ରିମୋଟ୍‌ କ୍ଷମତା

ଆମ ଘରର ଶୟନ କକ୍ଷ ବା ବୈଠକ ଖାନାମାନଙ୍କରେ ଶୋଭା ପାଉଥିବା ‘ଇଡିଅଟ୍‌ ବକ୍‌ସ’ ବା ‘ନିର୍ବୋଧ ବାକ୍‌ସ’ ରୂପେ ପରିଚିତ ଟେଲିଭିଜନଟି ହେଉଛି ଏଭଳି ଏକ ଉପଭୋଗ୍ୟ ବସ୍ତୁ, ଯାହାକୁ ପରିବାରର ସଦସ୍ୟମାନେ ମିଳିମିଶି ବ୍ୟବହାର କରନ୍ତି ବା କିଞ୍ଚିତ ତିର୍ଯ୍ୟକ୍‌ ଭାବେ କହିଲେ ତା’ ଉପରେ ଭାଗ ବସାଇ ଥାଆନ୍ତି। ସେହି କାରଣରୁ ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଘରେ ଗୋଟିଏ ମାତ୍ର ଟେଲିଭିଜନ ସେଟ୍‌ ରହିଥିଲେ, କିଏ କେତେବେଳେ ଓ କେଉଁ କାର୍ଯ୍ୟକ୍ରମ ଲାଗି ତା’ ଉପରେ ଅଧିକାର ସାବ୍ୟସ୍ତ କରିବ; ସେ ନେଇ ପରିବାରର ସଦସ୍ୟମାନଙ୍କ ଭିତରେ ମୃଦୁ ବା ବଡ଼ ମନୋମାଳିନ୍ୟ ସୃଷ୍ଟି ହୋଇଥାଏ। ସେହି ଦୃଷ୍ଟିରୁ କୁହାଯାଇପାରେ କି ଟେଲିଭିଜନର ‘ରିମୋଟ୍‌ କ˚ଟ୍ରୋଲ୍‌’ କାହା ଦଖଲରେ ରହୁଛି, ତହିଁରୁ ପରିବାରର ସଦସ୍ୟମାନଙ୍କ ପ୍ରଭାବ କ୍ଷେତ୍ର ସ˚ପର୍କରେ ମଧୢ ଏକ ମୋଟାମୋଟି ଧାରଣା ମିଳିପାରେ। ଏହି ପରିପ୍ରେକ୍ଷୀରେ ‘ଅରମାକ୍‌ସ ମିଡିଆ’ ଦ୍ବାରା ସଦ୍ୟ ପ୍ରକାଶିତ ଏକ ଅନୁଧୢାନମୂଳକ ଏବ˚ କୌତୁହଳପ୍ରଦ ରିପୋର୍ଟ ଏକ କ୍ଷୁଦ୍ର ଅନୁଶୀଳନ ଲାଗି ଅବକାଶ ସୃଷ୍ଟି କରିଥାଏ, ଯହିଁରେ ୨୦୨୦ ମସିହା ଅକ୍ଟୋବର ଓ ଡିସେମ୍ବର ମଧୢବର୍ତ୍ତୀ ସମୟ ଖଣ୍ତରେ ଭାରତୀୟ ପରିବାରରେ ଟେଲିଭିଜନ ‘ରିମୋଟ୍‌ କ˚ଟ୍ରୋଲ୍‌’ କାହା ହାତରେ କେତେ ସମୟ ରହିଛି; ସେ ବିଷୟରେ ଏକ ମୋଟାମୋଟି ଚିତ୍ର ଦେଖିବାକୁ ମିଳେ।

ଉଲ୍ଲେଖଯୋଗ୍ୟ ଯେ ଗଲା ୨୦୧୨ ମସିହାରେ ‘ଅରମାକ୍‌ସ ମିଡିଆ’ ପକ୍ଷରୁ ଏ ସ˚ଦର୍ଭରେ ଏକ ସର୍ବେକ୍ଷଣ କରାଯାଇଥିଲା। ସୁତରା˚, ବର୍ତ୍ତମାନ ଅର୍ଥାତ୍‌ ତାହାର ପ୍ରାୟ ଏକ ଦଶନ୍ଧି ପରେ ଆଉ ଏକ ସମାନ ଧରଣର ସର୍ବେକ୍ଷଣ କରାଯାଇ ଦୁଇଟି ମଧୢରେ ଏକ ତୁଳନାତ୍ମକ ଚିତ୍ର ପ୍ରସ୍ତୁତିର ଉଦ୍ୟମ କରାଯାଇଛି। ଏହି ଅନୁଧୢାନରେ ଭାରତର ୨୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳାଧୀନ ସହରାଞ୍ଚଳର ଟେଲିଭିଜନ ଦର୍ଶକମାନେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ସ˚ଖ୍ୟା ୫୦୦୦। ନମୁନା ଭାବେ ନିଆଯାଇଥିବା ଏହି ଅଂଶ ଗ୍ରହଣକାରୀ ମାନଙ୍କୁ ସପ୍ତାହର ପ୍ରତ୍ୟେକ ଦିନ ଏ ସଂକ୍ରାନ୍ତ ପ୍ରଶ୍ନ ପଚରାଯାଇଥିଲା। ଏହି ସର୍ବେକ୍ଷଣରେ ପନ୍ଦର ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ଏଥିରୁ ପ୍ରସ୍ତୁତ ରିପୋର୍ଟରେ ଏବେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ସପ୍ତାହର କାର୍ଯ୍ୟ ଦିବସଗୁଡ଼ିକରେ ଦିନ ୧୧ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଟେଲିଭିଜନର ‘ରିମୋଟ୍‌ କ˚ଟ୍ରୋଲ୍‌’ ମୁଖ୍ୟତଃ ପରିବାରର ମହିଳାମାନଙ୍କ ହାତରେ ରହିଥାଏ, ଯାହାର ହାର ହେଉଛି ସେହି ସମୟରେ ପ୍ରୋଗ୍ରାମ ଦେଖୁଥିବା ଦର୍ଶକମାନଙ୍କ ସ˚ଖ୍ୟାର ପ୍ରାୟ ୬୨ ପ୍ରତିଶତ। ସନ୍ଧ୍ୟା ୭ଟା ପରେ ‘ରିମୋଟ୍‌ କ୍ଷମତା’ ପୁରୁଷମାନଙ୍କ ହାତକୁ ଚାଲିଯାଇଥାଏ, ଯେଉଁ ସମୟରେ ମଧୢବୟସ୍କ ପୁରୁଷ ଦର୍ଶକଙ୍କ ସ˚ଖ୍ୟା ସମୁଦାୟ ଦର୍ଶକ ସ˚ଖ୍ୟାର ୬୭ ପ୍ରତିଶତରେ ପହଞ୍ଚିଥାଏ। ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ମହିଳାମାନଙ୍କ ସହିତ ତରୁଣ ପିଢ଼ି ହାତରେ ମଧୢ ‘ରିମୋଟ୍‌ କ˚ଟ୍ରୋଲ’ଟି କେତେକା˚ଶରେ ରହିଥାଏ। ଅପରାହ୍‌ଣ ୨ଟାରୁ ୫ଟା ଭିତରେ ଟେଲିଭିଜନ ସାମନାରେ ତରୁଣ (୧୫ରୁ ୨୨ ବର୍ଷ ବୟସ) ବର୍ଗଙ୍କ ଉପସ୍ଥିତି ସର୍ବାଧିକ ୩୦ ପ୍ରତିଶତ ଯାଏ ପହଞ୍ଚିଥାଏ, ଯାହା ତା’ ପରେ କ୍ରମାଗତ ଭାବେ ହ୍ରାସ ପାଇଥାଏ। ସପ୍ତାହାନ୍ତ ଛୁଟିଦିନ ମାନଙ୍କରେ ଚିତ୍ର ସ˚ପୂର୍ଣ୍ଣ ବଦଳି ଥାଏ, ଯେତେବେଳେ ଦିନର ଅଧିକା˚ଶ ସମୟ ରିମୋଟ୍‌ଟି ପୁରୁଷମାନଙ୍କ ହାତରେ ବିରାଜମାନ ଥାଏ। ଏଭଳି ଛୁଟି ଦିନଗୁଡ଼ିକରେ କେବଳ ଅପରାହ୍‌ଣ ୫ଟାରୁ ସନ୍ଧ୍ୟା ୭ଟା ମଧୢରେ ଟିଭି ଉପରେ ମହିଳାଙ୍କ ଭାଗ ବଢ଼ିଥାଏ, ଯାହା ପ୍ରାୟ ୫୦ ପ୍ରତିଶତ ପାଖାପାଖି ହୋଇଥାଏ; କିନ୍ତୁ ୭ଟା ପରେ ପୁଣି ସ˚ଖ୍ୟାଧିକ ମହିଳାଙ୍କ ଠାରୁ ରିମୋଟ୍‌ଟି ପୁରୁଷଙ୍କୁ ହସ୍ତାନ୍ତରିତ ହୋଇଯାଇଥାଏ। ଏହି ସର୍ବେକ୍ଷଣରୁ ଆହୁରି ଦେଖିବାକୁ ମିଳିଥିଲା ଯେ ଟେଲିଭିଜନ ସମ୍ମୁଖରେ ୬୧ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କ ଉପସ୍ଥିତି ସକାଳୁ ରାତି ପର୍ଯ୍ୟନ୍ତ ସର୍ବଦା ସମାନ ରହିଛି, ଯାହା ହେଉଛି ସମଗ୍ର ଦର୍ଶକ ସ˚ଖ୍ୟାର ୧୬ ପ୍ରତିଶତ।

୨୦୧୨ ମସିହାରେ ହୋଇଥିବା ସର୍ବେକ୍ଷଣ ସହିତ ଏହାର ତୁଳନା କରାଗଲେ ‘ଟ୍ରେଣ୍ତ୍‌’ ବା ଧାରାରେ ଯେଉଁ ପ୍ରମୁଖ ପରିବର୍ତ୍ତନଟି ଦୃଷ୍ଟିଗୋଚର ହୋଇଥାଏ, ତାହା ହେଲା ଆଠ ବର୍ଷ ତଳେ ସନ୍ଧ୍ୟା ୭ରୁ ରାତି ୧୧ଟା ମଧୢବର୍ତ୍ତୀ ‘ପ୍ରାଇମ ଟାଇମ’ (ଟେଲିଭିଜନ ପ୍ରୋଗ୍ରାମ ଶୃଙ୍ଖଳାର ସର୍ବାଧିକ ଲୋକପ୍ରିୟ ସମୟ)ରେ ‘ରିମୋଟ୍‌ କ˚ଟ୍ରୋଲ୍‌’ ଦଖଲ କରିଥିବା ପୁରୁଷମାନଙ୍କ ସ˚ଖ୍ୟାରେ ଦୁଇ ଗୁଣ ବୃଦ୍ଧି ଘଟିଛି। ଏହି ଅନୁଧୢାନରୁ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରଭେଦଟି ଜଣାପଡ଼େ, ତାହା ହେଲା ବର୍ତ୍ତମାନ ଭାରତରେ ଟେଲିଭିଜନ ଦର୍ଶକଙ୍କ ହାରାହାରି ବୟସ ପହଞ୍ଚିଛି ୪୦ ବର୍ଷରେ, ଯାହା ୨୦୧୨ର ହାରାହାରି ବୟସ ଠାରୁ ଅଧିକ।

ଏହାର କାରଣ ଦର୍ଶାଇବାକୁ ଯାଇ ‘ଅରମାକ୍‌ସ ମିଡିଆ’ ପକ୍ଷରୁ ସ˚ସ୍ଥାର ପ୍ରତିଷ୍ଠାତା ଓ ସି.ଇ.ଓ. ଶୈଳେଶ କପୁର ଯାହା କହିଥାଆନ୍ତି, ତାହା ହେଲା ହୋଇପାରେ ଯେ ୨୦୧୨ ବେଳକୁ ମହିଳା ସଶକ୍ତୀକରଣର ବାର୍ତ୍ତା ବହନ କରିଥିବା ଧାରାବାହିକ (‘ଶାଶ୍‌ ଭି କଭି ବୋହୂ ଥି’ ଭଳି)ଗୁଡ଼ିକର ଟ୍ରେଣ୍ତ ଚାଲିଥିବାରୁ ସେ ସବୁ ଦେଖିବା ଲାଗି ମହିଳା ଦର୍ଶକମାନଙ୍କ ଆଗ୍ରହ ଅତ୍ୟଧିକ ହୋଇ ରିମୋଟ୍‌ ଦଖଲ କରିବାରେ ସେମାନଙ୍କୁ ବ୍ରତୀ କରିଥିଲା, ଯାହା ସେଭଳି ‘ଟ୍ରେଣ୍ତ୍‌’ର ଅନୁପସ୍ଥିତିରେ ଏବେ ହ୍ରାସ ପାଇଛି। ଏହି ରିପୋର୍ଟରେ ଅନ୍ୟ ଯେଉଁ ବିଷୟ ସ˚ପର୍କରେ ଉଦ୍‌ବେଗ ପ୍ରକାଶ ପାଇଛି, ତାହା ହେଲା ଦର୍ଶକଙ୍କ ହାରାହାରି ବୟସ (୪୦ ବର୍ଷ) ତାରୁଣ୍ୟ ଅତିକ୍ରମ କରିବାକୁ ବସିଥିବାରୁ ଟେଲିଭିଜନ ଭଳି ଏକ ବଳିଷ୍ଠ ଗଣମାଧୢମ ପ୍ରତି ବିଜ୍ଞାପନଦାତାମାନେ ବିମୁଖ ହେବାର ସମ୍ଭାବନା ରହିଛି। କାରଣ, ତରୁଣ ବର୍ଗଙ୍କୁ ଦୃଷ୍ଟିରେ ରଖି ବିଜ୍ଞାପନଦାତାମାନେ ବିଭିନ୍ନ ବ୍ରାଣ୍ତ୍‌ର ବିକାଶ କରିଥାଆନ୍ତି।

ତେବେ ଏ ରିପୋର୍ଟର ଗଭୀରତାକୁ ଦୃଷ୍ଟି ପକାଇ‌େଲ କଲେ ଯେଉଁ ଚିତ୍ରଟି ଦେଖିବାକୁ ମିଳିି‌ଥାଏ, ତାହା ହେଲା ଏହି ଭଳି: ଯେଉଁ ସମୟରେ ଏହି ସର୍ବେକ୍ଷଣ ହୋଇଥିଲା, ସେତିକି ବେଳେ ପ୍ରମୁଖ ହିନ୍ଦୀ ଓ ଇ˚ରେଜୀ ନ୍ୟୁଜ୍‌ ଚ୍ୟାନଲ୍‌ଗୁଡ଼ିକ ଅଭିନେତା ସୁଶାନ୍ତ ସି˚ହ ରାଜପୁତଙ୍କ ସନ୍ଦେହାସ୍ପଦ ମୃତ୍ୟୁ, ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରି, କୋଭିଡ୍‌ ପାନ୍‌ଡେମିକ୍‌ ଆଦି ଭଳି ବିଷୟକୁ କେନ୍ଦ୍ର କରି ଏଭଳି ଧୢାନ ଆକର୍ଷଣକାରୀ କୋଳାହଳ ସୃଷ୍ଟି କରିଥିଲେ ଯେ ତାହା ସାମନାରେ ମନୋର˚ଜନଧର୍ମୀ କାର୍ଯ୍ୟକ୍ରମଗୁଡ଼ିକ ନିଷ୍ପ୍ରଭ ଦିଶିଥିଲେ। ସେହି ସମୟରେ ନ୍ୟୁଜ୍‌ ଚ୍ୟାନେଲ୍‌ମାନ ଦେଖିବା ଲାଗି ମହିଳାମାନଙ୍କ ତୁଳନାରେ ଅଧିକ ଆଗ୍ରହୀ ପୁରୁଷମାନେ ରିମୋଟ୍‌ ଅକ୍ତିଆର କରିଥିବା ସ୍ବାଭାବିକ। ତେବେ, ରିମୋଟ୍‌ ଦଖଲ କ୍ଷେତ୍ରରେ ପୁରୁଷର ପ୍ରାଧାନ୍ୟ ସେତିକି ବେଳେ ନିଶ୍ଚିତ ରୂପେ ପ୍ରମାଣିତ ହୋଇଥାଏ, ଯେତେବେଳେ ଦେଖିବାକୁ ମିଳିଛି ଯେ ସାଧାରଣ କାର୍ଯ୍ୟ ଦିବସରେ ପରିବାରରେ ପୁରୁଷଙ୍କ ଅନୁପସ୍ଥିତିରେ ମହିଳାଙ୍କ ହାତରେ ଥିବା ରିମୋଟ୍‌ ଛୁଟି ଦିନମାନଙ୍କରେ ତାହା ସେମାନଙ୍କ ହାତରୁ ଖସି ଯାଇ ଅବଲୀଳା କ୍ରମେ ପୁରୁଷମାନଙ୍କ ହାତରେ ପହଞ୍ଚିଥାଏ। ଏହି ଅନୁଧୢାନରୁ ଏହା ମଧୢ ଜଣାପଡ଼ିଥାଏ ଯେ ତରୁଣ ବର୍ଗ ସ˚ପ୍ରତି ଇଣ୍ଟରନେଟ୍‌ ଏବ˚ ସାମାଜିକ ଗଣମାଧୢମକୁ ଟେଲିଭିଜନର ବିକଳ୍ପ ରୂପେ ଗ୍ରହଣ କରି ସାରିଲେଣି; ଏବ˚ ସ୍ମାର୍ଟ ଫୋନ୍‌ରେ ସେମାନେ ସନ୍ତର୍ପଣରେ ଓ ନିଭୃତରେ ସେମାନଙ୍କ ପସନ୍ଦ ମୁତାବକ ବିଭିନ୍ନ କାର୍ଯ୍ୟକ୍ରମ (ଟେଲିଭିଜନ କାର୍ଯ୍ୟକ୍ରମ ସମେତ) ଦେଖି ପାରୁଥିବାରୁ ପରିବାରର ଟେଲିଭିଜନ ଉପରେ ଭାଗ ବସାଇବାକୁ ବୀତସ୍ପୃହ। କେବଳ ସେତିକି ନୁହେଁ ସେଥିରୁ ଆଉ ଯେଉଁ ବଳିଷ୍ଠ ସନ୍ଦେଶଟି ମିଳିଥାଏ, ତାହା ହେଲା ପରିବାରର ବରିଷ୍ଠ ନାଗରିକମାନଙ୍କ ହାତକୁ ‘ରିମୋଟ୍‌ କ୍ଷମତା’ ଆସି ନ ଥାଏ, ଯେଉଁମାନେ ସକାଳୁ ସନ୍ଧ୍ୟା ଯାଏ ଟେଲିଭିଜନ ସମକ୍ଷରେ ଉପସ୍ଥିତ ରହି ଅନ୍ୟମାନଙ୍କ ପସନ୍ଦର ପ୍ରୋଗ୍ରାମ ଦେଖିବାରେ ଲାଗିଥାନ୍ତି।

ସମ୍ବନ୍ଧିତ ଖବର