ନାସ୍ତିକ ରସେଲ୍‌

ଦାର୍ଶନିକ ବର୍ଟ୍ରାଣ୍ତ୍ ରସେଲ୍‌ ଜଣେ ଜଣାଶୁଣା ନାସ୍ତିକ ଥିଲେ, ଦୁନିଆର ସ୍ରଷ୍ଟା ରୂପେ କୌଣସି ଈଶ୍ବରଙ୍କୁ ବିଶ୍ବାସ କରୁନଥିଲେ। ତାଙ୍କୁ ଥରେ ପଚରା ଗଲା ଯେ ତାଙ୍କର ମୃତ୍ୟୁ ପରେ ସେ ଯଦି ଈଶ୍ବରଙ୍କ ସହିତ ମୁହାଁମୁହିଁ ହୋଇଯାଆନ୍ତି ଏବ˚ ଈଶ୍ବର ତାଙ୍କୁ ପ୍ରଶ୍ନ କରନ୍ତି: ‘‘ତୁମେ କାହିଁକି ମତେ ବିଶ୍ବାସ କରୁନଥିଲ?’’; ସେ ଈଶ୍ବରଙ୍କୁ କି ଉତ୍ତର ଦେବେ? ରସେଲ୍‌ ତତ୍‌କ୍ଷଣାତ୍‌ ଉତ୍ତର ଦେଇଥିଲେ: ‘‘ଯଥେଷ୍ଟ ସାକ୍ଷ୍ୟ ପ୍ରମାଣ ନ ଥିଲା, ଈଶ୍ବର, ଯଥେଷ୍ଟ ସାକ୍ଷ୍ୟ ପ୍ରମାଣ ନ ଥିଲା।’’ ରସେଲ୍‌ଙ୍କର ଏହି କାଳଜୟୀ ଉତ୍ତର ଦ୍ବାରା ପ୍ରଭାବିତ ହୋଇ ଯେ ପୃଥିବୀର ସମଗ୍ର ମାନବଜାତି ନାସ୍ତିକ ହୋଇଗଲା, ଏପରି ନୁହେଁ; ପୃଥିବୀରେ ଧର୍ମ ଓ ଧର୍ମବିଶ୍ବାସୀ ଅର୍ଥାତ୍‌ ନିଜ ନିଜ ଧର୍ମ ଅନୁସାରେ ଈଶ୍ବର ବିଶ୍ବାସୀଙ୍କର ଅଭାବ ନାହିଁ। କିନ୍ତୁ ଯଦି ରସେଲ୍‌ଙ୍କ ପରବର୍ତ୍ତୀ ପୃଥିବୀରେ ଈଶ୍ବର କେବେ ରସେଲ୍‌ କହିଥିବା ଭଳି ସାକ୍ଷ୍ୟ ପ୍ରମାଣ ଅଭାବ ଜନିତ ଗଣ-ସନ୍ଦେହର ସମ୍ମୁଖୀନ ହୋଇଥିଲେ, ତାହା ହେଉଛି ବର୍ତ୍ତମାନର ବିଶ୍ବବ୍ୟାପୀ କରୋନା ମହାମାରୀ ସମୟ।

ଏହି ସନ୍ଦେହର ପ୍ରଭାବରେ ପୃଥିବୀ ସାରା ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚରେ ପୂଜା ଉପାସନା କରିବା ପାଇଁ ଆସିଥିବା ଜଣେ ହେଲେ ଈଶ୍ବରବିଶ୍ବାସୀଙ୍କୁ ବି ଦେଖିବାକୁ ମିଳୁନାହିଁ। ଖ୍ରୀଷ୍ଟଧର୍ମର ମୁଖ୍ୟ ପୀଠ ରୋମ୍‌ସ୍ଥିତ ଭାଟିକାନ୍‌ରେ ପୋପ୍‌ ଏକାକୀ ବାଲ୍‌କନିରେ ଛିଡ଼ା ହୋଇ ଶୂନ୍ୟ ପ୍ରାଙ୍ଗଣ ପ୍ରତି ହାତ ହଲାଇବାର ଚିତ୍ର ପ୍ରସାରିତ ହେଉଛି। ଇସ୍‌ଲାମ୍‌ର ମୁଖ୍ୟ ପୀଠ ମକ୍‌କାରେ ହଜ୍‌ଙ୍କୁ ବାତିଲ୍‌ କରି ଦିଆଯାଇଛି। ହିନ୍ଦୁ ମନ୍ଦିରମାନଙ୍କରୁ ବୌଦ୍ଧ ପାଗୋଡ଼ା ପର୍ଯ୍ୟନ୍ତ ଶୂନ୍‌ଶାନ୍‌। ସମସ୍ତ ଧର୍ମୀୟ ମେଳା ମହୋତ୍ସବ ବନ୍ଦ। ଉପଲବ୍‌ଧ ସାକ୍ଷ୍ୟ ପ୍ରମାଣ ଅନୁସାରେ କାହାରି ଭରସା ପାଉନାହିଁ ଯେ ସେମାନଙ୍କର ଆପଣା ଈଶ୍ବର ଚୀନା କରୋନା ସ˚କ୍ରମଣରୁ ସେମାନଙ୍କୁ ସୁରକ୍ଷିତ ରଖି ପାରିବେ। ଏହି ବିଶ୍ବବ୍ୟାପୀ ନାସ୍ତିକ ରସେଲ୍‌ ସୁଲଭ ବାତାବରଣରେ କିନ୍ତୁ ବୋଧହୁଏ ଏକମାତ୍ର ବ୍ୟତିକ୍ରମ ରୂପେ ହଠାତ୍‌ ଆବିର୍ଭୂତ ହୋଇଛି ଏକ ଧର୍ମୀୟ ସ˚ଗଠନ- ‘ତବ୍‌ଲିଘି ଜମାତ୍‌’। ମୁଖ୍ୟତଃ ଦକ୍ଷିଣ ଏସିଆରେ ପ୍ରାଧାନ୍ୟ ବିସ୍ତାର କରିଥିବା ଏହି ଇସ୍‌ଲାମୀୟ ସ˚ଗଠନ କରୋନା ବିପଦକୁ ଖାତିର‌ ନ କରି ଦିଲ୍ଲୀର ନିଜାମୁଦ୍ଦିନ୍‌ସ୍ଥିତ ଏକ ମସ୍‌ଜିଦ୍‌ରେ ୨,୦୦୦ରୁ ଅଧିକ ସ˚ଖ୍ୟକ ଅନୁଗାମୀ ମାନଙ୍କର ମେଳା ଅନୁଷ୍ଠିତ କରିବା ଖବର ପ୍ରକାଶ ପାଇ ବର୍ତ୍ତମାନ ସାରା ଦେଶକୁ ହତଚକିତ କରି ଦେଇଛି। ସେମାନଙ୍କର ଧର୍ମବିଶ୍ବାସ କିନ୍ତୁ ଏପରି ଅବିମୃଶ୍ୟକାରିତାର ଅନିବାର୍ଯ୍ୟ ପରିଣାମକୁ ଅଟକାଇ ପାରିନାହିଁ।

ଏହି ମେଳାରେ ଯୋଗ ଦେଇଥିବା ଅନୁଗାମୀମାନେ ଉଭୟ ଦେଶ ଭିତରୁ ଓ ଦେଶ ବାହାରୁ ଆସି ଦିଲ୍ଲୀରେ ଠୁଳ ହୋଇଥିଲେ। ଚୀନା କରୋନା ଭୂତାଣୁକୁ ଅଟକାଇବାର ଏକମାତ୍ର ଉପାୟ ହେଉଛି ସ˚ଗରୋଧ ବା ସାମାଜିକ ଦୂରତ୍ବ ରକ୍ଷା। କହିବା ଅନାବଶ୍ୟକ ଏପରି ହଜାର ହଜାର ଲୋକ ଗୋଟିଏ ସ୍ଥାନରେ ଏକତ୍ର ହେବା ହେଉଛି ସ˚ଗରୋଧର ଠିକ୍‌ ବିପରୀତ, ଯାହା ଭୂତାଣୁ ସ˚କ୍ରମଣରେ ସମ୍ପୂର୍ଣ୍ଣ ସହାୟକ ହୋଇଥାଏ। ନିଜାମୁଦ୍ଦିନ୍‌ ତବ୍‌ଲିଘି ଜମାତ୍‌ ଆସରରେ ତାହା ହିଁ ଘଟିଛି। କେବଳ ସେଠାରେ ଘଟିନାହିଁ, ସେଠାରୁ ବାହୁଡ଼ିଥିବା ଅନୁଗାମୀଙ୍କ ମାଧୢମରେ ଦେଶର ଅନ୍ୟ ସ୍ଥାନମାନଙ୍କରେ ଓ ବିଦେଶରେ କେତେକ ସ୍ଥାନରେ ମଧୢ ସ˚କ୍ରମଣର ପ୍ରସାର ଘଟିବାର ଖବର ପ୍ରକାଶ ପାଇଛି। ପ୍ରକାଶିତ ସୂଚନା ଅନୁସାରେ ନିଜାମୁଦ୍ଦିନ୍‌ ସମାବେଶରେ ଅ˚ଶ ଗ୍ରହଣ କରି ଫେରିଥିବା ତବ୍‌ଲିଘି ଅନୁଗାମୀମାନଙ୍କ ମଧୢରୁ ତେଲେଙ୍ଗାନାରେ ଛ’ଜଣଙ୍କର କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁ ଘଟି ସାରିଲାଣି ଏବ˚ ଅନ୍ୟୂନ ପାଞ୍ଚଗୋଟି ଅନ୍ୟ ଅଞ୍ଚଳରେ ସକ୍ରିୟ ସ˚କ୍ରମଣ ବା ‘ପଜିଟିଭ୍‌ କେସ୍‌’ମାନ ଦେଖାଦେଲାଣି। ତେଲେଙ୍ଗାନା ବାଦ୍‌, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁରୁ ଆରମ୍ଭ କରି ଜାମ୍ମୁ କାଶ୍ମୀର ଓ ଏପରିକି ସୁଦୂର ଆଣ୍ତାମାନ୍‌ ନିକୋବର‌୍‌ ଦ୍ବୀପ ପର୍ଯ୍ୟନ୍ତରେ ଏପରି ଘରବାହୁଡ଼ା କରୋନା ସ˚କ୍ରମଣ ଘଟିଥିବା ଖବର ପ୍ରକାଶ ପାଇଲାଣି। ନିଜାମୁଦ୍ଦିନ୍‌ ଠାରେ ମାର୍ଚ୍ଚ ୧୩-୧୫ରେ ଅନୁଷ୍ଠିତ ସମ୍ମିଳନୀରେ ଅ˚ଶ ଗ୍ରହଣ କରି ବାହୁଡ଼ିଥିବା ଲୋକ ଏବ˚ ସେମାନଙ୍କ ସ˚ସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରିବା ପାଇଁ ଏବେ ସମ୍ପୃକ୍ତ ରାଜ୍ୟ ସରକାରମାନେ ଜୋର‌୍‌ସୋର‌୍‌ ଉଦ୍ୟମ ଚଳାଇଥିଲେ ମଧୢ ଏହା ଯେ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଏକ ହତାଶାଜନକ କାର୍ଯ୍ୟ, ଏଥିରେ କୌଣସି ସନ୍ଦେହ ନାହିଁ। ଅବିଶ୍ବାସ୍ୟ ଭାବେ ସମାବେଶର ସମାପ୍ତି ପରେ ମଧୢ ପ୍ରାୟ ୧୪୦୦ ଅ˚ଶଗ୍ରହଣକାରୀ ଅନୁଗାମୀ ନିଜାମୁଦ୍ଦିନ୍‌ସ୍ଥିତ ‘ମର‌୍‌କଜ୍‌’ରେ ଏକତ୍ର ବାସ କରି ଚାଲିଥିଲେ। ଏମାନଙ୍କ ମଧୢରୁ ଅନେକ ନିଜ ନିଜର ବିଦେଶଯାତ୍ରା ତଥ୍ୟ ଗୋପନ ରଖିଥିଲେ। ଆହୁରି ଯାହା ଏହା ଠାରୁ ଅଧିକ ଅବିଶ୍ବାସ୍ୟ, ଏ ବିପଜ୍ଜନକ ତଥ୍ୟ ସମ୍ବନ୍ଧରେ ନା ଦିଲ୍ଲୀ ରାଜ୍ୟ ସରକାର ବା କେନ୍ଦ୍ର ସରକାର; କେହି ହେଲେ ଅବଗତ ଥିଲେ। ଦେଶର ନିରାପତ୍ତା କ୍ଷୁଣ୍ଣ କଲା ଭଳି ଏହା ହେଉଛି ବିଗତ କେତେଦିନ ମଧୢରେ ରାଷ୍ଟ୍ର ଶକ୍ତିର ଚତୁର୍ଥ ବିଫଳତା: ପ୍ରଥମ ଶାହୀନ୍‌ବାଗ୍‌ ଜବରଦଖଲ; ଦ୍ବିତୀୟ, ତାହାର ପରିଣାମ ସ୍ବରୂପ ଦିଲ୍ଲୀ ଦଙ୍ଗା; ତୃତୀୟ, ଲକ୍‌ଡାଉନ୍‌ର ଖୋଲା ଉଲ୍ଲ˚ଘନ କରି ହଜାର ହଜାର ପ୍ରବାସୀ ଶ୍ରମିକ ଦିଲ୍ଲୀରୁ ବାହାରି ପଳାଇବା; ଚତୁର୍ଥ ଓ ସବୁଠାରୁ ଅଧିକ ସା˚ଘାତିକ୍‌-ଉଭୟ ସରକାରଙ୍କ ନାକତଳେ ନିଜାମୁଦ୍ଦିନ୍‌ ଠାରେ ତବ୍‌ଲିପି ଜମାତ୍‌ ରୂପରେ ଏକ କରୋନା ଟାଇମ୍‌ ବମ୍‌ର ଆବିର୍ଭାବ ଘଟିବା। ଏହା ଦିଲ୍ଲୀର କେଜ୍‌ରିଵାଲ୍‌ ସରକାରର ଜାଣତରେ କି ଅଜାଣତରେ ଘଟିଛି, ତାହା ଭବିଷ୍ୟତ କହିବ; କିନ୍ତୁ ଦିଲ୍ଲୀ ପୁଲିସ୍‌ ଓ ଇଣ୍ଟେଲିଜେନ୍‌ସ ସ˚ସ୍ଥାର ଏହା ଯେ ଏକ ଘାତକ ବିଫଳତା, ତାହା ଜଳ ଜଳ ହୋଇ ଦେଖାଯାଉଛି। ଧର୍ମ କରୋନାରୁ ସୁରକ୍ଷା ଦିଏ ନାହିଁ, କିନ୍ତୁ ଧର୍ମ ତାର ବିଶ୍ବାସୀ ଅନୁଗାମୀମାନଙ୍କୁ ମାନସିକ ଶାନ୍ତି ଦେଇଥାଏ। କିନ୍ତୁ ନିଜର ମାନସିକ ଶାନ୍ତି ଆହରଣ କରିବା ପାଇଁ ଅନ୍ୟମାନଙ୍କର ଜୀବନକୁ ବିପଦାପନ୍ନ କରିବା କୌଣସି ଧର୍ମର ଅ˚ଶ ହେବା ଉଚିତ ନୁହେଁ। ତବ୍‌ ଲିପି ଜମାତ୍‌ର ଏତାଦୃଶ ଆଚରଣ ଦେଖିଥିଲେ ବର୍ଟ୍ରାଣ୍ତ୍ ରସେଲ୍‌ ଆହୁରି ଅଧିକ ନାସ୍ତିକ ହୋଇପଡ଼ନ୍ତେ।

ସମ୍ବନ୍ଧିତ ଖବର