କୋଭିଡ୍ ଗଣିତ
ଗଣିତ ଭିତରେ ଏମିତି ହିସାବମାନ ରହିଛି, ଯାହା ଅନେକ ସମୟରେ କୁହୁକ ବା ମେଜିକ ଭଳି ବୋଧ ହୋଇ ବିସ୍ମୟ ସୃଷ୍ଟି କରିଥାଏ। କରୋନାର ଉତ୍ତାଳ ଦ୍ବିତୀୟ ତରଙ୍ଗ ବେଳେ ଭାରତରେ କୋଭିଡ୍ ମୃତ୍ୟୁ ସ˚ଖ୍ୟାରେ ଦେଖା ଦେଇଥିବା ତୀବ୍ର ବୃଦ୍ଧି ପରିପ୍ରେକ୍ଷୀରେ ଏଭଳି ଏକ ଗାଣିତିକ ହିସାବ ଏକ ବିସ୍ମୟ ସୃଷ୍ଟିକାରୀ ଉତ୍ତର ପ୍ରଦାନ କରିଥାଏ। କୋଭିଡ୍ ମୃତ୍ୟୁ ସ˚ଖ୍ୟାରେ ବୃଦ୍ଧି ଲାଗି ଅଧିକ ଘାତକ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଦାୟୀ ବୋଲି ଏବେ ବଳବତ୍ତର ହୋଇଥିବା ଧାରଣାକୁ ଏହି ଉତ୍ତର ଖାରଜ କରିଥାଏ। ସୁତରା˚, ଏ ସ˚ଦର୍ଭରେ ଏକ ଆଲୋଚନା ବିଶେଷ ପ୍ରାସଙ୍ଗିକ ମନେ ହୁଏ।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣ ଭାବେ ଏକ ଧାରଣା ସୃଷ୍ଟି ହୋଇଛି ଯେ କରୋନା ସତର୍କତାର ଅଭାବ ଏବ˚ ଚଳପ୍ରଚଳ ବୃଦ୍ଧି କରୋନାର ଦ୍ବିତୀୟ ତରଙ୍ଗକୁ ଅକଳ୍ପନୀୟ ଭାବେ ଅଧିକ ଘାତକ କରି ପକାଇଛି। କିନ୍ତୁ ଏକ ଅନୁଧୢାନରୁ ଜଣାପଡ଼ିଛି ଯେ ୨୦୨୦ ଅଗଷ୍ଟ ମାସରୁ ୨୦୨୧ ମାର୍ଚ୍ଚ ମାସ ମଧୢରେ ‘ମାସ୍କ ପରିଧାନ ସୂଚକାଙ୍କ’ ସର୍ବାଧିକ ୭୧ ‘ପର୍ସେଣ୍ଟେଜ୍ ପଏଣ୍ଟ୍’ରୁ ମାତ୍ର ୧୦ ‘ପର୍ସେଣ୍ଟେଜ୍ ପଏଣ୍ଟ୍’ ହ୍ରାସ ପାଇ ୬୧ ‘ପର୍ସେଣ୍ଟେଜ୍ ପଏଣ୍ଟ୍’ରେ ପହଞ୍ଚିଥିଲା। ସେହି ଭଳି ଏହି ସମୟ ଖଣ୍ତ ମଧୢରେ ଜନ ସମାଗମ ବା ଯାନ ବାହନ ଚଳାଚଳ ସୂଚକାଙ୍କରେ ମାତ୍ର ୨୦ ‘ପର୍ସେଣ୍ଟେଜ୍ ପଏଣ୍ଟ୍’ ବୃଦ୍ଧି ଘଟିଛି। ସୁତରା˚, ସେହି ଦୃଷ୍ଟିରୁ ଦେଖିଲେ ଦ୍ବିତୀୟ ତରଙ୍ଗ କାଳାରେ ପରିଦୃଷ୍ଟ ସ˚କ୍ରମଣ ଓ ମୃତ୍ୟୁ ସ˚ଖ୍ୟାର ବିଶାଳ ଜୁଆର ସକାଶେ ଏହି ଦୁଇଟି କାରଣ ଛଡ଼ା ଆଉ ଭିନ୍ନ କିଛି କାରଣ ରହିଥିବାର ସମ୍ଭାବନା ଅଛି।
ତେଣୁ ସେହି କାରଣଟି ହୋଇପାରେ ଅଧିକ ଘାତକ କୋଭିଡ୍ ଷ୍ଟ୍ରେନ୍! ଏହି ପରିପ୍ରେକ୍ଷୀରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଗଲା ଫେବ୍ରୁଆରି ମାସର ଶେଷ ବେଳକୁ ଉତ୍ତର ପଶ୍ଚିମ ପଞ୍ଜାବରେ ସୃଷ୍ଟି ହୋଇଥିବା ସ˚କ୍ରମଣର ଉତ୍ତାଳ ତରଙ୍ଗ ବେଳେ ପ୍ରମୁଖ ଭାବେ ବ୍ରିଟେନ୍ ଷ୍ଟ୍ରେନ୍ର ପ୍ରାଦୁର୍ଭାବ ପରିଲକ୍ଷିତ ହୋଇଥିଲା। ଏ କଥା ପଞ୍ଜାବ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କୁହାଯାଇଥିଲା। ଏହାର କାରଣ ପଞ୍ଜାବର ସେହି ଅଞ୍ଚଳରେ ବସବାସ କରୁଥିବା ପରିବାର ଭିତରୁ ପ୍ରାୟ ୭୦ ପ୍ରତିଶତ ଇ˚ଲାଣ୍ତ ବା କାନାଡାରେ ରହୁଥିବା ଏନ୍.ଆର.ଆଇ.। କିନ୍ତୁ, ବୈଜ୍ଞାନିକମାନଙ୍କ ମତରେ ବ୍ରିଟେନ୍ ଷ୍ଟ୍ରେନ୍ ଅପେକ୍ଷାକୃତ ଭାବେ ଅତ୍ୟନ୍ତ ଦ୍ରୁତ ସ˚କ୍ରମଣଶୀଳ ହୋଇଥିବା ବେଳେ ତୁଳନାତ୍ମକ ଭାବେ ଅଧିକ ମାରକ ହୋଇ ନ ଥାଏ। ତେବେ, ପଞ୍ଜାବରେ ମୃତ୍ୟୁ ସ˚ଖ୍ୟାରେ ମଧୢ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଲା କେମିତି?
ସୁତରା˚, ଏହା ପଛରେ ନିହିତ କାରଣ ଖୋଜିବାକୁ ଯାଇ କିଛି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଏହି ସ˚କ୍ରମଣ କାଳରେ ବ୍ରିଟେନ୍ ଷ୍ଟ୍ରେନ୍ଟି ‘ଡବଲ୍ ମ୍ୟୁଟାଣ୍ଟ୍’ ଭାରତୀୟ ଷ୍ଟ୍ରେନ୍ରେ ପରିଣତ ହୋଇ ମାନବ ଶରୀରର ପ୍ରତିରୋଧକ ବ୍ୟବସ୍ଥାକୁ ଚକମା ଦେଖାଇବାରେ ସମର୍ଥ ହୋଇଛି ଓ ଏହି ଭଳି ମାରାତ୍ମକ କ୍ଷତି ଘଟାଇ ଚାଲିଛି। ତେବେ ସେହି ସ˚ଦର୍ଭରେ କରାଯାଇଥିବା ଏକ ଅନୁଧୢାନମୂଳକ ସର୍ବେକ୍ଷଣରୁ ଲବ୍ଧ ତଥ୍ୟ ଆଧାରରେ ଗଲା ମାର୍ଚ୍ଚ ୨୨ରେ କେନ୍ଦ୍ର ସରକାର ଜାରି କରିଥିବା ଏକ ସୂଚନା ତଥା ‘ଆଇ.ସି.ଏମ୍.ଆର୍.’ର ମୁଖ୍ୟଙ୍କ ବକ୍ତବ୍ୟ କହିଥାଏ ଯେ ଉଭୟ ମହାରାଷ୍ଟ୍ର ଓ ପଞ୍ଜାବରେ ମୃତ୍ୟୁ ସ˚ଖ୍ୟା ଖୁବ୍ ଅଧିକ ଥିବା ବେଳେ ଏହି ‘ଡବଲ୍ ମ୍ୟୁଟାଣ୍ଟ୍’ର ପ୍ରାଦୁର୍ଭାବ ଅଳ୍ପ କେତେକ ସ୍ଥାନରେ ସୀମିତ ଥିବା ଦୃଷ୍ଟିଗୋଚର ହୋଇଛି; ସୁତରା˚, ‘ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍’ ଭୟର କାରଣ ହୋଇ ନ ପାରେ। ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ ତାହା ହେଲେ ଏହାର ସମ୍ଭାବ୍ୟ କାରଣ କ’ଣ?
ଏହାର ଉତ୍ତର ପାଇବାକୁ ହେଲେ ‘ଲଣ୍ତନ ସ୍କୁଲ ଅଫ୍ ହାଇଜିନ ଏଣ୍ତ ଟ୍ରପିକାଲ ମେଡିସିନ୍’ରେ ଗବେଷଣାରତ ବୈଜ୍ଞାନିକ ଆଡାମ କୁସାର୍ସ୍କିଙ୍କ ଦ୍ବାରା ପ୍ରଦତ୍ତ ଏକ ଗାଣିତିକ ହିସାବକୁ ବିଚାରକୁ ନେବାକୁ ହେବ। ତାଙ୍କର ଏହି ଗାଣିତିକ ମଡେଲ୍ ଅନୁସାରେ ଧରି ନିଆଯାଉ ଗୋଟିଏ ସହରରେ ୧୦,୦୦୦ ସ˚କ୍ରମିତ ହୋଇଛନ୍ତି ଏବ˚ ଏମାନେ ପ୍ରତ୍ୟେକ ୧.୧ ହାରରେ ଅନ୍ୟକୁ ସ˚କ୍ରମିତ କରିପାରନ୍ତି; ତାହା ହେଲେ ମାସକ ପରେ ସ˚କ୍ରମିତଙ୍କ ସ˚ଖ୍ୟା ହେବ ୧୬,୦୦୦। ସେତିକି ବେଳେ ମୃତ୍ୟୁ ହାର ଯଦି ଥିବ ୦.୮ ପ୍ରତିଶତ ତେବେ ମୃତକଙ୍କ ସ˚ଖ୍ୟା ହେବ ୧୨୮।(ପ୍ରଥମ ତରଙ୍ଗ କାଳରେ ଲଣ୍ତନରେ ହେଉଥିବା ସ˚କ୍ରମଣ ଓ ମୃତ୍ୟୁ ହାର ହିସାବ ଅନୁସାରେ ଆଡାମ ଏହି ମଡେଲ ପ୍ରସ୍ତୁତ)। କିନ୍ତୁ ଏଭଳି ସ୍ଥଳେ ଯଦି ଭାଇରସ୍ଟି ୫୦ ପ୍ରତିଶତ ଅଧିକ ଘାତକ ହୁଅନ୍ତା, ତେବେ ମୃତ୍ୟୁ ସ˚ଖ୍ୟା ହୁଅନ୍ତା ୧୯୨। କିନ୍ତୁ ଭାଇରସ୍ଟି ୫୦ ପ୍ରତିଶତ ଅଧିକ ଘାତକ ହେବା ପରିବର୍ତ୍ତେ ଯଦି ୫୦ ପ୍ରତିଶତ ଅଧିକ ସ˚କ୍ରମଣକ୍ଷମ ହେବ, ତେବେ ମାସକ ଭିତରେ ସ˚କ୍ରମିତଙ୍କ ସ˚ଖ୍ୟାରେ ବୃଦ୍ଧି ଘଟି ତାହା ୧ ଲକ୍ଷ ୨୨,୦୦୦ ହେବ ଏବ˚ ପୂର୍ବ ଭଳି ଅତି ନୀଚା ଅର୍ଥାତ୍ ୦.୮ହାରରେ ମୃତ୍ୟୁ ଘଟୁଥିଲେ, ମୃତ୍ୟୁ ସ˚ଖ୍ୟା ପହଞ୍ଚିଯିବ ବିସ୍ମୟକର ଭାବେ ୯୭୬ରେ। ସୁତରା˚, ଏଥିରୁ ଯାହା ବୋଧଗମ୍ୟ ହୋଇଥାଏ, ତାହା ହେଲା ଦ୍ରୁତ ସ˚କ୍ରମଣ ହେତୁ ମୃତ୍ୟୁ ସ˚ଖ୍ୟାରେ ବୃଦ୍ଧି ଘଟିଛି। ତେଣୁ କରୋନାର ଦ୍ବିତୀୟ ତରଙ୍ଗ କାଳରେ ଅଧିକ ଘାତକ ଷ୍ଟ୍ରେନ୍ର ଆବିର୍ଭାବ ଘଟି ମୃତ୍ୟୁ ସ˚ଖ୍ୟା ବୃଦ୍ଧି ପାଇଛି ବୋଲି ସୃଷ୍ଟ ଧାରଣା ଭ୍ରମାତ୍ମକ ହୋଇପାରେ।
ଏହି ପରିପ୍ରେକ୍ଷୀରେ ଦ୍ରୁତ ସ˚କ୍ରମଣକୁ ରୋକିବା ଏକମାତ୍ର ଉପାୟ, ଯେଉଁଥି ଲାଗି ପୁନର୍ବାର ‘ଲକ୍ଡାଉନ୍’ ଭଳି କଠୋର ପଦକ୍ଷେପକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଉଛି। ଆମ ରାଜ୍ୟ ସରକାର ମଧୢ ଆଗାମୀ ୫ ତାରିଖରୁ ୧୯ ତାରିଖ ଯାଏ ଲକ୍ଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ କହିବା ଅନାବଶ୍ୟକ ଯେ ଏହି ଲକ୍ଡାଉନ୍ ନାଗରିକମାନଙ୍କ ଲାଗି ଅଧିକ ଦୁଃସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। କାରଣ ସ˚ପ୍ରତି କୋଭିଡ୍ ଆକ୍ରାନ୍ତଙ୍କ ସ˚ଖ୍ୟାରେ ଉଦ୍ବେଗଜନକ ବୃଦ୍ଧି ଘଟିଥିବାରୁ ଏକ ଲକଡାଉନ୍ ପରିସ୍ଥିତିରେ ରୋଗୀମାନଙ୍କୁ ଡାକ୍ତରଖାନାକୁ ନେବା ବା ଆପତ୍କାଳୀନ ସ୍ଥିତିରେ ଭଡ଼ା ଗାଡ଼ିଟିଏ ଖୋଜିବା ଚରମ ଦୁର୍ଦଶା ସୃଷ୍ଟି କରିବ। କହିୀବା ଅନାବଶ୍ୟକ ଯେ ଏତେ ସଂଖ୍ୟକ ରୋଗୀଙ୍କୁ ଡାକ୍ତରଖାନା ନେବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା ଆଦୌ ଯଥେଷ୍ଟ ହେବ ନାହିଁ। ସୁତରାଂ, ଏ ସମସ୍ୟାର ସମାଧାନ ଲାଗି ଏକ ବାଟ ଖୋଜିବାକୁ ହେବ।
ତେବେ, ସତ କଥାଟି ହେଲା ଏଭଳି ପଦକ୍ଷେପ ମୂଳରେ ନିହିତ ଥିବା ଉଦ୍ଦେଶ୍ୟଟି ହେଉଛି ସ˚କ୍ରମଣର ଶିକୁଳିକୁ ଛିଣ୍ତାଇବା। କିନ୍ତୁ ସେଥି ଲାଗି ଯାହା ପ୍ରଥମେ ଆବଶ୍ୟକ, ତାହା ହେଲା ପ୍ରତି ନାଗରିକ ସ˚ପୂର୍ଣ୍ଣ ସତର୍କତା ଅବଲମ୍ବନ କରି ନିଜକୁ ନିରୋଗ ରଖି ନିଜ ପକ୍ଷରୁ ଏହି ଶିକୁଳିକୁ ଛିଣ୍ତାଇବାରେ ଏକ କ୍ଷୁଦ୍ର ଅଥଚ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା। କୋଭିଡ୍ ଗଣିତ ବି ତାହା ହିଁ କହିଥାଏ। ଭାରତରେ ହୁଏ’ତ କୋଭିଡ୍ ଭାଇରସ ବିଶେଷ ଘାତକ ନୁହେଁ; ଯାହା ଘାତକ ତାହା ହେଲା ଏଠାରେ ପରିଦୃଷ୍ଟ ହେଉଥିବା ଦ୍ରୁତ ସ˚କ୍ରମଣ।