ହାତ ବ. ଭାତ

ବ୍ରହ୍ମହତ୍ୟା ନା ଗୋ-ହତ୍ୟା? ଏ ଦୁଇଟି ବିକଳ୍ପ ମଧୢରୁ କେଉଁଟିକୁ ବାଛିବେ, ତାହାହିଁ ଉଭୟ କେନ୍ଦ୍ର ସରକାର ଓ ଅନେକ ରାଜ୍ୟ ସରକାରମାନଙ୍କ ସମ୍ମୁଖରେ ଏକ ବିକଳ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଯଦି ଲକ୍‌-ଡାଉନ୍‌ ଲାଗୁ କରିବା ବ୍ରହ୍ମହତ୍ୟା ହୁଏ, ଲକ୍‌-ଡାଉନ୍‌ ଲାଗୁ ନ କରିବା ହେବ ଗୋ-ହତ୍ୟା। ଦେଶ ସାରା ଚୀନା କରୋନାର ଦ୍ବିତୀୟ ଲହରି ଏକ ସୁନାମି ମାଡ଼ି ଆସିବା ଭଳି ଆତଙ୍କ ସୃଷ୍ଟି କରିବା ପରିପ୍ରେକ୍ଷୀରେ ତାହାର ମୁକାବିଲା ଏଇଭଳି ଏକ ସ˚ଶୟର ରୂପ ନେଇଛି। ଯଦି ଦେଶବାସୀଙ୍କ ଜୀବନ ରକ୍ଷା କରିବା ପାଇଁ ଗତ ବର୍ଷର ପ୍ରଥମ ଲହରିର ଆବିର୍ଭାବ ପରେ ଲାଗୁ କରା ଯାଇଥିବା ଦେଶବ୍ୟାପୀ କଠୋର ଲକ୍‌-ଡାଉନ୍‌ ପରି ଏଥର ମଧୢ ସମସ୍ତ କବାଟ କିଳି ଦିଆଯାଏ, ତେବେ ଛୋଟେଇ ଛୋଟେଇ ଚାଲିବାକୁ ଆରମ୍ଭ କରିଥିବା ଦେଶର ଅର୍ଥନୀତି ପୁଣି ଧରାଶାୟୀ ହୋଇଯିବ, ଯାହା ଲୋକଙ୍କୁ ‘ଭାତରେ ମାରିବା’ ଭଳି ହେବ। ଆଉ ଯଦି ଜୀବିକାକୁ ଆଘାତ ନ ପହଞ୍ଚାଇବା ପାଇଁ ଲକ୍‌-ଡାଉନ୍‌ ଲାଗୁ କରାନଯାଏ, ତେବେ ଲୋକଙ୍କୁ କରୋନା ମୁହଁକୁ ଠେଲି ଦେବା ଭଳି ହେବ, ଯାହା ସେମାନଙ୍କୁ ‘ହାତରେ ମାରିବା’ ଭଳି ହେବ।

ନେତା, ନୀତି ନିର୍ଦ୍ଧାରକମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକମାନଙ୍କ ପର୍ଯ୍ୟନ୍ତ ଏହି ଦ୍ବନ୍ଦ୍ବରେ ପଡ଼ି ଘାରି ହେଉଥିବା ବେଳେ ଯାହା ବୋଧହୁଏ ଆମର ଧୢାନ ଆକର୍ଷଣ କରିପାରିନାହିଁ, ତାହା ହେଲା ଗତ ବର୍ଷର ପ୍ରଥମ ପୀତ-ଲହରି ପରବର୍ତ୍ତୀ ପରିସ୍ଥିତି ଓ ବର୍ତ୍ତମାନର ଦ୍ବିତୀୟ ପୀତ-ଲହରି ପରବର୍ତ୍ତୀ ପରିସ୍ଥିତି ମଧୢରେ ଥିବା କେତେକ ଗୁରୁତ୍ବପୂର୍ଣ୍ଣ ତଫାତ୍‌। ଯେଉଁ ସବୁଠାରୁ ବଡ଼ ଫରକ୍‌ ବର୍ତ୍ତମାନ ଆବିର୍ଭୂତ ହୋଇଛି, ତାହା ହେଲା- ଟିକା। ଗତ ବର୍ଷ କାହାରିକୁ ଜଣାନଥିଲା ଏହି ପ୍ୟାଣ୍ତେମିକ୍‌ର ଏକମାତ୍ର ନିଦାନ ରୂପେ ବିବେଚିତ ଏକ ଟିକାର ଉଦ୍ଭାବନ ନିକଟ ଭବିଷ୍ୟତରେ ସମ୍ଭବ ହେବାକୁ ଯାଉଛି କି ନାହିଁ! ବର୍ଷକ ପରେ ବର୍ତ୍ତମାନ କିନ୍ତୁ ବିଭିନ୍ନ ଉତ୍ପାଦନକାରୀମାନେ ଯେ କେବଳ ଏକାଧିକ କିସମର ଟିକା ଉଦ୍ଭାବନ ଓ ଉତ୍ପାଦନ କରିବାରେ ସଫଳ ହୋଇ ସାରିଲେଣି, ତାହା ନୁହେଁ, ପ୍ରାୟ ଅଧିକା˚ଶ ଦେଶରେ ଧୀରେ ଧୀରେ ସମଗ୍ର ଜନସ˚ଖ୍ୟାକୁ ଟିକା ଦାନ କରି ସୁରକ୍ଷିତ ରଖିବା ଉଦ୍ୟମ ଆଗେଇବାରେ ଲାଗିଛି।

ଆଉ ଉଲ୍ଲେଖନୀୟ ଭାବରେ ଭାରତ ଉଭୟ ଟିକା ଉତ୍ପାଦନ ଓ ଟିକାଦାନ କ୍ଷେତ୍ରରେ ପୃଥିବୀର ଦେଶମାନଙ୍କ ମଧୢରେ ଅଗ୍ରଣୀ ସ୍ଥାନ ଦଖଲ କରିଛି। ଏହା ସତ ଯେ ଆମ ଦେଶର ଆକାର ଜନସ˚ଖ୍ୟା ଓ ଜଟିଳତା ଦୃଷ୍ଟିରୁ ଏଠାରେ ଟିକାଦାନ କାର୍ଯ୍ୟକ୍ରମ ସାମୟିକ ଯୋଗାଣ ପ୍ରତିବନ୍ଧ ମାନଙ୍କର ସମ୍ମୁଖୀନ ହେବା ଦେଖା ଯାଉଛି, କିନ୍ତୁ ଏହାର ଅଗ୍ରଗତି ଯେ ଅବ୍ୟାହତ ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ। ଦେଶରେ ବର୍ତ୍ତମାନ ପ୍ରତିଦିନ ହାରାହାରି ପ୍ରାୟ ୩ ନିୟୁତ ପାନ ଟିକା ଦାନ କରାଯାଉଛି। ଯଦି ଏହି ସ˚ଖ୍ୟାକୁ ୫ ନିୟୁତକୁ ବୃଦ୍ଧି କରି ଦିଆଯାଏ, ଯାହା ସମ୍ପୂର୍ଣ୍ଣ ସମ୍ଭବ, ତା ହେଲେ ଏବର୍ଷ ଶେଷ ବେଳକୁ ଦେଶର ମୋଟ ଜନସ˚ଖ୍ୟାର ପ୍ରାୟ ଅର୍ଦ୍ଧେକ ଆବଶ୍ୟକ ଦୁଇ ପାନ ଯାକ ଟିକା ନେଇ ପାରିଥିବେ। ଏହାର ତାତ୍ପର୍ଯ୍ୟ ହେଲା ଏଭଳି ଟିକା-ସୁରକ୍ଷିତ ବ୍ୟକ୍ତିମାନଙ୍କୁ ଆଉ ଗତବର୍ଷ ଭଳି କବାଟ କିଳି ଘର ଭିତରେ ଲୁଚି ରହିବାକୁ ପଡ଼ିବ ନାହିଁ। ସେମାନେ ଲକ୍‌-ଡାଉନ୍‌- ମୁକ୍ତ ଭାବରେ ନିଜ ନିଜର ବୃତ୍ତିରେ ନିୟୋଜିତ ରହି ଅର୍ଥନୀତିକୁ ସଚଳ କରି ରଖିପାରିବେ।

ସେ ଦୃଷ୍ଟିରୁ ଯାହା ଆହୁରି ଅଧିକ ଗୁରୁତ୍ବପୂର୍ଣ୍ଣ ତାହା ହେଲା ଆଗାମୀ ଉତ୍ସବ ଋତୁ ପୂର୍ବରୁ କେତେ ସ˚ଖ୍ୟକ ଏପରି ଲୋକଙ୍କୁ ଟିକାଦାନ କରି ସୁରକ୍ଷା କବଚ ପିନ୍ଧାଇ ଦିଆଯାଇପାରିବ। କାରଣ ଏହା ଜଣାଶୁଣା ଯେ ଉତ୍ସବପ୍ରିୟ ଭାରତୀୟମାନେ ସେପ୍‌ଟେମ୍ବରରୁ ଆରମ୍ଭ ହେଉଥିବା ତିନି ମାସର ଉତ୍ସବ ଋତୁ ସମୟରେ ହିଁ ବାହାରକୁ ବାହାରି ପଡ଼ି ହାଟ ବଜାର ଗହଳି କରି ଅର୍ଥନୀତିରେ ପ୍ରଭୂତ ରକ୍ତ ସଞ୍ଚାଳନ କରାଇଥାନ୍ତି।
ଲକ୍‌-ଡାଉନ୍‌ ଆମ ପାଇଁ ଗତବର୍ଷ ଏକ ସମ୍ପୂର୍ଣ୍ଣ ନୂତନ ଅନୁଭୂତି ଥିଲା, ତେଣୁ ତାହାର ମୁକାବିଲା କରିବା ପାଇଁ ଆମ ପାଖରେ କୌଣସି ପୂର୍ବ ଉଦାହରଣ ଉପଲବ୍‌ଧ ନ ଥିଲା। ଏବେ ଆମ ପାଖରେ ସେଭଳି ଏକ ଉଦାହରଣ ମହଜୁଦ ଅଛି। ଗତବର୍ଷ ଦେଖା ଯାଇଥିଲା ଯେ ଲକ୍‌-ଡାଉନ୍‌ ସମୟରେ ପାରିବାରିକ ସଞ୍ଚୟରେ ଏକ ତୀକ୍ଷ୍‌ଣ ବୃଦ୍ଧି ଘଟିଥାଏ। ଏହାର କାରଣ ବୁଝିବା କଷ୍ଟକର ନୁହେଁ: ଆୟକୁ ଖର୍ଚ୍ଚ କରିବା ପାଇଁ ଲୋକମାନେ ଘରୁ ବାହାରି ପାରୁନଥିଲେ ଏବ˚ ଅନିଶ୍ଚିତ ଭବିଷ୍ୟତର ମୁକାବିଲା କରିବା ପାଇଁ ସେମାନେ ଆୟକୁ ଯଥାସମ୍ଭବ ସଞ୍ଚୟ କରି ରଖୁଥିଲେ। ଦେଖାଯାଇଛି ଯେ ଯେତେବେଳେ ଲକ୍‌-ଡାଉନ୍‌ ଭଳି କଟକଣାମାନ ହୁଗୁଳା କରି ଦିଆଗଲା, ଲୋକମାନେ ଦ୍ରୁତ ବେଗରେ ସେମାନଙ୍କର ସଞ୍ଚିତ ଆୟକୁ ଖର୍ଚ୍ଚ କରିବାରେ ଲାଗିଗଲେ। କିନ୍ତୁ ଦ୍ବିତୀୟ କୋଭିଡ୍‌ ଲହରି ଆଶଙ୍କାର ଆବିର୍ଭାବ ଘଟିବା ପରେ ଖାଉଟିମାନେ ପୁଣି ଉପରୋକ୍ତ ଅନିଶ୍ଚିତ ଭବିଷ୍ୟତ ଆଶଙ୍କା ଜନିତ ଖର୍ଚ୍ଚ-କୁଣ୍ଠା ପୁଣି ପ୍ରଦର୍ଶନ କରିବାକୁ ଆରମ୍ଭ କରିଛନ୍ତି। ରିଜର୍ଭ ବ୍ୟାଙ୍କ୍‌ ଦ୍ବାରା କରାଯାଇଥିବା ଖାଉଟି ବିଶ୍ବାସ ସର୍ବେକ୍ଷଣରୁ ଜଣାପଡ଼ିଛି ମାର୍ଚ୍ଚ ସୁଦ୍ଧା ଖାଉଟିମାନଙ୍କ ଆତ୍ମବିଶ୍ବାସ ପୁଣି ଦୁର୍ବଳ ହେବାକୁ ଆରମ୍ଭ କରିଥିଲା। ଏକ ଦ୍ବିତୀୟ ଲକ୍‌-ଡାଉନ୍‌ର ସମ୍ଭାବନା ଏହି ଦୁର୍ବଳତାର ଅନ୍ୟତମ କାରଣ।

ଏକଥା କହିବା ଭୁଲ୍‌ ହେବ ନାହିଁ ଯେ ଗତବର୍ଷ ଏଇ ସମୟକୁ ନା ସରକାର, ନା ଘରୋଇ କ୍ଷେତ୍ର, କାହାରିକୁ ଜଣା ନ ଥିଲା ଏକ ଲକ୍‌-ଡାଉନ୍‌ ସମୟରେ କିପରି ଉପଯୁକ୍ତ ପରିଚାଳନା କରାଯିବ। ଏଣୁ କାରଖାନାମାନ ଠିଆ ଠିଆ ବନ୍ଦ କରି ଦିଆଯିବା ସଙ୍ଗେ ସଙ୍ଗେ ଦେଶ ସାରା ସମସ୍ତ ଗାଡ଼ି ଘୋଡ଼ା ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା, ଯାହା ଅର୍ଥନୀତିକୁ ଏକ ଅଚାନକ ବିଶାଳ ଧକ୍‌କା ପହଞ୍ଚାଇବା ସହିତ ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିଷହ କରି ତୋଳିଥିଲା। ଏଥର ଯଦି ସରକାର ଲକ୍‌ ଡାଉନ୍‌ ଭଳି କୌଣସି ନିୟନ୍ତ୍ରଣ ଲାଗୁ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଲୋକମାନଙ୍କ ଗମନାଗମନ ସ˚କୁଚିତ କରନ୍ତୁ ପଛକେ, ମାଲ୍‌ ପରିବହନକୁ ଆଦୌ ସ˚କୁଚିତ କରିବା ଉଚିତ ହେବ ନାହିଁ।
ଏ ସମସ୍ତ ମଧୢରେ କିନ୍ତୁ ଅସଲ କଥା ହେଲା ଦେଶବ୍ୟାପୀ ଟିକାଦାନ ଅଭିଯାନର ବେଗ ବୃଦ୍ଧି କରି ଯେତେ ଶୀଘ୍ର ସମ୍ଭବ ସମଗ୍ର ଜନସ˚ଖ୍ୟାକୁ ଦୁଇପାନ ଟିକାର ସୁରକ୍ଷା କବଚ ପିନ୍ଧାଇବା। ତା’ହେଲେ କାହାକୁ ହାତରେ ମାରିବା ଦରକାର ହେବ ନାହିଁ କିମ୍ବା ଭାତରେ ମାରିବା ଦରକାର ହେବ ନାହିଁ।

ସମ୍ବନ୍ଧିତ ଖବର