ବିଶୁଦ୍ଧ ବଦାନ୍ୟତା

‘‘ଏଇ ପୃଥିବୀରେ ଆମର ପରିସ୍ଥିତି ହେଉଛି ଅଦ୍ଭୁତ। ଆମେ ଏଠାକୁ କାହିଁକି ଆସିଛୁ ନଜାଣି, ଆମେ ପ୍ରତ୍ୟେକ ଏଠାକୁ ଏକ ସ୍ବଳ୍ପକାଳୀନ ଗସ୍ତରେ ଆସିଛୁ, ଏବ˚ ତଥାପି ବେଳେ ବେଳେ ଆମକୁ ଲାଗେ ସତେ ଯେମିତି ଆମେ ଏଠାକୁ ଆସିବାର ଉଦ୍ଦେଶ୍ୟ ଜାଣିଛୁ। ତେବେ ଦୈନନ୍ଦିନ ଜୀବନ ଦୃଷ୍ଟିକୋଣରୁ ଆମେ ଗୋଟିଏ କଥା ନିଶ୍ଚିତ ଭାବରେ ଜାଣୁ: ମନୁଷ୍ୟ ଏଠାକୁ ଆସିଛି ଅନ୍ୟ ମନୁଷ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ- ସର୍ବୋପରି ସେଇମାନଙ୍କ ପାଇଁ, ଯେଉଁମାନଙ୍କ ହସ ଟିକିଏ ଓ ମଙ୍ଗଳ ଉପରେ ଆମ ନିଜର ଖୁସି ନିର୍ଭର କରେ।’’ ଏହା କୌଣସି ଧର୍ମ ଗୁରୁ, ବାବା କିମ୍ବା ମାତା ପ୍ରଦାନ କରିଥିବା ପ୍ରବଚନର ଅ˚ଶ ନୁହେଁ। ଏହା ହେଉଛି ଜଡ଼ ବିଜ୍ଞାନରେ ଈଶ୍ବରଙ୍କ ଭଳି ସ୍ଥାନ ଲାଭ କରିଥିବା ମହାନତମ ପଦାର୍ଥବିଜ୍ଞାନୀ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ଏକ ଲିପିବଦ୍ଧ ଅନୁଚିନ୍ତା।

ଓଡ଼ିଶା ଇତିହାସରେ ଅଭୂତପୂର୍ବ ହୋଇଥିବା ବଦାନ୍ୟତା ପ୍ରଦର୍ଶନ କରି ରାଜ୍ୟରେ ଏକ ସ୍ବତନ୍ତ୍ର କ୍ୟାନ୍‌ସର‌ ହସ୍‌ପିଟାଲ୍‌ ସ୍ଥାପନ ପାଇଁ ସ୍ବଅର୍ଜିତ ଅର୍ଥରୁ ଏକ ଅତି ବିଶାଳ ରାଶି- ୩୪୦ କୋଟି ଟଙ୍କା ଦାନ କରି ବାଗ୍‌ଚୀ ଦମ୍ପତି- ସୁସ୍ମିତା ଓ ସୁବ୍ରତ- ଆଇନଷ୍ଟାଇନ୍‌ଙ୍କର ଏହି ଅନୁଚିନ୍ତାକୁ ଅକ୍ଷରେ ଅକ୍ଷରେ ଅନୁସରଣ କରିବା ଭଳି ମନେହୁଏ। ଆଇନ୍‌ଷ୍ଟାଇନ୍‌ଙ୍କ ସେଇ ବାଣୀକୁ ନିରିଖେଇ ଦେଖିଲେ ଆଉ ଯେଉଁ ଏକ ଭାବବିହ୍ବଳକାରୀ ସତ୍ୟ ଆଖିରେ ପଡ଼ିଥାଏ, ତାହା ହେଲା, ଯେଉଁମାନଙ୍କର ଟିକିଏ ହସ ବା ମଙ୍ଗଳ ଦେଖିଲେ ବାଗ୍‌ଚୀ ଦମ୍ପତିଙ୍କୁ ଆନନ୍ଦ ମିଳିବ, ସେମାନେ ତାଙ୍କର ଜୈବିକ ପରିବାରର ସଦସ୍ୟ ନୁହନ୍ତି, କିମ୍ବା ସାଙ୍ଗ ସାଥୀ, ବନ୍ଧୁବାନ୍ଧବ ନୁହନ୍ତି; ସେମାନେ ହେଉଛନ୍ତି ପ୍ରତିବର୍ଷ ସାରା ଓଡ଼ିଶାରେ ଚିହ୍ନଟ ହେଉଥିବା ପ୍ରାୟ ୬୦,୦୦୦ ସରିକି କର୍କଟ ରୋଗୀ ଏବ˚ ସେମାନଙ୍କର ପରିବାର ବର୍ଗ। ନିର୍ଦ୍ଦିଷ୍ଟ ମହତ୍‌ ଲକ୍ଷ୍ୟ ସାଧନ-କାରୀ ସେମାନଙ୍କର ଏହି ଦାନ ବାଗ୍‌ଚୀ ଦମ୍ପତିଙ୍କୁ ଏଭଳି ଉଦ୍ୟମ ପାଇଁ ପ୍ରସିଦ୍ଧ ଭାରତର ଟାଟା ଗ୍ରୁପ୍‌ କିମ୍ବା ଆମେରିକାର ବିଲ୍‌ ଗେଟ୍‌ସ ଓ ଵାରେନ୍‌ ବଫେଟ୍‌ ଆଦିଙ୍କ ସ୍ତରକୁ ନେଇ ଯାଇଛି କହିଲେ ଅତିରଞ୍ଜନ ହେବ ନାହିଁ।

ତେବେ ଡାର‌୍‌ଵିନ୍‌ଙ୍କ ବିବର୍ତ୍ତନ ତତ୍ତ୍ବ ସହିତ ପରିଚିତ ଅନେକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିପାରୁଥାଏ, ‘ପ୍ରାକୃତିକ ଚୟନ’ ଭଳି ଏକ ସମ୍ପୂର୍ଣ୍ଣ ସ୍ବାର୍ଥପର ପ୍ରକ୍ରିୟାରୁ ପ୍ରସୂତ ମନୁଷ୍ୟ ଭଳି ଏକ ପ୍ରାଣୀ ଠାରେ ବଦାନ୍ୟତା ଭଳି ଏକ ନିଃସ୍ବାର୍ଥପର-ଭାବନା-ବହନକାରୀ ଜିନ୍‌ ଆବିର୍ଭୂତ ହୋଇ ଆସ୍ଥାନ ଜମାଇଲା କିପରି? ଯେକୌଣସି ପ୍ରାଣୀର ପ୍ରତ୍ୟେକ ଜିନ୍‌ ନିଜେ ସୁରକ୍ଷିତ ରହି ପର ପିଢ଼ିକୁ ଗମନ କରିବାକୁ ଏକମାତ୍ର ଲକ୍ଷ୍ୟ ରୂପେ ଅନୁଧାବନ କରୁଥିବାରୁ, ତାହା ‘ସେଲ୍‌ଫିସ୍‌ ଜିନ୍‌’ ବା ‘ସ୍ବାର୍ଥପର ଜିନ୍‌’ ନାମରେ କୁଖ୍ୟାତ। ତେଣୁ ମନୁଷ୍ୟଠାରେ ତାହାର ଠିକ୍‌ ବିପରୀତ ହୋଇଥିବା ବଦାନ୍ୟତା ଜିନ୍‌ ବା ପରୋପକାର ଜିନ୍‌ ଭଳି ଏକ ନୈତିକ ପ୍ରହେଳିକାର ଉପସ୍ଥିତି ପଛରେ ଥିବା ରହସ୍ୟ କ’ଣ?

ଖୋଦ୍‌ ଚାର୍ଲ‌୍‌ସ ଡାର‌୍‌ଵିନ୍‌ ଏହାର ଏକ ସମ୍ଭାବ୍ୟ ଉତ୍ତର ଦେବାକୁ ଚେଷ୍ଟା କରିଥିଲେ ତାଙ୍କର ଯୁଗାନ୍ତକାରୀ ବିବର୍ତ୍ତନ ତତ୍ତ୍ବ-ବହନକାରୀ ପୁସ୍ତକ ‘ଦି ଅରିଜିନ୍‌ ଅଫ୍‌ ସ୍ପିସିଜ୍‌’ ପ୍ରକାଶ ପାଇବାର ବାର ବର୍ଷ ପରେ ୧୮୭୧ରେ ପ୍ରକାଶିତ ‘ମନୁଷ୍ୟ’ର ବିବର୍ତ୍ତନ ସମ୍ବନ୍ଧିତ ତାଙ୍କର ପୁସ୍ତକ ‘ଦି ଡିସେଣ୍ଟ୍‌ ଅଫ୍‌ ମ୍ୟାନ୍‌’ରେ। ଏଥିରେ ସେ ଲେଖିଥିଲେ ଯେ, କୌଣସି ଏକ ଗୋଷ୍ଠୀରେ ନୈତିକ ମାନଦଣ୍ତରେ ଉନ୍ନତି ଘଟିବା ଏବ˚ ଏଭଳି ଚରିତ୍ର ସମ୍ପନ୍ନ ବ୍ୟକ୍ତିଙ୍କ ସ˚ଖ୍ୟାରେ ବୃଦ୍ଧି ଘଟିବା ସେହି ଗୋଷ୍ଠୀକୁ ଅନ୍ୟ ଗୋଷ୍ଠୀ ତୁଳନାରେ ବହୁ ଅଧିକ ସୁବିଧାଜନକ ସ୍ଥିତିରେ ରଖିଥାଏ। ଡାର‌୍‌ଵିନ୍‌ କହିଥିଲେ ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ ଯେ ଯେଉଁ ଗୋଷ୍ଠୀରେ ଅଧିକ ସ˚ଖ୍ୟାରେ ଦେଶଭକ୍ତି, ନିୟମାନୁବର୍ତ୍ତିତା, ସାହସ, ବିଶ୍ବସ୍ତତା, ସମ୍ବେଦନଶୀଳତା ଭଳି ନୈତିକ ଗୁଣ ବହନ କରୁଥିବା ଏବ˚ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଓ ସାଧାରଣ ସ୍ବାର୍ଥ ସିଦ୍ଧି ପାଇଁ ନିଜ ସ୍ବାର୍ଥକୁ ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ସଦସ୍ୟଙ୍କ ସ˚ଖ୍ୟା ଅଧିକ ହୋଇଥିବ, ସେ ଗୋଷ୍ଠୀ ଅନ୍ୟ ସମସ୍ତ ଗୋଷ୍ଠୀମାନଙ୍କ ଉପରେ ବିଜୟ ହାସଲ କରିବା ନିଶ୍ଚିତ। ଏଭଳି ଚରିତ୍ର ସମ୍ପନ୍ନ ଗୋଷ୍ଠୀ ହିଁ ‘ଯୋଗ୍ୟତମ ତିଷ୍ଠି ରହିବା ନିୟମ’ (‘ସର୍ଭାଇଭାଲ୍‌ ଅଫ୍‌ ଦି ଫିଟେଷ୍ଟ୍’) ଅନୁସାରେ ତିଷ୍ଠି ରହିବ। ଏହାକୁ କୁହାଯାଏ ‘ଗୋଷ୍ଠୀ ଚୟନବାଦ’ ବା ‘ଗ୍ରୁପ୍‌ ସିଲେକ୍‌ସନିଜ୍‌ମ୍‌’।

ଡାର‌୍‌ଵିନ୍‌ଙ୍କ ଏହି ନୂତନ ତତ୍ତ୍ବ ଯେ ଅବାସ୍ତବ, ତାହାର ପ୍ରକୃଷ୍ଟ ପ୍ରମାଣ ହେଉଛନ୍ତି ଆଜିର ବାଗ୍‌ଚୀ ଦମ୍ପତି; କାରଣ ସେମାନେ ଯେଉଁ ସମାଜର ଅ˚ଶ, ସେଥିରେ ସେମାନଙ୍କ ଭଳି ଡାର‌୍‌ଵିନ୍‌-ବର୍ଣ୍ଣିତ ଉପରୋକ୍ତ ଗୁଣ ସମ୍ପନ୍ନ ସଦସ୍ୟମାନଙ୍କ ସ˚ଖ୍ୟା ଅତ୍ୟନ୍ତ ବିରଳ। ‘ଗୋଷ୍ଠୀ ଚୟନବାଦ’ର ଅବାସ୍ତବତା ପଛରେ ଦୁଇଟି ଶକ୍ତିଶାଳୀ କାରଣ ରହିଛି। ଗୋଟିଏ ହେଲା- କୌଣସି ଗୋଷ୍ଠୀରେ ଥିବା ପରୋପକାରୀ ପିତାମାତାଙ୍କ ଠାରୁ ଜନ୍ମଲାଭ କରୁଥିବା ସନ୍ତାନସନ୍ତତିଙ୍କ ସ˚ଖ୍ୟା ସ୍ବାର୍ଥାନ୍ବେଷୀ ପିତାମାତାଙ୍କ ଠାରୁ ଜନ୍ମିତ ସନ୍ତାନସନ୍ତତିଙ୍କ ସ˚ଖ୍ୟା ଠାରୁ ବହୁତ କମ୍‌ ହୋଇପାରେ। ଦୁଇରେ- ଏକ ନିଃସ୍ବାର୍ଥପର, ଉଦାର ହୃଦୟ ବ୍ୟକ୍ତିର ଏ କଠିନ ଦୁନିଆରେ ବଞ୍ଚି ରହିବାର ସମ୍ଭାବନା ଏକ ସ୍ବାର୍ଥପର ବ୍ୟକ୍ତିର ବଞ୍ଚି ରହିବାର ସମ୍ଭାବନା ଠାରୁ କମ୍‌ ହୋଇଥାଏ; ଏଣୁ ସେମାନଙ୍କର ଉଚ୍ଚଗୁଣ ଅଧିକାରୀ ସନ୍ତାନସନ୍ତତିଙ୍କ ସ˚ଖ୍ୟା ସ୍ବାଭାବିକ ଭାବରେ କମ୍‌ ହୋଇଥାଏ। ଏଣୁ ମନୁଷ୍ୟଠାରେ ବଦାନ୍ୟତାର ଉପସ୍ଥିତିର କାରଣ ‘ଗୋଷ୍ଠୀ ଚୟନ’ ନୁହେଁ।

ତେବେ ଡାର‌୍‌ଵିନ୍‌ଙ୍କ ମୂଳ ‘ପ୍ରାକୃତିକ ଚୟନ’ ଭିତ୍ତିକ ବିବର୍ତ୍ତନ ତତ୍ତ୍ବର ଉପାସକମାନେ କିନ୍ତୁ ହାର ମାନିବାକୁ ରାଜି ନୁହନ୍ତି। ସେମାନେ ସେଇ ସ୍ବାର୍ଥକୈନ୍ଦ୍ରିକ ଡାର‌୍‌ଵିନୀୟ ପ୍ରାକୃତିକ ଚୟନ ନିୟମରୁ ପରୋପକାର ପଛରେ ରହିଥିବା ଅନ୍ୟୂନ ଚାରିଟି କାରଣ ଆବିଷ୍କାର କରିଛନ୍ତି। ପ୍ରଥମ, ନିଜ ପ୍ରକାର ଜିନ୍‌କୁ ସୁରକ୍ଷିତ ରଖିବା ପାଇଁ ମନୁଷ୍ୟଟିଏ ସମାନ ଜିନ୍‌ ବହନ କରୁଥିବା ଜ୍ଞାତିକୁଟୁମ୍ବଙ୍କୁ ସହାୟତା ପ୍ରଦାନ କରିଥାଏ (‘କିନ୍‌ ସିଲେକ୍‌ସନ୍‌’)। ଦ୍ବିତୀୟ, ପ୍ରତିଦାନ ଆଶାରେ ଅନ୍ୟର ଉପକାର କରିବା, ଯାହା ନିଜକୁ ତିଷ୍ଠି ରହିବାରେ ସାହାଯ୍ୟ କରେ (‘ରେସିପ୍ରୋକେସନ୍‌’)। ତୃତୀୟ, ବଦାନ୍ୟତା ସମ୍ପୃକ୍ତ ବ୍ୟକ୍ତିର ଖ୍ୟାତି ବୃଦ୍ଧି କରି ତା’ର ଜିନ୍‌ ସହିତ ତାକୁ ସମାଜରେ ତିଷ୍ଠି ରହି ପର ପିଢ଼ିକୁ ଜିନ୍‌ ହସ୍ତାନ୍ତର କରିବାରେ ସହାୟକ ହୋଇଥାଏ। ଚତୁର୍ଥ, ଅର୍ଥନୀତିଜ୍ଞ ଥର‌୍‌ଷ୍ଟାଇନ୍‌ ଭେବ୍‌ଲେନ୍‌ କହିଥିବା ଭଳି ଦୃଶ୍ୟମାନ ବଦାନ୍ୟତା ହେଉଛି ଏକ ଦୃଶ୍ୟମାନ ଉପଭୋଗ (କନ୍‌ସ୍ପିକ୍ୟୁଅସ୍‌ କନ୍‌ସମ୍ପସନ୍‌), ଯାହା ତା’ର ଅର୍ଥନୈତିକ ଶକ୍ତିର ବିଜ୍ଞାପନ ଭଳି କାର୍ଯ୍ୟ କରି ସମାଜରେ ବ୍ୟକ୍ତିର ସ୍ଥିତିକୁ ମଜଭୁତ କରିଥାଏ।

ଲକ୍ଷ୍ୟ କରିବା କଥା ଉପରୋକ୍ତ ଚାରିଟିଯାକ ସ୍ବାର୍ଥ-ପ୍ରଦୂଷିତ କାରଣ ମଧୢରୁ କେଉଁଟି ବି ବାଗ୍‌ଚୀ ଦମ୍ପତିଙ୍କ ବଦାନ୍ୟତା ପ୍ରତି ଲାଗୁ ହୋଇ ପାରିବ ନାହିଁ। ଅତଏବ କହିବାକୁ ହେବ ଯେ ଏ ଭଳି ବଦାନ୍ୟତା ହେଉଛି- ‘ବିଶୁଦ୍ଧ ବଦାନ୍ୟତା’, ଯାହା ଏହି ପ୍ରାଚୀନ ଶ୍ଳୋକ ବହନ କରିଥାଏ: ‘‘ପିବନ୍ତି ନଦ୍ୟଃ ସ୍ବୟମେବ ନାମ୍ଭଃ/ସ୍ବୟ˚ ନ ଖାଦନ୍ତି ଫଳାନି ବୃକ୍ଷାଃ। ନାଦନ୍ତି ଶସ୍ୟ˚ ଖଳୁ ବାରିବାହାଃ/ପରୋପକାରାୟ ସତା˚ ବିଭୁତୟଃ।ା’’ (ନଦୀ ନିଜର ଜଳ ନିଜେ ପାନ କରେ ନାହିଁ; ବୃକ୍ଷ ନିଜର ଫଳ ନିଜେ ଆହାର କରେ ନାହିଁ; ଜଳଦାନ କରି ଶସ୍ୟ ଉପୁଜାଉଥିବା ବାଦଲ ନିଜେ ସେ ଶସ୍ୟ ଖାଏ ନାହିଁ; ସତ୍‌-ପୁରୁଷମାନଙ୍କର ସମ୍ପଦ ପରୋପକାର ପାଇଁ ହିଁ ଉଦ୍ଦିଷ୍ଟ ହୋଇଥାଏ।)। ଆଶା, ଏମାନଙ୍କ ଉଦାହରଣ ଦ୍ବାରା ଉତ୍ସାହିତ ହୋଇ ସମାଜରେ ଆହୁରି ଅନେକ ଏଇଭଳି ସତ୍‌-ଦମ୍ପତିମାନଙ୍କର ଆବିର୍ଭାବ ଘଟିବ!

ସମ୍ବନ୍ଧିତ ଖବର