କଥା ନୁହେଁ, କାମର ସମୟ

ଚିତ୍ର ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଚିତ୍ରର ଅଦୃଶ୍ୟ ଚେହେରା ଆଡ଼େ ଚାହିଁ ଯେତେବେଳେ ଅନୁସନ୍ଧିତ୍ସୁ କଳାପ୍ରେମୀ ଜଣକ ପ୍ରଶ୍ନ କରିଥିଲେ ଯେ ଏହି ଧଳା କାନଭାସ ଉପରେ ପୁରସ୍କୃତ ଚିତ୍ରଟି କାହିଁ, ସେତେବେଳେ ଚତୁର ଚିତ୍ରଶିଳ୍ପୀ ତାଙ୍କୁୁ କହିଥିଲେ, ‘ଏହା ସବୁଜ ଘାସ ଖାଉଥିବା ଏକ ଗାଈର ଚିତ୍ର।’ ଦର୍ଶକ ତାଙ୍କୁ ପଚାରିଥିଲେ, ମାତ୍ର ଏଥିରେ ଘାସ କାହିଁ, ଗୋଟିଏ ହେଲେ ତ ଶାଗୁଆ ଘାସ ଦେଖୁନାହିଁ। ଶିଳ୍ପୀ ଉତ୍ତର ଦେଇଥିଲେ, କ୍ଷୁଧାର୍ତ୍ତ ଗାଈଟି ସବୁତକ ଘାସ ଖାଇ ଦେଇଛି। ତାହାହେଲେ ସେ ଗାଈ କାହିଁ? ଏଥର ଚିତ୍ରଶିଳ୍ପୀଙ୍କ ଉତ୍ତର- ଘାସତକ ଖାଇସାରିବା ପରେ ଗାଈ କ’ଣ ଏଠି ରହିଥାଆନ୍ତା? ସିଏ ତା ବାଟରେ ଚାଲିଯାଇଛି। କୋଭିଡ ବିଭୀଷିକାର ଆକ୍ରମଣରେ ସମଗ୍ର ଦେଶ ଆର୍ତ୍ତନାଦ କରୁଥିବାବେଳେ ଶାସନ ଦାୟିତ୍ବରେ ଥିବା ନେତୃବର୍ଗଙ୍କ ଟିକା ନ ଥାଇ ଟିକା ଉତ୍ସବ ଓ ମଇ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକା ମିଳିବ ପରି ବିରାମହୀନ ଭାଷଣ ଆମକୁ ଏହି ପ୍ରକାର ଉଦ୍ଭଟ ଚିତ୍ରଶିଳ୍ପୀଙ୍କ ଆସ୍ଫାଳନ ପରି ଶୁଭୁଅଛି।

ଭାରତ ବିଭାଜନ ପରବର୍ତ୍ତୀ ଦଙ୍ଗା ବେଳେ ଯେମିତି ସୀମାନ୍ତ ରାଜ୍ୟର ଶ୍ମଶାନରୁ ଚିତା ନିଆଁ ଲିଭୁ ନ ଥିଲା ବର୍ତ୍ତମାନ ତାହାଠାରୁ ଅଧିକ ଭୟଙ୍କର ସମସ୍ୟା ସୃଷ୍ଟି ହୋଇଛି। ମଶାଣି ଅଭାବରେ ସଭାସମିତି ପଡ଼ିଆ ଓ ଷ୍ଟାଡିୟମକୁ ଶ୍ମଶାନ ଭାବେ ବ୍ୟବହାର କରାଯାଉଛି। ଚିତାରେ ପୋଡ଼ା ହେବାପାଇଁ ଶବଗୁଡ଼ିକୁ କୋଉଠି ଛତିଶ ଘଣ୍ଟା ତ କୋଉଠି ବତିଶ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଏବ˚ ଆମ୍ବୁଲାନ୍‌ସ ଭିଡ଼ରେ ମଶାଣି ମୁହାଁ ରାସ୍ତା ଅବରୁଦ୍ଧ ହୋଇପଡ଼ିଛି। ଯେଉଁମାନେ ମରିଗଲେ ସେମାନଙ୍କ ସୌଭାଗ୍ୟକୁ ଈର୍ଷା କଲା ପରି ହସପିଟାଲରେ ଜାଗା ନ ପାଇ ବା ଜାଗା ପାଇଥିଲେ ଅକ୍ସିଜେନ ପାଇଁ ଲକ୍ଷ ଲକ୍ଷ ରୋଗୀ ଛାଟିପିଟି ହେଉଛନ୍ତି। ଦୁଃଖର ସହ ଉଲ୍ଲେଖ କରିବାକୁ ପଡୁଛି ଯେ ଅକ୍ସିଜେନ ପାଇଁ ରୋଗୀମାନେ ଡହଳ ବିକଳ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦେଶର ପ୍ରତ୍ୟେକ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠିତ ହେବ’ ବୋଲି ଆସ୍ଫାଳନ କରି କଫିନ ଉପରେ ଶେଷ କଣ୍ଟା ବାଡ଼େଇ ସତେ କି ପରିହାସ କରୁଛନ୍ତି।

ଭାରତର ରାଜନୈତିକ ରାଜଧାନୀ ଦିଲ୍ଲୀ ଏବ˚ ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ଅଚଳ ଅବସ୍ଥା। କେରଳରୁ ନେଇ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ସବୁଠାରେ ଆତଙ୍କଜନକ ପରିସ୍ଥିତି। ଘୋଷିତ ଟିକା ଉତ୍ସବ ଦିନ ଦେଖାଗଲା, ଟିକା ଅଭାବରୁ ପୂର୍ବରୁ କାର୍ଯ୍ୟକାରୀ ଥିବା ଟିକାକେନ୍ଦ୍ରଗୁଡ଼ିକ ବନ୍ଦ। ଏବେ ମଇ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ଯୁବକମାନଙ୍କ ଲାଗି ଟିକାକରଣ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମାତ୍ର ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ପରି ଅନେକ ରାଜ୍ୟ କହି ସାରିଲେଣି ଯେ ସେପ୍‌ଟେମ୍ବର ପୂର୍ବରୁ ଏହି ଟିକାକରଣ ଆରମ୍ଭ ହୋଇପାରିବ ନାହିଁ। କାରଣ, ବର୍ତ୍ତମାନ ଚାଲିଥିବା ବୟସ୍କଙ୍କ ଟିକାକରଣ ସରିବା ପରେ ଯାଇ ନୂଆବର୍ଗର ଟିକାକରଣ ହେବ।

କୋଭିଡର ଦ୍ବିତୀୟ ଲହରୀରେ ଭାରତୀୟଙ୍କର ଧୈର୍ଯ୍ୟ ଓ ସାହସ ସହ ବହୁ ଶ୍ରମ ଓ ସମ୍ବଳ ବିନିମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଯତ୍ନନିର୍ମିତ ଭାବମୂର୍ତ୍ତି ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ବିଦେଶୀ ଗଣମାଧୢମରେ ପ୍ରତିଦିନ ମୋଦୀଙ୍କର ବୟାନ ସର୍ବସ୍ବ ରାଜନୀତି ସମ୍ବନ୍ଧରେ କଟୁ ଟିପ୍‌ପଣୀମାନ ବାହାରୁଛି ଏବ˚ ଗଣମାଧୢମରେ ମୋଦୀ ଇସ୍ତଫା ଦେବା ଦରକାର ବୋଲି ଆହ୍ବାନ ଦିଆଗଲାଣି। ଏସବୁ ବାସ୍ତବରେ ମୋଦୀଙ୍କୁ ରାଜନୈତିକ ଭାବେ କ୍ଷତିଗ୍ରସ୍ତ କରିବ କି ନାହିଁ, ତାହା ଭିନ୍ନ କଥା; ମାତ୍ର ଯେଉଁ ଯୁବ ସମାଜ ‘ଆଚ୍ଛେଦିନ୍‌’ର ଉଦ୍‌ଗାତା ଭାବରେ ମୋଦୀଙ୍କୁ ଗ୍ରହଣ କରିଥିଲେ ସେମାନଙ୍କର ଅବଶ୍ୟ ମୋହଭଙ୍ଗ ଘଟିଛି। ଲାନସେଟ୍‌ କମିଶନ୍‌ର ଆଞ୍ଚଳିକ ଅଧ୍ୟକ୍ଷା ଚନ୍ଦ୍ରିକା ବାହାଦୁରଙ୍କ ମତରେ ବାସ୍ତବରେ କୋଭିଡର ଦ୍ବିତୀୟ ଲହରୀର ମୁକାବିଲା ପାଇଁ ଭାରତ ସରକାରଙ୍କୁ ସମୟ ମିଳିଥିଲା। ଯେତେବେଳେ ଅନ୍ୟ ଦେଶଗୁଡ଼ିକ ଟିକା ପାଇଁ ଔଷଧ ନିର୍ମାତାଙ୍କୁ ଅଗ୍ରୀମ ଟଙ୍କା ପଇଠ କରୁଥିଲେ ସେତେବେଳେ ଭାରତ ତାହା କଲା ନାହିଁ। ଅକ୍ସିଜେନ, ଔଷଧ, ଆଇସିୟୁ ବେଡ୍ କିମ୍ବା ଡାକ୍ତର ନିଯୁକ୍ତି କ୍ଷେତ୍ରରେ ମଧୢ ଯୁଦ୍ଧକାଳୀନ ତତ୍ପରତା ପ୍ରକାଶ ପାଇଲା ନାହିଁ। ଏହାର କାରଣ ହେଲା ଭାରତ ସରକାର ଭାବିନେଲେ ଯେ କୋଭିଡ ଚାଲିଗଲା ଏବ˚ ଆଗକୁ ଆଉ କିଛି କରିବା ପ୍ରୟୋଜନ ନାହିଁ। ତାପରେ ପ୍ରଧାନମନ୍ତ୍ରୀ ଭାଷଣ ଦେଇ ଚାଲିଲେ, ‘ଦେଖ, ଭାରତ କିପରି କୋଭିଡକୁ ପରାସ୍ତ କରିଦେଇଛି।’ ନିର୍ବାଚନୀ ସଫଳତା ତାଙ୍କୁ ଯେଉଁ ପ୍ରଶାସନିକ ଆତ୍ମସନ୍ତୋଷ ଭେଟି ଦେଇଥିଲା ତାହା ତାଙ୍କୁ ଉଦାସୀନତାର ପାଚେରି ଡେଇଁ ବାହାରକୁ ଚାହିଁବା ଲାଗି ଉତ୍ସାହିତ କଲାନାହିଁ। ଆଜି କେରଳର ପ୍ରତି ଚାରିଜଣରେ ଜଣେ, କଲିକତାରେ ପ୍ରତି ଦୁଇ ଜଣରେ ଜଣେ ଏବ˚ ଓଡ଼ିଶାର କଳାହାଣ୍ତିରେ ମଧୢ ପ୍ରତି ୨ ଜଣରେ ଜଣେ କୋଭିଡ ପଜିଟିଭ। ଏମାନଙ୍କର ସେବା କରିବା ପାଇଁ ଅଧିକ ଦେଢ଼ ଲକ୍ଷ ଡାକ୍ତର ଓ ୨ ଲକ୍ଷ ନର୍ସ ଆବଶ୍ୟକ। ଅତିରିକ୍ତ ୫ ଲକ୍ଷ ଆଇସିୟୁ ବେଡ୍ ଦରକାର ବୋଲି ଡକ୍ଟର ଦେବୀ ସେଟ୍ଟୀଙ୍କ ପରି ଅଭିଜ୍ଞ ଚିକିତ୍ସକ ମତ ଦେଉଛନ୍ତି। ପ୍ରଥମ ଲହରୀ ବେଳେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବା ଡାକ୍ତର ଓ ନର୍ସମାନେ କ୍ଲାନ୍ତ, ସ˚କ୍ରମିତ ଏବ˚ ନିରାଶାରେ ଭାଙ୍ଗି ପଡ଼ିଛନ୍ତି। ସେମାନଙ୍କ ଉପରେ ନିର୍ଭର କରି ଏ ଅପରାଜେୟ ଲହରୀର ସାମ୍ନା କଦାପି କରାଯାଇପାରିବ ନାହିଁ।

ଦ୍ବିତୀୟ କଥା ହେଉଛି, ଟିକାକରଣର ବ୍ୟୟଭାର ବହନ ସହ ଏହାର ପରିଚାଳନା ଦିଗରେ ଭାରତ ସରକାର ରାଜ୍ୟମାନଙ୍କୁ ଯେଉଁଭଳି ସହଯୋଗ ଓ ସାହାଯ୍ୟ କରିବା କଥା ତାହା କରିପାରିନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ଓଡ଼ିଶା ସମେତ ପ୍ରାୟ ବାଇଶିଟି ରାଜ୍ୟ ନିଜ ନିଜ ସମ୍ବଳରୁ ଟିକା ଖର୍ଚ୍ଚ ଭରଣା କରୁଛନ୍ତି। ତୁରନ୍ତ କେନ୍ଦ୍ର ଏହି ଖର୍ଚ୍ଚ ନିଜ ମୁଣ୍ତ ଉପରକୁ ନେବା ଆବଶ୍ୟକ। ଏହାଭିନ୍ନ, ଅନ୍ୟ ଯେଉଁ ଔଷଧ ସବୁ ବିଦେଶରେ ଉପଲବ୍‌ଧ ତାହା ଭାରତକୁ ଅଣାଯିବା ପ୍ରୟୋଜନ। ଯେଉଁ ହାରରେ ଭାରତରେ ଟିକାକରଣ ଚାଲିଛି ସେଥିରେ ଆମ ଦେଶର ୧୨୦ କୋଟି ଲୋକ ଦୁଇ ଡୋଜ୍ କରି ଟିକା ନେଇସାରିବା ବେଳକୁ ଆହୁରି ୨ ବର୍ଷ ସମୟ ଲାଗିଯିବ। ମାତ୍ର ସେତେବେଳକୁ ଅବସ୍ଥା ଅଣାୟତ୍ତ ହୋଇପଡ଼ିଥିବ।

ସ୍ବାଭାବିକ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧୀମାନେ ଏବେ ତାଙ୍କର ସମାଲୋଚନାରେ ଶତମୁଖ ହୋଇପଡ଼ିଛନ୍ତି। ସବୁ ଭଲ କାମର ଶ୍ରେୟ ସିଏ ଛଡ଼େଇ ନେଉଥିବାରୁ ବିଫଳତାର ଶ୍ରେୟ ମଧ୍ୟ ତାଙ୍କୁ ହିଁ ମୁଣ୍ଡାଇବାକୁ ପଡ଼ିବ। ଜଣେ ଲେଖିଛନ୍ତି ଯେ ମୋଦୀ ଯଦି ପଶ୍ଚିମବଙ୍ଗରେ କ୍ଷମତା ହାସଲ କରିନପାରନ୍ତି ତାହାହେଲେ ସେଥିପାଇଁ ସେ ଦିଦିଙ୍କ ସହ କୋଭିଡକୁ ମଧ୍ୟ ଦାୟୀ କରିବା ଦରକାର। କାରଣ ସେଇ ପଶ୍ଚିମବଙ୍ଗରେ, ଯୋଉଦିନ ଦେଶରେ ୨ ଲକ୍ଷ ୩୪ ହଜାର ନୂଆ ସଂକ୍ରମଣ ରିପୋର୍ଟ ହୋଇଥିଲା ସେହିଦିନ ମୋଦୀ ଏକ ନିର୍ବାଚନ ସମାବେଶକୁ ଲକ୍ଷ୍ୟ କରି କହିଥିଲେ ଯେ ଏଭଳି ବିଶାଳ ସମାବେଶ ସେ ଆଗରୁ ଦେଖି ନ ଥିଲେ।

ଏବେ ନିର୍ବାଚନ ସରିଯାଇଛି। ଆଗରୁ ହୋଇସାରିଥିବା ଅବହେଳାର ପୁନରାବୃତ୍ତି ନ କରି କୋଭିଡ୍ ପରିଚାଳନାରେ ଶାସନର ସମସ୍ତ ସମ୍ବଳ, ସମୟ ଓ ଶ୍ରମ ନିୟୋଜିତ ହେଉ। ପୁଣିଥରେ ଉଲ୍ଲେଖ କରିବାକୁ ଚାହୁଁଛୁ ଯେ ଏ ପ୍ରକାର ଭୟଙ୍କର ପରିସ୍ଥିତି କେବେ ଦେଖାଦେଇନଥିଲା। ଭୟଙ୍କର ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ଉଦାସୀନତା, ଆତ୍ମପ୍ରଶସ୍ତିକ ବୟାନବାଜିର କୌଣସି ଭୂମିକା ନାହିଁ। ଏ ସମୟ ଭାଷଣ କି କଥାର ନୁହେଁ; କେବଳ କାମର ସମୟ।

ସମ୍ବନ୍ଧିତ ଖବର