ନିରୀହ କପୋତ?

୨୦୧୯ରେ ପ୍ରକାଶିତ ‘ବ୍ଲାକ୍‌ ଵାରାଣ୍ଟ- କନ୍‌ଫେସନ୍‌ସ ଅଫ୍‌ ଏ ତିହାର ଜେଲର‌୍‌’ (କଳା ଵାରାଣ୍ଟ-ଜଣେ ତିହାର ଜେଲର‌୍‌ର ସ୍ବୀକାରୋକ୍ତି) ଶୀର୍ଷକ ଏକ ‘ମେମୋୟର’ ବା ସ୍ମୃତି ଚରିତରେ ସୁନୀଲ ଗୁପ୍ତା ଠାଏ ଯାହା ବର୍ଣ୍ଣନା କରିଛନ୍ତି, ତାହା ହେଲା ଏହି ପରି: ୧୯୮୧ ମସିହାରେ ଜଣେ ଆଇନ ସ୍ନାତକ ଭାବେ ସେ ଯେତେବେଳେ ଭାରତର ବୃହତ୍ତମ ଓ ସର୍ବାଧିକ ସୁରକ୍ଷା ବଳୟରେ ଥିବା ତିହାର ଜେଲ୍‌ରେ ଜଣେ ସହକାରୀ ‘ଜେଲ୍‌ ସୁପରିନ୍‌ଟେଣ୍ତେଣ୍ଟ’ ପଦରେ ଯୋଗ ଦେବାକୁ ଗଲେ, ସେହି ସମୟରେ ସେ ଦେଖିବାକୁ ପାଇଥିଲେ ଯେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଭଳି ଅନ୍ୟ ଯେଉଁ ଚଇନି ଫିଟ୍‌ ଭଦ୍ରବ୍ୟକ୍ତି ଜଣକ ଜ୍ୟାକେଟ୍‌ ଓ ଟାଇ ପରିଧାନ କରି ଜେଲ୍‌ ଭିତରେ ନିରଙ୍କୁଶ ଭାବେ ବିଚରଣ କରୁଥିଲେ, ସେ ଥିଲେ ପୃଥିବୀର ଅନ୍ୟତମ ସର୍ବାଧିକ କୁଖ୍ୟାତ ସିରିଏଲ୍‌ ହତ୍ୟାକାରୀ ଚାର୍ଲସ ଶୋଭରାଜ। ସୁନୀଲ ଗୁପ୍ତା ତହିଁରେ ଉଲ୍ଲେଖ କରିଛନ୍ତି ଯେ ଏଭଳି କୌଣସି ଜେଲ୍‌ ନିୟମ ନ ଥିଲା, ଶୋଭରାଜ ଯାହାର ଉଲ୍ଲ˚ଘନ କରୁ ନ ଥିଲା। ତା’ ଅଧୀନରେ ଜେଲ୍‌ ଭିତରୁ ବେଆଇନ ଡ୍ରଗ୍‌ସ କାରବାର ଚାଲୁଥିଲା; ନିଜ ଲାଗି ସୁସ୍ବାଦୁ ଖାଦ୍ୟ ସେ ନିଜେ ପ୍ରସ୍ତୁତ କରୁଥିଲା; ଦୁଇଟି ଖଣ୍ତରେ ପ୍ରକାଶିତ ତା’ର ଆତ୍ମଜୀବନୀର ବହୁଳ ବିକ୍ରିରୁ ଲବ୍‌ଧ ପ୍ରଚୁର ରୟାଲ୍‌ଟି ଅର୍ଥକୁ ସେ ଜେଲ୍‌ କର୍ମଚାରୀମାନଙ୍କୁ ଲାଞ୍ଚ ଦେଇ ବଶ କରିବାରେ ବ୍ୟବହାର କରୁଥିଲା। ସୁନୀଲ ଗୁପ୍ତା ତାଙ୍କ ପୁସ୍ତକରେ ପ୍ରଦାନ କରିଥିବା ଏଭଳି ଅନେକ ଦୃଷ୍ଟାନ୍ତ ମଧୢରୁ ଏହା କେବଳ ଗୋଟାଏ ମାତ୍ର। ସୁତରା˚, ଏଥିରୁ ଏକ ଅନ୍ଦାଜ ଲଗାଯାଇପାରେ କି ତିହାରରେ ଯଦି ଏଭଳି ସ୍ଥିତି; ତେବେ ଦେଶର ଅନ୍ୟାନ୍ୟ ଛୋଟ ବଡ଼ ଜେଲ୍‌ରେ ସ୍ଥିତି କେଉଁଭଳି ସ୍ତରରେ ରହିଥିବ! ଏହି ସନ୍ଦର୍ଭରେ ଗଲା ଶନିବାର ଦିନ କଟକର ଏସ୍‌.ସି.ବି. ବଡ଼ ମେଡିକାଲରୁ ଚିକିତ୍ସାଧୀନ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ ହାଇଦର ଅଚାନକ ଫେରାର ହୋଇଯିବା ଘଟଣା ଜେଲ୍‌ ଭିତରେ ବନ୍ଦୀ ଅପରାଧୀମାନଙ୍କ ପ୍ରଭାବ କ୍ଷେତ୍ରର ବ୍ୟାପ୍ତି ସମ୍ବନ୍ଧରେ ଏକ ସୂଚନା ଦେଇଥାଏ, ଯାହା ଏହି ସ୍ତମ୍ଭରେ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ବିଭିନ୍ନ ସମୟରେ ଗଣମାଧୢମରେ ପ୍ରକାଶିତ ହେଉଥିବା ସମ୍ବାଦର ସୌଜନ୍ୟରୁ ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠିକା ଅବଗତ ଥିବେ ଯେ ୨୦୦୫ ମସିହା ଠାରୁ ଜେଲ୍‌ରେ ରହି ଆସିଥିବା ତଥା ଦୁଇ ଦୁଇଟି ମାମଲାରେ ଆଜୀବନ ଜେଲ୍‌ ଦଣ୍ତ ଭୋଗୁଥିବା ହାଇଦର କାରାଗାର ଭିତରୁ ହିଁ ତା’ର ଆପରାଧିକ କାର୍ଯ୍ୟକଳାପ ଚଳାଇ ରଖି ଦାଦା ବଟି ଆଦାୟରୁ ଆରମ୍ଭ କରି ଭୟ ପ୍ରଦର୍ଶନ ଦ୍ବାରା ବିଭିନ୍ନ ଠିକାଦାରି ହାସଲ କରିବା ଅଥବା ପ୍ରତିପକ୍ଷ ଗ୍ୟାଙ୍ଗ୍‌ର ସଦସ୍ୟଙ୍କ ହତ୍ୟା କରିବା ବା ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ଆଦିର ଆୟୋଜନରେ ସ˚ପୂର୍ଣ୍ଣ ସମର୍ଥ ଥିଲା। ତାକୁ ନିଷ୍ପ୍ରଭାବୀ କରିବା ଲାଗି ଯଦିଓ ତାକୁ ଦୂର ସମ୍ବଲପୁର ଜେଲ୍‌କୁ ସ୍ତାନାନ୍ତରିତ କରାଯାଇଥିଲା, ତାହା ବିଶେଷ ଲାଭପ୍ରଦ ହୋଇ ନ ଥିଲା। ସେ ଫେରାର ହୋଇଯିବା ପଛରେ ଥିବା ସ˚ପୂର୍ଣ୍ଣ ପ୍ରକରଣ ଉପରେ ଦୃଷ୍ଟି ନିକ୍ଷେପ କଲେ ଏହି କଥା ସହଜରେ ବୁଝି ହୋଇଥାଏ। ପ୍ରଥମ କଥା ହେଲା, ଚିକିତ୍ସା ଲାଗି ବୁର୍ଲା ବଡ଼ ମେଡିକାଲରୁ ‘ରେଫର’ କରାଯାଇ ତାକୁ ମାର୍ଚ୍ଚ ୨୩ ତାରିଖରୁ ଏସ୍‌.ସି.ବି. ବଡ଼ ମେଡିକାଲରେ ଭର୍ତ୍ତି କରାଯିବା ସହିତ ତା’ ସକାଶେ ଏକ ବାତାନୁକୂଳିତ କ୍ୟାବିନରେ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା କଟକ-ଭୁବନେଶ୍ବର ଦ୍ବୈତ ମହାନଗରୀର କମିସନରେଟ୍‌ ଅଫ୍‌ ପୁଲିସ ଏହାର ସୂଚନା ପାଇ ନ ଥିଲେ। ହାଇଦରକୁ ଜଗିବା ଲାଗି ପ୍ରତି ଚାରି ଘଣ୍ଟା ଅନ୍ତରରେ ଜଣେ ଜଣେ ଏହିଭଳି ଛଅ ଜଣ ପୁଲିସ କର୍ମଚାରୀ ସମ୍ବଲପୁରରୁ ଆସି ଏଠାରେ ନିୟୋଜିତ ହୋଇଥିଲେ ସୁଦ୍ଧା ତାକୁ ଭେଟିବାକୁ ଅନେକ ବ୍ୟକ୍ତି ଅବାଧରେ ତା’ କ୍ୟାବିନକୁ ଯିବା ଆସିବା କରୁଥିଲେ। ହାଇଦର ଲାଗି ଏକ ହୋଟେଲରୁ ନିୟମିତ ବିରିଆନି ଯୋଗାଣର ବ୍ୟବସ୍ଥା ମଧୢ ହୋଇଥିଲା। ସୁତରା˚, ଏକ ସୁପରିକଳ୍ପିତ ଚକ୍ରାନ୍ତ ଅନୁସାରେ ତାକୁ ଜଗି ରହିଥିବା ଏକମାତ୍ର ପୁଲିସ କର୍ମଚାରୀଙ୍କୁ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ହାଇଦର ଖସିଯିବାରେ ଏବଂ ସେ ଫେରାର ହେବାର ପ୍ରାୟ ଦୁଇ ଘଣ୍ଟା ପରେ ତାହା ଜଣାପଡ଼ିବାରେ ବିସ୍ମୟ ପ୍ରକାଶ କରାଯିବାର ବିଶେଷ କାରଣ ନାହିଁ।

ସୁନୀଲ ଗୁପ୍ତାଙ୍କ ସ୍ମୃତି ଚରିତ ‘ବ୍ଲାକ୍‌ ଵାରାଣ୍ଟ୍‌’ରେ କୁହାଯାଇଥିବା ଭଳି ମୁଖ୍ୟତଃ ଲୋଭ ଓ ଭୟ ପ୍ରଦର୍ଶନ ଜରିଆରେ ଅପରାଧୀମାନେ ଜେଲ୍‌କୁ ସେମାନଙ୍କ ଆପରାଧିକ କାରବାରର ଏକ ସୁୁରକ୍ଷିତ କ˚ଟ୍ରୋଲ ରୁମ୍‌ରେ ପରିଣତ କରିପାରନ୍ତି। ତାହାର ଉଦାହରଣ ଦେଇ ‘ବ୍ଲାକ୍‌ ଵାରାଣ୍ଟ୍‌’ରେ ସେ ଲେଖିଛନ୍ତି କିଭଳି ଭୟ ଦେଖାଇ ଜନୈକ କୁଖ୍ୟାତ ଅପରାଧୀ ତିହାରରେ ଦୁଇଟି ସେଲ୍‌ ଅକ୍ତିଆର କରି ବସିଥିଲା: ଯହିଁରୁ ଗୋଟିଏ ନିଜ ଲାଗି ଏବ˚ ଅନ୍ୟଟି ତା’ର ପାରା ପୋଷିବା ସଉକ ମେଣ୍ଟାଇବା ଲାଗି। ସେହିଭଳି ଆଉ ଏକ ଦୃଷ୍ଟାନ୍ତରେ ଦେଖିବାକୁ ମିଳେ କିଭଳି ଗୋଟିଏ ଅତ୍ୟନ୍ତ ପ୍ରଭାବଶାଳୀ ରାଜନୈତିକ ପରିବାର ଭାରତର ସର୍ବୋତ୍ତମ ଓକିଲମାନଙ୍କୁ ନିୟୋଜିତ କରି ସୁଦ୍ଧା ହତ୍ୟା ଅଭିଯୋଗରୁ ପରିବାରର ସନ୍ତାନକୁ ମୁକୁଳାଇ ନ ପାରିବାରୁ ତିହାର ସନ୍ନିକଟ ଏକ ପଞ୍ଚ ତାରକା ହୋଟେଲ ଖର୍ଦ୍ଦି କରି ପକାଇଥିଲା, ଯହିଁରେ ତିହାରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସ˚ପର୍କୀୟମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ସେମାନଙ୍କୁ କୃତଜ୍ଞତା ପ୍ରକାଶର ସୁଯୋଗ ଦେବା ସ୍ବରୂପ ଜେଲ ଆବଦ୍ଧ ପୁତ୍ରଟି ଲାଗି ଯାବତୀୟ ପଞ୍ଚ ତାରକା ସୁବିଧାର ଆୟୋଜନ କରାଯାଇ ପାରିଥିଲା। ସୁତରା˚, ଉଚ୍ଚ ପ୍ରାଚୀର ଘେରା ଓ ମାଛି ନବଖଣ୍ତ ହୋଇ ଯାଉଥିବା ଭଳି ସୁରକ୍ଷା ବଳୟ ମଧୢରେ ଥିବା କାରାଗାରଗୁଡ଼ିକ ଭିତରେ କିଭଳି କାଣ୍ତକାରଖାନା ଚାଲିପାରେ; ଏହା ହେଉଛି କେବଳ ତା’ର ଦୁଇଟି ଉଦାହରଣ ମାତ୍ର। ପ୍ରାୟ ସମସ୍ତ ଭାରତୀୟ କା‌ରାଗାରରେ ଏଭଳି ସ୍ଥିତି ପରିଦୃଷ୍ଟ ହୋଇଥାଏ।

‘ଜେଲ ମାନୁଆଲ୍‌’ର ପରିମାର୍ଜନା ବା ଜେଲ୍‌ରେ ସଂସ୍କାର ସତ୍ତ୍ବେ ସ୍ଥିତିରେ ବିଶେଷ ପରିବର୍ତ୍ତନ ଆସି ପାରିନାହିଁ।

ଏଠାରେ ପ୍ରଣିଧାନଯୋଗ୍ୟ ଯେ ଜାଲ ତଳେ ଶସ୍ୟ ବିଞ୍ଚି ପକ୍ଷୀ ଧରିବା ଠାରୁ ଆରମ୍ଭ କରି ବନ୍‌ଶୀ କଣ୍ଟାରେ ଜିଆର ଥୋପ ଲଗାଇ ମାଛ ଧରିବା ପର୍ଯ୍ୟନ୍ତରେ ଖାଦ୍ୟ ହିଁ ପ୍ରତାରଣା-ପୂର୍ବକ ଶିକାର କରିବାର ଏକ ବଳିଷ୍ଠ ମାଧୢମ ହୋଇ ରହିଆସିଛି। ନବମ ଦଶକର ଶେଷ ଭାଗରେ ଚାର୍ଲସ ଶୋଭରାଜ ମଧୢ ଏହି ଉପାୟ ଅବଲମ୍ବନ କରି ନିଶାଯୁକ୍ତ ଖାଦ୍ୟ ଜରିଆରେ ଜେଲ୍‌ କର୍ମଚାରୀମାନଙ୍କୁ ଶିକାର ବନାଇ ତିହାରରୁ ନିରୁଦ୍ଦିଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ହାଇଦର ମଧୢ ସମାନ ପଦ୍ଧତି ଅବଲମ୍ବନ କରିଛି। ତେବେ, କଥା ହେଳା, ଖାଦ୍ୟର ଲୋଭ ଦେଖାଇ ଆୟତ୍ତାଧୀନ କରିବାର ପ୍ରକରଣରେ ଯାହା ନିହିତ ଥାଏ, ତାହା ହେଉଛି ଖାଦ୍ୟାଗ୍ରହୀର ଖାଦ୍ୟ ଦ୍ରବ୍ୟ ପ୍ରଦାନ କରୁଥିବା ବ୍ୟକ୍ତି ଉପରେ ଏକ ସରଳ ବିଶ୍ବାସ। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ କି ଏକ ବ୍ୟାଧର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ସମ୍ବନ୍ଧରେ ସ˚ପୂର୍ଣ୍ଣ ଅଜ୍ଞ ଗୋଟିଏ କପୋତ ହୁଏ’ତ ଏଭଳି ସରଳ ବିଶ୍ବାସ ପ୍ରକଟ କରିପାରେ; କିନ୍ତୁ ଅପରାଧୀମାନଙ୍କ ମନସ୍ତତ୍ତ୍ବ ବୁଝିପାରୁଥିବା ଏବ˚ କାରାଗାରରୁ ପଳାୟନ କରିବା ଲାଗି ସେମାନଙ୍କ ଅଦମ୍ୟ ଇଚ୍ଛା ସ˚ପର୍କରେ ସଚେତନ ଥିବା ପୁଲିସ ଯଦି ନିରୀହ କପୋତସୁଲଭ ବିଶ୍ବାସ ପ୍ରଦର୍ଶନ କରେ, ତେବେ ତାହା ଏକ ଘୋର ବିଡ଼ମ୍ବନା ନୁହେଁ କି?

ସମ୍ବନ୍ଧିତ ଖବର