ଲଙ୍ଗରହୀନ ଜାହାଜ

ନିକଟରେ ଏଭଳି କେତେକ ଘଟଣା ଘଟିଛି, ଯାହାରି ଆଲୋକରେ ବିଚାର କଲେ ଆମ ଦେଶ ଭାରତ ଯେ ଏକ ବାଟବଣା ରାଷ୍ଟ୍ରରେ ପରିଣତ ହୋଇଛି, ତାହା ସ୍ପଷ୍ଟ ହୋଇଥାଏ। ଭାରତରେ ଏବେ କରୋନା ସ˚କ୍ରମଣର ଭୟାବହ ଦ୍ବିତୀୟ ତରଙ୍ଗ ଦୃଶ୍ୟମାନ; ଯହିଁରେ ଦୈନିକ ସ˚କ୍ରମଣ ୨ ଲକ୍ଷରୁ ଅଧିକ ହୋଇ ପ୍ରଥମ ତରଙ୍ଗ କାଳୀନ ଦୈନିକ ସର୍ବୋଚ୍ଚ ସ˚ଖ୍ୟାର ଦୁଇ ଗୁଣରୁ ଅଧିକ ହେଲାଣି; ତାହା ପୁଣି ତିନି ସପ୍ତାହରୁ କମ୍‌ ସମୟ ବ୍ୟବଧାନରେ ଏବ˚ ଯାହା ସହଳ ନିମ୍ନଗାମୀ ହେବାର କୌଣସି ଚିହ୍ନ ପ୍ରଦର୍ଶନ କରୁନାହିଁ। କେବଳ ସେତିକି ନୁହେଁ, ଦ୍ବିତୀୟ ତରଙ୍ଗରେ ସ˚କ୍ରମଣର ବେଗ ଓ ତୀବ୍ରତା ଅଧିକ ଭୀଷଣ ହୋଇଥିବାରୁ ଦେଶର ଜନ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖା ଦେଲାଣି; ଡାକ୍ତରଖାନାମାନଙ୍କରେ ଅମ୍ଳଜାନର ଅଭାବ ପରିଦୃଷ୍ଟ ହେଉଥିବା ପରିପ୍ରେକ୍ଷୀରେ ଏହାର ମୁକାବିଲା ସକାଶେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସ˚ପର୍କରେ ଆଲୋଚନା ମଧୢ କରିଛନ୍ତି। ଏହା ସହିତ ଦେଶରେ ଭ୍ୟାକ୍‌ସିନ ଅଭାବକୁ ଦୂର କରିବା ଲାଗି ବିଦେଶରୁ ଭ୍ୟାକ୍‌ସିନ ଆମଦାନିର ଉଦ୍ୟମ ମଧୢ କରାଯାଉଛି। କିନ୍ତୁ, ଅପର ପକ୍ଷରେ ଏହି ସମୟରେ କ୍ଷୁଦ୍ର ରାଷ୍ଟ୍ର ଇସ୍ରାଏଲ୍‌ ସ˚ପୂର୍ଣ୍ଣ ଟିକାକରଣ କରି ନିଜ ଦେଶକୁ ପ୍ରାୟ ‘କୋଭିଡ୍‌ ମୁକ୍ତ’ ବୋଲି ଘୋଷଣା କରିଛି। ସେହିଭଳି ଚୀନ୍‌ ତା’ର ତୃତୀୟ ଚଉଠର ଆର୍ଥିକ ଅଭିବୃଦ୍ଧିକୁ ୮୫ ପ୍ରତିଶତ ବୋଲି ପ୍ରଦର୍ଶନ କରି ପରୋକ୍ଷରେ ସ˚କେତ ପ୍ରଦାନ କଲାଣି ଯେ ସେ ମଧୢ କରୋନାର ବିଭୀଷିକାରୁ ମୁକ୍ତ! ଏହି ସ˚ଦର୍ଭରେ ଆମ ଦେଶର ସ୍ଥିତି ଏକ ସଦ୍ୟ ବିଶ୍ଳେଷଣର ଅବକାଶ ସୃଷ୍ଟି କରେ।

କହିବା ନିଷ୍ପ୍ରୟୋଜନ ଯେ ଏହି ସ୍ତମ୍ଭର ଅନେକ ପାଠକପାଠିକା ଇସ୍ରାଏଲ୍‌ର ସଫଳତାକୁ ଚିତ୍ତାକର୍ଷକ ବୋଲି ସ୍ବୀକାର କରି ନ ପାରନ୍ତି! କାରଣ ଇସ୍ରାଏଲ୍‌ର ଜନସ˚ଖ୍ୟା ମାତ୍ର ଏକ କୋଟି; ଯାହାକୁ ଭାରତ ଭଳି ଏକ ଅତ୍ୟନ୍ତ ଜନବହୁଳ ରାଷ୍ଟ୍ର (ଜନସ˚ଖ୍ୟା ୧୩୬ କୋଟି) ସହିତ ତୁଳନା କରିବା ଅଯୌକ୍ତିକ। କିନ୍ତୁ ଏହି ପ୍ରସଙ୍ଗରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ନିଜ ଦେଶରେ ସାର୍ବଜନୀନ ଟିକାକରଣ ଲାଗି ଠିକଣା ସମୟରେ ଯଥେଷ୍ଟ ସ˚ଖ୍ୟକ ଭ୍ୟାକ୍‌ସିନ ଯୋଗାଡ଼ କରିପାରିବାରେ ଇସ୍ରାଏଲ୍‌ର ସାଫଲ୍ୟ। ଉଲ୍ଲେଖଯୋଗ୍ୟ ଯେ ଭାରତ ହେଉଛି ପୃଥିବୀର ବୃହତ୍ତମ ଭ୍ୟାକ୍‌ସିନ ନିର୍ମାତା। ସୁତରା˚, ସ୍ବାଭାବିକ ଭାବେ ଆଶା କରାଯାଉଥିଲା ଯେ ଭାରତ ଅନ୍ତତଃ ଟିକା ଅଭାବ ଜନିତ ସ˚କଟ ଦ୍ବାରା ଜର୍ଜରିତ ହେବନାହିଁ। କିନ୍ତୁ ଏକ ବିଡ଼ମ୍ବନା ଭଳି ତାହା ହିଁ ହୋଇଛି। ଏପଟେ ଇସ୍ରାଏଲ୍‌ ଭଳି ଏକ କ୍ଷୁଦ୍ର ରାଷ୍ଟ୍ର ଅତ୍ୟନ୍ତ ବ୍ୟୟବହୁଳ ମଡେର୍ନା ଟିକାକୁ ବଜାର ମୂଲ୍ୟର ଦୁଇ ଗୁଣ ଦର ଦେଇ କ୍ରୟ କରି ନିଜ ଦେଶବାସୀଙ୍କ ଲାଗି ଉପଲବ୍‌ଧ କରାଇଛି; ଏହାର ଅର୍ଥ ଇସ୍ରାଏଲ୍‌ ଯଦି ବଜାର ମୂଲ୍ୟରେ ଟିକା କ୍ରୟ କରିଥାଆନ୍ତା, ତେବେ ତାହା ଦୁଇ ଦୁଇ ଥର ସାର୍ବଜନୀନ ଟିକାକରଣ କରିବାରେ ସଫଳ ହୁଅନ୍ତା।

ଠିକ୍‌ ବର୍ଷକ ତଳେ କରୋନା ସ˚କ୍ରମଣର ପ୍ରଥମ ତରଙ୍ଗ କାଳରେ ସ˚କଟ ମୋଚନ କରିବା ଲାଗି ସାରା ପୃଥିବୀ ଯେଉଁ ମାର୍ଗଟିକୁ ଅନୁସରଣ କରିଥିଲା, ତାହା ଥିଲା ‘ଲକ୍‌ଡାଉନ୍‌’ ବା ‘ସଟ୍‌ଡାଉନ୍‌’ ଏବ˚ ଯାହାର ପ୍ରଥମ ପ୍ରବର୍ତ୍ତକ ଥିଲା ଚୀନ। କହିବା ଅନାବଶ୍ୟକ ଯେ ଏହି ମାର୍ଗଟି ତା’ର ସ୍ବଭାବରେ ଆଦୌ ଗଣତାନ୍ତ୍ରିକ ହୋଇ ନ ଥିବାରୁ କୌଣସି ଗଣତନ୍ତ୍ର ଏଥିରୁ ଚୀନ ହାସଲ କରିଥିବା ଭଳି ସଫଳତା ପାଇ ନ ଥିଲେ। ଚୀନ ଅତ୍ୟନ୍ତ ନିର୍ଦୟ ଓ ଅନମନୀୟ ଆଭିମୁଖ୍ୟ ପ୍ରଦର୍ଶନ କରି କରୋନା ସ˚କ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇଛି। କିନ୍ତୁ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ କରୋନାରୁ ମୁକ୍ତି ପାଇବା ଲାଗି ଯେଉଁ ମାର୍ଗ ଉପରେ ଅଧିକ ଧୢାନ ଦେଇଥିଲେ, ତାହା ହେଉଛି ଅତ୍ୟନ୍ତ ସଘନ ଗବେଷଣା, ପ୍ରତିଷେଧକର ଉଦ୍ଭାବନ ଏବ˚ ଟିକାକରଣର ବ୍ୟବସ୍ଥା। ସ୍ମରଣଯୋଗ୍ୟ ଯେ ଯୁକ୍ତରାଷ୍ଟ୍ରର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ ତାଙ୍କ ରାଷ୍ଟ୍ରପତିତ୍ବ କାଳ ସାରା ‘କୋଭିଡ୍‌-୧୯’ ଭୂତାଣୁକୁ ତାଚ୍ଛଲ୍ୟ କରିଥିବା ଅଥବା କରୋନା ସତର୍କତାକୁ ମୂଲ୍ୟହୀନ ବୋଲି ବାରମ୍ବାର ଅଭିହିତ କରିଥିବା ସତ୍ତ୍ବେ ପ୍ରତିଷେଧକ ନିର୍ମାଣ ଲାଗି ‘ୱାପ ସ୍ପିଡ୍‌’(Warp speed) ପ୍ରକଳ୍ପର ପରିକଳ୍ପନା କରି ଅକଳ୍ପନୀୟ ଭାବେ ବିପୁଳ ଅର୍ଥ ନିବେଶ କରିଥିଲେ। ସେହିଭଳି ଇ˚ଲାଣ୍ତ, ଫ୍ରାନ୍‌ସ, ଜର୍ମାନି ଭଳି ଅନେକ ରାଷ୍ଟ୍ର ଭ୍ୟାକ୍‌ସିନ ନିର୍ମାଣ ଏବ˚ ନିଜ ଦେଶ ଲାଗି ଗଚ୍ଛିତ କରିବାରେ ବର୍ଷ ତମାମ ନିମଗ୍ନ ହୋଇ ରହିଥିଲେ। ଯଦିଓ ଭାରତରେ ମଧୢ ଦୁଇ ଦୁଇଟି ଟିକା ପ୍ରସ୍ତୁତି ଲାଗି ଉଦ୍ୟମ ପ୍ରାରମ୍ଭ ହୋଇଥିଲା, ନେତୃତ୍ବର ଅଦୂରଦର୍ଶିତା ହେତୁ ଭାରତରେ ଟିକାକରଣ କାର୍ଯ୍ୟ ସା˚ଘାତିକ ଭାବେ ବ୍ୟାହତ ହୋଇଛି। ଏହି ପରିପ୍ରେକ୍ଷୀରେ ପାଠକ-ପାଠିକାମାନଙ୍କୁ ସ୍ମୃତିର ଉଜାଣିରେ ଅକ୍ଟୋବର-ନଭେମ୍ବର ମାସକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେବ, ଯେତେବେଳେ ଭାରତରେ ସ˚କ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଥିବାରୁ ଅନେକ ବରିଷ୍ଠ ରାଷ୍ଟ୍ର ନେତା ଘୋଷଣା ମଧୢ କରି ପକାଇଲେ ଯେ କରୋନା ବିରୋଧରେ ଭାରତ ବିଜୟ ଲାଭ କରିବାର ଦ୍ବାର ଦେଶରେ; ଅଥଚ ସେହି ସମୟରେ ପୃଥିବୀର ଅନେକ ରାଷ୍ଟ୍ର ‘କୋଭିଡ୍‌-୧୯’କୁ ହେୟ ନ ମଣି ଟିକା ଠୁଳ କରିବାରେ ଲାଗିଥିଲେ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଡିସେମ୍ବର ମାସରୁ ଟିକାକରଣ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇସାରିଥିଲା, କିନ୍ତୁ ଭାରତରେ ସେତେବେଳକୁ ସେ ନେଇ କୌଣସି ନିର୍ଦ୍ଦି‌ଷ୍ଟ ନୀତିର ଆଭାସ ମଧୢ ନ ଥିଲା।

ଲକ୍ଷ୍ୟ କରାଯାଇଥାଏ ଯେ ଗୋଟିଏ ଏକଛତ୍ରବାଦୀ ଶାସନ ବ୍ୟବସ୍ଥାରେ ନାଗରିକମାନେ ସାମାଜିକ ନେତୃତ୍ବ ଆଡ଼କୁ ଚାହିଁ ବସିଥାଆନ୍ତି ସିନା, ଏକ ଗଣତନ୍ତ୍ରରେ ରାଜନେତା ହିଁ ନାଗରିକମାନଙ୍କ ଲାଗି ସବୁ ପ୍ରକାର ନେତୃତ୍ବର ଉତ୍ସ ପାଲଟି ଥାଏ। ଏଭଳି ସ୍ଥଳେ କୌଣସି ଗଣତନ୍ତ୍ରରେ ଯଦି ରାଜନେତା ଅତ୍ୟନ୍ତ ଜନପ୍ରିୟ ହୁଅନ୍ତି, ତେବେ ତାଙ୍କ ପ୍ରତ୍ୟେକ ବାକ୍ୟ ବେଦର ଗାର ତୁଲ୍ୟ ଅନତିକ୍ରମ୍ୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ ୨୦୨୦ ମସିହାର ସମାପ୍ତି ବେଳକୁ ବରିଷ୍ଠ ଓ ଲୋକପ୍ରିୟ ରାଜନେତାମାନଙ୍କ ଦ୍ବାରା କରୋନା ଉପରେ ଭାରତର ବିଜୟର ସ୍ବୀକୃତି ସାଧାରଣ ନାଗରିକଙ୍କ ମନରେ ଭାରତରୁ କରୋନାର ପଳାୟନ ନେଇ ଧାରଣାକୁ ଏଭଳି ବଦ୍ଧମୂଳ କରିପକାଇଲା ଯେ କରୋନା ସତର୍କତା ନିୟମମାନ ଅଚିରେ ମୂଲ୍ୟହୀନ ହୋଇପଡ଼ିଲେ। ଦୁର୍ଭାଗ୍ୟକୁ ବର୍ତ୍ତମାନ ସୁଦ୍ଧା ସେହି ଧାରଣା ଅନୋକଂଶରେ ବଳବତ୍ତର ରହିଛି। ତାହା ହୋଇ ନ ଥିଲେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ଦେଶ ଓ ରାଜ୍ୟର ବରିଷ୍ଠତମ ନେତାଙ୍କ ଆହ୍ବାନରେ ଲକ୍ଷ ଲକ୍ଷ ଲୋକଙ୍କ ରାଜନୈତିକ ସମାବେଶ ଅଥବା ଗଲା ୧୨ ତାରିଖରେ କୁମ୍ଭ ମେଳାରେ ୩୫ ଲକ୍ଷ ଶ୍ରଦ୍ଧାଳୁଙ୍କ ଗଙ୍ଗା ସ୍ନାନ ସମ୍ଭବ ହୋଇ ନ ଥାଆନ୍ତା। କହିବା ବାହୁଲ୍ୟ ଯେ ଏ ସବୁ ଦ୍ବିତୀୟ ତରଙ୍ଗର ବିସ୍ଫୋରଣର ଗୋଟିଏ ଗୋଟିଏ କାରଣ। ଏହି ପରିପ୍ରେକ୍ଷୀରେ ନିଜ ଦେଶ ଲାଗି ଯଥେଷ୍ଟ ସ˚ଖ୍ୟକ ଟିକା ମହଜୁଦ କରି ରଖିବାରେ ଆମ ଦେଶରେ ତତ୍ପରତାର ଅଭାବ ପଛରେ ଥିବା କାରଣକୁ ହୃଦୟଙ୍ଗମ କରିହୁଏ। ସେହିଭଳି ଦେଶରେ ଟିକାକରଣ ଠିକ ପ୍ରାରମ୍ଭ ହୋଇଥିବା ବେଳେ ‘ଭ୍ୟାକ୍‌ସିନ ମୈତ୍ରୀ’ ନାମକ କୂଟନୈତିକ ବୁଦ୍ଧି ଦ୍ବାରା ପରିଚାଳିତ ବିଦେଶକୁ ବିପୁଳ ସ˚ଖ୍ୟକ ଟିକା ଯୋଗାଣ ପଛରେ ରହିଥିବା ଅଦୂରଦର୍ଶିତାକୁ ମଧୢ ହୃଦ୍‌ବୋଧ କରିହୁଏ।

ସୁତରା˚, କରୋନାର ଭୟାବହ ଦ୍ବିତୀୟ ତରଙ୍ଗର ଆବିର୍ଭାବ, ଜନସାଧାରଣଙ୍କ ମଧୢରେ ଜାତ ହୋଇଥିବା କରୋନା ଭୂତାଣୁ ପ୍ରତି ହେୟ ଭାବ ଓ ଟିକାର ଅଭାବ ଭଳି ସ୍ଥିତିରେ ଆମ ଦେଶ ନିକଟରେ ରାତ୍ରି କର୍ଫ୍ୟୁ ବା ୧୪୪ ଧାରା ଜାରି କରିବା ବ୍ୟତୀତ ବିଶେଷ ବିକଳ୍ପ ନାହିଁ। ହୁଏ’ତ ପୁନର୍ବାର ଏ ରାଷ୍ଟ୍ର ତଥା ନାଗରିକଙ୍କ ଆର୍ଥିକ ମେରୁଦଣ୍ତକୁ ଚୂର୍ଣ୍ଣ କରିବା ଭଳି ଏକ ସ˚ପୂର୍ଣ୍ଣ ‘ଲକ୍‌ଡାଉନ୍‌’ର ଆଶ୍ରୟ ମଧୢ ନେବାକୁ ପଡ଼ିପାରେ! ଏ ସବୁ ସତ୍ତ୍ବେ ଯେ ସ˚କ୍ରମଣକୁ ପ୍ରତିହତ କରିହେବ, ତାହା ମଧୢ ଏକ ବଡ଼ ପ୍ରଶ୍ନ। ସୁତରା˚, ବର୍ତ୍ତମାନ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ସୀମାହୀନ ସମୁଦ୍ରରେ ଏଣେତେଣେ ଭାସି ବୁଲୁଥିବା ଏକ ଲଙ୍ଗରହୀନ ଜାହାଜ ତୁଲ୍ୟ ଭାରତ ଭଳି ଏକ ବିଶାଳ ଦେଶ ଏକ ଦୋଦୁଲ୍ୟମାନ ସ୍ଥିତିରେ, ଯହିଁରେ ଉଭୟ ନେତା ଓ ନାଗରିକ କ’ଣ କରିବା ଉଚିତ ବା ଅନୁଚିତ ସେ ନେଇ ସନ୍ଦିହାନ।

ସମ୍ବନ୍ଧିତ ଖବର