ବିଗ୍‌-ଭି

ସର୍ବଦା ଚର୍ଚ୍ଚା ହୋଇ ଚାଲିଛି ଚୀନା କରୋନା କିଭଳି ମନୁଷ୍ୟର ଚିରାଚରିତ ସ୍ବାଭାବିକ ଆଚରଣ ସବୁକୁ ସମ୍ପୂର୍ଣ୍ଣ ଓଲଟପାଲଟ କରି ଦେଇଛି, ଯେମିତି, ‘ଏକତାରେ ବଳ’ର ସ୍ଥାନ ନେଇଛି ‘ଏକଲାରେ ବଳ’, ମୁହଁ ଦେଖାଇବାର ସ୍ଥାନ ନେଇଛି ମୁହଁ ଲୁଚାଇବା, ଇତ୍ୟାଦି, ଯେଉଁ ଗୁଡ଼ିକର ଅଧିକ ବର୍ଣ୍ଣନା ନିଷ୍ପୟୋଜନ। ତେବେ ଏଭଳି ବିପରୀତ ଆଚରଣର ଆଉ ଏକ ଏପରି ଚରମ ଉଦାହରଣ ଏବେ ଦେଖିବାକୁ ମିଳିଛି, ଯାହା ଏଠାରେ ଉଲ୍ଲେଖ କରିବା ସମ୍ପୂର୍ଣ୍ଣ ପ୍ରୟୋଜନୀୟ ମନେହୁଏ।

ଅତୀତରେ ହଇଜା, ବସନ୍ତ ଭଳି ସ˚କ୍ରାମକ ମହାମାରୀମାନଙ୍କର ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଦେଶରେ ଗଣ ଟିକାକରଣ ଅଭିଯାନମାନ କାର୍ଯ୍ୟକାରୀ ହେଉଥିଲା। ସେ ସମୟରେ ଟିକା ଦାନକାରୀମାନେ ସେମାନଙ୍କର ଉପକରଣମାନ ଧରି ଯେତେବେଳେ କୌଣସି ବିଦ୍ୟାଳୟରେ ପହଞ୍ଚି ଯାଉଥିଲେ, ପିଲାମାନଙ୍କର ଛାନିଆରେ ହୃତ୍‌କମ୍ପ ହେଉଥିଲା। ଏମାନଙ୍କ ମଧୢରୁ ସର୍ବାଧିକ ଭୟାଳୁମାନେ ବେଳେ ବେଳେ ପରେ ଶିକ୍ଷକଙ୍କ ଠାରୁ ଦଣ୍ତ ମିଳିବାର ସମ୍ଭାବନାକୁ ଖାତିର ନ କରି ଲୁଚି କରି ଟିକାଦିଆଳିଙ୍କ କବଳରୁ ଖସିବା ପାଇଁ ବିଦ୍ୟାଳୟ ଛାଡ଼ି ପଳାଉଥିଲେ। ବର୍ତ୍ତମାନ ଠିକ୍‌ ତା’ର ଏକ ଏପରି ଏକ ବିପରୀତ ଘଟଣା ଘଟି ସମସ୍ତଙ୍କୁ ଚମକାଇ ଦେଇଛି, ଯେଉଁଠି ଟିକା ନେବା ପାଇଁ ଉଚ୍ଛନ୍ନ ଲୋକମାନଙ୍କ ଚାପ ସମ୍ଭାଳି ନ ପାରି ଖୋଦ୍‌ ଟିକା ଦାନ କାରୀ ଗୋପନରେ ସେ ସ୍ଥାନଛାଡ଼ି ବହୁ ଦୂରକୁ ଧାଇଁ ପଳାଇଛନ୍ତି।

‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ ଆଦର ପୁନାଵାଲା ହେଉଛନ୍ତି କେବଳ ଭାରତର ନୁହେଁ ସାରା ପୃଥିବୀର ବୃହତ୍ତମ ଟିକା ଦାନକାରୀ ବା ଟିକା ଉତ୍ପାଦନକାରୀ। ସେ ଏବେ ଦେଶ ଛାଡ଼ି ଲଣ୍ତନକୁ ପଳାଇଯାଇ ଗତ ଶନିବାର ଦିନ ସେଠାକାର ଏକ ସମ୍ବାଦପତ୍ରକୁ ସାକ୍ଷାତ୍‌କାର ଦେଇ ସ୍ବୀକାର କରିଛନ୍ତି ଯେ ଅଧିକରୁ ଅଧିକ ଟିକା ଯୋଗାଇବା ପାଇଁ ତାଙ୍କ ଉପରେ ପଡୁଥିବା ଅସହନୀୟ ଚାପ ସମ୍ଭାଳି ନ ପାରି ସେ ଲଣ୍ତନକୁ କିଛି ଦିନ ପାଇଁ ପଳାଇ ଆସିଛନ୍ତି। ସେ ସେହି ସାକ୍ଷାତ୍‌କାରରେ କହିଛନ୍ତି ଯେ ଅତ୍ୟନ୍ତ ଶକ୍ତିଶାଳୀ ଲୋକମାନଙ୍କ ଠାରୁ ତାଙ୍କ ଉପରେ ଏପରି ଧମକପୂର୍ଣ୍ଣ ଚାପ ପଡ଼ିବାରେ ଲାଗିଲା ଯେ, ତାହା ସମ୍ଭାଳି ନ ପାରି ସେ ପୁନାରୁ ଖସି ପଳାଇ ଆସିବାକୁ ବାଧୢ ହୋଇଛନ୍ତି। ଭାରତରେ କରୋନାର ପ୍ରଥମ ଲହରୀ ଥମି ଆସିବାର କିଛିିଦିନ ପରେ ଏବେ ଆହୁରି ଭୀଷଣକାୟ ହୋଇ ମାଡ଼ିଚାଲିଥିବା ଦ୍ବିତୀୟ ଲହରୀର ମୁକାବିଲା ପାଇଁ ଆବଶ୍ୟକ ଟିକାର ଉତ୍ପାଦନ ଯଥେଷ୍ଟ ହୋଇ ନ ଥିବାରୁ ପୁନାବାଲା ଏପରି ମିଳିତ ଚାପର ସମ୍ମୁଖୀନ ହୋଇଛନ୍ତି।

ଟ୍ରୋଜାନ୍‌ ଯୁଦ୍ଧ ସମୟରେ ଗ୍ରୀକ୍‌ ସୈନ୍ୟମାନେ ସେମାନଙ୍କର ପୋତମାନଙ୍କରେ ପାଲ ଉଡ଼ାଇ ଫେରଯିବାର ଦୃଶ୍ୟ ଟ୍ରଏବାସୀମାନଙ୍କୁ ଯେପରି ମିଥ୍ୟା ଆଶ୍ବସ୍ତି ଦେଇଥିଲା, ଏବ˚ ପରେ ସେମାନଙ୍କର ବିପର୍ଯ୍ୟୟର କାରଣ ହୋଇଥିଲା, ଭାରତରେ ସେଇଭଳି ଜାନୁଆରି- ଫେବ୍ରୁଆରି ବେଳକୁ କରୋନା ଫେରଯିବାର ମିଥ୍ୟା ସମ୍ଭାବନା ସୃଷ୍ଟି ହୋଇ ଏଠାରେ କୁମ୍ଭମେଳାରୁ ନିର୍ବାଚନ ପର୍ଯ୍ୟନ୍ତରେ ମାତି ଯିବାକୁ ଆମକୁ ସେଇଭଳି ପ୍ରବୃତ୍ତ କରି ବର୍ତ୍ତମାନ ଆମକୁ ଘୋର ବିପଦର ସମ୍ମୁଖୀନ କରାଇଛି। କିନ୍ତୁ ଲଣ୍ତନ୍‌ରେ ସେ ଦେଇଥିବା ବିବୃତିରେ ଆଦର ପୁନାଵାଲା ମଧୢ ସ୍ବୀକାର କରିଛନ୍ତି ଯେ ‘ଖୋଦ୍‌ ଭଗବାନ ମଧୢ’ ଦ୍ବିତୀୟ ଲହରୀ ଭାରତରେ ଏପରି କରାଳ ରୂପ ନେବ ବୋଲି ଭବିଷ୍ୟବାଣୀ କରିପାରିନଥାନ୍ତେ।

ଏଠାରେ ସାହିତ୍ୟରେ ନୋବେଲ୍‌ ପୁରସ୍କାର ବିଜେତା ଫରାସୀ ଔପନ୍ୟାସିକ- ଦାର୍ଶନିକ ଆଲବର୍ଟ କାମୁ ତାଙ୍କର ପ୍ରସିଦ୍ଧ ମହାମାରୀ ଭିତ୍ତିକ ଉପନ୍ୟାସ ‘ଦି ପ୍ଲେଗ୍‌’ରେ କହିଥିବା କଥାଟିଏ ଉଦ୍ଧାର କରିବା ସମୀଚୀନ ମନେହୁଏ। ସେ କହିଥିଲେ: ‘‘ସମସ୍ତେ ଜାଣନ୍ତି ମହାମାରୀମାନେ ପୃଥିବୀରେ ବାରମ୍ବାର ଦେଖା ଦେବାର ବାଟ ଜାଣନ୍ତି; ତଥାପି କାହିଁକି କେଜାଣି ଏକ ନୀଳ ଆକାଶରୁ ଆମ ମୁଣ୍ତ ଉପରେ ଅଜାଡ଼ି ହୋଇ ପଡୁଥିବା ମହାମାରୀମାନ ଯେ ସମ୍ଭବ, ତାହା ବିଶ୍ବାସ କରିବାକୁ ଆମେ କୁଣ୍ଠିତ ହୋଇଥାଉ। ଇତିହାସ ସାରା ଯେତିକି ସ˚ଖ୍ୟକ ଯୁଦ୍ଧ ଘଟିଛି, ସେତିକି ସ˚ଖ୍ୟାକ ପ୍ଲେଗ୍‌ ଦେଖାଦେଇଛି; ତଥାପି ପ୍ଲେଗ ଏବ˚ ଯୁଦ୍ଧ ସମାନ ଭାବରେ ଆମକୁ ଅପ୍ରସ୍ତୁତ ଅବସ୍ଥାରେ ପାଇଛନ୍ତି।’’ କାମୁଙ୍କର ମହାମାରୀ ସମ୍ପର୍କିତ ଏହି ଅନ୍ତଦୃର୍ଷ୍ଟି ଯେ ବର୍ତ୍ତମାନ ବର୍ଷାଧିକ କାଳ ଧରି ପୃଥିବୀକୁ ବିପର୍ଯ୍ୟସ୍ତ କରି ଦେଇଥିବା ଚୀନା କରୋନା ମହାମାରୀ ପ୍ରତି ସମ୍ପୂର୍ଣ୍ଣ ପ୍ରଯୁଯ୍ୟ, ଏଥିରେ କେହି ଦ୍ବିମତ ହେବେ ନାହିଁ, କିନ୍ତୁ ଥରେ ଚେଙ୍କା ପାଇବା ପରେ ଭାରତରେ ଦ୍ବିତୀୟ ଲହରୀ କାହିଁକି ଆମକୁ ଏପରି ଅପ୍ରସ୍ତୁତ ଅବସ୍ଥାରେ ପୁଣି ପାଇଲା, ତାହା ଏକ ଅସମାହିତ ପ୍ରଶ୍ନ।

ଗତ ସପ୍ତାହରେ ଏ ପ୍ରଶ୍ନର ଏକ ସମ୍ଭାବ୍ୟ ଉତ୍ତର ଦେବାକୁ କେନ୍ଦ୍ର ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଚିବ ଚେଷ୍ଟା କରିବା ଦେଖାଯାଇଥିଲା ସେ ଏକ ଭାରତୀୟ ସମ୍ବାଦପତ୍ରକୁ ଦେଇଥିବା ସାକ୍ଷାତକାରରେ। ସେ କହିଥିଲେ କୋଭିଡ-୧୯ ସୁପର ମଡେଲ୍‌ ପ୍ରସ୍ତୁତ କରିଥିବା ବିଶେଷଜ୍ଞ କମିଟି ‘ନିତି ଆୟୋଗ’ର ସ୍ବାସ୍ଥ୍ୟ ସଦସ୍ୟ ଡକ୍ଟର‌୍‌ ଭି କେ ପଲଙ୍କ ସହିତ ଏପ୍ରିଲ ୨ ତାରିଖରେ କରିଥିବା ଆଲୋଚନାରେ ସୂଚନା ଦେଇଥିଲେ ଯେ ଭାରତରେ ଏପ୍ରିଲ ତୃତୀୟ-ଚତୁର୍ଥ ସପ୍ତାହ ସୁଦ୍ଧା କରୋନାର ଦ୍ବିତୀୟ ଲହରୀ ତାର ଶୀର୍ଷବିନ୍ଦୁ ସ୍ପର୍ଶ କରିବ ଏବ˚ ସେତେବେଳେ ସର୍ବାଧିକ ସ˚କ୍ରମଣ ସ˚ଖ୍ୟା ଦୈନିକ ଏକ ଲକ୍ଷରୁ କମ୍‌ ହେବ। ଦେଶରେ ଏହି ସମ୍ଭାବନାର ମୁକାବିଲା କରିବା ପାଇଁ ଯଥେଷ୍ଟ ସୁବିଧା ସୃଷ୍ଟି କରାଯାଇଥିଲା ବୋଲି ସରକାର ଦୃଢ଼ ନିଶ୍ଚିତ ଥିଲେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖାଗଲା ଯେ ସ˚କ୍ରମଣ ସ˚ଖ୍ୟା ତା’ର ଚାରି ଗୁଣରୁ ଅଧିକ ହୋଇଛି, ଯାହାର ମୁକାବିଲା କରିବା ପାଇଁ ଦେଶରେ ଯଥେଷ୍ଟ ଟିକା ଉତ୍ପାଦିତ ହେଉନାହିଁ। ତାହା ହିଁ ପୁନାବାଲା ସମ୍ମୁଖୀନ ହୋଇଥିବା ଚାପର କାରଣ।

ଅତୀତରେ ଅଭିନେତା ଅମିତାଭ ବଚ୍ଚନ (‘ବିଗ୍‌ ବିି’ ନାମରେ ଖ୍ୟାତ) କୋଭିଡ ସ˚କ୍ରମଣରେ ସୁସ୍ଥ ହେବା ପରେ ଶିଳ୍ପପତି ଆନନ୍ଦ ମହୀନ୍ଦ୍ରାଙ୍କର ଏକ ମଜାଳିଆ ଟ୍ବିଟ୍‌ର ଜବାବରେ ଆଦର ପୁନାଵାଲା କହିଥିଲେ ଯେ ସେ ଅମିତାଭଙ୍କ ରକ୍ତରୁ ଉପାଦାନ ସ˚ଗ୍ରହ କରି ‘ବିଗ୍‌-ଭି’ (‘ଭି’ ଭ୍ୟାକସିନ୍‌) ନାମକ ଟିକା ତିଆରି କରିବେ। ସେ ‘ବିଗ୍‌-ଭି’ ତିଆରି କରନ୍ତୁ କିମ୍ବା ତାଙ୍କର ସୁପରିଚିତ ‘କୋଭିସିଲଡ୍‌’ ତିଆରି କରନ୍ତୁ, ଆଦର ପୁନାଵାଲା ତୁରନ୍ତ ଭାରତ ଫେରିଆସି ତୁରନ୍ତ ତାଙ୍କ ଟିକା ତିଆରି କ୍ଷମତାରେ ବୃଦ୍ଧି ଘଟାଇ ଚାଲନ୍ତୁ; ଭାରତ ସରକାର ତାଙ୍କର ସମସ୍ତ ସୁରକ୍ଷା ବନ୍ଦୋବସ୍ତ କରି ତାହା ନିଶ୍ଚିତ କରନ୍ତୁ। ଏହା ସରକାରଙ୍କର ସର୍ବପ୍ରଥମ ଦାୟିତ୍ବ।

ସମ୍ବନ୍ଧିତ ଖବର