ସତର୍କ ସଂକେତ

ପରବର୍ତ୍ତୀ ନିର୍ବାଚନକୁ ଆଖି ଆଗରେ ରଖି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁବାର ଦିନ ସଂସଦରେ ମୋଦୀ ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଆଗତ କଲେ। ଅର୍ଥମନ୍ତ୍ରୀ ସଂସଦରେ ନିଜ ବଜେଟ୍‌ ଭାଷଣ ରଖୁଥିବା ବେଳେ, ସେପଟେ ରାଜସ୍ଥାନ ଓ ପଶ୍ଚିମବଙ୍ଗର ତିନିଟି ଲୋକସଭା ଓ ଦୁଇଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଭୋଟ ଗଣତି ଚାଲିଥିଲା। ଶେଷରେ ଗଣତି ପରେ ଆସିଥିବା ଫଳାଫଳ ବଜେଟ୍‌କୁ ନେଇ ପୁନର୍ବାର କ୍ଷମତାକୁ ଫେରିବା ଲାଗି ପ୍ରଧାନମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ମନରେ ତିଆରି ହୋଇଥିବା ଆଶା ତଥା ଆତ୍ମବିଶ୍ୱାସକୁ ନିଶ୍ଚିତ ଭାବେ କିଛି ମାତ୍ରାରେ ତରଳାଇ ଦେଇଥିବ। ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ମୋଦୀଙ୍କୁ ବିଶେଷ ବିବ୍ରତ କରିଥାଇ ନ ପାରେ। କିନ୍ତୁ ବିଜେପି ଶାସିତ ରାଜସ୍ଥାନ ଉପ-ନିର୍ବାଚନର ଫଳାଫଳ ନିଶ୍ଚିତ ଭାବେ ବିଜେପି ନେତୃତ୍ୱକୁ ବିଚଳିତ କରିଥିବ। ମୋଦୀ ନିଶ୍ଚୟ ଠଉରେଇ ନେଇଥିବେ ରାଜସ୍ଥାନ ଉପ-ନିର୍ବାଚିନର ଜନାଦେଶରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଥିବା ସତର୍କ ସଂକେତକୁ।

ରାଜସ୍ଥାନରେ ଉପ-ନିର୍ବାଚନ ହୋଇଥିବା ଦୁଇଟି ଲୋକସଭା ଓ ଗୋଟିଏ ବିଧାନସଭା ଆସନ ବିଜେପି ହାତରୁ କଂଗ୍ରେସ ଛଡ଼ାଇ ନେଇଛି। ଅଲଓ୍ଵାର, ଆଜମେର୍‌ ଲୋକସଭା ଆସନ ଓ ମନ୍ଦଲଗଡ଼ ବିଧାନସଭା ଆସନ ବିଜେପି ହାତରେ ଥିଲା। ସମ୍ପୃକ୍ତ ସାଂସଦ ଓ ବିଧାୟକଙ୍କ ବିୟୋଗ ଫଳରେ ଉପ-ନିର୍ବାଚନ ଆବଶ୍ୟକ ପଡ଼ିଥିଲା। ୨୦୧୪ ଲୋକସଭା ଓ ପୂର୍ବବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିବା ଏହି ତିନିଟି ଆସନ ଏବେ କଂଗ୍ରେସ ହାତକୁ ଚାଲିଯାଇଛି। ତେବେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବିଜୟ ଶାସକ ପକ୍ଷ ପାଇଁ ଯେତିକି ଚିନ୍ତାର କାରଣ, ତା’ଠାରୁ ବହୁଗୁଣ ଅଧିକ ଚିନ୍ତାର କାରଣ କଂଗ୍ରେସର ଭୋଟ ଶତାଂଶରେ ବୃଦ୍ଧି। ଅନ୍ୟପକ୍ଷରେ ବିଜେପିର ଭୋଟ ଭାଗର ସଂକୋଚନ। ୨୦୧୪ ତୁଳନାରେ ଅଲଓ୍ଵାର ଆସନରେ କଂଗ୍ରେସର ଭୋଟ ଭାଗ ୨୫ ପ୍ରତିିଶତ ବଢ଼ିଥିବା ବେଳେ ଆଜ୍‌ମେର୍‌ରେ ୧୧ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବିଜେପିର ଭୋଟ ଭାଗ ଅଲଓ୍ଵାର ଓ ଆଜ୍‌ମେର୍‌ରେ ପୂର୍ବାପେକ୍ଷା ଯଥାକ୍ରମେ ୨୦ ଓ ୧୦ ପ୍ରତିଶତ ତଳକୁ ଖସିଛି। ଏହି ଭୋଟ ଗଣିତ ବ୍ୟତୀତ ଉପ-ନିର୍ବାଚନର ପ୍ରତିକୂଳ ଫଳାଫଳ ବିଜେପି ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି, ଏଥିପାଇଁ ଯେ ଏଥିରେ ରାଜ୍ୟର ମୋଟ ୨୦୦ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁୁ ୧୭ (୮.୫ ପ୍ରତିଶତ)ଟି ନିର୍ବାଚନ ମଣ୍ଡଳୀର ଜନମତ ପ୍ରତିଫଳିତ ହୋଇଛି। ପୁଣି ନିର୍ବାଚନ ମଣ୍ଡଳୀଗୁଡ଼ିକର ଭୌଗୋଳିକ ଅବସ୍ଥିତି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବାରୁ, ଉପ-ନିର୍ବାଚନର ଜନାଦେଶକୁ ଯଦି ରାଜସ୍ଥାନର ସାମୂହିକ ଜନମତର ପ୍ରତିଫଳନ କୁହାଯାଏ, ତେବେ ବୋଧହୁଏ ଅତିରଞ୍ଜନ ହେବ ନାହିଁ।

ବିଜେପି ନେତୃତ୍ୱ ପାଇଁ ସଂକେତ ସ୍ପଷ୍ଟ ଯେ ୨୦୧୪ରେ ଦଳ ସପକ୍ଷରେ ଯେଉଁ ଅନୁକୂଳ ବାତାବରଣ ଥିଲା, ଚାରିବର୍ଷ ପରେ ବାତାବରଣ ସେତେ ଅନୁକୂଳ ନୁହେଁ। ବରଂ କୁହାଯାଇପାରେ ଦଳ ବିରୋଧରେ ପ୍ରତିକୂଳତା ଦାନା ବାନ୍ଧୁଛି। ଏହା ନିଶ୍ଚିତ ଭାବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ଶାସନ ପ୍ରତି ଜନ ଅସନ୍ତୋଷ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟପକ୍ଷରେ ପରିବର୍ତ୍ତିତ ବାତାବରଣ ମୁଖ୍ୟ ପ୍ରତିପକ୍ଷ କଂଗ୍ରେସ ଶିବିରରେ ଅଳ୍ପ ଆଶା ସଂଚାର କରିଛି। ଚାରିବର୍ଷ ତଳେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିବା ଭୋଟରମାନେ ପୁଣି ସର୍ବପୁରାତନ ଦଳ ଆଡ଼କୁ ଢଳିବାର ଲକ୍ଷଣ ଦଳୀୟ ନେତୃତ୍ୱକୁ ଉତ୍ସାହିତ କରିଥିବ। ରାଜସ୍ଥାନର ଜନମତ କଡ଼ ଲେଉଟାଇବା ଏବଂ ବିଜେପି ପ୍ରତି ଭୋଟର ମୁହଁ ମୋଡ଼ିବା ପଛରେ ଏକାକୀ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସରକାରକୁ ଦାୟୀ କରାଯାଇ ନପାରେ। ଏଥିପାଇଁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ମଧ୍ୟ ସମାନ ଭାବେ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ।

ସଂରକ୍ଷଣ ପ୍ରସଙ୍ଗରେ ଗୁଜ୍ଜରଙ୍କ ମଧ୍ୟରେ ଅସନ୍ତୋଷ ଓ ଦୁର୍ନୀତି ଅଭିଯୁକ୍ତ ବାବୁଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ବିବାଦୀୟ ଅଧ୍ୟାଦେଶ ଜନମତ ପ୍ରତିକୂଳ ହେବା ଲାଗି ଯେତିକି ଦାୟୀ, କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ, ତରବରିଆ ଜିଏସ୍‌ଟି ଓ ଗୋ-ସୁରକ୍ଷା ଆଳରେ ଗୁଣ୍ଡାମିକୁ ବିଜେପି ନେତୃତ୍ୱର ପ୍ରଶ୍ରୟ ମଧ୍ୟ ସେତିକି ଦାୟୀ। ଏଠାରେ ଏହା ଉଲ୍ଲେଖ କରିବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ ଯେ, ଚଳିତ ମୋଦୀ ସରକାରଙ୍କ ଅମଳରେ ଗୋ-ସୁରକ୍ଷା ଆଳରେ ଅସାମାଜିକଙ୍କ ଉପଦ୍ରବ, ସଂଖ୍ୟାଲଘୁଙ୍କ ମନରେ ଭୟ, ଧାର୍ମିକ ମୌଳବାଦ ଓ ଭିନ୍ନମତ ପ୍ରତି ଅସହିଷ୍ଣୁତା ବୃଦ୍ଧି କାରଣରୁ ବିଶ୍ୱ ଗଣତାନ୍ତ୍ରିକ ସୂଚକାଙ୍କ ଆଧାରିତ ମାନ୍ୟତା ତାଲିକାରେ ଭାରତର ସ୍ଥାନ ୧୦ ପାଦ ତଳକୁ ଖସିଛି। ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପତ୍ରିକା ‘ଦି ଇକନୋମିଷ୍ଟ’ ଦ୍ୱାରା ପ୍ରସ୍ତୁତ ଏହି ମାନ୍ୟତା ତାଲିକାରେ ଗତବର୍ଷ ଭାରତର ସ୍ଥାନ ୩୨ରେ ଥିଲା। ଏ ବର୍ଷ ଭାରତର ସ୍ଥାନ ୪୨କୁ ଖସି ଆସିଛି। ଚାଷ ଓ ଚାଷୀ ପ୍ରସଙ୍ଗରେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମ୍ବେଦନଶୂନ୍ୟ, ଉଦାସୀନ ଆଭିମୁଖ୍ୟ ଭୋଟରଙ୍କୁ ପ୍ରଭାବିତ କରିଛି।

ସତରଦିନିଆ ଧର୍ମଘଟ ପରେ ରାଜ୍ୟ ସରକାର ଘୋଷଣା କଲେ ଚାଷୀଙ୍କ ଉପରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରାଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଘୋଷଣା କାର୍ଯ୍ୟକାରୀ ହୋଇନାହିଁ। ସେହିପରି କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ ବୃଦ୍ଧି ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ଓହରିଯିବା ଭୋଟରଙ୍କୁ କ୍ଷୁବ୍‌ଧ କରିଛି। ପ୍ରତିଶ୍ରୁତି ପାଳନରେ ଖିଲାପ କଲେ ଭୋଟର ଯେ ମୁହଁ ମୋଡ଼ିବେ, ରାଜସ୍ଥାନରୁ ବିଜେପି ଏହି ତିକ୍ତ ଶିକ୍ଷା ଲାଭ କରିଥିବ। ଯେଉଁସବୁ କାରଣରୁ ବିଜେପି ଶାସିତ ରାଜସ୍ଥାନରେ ଶାସକ ଦଳ ପ୍ରତି ଜନମତ ପ୍ରତିକୂଳ ହେଲା, ରାଜସ୍ଥାନ ସହ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଅନ୍ୟ ଦୁଇ ବିଜେପି ଶାସିତ ରାଜ୍ୟ-ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ସେହି ସମାନ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଥିବାର ଯଥେଷ୍ଟ ସୂଚନା ମିଳୁଛି। ତେଣୁ ରାଜସ୍ଥାନ ଫଳାଫଳର ଆଲୋକରେ ଦଳୀୟ ନେତୃତ୍ୱକୁ ଏହି ପ୍ରସଙ୍ଗ ଗୁଡ଼ିକ ଉପରେ କେବଳ ନିର୍ବାଚନ ମୁହାଁ ବିଜେପି ଶାସିତ ରାଜ୍ୟରେ ନୁହେଁ, ସାରା ଦେଶର ଜନମତ କ’ଣ ତାର ସାନି ଆକଳନ କରିବା ଆବଶ୍ୟକ।

ରାଜସ୍ଥାନ ଭଳି ପଶ୍ଚିମବଙ୍ଗର ଉପ-ନିର୍ବାଚନ ଫଳାଫଳ ବିଜେପି ନେତୃତ୍ୱକୁ ବିଶେଷ ବିବ୍ରତ କରି ନଥାଇପାରେ। କିନ୍ତୁ କ୍ଷମତାସୀନ ଦଳ ତୃଣମୂଳ କଂଗ୍ରେସର ବିଜୟ ଧାରା ଅବ୍ୟାହତ ରହିବା ଏହାର ସଂକେତ ଦେଉଛି ଯେ ଆଞ୍ଚଳିକ ଦଳ ବିପକ୍ଷରେ ଲଢ଼େଇରେ ସଫଳତା ପାଇଁ ହିନ୍ଦୁତ୍ୱ ଦଳକୁ ଆହୁରି ଜୋର କସରତ କରିବାକୁ ପଡ଼ିବ। ସିପିଏମ୍‌ ଓ କଂଗ୍ରେସକୁ ପଛକୁ ଠେଲି ପଶ୍ଚିମବଙ୍ଗରେ ବିଜେପି ଦୁଇ ନମ୍ବର ଦଳ ହୋଇ ମୁଖ୍ୟ ବିକଳ୍ପ ଭାବେ ଉଭା ହୋଇ ଥାଇପାରେ। କିନ୍ତୁ ଏକ ନମ୍ବର ତୃଣମୂଳ ଓ ଦୁଇ ନମ୍ବର ବିଜେପି ମଧ୍ୟରେ ବ୍ୟବଧାନ ଏତେ ବେଶି ଯେ ତାକୁ ଅତିକ୍ରମ କରିବା ସହଜ ନୁହେଁ। ଦିଦିଙ୍କ ଯାଦୁ ଆଗରେ ବୋଧହୁଏ ମୋଦୀଙ୍କ ଯାଦୁ କାମ ଦେଖାଇ ପାରୁନାହିଁ। ଜାତୀୟସ୍ତରରେ ବିଜେପି ବିରୋଧରେ ବିରୋଧୀଙ୍କ ମଧ୍ୟରେ ଏକତା, ବିଶେଷକରି କଂଗ୍ରେସ ସହ ବୁଝାମଣା ପ୍ରସଙ୍ଗରେ ଦ୍ୱନ୍ଦ୍ୱରେ ଥିବା ବାମପନ୍ଥୀଙ୍କ ପାଇଁ ପଶ୍ଚିମବଙ୍ଗ ଉପନିର୍ବାଚନ ଫଳାଫଳ ଏକ ସାନି ଚେତାବନୀ। ବିଜେପିର ମୁକାବିଲା ପାଇଁ ସବୁ ବିରୋଧୀ ଏକାଠି ହେବା ଜରୁୀ।

ତେଣୁ ରାଜସ୍ଥାନ ଓ ପଶ୍ଚିମବଙ୍ଗ ଉପନିର୍ବାଚନର ଫଳାଫଳ ଜାତୀୟ ସ୍ତରରେ କିମ୍ବା ସମ୍ପୃକ୍ତ ଦୁଇ ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତାବସ୍ଥାକୁ ବଦଳାଇ ପାରିବ ନାହିଁ। କିନ୍ତୁ ଭବିଷ୍ୟତ ରାଜନୈତିକ ପାଣିପାଗ ନେଇ ଉପନିର୍ବାଚନ ଜନାଦେଶରେ ଯେଉଁ ସଂକେତ ରହିଛି, ତାହାକୁ ଉଣେଇଶ ଦୌଡ଼ରେ ଥିବା ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଗୁରୁତ୍ୱର ସହ ନେବାକୁ ପଡ଼ିବ।

ସମ୍ବନ୍ଧିତ ଖବର