ଏପରି ଏକ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ତା’ର ଅନ୍ତିମ ପରିଣାମ କ’ଣ ହେବ, ତାହା ଅନୁମାନ କରିବା କଷ୍ଟକର ନୁହେଁ। ବ୍ୟବସ୍ଥାର ସୁଯୋଗ ନେଇ ଅନେକ ନକଲି ଚିକିତ୍ସକ ଅସାଧୁ ଉପାୟରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରମାଣପତ୍ର ହାସଲ କରିବାରେ ଲାଗିଯିବେ। ଏହା କେବଳ ଦୁର୍ନୀତିକୁ ଜନ୍ମ ଦେବ, ତାହା ନୁହେଁ, ଅନେକ ବିପଜ୍ଜନକ ନକଲି ବଇଦମାନଙ୍କୁ ମଧ୍ୟ ସୃଷ୍ଟି କରିବ। ଅସଲି ଦେଶୀ ବଇଦମାନେ ଦୀର୍ଘକାଳ ଧରି, ବେଳେ ବେଳେ ପୁରୁଷାନୁକ୍ରମିକ ଭାବରେ, ଫଳପ୍ରଦ ଚିକିତ୍ସା ପ୍ରଦାନ ମାଧ୍ୟମରେ ରୋଗୀମାନଙ୍କର ଓ ସମ୍ପୃକ୍ତ ସମାଜର ବିଶ୍ବାସଭାଜନ ହୋଇଥାନ୍ତି।
ସ୍ବର୍ଗୀୟ ଲକ୍ଷ୍ମଣ ମିଶ୍ରଙ୍କର ଦେଶୀ ଚିକିତ୍ସା ପୁସ୍ତକ ‘ଅନୁଭୂତ ଯୋଗମାଳା’ ବା ‘ଘର ବଇଦ’ ଏବେବି ଓଡ଼ିଶାର ଅନେକ ପରିବାରର ବହି ଥାକରେ ଏକ ହାତପାଆନ୍ତା ସ୍ଥାନ ଦଖଲ କରି ରହିଥିବା ଦେଖାଯାଇଥାଏ। ଏବେବି ଅନେକ ଲୋକ ସେଇ ବହିକୁ ଅନୁସରଣ କରି ପିଆଜରେ ଚୂନ ଲେପନ କରି ସେବନ କରି ନାଳଝାଡ଼ା ବନ୍ଦ କରିଥାନ୍ତି ତ ଅରୁଆ ଚାଉଳ ଧୂଆ ପାଣିରେ ମଞ୍ଜୁଆତି ଚେରକୁ ବାଟି ସେବନ କରି ଜଣ୍ଡିସ୍ ବା କାମଳ ରୋଗର ଉପଶମ ଘଟାଇଥାନ୍ତି। ସେ ବହିଟିରେ ବର୍ଣ୍ଣନା କରାଯାଇଥିବା ଚିକିତ୍ସା ପଦ୍ଧତିମାନ ଲକ୍ଷ୍ମଣ ମିଶ୍ରଙ୍କର ମାନସ ପ୍ରସ୍ତୁତ ନ ଥିଲା; ସେ ଥିଲେ ପୁସ୍ତକଟିର ସଙ୍କଳୟିତା ମାତ୍ର। ତାଙ୍କର ପୁଲିସ ଚାକିରି ଜୀବନରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ କାର୍ଯ୍ୟରତ ଥିବା ସମୟରେ ସେ ଅଞ୍ଚଳରେ ଗାଉଁଲି ଚିକିତ୍ସକ (ଅନେକ ସମୟରେ ଚିକିତ୍ସା ସେମାନଙ୍କର ବୃତ୍ତି ହୋଇନଥାଏ)ମାନଙ୍କ ଦ୍ବାରା କରାଯାଉଥିବା ଫଳପ୍ରଦ ଚିକିତ୍ସା ଦ୍ବାରା ପ୍ରଭାବିତ ହୋଇ ସେ ବହୁ ଶ୍ରମ ସ୍ବୀକାର କରି ସେମାନଙ୍କ ଠାରୁ ସେ ଚିକିତ୍ସା ପଦ୍ଧତିମାନ ସଂଗ୍ରହ କରି ସେଗୁଡ଼ିକୁ ଏକାଠି କରି ଉପରୋକ୍ତ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ।
ସୂଚାଇବା ଅନାବଶ୍ୟକ, ସେ ଯେଉଁମାନଙ୍କ ଠାରୁ ଏହିସବୁ ଚିକିତ୍ସା ପଦ୍ଧତିମାନ ସଂଗ୍ରହ କରିଥିଲେ (ସେମାନଙ୍କ ଠାରୁ ଏହି ଗୁପ୍ତ କୌଶଳମାନ ସଂଗ୍ରହ କରିବାରେ ମିଶ୍ରଙ୍କର ପୁଲିସ ପଦ ନିଶ୍ଚୟ ସହାୟକ ହୋଇଥିବ) ସେମାନେ କେହି ହେଲେ କୌଣସି ସଂସ୍ଥା ବା ସରକାରଙ୍କ ଠାରୁ ଚିକିତ୍ସକ ରୂପେ ସ୍ବୀକୃତି ପାଇ ନ ଥିଲେ। ସେମାନଙ୍କ ବଂଶାନୁକ୍ରମିକ ଖ୍ୟାତି କିମ୍ବା ସେମାନେ ପ୍ରଦାନ କରୁଥିବା ଚିକିତ୍ସାର ଫଳପ୍ରଦତା ଦ୍ବାରା ହିଁ ଆକୃଷ୍ଟ ହୋଇ ପୀଡ଼ିତମାନେ ଏହି ଦେଶୀ ବଇଦମାନଙ୍କର ଦ୍ବାରସ୍ଥ ହେଉଥିଲେ। କେବଳ ଓଡ଼ିଶା ନୁହେଁ, ଦେଶର ସମସ୍ତ ଗ୍ରାମାଞ୍ଚଳରେ ଓ କେତେକ ସହରାଞ୍ଚଳରେ ମଧ୍ୟ ଏବେ ବି ଏଭଳି ଦେଶୀ ଚିକିତ୍ସକମାନେ ସକ୍ରିୟ ଥିବା ଜଣାଶୁଣା। ପ୍ରକାଶିତ ସୂଚନା ଅନୁସାରେ ଏଭଳି ପାରମ୍ପରିକ ଚିକିତ୍ସକମାନଙ୍କର ଗ୍ରହଣୀୟତା ମଜଭୁତ କରିବା ନିମିତ୍ତ ସେମାନଙ୍କୁ ବିଧିବଦ୍ଧ ପ୍ରମାଣପତ୍ର ପ୍ରଦାନ କରାଯିବା ଆବଶ୍ୟକ ବୋଲି ଏକ ଧାରଣା ଏବେ ଭାରତ ସରକାରଙ୍କ ମୁଣ୍ଡରେ ଢୁକିଛି। ସରକାର ତେଣୁ ‘କ୍ବାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ’ ନାମକ ଏକ ସ୍ବୟଂଶାସିତ ପ୍ରମାଣପତ୍ର ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ପ୍ରକାଶ ପାଇଛି।
ଦେଶର ଅଗଣିତ ପାରମ୍ପରିକ ବଇଦମାନଙ୍କର ମର୍ଯ୍ୟାଦା ବୃଦ୍ଧି ଓ ଆୟ ବୃଦ୍ଧିରେ ଏହି ଯୋଜନା ସହାୟକ ହେବ ବୋଲି ବିଚାର କରି ସରକାର ଏଭଳି ଏକ ପଦକ୍ଷେପ ନେବାକୁ ଚିନ୍ତା କରିବା ସରକାରଙ୍କର ମହତ୍ ଉଦ୍ଦେଶ୍ୟର ପରିଚାୟକ ହୋଇପାରିଥାଏ, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଆଦୌ ସହଜସାଧ୍ୟ ନୁହେଁ ଓ ଘୋର ବିଭ୍ରାଟ ସୃଷ୍ଟି କରିବା ନିଶ୍ଚିତ। ଏହାର କାରଣ ଏକ ମୌଳିକ ସତ୍ୟ ଉପରେ ପର୍ଯ୍ୟବସିତ: ପରୀକ୍ଷକ ଯେତେବେଳେ ପରୀକ୍ଷାର୍ଥୀର ଉତ୍ତର ଯାଞ୍ଚ କରି ତା’ର ମୂଲ୍ୟାୟନ କରି ତାକୁ ପ୍ରମାଣପତ୍ର ପ୍ରଦାନ କରନ୍ତି, ସେତେବେଳେ ଆମେ ନିଶ୍ଚିତ ଥାଉ ଯେ ପରୀକ୍ଷକଙ୍କୁ ପ୍ରଶ୍ନର ସମାଧାନ ସଠିକ୍ ଭାବରେ ଜଣାଥାଏ। ଯେଉଁ ପାରମ୍ପରିକ ଚିକିତ୍ସକମାନଙ୍କୁ ସରକାର ପ୍ରମାଣପତ୍ର ପ୍ରଦାନ କରିବାକୁ ବାହାରିଛନ୍ତି, ସେମାନେ ଅବଲମ୍ବନ କରୁଥିବା ଚିକିତ୍ସା ପଦ୍ଧତି, ଚିକିତ୍ସା ସାମଗ୍ରୀର ଚରିତ୍ର, ପରିମାଣ କିମ୍ବା ଗୁଣାତ୍ମକ ମାନ ସମ୍ବନ୍ଧରେ ସ୍ବୀକୃତି ପ୍ରଦାନକାରୀ ସଂସ୍ଥାକୁ କିଛି ହେଲେ ଜଣାନାହିଁ ବୋଲି ଧରି ନିଆଯାଇପାରେ, କାରଣ ଏହା କୌଣସି ବିଧିବଦ୍ଧ ଡାକ୍ତରୀ ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ନୁହେଁ।
ହୁଏତ ଏହି ରହସ୍ୟମୟ ବଇଦମାନଙ୍କର ଚିକିତ୍ସା ରୋଗୀ ପାଇଁ ଫଳପ୍ରଦ ହୋଇପାରୁଥାଏ, କିନ୍ତୁ କାହିଁକି ତାହା ଫଳପ୍ରଦ ହୋଇଥାଏ ଓ କେଉଁ ପ୍ରକ୍ରିୟା ଦେଇ ତାହା କାର୍ଯ୍ୟ କରିଥାଏ, ସେ ସମ୍ବନ୍ଧରେ ଖୋଦ୍ ଚିକିତ୍ସକଙ୍କୁ କିଛି ହେଲେ ମାଲୁମ ନ ଥାଏ। ଏହାର ଏକ ଉଦାହରଣ ସ୍ବରୂପ ହାଇଦରାବାଦ୍ର ଏକ ପରିବାର ବଂଶାନୁକ୍ରମିକ ଭାବରେ ଶ୍ବାସରୋଗୀମାନଙ୍କୁ ଏକ ଜାତୀୟ ଜିଅନ୍ତା ମାଛ ଗିଳିବାକୁ ଦେଇ ସେମାନଙ୍କୁ ରୋଗମୁକ୍ତ କରି ଆସୁଛନ୍ତି ବୋଲି ଦେଶ ସାରା ଜଣାଶୁଣା। ସେମାନଙ୍କର ଖ୍ୟାତି ଏଭଳି ସୁଦୂରପ୍ରସାରୀ ଯେ ସାରା ଦେଶରୁ ଅସଂଖ୍ୟ ଶ୍ବାସରୋଗୀ ଆସି ଏହି ମାଛ-ଚିକିତ୍ସା ପାଇଁ ସେଠାରେ ଭିଡ଼ ସୃଷ୍ଟି କରିଥାନ୍ତି। ଶ୍ବାସରୋଗ ଏକ ଅଜଣା ରୋଗ ନୁହେଁ ଏବଂ ଏହାର କାରଣ, ଚରିତ୍ର ଓ ଚିକିତ୍ସା ସମ୍ବନ୍ଧରେ ଗବେଷଣାଲବ୍ଧ ଜ୍ଞାନ ସହିତ ପରିଚିତ ବିଶେଷଜ୍ଞମାନଙ୍କୁ ମଧ୍ୟ ଜଣା ନାହିଁ ଏକ ନିର୍ଦ୍ଦିଷ୍ଟ ଜାତିର ଜୀଅନ୍ତା ମାଛର ସେ ରୋଗ ସହିତ ସମ୍ପର୍କ କ’ଣ? ତେବେ ‘କ୍ବାଲିଟି କାଉନ୍ସିଲ୍’ ଏହି ମାଛ-ଚିକିତ୍ସକମାନଙ୍କୁ କିପରି ପ୍ରମାଣପତ୍ର ପ୍ରଦାନ କରିବ? କେତେକ କହିପାରନ୍ତି ଯେ ସମ୍ପୃକ୍ତ ଚିକିତ୍ସକଙ୍କର ଖ୍ୟାତିକୁ ଆଧାର କରି ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। କିନ୍ତୁ ପ୍ରତି-ଉତ୍ତରରେ କୁହାଯାଇପାରିବ ଯେ, ଯେଉଁ ଚିକିତ୍ସକଙ୍କର ଖ୍ୟାତି ସୁବିଦିତ ହୋଇସାରିଛି, ତାଙ୍କ ପାଇଁ ପ୍ରମାଣପତ୍ରର ଆବଶ୍ୟକତା କ’ଣ?
ଏପରି ଏକ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ତା’ର ଅନ୍ତିମ ପରିଣାମ କ’ଣ ହେବ, ତାହା ଅନୁମାନ କରିବା କଷ୍ଟକର ନୁହେଁ। ବ୍ୟବସ୍ଥାର ସୁଯୋଗ ନେଇ ଅନେକ ନକଲି ଚିକିତ୍ସକ ଅସାଧୁ ଉପାୟରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରମାଣପତ୍ର ହାସଲ କରିବାରେ ଲାଗିଯିବେ। ଏହା କେବଳ ଦୁର୍ନୀତିକୁ ଜନ୍ମ ଦେବ, ତାହା ନୁହେଁ, ଅନେକ ବିପଜ୍ଜନକ ନକଲି ବଇଦମାନଙ୍କୁ ମଧ୍ୟ ସୃଷ୍ଟି କରିବ। ଅସଲି ଦେଶୀ ବଇଦମାନେ ଦୀର୍ଘକାଳ ଧରି, ବେଳେ ବେଳେ ପୁରୁଷାନୁକ୍ରମିକ ଭାବରେ, ଫଳପ୍ରଦ ଚିକିତ୍ସା ପ୍ରଦାନ ମାଧ୍ୟମରେ ରୋଗୀମାନଙ୍କର ଓ ସମ୍ପୃକ୍ତ ସମାଜର ବିଶ୍ବାସଭାଜନ ହୋଇଥାନ୍ତି। ଏକ ପ୍ରମାଣପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ତାହାକୁ କେତେକ ଚତୁର ଛଦ୍ମବେଶୀ ଚିକିତ୍ସକ ଏହି ଗଣବିଶ୍ବାସ ହାସଲ କରିବା ପାଇଁ ଏକ ସଂକ୍ଷିପ୍ତ ରାସ୍ତା ବା ସଟ୍କଟ୍ ବାଟ ରୂପେ ବ୍ୟବହାର କରିବା ନିଶ୍ଚିତ। ଏହା ଅଗଣିତ ସରଳ ବିଶ୍ବାସୀ ରୋଗୀମାନଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହେବ।
ବରଂ ସରକାର ଯଦି ଏ ଦିଗରେ ମନ ବଳାଇଛନ୍ତି, ତା’ହେଲେ ଲକ୍ଷ୍ମଣ ମିଶ୍ରଙ୍କୁ ଅନୁସରଣ କରି ଦେଶସାରା ଯେତେ ଯେଉଁଠି ଏ ପ୍ରକାର ଚିକିତ୍ସକ ସକ୍ରିୟ ଅଛନ୍ତି, ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ସେମାନେ ପ୍ରଦାନ କରୁଥିବା ଚିକିତ୍ସାର ସବିଶେଷ ବିବରଣୀ ଲିପିବଦ୍ଧ କରନ୍ତୁ। ଏଥିସହିତ ସରକାର ମଧ୍ୟ ଏକ ଗବେଷଣା କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ, ଯେଉଁଥିରେ ଗବେଷକମାନେ ଏହି ପାରମ୍ପରିକ ଚିକିତ୍ସା ପଦ୍ଧତିମାନଙ୍କର ବିଧିବଦ୍ଧ ଗବେଷଣା କରି ସେଗୁଡ଼ିକର କାର୍ଯ୍ୟକାରିତାର ବିଜ୍ଞାନସମ୍ମତ କାର୍ଯ୍ୟ-କାରଣ ସମ୍ପର୍କ ଆବିଷ୍କାର କରିବେ। ତା’ପରେ ହୁଏତ ଏହାର ବିଜ୍ଞାନସମ୍ମତ ମାନ ନିର୍ଦ୍ଧାରଣ ଦିଗରେ ଅଗ୍ରସର ହେବା ସମ୍ଭବ ହେବ। ଏହା ମଧ୍ୟ ସତ ଯେ ଅନେକ ପାରମ୍ପରିକ ବଇଦମାନେ ସେମାନଙ୍କର ଗୁପ୍ତ ଚିକିତ୍ସା କୌଶଳ ପ୍ରକାଶ କରିବାକୁ ଅତ୍ୟନ୍ତ କୁଣ୍ଠିତ ହୋଇଥାନ୍ତି। ଏହାର କାରଣ ବୁଝିବା କଷ୍ଟ ନୁହେଁ; ଏହା ଅନେକ ସମୟରେ ସେମାନଙ୍କର ଆୟର ମୁଖ୍ୟ ଉତ୍ସ ହୋଇଥିବାରୁ, ସେମାନେ ତାଙ୍କ କୌଶଳ ବ୍ୟବହାର କରି ପ୍ରତିଦ୍ବନ୍ଦ୍ବୀମାନଙ୍କର ଆବିର୍ଭାବ ଘଟିବା ଚାହାଁନ୍ତି ନାହିଁ। ସେମାନଙ୍କର ଏହି ଯୁକ୍ତିଯୁକ୍ତ କୁଣ୍ଠାକୁ ଅତିକ୍ରମ କରିବା ପାଇଁ ସରକାର ସେମାନଙ୍କୁ ମଧ୍ୟ ପେଟେଣ୍ଟ ପ୍ରଦାନ କରି ସେମାନଙ୍କର ବୌଦ୍ଧିକ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇପାରିବେ। ପ୍ରମାଣପତ୍ର ପ୍ରଦାନ ପରିକଳ୍ପନା ପରିତ୍ୟାଗ କରି ସରକାର ବରଂ ଏସବୁ ପଦକ୍ଷେପ ନେଲେ ଉଭୟ ବଇଦମାନଙ୍କର ଓ ସମାଜର ଅଧିକ ମଙ୍ଗଳ ସାଧିତ ହେବ।