କରୋନା କଇଁଛ
ପ୍ରାୟ ୨,୪୦୦ ବର୍ଷ ପୂର୍ବେ ଇଟାଲିରେ ଜ୍ଞାନ ଚର୍ଚ୍ଚା କରିଥିବା ଦାର୍ଶନିକ ଜେନୋଙ୍କୁ ଇତିହାସ ମନେ ରଖିଥିବାର ମୁଖ୍ୟ କାରଣ ହେଉଛି ଶାଣିତ ବିଡ଼ମ୍ବନା ବହନ କରୁଥିବା ତାଙ୍କର କେତେକ ଯୁକ୍ତି। ଜେନୋଙ୍କର ବିଜ୍ଞାନରେ ଆଗ୍ରହ ତାଙ୍କର ଏକ ବିଶେଷତ୍ବ ଥିଲା। ବର୍ଟ୍ରାଣ୍ତ ରସେଲ୍ଙ୍କ ଭଳି ମହାନ୍ ଆଧୁନିକ ଗଣିତଜ୍ଞ-ଦାର୍ଶନିକ ଜେନୋଙ୍କର ଏହି ବିଡ଼ମ୍ବନା-ସମ୍ବଳିତ ଯୁକ୍ତିମାନଙ୍କୁ ଅତ୍ୟନ୍ତ ସୂକ୍ଷ୍ମ ଏବ˚ ଗମ୍ଭୀର ବୋଲି ବିଚାର କରୁଥିଲେ। ଏହି ଯୁକ୍ତିଗୁଡ଼ିକ ସାଧାରଣତଃ ‘ଜେନୋଙ୍କ ବିଡ଼ମ୍ବନା’ ରୂପେ ସୁବିଦିତ। ଏଥି ମଧୢରୁ ଗୋଟିଏ ହେଉଛି- ବସ୍ତୁତଃ ସର୍ବାଧିକ ପ୍ରସିଦ୍ଧ ଜେନୋଙ୍କ ବିଡ଼ମ୍ବନା: ‘ଆକିଲିସ୍ ଓ କଇଁଛ ବିଡ଼ମ୍ବନା’।
Sambad is now on WhatsApp
Join and get latest news updates delivered to you via WhatsApp
ହୋମର୍ଙ୍କ ଗ୍ରୀକ୍ ମହାକାବ୍ୟ ‘ଇଲିଆଡ୍’ର ନାୟକ ମହାବୀର ଆକିଲିସ୍ଙ୍କୁ ସେ ସମୟର ଉସେନ୍ ବୋଲ୍ଟ ବୋଲି କୁହାଯାଇପାରେ- ସେ ଥିଲେ ପୃଥିବୀର ଦ୍ରୁତତମ ଧାବକ। କଇଁଛ ଅବଶ୍ୟ ହେଉଛି ଜଣାଶୁଣା ଭାବରେ ପୃଥିବୀ ପୃଷ୍ଠରେ ବିଚରଣ କରୁଥିବା ମନ୍ଥରତମ ପ୍ରାଣୀମାନଙ୍କ ମଧୢରୁ ଅନ୍ୟତମ। ଜେନୋଙ୍କର ଏହି ପ୍ରସିଦ୍ଧ ବିଡ଼ମ୍ବନାରେ ଏକ ଦୌଡ଼ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆକିଲିସ୍ ଓ କଇଁଛ ପରସ୍ପରକୁ ଆହ୍ବାନ ଦେଲେ। କଇଁଛର ବେଗଠାରୁ ନିଜର ବେଗ ବହୁଗୁଣ ଅଧିକ ହୋଇଥିବାରୁ ନ୍ୟାୟବନ୍ତ ଆକିଲିସ୍ କଇଁଛର ଦୌଡ଼ ଆରମ୍ଭ ଗାର ଠାରୁ ଧରାଯାଉ ଏକ ଶହ ମିଟର ପଛରେ ନିଜର ଦୌଡ଼ ଆରମ୍ଭ କଲେ। ଦୌଡ଼ ଆରମ୍ଭ ହେବା ପରେ କଇଁଛକୁ ଛୁଇଁବା ବା ଅତିକ୍ରମ କରିବା ପୂର୍ବରୁ ଆକିଲିସ୍ଙ୍କୁ ତେଣୁ ପ୍ରଥମେ ଉଭୟଙ୍କ ମଧୢରେ ରହିଥିବା ଏକ ଶହ ମିଟରର ପ୍ରାରମ୍ଭିକ ତଫାତ୍ ପୂରଣ କରିବାକୁ ହେବ।
ଆକିଲିସ୍ ଏହି ମୂଳ ଏକ ଶହ ମିଟର ତଫାତ୍ ପୂରଣ କରିବା ବେଳକୁ କଇଁଛଟି ତା’ର ନିଜର ଗତିବେଗ ଅନୁସାରେ ଆଉ କିଛି ଦୂର ଆଗକୁ ଚାଲିଯାଇଥିବ- ମନେକର ବିନ୍ଦୁ ‘କ’ ପର୍ଯ୍ୟନ୍ତ। କଇଁଛକୁ ଟପିବାକୁ ହେଲେ ଏଥର ଆକିଲିସ୍ଙ୍କୁ ପ୍ରଥମେ ବିନ୍ଦୁ ‘କ’ରେ ପହଞ୍ଚିବାକୁ ହେବ। ଆକିଲିସ୍ ଦ୍ରୁତ ବେଗରେ ଧାଇଁ ଯାଇ ବିନ୍ଦୁ ‘କ’ରେ ପହଞ୍ଚିଯାଆନ୍ତି। ସେ କିନ୍ତୁ ସେଠାରେ ପହଞ୍ଚିବା ବେଳକୁ କଇଁଛ ଆଉ କିଛି ବାଟ ଆଗେଇ ଯାଇ ବିନ୍ଦୁ ‘ଖ’ରେ ପହଞ୍ଚିଯାଇଥିବ। କଇଁଛକୁ ଧରିବାକୁ ହେଲେ ଆକିଲିସ୍ଙ୍କୁ ଏଥର ଯାଇ ବିନ୍ଦୁ ‘ଖ’ରେ ପ୍ରଥମେ ପହଞ୍ଚିବାକୁ ହେବ। ସେ କିନ୍ତୁ ସେଠାରେ ପହଞ୍ଚିବା ବେଳକୁ କଇଁଛ ଆଉ ଟିକିଏ ଆଗେଇ ଯାଇ ବିନ୍ଦୁ ‘ଗ’ରେ ପହଞ୍ଚିଯାଇଥିବ। ଆକିଲିସ୍ ଯାଇ ବିନ୍ଦୁ ‘ଗ’ରେ ପହଞ୍ଚିବା ବେଳକୁ କଇଁଛ ଯାଇ ବିନ୍ଦୁ ‘ଘ’ରେ…।
ଏହିପରି ଅନନ୍ତ କାଳ ଧରି ଆକିଲିସ୍ କଇଁଛ ପଛରେ ଧାଇଁ ଚାଲିଥିଲେ ହେଁ ସେ କେବେ ହେଲେ କଇଁଛକୁ ଅତିକ୍ରମ କରିପାରିବେ ନାହିଁ। ଏହାର କାରଣ ହେଲା ଆକିଲିସ୍ ଓ କଇଁଛ ମଧୢରେ ଦୂରତା କ୍ରମଶଃ ହ୍ରାସ ପାଇ ଚାଲିଥିଲେ ହେଁ ତାହା କେବେ ହେଲେ ଶୂନ୍ୟ ହୋଇଯିବ ନାହିଁ: ‘କଖ’ର ଦୈର୍ଘ୍ୟ ଠାରୁ ‘ଖଗ’ର ଦୈର୍ଘ୍ୟ କମ୍ ହେବ; ‘ଖଗ’ ଠାରୁ ‘ଗଘ’ କମ୍ ହେବ…, କିନ୍ତୁ ଦୁହିଁଙ୍କ ମଧୢରେ ତଫାତ୍ କେବେ ହେଲେ ଶୂନ୍ୟ ହେବା ସମ୍ଭବ ନୁହେଁ, କାରଣ ପ୍ରତି ଥର ଆକିଲିସ୍ କଇଁଛର ପୂର୍ବ ବିନ୍ଦୁରେ ପହଞ୍ଚିବା ବେଳକୁ କଇଁଛ ଆଉ ଟିକିଏ ଆଗକୁ ଚାଲିଯାଇଥିବ। ଯୁକ୍ତି ଅନୁସାରେ ତେଣୁ ଆକିଲିସ୍ କେବେହେଲେ ଏପରି ଦୌଡ଼ରେ କଇଁଛକୁ ପରାସ୍ତ କରିପାରିବେ ନାହିଁ। ଜେନୋଙ୍କ ଅନୁସାରେ ଆମେ ଯେଉଁ ଆକିଲିସ୍ ଅନାୟାସରେ କଇଁଛକୁ ଅତିକ୍ରମ କରି ପରାସ୍ତ କରିବା ଦେଖୁଛୁ, ତାହା ହେଉଛି ପ୍ରକୃତରେ ଚକ୍ଷୁର ଭ୍ରମ ବା ମାୟା ମାତ୍ର। ଏହାହିଁ ହେଉଛି ଜେନୋଙ୍କ ବିଡ଼ମ୍ବନା।
ବର୍ତ୍ତମାନ ଏକ ଭୂତାଣୁକୁ ପରାସ୍ତ କରିବା ପାଇଁ ତା’ପଛରେ ମନୁଷ୍ୟର ଦୌଡ଼କୁ ଦେଖିଲେ ମନେହୁଏ ଏହା ସେଇ ଜେନୋଙ୍କ ବିଡ଼ମ୍ବନାର ଏକ ପୁନରାବୃତ୍ତି ନୁହେଁ ତ? ଏଥିରେ ସନ୍ଦେହ ନାହିଁ ଯେ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧୢରୁ ଭୂତାଣୁ କଇଁଛ ହୋଇଥିବା ବେଳେ ଆକିଲିସ୍ ହେଉଛନ୍ତି ମନୁଷ୍ୟ। କାରଣ ଦୁର୍ବଳ କଇଁଛ ଭଳି ଭୂତାଣୁ ଗୋଟିଏ ସମ୍ପୂର୍ଣ୍ଣ ଜୀବକୋଷ ମଧୢ ନୁହେଁ; ତାହା ହେଉଛି କେବଳ ଏକ ପ୍ରୋଟିନ୍ ଆସ୍ତରଣ ଦ୍ବାରା ଆଦୃତ କିଛି ଜେନେଟିକ୍ ପଦାର୍ଥ (‘ଡିଏନ୍ଏ’ କିମ୍ବା ‘ଆର୍ଏନ୍ଏ’) ମାତ୍ର। ଅପର ପକ୍ଷେ ମନୁଷ୍ୟ ହେଉଛି ଅସୁମାରି ଜୀବକୋଷମାନଙ୍କୁ ନେଇ ଗଠିତ, ଏକ ମସ୍ତିଷ୍କଧାରୀ ବୁଦ୍ଧିମାନ ପ୍ରାଣୀ। ସେଇଥିପାଇଁ ବୋଧହୁଏ ଦୌଡ଼ ପ୍ରତିଯୋଗିତା ଆରମ୍ଭରେ ଆକିଲିସ୍ ଜାଣିଶୁଣି କଇଁଛଠାରୁ ଶହେ ମିଟର୍ ପଛରେ ରହିବା ପରି ଚୀନ୍ର ଉହାନ୍ ଠାରେ କରୋନା ଭୂତାଣୁର ଆବିର୍ଭାବର ପ୍ରାୟ ଛ’ ମାସ ପରେ ଯାଇ ତାକୁ ପରାସ୍ତ କରିବା ପାଇଁ ଟିକା ଉଦ୍ଭାବନ କରିବାକୁ ମନୁଷ୍ୟ ଦୌଡ଼ିବାକୁ ଆରମ୍ଭ କଲା।
ଏହି ଦୌଡ଼ ଚାଲିଥିବା ବେଳେ ଗତ ସପ୍ତାହ ସୁଦ୍ଧା ପୃଥିବୀରେ ମୋଟ ପ୍ରାୟ ୩୦ ଲକ୍ଷ ଲୋକ ଏହି ଭୂତାଣୁ ଆକ୍ରମଣରେ ପ୍ରାଣ ହରାଇ ସାରିଲେଣି। କିନ୍ତୁ ସେଇ ଗତ ସପ୍ତାହ ସୁଦ୍ଧା ପ୍ରାୟ ୭୫୦ କୋଟି ଜନସ˚ଖ୍ୟା ବିଶିଷ୍ଟ ପୃଥିବୀରେ ମୋଟ ୧୦୦ କୋଟି ପାନ ଟିକା ଉତ୍ପାଦିତ ହୋଇ ସାରିଥିଲା। କରୋନା ଭୂତାଣୁ ତା’ର ପଶ୍ଚାତ୍ଧାବନ କରୁଥିବା ମନୁଷ୍ୟ ଠାରୁ ପରାଜୟ ସ୍ବୀକାର ନ କରିବା ପାଇଁ ନିଜର ରୂପ ବଦଳାଇ ଦ୍ବିତୀୟ ଲହରି, ତୃତୀୟ ଲହରିମାନ ସୃଷ୍ଟି କରି ଧାଇଁବାରେ ଲାଗିଛି, କିନ୍ତୁ ମନୁଷ୍ୟ ମଧୢ ତା’ର ରଣ କୌଶଳରେ ଆବଶ୍ୟକ ପରିବର୍ତ୍ତନ ମାନ ଘଟାଇବାରେ ହେଳା କରୁନାହିଁ। ଯେମିତି ଭାରତରେ।
ଏକ ସମୟରେ ଧାରଣା ସୃଷ୍ଟି ହୋଇଥିଲା ଯେ ଭାରତୀୟମାନେ କରୋନା କଇଁଛକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ସେଇ ଧାରଣାର ବଶବର୍ତ୍ତୀ ହୋଇ ଦେଶରେ ବ୍ୟବସାୟରୁ ଗମନାଗମନ ପର୍ଯ୍ୟନ୍ତ, ନିର୍ବାଚନରୁ କୁମ୍ଭମେଳା ପର୍ଯ୍ୟନ୍ତ ଏପରି ଗତାନୁଗତିକ ରୂପ ପରିଗ୍ରହଣ କଲେ, ସତେ ଯେମିତି ଏଠାରେ କେବେ କରୋନାର ଆବିର୍ଭାବ ଘଟିନଥିଲା। ବର୍ତ୍ତମାନ କରୋନାର ଦ୍ବିତୀୟ ଲହରି ଅଣାୟତ୍ତ ହେବା ଭଳି ଲାଗିବା ପରେ ଭାରତ ତା‘ର ମୁକାବିଲା କୌଶଳ ବଦଳାଇବା ଆରମ୍ଭ କରିଛି। ମାତ୍ର କେତେଦିନ ପୂର୍ବେ ପୃଥିବୀର ବୃହତ୍ତମ ଟିକା ଉତ୍ପାଦନକାରୀ ଦେଶ ରୂପେ ଭାରତ ଅନ୍ୟ ଦେଶମାନଙ୍କୁ ଟିକା ଯୋଗାଇ ଉଦ୍ଧାର କର୍ତ୍ତାର ଭୂମିକା ନିର୍ବାହ କରିବାକୁ ଉଦ୍ୟତ ଥିଲା। ବର୍ତ୍ତମାନ କିନ୍ତୁ ନିଜ ଦେଶରେ ଟିକା ଯୋଗାଣ ବୃଦ୍ଧି କରିବା ଆବଶ୍ୟକ ହେବାରୁ ସରକାର ଅଧିକ ଟିକା ଉତ୍ପାଦନ ପାଇଁ ଟିକା ଉତ୍ପାଦନକାରୀମାନଙ୍କ ପାଇଁ ବିପୁଳ ସମ୍ବଳ ଉପଲବ୍ଧ କରିବାରୁ ଆରମ୍ଭ କରି ବିଦେଶ ଉତ୍ପାଦନକାରୀଙ୍କ ଟିକାକୁ ଦ୍ରୁତ ଅନୁମୋଦନ ପ୍ରଦାନ, ଟିକା ବଜାରର ଉଦାରୀକରଣ ଆଦି ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପମାନ ନେବା ସହିତ ମଇ ପହିଲା ଠାରୁ ଦେଶର ସମସ୍ତ ସାବାଳକମାନଙ୍କର ଟିକାକରଣ ଆରମ୍ଭ ଘୋଷଣା କରିଛନ୍ତି।
ଏ ସମସ୍ତ ଉଦ୍ୟମ ଫଳବତୀ ହେଲେ ଆମେ ଆକିଲିସ୍ ଭଳି କରୋନା କଇଁଛକୁ ଯେ ଅଚିରେ ପରାହତ କରିବା, ଏଥିରେ ସନ୍ଦେହ ନାହିଁ। ଜେନୋଙ୍କ ଅନୁଗାମୀମାନେ ହୁଏତ ଆମର ଏହି ବିଜୟକୁ ମାୟା କହିପାରନ୍ତି, ଆମ ପାଇଁ କିନ୍ତୁ ତାହା ହେବ ଏକ ମଧୁର ବାସ୍ତବତା।