ତୁହାକୁ ତୁହା ଚୀନା କରୋନା ଲହରି ମାନବ ସମାଜ ପାଇଁ ବ୍ୟାଧି ଓ ମୃତ୍ୟୁର ତାଣ୍ତବ ବ୍ୟତୀତ ଅନ୍ୟ ଯେଉଁ ବିଭିନ୍ନ ମନସ୍ତାତ୍ତ୍ବିକ ସମସ୍ୟାମାନ ସୃଷ୍ଟି କରିଛି, ସେଥି ମଧୢରୁ ଏକ ମୁଖ୍ୟ ତଥା ସର୍ବବ୍ୟାପୀ ସମସ୍ୟା ହେଉଛି ନିରବଚ୍ଛିନ୍ନ ନିଷ୍କ୍ରିୟତା ଜନିତ ବିରକ୍ତି ଭାବ ବା ‘ବୋର୍ଡମ୍’। ବୋର୍ ହୋଇଯିବା ମନୁଷ୍ୟର ଏକ ସହଜାତ ମନସ୍ତାତ୍ତ୍ବିକ ଅବସ୍ଥା ଯାହା ସହିତ ପ୍ରତ୍ୟେକ ବ୍ୟକ୍ତି ଊଣା ଅଧିକେ ସୁପରିଚିତ। କିନ୍ତୁ ଏହା ଦୀର୍ଘସ୍ଥାୟୀ ହେଲେ ଇ˚ରେଜୀ ଆପ୍ତବାକ୍ୟକୁ ଅନୁସରଣ କଲା ପରି ‘ନିଷ୍କ୍ରିୟ ମସ୍ତିଷ୍କ ସଇତାନର କର୍ମଶାଳା’ରେ ପରିଣତ ହେବାର ସମ୍ଭାବନା ବୃଦ୍ଧି ପାଏ। ସେଇ କାରଣରୁ ଊନବି˚ଶ ଶତାବ୍ଦୀର ବିଚକ୍ଷଣ ଦୀନାମାର୍ ଦାର୍ଶନିକ ସୋରେନ୍ କିର୍କେଗାର୍ଡ କହିଥିଲେ ବୋର୍ଡମ୍ ହେଉଛି ସମସ୍ତ ମନ୍ଦ କର୍ମର ମୂଳ।
ସେଇ କିର୍କେଗାର୍ଡଙ୍କର ସମସାମୟିକ ଆମେରିକୀୟ ଦାର୍ଶନିକ ହେନ୍ରି ଡେଭିଡ୍ ଥୋରୁଙ୍କର ବୋର୍ଡମ୍ ସମ୍ବନ୍ଧରେ କେତେକ ସୁଚିନ୍ତିତ ନିର୍ଦ୍ଦିଷ୍ଟ ଧାରଣା ରହିଥିଲା। ତାଙ୍କ ମତରେ ବୋର୍ଡମ୍ କେତେକ ବିଚାର କରୁଥିବା ଭଳି ଏକ ଆଧୁନିକ ସମାଜର ସମସ୍ୟା ନୁହେଁ, ଏହା କହିବାକୁ ଗଲେ ଆଦି ପୁରୁଷ ଆଡାମ୍ଙ୍କ ସମୟରୁ ମନୁଷ୍ୟର ମୁଣ୍ତ ଖାଇ ଆସିଛି। କିନ୍ତୁ ସବୁ ମନୁଷ୍ୟଙ୍କର ନୁହେଁ। ଥୋରୁ ବିଶ୍ବାସ କରୁଥିଲେ ଯେଉଁମାନେ କମ୍ ବୁଦ୍ଧି ସମ୍ପନ୍ନ, ମାନସିକ ଭାବରେ କମ୍ ସକ୍ରିୟ, ଏବ˚ ଅଧିକ ‘ସୁପ୍ତ’- ସେଇମାନେ ହିଁ ଅଧିକ ‘ବୋର୍ଡମ୍’ର ଶିକାର ହୋଇଥାନ୍ତି। ମହାତ୍ମା ଗାନ୍ଧୀଙ୍କର ଅନ୍ୟତମ ଆଦର୍ଶ ରୂପେ ବିବେଚିତ ଥୋରୁ ତାଙ୍କର ପ୍ରସିଦ୍ଧ ‘ଵାଲ୍ଡେନ୍’ ରଚନାରେ ଲେଖିଥିଲେ ଯେ ଏକ ବୁଦ୍ଧିମାନ ଏବ˚ ସଜାଗ ମସ୍ତିଷ୍କକୁ କେବେ ହେଲେ ବୋର୍ଡମ୍ ସ୍ପର୍ଶ କରିପାରିବ ନାହିଁ। ତା’ର ଚତୁଃପାର୍ଶ୍ବରେ ସର୍ବଦା ହଜାର ହଜାର ଚିତ୍ତାକର୍ଷକ, ମହିମାନ୍ବିତ କଥା ଘେରି ରହିଥାନ୍ତି। ଏପରି କି ଏକ ମଶାର ଗୁଣୁ ଗୁଣୁ ଶବ୍ଦକୁ ଯଦି ମନଧୢାନ ଦେଇ ଶୁଣାଯାଏ, ତାହା ଏକ ‘ଇଲିଆଡ୍’ ବା ‘ଓଡ୍ିଶି’ (ଗ୍ରୀକ୍ ମହାକାବ୍ୟମାନ) ପରି ମନୋମୁଗ୍ଧକର ଏବ˚ ସମ୍ମୋହନକାରୀ ସାବ୍ୟସ୍ତ ହେବ।
ଏଥିରେ ସନ୍ଦେହ ନାହିଁ ଯେ ବୋର୍ଡମ୍ ସମସ୍ୟାର ସମାଧାନ ପାଇଁ ଥୋରୁଙ୍କର ଏହି ସୂତ୍ର ପ୍ରୟୋଗ କରିବା ନିମିତ୍ତ ଯେଉଁ ଭଳି ଥୋରୁ-ସୁଲଭ ଅତିମାନବୀୟ ଚେତନା ଆବଶ୍ୟକ, ଅଧିକା˚ଶ ସାଧାରଣ ମନୁଷ୍ୟଙ୍କ ଠାରେ ତାହା ଅନୁପସ୍ଥିତ ଥାଏ। ସାଧାରଣ ମନୁଷ୍ୟ ଜଣେ ତା ହେଲେ ବୋର୍ଡମ୍ ଠାରୁ କିପରି ରକ୍ଷା ପାଇବ? ତାହାର ଉତ୍ତର ଦେଇଥିଲେ ଥୋରୁ ଓ କିର୍କେଗାର୍ଡଙ୍କ ପ୍ରାୟ ଦୁଇ ଶତାବ୍ଦୀ ପୂର୍ବରୁ ପ୍ରଖର ଧୀ-ଶକ୍ତ ସମ୍ପନ୍ନ, କିର୍କେଗାର୍ଡଙ୍କ ଭଳି ସ୍ବଳ୍ପାୟୁ, ଫରାସୀ ଗଣିତଜ୍ଞ-ପଦାର୍ଥ ବିଜ୍ଞାନୀ-ଦାର୍ଶନିକ ବ୍ଲେଜ୍ ପାସ୍କାଲ୍। ପାସ୍କାଲ୍ ବିଶ୍ବାସ କରୁଥିଲେ ଯେ ବୋର୍ଡମ୍ ହେଉଛି ମନୁଷ୍ୟର ସ୍ବାଭାବିକ ସ୍ଥିତି; ଏକ ଫମ୍ପା ମସ୍ତିଷ୍କର ପରିଣତି। ଏହି ଫମ୍ପାପଣ ଯେଉଁ ଅସ୍ଥିରତା ସୃଷ୍ଟିକରେ, ତାହା ହେଉଛି ବୋର୍ଡମ୍। ଅନନ୍ତ ଈଶ୍ବରଙ୍କ ସହିତ ସମ୍ପର୍କ ସ୍ଥାପନ କରି ଜୀବନ ବିତାଇ ଏହି ଶୂନ୍ୟସ୍ଥାନକୁ ଈଶ୍ବର ଚିନ୍ତାରେ ପୂର୍ଣ୍ଣ କରି ଦେଲେ ସେ ଅସ୍ଥିରତାର ଅନ୍ତ ଘଟିବ, ବୋର୍ଡମ୍ ଅନୁପ୍ରବେଶ କରିବାକୁ ସ୍ଥାନ ମିଳିବ ନାହିଁ।
ଆଜିର ସମୟ କିନ୍ତୁ ପାସ୍କାଲ୍ଙ୍କ ସମୟ ନୁହେଁ ଏବ˚ ଅନେକଙ୍କ ପାଇଁ ଈଶ୍ବରଙ୍କ ସ˚ଜ୍ଞା ଭିନ୍ନ ଭିନ୍ନ ପ୍ରକାରେ ବଦଳି ଯିବାରେ ଲାଗିଛି। ଯେମିତି ପାସ୍କାଲ୍ଙ୍କ ଇଉରୋପରେ ଆଜି ଅନେକଙ୍କ ପାଇଁ ଫୁଟବଲ୍ ଈଶ୍ବରଙ୍କ ସ୍ଥାନ ନେଇଥିବା ବେଳେ ଅଗଣିତ ଭାରତୀୟଙ୍କ ପାଇଁ ଈଶ୍ବରଙ୍କ ସ୍ଥାନ ନେଉଛି କ୍ରିକେଟ। କିନ୍ତୁ ଈଶ୍ବରଙ୍କ ଏହି ରୂପାନ୍ତରକୁ ଯଦି ସ୍ବୀକାର କରାଯାଏ, ତେବେ ପାସ୍କାଲ୍ ପ୍ରଦତ୍ତ ବୋର୍ଡମ୍ର ନିଦାନ ବର୍ତ୍ତମାନର କରୋନା ସମୟରେ କିପରି ଚମକପ୍ରଦ ଭାବରେ ଫଳପ୍ରଦ ଥିଲା, ତାହା ଟେଲିଭିଜନରେ ‘ଆଇପିଏଲ୍’ କ୍ରିକେଟ୍ ଦେଖୁଥିବା ଏବ˚ ବର୍ତ୍ତମାନ ସେ ସୁଯୋଗରୁ ବଞ୍ଚିତ ହୋଇଥିବା କୋଟି କୋଟି ଦର୍ଶକମାନଙ୍କ ମଧୢରୁ ଯାହାକୁ ହେଲେ ପଚାରିଲେ ସାବ୍ୟସ୍ତ ହେବ। ଭାରତରେ ଚୀନା କରୋନାର ଦ୍ବିତୀୟ ଲହରି ଏକ ଜାତୀୟ ବିପର୍ଯ୍ୟୟ ରୂପେ ଆବିର୍ଭୁତ ହେବା ପରିପ୍ରେକ୍ଷୀରେ ଭାରତର କ୍ରିକେଟ ନିୟନ୍ତ୍ରକ ସ˚ସ୍ଥା ‘ବିସିସିଆଇ’ ମଙ୍ଗଳବାର ଦିନ ଏଠାରେ ଟେଲିଭିଜନ୍ ଦର୍ଶକମାନଙ୍କ ପାଇଁ ଫାଙ୍କା ଷ୍ଟାଡିଅମମାନଙ୍କରେ ଚାଲିଥିବା ‘ଆଇପିଏଲ୍’ କ୍ରିକେଟ୍ ମ୍ୟାଚ୍ ସବୁକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରି ଦେବା ପରେ ଏହି ଦର୍ଶକମାନେ ପୁଣି ବୋର୍ଡମ୍ କବଳରେ ପଡ଼ି ଛଟପଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।
କିନ୍ତୁ ଏକ ଜାତୀୟ ବିପତ୍ତି ସମୟରେ ଆଇପିଏଲ୍ ଭଳି ଏକ ବିଜ୍ଞାପନ ଖଚିତ, ରଙ୍ଗୀନ୍ ପୋଷାକ ପରିହିତ ମନୋରଞ୍ଜନ କାର୍ଯ୍ୟକ୍ରମ ନିୟମିତ ଅନୁଷ୍ଠିତ ହୋଇ ଚାଲିବା, ଯେଉଁ ନୈତିକ ପ୍ରଶ୍ନକୁ ଜନ୍ମ ଦେଇଥାଏ, ତାହାର ସନ୍ତୋଷଜନକ ଉତ୍ତର ଖୋଜି ପାଇବା କଷ୍ଟକର। ଯଦିବା ତଥାକଥିତ ନିରାପଦ ଜୈବ ଫୋଟକା ବା ‘ବାୟୋ ବବ୍ଲ’ ମଧୢରେ ଖେଳାଳିମାନଙ୍କୁ ରଖିବାର ବନ୍ଦୋବସ୍ତ କରାଯାଇଥିଲା, ତେବେ ବି ଦେଶରେ କରୋନାର ଦ୍ବିତୀୟ ଲହରି ଯେଉଁ ସମୟରେ ବିସ୍ଫୋରକ ରୂପ ନେବାକୁ ଆରମ୍ଭ କଲା, ଠିକ୍ ସେଇ ସମୟରେ ଏପ୍ରିଲ ୯ ତାରିଖରୁ ଦେଶର କେତେକ ଷ୍ଟାଡିିଅମମାନଙ୍କରେ ଆଇପିଏଲ୍ ଭଳି କ୍ରିକେଟ୍ କାର୍ନିଭାଲ୍ର ଆୟୋଜନ କରାଯାଇ ତାହାକୁ ଟେଲିଭିଜନ୍ ପର୍ଦ୍ଦାରେ ପ୍ରଦର୍ଶିତ କରିବା ଉଭୟ ନୈତିକ ଓ ବ୍ୟାବହାରିକ ଦୃଷ୍ଟିରୁ ସେଇଭଳି ବେଖାପ ମନେ ହେଉଥିଲା, ଯେଉଁଭଳି ୬୪ ଖ୍ରୀଷ୍ଟାବ୍ଦରେ ରୋମ ନଗରୀ ଏକ ସର୍ବବ୍ୟାପୀ ଅଗ୍ନିକାଣ୍ତରେ ଜଳିବାକୁ ଲାଗିଥିବା ବେଳେ ସମ୍ରାଟ ନିରୋ କି˚ବଦନ୍ତି ଅନୁସାରେ ବେହେଲା ବଜାଇବାରେ ମସ୍ଗୁଲ୍ ଥିଲେ।
ସେତିକି ନୁହେଁ, ଦିଲ୍ଲୀ ଭଳି ସର୍ବାଧିକ କରୋନା ଆକ୍ରାନ୍ତ ନଗରୀମାନଙ୍କରେ ଏହି ସମୟରେ ଷ୍ଟାଡିଅମରେ ଆଇପିଏଲ୍ କ୍ରିକେଟ୍ ଖେଳ ଚାଲିବା କେବଳ ଏଭଳି ବେଖାପ ଲାଗୁଥିଲା, ତାହା ନୁହେଁ, ସହରବାସୀଙ୍କ ପ୍ରତି ଏକ ବିପଦ ରୂପେ ମଧୢ ଉଭା ହୋଇଥିଲା ବୋଲି ଅନେକ ସମାଲୋଚକ ମତ ପ୍ରକାଶ କରି ଆସୁଥିଲେ। ସେମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ ଯେ ଟୁର୍ଣ୍ଣାମେଣ୍ଟରେ ଅ˚ଶ ଗ୍ରହଣ କରିଥିବା ଆଠଟି ଟିମ୍ ଏବ˚ ଆୟୋଜକ ଆଦିଙ୍କ ପାଇଁ ଯେଉଁ ମୋବାଇଲ୍ ପରୀକ୍ଷାଗାରରୁ ଆରମ୍ଭ କରି ଆମ୍ବୁଲାନ୍ସ, ପୁଲିସ ମୁତୟନ ଆଦି ବନ୍ଦୋବସ୍ତ କରାଯାଇଥିଲା, ବର୍ତ୍ତମାନର ସମ୍ବଳ ସ˚କଟ ସମୟରେ ସାଧାରଣ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ତାହା ସବୁ ବହୁ ଅଧିକ ଉପଯୋଗୀ ହୁଅନ୍ତା।
ଅବଶେଷରେ ଏବେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାର କାରଣ ଏଭଳି ବିରୋଧୀ ଜନମତ ପ୍ରତି ସମ୍ବେଦନଶୀଳତା ନୁହେଁ, ତାହାର କାରଣ ହେଉଛି ପ୍ରାଣ ଭୟ। ସେଇ ‘ଜୈବ ଫୋଟକା’ ରୂପକଳ୍ପର ଭାଷା ବ୍ୟବହାର କରି କୁହାଯାଇପାରେ ଯେ ସେ ଫୋଟକା ଫାଟି ତା’ ଭିତରେ ଲୁଚିଥିବା କେତେକ ଖେଳାଳିମାନେ କରୋନା ଆକ୍ରାନ୍ତ ହେବାକୁ ଆରମ୍ଭ କରିବା ପରେ ଆୟୋଜକମାନଙ୍କ ପକ୍ଷରେ ଏ କ୍ରିକେଟ ଉତ୍ସବକୁ ସାମୟିକ ଭାବରେ ବନ୍ଦ କରିବା ବ୍ୟତୀତ ଅନ୍ୟ ଚାରା ନ ଥିଲା।
ତେବେ ପୁଣି ବୋର୍ଡମ୍ ସମ୍ମୁଖୀନ ହୋଇଥିବା କ୍ରିକେଟ୍ ପ୍ରେମୀମାନେ ଧୈର୍ଯ୍ୟ ଧରି ସେଇ ସୁଦିନକୁ ଅପେକ୍ଷା କରିବା ଉଚିତ ହେବ, ଯେବେ ସ୍ବାଭାବିକ ଅବସ୍ଥା ଫେରି ଆସି ପୁଣି ଏହି କ୍ରିକେଟ୍ କାର୍ନିଭାଲ୍ର ଘନଘଟା ଆରମ୍ଭ ହୋଇଯିବ। ଇତି ମଧୢରେ ସେମାନେ ବୋର୍ଡମ୍ ହଟାଇବା ପାଇଁ ପାସ୍କାଲ୍ଙ୍କ ମୂଳ ନିଦାନ- ଅସଲ ଈଶ୍ବରଙ୍କ ପାଖକୁ ଫେରିଯାଇ ପାରନ୍ତି।