ଟିକା ରୂପାନ୍ତର

ଅର୍ଥଶାସ୍ତ୍ରରେ ଦ୍ରବ୍ୟ ଓ ସେବା ସବୁର ବିଭିନ୍ନ ଣ୍ରେଣୀ ବିଭାଜନମାନଙ୍କ ମଧୢରୁ ଗୋଟିଏ ହେଉଛି: ‘ବ୍ୟକ୍ତିଗତ’ ଓ ‘ସାର୍ବଜନୀନ’। ଯେଉଁ ଦ୍ରବ୍ୟ ବା ସେବାକୁ ଏକାଧିକ ଏକକରେ ବିଭାଜନ କରିବା ସମ୍ଭବ ହୋଇଥାଏ; ଗୋଟିଏ ଏକକକୁ ଜଣେ ଉପଭୋଗ କଲେ ଅନ୍ୟ ଜଣେ ତାହାକୁ ହିଁ ଉପଭୋଗ କରିବା ସମ୍ଭବ ହୋଇନଥାଏ, ତେଣୁ ତା’ର ଦାମ୍‌ ଦେଇ ତା’ଉପରେ ସମ୍ପୂର୍ଣ୍ଣ ମାଲିକାନା ହାସଲ କରାଯାଇ ପାରେ, ଅର୍ଥାତ୍‌ ତାହା ବଜାରରେ ବିକ୍ରି ଖର୍ଦ୍ଦି ହୋଇପାରେ- ସେଭଳି ଦ୍ରବ୍ୟକୁ ‘ବ୍ୟକ୍ତିଗତ ଦ୍ରବ୍ୟ’ ଶ୍ରେଣୀଭୂକ୍ତ କରାଯାଇଥାଏ।

ଏଥିରୁ ଯାହା ସାବ୍ୟସ୍ତ ହୋଇଥାଏ, ତାହା ହେଲା ଏକ ‘ବ୍ୟକ୍ତିଗତ ଦ୍ରବ୍ୟ’ର ଉପଭୋଗ ଅର୍ଥାତ୍‌ ବ୍ୟବହାର ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇଥାଏ, ଯେଉଁ ପ୍ରତିଦ୍ବନ୍ଦ୍ବୀ ଦାମ୍‌ ଦେଇ ଦ୍ରବ୍ୟ ବା ସେବାଟିକୁ କ୍ରୟ କରେ କେବଳ ସେ ହିଁ ତା’ର ବ୍ୟବହାର ଉପରେ ଏକଚାଟିଆ ଅଧିକାର ହାସଲ କରିଥାଏ, ଅନ୍ୟ ସମସ୍ତେ ଏଥିରୁ ବହିର୍ଭୁକ୍ତ ହୋଇଥାନ୍ତି। ଅନ୍ୟ ପ୍ରକାରେ କହିଲେ, ବ୍ୟକ୍ତିଗତ ଦ୍ରବ୍ୟ ବା ସେବା ସବୁ ପ୍ରତି ‘ବହିର୍ଭୁକ୍ତକାରୀ ନିୟମ’ ଲାଗୁ ହୋଇଥାଏ। ଆମେ ନିୟମିତ ଭାବରେ ବ୍ୟବହାର କରୁଥିବା ସ˚ଖ୍ୟାଧିକ ଦ୍ରବ୍ୟ- ଜୋତା, ଛତା, ଚଷମା, ମୋବାଇଲ୍‌ ଫୋନ, ମଟର ସାଇକେଲ୍‌, ଆଇସ୍‌କ୍ରିମ୍‌, ଚିକେନ୍‌… ଓ ଆହୁରି କେତେ କ’ଣ- ହେଉଛନ୍ତି ଏହି ଶ୍ରେଣୀର।

ଅପରପକ୍ଷେ ଏପରି କେତେକ ଦ୍ରବ୍ୟ ବା ସେବା ଅଛନ୍ତି ଯାହା ଜଣକୁ ଉପଲବ୍‌ଧ ହେଲେ ଅନ୍ୟମାନଙ୍କୁ ମଧୢ ତାହା ଆପେ ଆପେ ଉପଲବ୍‌ଧ ହୋଇଯାଏ; ଏପରି ଦ୍ରବ୍ୟର ବ୍ୟବହାର ବା ଉପଭୋଗ ତେଣୁ ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇନଥାଏ; ଏଥିପ୍ରତି ‘ବହିର୍ଭୁକ୍ତକାରୀ ନିୟମ’ ଲାଗୁ ହୋଇନଥାଏ; ଏହାର ଉପଭୋଗ ‘ଏକଚାଟିଆ’ ନ ହୋଇ ‘ମିଳିତ’ ହୋଇଥାଏ। ଜାତୀୟ ପ୍ରତିରକ୍ଷା, ପରିବେଶ ସୁରକ୍ଷା, ବନ୍ୟା ନିୟନ୍ତ୍ରଣ, ରାସ୍ତା ଆଲୋକ… ଓ ଆହୁରି ଅନେକ ଏଇଭଳି ଦ୍ରବ୍ୟ ଓ ସେବା ଆମେ ନିୟମିତ ଉପଭୋଗ କରିଥାଉ ଯେଉଁ ଗୁଡ଼ିକ ସାର୍ବଜନୀନ ଦ୍ରବ୍ୟ ବା ସେବା ରୂପେ ବିବେଚିତ ହୋଇଥାନ୍ତି। ଉଦାହରଣ ସ୍ବରୂପ ଭାରତୀୟ ସେନାବାହିନୀ ଦେଶର ସୀମାକୁ ସୁରକ୍ଷିତ ରଖିଲେ ଦେଶର ପ୍ରତ୍ୟେକ ନାଗରିକ ସୁରକ୍ଷିତ ରହେ, ଏଥିରୁ କାହାକୁ ବହିର୍ଭୁକ୍ତ କରାଯାଇପାରିବ ନାହିଁ। ସେନାବାହିନୀର ସେବାକୁ ଖଣ୍ତ ଖଣ୍ତ କରି ବଜାରରେ ବିକ୍ରି କରାଯାଇପାରିବ ନାହିଁ।

କୋଭିଡ୍‌ ଭଳି ସ˚କ୍ରାମକ ରୋଗକୁ ପ୍ରତିରୋଧ କରିବା ପାଇଁ ବ୍ୟବହାର କରାଯାଉଥିବା ଟିକା ତା’ହେଲେ କେଉଁ ଶ୍ରେଣୀର ଦ୍ରବ୍ୟ ରୂପେ ବିବେଚିତ ହେବ? ହଠାତ୍‌ ଦେଖିଲେ ଜଣାପଡେ଼ ଯେ ଟିକା ଭଳି ଏକ ଦ୍ରବ୍ୟଠାରେ ଏକ ‘ବ୍ୟକ୍ତିଗତ ଦ୍ରବ୍ୟ’ର ସମସ୍ତ ଲକ୍ଷଣ ବିଦ୍ୟମାନ, ଯାହା ପୂର୍ବରୁ ବର୍ଣ୍ଣନା କରାଯାଇଛି। ଟିକାକୁ ଅସ˚ଖ୍ୟ ଏକକରେ ବିଭକ୍ତ କରି ‘ବହିର୍ଭୁକ୍ତକାରୀ ନିୟମ’ ଆଧାରରେ ବଜାରରେ ବିକ୍ରି କରାଯାଇପାରିବ। ଯିଏ ଦାମ୍‌ ଦେବ, ତାକୁ ହିଁ ଟିକା ମିଳିବ। କିନ୍ତୁ କଥା ହେଲା ଯିଏ ଏହି ନିୟମ ଅନୁସାରେ ଟିକା ନେବ, ତା’ର ଉପକାର ଉପରେ ସେ ଏକଚାଟିିଆ ଅଧିକାର ହାସଲ କରିପାରିବ ନାହିଁ। ଭୂତାଣୁ ମନୁଷ୍ୟ ଶରୀରରେ ଆଶ୍ରୟ ନେଇ ନିଜର ବ˚ଶ ବୃଦ୍ଧି କରି ସ˚କ୍ରମଣ ପ୍ରସାର କରିଥାଏ। ଯେଉଁ ବ୍ୟକ୍ତି ଟିକା ନିଏ, ଭୂତାଣୁ ତା’ ଶରୀରରେ ଆଶ୍ରୟ ନେଇପାରନ୍ତି ନାହିଁ, ତେଣୁ ସେ ସ˚କ୍ରମଣର ଗତିରୋଧ କରି ଅନ୍ୟମାନଙ୍କୁ ସୁରକ୍ଷିତ ରଖେ। ଟିକାର ଉପଭୋଗ ତେଣୁ ବ୍ୟକ୍ତିଗତ ଦ୍ରବ୍ୟ ପରି ‘ଏକଚାଟିଆ’ ନହୋଇ ‘ମିଳିତ’ ହୋଇଥାଏ। ସମାଜର ଯଥେଷ୍ଟ ସ˚ଖ୍ୟକ ଲୋକ ଯଦି ଟିକା ନିଅନ୍ତି ତେବେ ଗୋଠ ପ୍ରତିରୋଧିନୀ ଶକ୍ତି ବା ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି ହୋଇ ସାରା ସମାଜକୁ ସୁରକ୍ଷିତ ରଖିବ। ଟିକାଦାନ ଠାରେ ତେଣୁ ‘ସାର୍ବଜନୀନ ଦ୍ରବ୍ୟ’ର କେତେକ ଲକ୍ଷଣ ମଧୢ ମହଜୁଦ ଅଛି।

ଅର୍ଥଶାସ୍ତ୍ରର ପରିଭାଷାରେ ଟିକା ସମାଜର ଏକ ‘ଯଥାର୍ଥ ଚାହିଦା’ (‘ମେରିଟ୍‌ ଵାଣ୍ଟ’) ପୂରଣ କରିଥାଏ। ସେହି ଚାହିଦା ପୂରଣ ନ ହେଲେ ସମଗ୍ର ମାନବ ସମାଜର ସ୍ଥିତି ବିପନ୍ନ ହୋଇପଡ଼ିବ। ସେଇଥିପାଇଁ ଜାତିସ˚ଘର ସାଧାରଣ ସଭାର ଏକ ସ˚କଳ୍ପରେ କୋଭିଡ୍‌-୧୯ ପାଣ୍ତେମିକ୍‌ ନିୟନ୍ତ୍ରଣ କରିବା ପାଇଁ ଉଦ୍ଦିଷ୍ଟ ବ୍ୟାପକ ଟିକାଦାନକୁ ଏକ ‘ବିଶ୍ବ ସାର୍ବଜନୀନ ଦ୍ରବ୍ୟ’ (‘ଗ୍ଲୋବାଲ୍‌ ପବ୍ଲିକ୍‌ ଗୁଡ୍‌’) ରୂପେ ବର୍ଣ୍ଣନା କରାଯାଇଛି। ଟିକାଠାରେ ଥିବା ପୂର୍ବୋକ୍ତ ‘ବ୍ୟକ୍ତିଗତ ଦ୍ରବ୍ୟ’ (‘ପ୍ରାଇଭେଟ୍‌ ଗୁଡ୍‌’)ର ଚିହ୍ନ ଲୋପ କରି ତାକୁ ‘ସାର୍ବଜନୀନ ଦ୍ରବ୍ୟ’ରେ ପରିଣତ କରିବାର ଉପାୟ ହେଲା ସମାଜର ପ୍ରତ୍ୟେକ ସଦସ୍ୟକୁ ତା’ର ଉପଭୋଗରେ ଅନ୍ତର୍ଭୁକ୍ତ କରିବା, ଅର୍ଥାତ୍‌ ପ୍ରତ୍ୟେକଙ୍କୁ ମାଗଣାରେ ଟିକାଦାନ କରିବା। ଏହି ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ସମେତ ଯେଉଁ ୧୪ଟି ରାଜ୍ୟ ମଇ ପହିଲା ଠାରୁ ଆରମ୍ଭ ହେବାକୁ ଯାଉଥିବା ୧୮-୪୫ ବର୍ଷୀୟମାନଙ୍କୁ ଟିକାଦାନ ସମ୍ପୂର୍ଣ୍ଣ ମାଗଣା କରି ଦେଇଛନ୍ତି, ସେମାନେ ଏହାଦ୍ବାର ଅତି ଉତ୍ତମ ଦାୟିତ୍ବବୋଧ ଓ ବିଜ୍ଞତାର ପରିଚୟ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ର ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଫେବ୍ରୁଆରି ପହିଲା ଦିନ ଉପସ୍ଥାପନ କରିଥିବା ୨୦୨୧-୨୨ ପାଇଁ ବଜେଟ୍‌ ଏଷ୍ଟିମେଟ୍‌ରେ ଘୋଷଣା କରିଥିଲେ ଯେ ଏଥିରେ କୋଭିଡ୍‌-୧୯ ଟିକାଦାନ ପାଇଁ ସେ ୩୫,୦୦୦ କୋଟି ଟଙ୍କାର ସମ୍ବଳ ବ୍ୟବସ୍ଥା କରିଛନ୍ତି ଏବ˚ ଏଥିପାଇଁ ଆବଶ୍ୟକ ହେଲେ ଆହୁରି ଅଧିକ ପାଣ୍ଠି ଯୋଗାଇ ଦେବେ। କେନ୍ଦ୍ର ସରକାର ଜୁଲାଇ ପର୍ଯ୍ୟନ୍ତ ଟିକା ଯୋଗାଇବା ନିମିତ୍ତ, ‘କୋଭିସିଲ୍‌ଡ଼’ ଟିକାର ନିର୍ମାତା ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’କୁ ୩,୦୦୦ କୋଟି ଟଙ୍କା ଏବ˚ ‘କୋଭାକ୍‌ସିନ୍‌’ ଟିକାର ନିର୍ମାତା ‘ଭାରତ ବାୟୋଟେକ୍‌’ କମ୍ପାନିକୁ ୧,୫୬୭ କୋଟି ଟଙ୍କା ଆଗତୁରା ପ୍ରଦାନ କରିଛନ୍ତି। ସରକାରଙ୍କୁ ଆଗାମୀ ଦିନମାନଙ୍କରେ ୪୫ ବର୍ଷରୁ ଅଧିକ ବୟସ୍କମାନଙ୍କୁ ସରକାରୀ ଟିକାଦାନ କେନ୍ଦ୍ରମାନଙ୍କରେ ଦିଆଯାଉଥିବା ମାଗଣା ଟିକା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ହେବ। କିନ୍ତୁ ଏହା ପରେ ମଧୢ ସୀତାରମଣ-ଘୋଷିତ ୩୫,୦୦୦ କୋଟି ଟଙ୍କାର ପାଣ୍ଠିରେ ତଥାପି ଯଥେଷ୍ଟ ପରିମାଣର ସମ୍ବଳ ବଳି ପଡ଼ିବ। କେନ୍ଦ୍ର ସରକାର ଏ ରାଶିର କିଭଳି ଉପଯୋଗ କରିବେ?

ଟିକାଦାନ ପାଇଁ ସ୍ପଷ୍ଟ ରୂପେ ଉଦ୍ଦିଷ୍ଟ ସମ୍ବଳକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟୟ କରିବା କେବଳ ଅନୈତିକ ନୁହେଁ, ଅପରିଣାମଦର୍ଶୀ ହେବ ମଧୢ। ଅପର ପକ୍ଷେ ମାଗଣା ଟିକାଦାନ କାର୍ଯ୍ୟକ୍ରମ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ପାଇଁ ବିଶାଳ ଆର୍ଥିକ ବୋଝମାନ ସୃଷ୍ଟି କରିବ। ଏହି ସମୟରେ କେନ୍ଦ୍ର ସରକାର ଉପରୋକ୍ତ ପାଣ୍ଠି ବ୍ୟବହାର କରି ରାଜ୍ୟ ସରକାରମାନଙ୍କୁ ସେଥିପାଇଁ ସହାୟତା ଯୋଗାଇବା ଉଚିତ। ମନେ ରଖିବା ଉଚିତ ଯେ ଯେଉଁ ୧୮-୪୫ ବର୍ଷୀୟମାନଙ୍କୁ ଏଥର ଟିକା ଦିଆଯିବ, ସେମାନେ ହେଉଛନ୍ତି ଦେଶର ସର୍ବାଧିକ ଉତ୍ପାଦନଶୀଳ ଗୋଷ୍ଠୀ। ମାଗଣା ଟିକାଦାନ ଦ୍ବାରା ସେମାନଙ୍କୁ କାର୍ଯ୍ୟକ୍ଷମ ରଖିବା ଦ୍ବାରା ଦେଶର ଅର୍ଥନୀତିର ଯେଉଁ ଶକ୍ତି ବୃଦ୍ଧି ଘଟିବ, ତାହା ଟିକାର ସମସ୍ତ ‘ବ୍ୟକ୍ତିଗତ ଦ୍ରବ୍ୟ’ ଚରିତ୍ରର ସ˚ଶୋଧନ କରି ତାକୁ ଏକ ବିଶୁଦ୍ଧ ‘ସାର୍ବଜନୀନ ଦ୍ରବ୍ୟ’ରେ ପରିଣତ କରିଦେବ। ଟିକାର ଏହି ରୂପାନ୍ତର ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରମାନଙ୍କର ଉଦ୍ୟମକୁ ସହାୟତା ଯୋଗାଇବାରେ କେନ୍ଦ୍ର ସାମାନ୍ୟତମ କାର୍ପଣ୍ୟ ପ୍ରଦର୍ଶନ କରିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର