ଅନେକ ଶାଗୁଣା

ନିକଟରେ ଦାରୁଣ କ୍ଷୁଧାର ଦୃଶ୍ୟ ବହନକାରୀ ଏକ ମର୍ମଭେଦୀ ଭିଡିଓ ଭାଇରାଲ ହେବା ବା ତାହାର ଏକ ଅ˚ଶ ଗୋଟିଏ ‘ସ୍ଥିର-ଚିତ୍ର’ ରୂପେ ଏହି ସମ୍ବାଦପତ୍ରରେ ଏକ ହୃଦୟଗ୍ରାହୀ ଓ ତଥ୍ୟ ସମ୍ବଳିତ ଆଲେଖ୍ୟ ସହିତ ପ୍ରକାଶ ପାଇବା ପରେ ତାହାକୁ ପାଠ କରିଥିବା ଅସ˚ଖ୍ୟ ପାଠକପାଠିକା ଘୋର ମର୍ମବେଦନାର ଶିକାର ହୋଇଥିବେ। ତହିଁରେ ଏକ ଉଲଗ୍ନ ଶିଶୁ ପରିତ୍ୟକ୍ତ ଅଇଁଠା ଖଲିଟିଏ ଚାଟୁଥିବା ଦେଖିବାକୁ ମିଳିଥାଏ। ସ୍ବାଭାବିକ ଭାବେ ଏହା ଏକ ପ୍ରଶ୍ନ ଉଠାଇଥାଏ ଯେ ଆମ ଦେଶର ଗୋଦାମ ଘରଗୁଡ଼ିକ ଖାଦ୍ୟାନ୍ନରେ ଭରପୂର ଥିବା ବେଳେ ଏବ˚ ଆମ ରାଜ୍ୟର ପ୍ରାୟ ୮୦ ପ୍ରତିଶତ ପରିବାର ଖାଦ୍ୟ ଅଧିକାର ଆଇନ ଅନ୍ତର୍ଭୁକ୍ତ ‘ସାଧାରଣ ବଣ୍ଟନ ବ୍ୟବସ୍ଥା’ ବା ‘ପିଡିଏସ୍‌’ର ହିତାଧିକାରୀ ହୋଇଥିବା ସତ୍ତ୍ବେ ଏଭଳି ଜାନ୍ତବ କ୍ଷୁଧାରୁ ମୁକ୍ତି ମିଳି ପାରୁନାହିଁ କାହିଁକି? ଏହାର ସମ୍ଭାବ୍ୟ ଉତ୍ତରଟିଏ ଖୋଜିବା ଲାଗି ଏକ କ୍ଷୁଦ୍ର ପ୍ରୟାସ ଏହି ସ୍ତମ୍ଭରେ କରାଯାଇପାରେ।

ଉଲ୍ଲେଖଯୋଗ୍ୟ ଯେ ଦୁର୍ଭିକ୍ଷ ଓ ତଜ୍ଜନିତ କ୍ଷୁଧାର କାରଣ ରୂପେ ପୂର୍ବରୁ ରହିଥିବା ଅବଧାରଣାକୁ ନୋବେଲ ପୁରସ୍କାର ବିଜେତା ଭାରତୀୟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ବଦଳାଇ ଦେଇଥିଲେ। ପୂର୍ବରୁ ଦେଖିବାକୁ ମିଳୁଥିଲା ଯେ ବାରମ୍ବାର ଓ ଦୀର୍ଘକାଳୀନ ଅନାବୃଷ୍ଟି ବା ରୋଗ-ପୋକ ଆଦିର ଆକ୍ରମଣ ଭଳି କାରଣରୁ ବ୍ୟାପକ ଫସଲ ହାନି ଘଟି ଦୁର୍ଭିକ୍ଷ ଏବ˚ କ୍ଷୁଧା ସୃଷ୍ଟି କରୁଥିଲା। ଏହାକୁ ଇ˚ରେଜୀରେ କୁହାଯାଉଥିଲା ‘ଫୁଡ୍‌ ଏଭେଲିବିଲିଟି ଡିକ୍ଲାଇନ୍‌’(ଏଫ୍‌.ଏ.ଡି.) ବା ‘ଖାଦ୍ୟ ଉପଲବ୍‌ଧତାରେ ଅବନତି’। କିନ୍ତୁ, ଅମର୍ତ୍ତ୍ୟ ସେନ ଦୁର୍ଭିକ୍ଷର ଯେଉଁ କାରଣ ପ୍ରଦାନ କଲେ, ତାହା ହେଉଛି ‘ଏଫ୍‌.ଇ.ଇ’ ବା ‘ଫେଲ୍ୟୁଅର ଅଫ୍ ଏକ୍‌ସଚେ˚ଜ୍‌ ଏନ୍‌ଟାଇଟଲ୍‌ମେଣ୍ଟ୍‌ସ’ ଯାହାର ଅର୍ଥ ‘ଯୋଗ୍ୟତା (ଖାଦ୍ୟ ଲାଗି) ହାସଲ କରିବାରେ ବିଫଳତା’। ଏହି ତତ୍ତ୍ବର ଆଧାରରେ ବୁଝି ହୁଏ ଯେ ବର୍ଷ ବର୍ଷ ଧରି ‘ବ˚ପର’ ଅମଳ ହୋଇ ଗୋଦାମଗୁଡ଼ିକ ଖାଦ୍ୟାନ୍ନରେ ଉଛୁଳିଥିବା ସ‌େତ୍ତ୍ବ ଭାରତରେ ଦାରୁଣ କ୍ଷୁଧାର ଜୋରଦାର ଉପସ୍ଥିତି ରହିଛି କାହିଁକି? ଏହାର କାରଣ ବିପୁଳ ଉପଲବ୍‌ଧତା ସତ୍ତ୍ବେ ଖାଦ୍ୟାନ୍ନକୁ ହାସଲ କରିବାର ସାମର୍ଥ୍ୟରୁ ଅସଂଖ୍ୟ ଲୋକ ବିଭିନ୍ନ କାରଣରୁ ବଞ୍ଚିତ ହୋଇ ରହିଛନ୍ତି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେକି ୨୦୧୩ ମସିହାର ‘ଖାଦ୍ୟ ଅଧିକାର ଆଇନ’ ବଳରେ ‘ସାଧାରଣ ବଣ୍ଟନ ବ୍ୟବସ୍ଥା’ ମାଧୢମରେ ଦରିଦ୍ର ଓ ନିରନ୍ନଙ୍କ ନିକଟରେ ଖାଦ୍ୟାନ୍ନ ଉପଲବ୍‌ଧ କରାଇବାର ସରକାରୀ ପ୍ରଚେ‌ଷ୍ଟା ସତ୍ତ୍ବେ କ୍ଷୁଧା ଦୂରୀଭୂତ ହୋଇ ନ ପାରିବା ଏକ ମସ୍ତବଡ଼ ବିଡ଼ମ୍ବନା।

ଏହାର ଏକ ବଡ଼ କାରଣ ହେଲା ଅସ˚ଖ୍ୟ ‘ପ୍ରକୃତ’ ଦରିଦ୍ର ବ୍ୟକ୍ତି ‘ପିଡିଏସ୍‌’ ବ୍ୟବସ୍ଥାରେ ପ୍ରବେଶ କରି ପାରି ନ ଥିବା ବେଳେ ଅନେକ ସ˚ପନ୍ନ ଲୋକେ ଦୁର୍ନୀତିମୂଳକ ଉପାୟରେ ଏହା ଭିତରେ ଭିଡ଼ ସୃଷ୍ଟି କରିଛନ୍ତି। ସୁତରା˚, ଦରିଦ୍ରଙ୍କ ଅଧିକାରକୁ ଅପହରଣ କରୁଥିବା ଦୁର୍ନୀତି ଏଭଳି କ୍ଷୁଧା ଲାଗି ଦାୟୀ ବୋଲି କୁହାଯାଇପାରେ। କିନ୍ତୁ କଥା ହେଲା, ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ୍‌ ଅନ୍ତର୍ଗତ ମାଲଦା ପଞ୍ଚାୟତ ଅଧୀନ ଡାଡୁଗୋଠ ସାହିର ଯେଉଁ ଶିଶୁଟିର ଫଟୋ ପ୍ରକାଶିତ ହୋଇଛି, ସେ ଗୋଟିଏ ‘ପି.ଡି.ଏସ୍‌.’ ହିତାଧିକାରୀ ପରିବାରର ସଦସ୍ୟ! ତେଣୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଏଭଳି ସ୍ଥଳେ ବୁଭୁକ୍ଷାର କାରଣ ପୁଣି କ’ଣ?

ସ୍ମରଣଯୋଗ୍ୟ ଯେ ୨୦୧୦ ମସିହାରେ ବଲାଙ୍ଗୀର ଜିଲ୍ଲାର ଝିଣ୍ଟୁ ବରିହାଙ୍କ ଚାରିଜଣିଆ ପରିବାର କ୍ଷୁଧାର ତାଡ଼ନାରେ ମୃତ୍ୟୁବରଣ କରିବା ଘଟଣା ସମଗ୍ର ରାଷ୍ଟ୍ରର ବିବେକ ଦଂଶନର କାରଣ ହୋଇଥିଲା। କିନ୍ତୁ ଜଣାପଡ଼ିଥିଲା ଯେ ବରିହା ପରିବାର ନାମରେ ‘ବି.ପି.ଏଲ୍‌.’ କାର୍ଡ ଥିଲା, ଅଥଚ ସେମାନେ ଏ ସମ୍ବନ୍ଧରେ ଅଜ୍ଞ ରହି ସରକାରଙ୍କ ପ୍ରଦତ୍ତ ଖାଦ୍ୟାନ୍ନ ଲାଭ କରିବାରୁ ବଞ୍ଚିତ ହୋଇଥିଲେ। କହିବା ଅନାବଶ୍ୟକ ଯେ ଏଭଳି ଅନେକ ମାମଲା ଆଜି ପର୍ଯ୍ୟନ୍ତ ମଧ୍ୟ ରହିଥାଇପାରେ। କିନ୍ତୁ ଡାଡୁଗୋଠ ସାହିର ଶିଶୁଟି ଲାଗି ତାହା ମଧୢ ପ୍ରଯୁଜ୍ୟ ନୁହେଁ; କାରଣ ପ୍ରକାଶିତ ସମ୍ବାଦ କହିଥାଏ ଯେ ପରିବାରଟି ତାଙ୍କ ପାଖରେ ଥିବା ରାସନ କାର୍ଡ ନେଇ ଅବଗତ ଓ ତାର ବ୍ୟବହାର ମଧ୍ୟ କରି ଥାଆନ୍ତି; କିନ୍ତୁ ତହିଁରୁ ମିଳୁଥିବା ଖାଦ୍ୟାନ୍ନ ଓ କିରାସିନି ତେଲକୁ ଅତ୍ୟନ୍ତ ଶସ୍ତାରେ ବିକ୍ରି କରି ଦିଅନ୍ତି। ସୁତରା˚, ଏହା ଯେଉଁ ଏକ ସ୍ଥିତି ଆଡ଼କୁ ଇଙ୍ଗିତ କରିଥାଏ, ତାହା ହେଲା କିଛି ନଗଦ ଟଙ୍କା ଲାଗି ‘ଖାଦ୍ୟ ଅଧିକାର’କୁ ମଧ୍ୟ ଜଳାଞ୍ଜଳି ଦେଇ ପକାଇବା! ଉଲ୍ଲେଖଯୋଗ୍ୟ ଯେ ଅଧିକା˚ଶ ଗ୍ରାମୀଣ ପରିବାର ପାଖରେ ଆପଣା ବ୍ୟବହାର ସକାଶେ ସ୍ବ-ଉତ୍ପାଦିତ ଖାଦ୍ୟାନ୍ନ ଉପଲବ୍‌ଧ ରହୁଥିବାରୁ ଅନେକ ପରିବାର ସରକାରଙ୍କ ଦ୍ବାରା ଆବଣ୍ଟିତ ‘ପି.ଡି.ଏସ୍‌.’ ଖାଦ୍ୟାନ୍ନ ନ ଆଣି ତାକୁ ଅତ୍ୟନ୍ତ ଶସ୍ତା ମୂଲ୍ୟରେ ବେପାରୀମାନଙ୍କୁ ବିକ୍ରି କରି କିଛି ନଗଦ ଅର୍ଥ ଆଣିବାକୁ ଶ୍ରେୟସ୍କର ମଣିଥାନ୍ତି। ଏହାର କାରଣ ଗ୍ରାମୀଣ ପରିବାର ଠାରେ ନଗଦ ଟଙ୍କାର ଅଭାବ ଜନିତ ସମସ୍ୟା; ଯାହା ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟ କ୍ରୟ ବା ସନ୍ତାନମାନଙ୍କ ଶିକ୍ଷା ଭଳି ବିଭିନ୍ନ ବିକଳ୍ପଶୂନ୍ୟ ଜରୁରୀ କାର୍ଯ୍ୟରେ ପ୍ରତିବନ୍ଧ ସୃଷ୍ଟି କରିଥାଏ। ଏପରିକି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ହୋଇଥିଲେ ହେଁ ଗ୍ରାମାଞ୍ଚଳରେ ଅତ୍ୟନ୍ତ ବ୍ୟାପକ ହୋଇ ସାରିଥିବା ମଦର ଅଭ୍ୟାସ ମଧୢ ଅନେକ ଗ୍ରାମବାସୀଙ୍କ ଠାରେ ନଗଦ ଟଙ୍କାର ଆବଶ୍ୟକତା ସୃଷ୍ଟି କରୁଥିବାର ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ଭୂମିହୀନ ଏବ˚ ସ୍ବ-ଉତ୍ପାଦିତ ଖାଦ୍ୟାନ୍ନ ସ୍ରୋତରୁ ବଞ୍ଚିତ ପରିବାରଗୁଡ଼ିକ ଯଦି ନଗଦ ଟଙ୍କାର ଅଭାବଜନିତ ଉତ୍କଟ ସମସ୍ୟାରୁ ଉଦ୍ଧାର ପାଇବା ଲାଗି ‘ଖାଦ୍ୟ ଅଧିକାର’କୁ ବିକ୍ରୟ କରନ୍ତି ବା ବନ୍ଧା ପକାନ୍ତି , ତେବେ କ୍ଷୁଧା ଦ୍ବାରା କବଳିତ ହେବା ଅବଧାରିତ ନୁହେଁ କି? ସମ୍ବାଦଟିରେ ପ୍ରକାଶିତ ହୋଇଛି ଯେ କେବଳ ରାବଣ ମୁଣ୍ତା(ଶିଶୁଟିର ପିତା)ଙ୍କ ପରିବାର ନୁହେଁ, ସେହି ଗ୍ରାମର ଅଧିକା˚ଶ ପରିବାର ଉତ୍କଟ ଦାରିଦ୍ର୍ୟ ଦ୍ବାରା ପ୍ରପୀଡ଼ିତ। ସେମାନଙ୍କ ଗ୍ରାମ ଚତୁଃପାର୍ଶ୍ବରେ ଅନେକ ଖଣି ରହିଥିବା ସତ୍ତ୍ବେ ସେଠାରେ ଅଣଓଡ଼ିଆ ଶ୍ରମିକମାନଙ୍କ ସ˚ଖ୍ୟାଧିକ୍ୟ ଏମାନଙ୍କୁ ଜୀବିକା ଅର୍ଜନର ସୁଯୋଗ ଦେଇ ନ ଥାଏ। ପ୍ରଶାସନ ଏହି ସମସ୍ୟାର ସମାଧାନ ଅଗ୍ରାଧିକାର ଭିତ୍ତିରେ କରିବା ଆବଶ୍ୟକ। କାରଣ ଖଣି ଖନନରୁ ସୃଷ୍ଟ ପରିବେଶଗତ କ୍ଷତି ଦ୍ବାରା ପ୍ରଭାବିତ ସ୍ଥାନୀୟ ବାସିନ୍ଦାଙ୍କୁ ଜୀବିକା ଯୋଗାଇବା ସ˚ପୃକ୍ତ ଖଣି ମାଲିକମାନଙ୍କ ସାମାଜିକ ଦାୟିତ୍ବବୋଧ ଅନ୍ତର୍ଭୁକ୍ତ। ଏଭଳି ଜୀବିକା ରାବଣ ମୁଣ୍ତାଙ୍କ ପରିବାରକୁ କିଛି ନଗଦ ଟଙ୍କା ଦିଅନ୍ତା, ଯାହା ଦ୍ବାରା ସେ ତାଙ୍କ ‘ଖାଦ୍ୟ ଅଧିକାର’କୁ ବିକ୍ରି କରିବାକୁ ବାଧୢ ହୁଅନ୍ତେ ନାହିଁ।

‘ସମ୍ବାଦ’ରେ ଏହି ଫଟୋ ସହିତ ସ୍ଥାନ ପାଇଛି ୧୯୯୩ ମସିହାରେ ‘ନ୍ୟୁୟର୍କ ଟାଇମ୍‌ସ’ ପତ୍ରିକାରେ ପ୍ରକାଶିତ ଏକ ବିଶ୍ବବିଖ୍ୟାତ ଫଟୋଚିତ୍ର। ଏହି ଦୁଇଟି ଫଟୋ ମଧୢରେ ଏକ ସାମଞ୍ଜସ୍ୟ ମଧ୍ୟ ଦେଖିହୁଏ। ‘ନ୍ୟୁୟର୍କ ଟାଇମ୍‌ସ’ର ଫଟୋରେ ଦେଖିବାକୁ ମିଳେ ଭୟଙ୍କର ଦୁର୍ଭିକ୍ଷ ପ୍ରପୀଡ଼ିତ ସୁଦାନରେ ଏକ ଅତ୍ୟନ୍ତ କ୍ଷୁଧାର୍ତ୍ତ ଛୋଟ ଝିଅର ଶେଷ ନିଃଶ୍ବାସ ନେଉଥିବା ବେଳର ଦୃଶ୍ୟ, ଯେଉଁଠି ଅଦୂୂରରେ ଏକ ଶାଗୁଣା ଝିଅଟିର ମୃତ୍ୟୁକୁ ପ୍ରତୀକ୍ଷା କରି ଉପବିଷ୍ଟ। ଏହି ଫଟୋ ଲାଗି ପୁଲିତ୍‌ଜର ପୁରସ୍କାର ଲାଭ କରିଥିବା ଫଟୋଗ୍ରାଫର‌୍‌ କେଭିନ କାର୍ଟର ଫଟୋଟିର କ୍ୟାପ୍‌ସନ୍‌ ରଖିଥିଲେ- ‘ଭଲ୍‌ଚର ଏଣ୍ତ ଦ ଲିଟଲ ଗର୍ଲ‌୍‌’ ବା ‘ଶାଗୁଣା ଏବ˚ କୁନି ଝିଅ’। ଉଲ୍ଲେଖଯୋଗ୍ୟ ଯେ ଏହି ଫଟୋ ଲାଗି ବିଶ୍ବପ୍ରସିଦ୍ଧି ପାଇଥିବା ସତ୍ତ୍ବେ କେଭିନ ଗଭୀର ମର୍ମଦାହରେ ଛଟପଟ ହୋଇ ମାତ୍ର ୩୩ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ। କାରଣ ଏହି ଫଟୋ ଲାଗି ଉଭୟ ପ୍ରଶ˚ସା ଓ ସମାଲୋଚନା ଶୁଣୁଥିବା କେଭିନଙ୍କୁ ଜଣେ ସମାଲୋଚକ ଅଗତ୍ୟା ଫୋନ୍‌ କରି ଯାହା କହିଥିଲେ ତାହା ତାଙ୍କୁବିଧ୍ବସ୍ତ କରିଦେଇଥିଲା। ସେ କହିଥିଲେ :‘କେଭିନ୍‌, ତୁମେ ସେଠାରେ ଗୋଟିଏ ଶାଗୁଣା ଦେଖୁଛ। ମୁଁ କିନ୍ତୁ ଦେଖୁଛି ଦୁଇଟି ଶାଗୁଣା।’ କେଭିନ ସେହି ମନ୍ତବ୍ୟରେ ନିହିତ ଥିବା ଇଙ୍ଗିତକୁ ବୁଝିପାରିଥିଲେ। ସେ ବୁଝିପାରିଥିଲେ ଯେ କ୍ଷୁଧାର୍ତ୍ତ ପ୍ରପୀଡ଼ିତ ଝିଅଟିକୁ ବଞ୍ଚାଇବାର ପ୍ରୟାସ ନ କରି ତାର ଫଟୋ ଉଠାଇ ପ୍ରସିଦ୍ଧି ଅର୍ଜନ କରିବା ଉଦ୍ଦେଶ୍ୟ ଦ୍ବାରା ପରିଚାଳିତ ସେ (କେଭିନ) ହିଁ ହେଉଛନ୍ତି ସେହି ଦ୍ବିତୀୟ ଶାଗୁଣା!

ସେହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ କ୍ଷୁଧାର୍ତ୍ତମାନଙ୍କ ଶବ ଉପରେ ଭୋଜି କରିବା ଲାଗି ଆମ ଦେଶରେ ଅନେକ ଶାଗୁଣା ବିଦ୍ୟମାନ। ଗରିବଙ୍କ ଅଧିକାରକୁ ଅପହରଣ କରୁଥିବା ଅଯୋଗ୍ୟ ହିତାଧିକାରାୀ ଓ ସେମାନଙ୍କୁ ସୁଯୋଗ ପ୍ରଦାନ କରୁଥିବା ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କାର୍ଡ ବନ୍ଧା ରଖୁଥିବା ବେପାରୀ ବା ନିଜ ଲାଭ ସକାଶେ ସ୍ଥାନୀୟ ଦରିଦ୍ରମାନଙ୍କୁ ଜୀବିକା ଦେବାରେ କୁଣ୍ଠିତ ଖଣି ମାଲିକ ଅଥବା ଦରିଦ୍ରଙ୍କ ଅସ୍ଥିରୁ ଶେଷ ରସ ଶୋଷିବା ଲାଗି ଉଦ୍‌ଗ୍ରୀବ ମଦ ବ୍ୟବସାୟୀଙ୍କ ପର୍ଯ୍ୟନ୍ତରେ ଏଭଳି ଶାଗୁଣାମାନଙ୍କୁ ଦେଖିହୁଏ।

ସମ୍ବନ୍ଧିତ ଖବର