ଦିଲ୍ଲୀର ହାମୁରାବି
ଖ୍ରୀଷ୍ଟପୂର୍ବ ୧୭୯୨ରୁ ୧୭୫୦ ପର୍ଯ୍ୟନ୍ତ ପ୍ରାଚୀନ ମେସୋପଟାମିଆ (ବର୍ତ୍ତମାନର ଇରାକ୍, ଇରାନ୍, ସିରିଆର ଅଧିକା˚ଶ ଅଞ୍ଚଳ)ର ଶାସକ ଥିଲେ କିଂବଦନ୍ତି ପାଲଟି ଥିବା ରାଜା ହାମୁରାବି। ତାଙ୍କ ସାମ୍ରାଜ୍ୟର ରାଜଧାନୀ ଥିଲା ପ୍ରସିଦ୍ଧ ବେବିଲୋନ୍ ନଗରୀ। ତାଙ୍କର ବିଶାଳ ସାମ୍ରାଜ୍ୟର ପ୍ରାୟ ଏକ ନିୟୁତ ସରିକି ପ୍ରଜାମାନଙ୍କୁ ନିରପେକ୍ଷ ନ୍ୟାୟ ପ୍ରଦାନ ଥିଲା ହାମୁରାବିଙ୍କର ଶାସନର ମୁଖ୍ୟ ଉଦ୍ଦେଶ୍ୟ- ଜଣେ ସାଧାରଣ ନାଗରିକ ବା ଆମର ଆଜିକାଲିକା ଭାଷାରେ ‘ଆମ୍ ଆଦ୍ମି’ ଯେପରି କେବେ ହେଲେ ତାଙ୍କ ଶାସନ ସମୟରେ କୌଣସି ଅନ୍ୟାୟର ଶିକାର ନ ହୁଏ, ତାହା ହିଁ ଥିଲା ସମ୍ରାଟ୍ ହାମୁରାବିଙ୍କର ଏକାନ୍ତ ଅଭିଳାଷ। ଏହି ଉଦ୍ଦେଶ୍ୟରେ ସେ ତାଙ୍କର ପ୍ରଶାସନ ପାଇଁ ଯେଉଁ ମାର୍ଗଦର୍ଶିକା ପ୍ରଣୟନ କରିଥିଲେ, ତାହା ଇତିହାସରେ ‘ହାମୁରାବି କୋଡ୍’ ରୂପେ ଖ୍ୟାତ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କୋଡ୍ ଆରମ୍ଭରେ କୁହାଯାଇଛି ଯେ ତତ୍କାଳୀନ ମେସୋପଟାମିଆରେ ପ୍ରଚଳିତ ଧର୍ମ ବିଶ୍ବାସରେ ମୁଖ୍ୟ ଦେବତାମାନ ରୂପେ ପରିଗଣିତ ଆନୁ, ଏନ୍ଲିଲ୍ ଏବ˚ ମାର୍ଡୁକ୍ ତାଙ୍କ ରାଜ୍ୟରେ ‘‘ନ୍ୟାୟ ପ୍ରତିଷ୍ଠା କରିବା ପାଇଁ, ଦୁଷ୍ଟ ଓ ଖଳ ଲୋକମାନଙ୍କୁ ନିପାତ କରିବା ପାଇଁ, ଦୁର୍ବଳ ଉପରେ ସବଳର ଅତ୍ୟାଚାର ଲୋପ କରିବା ପାଇଁ’’ ହାମୁରାବିଙ୍କୁ ନିଯୁକ୍ତ କରିଛନ୍ତି। ଗଣତନ୍ତ୍ରର ଦେବତା ଜନତା ଜନାର୍ଦ୍ଦନ ଠିକ୍ ଏଇଭଳି ଉଦ୍ଦେଶ୍ୟମାନ ସାଧନ ପାଇଁ ଭାରତର ବେବିଲୋନ୍ ଦିଲ୍ଲୀରେ ଅରବିନ୍ଦ କେଜ୍ରିଵାଲ୍ଙ୍କୁ ବାରମ୍ବାର ମୁଖ୍ୟମନ୍ତ୍ରୀ ରୂପେ ନିଯୁକ୍ତ କରି ଚାଲିବା ଭଳି।
ହାମୁରାବି ତାଙ୍କ ରାଜ୍ୟର ‘ଆମ୍ ଆଦ୍ମି’ମାନଙ୍କୁ ନ୍ୟାୟ ପ୍ରଦାନ ନିମିତ୍ତ ପ୍ରସ୍ତୁତ କରିଥିବା ଏହି ଆଦର୍ଶ ପ୍ରଶାସନ ସ˚ହିତାରେ ଥିବା ପ୍ରାୟ ୩୦୦ ବିଭିନ୍ନ ନିର୍ଦ୍ଦେଶାବଳୀ ମଧୢରୁ ମାତ୍ର କେତୋଟି ଉପରେ ଏଠାରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଇପାରେ। ଯଦି ଜଣେ ଉଚ୍ଚ ଶ୍ରେଣୀର ବ୍ୟକ୍ତି ଅନ୍ୟ ଜଣେ ଉଚ୍ଚ ଶ୍ରେଣୀର ବ୍ୟକ୍ତିଙ୍କର ଆଖି ଫୁଟାଇ ଦିଅନ୍ତି, ତାହେଲେ ତାଙ୍କର ଆଖି ଫୁଟାଇ ଦିଆଯିବ। ସେ ଯଦି ଅନ୍ୟ ଜଣେ ଉଚ୍ଚ ଶ୍ରେଣୀର ବ୍ୟକ୍ତିଙ୍କର ହାଡ଼ ଭାଙ୍ଗି ଦିଅନ୍ତି, ତାହେଲେ ତାଙ୍କ ହାଡ଼ ଭାଙ୍ଗି ଦିଆଯିବ। ଯଦି ସେ ଜଣେ ସାଧାରଣ ଲୋକ (ଆମ୍ ଆଦ୍ମି)ର ଆଖି ଫୁଟାଇ ଦିଅନ୍ତି ବା ହାଡ଼ ଭାଙ୍ଗି ଦିଅନ୍ତି, ତା’ହେଲେ ତାଙ୍କୁ କେବଳ ୬୦ ସେକେଲ୍ ଓଜନର ରୁପା ଅର୍ଥଦଣ୍ତ ଦେବାକୁ ପଡ଼ିବ। ଯଦି ସେ ଅନ୍ୟ ଜଣେ ଉଚ୍ଚଶ୍ରେଣୀର ନାଗରିକଙ୍କର କ୍ରୀତଦାସର ଆଖି ଫୁଟାଇ ଦିଅନ୍ତି କିମ୍ବା ହାଡ଼ ଭାଙ୍ଗି ଦିଅନ୍ତି, ତାହେଲେ ତାଙ୍କୁ କେବଳ ସେ କ୍ରୀତଦାସର ବଜାର ମୂଲ୍ୟର ଅଧା ରୁପା ଆକାରରେ ଅର୍ଥଦଣ୍ତ ସ୍ବରୂପ ଦେବାକୁ ପଡ଼ିବ।
ହାମୁରାବିଙ୍କର ନ୍ୟାୟବନ୍ତ କୋଡ୍ ଏହିପରି ଆହୁରି ଅନେକ ଉଚ୍ଚ ଶ୍ରେଣୀ ବା ଆଜିର ‘ଭିଆଇପି’ ବା ‘ଖାସ୍ ଆଦ୍ମି’ ଓ ସାଧାରଣ ନାଗରିକ ବା ‘ଆମ ଆଦ୍ମି’ ମଧୢରେ ପାତରଅନ୍ତର ବ୍ୟବସ୍ଥାମାନରେ ଭରପୂର। ହାମୁରାବି କିନ୍ତୁ ତାଙ୍କର ନିର୍ଦ୍ଦେଶାବଳୀ ଲିପିବଦ୍ଧ କରିସାରି ଘୋଷଣା କରିଥିଲେ ଯେ ସେ ଏ ସମସ୍ତ ନ୍ୟାୟୋଚିତ ନିର୍ଦ୍ଦେଶାବଳୀ ପ୍ରଦାନ କରି ତାଙ୍କ ରାଜ୍ୟରେ ଜୀବନଯାତ୍ରା ସତ୍ୟ ଏବ˚ ନ୍ୟାୟର ମାର୍ଗ ଅନୁସରଣ କରିବା ନିଶ୍ଚିତ କରିଛନ୍ତି। ସେ ବିବେକବନ୍ତ ଭାବରେ ଘୋଷଣା କରିଥିଲେ, ‘‘ମୁଁ ମହାନ୍ ରାଜା ହାମୁରାବି, ଦେବତା ଏନିଲ୍ ମତେ ଦାୟିତ୍ବ ଦେଇଥିବା ମାନବ ସମାଜ ପ୍ରତି ଦାୟିତ୍ବହୀନ କିମ୍ବା ଅଯତ୍ନଶୀଳ ହୋଇନାହିଁ’’। ଆମକୁ ଯାହା ଜଳଜଳ ହୋଇ ପାତରଅନ୍ତର ବୋଲି ଦେଖାଯାଉଛି,‘ମହାନ୍ ରାଜା’ ହାମୁରାବିଙ୍କୁ ତାହା ସମ୍ପୂର୍ଣ୍ଣ ନ୍ୟାୟୋଚିତ ମନେ ହେଲା କିପରି? ତା’ର କାରଣ ହେଲା ହାମୁରାବି ବିଶ୍ବାସ କର୍ୁଥିଲେ ଯେ ବେବିଲୋନୀୟ ସ୍ତରୀକୃତ ସାମାଜିକ ଗଠନ ଈଶ୍ବର-ନିର୍ଦ୍ଦେଶିତ ସର୍ବବ୍ୟାପୀ ଏବ˚ ଚିରନ୍ତନ ନ୍ୟାୟ ନୀତି ଉପରେ ପ୍ରତିଷ୍ଠିତ, ଯାହକୁ ତାଙ୍କର କୋଡ୍ ଅନୁସରଣ କରିଥାଏ। ଏଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଶ୍ରେଣୀ ବିଭାଜନ ନିୟମ। ତାଙ୍କ କୋଡ୍ ଅନୁସାରେ ଲୋକମାନେ ତିନିଟି ଶ୍ରେଣୀରେ ବିଭନ୍ତ: ଉଚ୍ଚ ଶ୍ରେଣୀ; ସାଧାରଣ ଶ୍ରେଣୀ ଓ କ୍ରୀତଦାସ ଶ୍ରେଣୀ। ପ୍ରତ୍ୟେକ ଶ୍ରେଣୀର ସଦସ୍ୟଙ୍କର ମୂଲ୍ୟ ହେଉଛି ଭିନ୍ନ, ଯାହା ପୂର୍ବ ବର୍ଣ୍ଣିତ ଉଦାହରଣ ମାନଙ୍କରେ ଦେଖିବାକୁ ମିଳିଥିଲା।
ଏହାକୁ ‘ଈଶ୍ବର-ନିର୍ଦ୍ଦେଶିତ’ କହିବାର ଉପଯୋଗିତା କ’ଣ, ତାହାର ସୂଚନା ପ୍ରାୟ ସାଢେ଼ ତିନି ହଜାର ବର୍ଷ ପରେ ଦେଇଥିଲେ ନେପୋଲିଅନ୍ ଯେତେବେଳେ ସେ କହିଥିଲେ, ‘‘ଈଶ୍ବର ଧନୀକମାନଙ୍କୁ ହତ୍ୟା କରିବାରୁ ଦରିଦ୍ରମାନଙ୍କୁ ନିବୃତ୍ତ କରିଛନ୍ତି।’’ ହାମୁରାବିଙ୍କ ବିଚାରରେ କିନ୍ତୁ ତାଙ୍କର ଏହି କୋଡ୍ ଯଥାର୍ଥ ଥିଲା ଏହି କାରଣରୁ ଯେ ଯଦି ତାଙ୍କର ପ୍ରଜାମାନେ ସମସ୍ତେ ଶ୍ରେଣୀ ସିଡ଼ିରେ ନିଜ ନିଜର ସ୍ଥାନ ନିର୍ବିବାଦରେ ଗ୍ରହଣ କରି ନେବେ ଏବ˚ ସେଇ ଅନୁଯାୟୀ ନିଜ ନିଜର ଦାୟିତ୍ବ ନିର୍ବାହ କରି ଚାଲିବେ, ତେବେ ତାଙ୍କ ସାମ୍ରାଜ୍ୟର ସମସ୍ତ ବାସିନ୍ଦା ଫଳପ୍ରଦ ଭାବରେ ପରସ୍ପର ମଧୢରେ ସହଯୋଗ କରିବା ସମ୍ଭବ ହେବ। ତାହେଲେ ସେମାନେ ଯଥେଷ୍ଟ ଖାଦ୍ୟ ଉତ୍ପାଦନ କରିପାରିବେ, ଦକ୍ଷତାର ସହିତ ତାହାକୁ ସମାଜର ସଦସ୍ୟମାନଙ୍କ ମଧୢରେ ବଣ୍ଟନ କରିପାରିବେ, ସାମ୍ରାଜ୍ୟକୁ ଶତ୍ରୁ ଆକ୍ରମଣରୁ ସୁରକ୍ଷିତ ରଖି ପାରିବେ ଏବ˚ ସାମ୍ରାଜ୍ୟର ବିସ୍ତାର ସାଧନ କରି ଅଧିକ ସମୃଦ୍ଧି ହାସଲ କରିପାରିବେ।
ଏଥିରେ ବୋଧହୁଏ କେହି ଦ୍ବିମତ ହେବେ ନାହିଁ ଯେ ଆଧୁନିକ ଦୁନିଆରେ ହାମୁରାବିଙ୍କର ସେଇ ନ୍ୟାୟର କୋଡ୍ ଏକ ଅନ୍ୟାୟର କୋଡ୍ ରୂପେ ବିବେଚିତ ହେବା ଅନିବାର୍ଯ୍ୟ। କାରଣ ପ୍ରକୃତି ସବୁ ମନୁଷ୍ୟଙ୍କୁ ସମାନ କରି ଗଢ଼ି ନ ଥାଇପାରେ, କିନ୍ତୁ ଆଜିର ଗଣତନ୍ତ୍ରରେ ସେମାନେ କେତେକ ସମାନ ମୌଳିକ ଅଧିକାର ପାଇଁ ହକ୍ଦାର ବୋଲି ଗ୍ରହଣ କରାଯାଇଥାଏ। ସେଇ ଫରାସୀ ବିପ୍ଳବର ସନ୍ତାନ ନେପୋଲିୟନ୍ଙ୍କ ପ୍ରାୟ ସମସାୟିକ, ଫରାସୀ ବିପ୍ଳବର ବୌଦ୍ଧିକ ପିତା ଦାର୍ଶନିକ ଭଲ୍ଟେଆର୍ କହିଥିବା ଭଳି, ‘‘ସମସ୍ତ ନାଗରିକ ସମାନ ଭାବରେ ଶକ୍ତିଶାଳୀ ନ ହୋଇପାରିଥାନ୍ତି, ସେମାନେ ସମସ୍ତେ କିନ୍ତୁ ସମାନ ଭାବରେ ସ୍ବାଧୀନ ହୋଇପାରିବେ।’’ ସେଇ ସମୟରେ ୧୭୭୬ରେ ବଳବତ୍ତର ହୋଇଥିବା ‘ଆମେରିକୀୟ ସ୍ବାଧୀନତା ଘୋଷଣାନାମା’ରେ କୁହାଗଲା, ‘‘ଏହା ହେଉଛି ଏକ ଅବଧାରିତ ସତ୍ୟ ଯେ ସବୁ ମନୁଷ୍ୟ ସମାନ ହୋଇ ସୃଷ୍ଟି ହୋଇଛନ୍ତି ଏବ˚ ସେମାନେ ସେମାନଙ୍କର ସ୍ରଷ୍ଟାଙ୍କ ଦ୍ବାରା କେତେକ ଅବିଚ୍ଛେଦ୍ୟ ଅଧିକାର ଲାଭ କରିଛନ୍ତି, ଯେଉଁଥିରେ ବଞ୍ଚିବା, ସ୍ବାଧୀନତା ଏବ˚ ସୁଖର ସନ୍ଧାନ ଅନ୍ତର୍ଭୁକ୍ତ।’’
ଏଇଭଳି ଆଦର୍ଶ ଦ୍ବାରା ଅନୁପ୍ରାଣିତ ହୋଇ ଭାରତୀୟ ସମ୍ବିଧାନରେ ଯଥାକ୍ରମେ ଧାରା-୧୪ ଓ ଧାରା-୨୧ରେ ସମାନତାର ଅଧିକାର ଓ ବଞ୍ଚିବାର ଅଧିକାରକୁ ସମସ୍ତ ଭାରତୀୟ ନାଗରିକମାନଙ୍କର ମୌଳିକ ଅଧିକାର ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ଏସବୁ ଆଧୁନିକ ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରି ଆଧୁନିକ ହାମୁରାବି କେଜ୍ରିଵାଲ ଏବେ ଏକ ପ୍ରଶାସନିକ ଆଦେଶ ଜାରି କରି ଦିଲ୍ଲୀର ପଞ୍ଚତାରକା ଅଶୋକା ହୋଟେଲ୍ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଏବ˚ ଅନ୍ୟ କର୍ମଚାରୀମାନଙ୍କ ଭଳି ‘ଖାସ୍ ଆଦମି’ ମାନଙ୍କ ପାଇଁ ଏକ ଶହେ ରୁମ୍ ବିଶିଷ୍ଟ କୋଭିଡ୍ କେଆର୍ କେନ୍ଦ୍ର ସ୍ଥାପନ କରିବାକୁ ଉଦ୍ୟମ କରିବା ସମଗ୍ର ସ୍ବାଧୀନ ଭାରତକୁ ହତଭମ୍ଭ କରିଦେଇଛି। ହାଇକୋର୍ଟଙ୍କ ଭର୍ତ୍ସନା ପରେ ସେ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିଥିଲେ ମଧୢ ତାଙ୍କର ଅପାରଗତା ଓ ଉଦାସୀନତା ଯୋଗୁଁ ଦିଲ୍ଲୀର ‘ଆମ୍ ଆଦ୍ମି’ମାନେ ହସ୍ପିଟାଲ୍ ଶଯ୍ୟା ଅଭାବରୁ ଓ ଅମ୍ଳଜାନ ଅଭାବରୁ ଜୀବନ-ମରଣ ସ˚କଟର ସମ୍ମୁଖୀନ ହୋଇ ଚାଲିଥିବା ବେଳେ ନ୍ୟାୟପାଳିକାର କୋପ ଦୃଷ୍ଟି ଏଡ଼ାଇବା ପାଇଁ ସେମାନଙ୍କର ତୁଷ୍ଟୀକରଣ ନିମିତ୍ତ କେଜ୍ରିଵାଲଙ୍କର ଏଭଳି ନଗ୍ନ ପ୍ରୟାସରେ କିନ୍ତୁ ଅସଲ ହାମୁରାବିଙ୍କର ପ୍ରଜାମଙ୍ଗଳ ଲକ୍ଷ୍ୟ ନିହିତ ନାହିଁ। ଏହାପରେ ତାଙ୍କ ପାର୍ଟିର ଉପଯୁକ୍ତ ନାମ ହେବା ଉଚିତ- ‘ଖାସ୍ ଆଦ୍ମି ପାର୍ଟି’।