ରୌରବରୁ ରକ୍ଷା

ଯଦି ସଦ୍ୟ ଜଣେ ଚୀନା ଗବେଷିକା ପ୍ରକାଶ କରିଦେଇଥିବା ଏକ ଗୋପନୀୟ ସୂଚନା ସତ୍ୟ ହୋଇଥାଏ, ସାରା ପୃଥିବୀକୁ କବଳିତ କରିଥିବା କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳୀ ହେଉଛି ଚୀନ୍‌ର ଉହାନ୍‌ସ୍ଥିତ ଏକ ଗବେଷଣାଗାର। ଗବେଷଣାଗାର ହେଉ କି ଜଙ୍ଗଲୀ ଜୀବଜନ୍ତୁ ହେଉ, ଭୂତାଣୁକୁ ସେଠାରୁ ଆଣି ମନୁଷ୍ୟ ଶରୀରରେ ପ୍ରବେଶ କରାଇ ଚୀନାମାନେ ସମଗ୍ର ମାନବ ସମାଜର ଯେଉଁ କ୍ଷତି ଘଟାଇଛନ୍ତି ଓ ଘଟାଇ ଚାଲିଛନ୍ତି, ତାହା ଏତେ ବିଶାଳ ଯେ ତା’ର ଆକଳନ କରିବା କଷ୍ଟକର। ତେବେ ଏହି ବିଶ୍ବବ୍ୟାପୀ ମହାମାରୀ ଏପରି ଏକ ପାର୍ଶ୍ବ ପ୍ରଭାବ ମଧୢ ସୃଷ୍ଟି କରିଛି, ଯାହା ସମ୍ପୂର୍ଣ୍ଣ ଅଭାବିତ ଭାବରେ ମାନବ ସମାଜ ସମ୍ମୁଖୀନ ହୋଇଥିବା ଏକ ଅସ୍ତିତ୍ବ ସ˚କଟକୁ ସାମାନ୍ୟ ଲାଘବ କରିବା ଭଳି ମନେ ହେଉଛି। କରୋନା ଭୟରେ ମନୁଷ୍ୟମାନେ ଘର ଭିତରେ ବନ୍ଦ ହୋଇ ରହିବା ଫଳରେ ସେମାନଙ୍କର ଦୈନନ୍ଦିନ ଜୀବନ ଯାତ୍ରା ଯୋଗୁଁ ସୃଷ୍ଟି ହେଉଥିବା ବାୟୁମଣ୍ତଳର ଉତ୍ତାପ ବୃଦ୍ଧିକାରୀ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ (ଯେମିତି ଗାଡ଼ି ମଟର ଧୂଆଁ, କଳକାରଖାନା ଧୂଆଁ, ଜଙ୍ଗଲ ଧ୍ବ˚ସ ଇତ୍ୟାଦି) ମାତ୍ରାରେ ହ୍ରାସ ଘଟିବା ଦେଖାଯାଇଛି।

ଏହା ୨୦୧୫ରେ ପ୍ୟାରିସ୍‌ ଜଳବାୟୁ ଚୁକ୍ତି ଦ୍ବାରା ଧାର୍ଯ୍ୟ କରାଯାଇଥିବା ବିଶ୍ବ ଉତ୍ତପ୍ତୀକରଣ ନିୟନ୍ତ୍ରଣ ଲକ୍ଷ୍ୟ ହାସଲରେ ସହାୟକ ହେବାର ସମ୍ଭାବନା ସୃଷ୍ଟି କରିଛି। ଏହି ଲକ୍ଷ୍ୟ ଅନୁସାରେ ବାୟୁମଣ୍ତଳର ଉତ୍ତାପ ବୃଦ୍ଧିକୁ ୨୧୦୦ ମସିହା ସୁଦ୍ଧା ପ୍ରାକ୍‌-ଶିଳ୍ପ ବିପ୍ଳବ ସ୍ତର ଠାରୁ ମାତ୍ର ୨ ଡିଗ୍ରି ଅଧିକ ମଧୢରେ ସୀମିତ ରଖିବାକୁ ହେବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ଅର୍ଥାତ୍‌ ପୃଥିବୀବାସୀଙ୍କୁ ପ୍ରତିବର୍ଷ ସେମାନେ ସୃଷ୍ଟି କରୁଥିବା ଅଙ୍ଗାର ନିର୍ଗମନରେ ୫ ଶତା˚ଶ ଲେଖାଏଁ ହ୍ରାସ କରିବା ଆବଶ୍ୟକ। ଯେହେତୁ ପୃଥିବୀର ବାୟୁମଣ୍ତଳ ବର୍ତ୍ତମାନ ପ୍ରାକ୍‌-ଶିଳ୍ପ ବିପ୍ଳବ (ଯେଉଁ ସମୟରେ କଳକାରଖାନା, ମଟର ଗାଡ଼ି ଆଦିର ଆବିର୍ଭାବ ଘଟିନଥିଲା) ସମୟର ବାୟୁମଣ୍ତଳଠାରୁ ୧.୧ ଡିଗ୍ରି ଅଧିକ ଉତ୍ତପ୍ତ ହୋଇ ସାରିଲାଣି, ପୃଥିବୀକୁ ଏକ ତପ୍ତ ଚୁଲିରେ ପରିଣତ ହେବାରୁ ରକ୍ଷା କରିବାକୁ ହେଲେ କଠୋର ପଦକ୍ଷେପମାନ ନେଇ ଅଙ୍ଗାର ନିର୍ଗମନରେ ଲଗାତର ବିଶେଷ ହ୍ରାସ ଘଟାଇବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ଜୀବନ-ନାଶକ ଚୀନା କରୋନା ଆମକୁ ଏହି ସ˚ଯମ ଆଚରଣ କରିବାକୁ ବାଧୢ କରିଛି।

ସେପ୍‌ଟେମ୍ବର ୯ ତାରିଖରେ ମିଳିତ ଜାତିସ˚ଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପ୍ରକାଶ କରିଥିବା ଏକ ଜଳବାୟୁ ପରିବର୍ତ୍ତନ ଆକଳନରୁ ଏ ସମ୍ବନ୍ଧରେ ଏକ ଧାରଣା ଉପଲବ୍‌ଧ ହୋଇଥାଏ। ଯେଉଁ ରିପୋର୍ଟ ଆଧାରରେ ଏହି ଆକଳନ ପ୍ରକାଶ ପାଇଛି, ‘ଇଉନାଇଟେଡ୍‌ ଇନ୍‌ ସାଇନ୍‌ସ’ (ବିଜ୍ଞାନରେ ମିଳିତ) ଶୀର୍ଷକ ସେଇ ରିପୋର୍ଟ ପ୍ରସ୍ତୁତ କରିଛି ‘ଵାର୍ଲଡ୍‌ ମେଟିଓରୋଲୋଜିକାଲ୍‌ ଅର୍ଗାନାଇଜେସନ୍‌’। ଏହି ସ˚ସ୍ଥା ନିଜର ଗବେଷଣା ପ୍ରସୂତ ତଥ୍ୟ ଏବ˚ ପାଞ୍ଚଟି ଅନ୍ୟ ବିଜ୍ଞାନ ଗବେଷଣା ସ˚ସ୍ଥା ଦ୍ବାରା ସ˚ଗୃହୀତ ତଥ୍ୟକୁ ଏକାଠି କରି ପ୍ରସ୍ତୁତ କରିଥିବା ଏହି ରିପୋର୍ଟରୁ ଜଣାପଡ଼େ ଯେ ଏପ୍ରିଲ୍‌ ଆଦ୍ୟ ଭାଗରେ ପୂର୍ବ ବର୍ଷ ତୁଳନାରେ ଉତ୍ତାପ ସୃଷ୍ଟିକାରୀ ବାଷ୍ପ (‘ଗ୍ରିନହାଉସ୍‌ ଗ୍ୟାସ୍‌’- ‘ଜିଏଚ୍‌ଜି’) ନିର୍ଗମନରେ ୧୭ ଶତା˚ଶ ସ୍ଖଳନ ଘଟିଥିବା ବେଳେ ଜୁନ୍‌ ମାସ ବେଳକୁ ଦୈନିକ ନିର୍ଗମନରେ ବୃଦ୍ଧି ଘଟି ଗତ ବର୍ଷର ସର୍ବୋଚ୍ଚ ସ୍ତରର ପ୍ରାୟ ମାତ୍ର ୫ ଶତା˚ଶ ତଳେ ପହଞ୍ଚି ଯାଇଥିଲା।

ଏହାର କାରଣ ହୃଦୟଙ୍ଗମ କରିବା କଷ୍ଟକର ନୁହେଁ। ଏପ୍ରିଲ୍‌ ପର୍ଯ୍ୟନ୍ତ କଡ଼ାକଡ଼ି ଲକ୍‌ଡାଉନ୍‌ ଯୋଗୁଁ ସମସ୍ତ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ପ୍ରାୟ ଠପ୍‌ ହୋଇଯାଇଥିବାରୁ ନିର୍ଗମନରେ ଏକ ବିଶେଷ ହ୍ରାସ ଘଟିଥିଲା। ଜୁନ୍‌ ବେଳକୁ ଅର୍ଥନୈତିକ କାର୍ଯ୍ୟକଳାପ ପୁଣି ସକ୍ରିୟ ହେବାକୁ ଲାଗିବା ସହିତ ନିର୍ଗମନ ସ୍ତରରେ ସ୍ବାଭାବିକ ଭାବରେ ବୃଦ୍ଧି ଘଟିବା ଦେଖାଗଲା। ସେଇ ରିପୋର୍ଟରେ ଅନୁମାନ କରାଯାଇଛି ଯେ ୨୦୨୦ ବର୍ଷ ଶେଷ ହେବା ବେଳକୁ ପୃଥିବୀରେ ‘ଜିଏଚ୍‌ଜି’ ନିର୍ଗମନ ଯେଉଁ ସ୍ତରରେ ପହଞ୍ଚିଥିବ, ତାହା ୨୦୧୯ ସ୍ତର ଠାରୁ ୪ରୁ ୭ ଶତା˚ଶ ପର୍ଯ୍ୟନ୍ତ ତଳେ ରହିବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ମନୁଷ୍ୟର ଉଦ୍ୟମ ଯୋଗୁଁ ନୁହେଁ, କରୋନାର ଭୟ ଯୋଗୁଁ ହିଁ ‘ଜିଏଚ୍‌ଜି’ ନିର୍ଗମନରେ ଏଭଳି ଲଗାମ ଲାଗିଛି। ଏଣୁ ଚୀନା କରୋନା ଏଯାବତ୍‌ ପୃଥିବୀରେ ପାଖାପାଖି ଦଶ ଲକ୍ଷ ଲୋକଙ୍କର ପ୍ରାଣ ହାନି ଘଟାଇ ସାରିଥିଲେ ହେଁ, ଆମକୁ ଆମର ବାର୍ଷିକ ଅଙ୍ଗାର ନିର୍ଗମନ ହ୍ରାସ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଛି ବୋଲି କୁହାଯାଇପାରେ।

ନିର୍ଗମନ ନିୟନ୍ତ୍ରଣ ପାଇଁ ଦିଆଯାଇଥିବା ଏହି ମୂଲ୍ୟ କିନ୍ତୁ ଯେତିକି ଅସ୍ବାଭାବିକ ଭାବରେ ଉଚ୍ଚ, ସେତିକି ମଧୢ ଏକ ବିଡ଼ମ୍ବନା। ନିର୍ଗମନ ହ୍ରାସର ଅନ୍ତିମ ଲକ୍ଷ୍ୟ ହେଉଛି ପୃଥିବୀ ପୃଷ୍ଠରେ ମାନବ ଜୀବନର ସୁରକ୍ଷା, ଅଥଚ ଲକ୍ଷ ଲକ୍ଷ ଜୀବନ ନାଶ କରି ହିଁ କରୋନା ନିର୍ଗମନ ସ୍ତରରେ ହ୍ରାସ ଘଟାଇଛି। ତେଣୁ ଏଥିଯୋଗୁଁ ଆମେ କ୍ଷଣକ ପାଇଁ ମଧୢ ଆତ୍ମ ସନ୍ତୋଷ ଲାଭ କରିବାର ଅବକାଶ ନାହିଁ। ଆମକୁ ଉଭୟ କରୋନାକୁ କାବୁ କରିବାକୁ ହେବ ଏବ˚ ଏକ କରୋନାମୁକ୍ତ ପୃଥିବୀରେ ଅଙ୍ଗାର ନିର୍ଗମନକୁ ନିୟନ୍ତ୍ରଣ କରିବାକୁ ହେବ। ଏବ˚ ଏଥିପାଇଁ ଆମ ହାତରେ ବିଶେଷ ସମୟ ମଧୢ ନାହିଁ। ଏକ ଘୋର ଅସ୍ବସ୍ତି ସୃଷ୍ଟିକାରୀ ସୂଚନା ଅନୁସାରେ ପୃଥିବୀରେ ତାପମାନ ରେକର୍ଡ ରଖା ହେବା ଆରମ୍ଭ ଦିନ ଠାରୁ ୨୦୧୬-୨୦ ସର୍ବାଧିକ ଉତ୍ତପ୍ତ ସମୟ ଖଣ୍ତ ରୂପେ ସାବ୍ୟସ୍ତ ହେବାକୁ ଯାଉଛି। ୨୦୨୦ରୁ ୨୦୨୪ ମଧୢରେ ଅନେକ ଥର ପୃଥିବୀର ବାୟୁମଣ୍ତଳରେ ଉତ୍ତାପ ପ୍ରାକ୍‌-ଶିଳ୍ପ ବିପ୍ଳବ ସ୍ତରଠାରୁ ୧.୫ ଡିଗ୍ରି ଅଧିକ ସୀମା ଲ˚ଘନ କରିବାକୁ ଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ୟାରିସ ଜଳବାୟୁ ଚୁକ୍ତିରେ ୨ ଡିଗ୍ରି ତାପ ବୃଦ୍ଧିକୁ ଲକ୍ଷ୍ୟ ରୂପେ ଉଲ୍ଲେଖ କରାଯାଇଥିଲେ ହେଁ ଅନେକ ସଦସ୍ୟ ଦେଶ ମତ ପୋଷଣ କରିଥାଆନ୍ତି ଯେ ପ୍ରକୃତରେ ୧.୫ ଡିଗ୍ରି ବୃଦ୍ଧି ହିଁ ଲକ୍ଷ୍ୟ ହେବା ଉଚିତ। ଏହାର ଅର୍ଥ ଆସନ୍ତା ଦଶକରେ ହିଁ ଆମେ ଅନେକ ଥର ସେ ବିପଦ ସୀମା ଅତିକ୍ରମ କରିବାର ଦୁର୍ଭାଗ୍ୟ ଅର୍ଜନ କରିବାକୁ ଯାଉଛୁ। କରୋନାର ଅବସାନ ପରେ ଯଦି ଚିରାଚରିତ ପଦ୍ଧତିରେ ଅର୍ଥନୈତିକ କାର୍ଯ୍ୟକଳାପରେ ବିସ୍ଫୋରକ ବୃଦ୍ଧି ଘଟେ, ତେବେ ପୃଥିବୀ ନାମକ ଗ୍ରହ ଏକ ପୁରାଣ ବର୍ଣ୍ଣିତ ତାତିଲା ରୌରବ ନର୍କରେ ପରିଣତ ହେବା ଅବଶ୍ୟମ୍ଭାବୀ।

ଏପରି ଘଟିବାକୁ ନଦେବାର ମୁଖ୍ୟ ଉପାୟ ହେଉଛି ଉଭୟ ଜୀବନଶୈଳୀ ଓ ଉତ୍ପାଦନ ଶୈଳୀରେ ପରିବର୍ତ୍ତନ ଘଟାଇବା। ଉଦାହରଣ ସ୍ବରୂପ କରୋନା ଆମକୁ ଶିଖାଇଥିବା ଭଳି ଯଦି ବାସସ୍ଥଳୀକୁ କାର୍ଯ୍ୟସ୍ଥଳୀ ରୂପେ ବ୍ୟବହାର ବ୍ୟବସ୍ଥାକୁ ଅବ୍ୟାହତ ରଖାଯାଏ, ତେବେ ଗମନାଗମନ ଜନିତ ପ୍ରଦୂଷଣ ବର୍ତ୍ତମାନ ଭଳି ନୀଚା ସ୍ତରରେ ରହି ଚାଲିବ। ମୁହାଁମୁହିଁ ଆଲୋଚନାର ସ୍ଥାନ ବର୍ତ୍ତମାନ ଯେପରି ଭର୍ଚୁଆଲ୍‌ ଆଲୋଚନା ନେଇଛି, ତାହା ସେହିପରି ରହିବା ଉଚିତ। କଳକାରଖାନାରୁ ଗାଡ଼ି ମଟର ପର୍ଯ୍ୟନ୍ତ ଅଧିକରୁ ଅଧିକ କୋଇଲା ବା ପେଟ୍ରୋଲିଅମ୍‌ ପରିବର୍ତ୍ତେ ସୂର୍ଯ୍ୟାଲୋକ ବା ବାୟୁରୁ ଉତ୍ପନ୍ନ ଅକ୍ଷୟ ଶକ୍ତି ଉପରେ ନିର୍ଭର କରିବା ଉଚିତ।

ଶକ୍ତିର ବ୍ୟବହାରକାରୀମାନେ ଏହି ପରିବର୍ତ୍ତନ ଘଟାଇବା ଯେତିକ ଦରକାର ଶକ୍ତି ଉତ୍ପାଦନ ଓ ଯୋଗାଣକାରୀ ମଧୢ ଅନୁରୂପ ପରିବର୍ତ୍ତନ ମାନ ଘଟାଇବା ସେତିକି ଗୁରୁତ୍ବପୂର୍ଣ୍ଣ। ଏକ ଆଶ୍ବାସନାର କଥା ଯେ, ପୃଥିବୀର ପ୍ରମୁଖ ତୈଳ କମ୍ପାନିମାନେ ଏହି ପରିବର୍ତ୍ତନରେ ନେତୃତ୍ବ ନେବାକୁ ଆଗେଇ ଆସିବା ଦେଖାଗଲାଣି। ଉଦାହରଣ ସ୍ବରୂପ ପୃଥିବୀର ଅନ୍ୟତମ ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନି ‘ବିପି’ (ପୂର୍ବେ ‘ବ୍ରିଟିସ୍‌ ପେଟ୍ରୋଲିଅମ୍‌’ ରୂପେ ନାମିତ ଥିଲା) ଗତ ମାସରେ ଘୋଷଣା କରିଛି ଯେ ସେମାନେ ତୈଳ ଓ ବାଷ୍ପ ବ୍ୟବସାୟରୁ ଓହରିଯିବାକୁ ଲକ୍ଷ୍ୟ ରଖିଛନ୍ତି। କମ୍ପାନି ୨୦୩୦ ସୁଦ୍ଧା ତୈଳ ଓ ବାଷ୍ପ ଉତ୍ପାଦନରେ ୪୦ ଶତା˚ଶ ହ୍ରାସ ଘଟାଇବାକୁ ଯାଉଛି ବୋଲି ସେତେବେଳେ ଘୋଷଣା କରିଥିଲା। ଏଇମାତ୍ର ସେପ୍‌ଟେମ୍ବର ୧୦ ତାରିଖରେ ‘ବିପି’ ଘୋଷଣା କରିଛି ଯେ ନରେଵର ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ‘ଇକ୍ବିନର‌୍‌’ ସହିତ ମିଳିତ ହୋଇ ସେମାନେ ଆମେରିକାର ଉପକୂଳବର୍ତ୍ତୀ ସମୁଦ୍ରରେ ପବନ କଳ ମାନ ପ୍ରତିଷ୍ଠା କରିବାକୁ ଯାଉଛନ୍ତି।

ଭାରତ ସମେତ ବିଭିନ୍ନ ଦେଶମାନେ ନିଜ ନିଜ ଦେଶରେ ଗମନାଗମନ ଓ ପରିବହନ କ୍ଷେତ୍ରରେ ଜୈବ ଇନ୍ଧନର ବ୍ୟବହାର ନିକଟ ଭବିଷ୍ୟତରେ ସମ୍ପୂର୍ଣ୍ଣ ବନ୍ଦ କରି ବିଦ୍ୟୁତ୍‌ ଚାଳିତ ଯାନ ପ୍ରଚଳନ ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଖାଉଟି ପାର୍ଶ୍ବରୁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସରେ ବେଶ୍‌ ଫଳପ୍ରଦ ହେବ। ଯଦି ପୃଥିବୀବ୍ୟାପୀ ଏଭଳି ଉଦ୍ୟମ ଅବ୍ୟାହତ ରହେ, ତେବେ କରୋନା ପରବର୍ତ୍ତୀ କାଳରେ ଆମେ ବିଶ୍ବ ଜଳବାୟୁକୁ ସୁରକ୍ଷିତ ରଖିପାରିବା। ରୌରବରୁ ରକ୍ଷା ପାଇବା ସମ୍ଭବ ହେବ।

ସମ୍ବନ୍ଧିତ ଖବର