଅତ୍ୟନ୍ତ ଜନାକୀର୍ଣ୍ଣ ରାଷ୍ଟ୍ରରେ ‘ପ୍ରୋନାଟାଲିଷ୍ଟ’ମାନେ ଅଗତ୍ୟା ମାନସିକ ବିଭ୍ରାନ୍ତଙ୍କ ସଦୃଶ ପ୍ରତୀତ ହୋଇପାରନ୍ତି, କିନ୍ତୁ ଦକ୍ଷିଣ କୋରିଆ ବା ସିଙ୍ଗାପୁର ବା ଜାପାନରେ ସେମାନେ ପ୍ରାସଙ୍ଗିକ। ସେହି ଦୃଷ୍ଟିରୁ ସ୍ଥାନ‌, କାଳ ଓ ପାତ୍ର ଆଧାରରେ ଆବଶ୍ୟକତା ଅନୁସାରେ ‘ପ୍ରୋନାଟାଲିଜମ୍‌’ ଗ୍ରହଣୀୟ ମଧ୍ୟ ହୋଇପାରେ! କିନ୍ତୁ ଅନେକଙ୍କ ମତରେ ମସ୍କଙ୍କ ‘ପ୍ରୋନାଟାଲିଜମ୍‌’ ପଛରେ ନିହିତ ଅଛି ଏକ ଅହମିକା ଏବଂ ହୋଇପାରେ ଏକ ସୂକ୍ଷ୍ମ ଅଭିସନ୍ଧି ମଧ୍ୟ; ସେମାନଙ୍କ ମତରେ ‘ସିଲିକନ ଭେଲି’ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅତି କମ୍‌ ବୟସରେ ଅକଳ୍ପନୀୟ ସଫଳତା ଲାଭ କରିଥିବା କତିପୟ ଅତି ବିଚକ୍ଷଣ (ମସ୍କ ଅନ୍ୟତମ)ମାନେ ‘ପ୍ରୋନାଟାଲିଲମ୍‌’ର ସମର୍ଥକ ହେବାର କାରଣ ହେଲା ସେମାନଙ୍କ ଅତି ଉତ୍କୃଷ୍ଟ ଗୁଣମାନ ବହନକାରୀ ଜିନ୍‌ (ସେମାନଙ୍କ ବିଚାରରେ) ଏତଦ୍ଦ୍ବାରା ସେମାନଙ୍କ ଅନେକ ସନ୍ତାନଙ୍କ ମାଧ୍ୟମରେ ମନୁଷ୍ୟ ଜାତିକୁ ପ୍ରବାହିତ ହୋଇ ବରଦାନତୁଲ୍ୟ ସାବ୍ୟସ୍ତ ହେବ। ଏବଂ ଦ୍ବିତୀୟ କାରଣଟି ହେଲା ମସ୍କଙ୍କ ଦୃଷ୍ଟିରେ ପ୍ରତ୍ୟେକ ମନୁଷ୍ୟ ଜଣେ ଜଣେ ଉପଭୋକ୍ତା ହୋଇଥିବାରୁ ସେମାନଙ୍କ ସଂଖ୍ୟା ହ୍ରାସ ତାଙ୍କ ଲାଗି ସ୍ବୀକୃତ ହେଉ ନ ଥିବ! କିନ୍ତୁ ଜନସଂଖ୍ୟାରେ ବୃଦ୍ଧି କାରଣରୁ ପୃଥିବୀର ପ୍ରାକୃତିକ ସଂସାଧନର ଅବିଚାରିତ ଦୋହନ ତଥା ଜଳବାୟୁକୁ ଅଧିକ କ୍ଷତିଗ୍ରସ୍ତ କରିବାର ଆଶଙ୍କାକୁ ‘ପ୍ରୋନାଟାଲିଷ୍ଟ’ମାନେ ନଜରଅନ୍ଦାଜ କରିଦିଅନ୍ତି। କେବଳ ସେତିକି ନୁହେଁ, ଚୀନରୁ ନେଇ ଭାରତ ଦେଇ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ଦେଶଗୁଡ଼ିକରେ କ୍ରମ ହ୍ରାସମାନ ସନ୍ତାନ ଜନ୍ମ ସଂଖ୍ୟାର ଏକ ପ୍ରମୁଖ କାରଣ ହେଲା ସନ୍ତାନ ପ୍ରତିପାଳନରେ ହେଉଥିବା ମାତ୍ରାଧିକ ବ୍ୟୟ; ଯାହାର ଅଙ୍କୁଶାଘାତକୁ ଏଲନ ମସ୍କଙ୍କ ଭଳି ଅତି ଧନିକମାନେ ଅନୁଭବ କରିପାରନ୍ତି ନାହିଁ ଏବଂ ‘ପ୍ରୋନାଟାଲିଜମ୍‌’ର ଆଗ୍ରହାତିଶଯ୍ୟରେ ମଙ୍ଗଳ ଗ୍ରହ‌କୁ ମଧ୍ୟ ଜନପୂର୍ଣ୍ଣ କରିବାର ଉଦ୍ୟମରେ ଲାଗିଥାଆନ୍ତି।
‘ପ୍ରୋନାଟାଲିଜମ୍‌’ର ବିପରୀତଧର୍ମୀ ଦର୍ଶନଟି ହେଉଛି ‘ଆଣ୍ଟିନାଟାଲିଜମ୍‌’ ଯହିଁରେ ସନ୍ତାନ ଜନ୍ମକୁ ବିରୋଧ କରାଯାଇଥାଏ, ଯେଉଁ ଦର୍ଶନର ସାଂପ୍ରତିକ ସମୟର ଅନ୍ୟତମ ପ୍ରଖ୍ୟାତ ପ୍ରବକ୍ତା ହେଉଛନ୍ତି ଡେଭିଡ୍‌ ବେନାଟର୍‌। ଜୀବନରେ କେବଳ ସୁଖ ବା ଆନନ୍ଦାନୁଭୂତି ନ ମିଳି ଦୁଃଖ, କଷଣ ଓ ଯାତନା ମଧ୍ୟ ମିଳୁଥିବାରୁ ଜୀବନ ସୃଷ୍ଟି ନ ହେବା ଅନେକ କାରଣରୁ ଶ୍ରେୟସ୍କର ବୋଲି ‘ଆଣ୍ଟିନାଟାଲିଷ୍ଟ’ମାନେ କହିଥାଆନ୍ତି। ଜରା ଓ ବ୍ୟାଧି ଭଳି ପ୍ରାକୃତିକ ଅନିବାର୍ଯ୍ୟତା, ଅଦୃଷ୍ଟର ଆଜ୍ଞାରେ ଘଟୁଥିବା ଦୁର୍ଘଟଣା ଓ ଦୁର୍ବିପାକ ମଧ୍ୟ ଜୀବନକୁ ଏମିତି ଦୁର୍ବିଷହ କରି ପାକାଏ ଯେ ତାହା ସଂପୂର୍ଣ୍ଣ ଅସାର ଭଳି ମନେ ହୋଇଥାଏ। ସେମାନଙ୍କ ବିନା ଅନୁମତିରେ ପୃଥିବୀକୁ ଆଣିଥିବା ପିତାମାତାଙ୍କୁ ଅନେକ ‘ଆଣ୍ଟିନାଟାଲିଷ୍ଟ’ ମଧ୍ୟ ଦୋଷଯୁକ୍ତ କରିପକାନ୍ତି। ଏହି ମର୍ମରେ ମୁମ୍ବାଇର ରାଫେଲ୍‌ ସାମୁଏଲ୍‌ ନାମକ ଜଣେ ଯୁବକ ୨୦୧୯ ମସିହାରେ ତାଙ୍କ ବାପାମାଆଙ୍କ ବିରୋଧରେ କରିଥିବା ଏକ ଅଦାଲତୀ ଅଭିଯୋଗ ସ୍ମରଣଯୋଗ୍ୟ! ତେବେ, ଏହି ପରିପ୍ରେକ୍ଷୀରେ ଗୌତମ ବୁଦ୍ଧ ସମ୍ଭବତଃ ପୃଥିବୀର ଆଦ୍ୟତମ ‘ଆଣ୍ଟିନାଟାଲିଷ୍ଟ’, ଯିଏ ଦୁଃଖପୂର୍ଣ୍ଣ ସଂସାର ଦ୍ବାରା ବୀତସ୍ପୃହ ହୋଇ ଗୋଟିଏ ନିଶାର୍ଦ୍ଧରେ କପିଳବାସ୍ତୁର ରାଜଗୃହରୁ ବାହାରି ଯାଇଥିଲେ ସିନା କିନ୍ତୁ ଜୀବନର ଅସାରତାକୁ ଅତିକ୍ରମ କରିବାର ମାର୍ଗ ଅନ୍ବେଷଣରେ ସଫଳ ହୋଇ ଯେଉଁ ଉତ୍ତର ସହିତ ଆବିର୍ଭୂତ ହୋଇଥିଲେ, ତାହା ହେଲା କାମନାର ବିନାଶରେ ଦୁଃଖର ବିନାଶ, ଦୁଃଖର ବିନାଶରେ ‘ମୋକ୍ଷ’ ପ୍ରାପ୍ତି ଓ ‘ମୋକ୍ଷ’ ବା ‘ନିର୍ବାଣ’ ଲାଭ ସହିତ ଜନ୍ମ-ପୁନର୍ଜନ୍ମ ଚକ୍ରରୁ ମୁକ୍ତି! କିନ୍ତୁ ଏକ ବାସ୍ତବତା ହେଲା ସଂସାରର ଗଢ଼ଣରେ ବୁଦ୍ଧଙ୍କ ମାର୍ଗରେ ଜୀବନ ଜିଇବା ସଂପୂର୍ଣ୍ଣ ଅସମ୍ଭବ ହୋଇଥାଏ। ତେଣୁ, କଷଣ ଜର୍ଜର ବ୍ୟକ୍ତିର ଦୁଃଖ ସୀମା ଲଂଘିଗଲେ ଅଗତ୍ୟା ଈଶ୍ବରଙ୍କ ଉଦ୍ଦେଶ୍ୟରେ ତା’ ମୁହଁରୁ ମଧ୍ୟ ସେହି ‘ଆଣ୍ଟିନାଟାଲିଷ୍ଟ’ସୁଲଭ ଆର୍ତ୍ତ ବାହାରି ପଡ଼େ: ‘କାହିଁକି ଏ ଜନ୍ମ ଦେଲ ପ୍ରଭୋ!’
ଏଥିରେ ଦ୍ବିରୁକ୍ତି ନାହିଁ ଯେ ସନ୍ତାନ ଲାଳନପାଳନ ଭଳି କାର୍ଯ୍ୟଟି ଅତିଶୟ ଧୈର୍ଯ୍ୟ, ସମୟ ଓ ସମର୍ପିତ ଭାବ ଲୋଡ଼ିଥାଏ, ଯାହା ଅଗତ୍ୟା ବହୁ ସନ୍ତାନର ଜନକଜନନୀ ‘ପ୍ରୋନାଟାଲିଷ୍ଟ’ମାନେ ଦେଇପାରନ୍ତି ନାହିଁ। ସୁତରାଂ, ସେମାନଙ୍କ ଧୈର୍ଯ୍ୟହୀନତା ପ୍ରସୂତ କ୍ରୋଧ ବା ଅକାରଣ ରୋଷର ଶିକାର ସନ୍ତାନମାନେ ଅନେକ ସମୟରେ ବିଦ୍ରୋହୀ ହୋଇ ଉଠନ୍ତି ଏବଂ ସେମାନଙ୍କ ମୁହଁରୁ ‘ଆଣ୍ଟିନାଟାଲିଷ୍ଟ’ସୁଲଭ ପ୍ରଶ୍ନ ନିର୍ଗତ ହୋଇଥାଏ: ‘ଆମକୁ ଜନ୍ମ କାହିଁକି ଦେଲ?’ ପ୍ରକାଶ ଥାଉ କି ଇତିମଧ୍ୟରେ ତାଙ୍କ ପୂର୍ବ ପତ୍ନୀ ଜଷ୍ଟିନ୍ ୱିଲ୍‌ସନ୍‌ଙ୍କ ଗର୍ଭରୁ ଜାତ ସନ୍ତାନମାନେ ତାଙ୍କ ଜୈବିକ-ପିତାଙ୍କ ସହିତ କୌଣସି ସଂପର୍କ ରଖିବାକୁ ଚାହାନ୍ତି ନାହିଁ ବୋଲି ସ୍ପଷ୍ଟ କରି ସାରିଲେଣି। ସେମିତି ସନ୍ତାନମାନଙ୍କ ପିତୃତ୍ବ ଦାବି କରି ପପ୍ ଗାୟିକା ଗ୍ରାଇମ୍‌ସ ଅଦାଲତର ଆଶ୍ରୟ ନେବାକୁ ମଧ୍ୟ ସ୍ଥିର କଲେଣି! ତେବେ ‘ଆଣ୍ଟିନାଟାଲିଷ୍ଟ’ସୁଲଭ ପ୍ରଶ୍ନରେ ସମର୍ଥ ଉତ୍ତରଟିଏ ଆମ ଭାଷାରେ ବହୁ ପ୍ରଚଳିତ ଏକ ଆତ୍ମ ପ୍ରବୋଧନାମୂଳକ ଉକ୍ତିରେ ମିଳିଥାଏ: ‘ଜନ୍ମ ଦେଲି ସିନା, ଭାଗ୍ୟ କାହୁଁ ଦେବି?’ କିନ୍ତୁ ଏଭଳି ଅସହାୟ ଆତ୍ମ-ସମର୍ପଣମୂଳକ ଉତ୍ତରଟିଏ ଆତ୍ମପ୍ରମତ୍ତ ମସ୍କଙ୍କ ମୁଣ୍ଡକୁ ଜୁଟିଲେ ସିନା!