ସ୍ୱାଭାବିକ ସୂଚୀ ଅନୁଯାୟୀ ଆସନ୍ତା ୨୦୧୯, ଏପ୍ରିଲ ବେଳକୁ ପରବର୍ତ୍ତୀ ସାଧାରଣ ନିର୍ବାଚନ ହେବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ନିର୍ବାଚନର ସମ୍ଭାବନାକୁ ଏଡ଼ାଯାଇ ପାରୁନାହିଁ। ବରଂ ନିକଟରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏକକାଳୀନ ଲୋକସଭା- ବିୀଧାନସଭା ନିର୍ବାଚନ ସପକ୍ଷରେ ଓକିଲାତି ଓ ଉପନିର୍ବାଚନରେ ବିଜେପି- ପ୍ରତିକୂଳ ଫଳାଫଳ ପରିପ୍ରେକ୍ଷୀରେ ଦିନକୁ ଦିନ ଆଗୁଆ ନିର୍ବାଚନର ସମ୍ଭାବନା ଅଧିକ ହେଉଛି। ନିର୍ଦ୍ଧାରିତ ସମୟରେ ନା ଆଗୁଆ ନିର୍ବାଚନ ହେବ? ଆଜିର ଦିନରେ ଏ ପ୍ରଶ୍ନର କୌଣସି ନିଶ୍ଚିତ ଉତ୍ତର ନଥିଲେ ସୁଦ୍ଧା, ଗୋଟିଏ ବିଷୟ ନିଶ୍ଚିତ ଏବଂ ଅତ୍ୟନ୍ତ ସ୍ପଷ୍ଟ ମୋଦୀ ସରକାର ଦ୍ୱିତୀୟବାର ଜନାଦେଶ ପାଇବା ଆଶାରେ ନିର୍ବାଚନ ପାଇଁ ବେଶ୍ ବ୍ୟସ୍ତ ଓ ଭୋଟ ପାଇଁ ବ୍ୟଗ୍ର। ଏହା ପ୍ରତିଫଳିତ ହୋଇଛି ସଂସଦରେ ଗୁରୁବାର ଉପସ୍ଥାପିତ ନିର୍ବାଚନ ପୂର୍ବରୁ ଏନ୍ଡିଏ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ରେ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ମହୋଦୟ ୨୦୧୮-୧୯ ବଜେଟ୍କୁ ସବୁ ବର୍ଗର ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ଭରପୂର ଉପଯୋଗ କରିଛନ୍ତି। ଭୋଟରଙ୍କ ମନ ଜିଣିବା ଲାଗି ଜେଟ୍ଲୀଙ୍କ ବଜେଟ ଏକ ନୀଳ ନକ୍ସା। ଅବଶ୍ୟ, ଏହା ଭିନ୍ନ କଥା ଯେ ବାସ୍ତବ କ୍ଷେତ୍ରରେ ନକ୍ସା କେତେଦୂର କାର୍ଯ୍ୟକାରୀ ହେବ ଓ ଲକ୍ଷ୍ୟ ହାସଲରେ ସରକାର କେତେ ମାତ୍ରାରେ ସଫଳ ହେବେ, ସେ ନେଇ ରହିଛି ବିରାଟ ପ୍ରଶ୍ନର ପାହାଡ଼। ତଥାପି ନିଃସନ୍ଦେହ, ନିର୍ବାଚନୀ ଲକ୍ଷ୍ୟ ହାସଲ ଦିଗରେ ଜେଟ୍ଲୀଙ୍କ ୨୦୧୮-୧୯ ବଜେଟ ଏକ ପ୍ରୟାସ। ଏଥିରେ ଭୋଟ ପାଇଁ ବ୍ୟଗ୍ରତା ସ୍ପଷ୍ଟ ବାରି ହେଉଛି। ଯେହେତୁ ଉଦ୍ଦେଶ୍ୟ ଅର୍ଥନୈତିକ କମ୍ ଓ ରାଜନୈତିକ ଅଧିକ ବଜେଟ୍ରେ ବିଶେଷ କୌଣସି ନୂତନତ୍ୱ କିମ୍ବା ସୃଜନଶୀଳତାର ଛାପ ଦେଖାଯାଉ ନାହିଁ।
ରାଜନୀତି ଶାସ୍ତ୍ରର ମହାନ୍ ଦାର୍ଶନିକ ଜେର୍ମି ବେନ୍ଥାମ୍ଙ୍କ ମତରେ ‘ସର୍ବାଧିକ ଲୋକଙ୍କ ସର୍ବାଧିକ ଖୁସି’ ଗୋଟିଏ ଗଣତନ୍ତ୍ରରେ ମୌଳିକ ଉଦ୍ଦେଶ୍ୟ। ଭୋଟମୁହାଁ ସରକାର ଏହାକୁ ମନ୍ତ୍ର କରି ଦେଶର ଲୋକସଂଖ୍ୟାର ୭୦ ପ୍ରତିଶତ ବସବାସ କରୁଥିବା ଗ୍ରାମୀଣ ଭାରତକୁ ‘ନ୍ୟୁଇଣ୍ଡିଆ’ର ସ୍ୱପ୍ନ ଦେଖାଇ ‘ସର୍ବାଧିକ ସଂଖ୍ୟା’କୁ ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଏହି ‘ସର୍ବାଧିକ ସଂଖ୍ୟା’ ନିର୍ବାଚନ ବୈତରଣୀ ପାର କରାଇବେ ବୋଲି ଆଶାରେ ବଜେଟ୍ରେ କୃଷି, ଗ୍ରାମାଞ୍ଚଳ ବିକାଶ, ଗରିବ କଲ୍ୟାଣ ଓ ବହୁ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସାମାଜିକ କ୍ଷେତ୍ରଆଦିକୁ ପ୍ରାଥମିକତା ତାଲିକାରେ ଉପରେ ରକାଯାଇଛି। ଆଉ ଏକ ବିଶିଷ୍ଟ ବର୍ଗ ଯୁବକଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମୀଣ ଭାରତ, ବିଶେଷକରି କୃଷି ଓ ଗରିବ କଲ୍ୟାଣ ପ୍ରତି ସର୍ବାଧିକ ଗୁରୁତ୍ୱ ଦେଇ ସରକାର ଯେ ଭୋଟ ଅମଳର ଆଶା ରଖିଛନ୍ତି, ଏହାର ସ୍ପଷ୍ଟ ସଂକେତ ମିଳିଥିଲା ଯେତେବେଳେ ମୁଖ୍ୟତଃ ଇଂରେଜୀରେ ନିଜର ବଜେଟ ଭାଷଣ ପଢୁଥିବା ଅର୍ଥମନ୍ତ୍ରୀ କୃଷି, ଗରିବ କଲ୍ୟାଣ ଓ ଅନ୍ୟ ଗ୍ରାମାଞ୍ଚଳ ବିକାଶ ସଂକ୍ରାନ୍ତ ପ୍ରସ୍ତାବ ସବୁ ହିନ୍ଦୀରେ ପଢ଼ିଥିଲେ।
ଚାଷୀମାନଙ୍କ ପାଇଁ ସବୁଠାରୁ ବଡ଼ ଘୋଷଣା ଥିଲା, ସ୍ୱାମୀନାଥନ୍ କମିସନ୍ଙ୍କ ସୁପାରିସ ଅନୁଯାୟୀ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ବା ୫୦ ପ୍ରତିଶତ ଅଧିକରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଧାର୍ଯ୍ୟର ନୀତିଗତ ନିଷ୍ପତ୍ତି। ପୁଣି ବର୍ତ୍ତମାନ ମାତ୍ର ୨୧ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ହେଉଥିବା ବେଳେ ଆଗାମୀ ବର୍ଷଠାରୁ ସବୁ କୃଷିଜାତ ସାମଗ୍ରୀ ପାଇଁ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ ହେବ। ଆଳୁ, ଟମାଟୋ, ପିଆଜ ଆଦି ଉତ୍ପାଦନକାରୀ ଚାଷୀଙ୍କୁ ସ୍ୱତନ୍ତ୍ର ସୁରକ୍ଷା ପ୍ରଦାନର ବ୍ୟବସ୍ଥା ହୋଇଛି। କୃଷିଋଣ ବାବଦ ପାଣ୍ଠି ୮.୫ ଲକ୍ଷ କୋଟି ଟଙ୍କାରୁ ୧୧ ଲକ୍ଷ ଟଙ୍କାକୁ ବୃଦ୍ଧି ଓ କୃଷି ସହିତ ଯୋଡ଼ି ହୋଇଥିବା ଅନ୍ୟ କ୍ଷେତ୍ର ପାଇଁ ମଧ୍ୟ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। କ୍ରେଡିଟ୍ କାର୍ଡ ସୁବିଧା ଦୁଗ୍ଧ ଓ ମତ୍ସ୍ୟଚାଷୀଙ୍କୁ ମଧ୍ୟ ସଂପ୍ରସାରିତ କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ଜଳସେଚନର ସଂପ୍ରସାରଣ, ବିଶେଷକରି ଶତକଡ଼ା ୩୦ ଭାଗରୁ କମ୍ ଜମିରେ ଜଳସେଚନ ସୁବିଧା ଥିବା ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। କୃଷି ସାମଗ୍ରୀର ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ ସକାଶେ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ୧୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ତେବେ କୃଷିରେ ସଂକଟ ଯୋଗୁଁ ଦୁର୍ଦଶାଗ୍ରସ୍ତ ଚାଷୀକୁଳ ଏତିକିରେ ‘ନ୍ୟୁ ଇଣ୍ଡିଆ’ ସ୍ୱପ୍ନ କିଣିବାକୁ ରାଜି ହୋଇ ନପାରନ୍ତି। ‘ନ୍ୟୁଇଣ୍ଡିଆ’ ସ୍ୱପ୍ନ ସହ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବା ପ୍ରତିଶ୍ରୁତି ମଧ୍ୟ ଯୋଡ଼ି ହୋଇଛି। ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି ଲାଗି ବାର୍ଷିକ ୧୦ ପ୍ରତିଶତରୁ ଅଧିକ କୃଷି ଅଭିବୃଦ୍ଧି ଆବଶ୍ୟକ। କିନ୍ତୁ ଜେଟ୍ଲୀଙ୍କ ବଜେଟ୍ରେ କୃଷି ବିକାଶ ଓ କୃଷକ କଲ୍ୟାଣର ଯେଉଁ ପ୍ରସ୍ତାବ ରହିଛି ତାହା କୃଷି ଅଭିବୃଦ୍ଧିକୁ ବର୍ତ୍ତମାନର ୨ ପ୍ରତିଶତରୁ ୧୦ ପ୍ରତିଶତକୁ ଠେଲିବା ଲାଗି ଆଦୌ ପର୍ଯ୍ୟାପ୍ତ ନୁହେଁ। ବଜେଟ୍ରେ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ହେବ ବୋଲି ନୀତିଗତ ନିଷ୍ପତ୍ତି ଘୋଷଣା କରାଯାଇଛି। କିନ୍ତୁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଉତ୍ପାଦନ ଖର୍ଚ୍ଚରେ ରହିଥିବା ତାରତମ୍ୟ ପରିପ୍ରେକ୍ଷୀରେ କେମିତି ଜାତୀୟ ସ୍ତରରେ ଏକ ସର୍ବମାନ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ହେବ, ସେ ସମ୍ପର୍କରେ କିଛି ସ୍ପଷ୍ଟ ପଦ୍ଧତି କିମ୍ବା ବ୍ୟବସ୍ଥାର ସୂଚନା ଦିଆଯାଇ ନାହିଁ। ଯାହା ଘୋଷଣାର ବିଶ୍ୱସନୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଚାଷୀକୁଳ ଆଶା କରିଥିଲେ କୃଷି ଋଣ ଛାଡ଼ ପ୍ରସଙ୍ଗରେ କିଛି ଘୋଷଣା ହେବ। କିନ୍ତୁ ବଜେଟ୍ରେ ଏ ସମ୍ପର୍କରେ ସାମାନ୍ୟତମ ସୂଚନା ନଥିବା ଚାଷୀକୁଳକୁ ହତାଶ କରିଛି। ଫସଲ ବୀମାରେ ରହିଥିବା ତ୍ରୁଟି ବିଚ୍ୟୁତି ଦୂର କରାଯିବା ସଂପର୍କରେ ମଧ୍ୟ ବଜେଟ ନିରବ।
ଭୋଟ ଅମଳ ଆଶାରେ କୃଷି ପରେ ବଜେଟର ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ଗରିବ କଲ୍ୟାଣ ଉପରେ। ଗରିବଙ୍କ କଲ୍ୟାଣ ଦିଗରେ ବଜେଟର ସବୁଠାରୁ ବଡ଼ ଘୋଷଣା ହେଲା ସାମାଜିକ- ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ୧୦ କୋଟି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା। ଆମେରିକାର ବିବାଦୀୟ ‘ଓବାମା କେୟାର’ ଭଳି ଗରିବଙ୍କ ପାଇଁ ‘ମୋଦୀ କେୟାର’ କୁହାଯାଉଥିବା ଜାତୀୟ ସ୍ୱାସ୍ଥ ସୁରକ୍ଷା ଯୋଜନା ଅଧୀନରେ ୫୦ କୋଟି ଗରିବ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟ ସେବାର ହକ୍ଦାର ହୋଇପାରିବେ। ସ୍ୱାସ୍ଥ୍ୟସେବାର ସଂପ୍ରସାରଣ ପାଇଁ ମଧ୍ୟ ‘ଆୟୁଷ୍ମାନ ଭାରତ’ ଯୋଜନାରେ ଦେଶରେ ଦେଢ଼ଲକ୍ଷ ‘ଓ୍ଵଲ୍ନେସ୍ କେନ୍ଦ୍ର’ ପ୍ରତିଷ୍ଠା ଓ ପ୍ରତି ତିନିଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଅନ୍ତତଃ ଗୋଟିଏ ମେଡ଼ିକାଲ କଳେଜ ଖୋଲିବା ଲାଗି ବଜେଟରେ ପ୍ରସ୍ତାବ ରହିଛି। ଏହି କ୍ରମରେ ଚଳିତବର୍ଷ ୨୪ଟି ନୂଆ ସରକାରୀ ମେଡିକାଲ କଲେଜ ଖୋଲାଯିବ।
ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ମହିଳାଙ୍କ ସମର୍ଥନ ଲାଭ ଆଶାରେ ଉଜ୍ଜ୍ୱଳା ଯୋଜନାରେ ୮ ଲକ୍ଷ ମହିଳାଙ୍କୁ ରନ୍ଧନ ଗ୍ୟାସ୍ ସଂଯୋଗ ଓ ଅନ୍ୟ ୪ ଲକ୍ଷ ମହିଳା ମୁଖ୍ୟ ପରିବାରଙ୍କୁ ସୌଭାଗ୍ୟ ଯୋଜନାରେ ମାଗଣା ବିଜୁଳି ଯୋଗାଇ ଦିଆଯିବ। ମୋଟ ଉପରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ, ଗରିବଙ୍କୁ ଜୀବିକା ସହାୟତା ବାବଦ ୧୪ ଲକ୍ଷ ୩୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବ୍ୟୟବରାଦର ଆକାର ବିଶାଳ ମନେ ହୋଇପାରେ। କିନ୍ତୁ ଆବଶ୍ୟକତା ପୂରଣ ପାଇଁ ଏହା ଯଥେଷ୍ଟ ନୁହେଁ। ଯେମିତି ସାମାଜିକ ସୁରକ୍ଷା ସମେତ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ବ୍ୟୟବରାଦ ପରିମାଣ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା। ଏହା ପୂର୍ବବର୍ଷ ତୁଳନାରେ ମାତ୍ର ୧୫୦୦୦ କୋଟି ଟଙ୍କା ଅଧିକ। ଅଧିକ ନିଯୁକ୍ତି ସୁଯୋଗ ଲାଗି ବଜେଟରେ କିଛି ପ୍ରସ୍ତାବ ରହିଛି, କିନ୍ତୁ ତାହା ଆବଶ୍ରଶ୍ୟକ ପଡୁଥିବା ବାର୍ଷିକ କୋଟିଏ ନୂଆ ନିଯୁକ୍ତି ସୃଷ୍ଟି ଲାଗି ଯଥେଷ୍ଟ ନୁହେଁ।
ବଜେଟରେ ଅର୍ଥମନ୍ତ୍ରୀ ମହୋଦୟ ଗ୍ରାମୀଣ ଭାରତର କୃଷକ ଓ ଗରିବଙ୍କ ଆଶା ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ କିଛି ମାତ୍ରାରେ ନିଶ୍ଚୟ ପୂରଣ କରିଛନ୍ତି। କିନ୍ତୁ ମଧ୍ୟମ ଆୟକାରୀ ଟିକସ ଦାତା ଓ ଖାଉଟିଙ୍କୁ ନିରାଶ କରିଛନ୍ତି। ଗରିବ ଓ ମଧ୍ୟବିତ୍ତଙ୍କ ସ୍ୱାର୍ଥ ରକ୍ଷା ମଧ୍ୟରେ ଭାରସାମ୍ୟ ରକ୍ଷା କରି ପାରିନାହାନ୍ତି। ‘ଆୟକର ଛାଡ଼’ ସୀମା ବଢ଼ାଇ ନାହାନ୍ତି। କେବଳ ସ୍ୱାସ୍ଥ୍ୟ ଓ ଗମନାଗମନ ବାବଦ ଅତିରିକ୍ତ ୪୦ ହଜାର ଟଙ୍କା ଉପରେ ଟିକସ ଛାଡ଼ କରାଯାଇଛି। ଅନ୍ୟପକ୍ଷରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବାବଦ ସେସ୍ ୩ ପ୍ରତିଶତରୁ ୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଆମଦାନି ଶୁଳ୍କ ବୃଦ୍ଧି ଫଳରେ ମୋବାଇଲ, କମ୍ପ୍ୟୁଟର ସମେତ ଅନେକ ସାମଗ୍ରୀ ମହଙ୍ଗା ହେବ। ଅବଶ୍ୟ ବରିଷ୍ଠ ନାଗରିକଙ୍କ ପାଇଁ କିଛି ଟିକସ ରିହାତିର ବ୍ୟବସ୍ଥା କରାଯାଇଛି।
ମୋଟ ଉପରେ କୌଣସି ନୂତନତ୍ୱ କିମ୍ବା ସୃଜନଶୀଳତା ରହିତ ଏନ୍ଡିଏ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥମନ୍ତ୍ରୀ ଭୋଟ ଅମଳର ବ୍ୟଗ୍ରତା ମଧ୍ୟରେ ଗନ୍ଧେ ପୁଷ୍ପେ ସବୁ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା କରି କାହାକୁ ବି ଖୁସି କରିପାରି ନାହାନ୍ତି। ଉଦ୍ଦେଶ୍ୟ ଅର୍ଥନୈତିକ ଅପେକ୍ଷା ରାଜନୈତିକ ଅଧିକ ଏଇଥିପାଇଁ ଯେ ବଜେଟ୍ରେ ବଡ଼ବଡ଼ ଘୋଷଣା କରାଯାଇଛି। କିନ୍ତୁ ସେଥିପାଇଁ ଆବଶ୍ୟକୀୟ ଅର୍ଥ ବରାଦ କରାଯାଇ ନାହିଁ କି ରୂପାୟନର ସ୍ପଷ୍ଟ ନକ୍ସା ନାହିଁ।