ତାଜା ସୂଚନା ଅନୁସାରେ ମାର୍ଚ୍ଚରେ ଦେଶରେ ପାଇକାରୀ ଦରଦାମ୍ ସୂଚକାଙ୍କରେ ୭.୩୯% ବୃଦ୍ଧି ଘଟିବା ଦେଖାଯାଇଛି, ଯାହା ହେଉଛି ୨୦୧୨ ଅକ୍ଟୋବର ଠାରୁ ଅର୍ଥାତ୍ ଗତ ଆଠ ବର୍ଷ ମଧୢରେ ସର୍ବୋଚ୍ଚ। ପ୍ରଚଳିତ ଭାଷାରେ ଏହାକୁ ପାଇକାରୀ ମୁଦ୍ରାସ୍ଫୀତି କୁହାଯାଇଥାଏ। ମୁଖ୍ୟତଃ ଆମଦାନି କରାଯାଉଥିବା ଅଶୋଧିତ ତୈଳ ଦରରେ ବୃଦ୍ଧି ତଥା ଏକ ନୀଚା ମୂଳ ଦରଦାମ୍ ସ୍ତର (‘ଲୋ’ ବେସ୍’)ର ପ୍ରଭାବ ଯୋଗୁଁ ପାଇକାରୀ ମୁଦ୍ରାସ୍ଫୀତିରେ ଏପରି ବୃଦ୍ଧି ଘଟିଛି। ତା’ଛଡ଼ା କେତେକ କାରଖାନା-ଉତ୍ପାଦିତ ଦ୍ରବ୍ୟମାନଙ୍କର ଦରଦାମ୍ରେ ଏବ˚ ଫଳ ଓ ଡାଲି ଜାତୀୟ ଖାଦ୍ୟଦ୍ରବ୍ୟମାନଙ୍କର ଦରଦାମ୍ରେ ଦେଖା ଦେଇଥିବା ବୃଦ୍ଧି ମଧୢ ପାଇକାରୀ ମୁଦ୍ରାସ୍ଫୀତିକୁ ଏପରି ଉପର ମୁହାଁ ହେବାରେ ସହାୟକ ହୋଇଛି। ସେଇ ମାର୍ଚ୍ଚ ପାଇଁ ଖାଉଟି ଦ୍ରବ୍ୟମାନଙ୍କର ଦରଦାମ୍ରେ ୫.୫୨% ବୃଦ୍ଧି (ଖାଉଟି ମୁଦ୍ରାସ୍ଫୀତି) ଘଟିଥିବା ପ୍ରକାଶ ପାଇଛି, ଯାହା ଗତ ଚାରିମାସ ମଧୢରେ ସର୍ବୋଚ୍ଚ।
ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶରେ ମୁଦ୍ରାସ୍ଫୀତିର ଏପରି ଊର୍ଦ୍ଧ୍ବଗତି ଦେଖା ଦେବା ରିଜର୍ଭ ବ୍ୟାଙ୍କ୍ ପାଇଁ ଏକ ଅଖାଡୁଆ ପରିସ୍ଥିତି ସୃଷ୍ଟି କରିଛି ବୋଲି କୁହାଯାଇପାରେ। ଏହି ଘଡ଼ିସନ୍ଧି ମୁହୂର୍ତ୍ତ ହେଲା, ଦେଶର ଅର୍ଥନୀତି ସମ୍ମୁଖୀନ ହୋଇଥିବା ଏକ ଅଧିକ ବ୍ୟାପକ ଓ ମାରାତ୍ମକ ଦ୍ବିତୀୟ ଚୀନା କରୋନା ଆତଙ୍କ ଲହରି, ଯାହା ଦେଶରେ ପୁଣି ଏକ ପକ୍ଷାଘାତ ସୃଷ୍ଟିକାରୀ ଲକ୍ଡାଉନ୍ ଲାଗୁ ହେବାର ଦୃଢ଼ ସମ୍ଭାବନା ସୃଷ୍ଟି କଲାଣି। ଏଭଳି ସମୟରେ ଶିଳ୍ପ ବାଣିଜ୍ୟ, ନିବେଶ ଆଦିକୁ ସହାୟକ ହେବା ପାଇଁ ରିଜର୍ଭ ବ୍ୟାଙ୍କ୍ ସେମାନଙ୍କୁ ଶସ୍ତାରେ ଋଣ ଯୋଗାଇବା ଉଦ୍ଦେଶ୍ୟରେ ସୁଧ ହାରରେ ହ୍ରାସ ଘଟାଇବାକୁ ଆଗେଇ ଆସନ୍ତା। କିନ୍ତୁ ମୁଦ୍ରାସ୍ଫୀତିର ତାତି ଉପଶମ କରିବା ପାଇଁ ଅର୍ଥନୀତିର ଚିକିତ୍ସକମାନେ ଯେଉଁ ଉପଦେଶ ଦେଇଥା’ନ୍ତି, ତାହା ହେଲା ଏହାର ଠିକ୍ ଓଲଟା- ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଲେ ତାକୁ ନିୟନ୍ତ୍ରଣ କରିବା ପାଇଁ ସୁଧ ହାରରେ ବୃଦ୍ଧି ଘଟାଇବା ଆବଶ୍ୟକ ଏବ˚ ଋଣ ଯୋଗାଣରେ ସ˚କୋଚନ ଘଟାଇବା ଆବଶ୍ୟକ।
ଏଇଭଳି ଏକ ସମ୍ଭାବନାକୁ ଆଖିରେ ରଖି ନିକଟ ଅତୀତରେ ଏକ ମତ ପ୍ରକାଶ ପାଇ ଆସୁଥିଲା ଯେ ଦେଶରେ ବଳବତ୍ତର ହୋଇ ଆସିଥିବା ‘ମୁଦ୍ରାସ୍ଫୀତି ନିଶାଣ’ (ଇନ୍ଫ୍ଲେସନ୍ ଟାର୍ଗେଟିଙ୍ଗ୍) ନୀତିରେ ପରିବର୍ତ୍ତନ ଘଟାଇ ମୁଦ୍ରାସ୍ଫୀତି ବଳୟକୁ ଆଉ ଟିକିଏ ହୁଗୁଳା କରି ଦିଆଯାଉ। ସୂଚନାଯୋଗ୍ୟ ଯେ ଏହି ବଳୟର ତଳ ସୀମା ୨% ଏବ˚ ଉପର ସୀମା ୬% ହୋଇଥିବା ବେଳେ ମଧୢବର୍ତ୍ତୀ ମୁଦ୍ରାସ୍ଫୀତି ହାରକୁ ୪%ରେ ସ୍ଥିର କରାହୋଇଆସିଛି। ଏହା ଖାଉଟି ମୁଦ୍ରାସ୍ଫୀତି ପ୍ରତି ଲାଗୁ ହୋଇଥାଏ; ଯାହା ଆଶ୍ବାସନାର କଥା ମାର୍ଚ୍ଚରେ ବଳୟର ସର୍ବୋଚ୍ଚ ସୀମାର ସାମାନ୍ୟ ତଳେ- ୫.୫୨% ରହିଛି। କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ୍ ମଧୢରେ ସ୍ବାକ୍ଷରିତ ଚୁକ୍ତି ଅନୁସାରେ ରିଜର୍ଭ ବ୍ୟାଙ୍କ୍ ତା’ର ‘ରେପୋ ରେଟ୍’କୁ ଏପରି ଏକ ସ୍ତରରେ ଧାର୍ଯ୍ୟ କରିବାକୁ ବାଧୢ ଯେପରି ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ୨%-୬% ବଳୟ ମଧୢରେ ଆବଦ୍ଧ ରହିବ। ଚୁକ୍ତି ଅନୁଯାୟୀ ମୁଦ୍ରାସ୍ଫୀତି ହାର ଯଦି ଲଗାତାର ବର୍ଷର ତିନି ଚଉଠ ଧରି ଏହି ବଳୟ ଅତିକ୍ରମ କରିଥାଏ ତେବେ ରିଜର୍ଭ ବ୍ୟାଙ୍କ୍ ଏଥିପାଇଁ ସରକାରଙ୍କ ନିକଟରେ ଉତ୍ତରଦାୟୀ ହେବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ ସରକାରଙ୍କୁ ଏକ ଲିଖିତ ଉତ୍ତର ପ୍ରଦାନ କରିପାରେ କିମ୍ବା ତା’ର ଗଭର୍ନର୍ କିମ୍ବା ପଦାଧିକାରୀମାନେ ସଶରୀରେ କୌଣସି ସରକାରୀ ପ୍ୟାନେଲ୍ ସମ୍ମୁଖରେ ଏହି ଉତ୍ତର ଦାଖଲ କରିବାକୁ ହାଜର ହୋଇପାରନ୍ତି।
ଚୁକ୍ତି ଅନୁସାରେ ପାଞ୍ଚବର୍ଷ ପାଇଁ ‘ମୁଦ୍ରାସ୍ଫୀତି ନିଶାଣ’ ନିର୍ଦ୍ଧାରିତ ହୋଇଥାଏ ଏବ˚ ସଦ୍ୟ ସଦ୍ୟ ପାଞ୍ଚ ବର୍ଷ ପୂରିଯିବା ପରେ ଆଉ ପାଞ୍ଚ ବର୍ଷ ପାଇଁ ଏକ ନୂତନ ନିଶାଣ ସ୍ଥାପନ କରାଯାଇଛି- ଯାହା ସେ ପୁରାତନ ନିଶାଣର ଏକ ପୁନରାବୃତ୍ତି ମାତ୍ର, ଅର୍ଥାତ୍ ଆଗାମୀ ପାଞ୍ଚ ବର୍ଷ ପାଇଁ, ସେଇ ୨%-୬% ବଳୟ ବଳବତ୍ତର ରହିବ। ତେବେ ଏ ଯାବତ୍ ଏହି ବଳୟ ଭେଦ ଜନିତ ଅପରାଧ ପାଇଁ ରିଜର୍ଭ ବ୍ୟାଙ୍କ୍କୁ କାଠଗଡ଼ାରେ ଛିଡ଼ା ହୋଇ ସରକାରଙ୍କୁ ଉତ୍ତର ଦେବାକୁ ପଡ଼ିବା କେବେ ଦେଖାଯାଇନାହିଁ। ଉଦାହରଣ ସ୍ବରୂପ ଗତବର୍ଷ ପ୍ରାୟ ବର୍ଷେ କାଳ ଦେଶରେ ମୁଦ୍ରାସ୍ଫୀତି ହାର ୬% ଉପରେ ରହିଥିଲେ ହେଁ ସରକାର ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ ଠାରୁ ଉତ୍ତର ମାଗିବା ଦେଖା ଯାଇନଥିଲା। ମୁଖ୍ୟତଃ କୁଖ୍ୟାତ ପିଆଜ ସମେତ ଅନ୍ୟାନ୍ୟ ଫଳ ଓ ପନିପରିବା ଆଦିର ଦରଦାମ୍ରେ ବୃଦ୍ଧି ଘଟିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ରିଜର୍ଭ ବ୍ୟାଙ୍କ୍କୁ ଏଥିପାଇଁ ଦାୟୀ କରାଯିବା ଉଚିତ ହୁଅନ୍ତା ନାହିଁ ବୋଲି ବୋଧହୁଏ ସରକାରଙ୍କର ହୃଦ୍ବୋଧ ହୋଇଥିବ।
ଏଥର ଯଦି ମାର୍ଚ୍ଚ ମାସ ପାଇଁ ପ୍ରକାଶିତ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଅବ୍ୟାହତ ରହି ଅନତି ବିଳମ୍ବେ ୬% ସୀମା ଲ˚ଘନ କରେ ଏବ˚ ଚୁକ୍ତି ଅନୁସାର ସରକାର ରିଜର୍ଭ ବ୍ୟାଙ୍କ୍କୁ କାରଣ ଦର୍ଶାଇବା ପାଇଁ ନିର୍ଦ୍ଦେଶ ଦିଅନ୍ତି, ତେବେ ରିଜର୍ଭ ବ୍ୟାଙ୍କ୍ର ଉତ୍ତର କ’ଣ ହୋଇପାରେ ଦେଖାଯାଉ। ରିଜର୍ଭ ବ୍ୟାଙ୍କ୍ ବିନମ୍ରତାର ସହିତ ସରକାରଙ୍କୁ ଚେତାଇ ଦେଇପାରେ ଯେ ଦେଖା ଦେଇଥିବା ଦରଦାମ୍ ବୃଦ୍ଧି ପରିସ୍ଥିତି ପାଇଁ ସେମାନେ ଦାୟୀ ନୁହନ୍ତି, ଦାୟୀ ହେଉଛନ୍ତି ଖୋଦ୍ ସରକାର। ଉଦାହରଣ ସ୍ବରୂପ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲାଗୁ ହେଉଥିବା ଏକ୍ସାଇଜ୍ ଟିକସରେ ତୀକ୍ଷ୍ଣ ବୃଦ୍ଧି ମାନ ଘଟାଇବା ଯୋଗୁଁ ସେ ଦୁଇ ଅତ୍ୟାବଶ୍ୟକ ତଥା ଉପାଦାନ ମୂଳକ ପଦାର୍ଥର ଦାମ୍ ଏକ ଅଭୂତପୂର୍ବ ସ୍ତରକୁ ଚାଲିଯାଇଥିଲା। ଏଥିଯୋଗୁଁ ପରିବହନ ଖର୍ଚ୍ଚରେ ଯେଉଁ ଅହେତୁକ ବୃଦ୍ଧି ଘଟିଲା, ତାହାର ଫଳ ସ୍ବରୂପ ଅନ୍ୟାନ୍ୟ ଦ୍ରବ୍ୟ ସବୁର ଦରରେ ଅନିବାର୍ଯ୍ୟ ଭାବରେ ବୃଦ୍ଧି ଘଟିଲା।
ଅର୍ଥନୀତିର ପରିଭାଷା ବ୍ୟବହାର କରି କୁହାଯାଇପାରେ ଯେ ବର୍ତ୍ତମାନ ଦେଖା ଦେଇଥିବା ମୁଦ୍ରାସ୍ଫୀତି ଯେତିକି ମୁଦ୍ରାନୀତି ଜନିତ ନୁହେଁ, ତା’ଠାରୁ ବହୁ ଅଧିକ ହେଉଛି ରାଜକୋଷ ବ୍ୟୟ ନୀତି ଯୋଗୁଁ। କିନ୍ତୁ କୋଭିଡ୍ ସଙ୍କଟର ମୁକାବିଲା ପାଇଁ ସରକାରଙ୍କ ପାଖରେ ରାଜକୋଷ ଖୋଲି ଖର୍ଚ୍ଚ କରିବା ବ୍ୟତୀତ ଅନ୍ୟ ଉପାୟ ମଧୢ ନାହିଁ, ଯେଉଁଥିରେ ସରକାର ବର˚ ଏପର୍ଯ୍ୟନ୍ତ ବେଶ୍ କୁଣ୍ଠା ପ୍ରକାଶ କରି ଆସିଛନ୍ତି। ସରକାର ବର˚ ଏହି ଖର୍ଚ୍ଚ ପାଇଁ ସମ୍ବଳ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଖାଉଟିଙ୍କ ଉପରେ ଟିକସ ବୋଝ ନ ଲଦି ନିଜର ଋଣ ବୃଦ୍ଧି କରି ଯଦି ଖାଉଟିଙ୍କ ଆୟରେ ବୃଦ୍ଧି ଘଟାଇବା ପାଇଁ ଖର୍ଚ୍ଚ କରନ୍ତେ, ତେବେ ତାହା ଅଧିକ ଫଳପ୍ରଦ ହୁଅନ୍ତା। ଅସ୍ବାଭାବିକ ସମୟରେ ଏହା ହିଁ ହେଉଛି ଉପଯୁକ୍ତ ଅସ୍ବାଭାବିକ ନୀତି, ଯେଉଁ ସମୟରେ ମୁଦ୍ରାସ୍ଫୀତି ପରିସ˚ଖ୍ୟାନ ଭୟ ତ୍ୟାଗ କରିବାକୁ ହେବ।