କାର୍ର କ୍ଷେତ୍ର
ଏକ ମଟର୍ କାର୍ ହେଉଛି ଏକ ‘ନିଜ ସ୍ଥଳୀ’ (‘ପ୍ରାଇଭେଟ୍ ପ୍ଲେସ୍’) ନା ‘ଲୋକ ସ୍ଥଳୀ’ (‘ପବ୍ଲିକ୍ ପ୍ଲେସ୍’)? ନିଜର ମଟର୍ କାର୍କୁ ପ୍ରାଇଭେଟ୍ କାର୍ ରୂପେ ଜାଣିଥିବା (ବସ୍, ଟ୍ରେନ୍ ଆଦିକୁ ସେମାନେ ‘ପବ୍ଲିକ୍ ଟ୍ରାନ୍ସପୋର୍ଟ’ ରୂପେ ଅଭିହିତ କରିଥାନ୍ତି) କାର୍ ମାଲିକମାନେ ଗତ ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଏକ ରାୟ ଦେଖି ନିଶ୍ଚିତ ରୂପେ ଚମକି ପଡ଼ିଥିବେ। ଏହା ବର୍ତ୍ତମାନ ପୃଥିବୀ ସାରା ଲୋକମାନଙ୍କର ଅନୁଭୂତି ଯେ ବର୍ଷାଧିକ କାଳ ମାନବ ସମାଜକୁ ଦହଗଞ୍ଜ କରିଚାଲିଥିବା ଚୀନା କରୋନା ଆମର ଅନେକ ପାରମ୍ପରିକ ସିଦ୍ଧାନ୍ତ ଓ ଆଚରଣ ସବୁକୁ ଓଲ ପାଲଟ କରି ପକାଇ ସାରିଲାଣି। ଯେମିତି, ଯିଏ ଯାହାକୁ ଯେତେ ଅଧିକ ଭଲ ପାଏ, ସେ ତା’ଠାରୁ ସେତେ ଅଧିକ ଦୂରେଇ ରହିବା ହେଉଛି ଭଲ ପାଇବାର ନିଦର୍ଶନ; ହାତ ମିଳାଇବା ପରିବର୍ତ୍ତେ କହୁଣି-କହୁଣି ଖେଞ୍ଚାଖେଞ୍ଚି କରିବା ହେଉଛି ଶିଷ୍ଟାଚାର ପ୍ରଦର୍ଶନର ନୂତନ କାଇଦା … ଇତ୍ୟାଦି। ସେଇ ଭଳି ସେଦିନ ମାନ୍ୟବର ବିଚାରପତି ପ୍ରତିଭା ସି˚ହ ତାଙ୍କ ରାୟରେ ଘୋଷଣା କରିଥିଲେ ଯେ କୋଭିଡ୍-୧୯ ପରିପ୍ରେକ୍ଷୀରେ ଏକ ଚଳମାନ କାର୍ ହେଉଛି ଏକ ‘ଲୋକ ସ୍ଥଳୀ’- ‘ନିଜ ସ୍ଥଳୀ’ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ବ୍ୟକ୍ତି ଏକାକୀ ଏକ କାର୍ ଚଳାଇ ଯାଉଥିବା ବେଳେ ନିଜ ମୁହଁକୁ ମାସ୍କ ଦ୍ବାରା ଆବୃତ କରିବା ବାଧୢତାମୂଳକ ବୋଲି ଦିଲ୍ଲୀ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶକୁ କାଏମ ରଖି ପ୍ରଦାନ କରିଥିବା ରାୟରେ ଏଭଳି ନିଷ୍ପତ୍ତିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଜଷ୍ଟିସ୍ ସି˚ହ ସର୍ବସାଧାରଣ ରାସ୍ତାରେ ଯାଉଥିବା ଯେକୌଣସି ଗାଡ଼ି ମଧୢ ହେଉଛି ସର୍ବସାଧାରଣ ସ୍ଥଳୀ ବା ‘ଲୋକ ସ୍ଥଳୀ’ ବୋଲି ଘୋଷଣା କରିଥିଲେ। ଅତଏବ ସର୍ବସାଧାରଣ ସ୍ଥଳୀରେ ଯଦି ମାସ୍କ ପିନ୍ଧିବା ବାଧୢତାମୂଳକ, ତା’ହେଲେ ଗାଡ଼ି ଭିତରେ ଜଣେ ମାତ୍ର ଥିଲେ ମଧୢ ତାଙ୍କ ପାଇଁ ମାସ୍କ ପିନ୍ଧିବା ବି ବାଧୢତାମୂଳକ। ଏହା ଅନେକଙ୍କୁ ଅବିଶ୍ବାସ୍ୟ ମନେ ହୋଇଥିବ, କାରଣ ମନସ୍ତାତ୍ତ୍ବିକ ଦୃଷ୍ଟିରୁ ଅଧିକା˚ଶ କାର୍ ମାଲିକମାନେ ସେମାନଙ୍କ ପ୍ରିୟ ଗାଡ଼ିଟିକୁ ସେମାନଙ୍କ ବୈଠକଖାନା, କିମ୍ବା ଶୟନ କକ୍ଷ କିମ୍ବା ନିଜ ବାସଗୃହର ଏକ ସମ୍ପ୍ରସାରିତ ଅ˚ଶ ରୂପେ ବିଚାର କରନ୍ତି। ମଟର୍ ଗାଡ଼ିର ଉଦ୍ଭାବନ ପର ଠାରୁ ଗାଡ଼ିମାଲିକଙ୍କ ଗତିଶୀଳତାରେ ଚମକପ୍ରଦ ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ସେମାନଙ୍କର ‘ନିଜ ସ୍ଥଳୀ’ ରୂପେ ବିବେଚିତ ଉପରୋକ୍ତ ବୈଠକଖାନାର ସୋଫା, କିମ୍ବା ଶୟନ କକ୍ଷର ଶଯ୍ୟା କିମ୍ବା ସମଗ୍ର ବାସଗୃହର ନିଭୃତ ପରିସର ମଧୢ ଗତିଶୀଳ ହୋଇଗଲା ବୋଲି ଗାଡ଼ିମାଲିକମାନେ ଅନୁଭବ କରି ଆସିଛନ୍ତି।
ଏହାର ଏକ ରୋଚକ ଉଦାହରଣ ସ୍ବରୂପ ମଟରଗାଡ଼ି ଆବିର୍ଭାବର ଆଦ୍ୟ କାଳରେ ୧୯୨୯ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ମ୍ୟାରେଜ୍ ଆଣ୍ତ୍ ମୋରାଲ୍ସ’ (‘ବିବାହ ଓ ନୈତିକତା’) ରେ ପ୍ରଖ୍ୟାତ ଗଣିତଜ୍ଞ-ଦାର୍ଶନିକ-ସମାଜତତ୍ତ୍ବବିତ୍ ବର୍ଟ୍ରାଣ୍ତ୍ ରସେଲ୍ ଯୌନାଚରଣରେ ପାରମ୍ପରିକ ନୈତିକତା ରକ୍ଷା କରିବାକୁ ହେଲେ କି କି ପଦକ୍ଷେପମାନ ନେବାକୁ ହେବ ତା’ର ଏକ ବ୍ୟଙ୍ଗାତ୍ମକ ବର୍ଣ୍ଣନା କରିବାକୁ ଯାଇ ମଟରକାର୍ ବ୍ୟବହାରର ନିୟନ୍ତ୍ରଣ ସେଥି ମଧୢରୁ ଅନ୍ୟତମ ବୋଲି ଉଲ୍ଲେଖ କରିଥିଲେ। ରସେଲ୍ ତାଙ୍କର ସ୍ବଭାବ ସୁଲଭ ତିର୍ଯ୍ୟକ୍ ଭଙ୍ଗୀରେ ଲେଖିଥିଲେ ଯେ ସରକାର କୌଣସି ପଚାଶ ବର୍ଷରୁ କମ୍ ବୟସର ଅବିବାହିତା ନାରୀ ମଟର୍ କାର୍ ରଖିବା ବେଆଇନ ବୋଲି ଘୋଷଣା କରନ୍ତୁ। କାହାର ବୁଝିବାକୁ ବାକି ନଥିବ ଯେ ପାରିବାରିକ କଟକଣାରୁ ଦୂରକୁ ଚାଲିଯାଇ ପୁରୁଷ ସଙ୍ଗ ଲାଭ କରିବାରେ ମଟର୍ କାର୍ଟିଏ ଅବିବାହିତା ଯୁବତୀଙ୍କୁ ସାହାଯ୍ୟ କରିଥାଏ ବୋଲି ରସେଲ୍ ଇସାରା ଦେଇଛନ୍ତି। କେବଳ ପୁରୁଷ ବନ୍ଧୁ ସହ ମୁରବିଙ୍କ ନଜରରୁ ଦୂରକୁ ଚାଲିଯିବାରେ ନୁହେଁ, ନିଜର ଶୟନକକ୍ଷର ନିଭୃତ ‘ନିଜ ସ୍ଥଳୀ’ର ପ୍ରତିରୂପ ସୃଷ୍ଟି କରିବାରେ ମଧୢ ଯୁବତୀଙ୍କ ପାଇଁ ମଟର୍ କାର୍ ବେଶ୍ ଉପଯୋଗୀ ହୋଇଥାଏ।
ମଟର୍ କାର୍ଟିଏ ତା’ହେଲେ ରସେଲ୍ କହିଥିବା ଭଳି ହେଉଛି ଏକ ‘ନିଜ ସ୍ଥଳୀ’ ନା ପ୍ରତିଭା ସି˚ହ କହିଥିବା ଭଳି ଏକ ‘ଲୋକ ସ୍ଥଳୀ’? ଏହାର ଉତ୍ତର ଖୋଜି ପାଇବା ପାଇଁ ଆମେ ଅନ୍ୟ ଏକ ପରିପ୍ରେକ୍ଷୀରେ ‘ଲୋକ ସ୍ଥଳୀ’ ବା ‘ଲୋକ କ୍ଷେତ୍ର’ (‘ପବ୍ଲିକ୍ ସ୍ଫିଅର୍’) ଧାରଣାର ଜନକ ୯୨ ବର୍ଷୀୟ ଜର୍ମାନ୍ ଦାର୍ଶନିକ ୟୁର୍ଗେନ୍ ହାବର୍ମାସ୍ ଏ ସ˚ପର୍କରେ ପ୍ରକାଶ କରିଥିବା ମତାମତ ଉପରେ ଏକ ସ˚କ୍ଷିପ୍ତ ଦୃଷ୍ଟିପାତ କରିପାରନ୍ତି। ହାବର୍ମାସ୍ଙ୍କ ମତରେ ‘ଲୋକକ୍ଷେତ୍ର’ ହେଉଛି ସେଇ ସ୍ଥଳୀ ଯେଉଁଠି ଏକ ‘ଜନ’ ସୃଷ୍ଟି କରିବା ପାଇଁ ‘ବ୍ୟକ୍ତି’ମାନେ ଏକତ୍ରିତ ହୁଅନ୍ତି। ଏହି ଜନମାନେ ଜନସ୍ବାର୍ଥସମ୍ବଳିତ ପ୍ରସଙ୍ଗମାନଙ୍କ ଉପରେ ଉକ୍ତ ଲୋକକ୍ଷେତ୍ରରେ ନିଜର ସ୍ବାଧୀନ ମତାମତ ପ୍ରକାଶ କରିଥାନ୍ତି ଓ ଆଲୋଚନାରେ ବ୍ୟାପୃତ ରହନ୍ତି। ଏହି ଲୋକକ୍ଷେତ୍ରମାନଙ୍କରେ ରୂପ ପରିଗ୍ରହଣ କରୁଥିବା ଜନମତ ଶେଷରେ ସିଧାସଳଖ ଭାବରେ ତଥା ନିର୍ବାଚନ ମାଧୢମରେ ରାଷ୍ଟ୍ର ଓ ରାଷ୍ଟ୍ରନୀତିକୁ ନିୟନ୍ତ୍ରଣ କରିଥାଏ।
ଦିଲ୍ଲୀରେ ଏବେ ଏହି ପ୍ରକ୍ରିୟା ଉଜାଣି ବହିବା ଭଳି ରାଷ୍ଟ୍ର ଏପରି ଏକ ସ୍ଥଳୀକୁ ‘ଲୋକ ସ୍ଥଳୀ’ ବୋଲି ଘୋଷଣା କରିଛି ଯେଉଁଠି ମାତ୍ର ଜଣେ ନାଗରିକ ଉପସ୍ଥିତ ଏବ˚ ସେଠାରେ କୌଣସି ଆଲୋଚନା କିମ୍ବା ବିତର୍କର ସମ୍ଭାବନା ନାହିଁ: ଜଣେ ମାତ୍ର ବ୍ୟକ୍ତି ଉପସ୍ଥିତ ଥାଇ ଚଳାଉଥିବା ଏକ ମଟର୍ କାର୍। ହାବର୍ମାସ୍ଙ୍କ ସ˚ଜ୍ଞା ଅନୁସାରେ ଜଣେ ମାତ୍ର ବ୍ୟକ୍ତି ଏକ ‘ଜନ’ ନୁହଁନ୍ତି କିମ୍ବା ଗାଡ଼ି ଭିତରେ କୌଣସି ଜନସ୍ବାର୍ଥସମ୍ବଳିତ ଆଲୋଚନା ସ˚ଘଟିତ ହେଉନାହିଁ; ତେଣୁ ମଟର୍ କାର୍ଟି ଲୋକକ୍ଷେତ୍ରର ଅ˚ଶ କିଭଳି ହେବ?
ଗାଡ଼ିମାଲିକଙ୍କ ଦୁର୍ଭାଗ୍ୟକୁ ସେ ଏକାକୀ ଚଳାଉଥିବା ଗାଡ଼ି ଭିତରେ କୌଣସି ଜନସ୍ବାର୍ଥ ସମ୍ବଳିତ ଆଲୋଚନା ଚାଲି ନଥିଲେ ହେଁ ଗାଡ଼ି ଭିତରେ କେବଳ ତାଙ୍କର ଉପସ୍ଥିତି ହିଁ ହେଉଛି ଏକ ଜନସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ। ଜଷ୍ଟିସ୍ ପ୍ରତିଭା ସି˚ହ ତାଙ୍କ ରାୟରେ ଉଲ୍ଲେଖ କରିଥିବା ଭଳି ସେ ଗାଡ଼ିବାଲାଜଣକ ବିଭିନ୍ନ ବାଟରେ କରୋନା ଭୂତାଣୁ ସ˚ସ୍ପର୍ଶରେ ଆସିଥାଇପାରିଥାନ୍ତି। ସେ କାର୍ରେ ପ୍ରବେଶ କରିବା ପୂର୍ବରୁ ବଜାର ଯାଇପାରିଥାନ୍ତି, କର୍ମସ୍ଥଳୀକୁ ଯାଇପାରିଥାନ୍ତି, ହସ୍ପିଟାଲକୁ ଯାଇପାରିଥାନ୍ତି, ଏକ ଜନଗହଳି ରାସ୍ତାକୁ ଯାଇପାରିଥାନ୍ତି। ସେ ଗାଡ଼ି ଚାଳକ ମଧୢ ବାୟୁ ଚଳାଚଳ ପାଇଁ ଗାଡ଼ିର ଝରକା ଖୋଲା ରଖିପାରିଥାନ୍ତି, ଟ୍ରାଫିକ୍ ଛକରେ ଛିଡ଼ା ହୋଇଥିବା ବେଳେ ସେ ଝରକା କାଚ ଖସାଇ ବୁଲା ବିକାଳିଙ୍କ ଠାରୁ କିଛି କିଣିବାକୁ ଚାହିଁପାରିଥାନ୍ତି ଓ ତେଣୁ ସେମାନଙ୍କ ସ˚ସ୍ପର୍ଶରେ ଆସିପାରିଥାନ୍ତି। ଏହି ପରି ଆହୁରି ଅନେକ ସମ୍ଭାବ୍ୟ ଉଦାହରଣ ପ୍ରଦାନ କରି ଜଷ୍ଟିସ୍ ସି˚ହ ମନ୍ତବ୍ୟ ପ୍ରଦାନ କରିଛନ୍ତି ଯେ ଚାଳକଜଣକ ଯଦି ମାସ୍କ ନ ପିନ୍ଧନ୍ତି, ତାଙ୍କ ଶ୍ବାସପ୍ରଶ୍ବାସରୁ ବିଚ୍ଛୁରିତ ‘ଡ୍ରପ୍ଲେଟ୍’ ମାଧୢମରେ ଅନ୍ୟମାନେ ସ˚କ୍ରମିତ ହୋଇପାରନ୍ତି। ଅର୍ଥାତ୍ ତାଙ୍କ ଯୋଗୁଁ ଜନସ୍ବାର୍ଥ ହାନି ଘଟିପାରେ। ଏଣୁ କରୋନା ନିୟନ୍ତ୍ରଣ ଦୃଷ୍ଟିରୁ ତାଙ୍କର ପ୍ରାଇଭେଟ୍ କାର୍ ହେଉଛି ଏକ ‘ପବ୍ଲିକ୍ ପ୍ଲେସ୍’।
ମାନ୍ୟବର ବିଚାରପତି ଆଉ ପାଦେ ଆଗକୁ ଯାଇ ଏ କଥା ମଧୢ କହିଛନ୍ତି ଯେ କେବଳ ନିଜର ଗାଡ଼ି ଭିତରେ ନୁହେଁ, ନିଜର ପରିବାରର ସଦସ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟକ୍ତିଜଣକ ନିଜ ଘର ଭିତରେ ମଧୢ ମାସ୍କ ପିନ୍ଧିବା ଉଚିତ। କରୋନା ସହିତ ଏ ଯୁଦ୍ଧରେ ନିଜର ଘର ବି ହେଉଛି ବାହାର। କୋର୍ଟ କହିଥିବା ଭଳି, ‘ନିଜ ସ୍ଥଳୀ’ ‘ଲୋକ ସ୍ଥଳୀ’ ନିର୍ବିଶେଷରେ ଏ ଯୁଦ୍ଧରେ ସୁରକ୍ଷା କବଚ ହେଉଛି- ମାସ୍କ!