ସୁତରାଂ, ବିଜେପିଶୂନ୍ୟ ଦକ୍ଷିଣ ଭାରତ ଆଡ଼କୁ ଚାହିଁ ଏଭଳି ଏକ ଦଳର ପରାକ୍ରମକୁ ନଜରଅନ୍ଦାଜ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। କାରଣ ବିଜେପି ଏଭଳି ଏକ ଦଳ ଯାହା ନିର୍ବାଚନ ସଫଳତା ସକାଶେ ଭୂମି-ଲଗ୍ନ ହୋଇ ନିରନ୍ତର ଶ୍ରମ କରି ଚାଲିଥାଏ। ତେଣୁ ଦାକ୍ଷିଣାତ୍ୟ ବା ଉପକୂଳବର୍ତ୍ତୀ ଭାରତର ଅଣ-ବିଜେପି ଦୁର୍ଗରେ ଛିଦ୍ର କରିବାରେ ଏହି ଦଳ ପ୍ରମତ୍ତ ରହିବ ଏବଂ କେତେକ ସ୍ଥଳେ ଅଗତ୍ୟା ସଫଳ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି। କାରଣ ଭାରତର ଗଣତନ୍ତ୍ରର ଚରିତ୍ର ଯାହା, ତହିଁରେ କୌଣସି ଧାରଣା ଅନ୍ତିମ ହୋଇ ନ ଥାଏ ଏବଂ କୌଣସି ବିଭାଜନ ରେଖା କୌଣସି ଦଳ ଲାଗି ହେଲେ ମଧ୍ୟ ଅନତିକ୍ରମ୍ୟ ହୋଇ ନ ଥାଏ।
ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ବାଦେ ରାଷ୍ଟ୍ରର ଦ୍ବାର ଦେଶରେ ଉପନୀତ ହୋଇ ସାରିଥିବା ୨୦୨୪ ମସିହାର ସାଧାରଣ ନିର୍ବାଚନକୁ କେନ୍ଦ୍ର କରି ସ୍ବାଭାବିକ ଭାବେ ତର୍କ-ବିତର୍କ, ବିମର୍ଶ, ଆକଳନ, ପୂର୍ବାନୁମାନ ଏପରିକି ଉପସଂହାରମାନର ଝଡ଼ ସୃଷ୍ଟି ହେବାରେ ଲାଗିଛି; ଯହିଁରେ ସାଧାରଣ ବ୍ୟକ୍ତିବିଶେଷଙ୍କ ମତାମତରୁ ଆରମ୍ଭ କରି ବିଶେଷଜ୍ଞମାନଙ୍କ ଅନୁଶୀଳନ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ଏବଂ ଏତଦ୍ଦ୍ବାରା ରାଜନୈତିକ ବାତାବରଣ ଉଭୟ ଉଷ୍ମ ଓ ରୋଚକ ହୋଇ ଉଠିଛି। ଏହି କ୍ରମରେ ସୃଷ୍ଟ କେତେକ ଧାରଣା ଆପାତତଃ ଯଥାର୍ଥ ଭଳି ପ୍ରତୀତ ହେଉଥିଲେ ହେଁ ବିବିଧ-ବର୍ଣ୍ଣା ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ଫଳାଫଳ କୌଣସି ସହଜିଆ ଅନ୍ଦାଜ-ଅଯୋଗ୍ୟ ହେବା ସହିତ ବିଭିନ୍ନ ସମ୍ଭାବନାରେ ଭରପୂର ହୋଇଥାଏ, ସେ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଦାହରଣ ସ୍ବରୂପ ସଦ୍ୟ ସୃଷ୍ଟ ଏଭଳି ଏକ ଧାରଣା ଯେ ରାଜନୈତିକ ସମର୍ଥନ ଆଧରରେ ସତେ ଯେମିତି ଭାରତ ସ୍ପଷ୍ଟ ଭାବେ ଏକ କଳ୍ପିତ ଭୂ-ସମାନ୍ତରାଳ ରେଖା ଦ୍ବାରା ଦ୍ବିଧା ବିଭକ୍ତ; ଅର୍ଥାତ୍ ଉତ୍ତର ଭାରତ ଏବଂ ଦାକ୍ଷିଣାତ୍ୟ। ଦାକ୍ଷିଣାତ୍ୟର ରାଜ୍ୟଗୁଡ଼ିକ ମଧ୍ୟରୁ ଦଖଲରେ ଥିବା ଏକମାତ୍ର ରାଜ୍ୟ କର୍ଣ୍ଣାଟକରୁ କ୍ଷମତାଚ୍ୟୁତ (କଂଗ୍ରେସ ଦ୍ବାରା) ହେବା ଓ ତା’ ପରେ ସଦ୍ୟ ସମାପ୍ତ ନିର୍ବାଚନରେ ତେଲେଙ୍ଗାନା କଂଗ୍ରେସ ଅଧିକାରକୁ ଚାଲିଯିବା ସହିତ ଏହି ଭୂଖଣ୍ଡର କ୍ଷମତା ଅଳିନ୍ଦରେ ବିଜେପିର ପଦଚିହ୍ନ ଲିଭି ଯାଇଛି; ଅପର ପକ୍ଷେ ମଧ୍ୟପ୍ରଦେଶରେ ତୃତୀୟ ଥର ଲାଗି କ୍ଷମତା ଦଖଲ କରି ଏବଂ ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସକୁ ଦୟନୀୟ ଭାବେ ପରାଜିତ କରି ହିନ୍ଦୀ-ହୃଦ୍ସ୍ଥଳରେ ଏହି ଦଳ ଅଧିକ ଦୃଢ଼ମୂଳ ହୋଇ ଉଠିଛି; ସୁତରାଂ, ଉତ୍ତରାର୍ଦ୍ଧ ଓ ଦକ୍ଷିଣାର୍ଦ୍ଧ ମଧ୍ୟବର୍ତ୍ତୀ ବିଭାଜନ ରେଖାଟି ସୁସ୍ପଷ୍ଟ! ଅନେକ ରାଜନୈତିକ ବିଶେଷଜ୍ଞ ଏଥିରେ ନିହିତ ଏକ କିଞ୍ଚିତ ନିର୍ଦୟ କାରଣ ଦର୍ଶାଇ କହିଥାଆନ୍ତି ଯେ ଉତ୍ତର-ଭାରତ ରୁଢ଼ିବାଦୀ ଏବଂ ପୁରୁଣା ବିଚାର ସଂପନ୍ନ ହୋଇଥିବାରୁ ଦକ୍ଷିଣପନ୍ଥୀ ଓ ହିନ୍ଦୁତ୍ବବାଦୀ ବିଜେପିର ପୃଷ୍ଠପୋଷକ ଏବଂ ଏହି ଦୃଷ୍ଟିରୁ ଏହା ପ୍ରଗତିଶୀଳ, ସଚେତନ ଓ ଆଧୁନିକ ଦାକ୍ଷିଣାତ୍ୟ ଠାରୁ ପୃଥକ୍! କିନ୍ତୁ, ‘ଦ ପ୍ରିଣ୍ଟ’ର ମୁଖ୍ୟ ସଂପାଦକ ଶେଖର ଗୁପ୍ତା ଏଭଳି ଧାରଣା ସହିତ ଏକମତ ନ ହୋଇ କହିଥାଆନ୍ତି ଯେ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ ‘ଇମର୍ଜେନ୍ସି’କୁ ପ୍ରତ୍ୟାଖ୍ୟାନ କରିବା ସହିତ ପ୍ରଗତିଶୀଳ ଚିନ୍ତାଧାରାର ପରିଚୟ ଦେଇ ୧୯୭୭ ମସିହା ନିର୍ବାଚନରେ ଉତ୍ତର-ଭାରତ ହିଁ କଂଗ୍ରେସକୁ ଧରାଶାୟୀ କରି ଦେଇଥିଲା; ଯେତେବେଳେ କି ଉତ୍ତର-ଭାରତ ପ୍ରକୃତରେ ଥିଲା କଂଗ୍ରେସର ଏକ ଅଭେଦ୍ୟ ଦୁର୍ଗ। ଏଣେ ଏହି ନିର୍ବାଚନରେ ଦାକ୍ଷିଣାତ୍ୟର ସଚେତନ ଭୋଟରଗଣ କଂଗ୍ରେସକୁ ଆଶାତୀତ ସଂଖ୍ୟାରେ ଭୋଟ ଦେଇ ‘ଇମର୍ଜେନ୍ସି’ର ପରାଭବକୁ ସତେ ଯେମିତି ସ୍ବୀକାର କରି ନେଇଥିଲେ! କେବଳ ସେତିକି ନୁହେଁ; ଗୁପ୍ତା ମହାଶୟ ଉତ୍ତର-ଦକ୍ଷିଣ ବିଭାଜନ ରେଖାକୁ ମଧ୍ୟ ସ୍ବୀକାର କରି ନ ଥାଆନ୍ତି। ତାଙ୍କ ମତରେ ପ୍ରଥମତଃ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ମଧ୍ୟ-ଭାରତର ଅଂଶ, ଉତ୍ତର-ଭାରତର ନୁହେଁ। ଦ୍ବିତୀୟ କଥା ହେଲା ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଦେଇ କର୍ଣ୍ଣାଟକ ପର୍ଯ୍ୟନ୍ତ ଭାରତର ପୂର୍ବ ଉପକୂଳରୁ ଆରମ୍ଭ କରି ପଶ୍ଚିମ ଉପକୂଳର କ୍ରମାଗତ ଛଅଟି ରାଜ୍ୟରେ ବିଜେପି ଶାସନ କ୍ଷମତାରୁ ଦୂରରେ ଏବଂ ସପ୍ତମ ରାଜ୍ୟ ମହାରାଷ୍ଟ୍ରରେ ଏହା ଶିବସେନା ନେତୃତ୍ବାଧୀନ ମେଣ୍ଟ ସରକାରରେ ଏକ ଅଂଶ। ଭାରତର ଉପକୂଳସ୍ଥ ରାଜ୍ୟ ମଧ୍ୟରୁ କେବଳ ଗୁଜରାଟ ଏବଂ କ୍ଷୁଦ୍ର ଗୋଆ ବିଜେପି ଶାସନାଧୀନ। ସୁତରାଂ, ଏଭଳି ଏକ ଉପସଂହାର ମଧ୍ୟ ମିଳିପାରେ ଯେ ବିଜେପି ଏବଂ ଅଣ-ବିଜେପି ଶାସିତ ଅଞ୍ଚଳ ମଧ୍ୟରେ ବିଭାଜନ ରେଖାଟି ଭାରତକୁ ଉତ୍ତର ଏବଂ ଦକ୍ଷିଣ ହିସାବରେ ଦ୍ବିଧା ବିଭକ୍ତ ନ କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ଆଭ୍ୟନ୍ତରୀଣ ଅଞ୍ଚଳ ଠାରୁ ହୁଏ’ତ ବିଚ୍ଛିନ୍ନ କରୁଥାଇପାରେ! ତେବେ, ଏହାର କାରଣ କ’ଣ ହୋଇଥିବା ସମ୍ଭବ?
ଟିକିଏ ବିଚାର କଲେ ଆଉ ଗୋଟିଏ ବିଭାବ ମଧ୍ୟ ଦିଶିଥାଏ; ଉପକୂଳସ୍ଥ ଆଠଟି ରାଜ୍ୟରୁ ପାଞ୍ଚଟିରେ ଆଞ୍ଚଳିକ ଦଳଗୁଡ଼ିକ ଉଭୟ ବିଜେପି ଏବଂ କଂଗ୍ରେସକୁ କ୍ଷମତା ରିକ୍ତ କରି ରଖିଛନ୍ତି ଏବଂ ଗୋଟିକରେ ବିଜେପି ଏକ ଆଞ୍ଚଳିକ ଦଳ (ଶିବସେନା) ନେତୃତ୍ବାଧୀନ ମେଣ୍ଟ ସରକାରର ଅଂଶ। ଏହି ରାଜ୍ୟଗୁଡ଼ିକ ଅଣ-ହିନ୍ଦୀ ଭାଷୀ ଏବଂ ଅନେକ ସମୟରେ ଭାଷାଭିତ୍ତିକ ଆଞ୍ଚଳିକ ଅସ୍ମିତାର ଜୈତ୍ର ଉଡ଼ାଇ ଥାଆନ୍ତି; ଯେଉଁ ପ୍ରଭାବକୁ ଭେଦ କରିବା ବିଜେପି ବା କଂଗ୍ରେସ ଭଳି ରାଷ୍ଟ୍ରୀୟ ଦଳ ସକାଶେ କଷ୍ଟକର ମଧ୍ୟ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଭରସାଯୋଗ୍ୟ ଆଂଚଳିକ ଆବେଦନ ସୃଷ୍ଟି କରି ନ ପାରିଲେ ଏହି ଜାତୀୟ ଦଳଗୁଡ଼ିକ ସେ ସବୁ ରାଜ୍ୟରେ ବହିରାଗତ ରୂପେ ମଧ୍ୟ ବିବେଚିତ ହୋଇ ରହି ଯାଇପାରନ୍ତି। ଅବଶ୍ୟ, ଗୁଜରାଟ ମଧ୍ୟ ଏକ ଅଣ ହିନ୍ଦୀ ଭାଷୀ ରାଜ୍ୟ; କିନ୍ତୁ ଏହା ବିଜେପିର ଦୁର୍ଗ ରୂପେ ଗଢ଼ି ଉଠିବାର ଏକମାତ୍ର କାରଣ ହେଲା ଦଳର ଶୀର୍ଷତମ ସ୍ଥାନରେ ଦୁଇ ଗୁଜରାଟୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ଉପସ୍ଥିତି; ଯାହା ମଧ୍ୟ ଆଞ୍ଚଳିକ ଅସ୍ମିତାବୋଧର ପରିଚାୟକ ଏବଂ ମୋଦୀ ଓ ଶାହଙ୍କ ଅନୁପସ୍ଥିତିରେ ଗୁଜରାଟରେ ବିଜେପି ଦୁର୍ବଳ ହୋଇଯାଇପାରେ ଏବଂ ଏଭଳି ସମୟରେ ଏକ ବଳିଷ୍ଠ ଆଞ୍ଚଳିକ ଦଳର ଉନ୍ମେଷ ଘଟିଲେ ହୁଏତ ବିଜେପି କ୍ଷମତାନ୍ତରିତ ହୋଇଯିବା ମଧ୍ୟ ସମ୍ଭବ! ଆଞ୍ଚଳିକ ଦଳର ପ୍ରଭାବ ସଦ୍ୟ ସମାପ୍ତ ନିର୍ବାଚନରେ ମିଜୋରମରେ ମଧ୍ୟ ପରିଲକ୍ଷିତ ହୋଇଛି, ଯେଉଁଠାରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡ୍ପିଏମ୍)ର ବିପୁଳ ବିଜୟ ଘଟିଛି। ଉତ୍ତର-ପୂର୍ବୀୟ ଭାରତର ଅବଶିଷ୍ଟ ଛଅଟି ରାଜ୍ୟରୁ ଅନ୍ତତଃ ତିନିଟି ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ଏ ଯାବତ୍ ବିେଜପିକୁ ଏକକ ଶାସନ କ୍ଷମତା ଦଖଲରୁ ଦୂରେଇ ରଖିଛନ୍ତି। ତେଣୁ ତର୍ଜମା କଲା ବେଳେ ଏହି ବିନ୍ଦୁକୁ ମଧ୍ୟ ଦୃଷ୍ଟିରେ ରଖିବାକୁ ହେବ, ଯାହା ବିଜେପି ଓ ଅଣ-ବିଜେପି ଶାସନ ମଧ୍ୟରେ ଏକ ବିଭାଜନ ରେଖା ସଦୃଶ ପ୍ରତୀୟମାନ ହୋଇଥାଏ।
ସତ କହିଲେ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ କଂଗ୍ରେସର ଯେଉଁଭଳି ଅଖିଳ ଭାରତୀୟ ଉପସ୍ଥିତି ଥିଲା, ବିଜେପି ଏ ପର୍ଯ୍ୟନ୍ତ ତା’ର ସମକକ୍ଷ ହୋଇପାରିନାହିଁ। ଅବଶ୍ୟ, ଏହାର ଏକ ବଡ଼ କାରଣ ହେଲା ସେହି ସମୟରେ ବଳିଷ୍ଠ ଆଞ୍ଚଳିକ ଦଳଗୁଡ଼ିକ ଜନ୍ମ ନେଇ ନ ଥିଲେ ଏବଂ କଂଗ୍ରେସ ପ୍ରାୟତଃ ବିରୋଧୀ ଶୂନ୍ୟ ଥିଲା। ସେହି ଦୃଷ୍ଟିରୁ ବିଚାର କଲେ ୧୯୮୪ ମସିହା ନିର୍ବାଚନରେ ମାତ୍ର ଦୁଇଟି ଆସନ ଲାଭ କରିଥିବା ବିଜେପି ୨୦୧୯ ମସିହା ବେଳକୁ ୩୦୩ଟି ଆସନରେ ଜୟଯୁକ୍ତ ହେବା ଏକ ଅତ୍ୟନ୍ତ ବିରଳ ଶ୍ରେଣୀୟ ଉପଲବ୍ଧି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେହି ସମୟରେ ଶିଶୁ ପ୍ରାୟ ଦିଶୁଥିବା ବିଜେପିର ନିରନ୍ତର ପ୍ରହାରରେ କଂଗ୍ରେସର ଦୃଢ଼ ଭିତ୍ତି କ୍ରମେ କ୍ଷୟପ୍ରାପ୍ତ ହେବା ଆରମ୍ଭ କରିଥିଲା, ଯାହା ଶେଷରେ ଭୂଲୁଂଠିତ ହୋଇଥିଲା। ସୁତରାଂ, ବିଜେପିଶୂନ୍ୟ ଦକ୍ଷିଣ ଭାରତ ଆଡ଼କୁ ଚାହିଁ ଏଭଳି ଏକ ଦଳର ପରାକ୍ରମକୁ ନଜରଅନ୍ଦାଜ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। କାରଣ ବିଜେପି ଏଭଳି ଏକ ଦଳ ଯାହା ନିର୍ବାଚନ ସଫଳତା ସକାଶେ ଭୂମି-ଲଗ୍ନ ହୋଇ ନିରନ୍ତର ଶ୍ରମ କରି ଚାଲିଥାଏ। ତେଣୁ ଦାକ୍ଷିଣାତ୍ୟ ବା ଉପକୂଳବର୍ତ୍ତୀ ଭାରତର ଅଣ-ବିଜେପି ଦୁର୍ଗରେ ଛିଦ୍ର କରିବାରେ ଏହି ଦଳ ପ୍ରମତ୍ତ ରହିବ ଏବଂ କେତେକ ସ୍ଥଳେ ଅଗତ୍ୟା ସଫଳ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି। କାରଣ ଭାରତର ଗଣତନ୍ତ୍ରର ଚରିତ୍ର ଯାହା, ତହିଁରେ କୌଣସି ଧାରଣା ଅନ୍ତିମ ହୋଇ ନ ଥାଏ ଏବଂ କୌଣସି ବିଭାଜନ ରେଖା କୌଣସି ଦଳ ଲାଗି ହେଲେ ମଧ୍ୟ ଅନତିକ୍ରମ୍ୟ ହୋଇ ନ ଥାଏ।