ଭାଷା, ଭାବନା ଓ କରୋନା

ଆମେମାନେ ବର୍ତ୍ତମାନ କେଉଁ ଅବସ୍ଥାର ସମ୍ମୁଖୀନ- ଲକ୍‌ଡାଉନ୍‌ ୫.୦ ନା ଅନ୍‌ଲକ୍‌ ୧.୦? ଆମେମାନେ ଏ ପର୍ଯ୍ୟନ୍ତ କ’ଣ ପାଳନ କରି ଚାଲିଛନ୍ତି- ସୋସିଆଲ୍ ଡିଷ୍ଟାନ୍‌ସିଙ୍ଗ୍ (ସାମାଜିକ ଦୂରତା ରକ୍ଷା) ନା ଫିଜିକାଲ୍ ଡିଷ୍ଟାନ୍‌ସିଙ୍ଗ୍ (ଶାରୀରିକ ଦୂରତା ରକ୍ଷା)? ପ୍ରାୟ ପ୍ରତ୍ୟେକ ସଚେତନ ନାଗରିକ ବର୍ତ୍ତମାନ ଚୀନା କରୋନା ବିପଦର ମୁକାବିଲା କରୁଥିବା ବେଳେ ଏହି ଭାଷାଗତ ଦ୍ବନ୍ଦ୍ବର ସମ୍ମୁଖୀନ ହେବା ଦେଖାଯାଉଛି। ଯଦି କ୍ଷଣକ ପାଇଁ ଏହି ଦ୍ବନ୍ଦ୍ବରୁ କରୋନା ପରିପ୍ରେକ୍ଷୀକୁ ଅପସାରିତ କରି ଦିଆଯାଏ, ତେବେ ଦ୍ବନ୍ଦ୍ବଟିକୁ ଏଇଭଳି ଉପସ୍ଥାପନ କରାଯାଇ ପାରେ: ଭାବନା ଭାଷା ଉପରେ ନିର୍ଭର କରେ ନା ଭାଷା ଭାବନା ଉପରେ ନିର୍ଭର କରେ?

ଯଦିବା ଅନେକ ମନସ୍ତତ୍ତ୍ବବିତ୍ ଓ ଭାଷାବିତ୍‌ମାନେ ଏକ ମତ ପୋଷଣ କରନ୍ତି ଯେ ଭାବନା ଭାଷା ଉପରେ ନିର୍ଭର କରିନଥାଏ ଏବଂ ସ୍ବାଧୀନ ଭାବରେ ମନୁଷ୍ୟର ମସ୍ତିଷ୍କରେ ତା’ର ଆବିର୍ଭାବ ଘଟିଥାଏ, ଯାହାକୁ ସେ ପ୍ରକାଶ କରିବାକୁ ଭାଷାର ମାଧ୍ୟମ ବ୍ୟବହାର କରିଥାଏ। କିନ୍ତୁ ଅନ୍ୟ ଅନେକ ପଣ୍ଡିତ ଭାଷା ଭାବନାକୁ ରୂପ ଦେବାରେ ଏକ ନିର୍ଣ୍ଣୟାତ୍ମକ ଭୂମିକା ନିର୍ବାହ କରିଥାଏ ବୋଲି ଦୃଢ଼ ମତ ପ୍ରକାଶ କରିଥାନ୍ତି। ଯେମିତି ବିଚକ୍ଷଣ ଭାଷାବିତ୍ ଦ୍ବୟ- ଏଡ୍‌ୱାର୍ଡ ସାପିର୍ ଓ ତାଙ୍କର ଶିଷ୍ୟ ବେଞ୍ଜାମିନ୍ ଲି ହୋର୍ଫ। ଏମାନଙ୍କ ମତରେ ଦୁନିଆ ସମ୍ବନ୍ଧରେ ଯେଉଁ ବିଭିନ୍ନ ଧାରଣା ମାନ ଆମ ମନରେ ଚିତ୍ର ଭଳି ପ୍ରବାହିତ ହୋଇ ଚାଲିଥାଏ, ଆମେ ଶିଖିଥିବା ଭାଷା ହିଁ ସେ ସବୁକୁ ସଂଗଠିତ କରିବାରେ ମସ୍ତିଷ୍କକୁ ସାହାଯ୍ୟ କରିଥାଏ। ଅର୍ଥାତ୍ ଆମେ ବ୍ୟବହାର କରୁଥିବା ଭାଷା ହିଁ ଆମ ଭାବନାକୁ ନିର୍ଦ୍ଦିଷ୍ଟ ରୂପ ପ୍ରଦାନ କରିଥାଏ। ଅନ୍ୟ ପ୍ରକାରେ କହିଲେ, ଲୋକମାନଙ୍କର ଚିନ୍ତା ବା ଭାବନା ସେମାନଙ୍କ ଭାଷାରେ ଉପଲବ୍‌ଧ ଧାରଣା ସବୁର ପ୍ରକାର ଭେଦ ଦ୍ବାରା ନିର୍ଣ୍ଣିତ ହୋଇଥାଏ। ଏପରି ମତବାଦକୁ ବିଧିବଦ୍ଧ ଭାବରେ ନାମକରଣ କରାଯାଇଛି- ‘ଭାଷାଶ୍ରୟୀ ନିର୍ଣ୍ଣୟବାଦ’ ବା ‘ଲିଙ୍ଗୁଇଷ୍ଟିକ୍ ଡିଟର୍‌ମିନିଜ୍‌ମ’।

ଏହି ପ୍ରକାର ଚିନ୍ତାଧାରାକୁ ଆହୁରି ଦୂରକୁ ଆଗେଇ ନେଇ କେତେକ ଦାର୍ଶନିକ ମଧ୍ୟ ମତ ପ୍ରକାଶ କରିବା ଦେଖାଯାଇଛି ଯେ, ଯେହେତୁ ପଶୁମାନେ ଭାଷା ବ୍ୟବହାର କରନ୍ତି ନାହିଁ, ତେଣୁ ସେମାନଙ୍କର ମଧ୍ୟ ଚେତନା ନ ଥାଏ ଏବଂ ତେଣୁ ସେମାନେ ମନୁଷ୍ୟ ଭଳି ଚେତନାଶୀଳ ପ୍ରାଣୀ ପରି ସମାନ ଅଧିକାର ଉପଭୋଗ କରିପାରିବେ ନାହିଁ; ସେମାନଙ୍କୁ ସେଭଳି ଅଧିକାର ପ୍ରଦାନ କରାଯିବା ଯୁକ୍ତି ସମ୍ମତ ନୁହେଁ। ଏଭଳି ଯୁକ୍ତିର ଯଥାର୍ଥତା ସାବ୍ୟସ୍ତ କରିବା ଉଦ୍ୟମର ଏକ ଆମୋଦଦାୟକ ଉଦାହରଣ ହେଉଛି ପ୍ରସିଦ୍ଧ ଦାର୍ଶନିକ କେମ୍ବ୍ରିଜ୍-ବିଶ୍ବବିଦ୍ୟାଳୟର ଲୁଡ୍‌ୱିଗ୍ ୱିଟ୍‌ଗେନ୍‌ଷ୍ଟାଇନ୍ (ମହାନ୍ ଦାର୍ଶନିକ ବର୍ଟ୍ରାଣ୍ଡ୍ ରସେଲ୍‌ଙ୍କର ଛାତ୍ର, ଯାହାଙ୍କୁ ରସେଲ୍ ସେ ଦେଖିଥିବା ସର୍ବଶ୍ରେଷ୍ଠ ‘ଜିନିଅସ୍’ ରୂପେ ବର୍ଣ୍ଣନା କରିଥିଲେ) କୁକୁରମାନଙ୍କ ସମ୍ବନ୍ଧରେ ପ୍ରଦାନ କରିଥିବା ଏହି ମନ୍ତବ୍ୟ: ‘‘ଏକ କୁକୁର ମନରେ ଏପରି ଏକ ଭାବନା ଦେଖା ଦେଇ ନପାରେ ‘ବୋଧ ହୁଏ ଆସନ୍ତାକାଲି ବର୍ଷା ହୋଇପାରେ’।’’ ତେଣୁ ମନୁଷ୍ୟର ଯେତେ ବିଶ୍ବସ୍ତ ବନ୍ଧୁ ହୋଇଥିଲେ ହେଁ କୁକୁରର ଭାଷାହୀନତା ତାକୁ ଚେତନାଶୀଳ ପ୍ରାଣୀ ସମ ଅଧିକାରରୁ ବଞ୍ଚିତ କରିଥାଏ। (ରସେଲ୍ କିନ୍ତୁ ତାଙ୍କ ଛାତ୍ରଙ୍କର ଏକ ବିପରୀତ ଦୃଷ୍ଟିଭଙ୍ଗୀ ଗ୍ରହଣ କରି କହିଥିଲେ, ଏକ କୁକୁର ତା’ର ପିତାମାତା ଅତ୍ୟନ୍ତ ସାଧୁ କିନ୍ତୁ ଗରିବ ଥିଲେ ବୋଲି ତୁମକୁ କହିବା ପାଇଁ ସକ୍ଷମ ନ ହୋଇପାରେ, କିନ୍ତୁ ଏଥିରୁ କ’ଣ ଜଣେ କେହି ଏହି ସିଦ୍ଧାନ୍ତରେ ଉପନୀତ ହୋଇ ପାରିବ ଯେ କୁକୁରଟି ହେଉଛି ଚେତନାଶକ୍ତି ରହିତ ଏକ ପ୍ରାଣୀ?)

ଭାଷା ଓ ଭାବନା ମଧ୍ୟରେ ଏ ତାତ୍ତ୍ବିକ ଦ୍ବନ୍ଦ୍ବ ସେ ଯାଏଁ ଚାଲୁ ରହିବ, ଯେ ଯାଏଁ ମନୁଷ୍ୟ ଏକ ବୌଦ୍ଧିକ ପ୍ରାଣୀ ରୂପେ ତିଷ୍ଠି ରହିଥିବ। ବର୍ତ୍ତମାନ ପରିପ୍ରେକ୍ଷୀରେ କିନ୍ତୁ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଭାରତ ସରକାର ସାପିର୍-ହୋର୍ଫ ମତବାଦକୁ ଗ୍ରହଣ କଲା ଭଳି ଘୋଷଣା କରାଯାଇଥିବା ଦେଶବ୍ୟାପୀ ପଞ୍ଚମ ପାଳି ଚୀନା କରୋନାଜନିତ ଜନଜୀବନ ନିୟନ୍ତ୍ରଣ ପଦକ୍ଷେପକୁ ‘ଲକ୍‌ଡାଉନ୍‌ ୫’ ରୂପେ ନାମିତ ନ କରି ‘ଅନ୍‌ଲକ୍ ୧’ ରୂପେ ନାମିତ କରିଛନ୍ତି। ନାମ ଯେ ଭାବନାକୁ ପ୍ରଭାବିତ କରିଥାଏ, ଏହି ମତବାଦରେ କୌଣସି ଅନୁଷ୍ଠାନ ଯଦି ସବୁଠାରୁ ଅଧିକ ବିଶ୍ବାସ କରୁଥାଏ, ସେ ଅନୁଷ୍ଠାନ ଅବଶ୍ୟ ସଚରାଚର ହେଉଛି ସରକାର। ଏହାର ଅସଂଖ୍ୟ ଉଦାହରଣ ମଧ୍ୟରୁ କେତୋଟି: ‘ସଂରକ୍ଷଣ’ ସ୍ଥାନରେ ‘ସକାରାତ୍ମକ କାର୍ଯ୍ୟକ୍ରମ’, କରୋନା ସମୟରେ ବିଭିନ୍ନ ସେବା ପ୍ରଦାନକାରୀମାନେ ହେଉଛନ୍ତି ‘କୋଭିଡ୍‌ ୱାରିଅର୍’, ‘ଟିକସ ବୃଦ୍ଧି’ ସ୍ଥାନରେ ‘ସମ୍ବଳ ସଂଗ୍ରହ’, ଭିନ୍ନକ୍ଷମ ସ୍ଥାନରେ ‘ଦିବ୍ୟାଙ୍ଗ’, ଦରିଦ୍ର ସ୍ଥାନରେ ‘ବିପିଏଲ୍’… ଇତ୍ୟାଦି। ସରକାରଙ୍କ ପକ୍ଷରେ ତେଣୁ ‘ଲକ୍‌ଡାଉନ୍ ୫’ ସ୍ଥାନରେ ‘ଅନ୍‌ଲକ୍ ୧’ (ଅର୍ଥାତ୍ ବନ୍ଦ ହୋଇଥିବା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେଲା, ଯଦିବା ତାଲା ପୂରା ଫିଟିନାହିଁ) ବ୍ୟବହାର କରିବା ହେଉଛି ଏକ ସ୍ବାଭାବିକ, ସାବଲୀଳ କାର୍ଯ୍ୟ।

ଦେଶବାସୀ ଓ ଦେଶର ଅର୍ଥନୀତି ପାଇଁ ଏହା କିନ୍ତୁ ହେଉଛି ଏକ ଅତ୍ୟନ୍ତ ସକାରାତ୍ମକ, ତାତ୍ପର୍ଯ୍ୟପୂର୍ଣ୍ଣ ଭ‌ାଷାଗତ ପରିବର୍ତ୍ତନ। ଚାରି ପାଳି ଧରି ତାଲାବନ୍ଦ କରି ଲୁଚି ରହିବାକୁ ଆହ୍ବାନ ଶୁଣି ଆସୁଥିବା ଦେଶବାସୀମାନେ ମନସ୍ତାତ୍ତ୍ବିକ ସ୍ତରରେ ଏଥି ଯୋଗୁଁ ଯେଉଁଭଳି ଏକ ଯୁଦ୍ଧବନ୍ଦୀର ବିଷାଦଗ୍ରସ୍ତ ଅବସ୍ଥା ଦେଇ କାଳ କାଟିଥିଲେ, ବର୍ତ୍ତମାନ ଏହି ନୂତନ ଶବ୍ଦ ସେମାନଙ୍କ କାନରେ ମୁକ୍ତିର ସ୍ବର ଶୁଣାଇବାକୁ ଆରମ୍ଭ କରିବ। ଦୁଇରେ, ଯଦି ବାଣିଜ୍ୟ କାରବାର ପୁଣି ଆରମ୍ଭ ହୁଏ, ତେବେ ବିଦେଶରେ ଏକ ‘ତାଲାବନ୍ଦ’ ଦେଶର ସାମଗ୍ରୀ ଅପେକ୍ଷା ଏକ ‘ତାଲାଖୋଲା’ ଦେଶର ସାମଗ୍ରୀ ଅଧିକ ନିରାପଦ ମନେ ହେବ ଓ ଗ୍ରହଣୀୟ ହେବ। ଏକ ନୂତନ ବିଶ୍ବାସର ସହିତ ଦେଶବାସୀ ଦୁର୍ଦ୍ଦିନର ସାମନା କରିବେ। ସେଇଭଳି ‘ସାମାଜିକ ଦୂରତା’ ଅପେକ୍ଷା ‘ଶାରୀରିକ ଦୂରତା’ ଅଧିକ ଗ୍ରହଣଯୋଗ୍ୟ ମନେହୁଏ। ମନୁଷ୍ୟ ସମ୍ପୂର୍ଣ୍ଣ ଭାବେ ଏକ ସାମାଜିକ ପ୍ରାଣୀ। ‘ସାମାଜିକ ଦୂରତା’ ରକ୍ଷା ସାମାଜିକ ବନ୍ଧନ ଛିନ୍ନ କରିବା ପାଇଁ ଏକ ଆହ୍ବାନ ଭଳି ମନେ ହୋଇଥାଏ। ଏମିତିରେ ଚୀନା କରୋନା ଆତଙ୍କ ଯୋଗୁଁ ସାମାଜିକ ପ୍ରାଣୀ ମନୁଷ୍ୟଠାରେ ବିଭିନ୍ନ ଅସାମାଜିକ ବିକୃତିମାନ ପ୍ରକାଶ ପାଇବାକୁ ଆରମ୍ଭ କଲାଣି। ସାମାଜିକ ଦୂରତା ରକ୍ଷା ଆହ୍ବାନ ସେ ସବୁ ବିକୃତିର ସଂଖ୍ୟା ବୃଦ୍ଧି କରିପାରେ ଏବଂ ସେ ଗୁଡ଼ିକୁ ଆହୁରି ଭୟଙ୍କର କରିପାରେ। ଏଣୁ ଆଜିର ଆହ୍ବାନ ହେବା ଉଚିତ: ଶାରୀରିକ ଦୂରତା ରକ୍ଷା କର କିନ୍ତୁ ସାମାଜିକ ବନ୍ଧନ ଛିନ୍ନ କରନାହିଁ।

ସମ୍ବନ୍ଧିତ ଖବର